କନ୍ୟାକିରଣ

- ଅଚ୍ୟୁତ ସାମନ୍ତ, ସାଂସଦ (କନ୍ଧମାଳ) ଓ ପ୍ରତିଷ୍ଠାତା, କିଟ୍‍ ଓ କିସ୍‍

ନାରୀ ଓ କନ୍ୟା ସନ୍ତାନ ହେଉଛନ୍ତି ସମାଜର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଆଶାର କିରଣ, ଆରମ୍ଭର ପ୍ରତୀକ ଏବଂ ସମାଜର ସାହାରା। କନ୍ୟା ସନ୍ତାନ ସୂର୍ଯ୍ୟଙ୍କ କିରଣ ସଦୃଶ। ସୂର୍ଯ୍ୟ ଯେପରି ସକଳ ଶକ୍ତିର ଆଧାର, ସେହିପରି ଗୋଟିଏ ପରିବାର ପାଇଁ ଶକ୍ତିର ଉତ୍ସ ହେଉଛି କନ୍ୟା ସନ୍ତାନ। ପରିବାରରେ ସୁଖ ଓ ସମୃଦ୍ଧିର ମୂଳ ହେଉଛନ୍ତି କନ୍ୟା ସନ୍ତାନ। ପରିବାର ପ୍ରତି ସେମାନଙ୍କର ଉତ୍ସର୍ଗିକୃତ ଓ ନିଃସ୍ୱାର୍ଥପର ମନୋଭାବ ପରିବାରକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଥାଏ। ପରିବାରର ଦୁଃଖ ଓ କଠିନ ସମୟରେ ପରିବାର ସଦସ୍ୟମାନେ ବ୍ୟସ୍ତ ଓ ବିବ୍ରତ ହୋଇପଡ଼ିଥିବା ବେଳେ କନ୍ୟା ସନ୍ତାନମାନେ ଧୈର୍ଯ୍ୟର ସହ ପରିସ୍ଥିତିକୁ ସମ୍ଭାଳି ନେଇ ସମସ୍ତଙ୍କ ମନରେ ଆଶ୍ୱସ୍ତ ଭରି ଦେଇଥାନ୍ତି। ସେମାନେ ହେଉଛନ୍ତି ଜେଜେ ବାପା ଓ ଜେଜେ ମାଆଙ୍କ ଗେହ୍ଲୀ। ବାପା-ମାଆଙ୍କ ନୟନ ପିତୁଳା। ଘରେ କନ୍ୟା ସନ୍ତାନଟିଏ ଜନ୍ମ ନେଲେ ଘରକୁ ମାଆ ଲକ୍ଷ୍ମୀ ଆସିଲେ ବୋଲି କୁହାଯାଏ। ମାଆ ଲକ୍ଷ୍ମୀ ହେଉଛନ୍ତି ଧନ ଓ ସମୃଦ୍ଧିର ଦେବୀ। ସେହିପରି ପରିବାରରେ କନ୍ୟା ସନ୍ତାନଟିଏ ଜନ୍ମ ହେଲେ ପରିବାରକୁ ସୁଖ ଓ ସମୃଦ୍ଧି ଆସିଥାଏ ବୋଲି ଆମର ବିଶ୍ୱାସ ରହିଛି। ଶାସ୍ତ୍ରରେ କୁହାଯାଇଛି- ‘ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତାଃ, ଯତ୍ରୈତାସ୍ତୁ ନପୂଜ୍ୟନ୍ତେ ସର୍ବାସ୍ତତ୍ରାଫଳାଃ କ୍ରିୟାଃ।’

କନ୍ୟା ସନ୍ତାନ ହେଉଛନ୍ତି ଦେଶର ଭବିଷ୍ୟତ। ସଶକ୍ତ କନ୍ୟା ହେଉଛି ସଶକ୍ତ ଦେଶ ଓ ଜାତିର ପ୍ରତୀକ। ଯଦି ମହିଳା ଓ ଝିଅମାନେ ସଶକ୍ତ ହୁଅନ୍ତି, ସେମାନେ ସେମାନଙ୍କ ଅଧିକାର ନିର୍ଭୟରେ ସାବ୍ୟସ୍ତ କରନ୍ତି ଏବଂ ସେମାନଙ୍କୁ ବିନା ବାଧାରେ ନିଷ୍ପତ୍ତି ନେବାରେ ସୁଯୋଗ ମିଳେ ତେବେ ସେମାନେ ନିର୍ବିଘ୍ନରେ ଦେଶ ଓ ଜାତିର ସମୃଦ୍ଧିରେ ସହଭାଗୀ ହୋଇପାରନ୍ତେ।

ଆମେ ସମସ୍ତେ ସମାଜ ଓ ଦେଶ ଗଠନରେ କନ୍ୟା ସନ୍ତାନ ଓ ମହିଳାଙ୍କ ଗୁରୁତ୍ୱ ଓ ସହଭାଗିତା ନେଇ ଯୁକ୍ତି କରିଆସୁଛେ। କନ୍ୟା ସନ୍ତାନ ଓ ମହିଳାଙ୍କ ସଶକ୍ତୀକରଣ ଏବଂ ସୁରକ୍ଷା ଦିଗରେ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଅନେକ ଆଇନ୍‍ ପ୍ରଣୟନ କରିଛନ୍ତି, ଅନେକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି। ଏପରିକି କନ୍ୟାସନ୍ତାନ ଓ ମହିଳା ସଶକ୍ତୀକରଣ ଦିଗରେ ବେସରକାରୀସ୍ତରରେ ଅନେକ ଅନୁଷ୍ଠାନ ଓ ସଂସ୍ଥା କାର୍ଯ୍ୟ କରୁଛନ୍ତି। ତଥାପି ଏବେ ବି ଆମ ଦେଶର ପୁରୁଷ କୈନ୍ଦ୍ରିକ ସମାଜରେ ଅଧିକାଂଶ ମହିଳା ଓ କନ୍ୟା ସନ୍ତାନ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଆମ ଜନସଂଖ୍ୟାର ଅଧା ହେଉଛନ୍ତି କନ୍ୟା ସନ୍ତାନ ଓ ମହିଳା। ଏବେ ବି ଆମ ସମାଜରେ କନ୍ୟା ସନ୍ତାନ ଓ ମହିଳାମାନଙ୍କ ପ୍ରତି ଥିବା ଦୃଷ୍ଟିଭଙ୍ଗୀରେ ସେତେଟା ପରିବର୍ତ୍ତନ ଆସିନାହିଁ। ବିଶେଷକରି ଆମ ଦେଶର ଗାଁଆ ଗହଳିରେ ଅଧିକାଂଶ ପରିବାରରେ ମହିଳା ଓ କନ୍ୟା ସନ୍ତାନଙ୍କ ପ୍ରତି ସେହି ପୁରଣା ଦୃଷ୍ଟିଭଙ୍ଗୀ ଝିଅ ଜନମ ପର ଘରକୁ, ଝିଅ ଜନମ ଚୁଲି ମୁଣ୍ଡକୁ ବସା ବାନ୍ଧି ରହିଛି। ପରିବାରରେ କନ୍ୟା ସନ୍ତାନ ଓ ମହିଳାଙ୍କ ଅପେକ୍ଷା ପୁରୁଷ ଓ ପୁଅଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏସବୁର ମୂଳ କାରଣ ହେଉଛି ଶିକ୍ଷାର ଅଭାବ। କନ୍ୟା ସନ୍ତାନ ଓ ମହିଳାମାନେ ଯେତେ ଅଧିକ ଶିକ୍ଷିତ ହେବେ ସେମାନେ ସେତେ ସଶକ୍ତ ଓ ନିଜ ଅଧିକାର ସଂପର୍କରେ ସେତେ ସଚେତନ ହୋଇପାରିବେ। ତେଣୁ କନ୍ୟା ସନ୍ତାନଙ୍କ ଶିକ୍ଷା ଉପରେ ଆମକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। କନ୍ୟା ସନ୍ତାନଙ୍କ ଶିକ୍ଷା, ମହିଳା ଓ କନ୍ୟା ସନ୍ତାନଙ୍କ ଅଧିକାର ଏବଂ ସୁରକ୍ଷା, କନ୍ୟା ସନ୍ତାନ ଓ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚର ଓ ଅନ୍ୟାୟ ବିରୋଧରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକ ରହିଛି।

ଏହାକୁ ଦୃଷ୍ଟିରେ ରଖି ୨୦୧୮ ମସିହାରେ କିଟ୍‍ ଓ କିସ୍‍ ପକ୍ଷରୁ ‘କନ୍ୟା କିରଣ’ ଅଭିଯାନ ଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଥିଲା। କିଟ୍‍ ଓ କିସ୍‍ ସର୍ବଦା ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ଗୁରୁତ୍ୱ ଦେଇଆସୁଥିବା ବେଳେ ସାମାଜିକ ଦାୟିତ୍ୱବୋଧକୁ ମଧ୍ୟ ଗୁରୁତ୍ୱ ଦେଇଆସିଛି। ଗତ ତିନିବର୍ଷ ଧରି କନ୍ୟା କିରଣ ଅଭିଯାନ ମାଧ୍ୟମରେ କିଟ୍‍ ଓ କିସ୍‍ ପକ୍ଷରୁ ଓଡ଼ିଶାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଇଆସୁଛି। ବର୍ଷ ତମାମ ବିଭିନ୍ନ ଗ୍ରାମ, ପଞ୍ଚାୟତ ଓ ବ୍ଲକରେ କନ୍ୟା ସନ୍ତାନ ଓ ମହିଳାମାନଙ୍କୁ ସେମାନଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନ କରାଇବା, କନ୍ୟା ସନ୍ତାନ ଓ ମହିଳାମାନଙ୍କ ପ୍ରତି ସମାଜ ଓ ପରିବାରର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିବା, କନ୍ୟା ସନ୍ତାନଙ୍କ ଶିକ୍ଷା, ମହିଳା ଓ କନ୍ୟାସନ୍ତାନଙ୍କ ସଶକ୍ତୀକରଣ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା, କନ୍ୟା ସନ୍ତାନ ଓ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ଓ ହିଂସା ବିରୋଧୀ ଆଇନ୍‍ ଆଦି ସମ୍ପର୍କରେ ସଚେତନତା ଶିବିର, କର୍ମଶାଳା ଆଦି ଆୟୋଜିତ ହୋଇଆସୁଛି। ଏହାଛଡ଼ା କନ୍ୟା ସନ୍ତାନ ଓ ମହିଳାମାନଙ୍କୁ ଜୀବନ କୌଶଳ ତାଲିମ ପ୍ରଦାନ କରାଯାଇଆସୁଛି।

କିଟ୍‍ ଓ କିସ୍‍ ସର୍ବଦା କନ୍ୟା ସନ୍ତାନ ଓ ମହିଳାମାନଙ୍କୁ ଗୁରୁତ୍ୱ ଦେଇଆସୁଛି। କିସ୍‍ରେ ପାଠ ପଢୁଥିବା ପିଲାଙ୍କ ମଧ୍ୟରୁ ୬୦% ହେଉଛନ୍ତି ଛାତ୍ରୀ। କିଟ୍‍ ଶିକ୍ଷାନୁଷ୍ଠାନ ସମୂହରେ ମହିଳା କର୍ମଚାରୀଙ୍କ ସଂଖ୍ୟା ହେଉଛି ୫୦ପ୍ରତିଶତ। କିଟ୍‍ ବିଶ୍ୱବିଦ୍ୟାଳୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ମହିଳା ଅଧିକାରୀମାନେ ସୁଚାରୁ ରୂପେ ଦାୟିତ୍ୱ ସମ୍ପାଦାନ କରିଆସୁଛନ୍ତି। ସେହିପରି କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ରେ ମଧ୍ୟ ଛାତ୍ରୀମାନଙ୍କୁ ଅଗ୍ରାଧିକାର ଦିଆଯାଇ ସେମାନଙ୍କ ଟ୍ୟୁସନ୍‍ ଫିରେ ରିଆତି ପ୍ରଦାନ କରାଯାଇଥାଏ।

ଚଳିତ ବର୍ଷ କନ୍ୟା କିରଣ ଅଭିଯାନ ପକ୍ଷରୁ ଜାନୁଆରୀ ୨୪ ‘ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ’କୁ ଓଡ଼ିଶାର ୩୦ ଜିଲା ସଦର ମହକୁମା ଓ ପ୍ରମୁଖ ସହରଗୁଡ଼ିକରେ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱରରେ ମଧ୍ୟ ଭର୍ଚୁଆଲ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ। କନ୍ୟା କିରଣ ଅଭିଯାନ ପକ୍ଷରୁ ଚଳିତବର୍ଷ କନ୍ୟା ସନ୍ତାନ ଦିବସର ବିଷୟବସ୍ତୁ ‘ମୁଁ ପଢ଼ିବି- ମୁଁ ବଢ଼ିବି’ ରଖାଯାଇଛି। କାରଣ ଶିକ୍ଷା ହେଉଛି ଆମର ତୃତୀୟ ନୟନ। ଯେତେ ଅଧିକରୁ ଅଧିକ କନ୍ୟା ସନ୍ତାନ ପାଠପଢ଼ି ଶିକ୍ଷିତ ହେବେ ସେମାନେ ସେମାନଙ୍କ ଅଧିକାର ସମ୍ପର୍କରେ ସେତେ ସଚେତନ ହୋଇପାରିବେ ଏବଂ ସେତେ ସଶକ୍ତ ହୋଇପାରିବେ। ସେମାନଙ୍କ ବିରୋଧରେ ହେଉଥିବା ହିଂସା, ଅତ୍ୟାଚାର ଓ ଅନ୍ୟାୟ ବିରୋଧରେ ଦୃଢ଼ତାର ସହ ସ୍ୱର ଉତ୍ତୋଳନ କରିପାରିବେ। କନ୍ୟା ସନ୍ତାନଙ୍କୁ ଆମେ ଆମ ନିଜ ପରିବାରରୁ ଭଲ ପାଇବା ଆରମ୍ଭ କରିବା ଉଚିତ। କନ୍ୟା ସନ୍ତାନଙ୍କ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ। ସେମାନେ ସଶକ୍ତ ହେଲେ ପରିବାର, ସମାଜ ଓ ଦେଶ ସଶକ୍ତ ହେବ। ଆସନ୍ତୁ ସମସ୍ତେ ଏହି ମହାନ ଅଭିଯାନରେ ସାମିଲ ହେବା ଓ ସମାଜରେ ନାରୀର ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିବା।

Comments are closed.