ମନ୍ଦିର ଅଧିନିୟମ ଓ ଗାନ୍ଧୀ-ଗୋପବନ୍ଧୁଙ୍କ ସ୍ବପ୍ନ

- ସତ୍ୟନାରାୟଣ ସାହୁ

ଓଡ଼ିଶା ସରକାର ପୁରୀ ଜଗନ୍ନାଥ ମନ୍ଦିରକୁ ବିଶ୍ୱ ଐତିହ୍ୟ କ୍ଷେତ୍ର ଏବଂ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ଓ ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସ୍ଥଳ କରିବା ପାଇଁ ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ତାହା ଉତ୍କଳମଣି ଗୋପବନ୍ଧୁଙ୍କ ୧୮.୭.୧୯୨୫ରେ ‘ସମାଜ’ରେ ପ୍ରକାଶିତ ଲେଖା ‘ଲିଙ୍ଗରାଜ ମନ୍ଦିର ମରାମତି’ (ଗୋପବନ୍ଧୁ ରଚନାବଳୀ, ଅଷ୍ଟମ ଖଣ୍ଡ, ପୃଷ୍ଠା ୨୩୭-୩୯)ରେ ଦର୍ଶାଯାଇଥିବା ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ଉତ୍କଳମଣି ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ଲେଖାରେ ୯୬ ବର୍ଷ ପୂର୍ବେ ଉଲ୍ଲେଖ କରିଥିଲେ ଯେ ‘‘ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ରକ୍ଷା କେବଳ ଧର୍ମ ଦୃଷ୍ଟିରେ ଯେ ପ୍ରୟୋଜନ, ତାହା ନୁହେଁ। ଭୁବନେଶ୍ୱର ମନ୍ଦିରରେ ଭାରତର ପ୍ରାଚୀନ ସଭ୍ୟତାର ଇତିହାସ ମୂର୍ତ୍ତିମନ୍ତ ହୋଇ ରହିଅଛି। ଭାରତୀୟ ଶିଳ୍ପ କଳାର ଗୌରବ ଓ ପରାକାଷ୍ଠା ପ୍ରକାଶ ପାଇଅଛି। ଏ ବିବେଚନାରେ ଭୁବନେଶ୍ୱର ମନ୍ଦିର ମାନବ ସଭ୍ୟତା ଇତିହାସର ଏକ ଅଙ୍ଗ। ଟ୍ଟ.କଥାକଥାକେ ଜାତୀୟତାର ବଡ଼ିମା ଦେଖାଇ ଆମ୍ଭେମାନେ ପୁରୀ, ଭୁବନେଶ୍ୱର, କୋଣାର୍କ କୀର୍ତ୍ତିର କଥା ଉଲ୍ଲେଖ କରିଥାଉଁ। ବାସ୍ତବିକ ଏହିସବୁ ଓଡ଼ିଆ ଜାତିର ମହତ୍ତ୍ବ ଓ ମେରୁଦଣ୍ଡ ରଖିଛି। ପୂର୍ବପୁରୁଷଙ୍କ ପ୍ରତି ଆମ୍ଭମାନଙ୍କର ଯଦି କିଛି କର୍ତ୍ତବ୍ୟ ଥାଏ ତାହାହେଲେ ଏହି ମନ୍ଦିର ଜୀ​‌େ​‌ର୍ଣ୍ଣାଦ୍ଧାର କାର୍ୟ୍ୟରେ ସହାୟତା କରି ଆମ୍ଭେମାନେ ତାହା ଅନେକ ପରିମାଣରେ ପାଳନ କରିପାରିବା।”

ଏକବିଂଶ ଶତାବ୍ଦୀରେ ଓଡିଶା ସରକାର ଉତ୍କଳମଣିଙ୍କ ଦୃଷ୍ଟିକୋଣ ଅନୁରୂପ ପଦକ୍ଷେପ ନେଇଛନ୍ତି ଓ ଏହି ପ୍ରକାର ପଦକ୍ଷେପ ମରାଠା ଏବଂ ବ୍ରିଟିଶ ଶାସନ ସମୟରେ ନିଆଯାଇନଥିଲା ଏବଂ ଭାରତ ସ୍ୱାଧୀନତା ପାଇବା ପରେ ଓଡ଼ିଶାରେ ଅନ୍ୟ କୌଣସି ସରକାର ମଧ୍ୟ ନେଇନଥିଲେ। ସେଥିପାଇଁ ପୁରୀ ଜଗନ୍ନାଥ ମନ୍ଦିରକୁ ବିଶ୍ୱ ଐତିହ୍ୟ ସ୍ଥଳ କରିବା ପାଇଁ ୩୫୦୦ କୋଟି ଓ ଲିଙ୍ଗରାଜ ମନ୍ଦିର ଓ ଏକାମ୍ର କ୍ଷେତ୍ର ବିକାଶ ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ କରିବାପାଇଁ ବ୍ୟବସ୍ଥା କରାଯାଇଛି। ଏହି ଦୁଇ ପ୍ରାଚୀନ ମନ୍ଦିରର ପାଚେରିଠାରୁ ୭୫ ମିଟର ଭିତରେ ଥିବା ଦୋକାନ ଓ ଘର କରି ରହିଥିବା ଅନେକ ଲୋକଙ୍କୁ ପ୍ରବର୍ତ୍ତାଇ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ଓ ସେମାନଙ୍କୁ କ୍ଷତିପୂରଣ ବାବଦରେ ଟଙ୍କା ମଧ୍ୟ ଦିଆଯାଇଛି। କୌଣସି ବଳ ପ୍ରୟୋଗ ନକରି ପରାମର୍ଶ ଓ ବୁଝାମଣା ମାଧ୍ୟମରେ ଲୋକଙ୍କୁ ସଂଶ୍ଳିଷ୍ଟ କରି, ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିରକୁ କେବଳ ଧର୍ମ ଦୃଷ୍ଟିରୁ ନ ଦେଖି ଏବଂ ଏକ ବୃହତ୍ତର ମାନବ ସଭ୍ୟତାର ଐତିହ୍ୟ ଭାବେ ଦେଖି ଏହାକୁ ବିଶ୍ୱ ଦରବାରରେ ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ମହାନ, ସୁନ୍ଦର ଓ ପ୍ରଶସ୍ତ ପୀଠ ଭାବେ ପ୍ରଥମ କରି ଉପସ୍ଥାପନ କରାଯାଉଛି।

ଓଡ଼ିଶା ସରକାର ଯାହା କଲେ ଓ କରିବା ପାଇଁ ଯାଉଛନ୍ତି ସେଥିରେ ମଧ୍ୟ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମନ୍ଦିର ଉପରେ ଦେଇଥିବା ଦୃଷ୍ଟିକୋଣ ପ୍ରତିଫଳିତ ହୋଇଛି। ଗାନ୍ଧିଜୀ ୬ ଫେବୃଆରୀ ୧୯୧୬ରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ତାଙ୍କ ଭାଷଣରେ କାଶୀ ବିଶ୍ୱନାଥ ମନ୍ଦିର ଉପରେ ଯେଉଁ ମନ୍ତବ୍ୟ ଦେଇଥିଲେ, ତାହା ଆମର ଅନେକ ମନ୍ଦିର ପାଇଁ ପ୍ରଯୁଜ୍ୟ। ସେ କାଶୀ ବିଶ୍ବନାଥ ମନ୍ଦିରର ଅତି ସଂକୀର୍ଣ୍ଣ ପରିସର, ଅପରିଷ୍କାର ଓ ଅପରିଚ୍ଛନ୍ନ ରାସ୍ତା ଓ ପରିବେଶ ଏବଂ ତା’ର ଚାରି ପାର୍ଶ୍ୱରେ ଖୋଲା ଜାଗାକୁ ସମ୍ପୂର୍ଣ୍ଣ ଭାବେ ଆବଦ୍ଧ କରି ତିଆରି କରାଯାଇଥିବା ଅନେକ ଘରକୁ ଦେଖି ବ୍ୟଥିତ ହୋଇ କହିଥିଲେ ଯେ ଯଦି ଜଣେ ଅପରିଚିତ ଲୋକ ଆକାଶରୁ ସେହି ମନ୍ଦିର ଉପରେ ଅବତରଣ କରିବ ଓ ହିନ୍ଦୁମାନେ ସେହି ମନ୍ଦିରରେ ଯାହା କରିଛନ୍ତି ଦେଖିବ ତେବେ ସେ ଆମକୁ ନିନ୍ଦା କରିବା ଯୁକ୍ତିଯୁକ୍ତ ହେବ। ସେ ଜଣେ ହିନ୍ଦୁ ଭାବେ ପ୍ରଶ୍ନ କରିଥିଲେ “ସେହି ମନ୍ଦିର ଓ ତା’ର ଚାରି ପଟର ଅବସ୍ଥା ଆମର ଚରିତ୍ରର ପ୍ରତିଫଳନ ନୁହେଁ କି? ସେ ଆହୁରି କହିଥିଲେ ଯେ ଯଦି ଆମର ମନ୍ଦିର ବିଶାଳତା ଓ ପରିଷ୍କାର ଏବଂ ପରିଚ୍ଛନ୍ନତାର ଆଦର୍ଶ ନ ହେବ ତେବେ ଆମର ନିଜସ୍ୱ ସରକାର କେମିତି ହେବ?”

ପୁରୀ ଜଗନ୍ନାଥ ମନ୍ଦିର, ଏକାମ୍ର କ୍ଷେତ୍ର ଓ ଲିଙ୍ଗରାଜ ମନ୍ଦିର ଓଡିଶା ସରକାରଙ୍କ ଯୁଗାନ୍ତକାରୀ ପ୍ରଚେଷ୍ଟାରେ ସେହି ମନ୍ଦିର ବାହାର ୭୫ ମିଟର ପରିସର ଥିବା ଦୋକାନ ଏବଂ ଘରକୁ ଅନ୍ୟତ୍ର ଉଠାଇ ଯେଉଁଭାବେ ତାର ବିଶାଳତା ଓ ସୌନ୍ଦର୍ୟ୍ୟ ଫେରିପାଇଛି ତାହା ଗାନ୍ଧିଜୀ ମନ୍ଦିର ଉପରେ ଦେଇଥିବା ମନ୍ତବ୍ୟକୁ ପ୍ରତିଫଳିତ କରୁଛି। ୧୯୨୫, ଯେଉଁ ବର୍ଷ ଉତ୍କଳମଣି ‘ଲିଙ୍ଗରାଜ ମନ୍ଦିର ମରାମତି’ ଲେଖାଟି ‘ସମାଜ’ରେ ଲେଖିଲେ, ମହାତ୍ମା ଗାନ୍ଧୀ ସେହି ବର୍ଷ ୨୨.୧୧.୨୫ରେ ‘ନବଜୀବନ’ରେ ‘ସାମାଜିକ ସହଯୋଗିତା’ ନାମକ ଲେଖାରେ ଲେଖିଥିଲେ ଯେ, ସମସ୍ତଙ୍କ ସହଯୋଗରେ ସହରର ସୌନ୍ଦର୍ୟ୍ୟକରଣ କରି ନାନା କୋଠା ଓ ଅନ୍ୟ ଘର ଅବରୋଧ କରୁଥିବା ମନ୍ଦିର ଓ ମସଜିଦମାନଙ୍କୁ ଲୋକମାନେ ଯେମିତି ସମ୍ପୂର୍ଣ୍ଣଭାବେ ଦେଖିପାରିବେ ତା’ର ବ୍ୟବସ୍ଥା କରିବା ଆବଶ୍ୟକ।

ବର୍ତ୍ତମାନ ପୁରୀ ଜଗନ୍ନାଥ ମନ୍ଦିର, ଏକାମ୍ର କ୍ଷେତ୍ର ଏବଂ ଲିଙ୍ଗରାଜ ମନ୍ଦିରର ଖୋଲା ଓ ପ୍ରଶସ୍ତ ପରିବେଶ ପୁନରୁଦ୍ଧାର ହୋଇଛି ଏବଂ ତାହାର ଦ୍ରୁତ ବିକାଶ କରିବା ପାଇଁ ପ୍ରଚେଷ୍ଟା ଚାଲିଛି। ​‌େ​‌ତବେ ୭ ଫେବୃଆରୀ ୨୦୨୧ରେ ଓଡ଼ିଶା ସରକାର ଓ ମନ୍ଦିର ପ୍ରଶାସନକୁ ପରାମର୍ଶ ନକରି ଜାତୀୟ ଐତିହ୍ୟ ପ୍ରାଧିକରଣ (ନେସନାଲ୍‌ ମନୁମେଣ୍ଟ ଅଥରିଟି ବା ଏନ୍‌ଏମ୍‌ଏ)ଚିଠା ଅଧିନିୟମ ବା ଡ୍ରାଫ୍ଟ ବାଇ ଲ’ ଜାରି କଲେ। ତାହାଦ୍ୱାରା ଦୁଇ ମନ୍ଦିରର ପାଚେରିଠାରୁ ୧୦୦ ମିଟର ମଧ୍ୟରେ କୌଣସି ନିର୍ମାଣ କାର୍ୟ୍ୟ କରାଯାଇ ପାରିବ ନାହିଁ। ମନ୍ଦିର ଚାରିପଟେ ୨୦୦ ମିଟର ପରିମିତ ଅଂଚଳକୁ ନିୟନ୍ତ୍ରିତ ଅଂଚଳ ଭାବେ ଘୋଷଣା କରାଯିବ ଏବଂ ଏହି ଅଂଚଳରେ ନିର୍ମାଣ ପାଇଁ ଏନଏମଏର ମଞ୍ଜୁରୀ ଆବଶ୍ୟକ।

ଏହି ଅଧିନିୟମ ପୁରୀ ଜଗନ୍ନାଥ ମନ୍ଦିରକୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ବିକାଶ କରିବାକୁ ବାଧା ଦେବ। ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ବର ମନ୍ଦିର ପାଇଁ ଏହି ଅଧିନିୟମ ଲାଗୁ ହେବ ଓ ସେହି ପରିଧି ମଧ୍ୟରେ ଲିଙ୍ଗରାଜ ମନ୍ଦିର ମଧ୍ୟ ଅନ୍ତର୍ଭୁକ୍ତ। ୮ ଫେବୃଆରୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଜଗନ୍ନାଥ ମନ୍ଦିରକୁ ଯାଇ ଲୋକଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିବା ପରେ ଘୋଷଣା କଲେ ଯେ କେହି ମଧ୍ୟ ଜଗନ୍ନାଥଙ୍କ କାମକୁ ବନ୍ଦ କରିପାରିବ ନାହିଁ ଓ ଦାବି କଲେ ଯେ ଅଧିନିୟମକୁ ପ୍ରତ୍ୟାହାର କରାଯାଉ। ଫଳରେ ଜଗନ୍ନାଥ ମନ୍ଦିର ପାଇଁ ହୋଇଥିବା ଅଧିନିୟମ ତୁରନ୍ତ ପ୍ରତ୍ୟାହାର ହେଲା; କିନ୍ତୁ ଆଶ୍ଚର୍ୟ୍ୟର କଥା ଯେ ମୁଖ୍ୟମନ୍ତ୍ରୀ ୧୩ ଫେବୃଆରୀରେ ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ବର ମନ୍ଦିର ପାଇଁ ହୋଇଥିବା ଅଧିନିୟମ ପ୍ରତ୍ୟାହାର କରିବା ପାଇଁ ଦୃଢ ଭାବେ ଦାବି କରିବା ସତ୍ତ୍ବେ ଭାରତ ସରକାର ଏହି ଲେଖା ଲେଖିବା ସୁଦ୍ଧା ଅଧିନିୟମ ପ୍ରତ୍ୟାହାର କରିନାହାନ୍ତି। ସବୁଠୁ ବିସ୍ମୟର କଥା ଯେ ଭୁବନେଶ୍ୱର ବିଜେପି ସାଂସଦ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଥିବା ଓଡ଼ିଶାର ଜଣେ ନେତା ମୁଖ୍ୟମନ୍ତ୍ରୀଙ୍କ ଦାବିକୁ ସମର୍ଥନ କରିନାହାନ୍ତି। ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ବର ମନ୍ଦିର ପାଇଁ ହୋଇଥିବା ଅଧିନିୟମକୁ ଭଲ ଭାବେ ମୁଖ୍ୟମନ୍ତ୍ରୀ ପଢନ୍ତୁ ଓ ବୁଝନ୍ତୁ ବୋଲି ଯୁକ୍ତି ଦିଆଗଲା। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଥିବା ଓଡ଼ିଶାର ଅନ୍ୟ ଜଣେ ନେତା କହିଛନ୍ତି ଯେ ଏକାମ୍ର କ୍ଷେତ୍ରର ଯେଉଁ ଦୁଇଟି ମନ୍ଦିର ପାଇଁ ଅଧିନିୟମ କରାଯାଇଛି, ତାହା ପ୍ରତ୍ୟାହାର ହୋଇଯିବ। ଏମିତି ଦୁଇପ୍ରକାରର ମତ ବିଭ୍ରାନ୍ତିକର ମନେହୁଏ। ସେବାୟତମାନେ ଓ ଓଡ଼ିଶାର କଂଗ୍ରେସ ନେତୃବର୍ଗ ଅଧିନିୟମ ପ୍ରତ୍ୟାହାର କରିବା ପାଇଁ ଦାବି କରୁଛନ୍ତି।

ଯଦି ଜଗନ୍ନାଥ ମନ୍ଦିର ପାଇଁ ଅଧିନିୟମ ପ୍ରତ୍ୟାହାର ହେଲା ତେବେ କେଉଁ କାରଣରୁ ଏକାମ୍ର କ୍ଷେତ୍ର ଓ ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ବର ମନ୍ଦିର ପାଇଁ ହୋଇଥିବା ଅଧିନିୟମ ପ୍ରତ୍ୟାହାର କରାଯାଉନାହିଁ? ଭୁବନେଶ୍ବର ସାଂସଦ ୧୫ ଫେବୃଆରୀରେ ଏହି ବିଷୟ ଉପରେ ସାମ୍ବାଦିକ ସମ୍ମିଳନୀ କଲେ। ସେ କିନ୍ତୁ କହିନଥିଲେ କାହିଁକି ଜଗନ୍ନାଥ ମନ୍ଦିର ଅଧିନିୟମ ପ୍ରତ୍ୟାହାର ଭଳି ବ୍ରହ୍ମେଶ୍ବର ଓ ଅନନ୍ତ ବାସୁଦେବ ମନ୍ଦିର ପାଇଁ ହୋଇଥିବା ଅଧିନିୟମ ପ୍ରତ୍ୟାହାର ହୋଇପାରିବ ନାହିଁ। ତାଙ୍କ ନିର୍ବାଚନ ମଣ୍ଡଳୀରେ ହଜାରହଜାର ଲୋକ ସେହି ଅଧିନିୟମକୁ ବିରୋଧ କରି ଏକାମ୍ର କ୍ଷେତ୍ରରେ ଦୀପଜାଳି ଆନ୍ଦୋଳନ କରିବାକୁ ଆଗେଇ ଆସିଲେଣି।

ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଦେଶସାରା ଚାନ୍ଦା ସଂଗ୍ରହ ହେଉଛି ଓ ରାଜସ୍ଥାନ ସରକାର କେନ୍ଦ୍ର ସରକାରଙ୍କୁ ବନ୍ୟ ଜୀବନ ଆଇନକୁ କୋହଳ କରି ସେହି ରାଜ୍ୟରେ ଗୋଲାପି ବାଲିପଥରକୁ ଖଣିରୁ ବାହାରକରି ରାମମନ୍ଦିରରେ ବ୍ୟବହାର ପାଇଁ ଅଗ୍ରାଧିକାର ଭିତ୍ତିରେ ଅନୁମତି ପ୍ରଦାନ ପାଇଁ ପ୍ରାର୍ଥନା କରିଛନ୍ତ। ଏହି ପରିପ୍ରେକ୍ଷୀରେ ଲିଙ୍ଗରାଜ ମନ୍ଦିର ଓ ଏକାମ୍ର କ୍ଷେତ୍ରକୁ ଓଡିଶା ସରକାରଙ୍କ ପ୍ରଚେଷ୍ଟାରେ ଐତିହ୍ୟ କ୍ଷେତ୍ର କରିବା ପଦକ୍ଷେପକୁ ସମର୍ଥନ ନକରିବା ଅର୍ଥ ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁଙ୍କ ଉପରୋକ୍ତ ଦୃଷ୍ଟିକୋଣର ବିରୋଧ କରିବା। ଉତ୍କଳମଣି ଗୋପବନ୍ଧୁ ତାଙ୍କର ୧୯୨୫ରେ ଲିଖିତ ‘ଲିଙ୍ଗରାଜ ମନ୍ଦିର ମରାମତି’ ଲେଖାରେ ପୁରୀର ଜଗନ୍ନାଥ ମନ୍ଦିର ଓ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରକୁ ମାନବ ସଭ୍ୟତା ଇତିହାସର ଏକ ଅଙ୍ଗ ବୋଲି ଦର୍ଶାଇଥିଲେ। ସେ ଏକଥା ମଧ୍ୟ ଲେଖିଥିଲେ ଯେ ସେହି ସମୟର ବ୍ରିଟିଶ ସରକାର ଲିଙ୍ଗରାଜ ମନ୍ଦିର ସଂସ୍କାର ପାଇଁ ତତ୍ପର ଥିଲେ ଓ ସେଇଥିପାଇଁ ଉତ୍କଳମଣି ସାଧାରଣ ଲୋକ ଉତ୍ସାହିତ ହୋଇ ସେହି କାର୍ୟ୍ୟରେ ଯୋଗ ଦେବାପାଇଁ ଅନୁରୋଧ କରିଥିଲେ। ୨୦୨୧ରେ କେନ୍ଦ୍ର ସରକାର ଜଗନ୍ନାଥ ମନ୍ଦିର ପାଇଁ ଯେମିତି ଅଧିନିୟମ ପ୍ରତ୍ୟାହାର କଲେ, ସେମିତି ଲିଙ୍ଗରାଜ ମନ୍ଦିର ପାଇଁ ପ୍ରତ୍ୟାହାର କରି ଉତ୍କଳମଣି ଗୋପବନ୍ଧୁ ଓ ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନ ଓ ଓଡିଶା ସରକାରଙ୍କ ପଦକ୍ଷେପକୁ କାର୍ୟ୍ୟରେ ପରିଣତ କରିବା ପାଇଁ ସକାରାତ୍ମକ ଦୃଷ୍ଟିକୋଣ ରଖିବା ଅପରିହାର୍ୟ୍ୟ ମନେହୁଏ। ପ୍ରତି ଓଡ଼ିଆ ଓ ଭାରତୀୟ ନାଗରିକର ଏହା ଗୁରୁଦାୟିତ୍ବ ଓ ତଦନୁସାରେ କର୍ତ୍ତବ୍ୟ ନିର୍ବାହ କଲେ ଆମେ କେବଳ ଓଡ଼ିଶା ବା ଭାରତର ନୁହେଁ; ସମଗ୍ର ମାନବ ସଭ୍ୟତା ଇତିହାସର ଐତିହ୍ୟକୁ ଯୁଗଯୁଗ ପାଇଁ ସଂରକ୍ଷିତ କରି ଏକ ଉନ୍ନତ ମାନଦଣ୍ଡ ବିଶ୍ୱ ଦରବାରରେ ପ୍ରତିଷ୍ଠା କରିପାରିବା।

Comments
Loading...