କୃଷି ଆଇନ, ଏମ୍‌ଏସ୍‌ପି ଓ କୃଷି ଅର୍ଥନୀତି

- ଦିବାକର ନାୟକ, ପୂର୍ବତନ ଡିନ୍‌, ଓୟୁଏଟି, ଭୁବନେଶ୍ବର

କୃଷିଜାତ ଦ୍ରବ୍ୟଗୁଡ଼ିକ ପାଇଁ ଉପଯୁକ୍ତ ବଜାର ଯୋଗାଇବା ସହିତ କୃଷକମାନଙ୍କର ଆୟବୃଦ୍ଧି ପାଇଁ ଭାରତ ସରକାର କୃଷି ସମ୍ବନ୍ଧୀୟ ତିନିଟି ଗୁରୁତ୍ବପୂର୍ଣ୍ଣ ଆଇନ ଆଣିଛନ୍ତି। କେତେକ କୃଷି ସଂଗଠନ ମୁଖ୍ୟତଃ କୃଷିରେ ଅଧିକ ଉନ୍ନତି କରିଥିବା ରାଜ୍ୟ ତଥା ପଞ୍ଜାବ ଓ ହରିଆଣାର ଚାଷୀମାନେ ଏହିସବୁ ଆଇନକୁ ବିରୋଧ କରିବା ସହିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ ଅନ୍ତର୍ଭୁକ୍ତ କରିବାପାଇଁ ଦୁଇମାସ ହେବ ଆନ୍ଦୋଳନ କରୁଛନ୍ତି। ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ଜାରି ରହିଛି। ଯଦିଚ ସରକାର ବିଲ୍‌ର କେତେକ ଅଂଶକୁ ପରିବର୍ତ୍ତନ ପାଇଁ ରାଜି ହେଉଛନ୍ତି, କୃଷକ ସଂଗଠନ ସଂପୂର୍ଣ୍ଣ ବିଲ୍‌କୁ ପ୍ରତ୍ୟାହାର କରିବା ପାଇଁ ଜିଦ୍‌ ଧରି ବସିଛନ୍ତି। ଶେଷରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ହସ୍ତକ୍ଷେପ କରି ତିନିଟି ବିଲ୍‌କୁ ସାମୟିକ ସ୍ଥଗିତ ରଖିବାକୁ ନିର୍ଦେଶ ଦେବା ସହିତ, ଏକ ଚାରିଜଣିଆ କମିଟି ଗଠନ କରିଛନ୍ତି, ଯେଉଁଥିରେ କି ଦୁଇଜଣ ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ ଅଛନ୍ତି। କମିଟି ଗଠନର ଦୁଇଦିନ ପରେ କମିଟିରୁ ଜଣେ କୃଷକ ନେତା ଓହରିଯାଇଛନ୍ତି। ଏହି ସବୁକୁ ଦୃଷ୍ଟିରେ ରଖି ଏହି ଲେଖା ମାଧ୍ୟମରେ ଆମେ ଆଲୋଚନା କରିବା ଯେ ସୁସ୍ଥ କୃଷି ଅର୍ଥନୀତି ପାଇଁ ଏହି ଆଇନଗୁଡ଼ିକର ଆବଶ୍ୟକତା ସହିତ କୃଷି ଓ କୃଷକଙ୍କ ଅର୍ଥନୀତି ଉପରେ ଏହା କିପରି ପ୍ରଭାବ ପକାଇବ। ଏହା ସହିତ କୃଷକମାନେ ଦାବି କରୁଥିବା ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଆଇନ ଅନ୍ତର୍ଭୁକ୍ତ ପ୍ରସଙ୍ଗ ମଧ୍ୟ ଆଲୋଚନା କରାଯିବ।

ପ୍ରଥମତଃ, କୃଷି ସମ୍ବନ୍ଧୀୟ ତିନିଟି ଆଇନ ଆଣିବା ପଛରେ ଅର୍ଥନୈତିକ ଯୁକ୍ତି କ’ଣ? ବିଗତ ବର୍ଷଗୁଡ଼ିକରେ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଉପଯୁକ୍ତ କୃଷି ଜ୍ଞାନକୌଶଳ ସହିତ ଉନ୍ନତ ମାନର ବିହନ, ନୂଆନୂଆ କିସମର ଅଧିକ ଉତ୍ପାଦନକ୍ଷମ ଫସଲ, ରାସାୟନିକ ସାର ଓ ରୋଗ ପୋକ ନିରାକରଣ ପାଇଁ ଭିନ୍ନଭିନ୍ନ ରାସାୟନିକ ଔଷଧର ବ୍ୟବହାର ଓ ଜଳସେଚିତ ଅଞ୍ଚଳ ବୃଦ୍ଧି କରି ହେକ୍ଟର ପ୍ରତି କୃଷି ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଇଛି। କୃଷକମାନଙ୍କୁ କୃଷିରେ ଉତ୍ସାହିତ କରିବାପାଇଁ ଭିନ୍ନଭିନ୍ନ ରିଆତି ଦିଆଯାଇଛି। ସେଗୁଡ଼ିକ ମଧ୍ୟରେ କେତେକ ମୁଖ୍ୟ ଫସଲ ପାଇଁ ପ୍ରତିବର୍ଷ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ସହିତ କୃଷି ଉତ୍ପାଦନ ପାଇଁ ବ୍ୟବହୃତ ହେଉଥିବା ଉପାଦାନ ଅର୍ଥାତ ସାର, ବିହନ, ଜଳସେଚନ ଓ କୃଷି ଯନ୍ତ୍ରପାତି ପାଇଁ ରିଆତି ଦିଆଯାଉଛି। କୃଷିର ବିକାଶ ପାଇଁ ବହୁତ ପ୍ରଡକ୍ଟିଭ୍‌ ଆସେଟ୍‌ ତିଆରି ହୋଇଛି, ସେଗୁଡ଼ିକ ମଧ୍ୟରେ ଜଳଭଣ୍ଡାର ସୃଷ୍ଟି କରି ଜଳସେଚନ ବ୍ୟବସ୍ଥା, କୃଷି ଗବେଷଣା ଓ କୃଷି ବିଜ୍ଞାନୀ ସୃଷ୍ଟି ପାଇଁ ଭାରତୀୟ କୃଷି ଗବେଷଣା ପରିଷଦ, କୃଷି ବିଶ୍ବବିଦ୍ୟାଳୟ ଭିନ୍ନଭିନ୍ନ ଫସଲ ଓ ଜଳବାୟୁ ପାଇଁ ଜାତୀୟ ଓ ଆଞ୍ଚଳିକ ସ୍ତରରେ ଗବେଷଣା କେନ୍ଦ୍ର ଓ କୃଷି ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଏହାର ପ୍ରଭାବରେ, ୧୯୬୫ ମସିହାରେ ଆମେ ଯେଉଁ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରୁଥିଲୁ, ତାହା ୨୦୧୫ ମସିହା ବେଳକୁ ୩.୭ ଗୁଣ ବୃଦ୍ଧି ହୋଇଛି। ଆଜିର ଦିନରେ ଆମେ ତିନିଶହ ବିଲିୟନ ଟନ୍‌ରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ କରିପାରିଛୁ। ଦେଶ ଖାଦ୍ୟଶସ୍ୟ ଉତ୍ପାଦନରେ ଆତ୍ମ ନିର୍ଭରଶୀଳ ହେବା ସହିତ ବିଶ୍ବବଜାରରେ ଏକ ଖାଦ୍ୟଶସ୍ୟ ରପ୍ତାନିକାରୀ ରାଷ୍ଟ୍ର ରୂପେ ଚିହ୍ନିତ ହୋଇପାରିଛି।

ଏତେ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ସତ୍ତ୍ବେ କେତେକ ରାଜ୍ୟର ଏକ ତୃତୀୟାଂଶରୁ ଅଧିକ କୃଷକ ପରିବାର ଦାରିଦ୍ର୍ୟରେଖା ତଳେ ରହିଛନ୍ତି। ଉଦାହରଣ ସ୍ବରୂପ ୨୦୧୧-୧୨ ମସିହାର ଜାତୀୟ ନମୁନା ନିରୀକ୍ଷଣ (ନାସ୍‌ନାଲ ସାମ୍ପୁଲ ସର୍ଭେ) ସୂଚନା ଅନୁଯାୟୀ ଝାଡ଼ଖଣ୍ଡରେ ଶତକଡ଼ା ୪୫.୩ ହାର କୃଷକ ପରିବାର ଗରିବ ରେଖା ତଳେ ଥିବାବେଳେ, ଓଡ଼ିଶା, ବିହାର, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗରେ ଏହି ହାର ଯଥାକ୍ରମେ ଶତକଡ଼ା ୩୨.୧୦ ହାର, ଶତକଡ଼ା ୨୮.୪୦ ହାର, ଶତକଡ଼ା ୨୬.୫ହାର ଓ ଶତକଡ଼ା ୧୪.୦୭ ହାର। ପଞ୍ଜାବରେ ସେହି ସମୟରେ ଏହା ମାତ୍ର ଶତକଡ଼ା ୦.୫ ହାର ଥିଲା। ଏହା ସୂଚାଇ ଦିଏ ଯେ ପଞ୍ଜାବ ଓ ହରିଆଣାର ଚାଷୀମାନେ ଅନ୍ୟ ରାଜ୍ୟଗୁଡ଼ିକ ଚାଷୀମାନଙ୍କ ତୁଳନାରେ ବିଗତ ବର୍ଷଗୁଡ଼ିକର କୃଷି ବିକାଶ କାର୍ୟ୍ୟକ୍ରମରୁ ନିଶ୍ଚିତ ଅଧିକ ସୁବିଧା ପାଇଛନ୍ତି। ୧୯୮୦ ମସିହାର ପ୍ରଥମ ଭାଗରେ ଦେଶର ହାରାହାରି ମୁଣ୍ଡପିଛା କୃଷକଙ୍କ ଆୟ ଅଣକୃଷିରେ କାର୍ୟ୍ୟ କରୁଥିବା ଜଣେ ଶ୍ରମିକର ଆୟର ଶତକଡ଼ା ୩୪ ଭାଗ ଥିଲା। ୧୯୯୩-୯୪ ମସିହା ବେଳକୁ ଏହି ଆନୁପାତିକ ଆୟ ଶତକଡ଼ା ୨୫ ଭାଗକୁ କମିଲା। ୨୦୧୨-୧୩ ମସିହା ପରେ ପରେ ଏହି ଆନୁପାତିକ ଆୟ କମିବାକୁ ଲାଗିଲା। ସାରା ଦେଶରେ କୃଷକ ଆତ୍ମହତ୍ୟା ବଢ଼ିଲା। ବହୁତ ଲୋକ କୃଷିରୁ ମୁହଁ ବୁଲାଇବାକୁ ଲାଗିଲେ। ବହୁତ ଚାଷଜମି ଚାଷ ନହୋଇ ପଡ଼ି ରହିଲା। ଏ ସବୁକୁ ଦୃଷ୍ଟିରେ ରଖି କୃଷକଙ୍କ ଆୟ ବୃଦ୍ଧି ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଯାଇ କେବଳ ଫାମ୍‌ ଗେଟ ଇନ୍‌ଫ୍ରାଷ୍ଟ୍ରକଚର୍‌ ସୃଷ୍ଟିପାଇଁ ଏକ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହେଲା। ଅଧିକ ମତ୍ସ୍ୟ, କ୍ଷୀର ଉତ୍ପାଦନ ଓ ଏହାର ପ୍ରକ୍ରିୟାକରଣ ଓ ବଜାର ବ୍ୟବସ୍ଥା ପାଇଁ ଅତିରିକ୍ତ ବ୍ୟୟବରାଦ କରାଗଲା। ଏସବୁକୁ ଦୃଷ୍ଟିରେ ରଖି କୃଷକମାନଙ୍କର ଆୟ ବୃଦ୍ଧିପାଇଁ ବିଭିନ୍ନ ପଦକ୍ଷେପ ସହିତ ଏହି ତିନିଟି କୃଷି ଆଇନ୍‌ କାର୍ୟ୍ୟକାରୀ ହୋଇଛି ବୋଲି କୁହାଯାଉଛି।

କୃଷକମାନେ ସ୍ଥାନୀୟ କୃଷିଜାତ ଦ୍ରବ୍ୟ ବଜାରକମିଟି ବାହାରେ ଅଧିକ ମୂଲ୍ୟ ଦେଉଥିବା ବ୍ୟକ୍ତି କିମ୍ବା କୌଣସି ସଂସ୍ଥାକୁ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟ ବିକ୍ରି କରି ପାରିବେ। ବର୍ତ୍ତମାନର ସ୍ଥିତିରେ ଥିବା ଅନାବଶ୍ୟକ ଦଲାଲ (ଯେଉଁମାନେ ମୂଲ୍ୟ ବୃଦ୍ଧିରେ ସହାୟକ ନୁହନ୍ତି)ମାନଙ୍କର ପ୍ରଭାବ କମିବ। କୃଷିଜାତ ଦ୍ରବ୍ୟର ବ୍ୟାବସାୟିକ ବାଟରେ ଯେଉଁମାନେ ଶୀତଳ ଭଣ୍ଡାର ପ୍ରତିଷ୍ଠା ସହିତ ଗୋଦାମଘର, ପ୍ରକ୍ରିୟାକରଣ, କୋଲ୍‌ଡ ଚେନ୍‌ ଓ ଭ୍ୟାଲୁ ଚେନ୍‌ ପ୍ରତିଷ୍ଠାକରି ଚାଷୀଙ୍କୁ ଠିକ୍‌ ମୂଲ୍ୟ ଦେଇପାରିବେ, ସେମାନଙ୍କର ପ୍ରବେଶ ବଢ଼ିବ। ଚୁକ୍ତି ଭିତ୍ତିକ ଚାଷ ପଦ୍ଧତି ଦ୍ବାରା ଚାଷ ଆରମ୍ଭରୁ ଉତ୍ପାଦନ ହେବାକୁ ଥିବା ଦ୍ରବ୍ୟର ମୂଲ୍ୟ ଦର୍ଶାଇ ଦିଆଯିବ। ବେସରକାରୀ ସ୍ତରକୁ ଅଧିକ ଅର୍ଥ ଗ୍ରାମାଞ୍ଚଳରେ ନିବେଶ କରିବ। ଫସଲ ପ୍ରକ୍ରିୟାରେ ନୂଆନୂଆ ଅର୍ଥକରୀ ଫସଲ ପ୍ରବେଶ କରିବ।

ବହୁ ସମୟରେ ଏମଏସପିକୁ ଆଇନରେ ଅନ୍ତର୍ଭୁକ୍ତ କରିବାପାଇଁ ଯୁକ୍ତି ବଢ଼ାଯାଉଛି। ଏହାକୁ ଆଲୋଚନା କରିବା ସମୟରେ ଏମଏସପି କିପରି ନିର୍ଦ୍ଧାରଣ ହୁଏ ଓ ଏହାର ଅର୍ଥନୀତି ଉପରେ କିପରି ପ୍ରଭାବ ପଡ଼େ ସେ ସବୁକୁ ବିଚାରକୁ ନେବା ଉଚିତ। ସତ କହିବାକୁ ଗଲେ, ଏମଏସପି ନିର୍ଦ୍ଧାରଣ ସମୟରେ ଯଦିଓ ନିର୍ଦିଷ୍ଟ ଫସଲର ଉତ୍ପାଦନ ଖର୍ଚ୍ଚକୁ ପ୍ରାଧାନ୍ୟ ଦିଆଯାଇଥାଏ, ଏହାର ଉତ୍ପାଦନ ଓ ନିଜ ଦେଶର ଚାହିଦାର ପରିମାଣ, ନିଜ ଦେଶ ଭିତରେ ଏବଂ ଆନ୍ତର୍ଜାତିକ ବଜାର ମୂଲ୍ୟ ଓ ଏହାର ଆମଦାନୀ ଓ ରପ୍ତାନି ପରିମାଣକୁ ବିଚାରକୁ ନିଆଯାଇଥାଏ। ଏମ୍‌ଏସପିକୁ ଆଇନ ପରିସରଭୁକ୍ତ କରିବା ପୂର୍ବରୁ ଏସବୁକୁ ଲକ୍ଷ୍ୟ କରିବା ଉଚିତ। ଆମେ ବହୁତ ସମୟରେ ଏମଏସପିକୁ ବିଶେଷଜ୍ଞଙ୍କ ଅନୁମୋଦନଠାରୁ ଅତ୍ୟଧିକ ବୃଦ୍ଧି ପାଇଁ ପ୍ରସ୍ତାବ ଦେଉ, ଯାହାକି ଅର୍ଥନୀତିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ ନାହିଁ, ବରଂ ଉତ୍ପାଦନ ବୃଦ୍ଧି ସହିତ ଉତ୍ପାଦନ ଖର୍ଚ୍ଚ କମାଇବା ପାଇଁ ଅଧିକ ଦୃଷ୍ଟିଦେଲେ ଅର୍ଥନୀତି ସୁସ୍ଥ ହେବା ସହିତ କୃଷକମାନଙ୍କର ଆୟ ବଢ଼ାଇବାରେ ସହାୟକ ହେବ ଏବଂ କୃଷିଜାତ ଦ୍ରବ୍ୟର ଅଧିକ ରପ୍ତାନି ହେବ। ଏଠାରେ ସୂଚାଇ ଦେବା ଆବଶ୍ୟକ ଯେ ୨୦୦୪-୦୫ ମସିହାରୁ ୨୦୧୩-୧୪ ମସିହା ମଧ୍ୟରେ ସବୁ ଫସଲର ହାରାହାରି ସର୍ବନିମ୍ନ ସହାୟକ ମୂଲ୍ୟ ବାର୍ଷିକ ଶତକଡ଼ା ନଅ ହାର ବଢ଼ିଥିବାବେଳେ ସେହି ସମୟରେ ଖାଦ୍ୟଶସ୍ୟର ମୁଦ୍ରାସ୍ଫୀତି ଶତକଡ଼ା ଆଠ ହାରରେ ବଢ଼ିବା ଯୋଗୁଁ ଏମଏସପି କୃଷକଙ୍କ ଆୟ ବଢ଼ାଇବାରେ ବି​‌େ​‌ଶଷ ସହାୟକ ହେଉନାହିଁ; ବରଂ ୨୦୧୪-୧୫ ମସିହାରୁ ୨୦୨୦-୨୧ ମସିହା ମଧ୍ୟରେ ଯଦିଓ ଏମଏସପି ସବୁ ଫସଲର ହାରାହାରି ଶତକଡ଼ା ଆଠ ହାର ବଢ଼ିଛି, ଖାଦ୍ୟ ମୁଦ୍ରାସ୍ଫୀତି ଏହି ସମୟରେ ଶତକଡ଼ା ଚାରି ହାରରେ ସୀମିତ ରହିବା ଯୋଗୁଁ ଏମଏସପି କୃଷକଙ୍କ ଆୟ ବଢ଼ାଇବାରେ ବିଶେଷ ସହାୟକ ହୋଇଛି।

Comments are closed.