ଆମେରିକାର ଉପରାଷ୍ଟ୍ରପତି କମଳା ଦେବୀ ହାରିସ

- ଶୁଭଶ୍ରୀ ଦାସ

ଐତିହାସିକ ମୁହୂର୍ତ୍ତ। ସୁଉଚ୍ଚ କ୍ୟାପିଟଲ ହିଲ୍‌ସ ଉପରେ ଅଟକି ରହିଛି ସାରା ବିଶ୍ବବାସୀଙ୍କ ଆଖି। ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଉଛନ୍ତି କମଳା ଦେବୀ ହାରିସ। ଦେଶର ସର୍ବୋଚ୍ଚ କ୍ଷମତା କେନ୍ଦ୍ରର ଦ୍ବିତୀୟ କ୍ଷମତାଧିକାର ପ୍ରାପ୍ତ ପଦବୀରେ ପ୍ରଥମ କୃଷ୍ଣାଙ୍ଗ ମହିଳା ସେ। ଭାରତୀୟ ବଂଶୋଦ୍ଭବ। ଟେଲିଭିଜନର ନିର୍ଜୀବ ପରଦା ଉପରେ ଜୀବନ୍ତ ମନେ ହେଉଥିଲା ଏହି ସ୍ବପ୍ନିଳ ଅନୁଭବ। ଟାଙ୍କୁରି ଉଠୁଥିଲା ଲୋମମୂଳ।

ଜାନୁଆରୀ ୨୦ ତାରିଖ, ୨୦୨୧। ଆମେରିକାର ରାଷ୍ଟ୍ରପତି ଶପଥଗ୍ରହଣ ପ୍ରତିଷ୍ଠା ସମାରୋହ। ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରି ଶପଥ ଗ୍ରହଣ ସ୍ଥଳକୁ ଆଗେଇ ଚାଲିଥିଲେ କମଳା। ଆଗକୁ ବଢ଼ୁଥିବା ପ୍ରତିଟି ପାଦ ଶବ୍ଦରେ ଆତ୍ମ ବିଶ୍ବାସର ପ୍ରତିଧ୍ବନି।

ମନର ଦୃଢ଼ ଇଚ୍ଛାଶକ୍ତି। ସ୍ଥିର ଲକ୍ଷ୍ୟ, କଠିନ ପରିଶ୍ରମ ଏବଂ ଅବିଚ୍ଛିନ୍ନ ପ୍ରଚେଷ୍ଟା ଅସମ୍ଭବକୁ କିଭଳି ସମ୍ଭବ କରିପାରେ ତାହା ପ୍ରତିଫଳିତ ହେଉଥିଲା କମଳାଙ୍କ ତେଜୋଦୀପ୍ତ ଆଖି ଦୁଇଟିରେ। ଇତିହାସର ଏହି ମହତ୍ତ୍ବପୂର୍ଣ୍ଣ ସମୟକୁ ଚାହିଁ ରହିଥିବା ଆଖିଗୁଡ଼ିକୁ ସଞ୍ଚରି ଯାଉଥିଲା ଏହି ସ୍ବପ୍ନ। ଅସମ୍ଭବ ଶବ୍ଦଟି ସତେ ଯେମିତି ଅପସରି ଯାଉଥିଲା ଶବ୍ଦକୋଷ ଭିତରୁ। ଏକ ନୂଆ ଇତିହାସର ଭିତ୍ତିସ୍ଥାପନ କଲେ କମଳା ହାରିସ। ଜୀବନର ପ୍ରାରମ୍ଭ ହିଁ ଥିଲା ଜଟିଳ। କମଳାଙ୍କ ମା ଥିଲେ ଭାରତୀୟ। ତାମିଲନାଡ଼ୁର ବ୍ରାହ୍ମଣ ପରିବାରର ଝିଅ ତାଙ୍କ ମାଆ ଶ୍ୟାମଳା ଗୋପାଲନ୍‌। ଡକ୍ଟରେଟ୍‌ କରିବା ପାଇଁ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ ବରକ୍‌ଲିକୁ ଆସିଥିଲେ ସେ ମାତ୍ର ୧୯ ବର୍ଷ ବର୍ଷ ବୟସରେ। ସେହି ବିଶ୍ବବିଦ୍ୟାଳୟରେ ଭେଟ ହୋଇଥିଲା ଶ୍ୟାମଲାଙ୍କର ଡୋନାଲ୍ଡ ହାରିସଙ୍କ ସହ। ହାରିସ ଥିଲେ କୃଷ୍ଣାଙ୍ଗ। ଜାମାଇକାରୁ ଆସିଥିଲେ ସେ ଆମେରିକା, ଉଚ୍ଚଶିକ୍ଷା ପାଇଁ। ଦୁହିଁଙ୍କ ଭିତରେ ଘନିଷ୍ଠତା ବଢ଼ିଥିଲା। ତା’ପରେ ବିବାହ।

ଶ୍ୟାମଲା ଓ ଡୋନାଲ୍ଡ ହାରିସଙ୍କ ପ୍ରଥମ ସନ୍ତାନ ହେଉଛନ୍ତି କମଳା ହାରିସ। କମଳା ଓ ତାଙ୍କ ସାନଭଉଣୀ ମାୟାଙ୍କ ଭିତରେ ୩ ବର୍ଷର ବ୍ୟବଧାନ। ମା ଓ ବାପାଙ୍କର କର୍ମମୟ ଜୀବନ ଭିତରେ ଆରମ୍ଭ ହୋଇଥିଲା କମଳାଙ୍କର ଶୈଶବ। ସେତେବେଳେ (ପାଖାପାଖି ୧୯୬୨-୬୫) ସମୟରେ ଆମେରିକାରେ ସିଭିଲ ରାଇଟ୍‌ସ ଆନ୍ଦୋଳନ ତ୍ବରାନ୍ବିତ ହୋଇଥାଏ। ମାର୍ଟିନ ଲୁଥର କିଙ୍ଗଙ୍କ ଆହ୍ବାନରେ ତେଜି ଉଠିଥାନ୍ତି ଯୁବଶକ୍ତି। କମଳାଙ୍କ ମା’ ଓ ବାପା ମଧ୍ୟ ଯୋଗ ଦେଇଥାନ୍ତି ସେଇ ଆନ୍ଦୋଳନରେ। ସେଦିନର ଘଟଣାଟିକୁ ଆଜି ବି ମନେପକାନ୍ତି କମଳା। ନାଗରିକମାନଙ୍କର ସମାନ ଅଧିକାର ପାଇଁ ଦାବି କରି ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଯୋଗଦେଇଥାନ୍ତି। ଯୁବସମାଜ। ବାପା ମାଆଙ୍କ ସହ ଥାଆନ୍ତି ଶିଶୁ କମଳା। ଭିଡ଼ ଭିତରେ ଷ୍ଟଲରେ ବସି ଲମ୍ବା ଯାତ୍ରାରେ ଯାଇଥିବାବେଳେ କମଳାଙ୍କ ମାଆ ପଚାରିଥିଲେ ଝିଅଙ୍କୁ କ’ଣ ଦରକାର ତୋର? ହ୍ବାଟ୍‌ ଡୁ ଇୟୁ ୱଣ୍ଟ? ଶିଶୁ କମଳା ମାଆଙ୍କ ମୁହଁକୁ ଚାହିଁ ତତ୍‌କ୍ଷଣାତ୍‌ ଉତ୍ତର ଦେଇଥିଲେ।

‘ଫିଉଡମ’ ଶିଶୁର ସ୍ବରରେ ଫ୍ରିଡମ। ଏକଥା କହିବା ସମୟରେ ହସିଦିଅନ୍ତି କମଳା- କୁହନ୍ତି ଡକ୍ଟର କିଙ୍ଗଙ୍କ ସିଭିଲ ରାଇଟ୍‌ସ ଆନ୍ଦୋଳନ ପ୍ରଭାବିତ କରିଥିଲା। ତାଙ୍କୁ ପିଲାଦିନରୁ। ସମୟ ମୋଡ଼ ନେଇଥିଲା। କମଳାଙ୍କୁ ୭ ବର୍ଷ ହୋଇଥିବାବେଳେ ତାଙ୍କ ମାଆ ଓ ବାପାଙ୍କର ବିବାହ ବିଚ୍ଛେଦ ଘଟିଥିଲା। ଛୋଟ ଝିଅ ଦୁଇଟିଙ୍କୁ ବଡ଼ କରିବାର ଦାୟିତ୍ବକୁ ନିଜ କାନ୍ଧକୁ ନେଇଥିଲେ ସ୍ବାଭିମାନୀ ମାଆ, ଶ୍ୟାମଲା ଗୋପାଲନ୍‌। ପିଲା ଦୁଇଜଣଙ୍କୁ ଧରି କାନାଡ଼ା ଚାଲି ଯାଇଥିଲେ ଶ୍ୟାମଲା ନିଜର କର୍ମକ୍ଷେତ୍ରକୁ।

କାନାଡ଼ାର ମନଟ୍ରିଏଲ ସହରରେ କମଳାଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା। ସେହିଠାରେ ହାଇସ୍କୁଲ ଶିକ୍ଷା ମଧ୍ୟ ଶେଷ କରିଥିଲେ ସେ। ହାଇସ୍କୁଲ ପରେ କଲେଜ ଶିକ୍ଷା ପାଇଁ ଆମେରିକା ଆସିଲେ କମଳା। ୱାଶିଂଟନ ଡିସିର ହାୱାଡ କଲେଜରେ (ଯେଉଁଠାରେ କୃଷ୍ଣାଙ୍ଗ ପିଲାମାନେ ପଢ଼ନ୍ତି) ପଲଟିକାଲ ସାଇନ୍‌ସ ଓ ଇକୋନୋମିକ୍ସ ନେଇ ଗ୍ରାଜୁଏଟ କଲେ ସେ। ଜଣେ ଟାଣୁଆ କୃଷ୍ଣାଙ୍ଗ ମହିଳା ଭାବେ ତାଙ୍କ ମା ତାଙ୍କୁ ବଢ଼ାଇଥିଲେ ବୋଲି ସ୍ବୀକାର କରନ୍ତି କମଳା।

ଜୀବନରେ ଆସୁଥିବା ପ୍ରତିଟି ସମସ୍ୟାକୁ ସାମନା କରିବା ଏବଂ ସମାଧାନ ପାଇଁ ବାଟ ଖୋଜିବାର ଦକ୍ଷତା ହାସଲ କରିବାର ଶିକ୍ଷା କମଳା ପାଇଥିଲେ ତାଙ୍କ ମାଆଙ୍କ ପାଖରୁ। ​ଯେ କୌଣସି କଠିନ ପରିସ୍ଥିତିକୁୁ ସାହସର ସହ ସମ୍ମୁଖୀନ କରିବାର ଅଭିନବ ଆତ୍ମବିଶ୍ବାସ ସେ ତାଙ୍କ ମାଆଙ୍କ ଠାରୁ ପାଇଛନ୍ତି ବୋଲି ଗର୍ବରେ ସ୍ବୀକାର କରନ୍ତି। କମଳାଙ୍କ ମାଆ ନିଜ ପରିବାର ସହ ମଧ୍ୟ ସମ୍ପର୍କ ରଖିଥିଲେ। ପିଲାମାନଙ୍କୁ ଭାରତୀୟ ସଂସ୍କୃତି, ପରମ୍ପରା ସହ ପରିଚିତ କରାଇଥିଲେ।

ଶ୍ୟାମଲାଙ୍କ ବାପା ଭାରତୀୟ ସିଭିଲ ସର୍ଭିସର କର୍ମଚାରୀ ଥିଲେ। ମାଆଙ୍କ ଘରକୁ ଯିବା ସମୟରେ ଅନୁଭୂତି କହନ୍ତି କମଳା। ଅଜାଙ୍କ ସହ ସକାଳୁ ଚାଲିବାପାଇଁ ଯିବା ସମୟରେ ଅଜାଙ୍କର ଅନ୍ୟ ସାଥୀମାନେ ଯୋଗ ଦେଇଥାନ୍ତିି। ବିଭିନ୍ନ ବିଷୟରେ ଆଲୋଚନା ହୁଏ। ସେଥି ମଧ୍ୟରେ ନାରୀ ଶିକ୍ଷା ଓ ନାରୀମାନଙ୍କ ଅଧିକାର ବିଷୟରେ ଗମ୍ଭୀର ଆଲୋଚନା ହୁଏ। ଏହା କମଳାଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ମହିଳାମାନଙ୍କର ଅଧିକାର ପାଇଁ ଲଢ଼ିବାର ଆଶଙ୍କା ତାଙ୍କ ମନ ଭିତରେ ଅଙ୍କୁରିତ ହେବାକୁ ଆରମ୍ଭ କରିଥିଲା ବୋଲି କହନ୍ତି ସେ।

ମା’ ବାପାଙ୍କ ସହ ଜାମାଇକା ଯିବାର ଅନୁଭୂତି ମଧ୍ୟ ସାଇତି ରଖିଛନ୍ତି କମଳା। ଦୁଇଟି ଭିନ୍ନ ସଂସ୍କୃତିର ପରିଚୟକୁ ଖୁବ୍‌ ଆପଣାର ଭାବେ ନିଜ ଭିତରେ ଧରି ରଖିଛନ୍ତି କମଳା ନିଜର ସ୍ବତନ୍ତ୍ର ପରିଚୟ ଭାବେ। ‘ଲ’ ପଢ଼ିବା ପାଇଁ କାର୍ଲିଫର୍ଣ୍ଣିଆ ଫେରିଥିଲେ କମଳା। ଅଧିକାର ପାଇଁ, ନ୍ୟାୟ ପାଇଁ ଲଢ଼ିବାର ଆକାଙ୍‌କ୍ଷା ଶାଖା ପ୍ରଶାଖା ମେଲାଇ ସାରିଥିଲା ମନ ଭିତରେ। ଶିକ୍ଷାଗତ ଯୋଗ୍ୟତା ବାଟ କଢ଼ାଇଚାଲିଲା ଆଗକୁ। ବିଭିନ୍ନ ପ୍ରକାର ସ୍ବେଚ୍ଛାସେବୀ ଅନୁଷ୍ଠାନରେ କାର୍ଯ୍ୟକରି ନିଜର ଦାୟିତ୍ବ ଏବଂ ନେତୃତ୍ବ ନେବାର ଦକ୍ଷତାକୁ ବଳିଷ୍ଠ କରିଚାଲିଥିଲେ ସେ। ୧୯୯୦ ମସିହାରେ ସାନଫ୍ରନସିକୋ ସହରର ଡିଷ୍ଟ୍ରିକଟ୍‌ ଆଟୋର୍ଣ୍ଣି ଭାବରେ କାର୍ଯ୍ୟ ଆରମ୍ଭ କରି ଜୀବନର ନୂଆ ମୋଡ଼ରେ ଠିଆ ହେଲେ କମଳା। ଶିଶୁମାନଙ୍କ ଉପରେ ହେଉଥିବା ଯୌନ ଆକ୍ରମଣ ମକଦ୍ଦମାକୁ ନିରୀକ୍ଷଣ କରୁଥିଲେ କମଳା। ପ୍ରଥମଥର ଡ୍ରଗ ନିୟମ ଉଲ୍ଲଙ୍ଘନ କରି ଜେଲ ଯାଇଥିବା ଯୁବକ ଯୁବତୀମାନଙ୍କୁ ହାଇସ୍କୁଲ ଶିକ୍ଷା ଶେଷ କରିବା ଏବଂ ନିଯୁକ୍ତି ଦେବାର ଏକ ନୂଆ ଏବଂ ଅଭିନବ କାର୍ଯ୍ୟକ୍ରମ ପାଇଁ ଏକ ଜାତୀୟ ସ୍ତରରେ ଯୋଜନା ପ୍ରସ୍ତୁତ କରିଥିଲେ ସେ ଆଟୋର୍ଣ୍ଣିଂ ଥିବା ସମୟରେ।

ପୁଣି ଥରେ ଏକ ଅଭାବନୀୟ ଘଟଣାର ସମ୍ମୁଖୀନ ହେଲେ କମଳା। ୨୦୦୯ ମସିହାରେ ମାଆ ଶ୍ୟାମଲାଙ୍କୁ ହରାଇ ବସିଲେ ସେ। କଲୋନ କ୍ୟାନସରରେ ଆଖିବୁଜିଥିଲେ ଶ୍ୟାମଲା ଗୋପାଲନ। କମଳାଙ୍କ ଜୀବନରେ ସୃଷ୍ଟି ହୋଇଥିଲା ଏକ ଅପୂରଣୀୟ ଶୂନ୍ୟସ୍ଥାନ। ତେବେ ଭାଙ୍ଗିପଡ଼ି ନଥିଲେ କମଳା। ମା’ଙ୍କ ଠାରୁ ଶିଖିଥିବା ମହାମନ୍ତ୍ର ତାଙ୍କୁ ଆଗକୁ ବଢ଼ିବାର ଶକ୍ତି ଦେଇଥିଲା। ନିଜର ଲକ୍ଷ୍ୟ ଉପରେ ସ୍ଥିର ଦୃଷ୍ଟି ରଖି ନିଜକୁ ସମ୍ଭାଳି ଦେଇଥିଲେ ସେ ସମୟର କୁଠାରଘାତରୁ।

୨୦୧୦ ମସିହାରେ କାର୍ଲିଫର୍ଣ୍ଣିଆ ରାଜ୍ୟର ଆଟୋର୍ଣ୍ଣିଂ ଜେନେରାଲ ଭାବେ ନିର୍ବାଚିତ ହେଲେ କମଳା। ପ୍ରଥମ ମହିଳା, କୃଷ୍ଣାଙ୍ଗ ଓ ଭାରତୀୟ ବଂଶୋଦ୍ଭବ ଭାବେ ରାଜ୍ୟର ଆଟୋର୍ଣ୍ଣିଂ ଜେନେରାଲ ପଦରେ ଇତିହାସ ତିଆରି କରି ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କମଳା ହାରିସ। ଜଣେ ଦକ୍ଷ, ନିପୁଣ,ପାରଦର୍ଶୀ ଆଟୋର୍ଣ୍ଣିଂ ଜେନେରାଲ ଭାବେ କମଳାଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଲା। ଖାଉଟି ସୁରକ୍ଷା ଅପରାଧ ଆଇନ ସଂଶୋଧନ, ସମଲିଙ୍ଗୀମାନଙ୍କ ଅଧିକାର, ନାଗରିକ ସୁରକ୍ଷା ଇତ୍ୟାଦି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଲଢ଼ାଇକରି ପରିବର୍ତ୍ତନ ଆଣିଥିଲେ ସେ। ସଫଳତା ସହ ସମାଲୋଚନାକୁ ମଧ୍ୟ ସମ୍ମୁଖୀନ କରିଥିଲେ କମଳା ସାହସ ଓ ଆତ୍ମବିଶ୍ବାସ ସହ। ସଫଳତାର ପାହାଚ ଅତିକ୍ରମ କରୁଥିବା ସମୟରେ କମଳାଙ୍କର ଭେଟ ହୋଇଥିଲା ଡଗଲାସ ଏମହପଂଙ୍କ ସହ।

୨୦୧୪ ମସିହାରେ କମଳା ବିବାହ କଲେ ଡଗଲାସଙ୍କୁ। ଡଗଲାସ୍‌ ଇହୁଦୀ। ପୂର୍ବରୁ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଥିଲେ। ବିବାହ ବିଚ୍ଛେଦ ହୋଇଥିବା ପରିବାରର ସନ୍ତାନମାନଙ୍କ ମନସ୍ତତ୍ତ୍ବକୁ ହୃଦୟଙ୍ଗମ କରିଥିଲେ କମଳା ନିଜର ଅଭିଜ୍ଞତାରୁ। ଡଗଲାସଙ୍କ ପୁଅ କୋଲ୍‌ ଏବଂ ଝିଅ ଏଲାଙ୍କୁ ଆପଣାଇ ଥିଲେ ସେ। କମଳାଙ୍କ ଭଲପାଇବା କୋଲ୍ ଏବଂ ଏଲାଙ୍କ ମନକୁ କିଣି ନେଇଥିଲା ଖୁବ୍‌ ଶୀଘ୍ର। କମଳାରୁ ‘ମାମଲା’(ମମ+କମଲା) ପାଲଟି ଯାଇଥିଲେ ସେ ପିଲା ଦୁଇଜଣଙ୍କ ପାଇଁ। ସଂପ୍ରସାରିତ ପରିବାର କମଳାଙ୍କର। ଭଲପାଇବାର ଡୋରିରେ ବାନ୍ଧି ରଖିଛନ୍ତି ସେ ସଭିଙ୍କୁ ଆପଣାର କରି। ତେବେ କର୍ମମୟ ଜୀବନର ଲକ୍ଷ୍ୟପଥରେ ଦୃଷ୍ଟି ସ୍ଥିର ତାଙ୍କର।

୨୦୧୬ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ସିନେଟକୁ ନିର୍ବାଚିତ ହୋଇଥିଲେ କମଳା ହାରିସ। ଦ୍ବିତୀୟ କୃଷ୍ଣାଙ୍ଗ ମହିଳା ସିନେଟର। ନ୍ୟାୟ ପାଇଁ ନିର୍ଭୀକ ଭାବରେ ଲଢ଼ିବା ଏବଂ ଯେ କୌଣସି ପରିସ୍ଥିତିକୁ ମୁହାଁମୁହିଁ ସାମନା କରିବାର ସାହସ ରାଜନୀତି କ୍ଷେତ୍ରରେ ଏକ ଦୃଢ଼ ଭିତ୍ତିଭୂମି ଗଢ଼ିବାର ସୁଯୋଗ ଦେଇଥିଲା ତାଙ୍କୁ। ୨୦୧୮ ମସିହାରେ ସିନେଟର ଜୁଡ଼ିସିଆରି କମିଟିରେ ନିଯୁକ୍ତି ପାଇଥିଲେ କମଳା। କମଳାଙ୍କର ନିର୍ଭୀକ ସ୍ବର ଏବଂ ତୀକ୍ଷ୍‌ଣ ପ୍ରଶ୍ନବାଣ ସାରା ଦେଶବାସୀଙ୍କୁ ଚକିିତ କରିଥିଲା। ବଢ଼ିଚାଲିଥିଲା କମଳାଙ୍କର ଲୋକପ୍ରିୟତା। ୨୦୨୦ ମସିହାରେ ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଜୋଏ ବାଇଡେନଙ୍କ ନିମନ୍ତ୍ରଣକୁ ଗ୍ରହଣ କରିଥିଲେ କମଳା ହାରିସ। ନିର୍ବାଚନ ପ୍ରସ୍ତୁତିର ଲମ୍ବା ରାସ୍ତାରେ ପରିବାର, ସମର୍ଥକ ଏବଂ ଦେଶବାସୀଙ୍କ ସମର୍ଥନ ପାଇଥିଲେ କମଳା। ନିର୍ବାଚନ ଜିତିବା ଅଭିଭାଷଣରେ ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ କହିଥିଲେ କମଳା ହାରିସ କ୍ଷମତାର ଏହି ସୁଉଚ୍ଚ ପଦରେ ସେ ପ୍ରଥମ ମହିଳା, ଶେଷ ନୁହନ୍ତି।

କମଳା ଦେବୀ ହାରିସ- ଆଗାମୀ ପିଢ଼ି, ବିଶେଷ କରି ନାରୀ ସମାଜ ପାଇଁ ଏକ ଉଦାହରଣ। ପ୍ରେରଣା ଓ ଉତ୍ସାହର ଉତ୍ସ।

Comments
Loading...