ଗାନ୍ଧିଜୀଙ୍କ ଜୀବନର ସେଇ ଭୟଙ୍କର ଦିନଗୁଡ଼ିକ…

- ପ୍ରଦୋ​‌ଷ ପଟ୍ଟନାୟକ

ସତ୍ୟ, ଅହିଂସା ଓ ସହନଶୀଳତାର ଆଜୀବନ ପୂଜାରୀ, ସ୍ବଦେଶୀ-ସ୍ବାଭିମାନ ଓ ସ୍ବାବଲମ୍ବନଶୀଳତା ମନ୍ତ୍ରର ଉଦ୍‌ଗାତା, ଧୈର୍ୟ୍ୟ, ସାହସ ଓ ମାନବିକ ମୂଲ୍ୟବୋଧର ମୂର୍ତ୍ତିମନ୍ତ ପ୍ରତୀକ, ବିଶ୍ବବନ୍ଦ୍ୟ ବ୍ୟକ୍ତିତ୍ବ ଜାତିର ଜନକ ମହାତ୍ମା ଗାନ୍ଧୀ ୧୯୪୮ ଜାନୁଆରୀ ୩୦ ତାରିଖ ସନ୍ଧ୍ୟାରେ ଦିଲ୍ଲୀ ବିରଳା ଭବନ ଠାରେ ଆତତାୟୀର ଗୁଳିବିଦ୍ଧ ହୋଇ ​‌େ​‌ଶଷ ନିଶ୍ବାସ ତ୍ୟାଗ କରିଥିଲେ। ଭାରତର ସ୍ବାଧୀନତା ପ୍ରାପ୍ତି ପରେ ମାତ୍ର ୫ ମାସ ୧୫ଦିନ ବଞ୍ଚି ରହିଥିଲେ ଗାନ୍ଧିଜୀ; ମାତ୍ର ଏହି ସମୟ ଥିଲା ତାଙ୍କ ପାଇଁ ଅତ୍ୟନ୍ତ ବେଦନାଦାୟକ ଓ ଯନ୍ତ୍ରଣା ଜର୍ଜରିତ। ହତାଶା, ନୈରାଶ୍ୟ ଓ ମନସ୍ତାପ ମଧ୍ୟରେ ସେ ସମୟ ବିତାଉଥିଲେ। ଭାରତର ବିଭାଜନ ତାଙ୍କୁ ଯେତିକି ଆଘାତ ଦେଇଥିଲା, ସେହି ସମୟରେ ଦେଶର ବିଭିନ୍ନ ସ୍ଥାନରେ ସଂଘଟିଏ ସାଂପ୍ରଦାୟିକ ଦଙ୍ଗା ତା’ଠାରୁ ଅଧିକ ମ୍ରିୟମାଣ କରିଥିଲା। ଭ୍ରାନ୍ତ ବିଚାରଧାରାର ବଶବର୍ତ୍ତୀ କିଛି ହିନ୍ଦୁ ମୌଳବାଦୀ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିବାପାଇଁ ବହୁଦିନରୁ ଷଡ଼ଯନ୍ତ୍ରର ଜାଲ ବିଛାଇଥିବାବେଳେ ଜୀବନର ଅନ୍ତିମ ଦଶଦିନରେ ଏହାକୁ ଅଧିକ ଭୟଙ୍କର ରୂପ ଦେଇଥିଲେ। ଭାରତର ବିଭାଜନ ଏବଂ ସ୍ବତନ୍ତ୍ର ଦେଶ ରୂପେ ପାକିସ୍ତାନର ସୃଷ୍ଟି ନିମନ୍ତେ ସେମାନେ ଗାନ୍ଧିଜୀଙ୍କୁ ଦୋଷୀରୂପେ ବିବେଚନା କରୁଥିଲେ, ଯାହାର କୌଣସି ସତ୍ୟତା ନଥିଲା।

ଐତିହାସିକ ତଥ୍ୟ ଅନୁଯାୟୀ ଗାନ୍ଧିଜୀ କୌଣସି ପରିସ୍ଥିତିରେ ଭାରତର ବିଭାଜନ ପ୍ରସ୍ତାବକୁ ଗ୍ରହଣ କରି ନଥିଲେ ଏବଂ ଇଂରେଜ ସରକାର ଦୁଇ ସଂପ୍ରଦାୟ ମଧ୍ୟରେ ବିଭେଦର ମଞ୍ଜି ପୋତିବାପାଇଁ ଏହି ପ୍ରସ୍ତାବ ରଖୁଛନ୍ତି ବୋଲି ତାଙ୍କର ହୃଦ୍‌ବୋଧ ହୋଇଥିଲା। ସେଥିପାଇଁ ସେ କ୍ଷୋଭର ସହ କହିଥିଲେ- ‘ଇଂରେଜମାନେ ମୁସଲିମ୍‌ନେତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ପ୍ରଧାନମନ୍ତ୍ରୀ କରି ଚାଲିଯାଆନ୍ତୁ ପଛେ; କିନ୍ତୁ ଭାରତ ଭାଗଭାଗ ନହେଉ।’ ମାତ୍ର କଂଗ୍ରେସ ଦଳର ଦୁଇ ତୁଙ୍ଗନେତା ଜବାହରଲାଲ ନେହେରୁ ଏବଂ ବଲ୍ଲଭଭାଇ ପଟେଲ୍‌ ଏହି ପ୍ରସଙ୍ଗରେ ମହାତ୍ମାଙ୍କ ମତକୁ ଆଦୌ ଗୁରୁତ୍ବ ଦେଇ ନଥିଲେ। ସେମାନେ ବାଧ୍ୟବାଧକତା​‌େ​‌ର ଇଂରେଜ ବଡ଼ଲାଟ୍‌ ମାଉଣ୍ଟ ବ୍ୟାଟେନଙ୍କ ସହ ଆଲୋଚନା ପରେ ବିଭାଜନ ପ୍ରସ୍ତାବରେ ସମ୍ମତି ପ୍ରଦାନ କରିଥିଲେ। ଭାରତର ବିଭାଜନ ଓ ସ୍ବତନ୍ତ୍ର ପାକିସ୍ତାନ ଗଠନ ନେଇ ଚୂଡ଼ାନ୍ତା ନିଷ୍ପତ୍ତି ନିଆଯିବା ପରେ ହିଁ ଗାନ୍ଧିଜୀଙ୍କୁ ଏହା ଜଣାଇ ଦିଆଯାଇଥିଲା। ବିଭାଜନକୁ ବିରୋଧ କରୁଥିବା ଗାନ୍ଧିଜୀ ବହୁବାର ଅଭିମାନଭରା କଣ୍ଠରେ କହୁଥିଲେ, ପାକିସ୍ତାନ ମୋ ମୃତଦେହ ଉପରେ ସ୍ଥାପିତ ହେଲେ ହେଉ। ମହାତ୍ମାଙ୍କ ବିରୋଧରେ ହିନ୍ଦୁ ମୌଳବାଦୀମାନଙ୍କର ଦ୍ବିତୀୟ ଅଭିଯୋଗଟି ଥିଲା- ସ୍ବାଧୀନତା ପ୍ରାପ୍ତି ଏବଂ ଦେଶ ବିଭାଜନ ପରେ ଭାରତ ସରକାର ସର୍ତ୍ତ ମୁତାବକ ପାକିସ୍ତାନକୁ ୫୫କୋଟି ଟଙ୍କା ଦେବାପାଇଁ ଚାପ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଅନଶନ କରିଥିଲେ। ମାତ୍ର ଏହି ଅଭିଯୋଗର ମଧ୍ୟ କୌଣସି ସତ୍ୟତା ନଥିଲା।

ପ୍ରକୃତ କଥା ହେଉଛି, ଭାରତର ସ୍ବାଧୀନତା ପ୍ରାପ୍ତି ସମୟରେ ଇଂରେଜ ସରକାର ଉଭୟ ଦେଶକୁ ନିଜ ପାଖରେ ବଳିଥିବା ୧୬୩୨ କୋଟି ଟଙ୍କା ଫେରାଇ ଦେଇଥିଲେ। ଏହି ଅର୍ଥରୁ ପାକିସ୍ତାନର ଭାଗ ପଡ଼ିଥିଲା ୭୫କୋଟି ଟଙ୍କା ଏବଂ ସେଥି ମଧ୍ୟରୁ ୨୦କୋଟି ତୁରନ୍ତ ତାକୁ ମିଳି ସାରିଥିଲା। ଅବଶିଷ୍ଟ ୫୫ କୋଟି ଟଙ୍କା ପାକିସ୍ତାନର ପ୍ରାପ୍ୟ ରହିଥିଲା। ମାତ୍ର ୧୯୪୭ ଅକ୍ଟୋବର ମାସରେ ପାକିସ୍ତାନ କାଶ୍ମୀର ଉପରେ ଅଚାନକ ଆକ୍ରମଣ କରିବାରୁ ଭାରତ ସରକାର ତାହାକୁ ଅଟକାଇ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ପାକିସ୍ତାନକୁ ଅବଶିଷ୍ଟ ପ୍ରାପ୍ୟ ୫୫ କୋଟି ଫେରାଇବାକୁ ସରକାର ସ୍ଥିର କରିଥିଲେ ଏବଂ ଗାନ୍ଧିଜୀ ସେହି ନିଷ୍ପତ୍ତିକୁ ସ୍ବାଗତ ଜଣାଇଥିଲେ। ହିନ୍ଦୁ-ମୁସଲିମ୍‌ଙ୍କ ମଧ୍ୟରେ ସଦ୍‌ଭାବ ସ୍ଥାପନ ହିଁ ମହାତ୍ମାଙ୍କ ଅନଶନର ମୂଳ ଉଦ୍ଦେଶ୍ୟ ଥିଲା ଏବଂ ସେଥିପାଇଁ କେବଳ ଥରେ ନୁହେଁ, ୧୯୪୬ରୁ ୧୯୪୮ ମସିହା ମଧ୍ୟରେ ବହୁବାର ଅନଶନ କରିଥିଲେ। ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସଦ୍‌ଭାବନା ଓ ଭାଇଚାରା ରହିଲେ, ଦେଶ ବିଭାଜନକୁ ଏଡ଼ାଇ ଦେଇହେବ ବୋଲି ସେ ଉପଲବ୍ଧି କରିଥିଲେ। ମୁସଲମାନମାନଙ୍କୁ ଘୃଣା ନକରି ଆନ୍ତରିକତା ସହକାରେ ଭଲ ପାଇଲେ, ସେମାନଙ୍କ ମନରୁ ପରଆପଣା ଭାବନା ଦୂର ହେବ ବୋଲି ତାଙ୍କର ଧାରଣା ଜନ୍ମିଥିଲା। କେବଳ ଏହି ଉଦାରବାଦୀ ଚିନ୍ତାଧାରା ଯୋଗୁଁ ହିଁ ସେ ମୌଳବାଦୀ ହିନ୍ଦୁଙ୍କ କୋପଦୃଷ୍ଟିରେ ପଡ଼ିଥିଲେ ଏବଂ ତାଙ୍କୁ ହତ୍ୟା କରିବା ପାଇଁ ବିରାଟ ଷଡ଼ଯନ୍ତ୍ରର ଚକ୍ରବ୍ୟୂହ ରଚନା କରାଯାଇଥିଲା।

ଜୀବନବ୍ୟାପୀ ସତ୍ୟ ଅହିଂସା ଓ ସହନଶୀଳତାର ମନ୍ତ୍ର ଉଚ୍ଚାରଣ କରିଥିବା ବାପୁଜୀଙ୍କୁ ହିଂସାତ୍ମକ ପନ୍ଥାର ଆଶ୍ରୟ ନେଇ ଜୀବନରେ ମାରିଦେବାକୁ ସମୁଦାୟ ଛ’ଥର ଉଦ୍ୟମ ହୋଇଥିଲା। ଶେଷ ଉଦ୍ୟମରେ ସଫଳ ହୋଇ ଫାଶୀଖୁଣ୍ଟରେ ଝୁଲିଥିବା ଆତତାୟୀ ନାଥୁରାମ୍‌ ଗଡ୍‌ସେ ତିନିଟି ଷଡ଼ଯନ୍ତ୍ର ସହିତ ନିବିଡ଼ ଭାବରେ ସଂପୃକ୍ତ ଥିଲା। ପ୍ରଥମଥର ୧୯୩୪ ମସିହାରେ ପୁନେ ନଗର ପାଳିକା ଦ୍ବାରା ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବକୁ ଯିବା ସମୟରେ ଗାନ୍ଧିଜୀଙ୍କ ଉପରକୁ ବୋମା ଫିଙ୍ଗା ଯାଇଥିଲା। ମାତ୍ର ଭୁଲବଶତଃ ବୋମାଟି ଆଗରେ ଯାଉଥିବା ଅନ୍ୟ ଏକ ଗାଡ଼ି ଉପରେ ପଡ଼ିଥିଲା।

ଏହି ଘଟଣାରେ ନଗରପାଳିକାର ମୁଖ୍ୟ ଅଧିକାରୀ ଓ ଦୁଇ ପୁଲିସ ସମେତ ମୋଟ୍‌ ସାତଜଣ ଗୁରୁତର ଭାବରେ ଆହତ ହୋଇଥିଲେ। ୧୯୪୪ ଜୁଲାଇ ମାସରେ ପଞ୍ଚଗନୀଠାରେ ଜଣେ ଲୋକ ଛୁରିଟିଏ ନେଇ ତାଙ୍କ ନିକଟକୁ ଆସିଥିଲା। ତେବେ ସେଠାରେ ଉପସ୍ଥିତ ଥିବା ମହାବଳେଶ୍ବରର ପୂର୍ବତନ କଂଗ୍ରେସ ସାଂସଦ ତଥା ସତାରା ଜିଲା କେନ୍ଦ୍ରୀୟ ବ୍ୟାଙ୍କ୍‌ର ତତ୍କାଳୀନ ଅଧ୍ୟକ୍ଷ ଭିସାରେ ଗୁରୁଜୀ ସଂପୃକ୍ତ ଲୋକ ପାଖରୁ ଛୁରିକୁ ଛଡ଼ାଇ ନେଇଥିଲେ। ସେଦିନ ଛୁରୀ ଧରି ଗାନ୍ଧୀଙ୍କୁ ହତ୍ୟା କରିବାକୁ ଆସିଥିବା ଲୋକଟି ନାଥୁରାମ୍‌ ଗଡ୍‌ସେ ଥିଲା ବୋଲି ଉପସ୍ଥିତ ଥିବା ଲୋକମାନେ ସାକ୍ଷ୍ୟ ଦେଇଥିଲେ। ଗାନ୍ଧିଜୀ ତୁରନ୍ତ ତାକୁ ସାକ୍ଷାତ କରିବାକୁ ଡକାଇଥିଲେ ହେଁ ସେ ପଳାଇ ଯାଇଥିଲା।

ଏହି ଘଟଣାର ଦୁଇମାସ ପରେ ପୁଣି ଥରେ ତାଙ୍କୁ ହତ୍ୟା କରିବାଲାଗି ଉଦ୍ୟମ ହୋଇଥିଲା। ସେପ୍ଟେମ୍ବର ମାସରେ ଗାନ୍ଧିଜୀ ବମ୍ବେକୁ ଯାଇ ମୁସଲିମ୍‌ ଲିଗ୍‌ ନେତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସହ ଆଲୋଚନା କରିବାଲାଗି ସ୍ଥିର ହୋଇଥିଲା। ଏଥିରେ କ୍ରୋଧାନ୍ବିତ ହୋଇ ଦଳେ ମୌଳବାଦୀ ପୁଣେରୁ ୱାର୍ଦ୍ଧା ଆଶ୍ରମରେ ପହଞ୍ଚିଥିଲେ। ଯେଉଁ ଗାଡ଼ିରେ ଗାନ୍ଧୀ ଯିବାର ଥିଲା, ସେଥିରୁ ପୁଲିସ ଗୋଟିଏ ଛୁରିକୁ ଉଦ୍ଧାର କରିଥିଲେ। ଏହି ଛୁରିଦ୍ବାରା ତାଙ୍କ ଗାଡ଼ିର ଟାୟାରକୁ ଫଟାଇବାପାଇଁ ଚକ୍ରାନ୍ତ ହୋଇଥିଲା। ତେବେ ଗାନ୍ଧିଜୀ ବାହାରିବା ପୂର୍ବରୁ ପୁଲିସ ସେହିସବୁ ଚକ୍ରାନ୍ତକାରୀଙ୍କୁ ଗିରଫ କରିନେଇଥିଲା। ତାଙ୍କୁ ହତ୍ୟା କରିବା ଲାଗି ଚତୁର୍ଥ ଷଡ଼ଯନ୍ତ୍ରଟି ୧୯୪୬ ଜୁନ୍‌ ୨୯ ତାରିଖରେ ହୋଇଥିଲା। ସେଦିନ ମହାତ୍ମାଜୀ ଟ୍ରେନ୍‌ରେ ବମ୍ବେରୁ ପୁଣେ ଆସୁଥିବାବେଳେ ମଝି ରାସ୍ତାରେ ରେଳପଥ ଉପ​‌େ​‌ର ବଡ଼ବଡ଼ ପଥର ଖଣ୍ଡ ରଖାଯାଇ ସେହି ଟ୍ରେନକୁ ଦୁର୍ଘଟଣାଗ୍ରସ୍ତ କରାଇବାକୁ ଉଦ୍ୟମ ହୋଇଥିଲା। ମାତ୍ର ରାତ୍ରିର ଘନଅନ୍ଧକାର ଭିତରେ ବି ଚାଳକର ସାବଧାନତା ଯୋଗୁଁ ଟ୍ରେନର କୌଣସି କ୍ଷତି ଘଟିନଥିଲା, ଯଦିଓ ତାହାର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଥିଲା।

ଗାନ୍ଧିଜୀଙ୍କ ହତ୍ୟାର ଦଶଦିନ ପୂର୍ବରୁ ୧୯୪୮ ଜାନୁଆରୀ ୨୦ ତାରିଖରେ ହୋଇଥିବା ପଞ୍ଚମ ଷଡ଼ଯନ୍ତ୍ର ଥିଲା ଖୁବ୍‌ ଚାଞ୍ଚଲ୍ୟକର ଏବଂ ଦେଶ ବିଦେଶରେ ଖୁବ୍‌ ଚହଳ ସୃଷ୍ଟି କରିଥିଲା। ଫାଇନାଲ ମ୍ୟାଚ ପୂର୍ବରୁ ସେମିଫାଇନାଲ ଖେଳ ହେଲାଭଳି ଏହା ସଂଘଟିତ ହୋଇଥିଲା ଦିଲ୍ଲୀ ବିରଳା ଭବନରେ ଖୋଦ୍‌ ଗାନ୍ଧିଜୀଙ୍କ ପ୍ରାର୍ଥନା ସଭାରେ। ୧୯୪୭ ମସିହାରେ ଦିଲ୍ଲୀର ଛାତି ଉପରେ ହୋଇଥିବା ଭୟଙ୍କର ସାଂପ୍ରଦାୟିକ ଦଙ୍ଗାରେ ବହୁ ନିରୀହ ନରନାରୀ ପ୍ରାଣ ହରାଇଥିଲେ। ଏହା ବାପୁଙ୍କୁ ଏଭଳି ବ୍ୟଥିତ ଓ ମ୍ରିୟମାଣ କରିଥିଲା ଯେ, ସେ ଦୁଇ ସଂପ୍ରଦାୟ ମଧ୍ୟରେ ଶାନ୍ତି ଓ ସଦ୍‌ଭାବ ପ୍ରତିଷ୍ଠା ତଥା ଆତ୍ମଶୁଦ୍ଧି ନିମନ୍ତେ ୧୯୪୮ ଜାନୁଆରୀ ୧୨ ତାରିଖରୁ ବିରଳା ଭବନରେ ଜୀବନର ଶେଷ ଅନଶନ ଆରମ୍ଭ କରିଥିଲେ। ଏହି ଅନଶନ ଯୋଗୁଁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖୁବ୍‌ ସଂକଟାପନ୍ନ ହୋଇ ଉଠିଥିଲା। ତେଣୁ ଦିଲ୍ଲୀର ସବୁ ଧର୍ମାବଲମ୍ବୀର ଲୋକ ତାଙ୍କର ଜୀବନ ରକ୍ଷା ପାଇଁ ବ୍ୟାକୁଳ ହୋଇପଡ଼ିଲେ ଏବଂ ତିନି କିଲୋମିଟର ଲମ୍ବାର ଏକ ଶାନ୍ତି ଶୋଭାଯାତ୍ରା ବାହାରକରି ଅନଶନ ସ୍ଥଳୀରେ ପହଞ୍ଚିଥିଲେ। ଜାନୁଆରୀ ୧୭ ତାରିଖରେ ୧୩୦ଜଣ ସଦସ୍ୟଙ୍କୁ ନେଇ ଏକ କେନ୍ଦ୍ରୀୟ ଶାନ୍ତି କମିଟି ଗଠିତ ହୋଇଥିଲା। ଯେଉଁଥିରେ ଦିଲ୍ଲୀର ଅଧିକାଂଶ ବିଶିଷ୍ଟ ବ୍ୟକ୍ତି ସଭ୍ୟ ରହିଲେ। ଶାନ୍ତି କମିଟି ପକ୍ଷରୁ ସାଂପ୍ରଦାୟିକ ସଦ୍‌ଭାବ ବଜାୟ ରଖିବା ପାଇଁ ମହାତ୍ମାଙ୍କୁ ଦୃଢ଼ ପ୍ରତିଶ୍ରୁତି ଦିଆଯିବା ସଙ୍ଗେସଙ୍ଗେ ଅନଶନରୁ କ୍ଷାନ୍ତ ରହିବା ଲାଗି ତାଙ୍କୁ ଅନୁରୋଧ କରାଗଲା। ସେମାନଙ୍କ ଅନୁରୋଧ ରକ୍ଷାକରି ଗାନ୍ଧିଜୀ ୧୮ତାରିଖ ମଧ୍ୟାହ୍ନରେ ମୌଲାନା ଆଜାଦଙ୍କ ହାତରୁ କମଳାରସ ପିଇ ତାଙ୍କର ଅନଶନଭଙ୍ଗ କରିଥିଲେ।

ଗୋଟିଏ ପଟେ ଅନଶନ ଓ ଜଟିଳ ସ୍ବାସ୍ଥ୍ୟାବସ୍ଥାକୁ ନେଇ ସାରା ଦେଶ ଉଦ୍‌ବିଗ୍ନ ଥିବାବେଳେ ଅନ୍ୟପଟେ ତାଙ୍କୁ ହତ୍ୟା କରିବାପାଇଁ ଚାଲିଥିବା ଷଡ଼ଯନ୍ତ୍ରକୁ ଚୂଡ଼ାନ୍ତ ରୂପ ଦେବା ସକାଶେ ମୌଳବାଦୀ ଧର୍ମାନ୍ଧ ବ୍ୟକ୍ତିମାନେ ସେତିକି ବ୍ୟଗ୍ର ଓ ତତ୍ପର ହୋଇପଡ଼ିଥିଲେ। ଜାନୁଆରୀ ୧୯ ତାରିଖ ରାତିରେ ଦିଲ୍ଲୀର ମାରିନା ହୋଟେଲରେ ନାଥୁରାମ୍‌ ଗଡ଼ସେ, ନାରାୟଣ ଆପ୍‌ତେ, ଗୋପାଳ ଗଡ଼୍‌ସେ ଓ ବିଷ୍ଣୁ କର୍‌କରେଙ୍କ ସମେତ ସାତଜଣ ଷଡ଼ଯନ୍ତ୍ରକାରୀ ହତ୍ୟାର ରୂପରେଖ ପ୍ରସ୍ତୁତ କରିବାକୁ ଏକ ବୈଠକରେ ଏକତ୍ର ହୋଇଥିଲେ। ସେଥିରେ ନିଷ୍ପତ୍ତି ହୋଇଥିଲା ଯେ ପରଦିନ ସନ୍ଧ୍ୟାର ପ୍ରାର୍ଥନା ସଭାରେ ଗାନ୍ଧିଜୀଙ୍କୁ ଯେ କୌଣସି ପ୍ରକାରେ ହତ୍ୟା କରାଯିବ। ପ୍ରଥମେ ବୋମା ପକାଯାଇ ପ୍ରାର୍ଥନା ସଭାରେ ବିଶୃଙ୍ଖଳା ସୃଷ୍ଟି କରାଯିବ ଏବଂ ସେହି କୋଳାହଳ ପୂର୍ଣ୍ଣ ପରିବେଶ ମଧ୍ୟରେ ତାଙ୍କୁ ଗୁଳିକରି ଏବଂ ବୋମା ପକାଯାଇ ମାରି ଦିଆଯିବ। ହତ୍ୟାକାଣ୍ଡର ରିହରସାଲ କରିବାକୁ ୨୦ ତାରିଖ ସକାଳେ ହତ୍ୟାକାରୀମାନେ ବିରଳା ଭବନ ହତାରେ ପହଞ୍ଚି ଯଥାର୍ଥ ସ୍ଥାନ ନିରୂପଣ କରିଥିଲେ। ତଦନୁଯାୟୀ ସନ୍ଧ୍ୟାରେ ବୋମାପକା ଏବଂ ଗୁଳି ଚଳାଇବା ଦାୟିତ୍ବ ନେଇଥିବା ମଦନଲାଲ ପାହ୍ବା ଓ ଅନ୍ୟମାନେ ବିରଳା ଭବନରେ ପହଞ୍ଚିଯାଇଥିଲେ। ଅନଶନ ଯୋଗୁଁ ଅତ୍ୟଧିକ ଦୁର୍ବଳ ହୋଇପଡ଼ିଥିବା ଗାନ୍ଧୀଙ୍କୁ ସେ ଦିନ ଏକ ଚୌକିରେ ବସାଇ ପ୍ରାର୍ଥନା ସଭାକୁ ଅଣାଯାଇଥିଲା। ସେ କ୍ଷୀଣ ସ୍ବରରେ ନିଜର ବକ୍ତବ୍ୟ ରଖୁଥିବା ବେଳେ ହଠାତ୍‌ ପ୍ରଚଣ୍ଡ ଶବ୍ଦରେ ସଭାସ୍ଥଳ ପ୍ରକମ୍ପିତ ହୋଇ ଉଠିଥିଲା ଓ ଚାରିପଟ ଧୂଆଁ ଏବଂ ଧୂଳିରେ ଭରପୂର ହୋଇଯାଇଥିଲା। ବୋମା ପକାଇବା ଦାୟିତ୍ବରେ ଥିବା ଲୋକମାନେ ସେମାନଙ୍କ ଦାୟିତ୍ବକୁ ଠିକ୍‌ ଭାବରେ ତୁଲାଇଥିଲେ। ମାତ୍ର କୋଳାହଳ ଭିତରେ ମହାତ୍ମାଙ୍କୁ ଗୁଳିବିଦ୍ଧ କରିବାର ଦାୟିତ୍ବ ନେଇଥିବା ବ୍ୟକ୍ତି ଶେଷ ମୁହୂର୍ତ୍ତରେ ଭୟଭୀତ ହୋଇ ହତ୍ୟାକାଣ୍ଡରେ ସଂପୃକ୍ତ ନହେବାକୁ ଚାହିଁଲା ଏବଂ ସାଙ୍ଗରେ ନେଇଥିବା ବନ୍ଧୁକ ଓ ବୋମାକୁ ଏକ ବ୍ୟାଗ୍‌ରେ ଭର୍ତ୍ତିକରି ଟ୍ୟାକ୍‌ସିର ପଛସିଟ୍‌ ତଳେ ରଖିଦେଇଥିଲା। ଫଳରେ ସେଦିନର ବିରାଟ ଷଡ଼ଯନ୍ତ୍ର ଫସର ଫାଟିଗଲା। ଏହି ଘଟଣାରେ ମଦନଲାଲ ପାହ୍ବାକୁ ଲୋକେ ଧରିନେଇ ପୁଲିସ ଜିମା ଦେଇଥିବାବେଳେ ଅନ୍ୟ ଛ’ଜଣ ଜନଗହଳି ଭିତରେ ଖସି ପଳାଇଯାଇଥିଲେ। ଏହି ସବୁ କାଣ୍ଡ ଭିତରେ ଅବିଚଳିତ ଗାନ୍ଧିଜୀ ହାତଟେକି ଲୋକଙ୍କୁ ଶାନ୍ତି ରଖିବା ପାଇଁ ନିବେଦନ କରି ଚାଲିଥିଲେ।

ଜାନୁଆରୀ ୨୦ ତାରିଖର ହତ୍ୟା ଉଦ୍ୟମ ପରେ ଉପପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ସର୍ଦାର ପଟେଲ ମହାତ୍ମାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଖୁବ୍‌ କଡ଼ାକଡ଼ି କରିବାକୁ ଇଚ୍ଛୁକ ଥିଲେ। ପ୍ରାର୍ଥନା ସଭାକୁ ଆସୁଥିବା ବ୍ୟକ୍ତିଙ୍କୁ ଶାରୀରିକ ଭାବରେ ଯାଞ୍ଚ କରାଯିବାକୁ ସେ ପ୍ରସ୍ତାବ ଦେଇଥିଲେ ହେଁ ନିଜେ ଗାନ୍ଧିଜୀ ଏହାକୁ ପ୍ରବଳ ବିରୋଧ କରିଥିଲେ। ମହାତ୍ମା ସୁରକ୍ଷା ଗ୍ରହଣ କରିବାକୁ ରୋକ୍‌ଠୋକ୍‌ ମନା କରିଦେବା ଘଟଣା ତାଙ୍କର ପଟ୍ଟଶିଷ୍ୟ ପଟେଲଙ୍କୁ ଗଭୀର ଭାବରେ ମର୍ମାହତ କରିଥିଲା ଏବଂ ରାଷ୍ଟ୍ରପିତାଙ୍କ ଜୀବନକୁ ଭାଗ୍ୟ ଉପରେ ଛାଡ଼ି ଦେଇଥିଲେ ବୋଲି ଗାନ୍ଧିଜୀଙ୍କ ସଚିବ ପ୍ୟାରେଲାଲ ତାଙ୍କ ପୁସ୍ତକରେ ଲେଖିଛନ୍ତି। ଜାନୁଆରୀ ୨୦ରୁ ୩୦ ତାରିଖ ଥିଲା ଖୁବ୍‌ ଘଟଣାବହୁଳ ଏବଂ ପୁଲିସ ହାତରେ ଧରାପଡ଼ିଥିବା ମଦନଲାଲ ପାହ୍ବାଠାରୁ ତଥ୍ୟ ସଂଗ୍ରହ କରି ତଦନ୍ତ କାର୍ୟ୍ୟ ତ୍ବରାନ୍ବିତ କରାଯାଇଥିଲା। ମାତ୍ର ସେତେବେଳକୁ ଷଡଯନ୍ତ୍ରର ଚେର ଏତେ ଗଭୀରକୁ ଚାଲିଯାଇଥିଲା ଯେ, ସବୁ କିଛି ଜଣାପଡ଼ିବା ପୂର୍ବରୁ ୩୦ ତାରିଖ ସନ୍ଧ୍ୟା ପ୍ରାର୍ଥନା ସଭାରେ ଆତତାୟୀ ନାଥୁରାମ ଗଡ୍‌ସେ ନିଜର ଈପ୍‌ସିତ ଅଭିଳାଷକୁ ପୂରଣ କରିସାରିଥିଲା। ଗାନ୍ଧୀଙ୍କ ଛାତିକୁ ଲକ୍ଷ୍ୟକରି ସେ ଚଳାଇଥିବା ତିନିଟି ଗୁଳି ବିଂଶ ଶତାବ୍ଦୀର ଜଣେ ଶ୍ରେଷ୍ଠ ମଣିଷଙ୍କ ବକ୍ଷକୁ ଭେଦ କରିଥିଲା। ସେଇଠି ଚିରଦିନ ପାଇଁ ଟଳି ପଡ଼ିଲେ ସତ୍ୟ ଅହିଂସାର ଆଜୀବନ ଉପାସକ ରାଷ୍ଟ୍ରପିତା ବାପୁ। ଗାନ୍ଧୀଙ୍କ ରକ୍ତମାଂସର ଶରୀର ଜଡ଼ ପାଲଟିଗଲା ସତ; କିନ୍ତୁ ତାଙ୍କର ଆଦର୍ଶ, ଦର୍ଶନ, ମୂଲ୍ୟବୋଧ, ମାନବବାଦୀ ଆଭିମୁଖ୍ୟ ସର୍ବୋପରି ଗାନ୍ଧୀବାଦ ସାରା ବିଶ୍ବକୁ ଯୁଗଯୁଗ ଧରି ଆଲୋକ ପ୍ରଦାନ କରିଚାଲିଛି।

Comments are closed.