ରାଜନୈତିକ ପାଣ୍ଠିରେ ସ୍ବଚ୍ଛତା

- ସନ୍ତୋଷ କୁମାର ମିଶ୍ର

ସ୍ୱାଧୀନ ଭାରତର ବୟସ ଯେତେ ବୃଦ୍ଧି ହେଉଛି ସେହି ଅନୁପାତରେ ଗଣତନ୍ତ୍ରକୁ ଜୀବିତ ରଖିବା ପାଇଁ ଆବଶ୍ୟକ ହେଉଥିବା ନିର୍ବାଚନରେ ବିପୁଳ ଅର୍ଥର ପ୍ରୟୋଗ ପରିଲକ୍ଷିତ ହେଉଛି। ପ୍ରାୟ ବିଗତ ଅଢେଇ ଦଶନ୍ଧି ଧରି ସମସ୍ତ ରାଜନୈତିକ ଦଳ ନିଜର ଆୟର ସ୍ରୋତ ସାର୍ବଜନୀନ କରିବା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏଥିରେ କୌଣସି ପ୍ରକାର ସ୍ୱଚ୍ଛତା ଅବଲମ୍ବନ ସମ୍ଭବପର ହୋଇ ପାରି ନାହିଁ। ୨୦୧୭ରେ ମୋଦୀ ସରକାର ଅର୍ଥ ବିଧେୟକ ମାଧ୍ୟମରେ ଇଲେକ୍ଟୋରାଲ ବଣ୍ଡ୍ର ପ୍ରଚଳନ ଆରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ରହିଥିଲା କେଉଁ ଦଳ କେତେ ପରିମାଣରେ ଅର୍ଥ ଆଦାୟ କରୁଛନ୍ତି ତାହା ସାର୍ବଜନୀନ କରାଯାଇପାରିବ।

ଇଲେକ୍ଟୋରାଲ ବଣ୍ଡ୍ର କାରବାର କେବଳ ଭାରତୀୟ ଷ୍ଟେଟ ବ୍ୟାଙ୍କର ନିର୍ଦ୍ଦିଷ୍ଟ ୨୯ଟି ଶାଖା ମାଧ୍ୟମରେ ଆକାଉଣ୍ଟରୁ ହେଉ ଥିବାରୁ ବଣ୍ଡ୍ କ୍ରେତାମାନଙ୍କ ସେହି ଅର୍ଥର ଉତ୍ସ କ’ଣ ତାହା ମଧ୍ୟ ସହଜରେ ଠାବ କରାଯାଇ ପାରିବବୋଲି ସରକାର ଯୁକ୍ତି ରଖି ଆସୁଛନ୍ତି। ସୂଚନା ଅଧିକାର ନିୟମ ୨୦୦୫ର ଆଶ୍ରୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ହସ୍ତଗତ ହୋଇଥିବା ତଥ୍ୟ ଅନୁଯାଇ ୨୦୧୮ ମାର୍ଚ୍ଚ ୧ ତାରିଖରୁ ୧୦ ଜାନୁୟାରୀ ୨୦୨୧ ମଧ୍ୟରେ ପନ୍ଦରଟି ପର୍ଯ୍ୟାୟରେ ୧୨୯୨୪ଟି ବଣ୍ଡ୍ ମାଧ୍ୟମରେ ୬୫୩୪.୭୮ କୋଟି ଟଙ୍କା କାରବାର ହୋଇଛି । ଏତେ ବ୍ୟାପକ ପରିମାଣର ଅର୍ଥ ରାଜନୈତିକ ଦଳଗୁଡିକ ହାତରେ ଥିବାବେଳେ ଗୋଟିଏ ହେଲେ ବଣ୍ଡ୍ କ୍ରେତାର ନାମ ବର୍ତ୍ତମାନ ସୁଦ୍ଧା ସାଧାରଣଲୋକ ଜାଣିପାରିନାହାନ୍ତି।

କେଉଁ ରାଜନୈତିକ ଦଳ ବଣ୍ଡ୍ ମାଧ୍ୟମରେ କାହାଠାରୁ ଅର୍ଥ ସଂଗ୍ରହ କରୁଛନ୍ତି ତାହାର ସବିଶେଷ ତଥ୍ୟ ଉଭୟ ସରକାର ଓ ସମସ୍ତ ରାଜନୈତିକ ଦଳ ଗୁପ୍ତ ରଖୁଛନ୍ତି । ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ସମଗ୍ର ଦେଶରେ ୨୩୬୦ଟି ଦଳ ପଞ୍ଜୀକୃତ ଥିବା ସମୟରେ ଏହାର ୯୭.୫ ଶତାଂଶ ଦଳ ଅଣମାନ୍ୟତାପ୍ରାପ୍ତ ଅଟନ୍ତି। ଇଲେକ୍ଟୋରାଲ ବଣ୍ଡ୍ ବ୍ୟତୀତ ଅନ୍ୟାନ୍ୟ ଉତ୍ସରୁ ପ୍ରାପ୍ତ ଆର୍ଥିକ ଅନୁଦାନର ତଥ୍ୟ ମଧ୍ୟ ଗୋପନୀୟ ରହୁଛି। ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ ଅନୁଷ୍ଠାନ ପକ୍ଷରୁ ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଆର୍ଥିକ ବର୍ଷ ୨୦୧୭-୧୮ ନିମନ୍ତେ ମୋଟ ପଞ୍ଜୀକୃତ ଅଣ ମାନ୍ୟତାପ୍ରାପ୍ତ ୨୩୦୧ ଟି ଦଳ ମଧ୍ୟରୁ କେବଳ ୮୨ଟି ଦଳ ନିଜର ଅଂଶଦାନ ବିଷୟରେ ସବିଶେଷ ତଥ୍ୟ ମୁଖ୍ୟ ସୂଚନା ଆୟୋଗଙ୍କ ୱେବ୍ସାଇଟରେ ସାର୍ବଜନୀନ କରିଥିବା ସମୟରେ ଆର୍ଥିକ ବର୍ଷ ୨୦୧୮-୧୯ ନିମନ୍ତେ କେବଳ ୭୮ଟି ଦଳ ନିଜର ଅଂଶଦାନ ବିଷୟରେ ସବିଶେଷ ତଥ୍ୟ ସାର୍ବଜନୀନ କରିଛନ୍ତି ।

ମହାରାଷ୍ଟ୍ରର ବିଶିଷ୍ଟ ସାମାଜିକ କର୍ମୀ ବିହାର ଦୁର୍ବେ କେଉଁ ବ୍ୟକ୍ତି ବା କମ୍ପାନୀମାନେ କେତେ ବଣ୍ଡ୍ କିଣୁଛନ୍ତି ସୂଚନା ଅଧିକାର ନିୟମ ବଳରେ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ତାହାର ଏକ ତାଲିକା ହାସଲ କରିବା ପାଇଁ ଚେଷ୍ଟା କରି ନିରାଶ ହୋଇଛନ୍ତି। ବଡ ବିଡ଼ମ୍ବନାର ବିଷୟ ୨୦୨୦ ଡିସେମ୍ବର ୨୧ରେ କେନ୍ଦ୍ରୀୟ ସୂଚନା ଆୟୁକ୍ତ ଶ୍ରୀଯୁକ୍ତ ଦୁର୍ବେଙ୍କ ଆବେଦନକୁ ଖାରଜ କରି ବଣ୍ଡ୍ କ୍ରେତାମାନଙ୍କ ବିସ୍ତୃତ ବିବରଣୀ ଜନହିତ ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ମନ୍ତବ୍ୟ ଦେଇଛନ୍ତି। ବଣ୍ଡ୍ କିଣିବା ସମୟରେ କେବଳ ବ୍ୟାଙ୍କ ଆକାଉଣ୍ଟର ବ୍ୟବହାର ହେଉଥିବାରୁ କେବଳ ଆୟକର ବିଭାଗ ଏହାର ତଦନ୍ତ କରି କୌଣସି ବ୍ୟକ୍ତି ବା ସଂସ୍ଥା କେତେ ବଣ୍ଡ୍ କିଣିଛନ୍ତି ତାହାର ଅନୁସନ୍ଧାନ କରିପାରିବେ; କିନ୍ତୁ କେଉଁ ରାଜନୈତିକ ଦଳକୁ ପ୍ରଦାନ କରିଛନ୍ତି ତାହା ଜାଣିପାରିବେ ନାହିଁ। ବଣ୍ଡ୍ କିଣିବା ସମୟରେ ବ୍ୟାଙ୍କ କ୍ରେତାମାନଙ୍କ ପରିଚୟ ପତ୍ର ସଂଗ୍ରହ କଲେ ମଧ୍ୟ ଯଦି ତାହାକୁ ଗୋପନୀୟତା ଦୃଷ୍ଟିକୋଣରୁ ସାର୍ବଜନୀନ ନ କରାଗଲା ତେବେ ରାଜନୀତିରେ କଳା ଟଙ୍କାର ପ୍ରବାହକୁ ରୋକିବା ସମ୍ଭବ ନୁହେଁ।

ଯେ ପର୍ଯ୍ୟନ୍ତ ଗୋଟିଏ ସୁଦୃଢ ଗଣତାନ୍ତ୍ରିକ ଦେଶରେ କୌଣସି ପ୍ରକ୍ରିୟାର ସମସ୍ତ ପ୍ରକାର ତଥ୍ୟକୁ ସାର୍ବଜନୀନ କରିବାରେ ସରକାରଙ୍କ ପକ୍ଷରୁ ବାଧା ରହିଛି ସେପରି ବ୍ୟବସ୍ଥା ଓ ସଂସ୍କାର କଦାପି ଜନମଙ୍ଗଳ ରାଷ୍ଟ୍ର ନିମନ୍ତେ ଉଦ୍ଦିଷ୍ଟ ନୁହେଁ। ଉଭୟ ବଣ୍ଡ୍ କିଣିବା ଓ ଭଙ୍ଗାଇବା ସମୟରେ ଉଭୟ ପକ୍ଷକୁ ସମାନ ଭାବରେ ଆୟକର ଟିକସରୁ ରିଆତି ମିଳିଥାଏ। ଏତେ ବ୍ୟାପକ ପରିମାଣ ଅର୍ଥ ଉପରେ ଟିକସରୁ ରିଆତି ମିଳୁଥିବାରୁ ଦେଶର ରାଜକୋଷ ମଧ୍ୟ କ୍ଷତିଗ୍ରସ୍ତ ହେଉଛି।

ରାଜନୈତିକ ଦଳଗୁଡ଼ିକ ଆର୍ଥିକ ସହାୟତା ବୋଝ ତଳେ ଚାପି ନ ହୋଇ ଦେଶର ଉନ୍ନୟନ କାର୍ଯ୍ୟରେ ସମ୍ପୂର୍ଣ୍ଣ ରୂପରେ ମୁକ୍ତ ଭାବରେ ନିଜକୁ ଉତ୍ସର୍ଗ କରିପାରିଲେ ଓ ଦଳର ଆଦର୍ଶ କିମ୍ବା ସ୍ବାର୍ଥକୁ ଦୂରେଇ ରଖି ଦେଶ ପାଇଁ ନିଜକୁ ସମର୍ପିତ କରିପାରିଲେ ଦାନକୁ ଲୁଚାଇବାର ହୀନ ପ୍ରୟାସ କରିବାକୁ ପଡ଼ିବ ନାହିଁ। ସମସ୍ତ ରାଜନୈତିକ ଦଳ ସ୍ୱତଃପ୍ରବୃତ୍ତ ଭାବରେ ନିଜର ଦଳୀୟ ପାଣ୍ଠିର ସବିଶେଷ ବିବରଣୀ ସାର୍ବଜନୀନ କରିବା ଗଣତନ୍ତ୍ରର ସ୍ୱାସ୍ଥ୍ୟ ନିମନ୍ତେ ଅପରିହାର୍ଯ୍ୟ।

Comments are closed.