ଏକୋଇଶର ଦୀକ୍ଷାଗୁରୁ ଊଣେଇଶ

- ପ୍ରତିଭା ରାୟ

ସମୟ ସର୍ବପ୍ରାଚୀନ ଓ ନିତ୍ୟନୂତନ ହେଲେ ମଧ୍ୟ କୋଟିକୋଟି ବର୍ଷର ପ୍ରାଚୀନ ସୂର୍ୟ୍ୟ ସବୁଦିନ ପରି ପୁରାତନ ଆକାଶରେ ଉଦିତ ହେବା ସମୟରେ ଆମେ ତାକୁ ନୂତନ ସୂର୍ୟ୍ୟ ଭାବରେ ଗ୍ରହଣ କରି ପ୍ରଣାମ କରିଥାଉ। ଶୁଭକାଳ ବା ଅଶୁଭକାଳ ବୋଲି କିଛି ନାହିଁ। କାଳ ନିର୍ଲିପ୍ତ, ତେଣୁ କାଳସ୍ରୋତରେ ଶୁଭାଶୁଭ ହେଉଛି ପ୍ରକୃତିର ନିୟମ। କେବଳ ମାନବ ଇତିହାସର ସୁଖଦ ଓ ଦୁଃଖଦ ଘଟଣାଗୁଡ଼ିକୁ ବିଚାରକୁ ନେଇ ମଣିଷ କାଳର ଶୁଭାଶୁଭ ନିର୍ଣ୍ଣୟ କରେ। ବାସ୍ତବରେ କାଳ ଦୋଷଯୁକ୍ତ ବା କଳଙ୍କିତ ନୁହେଁ। ମଣିଷ ନିଜ ଇତିହାସରେ କଳଙ୍କିତ ପୃଷ୍ଠାଟିଏ ଯୋଗ କରିବାର ସମୟକୁ କଳଙ୍କିତ ସମୟ ବା ଅଶୁଭ ସମୟ ବୋଲି ଚିହ୍ନିତ କରିଥାଏ। ବୈଷମ୍ୟ, ବିଦ୍ୱେଷ, ହିଂସା, ଈର୍ଷାପରାୟଣତା ଇତ୍ୟାଦି ଶୁଭାଶୁଭର କର୍ମ, କର୍ତ୍ତା ଓ କାରକ ହେଉଛି ମଣିଷ। କାଳ ପାଖରେ ସମସ୍ତେ ସମାନ ଓ ଜନ୍ମ, ମୃତ୍ୟୁ ସୃଷ୍ଟି ଓ ପ୍ରଳୟ ସମାନ। କାଳର ଯଦି ଶୁଭାଶୁଭ ଥା’ନ୍ତା ତେବେ ଏକ ନିର୍ଦ୍ଦିଷ୍ଟ ସମୟରେ ଜଣକର ଶୁଭବେଳା ଓ ଆଉ ଜଣକର ଅଶୁଭ ବେଳା କାହିଁକି ଗଣନା କରାଯାଏ? କୌଣସି ଶୁଭାଶୁଭ ଫଳପ୍ରାପ୍ତି ଅନ୍ୟ କେଉଁ କାରଣରୁ ହୋଇପାରିଥାଏ ହୁଏତ ତା’ର କର୍ତ୍ତା ମଣିଷ, ସେଥିରେ କାଳର କିଛି ଦୋଷ ନାହିଁ।

ଗତ ୨୦୨୦ ଜାନୁଆରୀଠାରୁ ମାନବିକତାର ହତ୍ୟାକାରୀ କୋଭିଡ୍‍-୧୯ର ଆବିର୍ଭାବ ହୋଇଛି। ତାହା ମାନବଯାନରେ ବସି ସାରା ବିଶ୍ୱକୁ ଘରପୋଡ଼ିର ନିଆଁ ପରି ବିସ୍ତାରିତ ହୋଇଛି। ଏହି ସମୟରେ ଯାହା ଯାହା ଘଟିଛି ସମସ୍ତେ ଭୁକ୍ତଭୋଗୀ। ଏପରି ମହାମାରୀ ଆମେ ଜୀବନକାଳ ଭିତରେ ଦେଖିବୁ ବୋଲି ଆଶା କରିନଥିଲୁ। ଅବୋଧ ଶିଶୁମାନେ ଜନ୍ମରୁ ମୁଖା ପିନ୍ଧିଲେ ଏବଂ ଏହି ମୁଖା କେତେକାଳ ପର୍ୟ୍ୟନ୍ତ ମଣିଷ ଧାରଣ କରିବ ତାହା ନିର୍ଣ୍ଣିତ ହୋଇପାରି ନାହିଁ। ଶିଶୁ ଓଠର ପବିତ୍ରତମ ହସ ମା’ ଦେଖିବ ନାହିଁ। ମା’ ଓଠର ବାତ୍ସଲ୍ୟ ମଧୁର ହସ ଶିଶୁ ଦେଖିବ ନାହିଁ। ମଣିଷର ସାମାଜିକ ଶିକ୍ଷା ଏହିଠାରୁ ହିଁ ଆରମ୍ଭ। ତେଣୁ ଆଗାମୀକାଲିର ମଣିଷ ଧରିନେବ ଯେ ସେ ହେଉଛି ଏକ ମୁଖାଧାରୀ ଜୀବ। ପ୍ରାଣ ଖୋଲି ହସିବା ପାଇଁ ତାକୁ ମନା। ବାସ୍ତବରେ ଦେଖିବାକୁ ଗଲେ ମଣିଷ ଏକ ମୁଖାଧାରୀ ଜୀବ। ମଣିଷର ମୁହଁ ଯାହା କହେ ବା ଯେଉଁ ଭାବ ପ୍ରକଟ କରେ, ଅନ୍ତର୍ମନ ତାହା କହେନାହିଁ। ବନ୍ୟ ଜୀବ ଓ ଅନ୍ୟାନ୍ୟ ପ୍ରାଣୀ ମୁଖାଧାରୀ ନୁହନ୍ତି। ସେମାନେ ଯାହା ଦିଶନ୍ତି ତାହା ହିଁ ସେମାନଙ୍କ ଚରିତ୍ର; କିନ୍ତୁ ମଣିଷର ଚରିତ୍ର ଏତେ କୁଟିଳ ଯେ ବିଶ୍ୱସ୍ତ ବନ୍ଧୁକୁ ମଧୁର କଥା କହି ନିଜର ସ୍ୱାର୍ଥ ସିଦ୍ଧି ପାଇଁ କେବେ ଯେ ବିଷ ପ୍ରୟୋଗ ନକରିବ ସେ କଥା ଜୋର୍‍ଦେଇ କହିହେବ ନାହିଁ। ପ୍ରତ୍ୟେକ ମଣିଷ ମୁଖାଧାରୀ।

ଏବେ ୨୦୨୦ର କୋଭିଡ୍‍ ମହାମାରୀ ଏପରି ପରିସ୍ଥିତି ସୃଷ୍ଟିକଲା ଯେ ମଣିଷ ମୁଖା ଉପରେ ଆଉ ଏକ ମୁଖା ପିନ୍ଧିଲା। ପଶୁପକ୍ଷୀ, ଜୀବଜନ୍ତୁଙ୍କ ମୁହଁରେ ମୁଖା ନାହିଁ, ମଣିଷ ମୁହଁରେ ମୁଖା। କୋଭିଡ୍‍-୧୯ ମଣିଷକୃତ ହେଉ ବା ଈଶ୍ୱରକୃତ ହେଉ ଏଥିରେ ମଣିଷର ହାତ ଅଛି। ପରିବେଶ ଓ ପ୍ରକୃତିକୁ ମଣିଷ ଯେପରି ଭାବରେ ଦୁରୁପଯୋଗ କରି କ୍ଷଣିକ ସୁଖର ଆଡମ୍ବରର ଡିଣ୍ଡିମ ପିଟିଲା ତାହା ଦେଖି ସମସ୍ତେ ବାଃ ବାଃ କଲେ। କୋଠାବାଡ଼ି, କଳକାରଖାନା ବଢ଼ି ଚାଲିଲା। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଅସମ୍ଭବକୁ ସମ୍ଭବ କଲା। କେବଳ ବାକି ରହିଥିଲା ଅମରତ୍ୱ। ଠିକ୍‍ ସେହି ସମୟରେ ମଣିଷର ଅହମିକା ଉପରେ ଶକ୍ତ ଆଘାତ ଦେଇ ଆସିଲା ବିଶ୍ୱ ମହାମାରୀ କୋଭିଡ୍‍-୧୯। ସାରା ବିଶ୍ୱ ଏକ ସମୟରେ ଏକ ପ୍ରକାର ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଲେ, ସମସ୍ତେ ସମସ୍ତଙ୍କୁ ଅସ୍ପୃଶ୍ୟ ମଣିଲେ, ଅବିଶ୍ୱାସ କଲେ। ବନ୍ଧୁବାନ୍ଧବଙ୍କଠାରୁ ଦୂରତ୍ୱ ରକ୍ଷାକଲେ। ସମସ୍ତଙ୍କୁ ଦୂରେଇ ରଖିବା ପାଇଁ ସରକାରୀ ନିୟମ ଜାରି ହେଲା। ବନ୍ଧୁ ପରିଜନ କେହି କାହାକୁ ଶଙ୍ଖୁଳିବା ପାଇଁ ଆସିଲେନି। ସାରା ବିଶ୍ୱ ବିଭାଜିତ ହୋଇଗଲା, ଆକାଶପଥରେ ଉଡାଣ ଉପରେ କଟକଣା ଲାଗିଲା। ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ଯିବା ପାଇଁ ଯାନବାହନ ଉପରେ କଟକଣା ଲାଗିଲା। ଖାଲି ସେତିକି ନୁହେଁ; ମଣିଷ ଗୃହବନ୍ଦୀ ହୋଇ ରହିଲା। ଦିନେ ଗୃହପାଳିତ ଗୋରୁଗାଈଙ୍କୁ ଧରି ଗୋଠକୁ ଯାଉଥିଲା ମଣିଷ। ଅନ୍ତତଃ ସେତିକି ସମୟ ଗୋରୁମାନେ ମୁକ୍ତି ଓ ମିଳାମିଶାର ଆନନ୍ଦ ଆସ୍ୱାଦନ କରୁଥିଲେ; କିନ୍ତୁ ମଣିଷ ପାଇଁ ତାହା ବି ବନ୍ଦ ହେଲା। ମଣିଷକୁ ମନ୍ଦିର ମନାହେଲା। ଈଶ୍ୱର ଗମ୍ଭୀରି ଘର ଭିତରେ ରହିଲେ। ସହର, ରାଜ୍ୟ ଓ ଦେଶ ଭାଗ ଭାଗ ହୋଇଗଲା। ନାଟକର ଅନେକ ଦୃଶ୍ୟ କୋଭିଡ୍‍-୧୯ ଦେଖାଇଲା। ବନ୍ଧୁମିଳନ ବନ୍ଦ, ମନୋରଞ୍ଜନ କାର୍ୟ୍ୟକ୍ରମ ବନ୍ଦ, ଦୋକାନବଜାର ବନ୍ଦ, କେବଳ ନିଶ୍ୱାସ ପ୍ରଶ୍ୱାସକୁ ଛାଡ଼ି ସବୁ ବନ୍ଦ। ତାରି ଭିତରେ ମଧ୍ୟ ଅନେକ କୋଭିଡ୍‍ ଯୋଦ୍ଧା ଏବଂ ପ୍ରିୟଜନଙ୍କର ନିଶ୍ୱାସ ପ୍ରଶ୍ୱାସକୁ ବନ୍ଦ କରିଦେଲା କୋଭିଡ୍‍-୧୯। ବାପର ମୁଖାଗ୍ନି ଦେବାପାଇଁ ପୁଅକୁ ମନା, ନିଜ ଆଖିର ଲୁହ ପୋଛିବାକୁ ହାତକୁ ମନା, କୋଭିଡ୍‍ଗ୍ରସ୍ତ ପିଲାକୁ କୋଳକୁ ନେବା ପାଇଁ ମା’କୁ ମନା। ଜାତି, ଧର୍ମ, ବର୍ଣ୍ଣ, ଦେଶ, ଭାଷା, ଧନୀ, ଦରିଦ୍ର, ନେତା, ରଜା ପ୍ରଜା, ବାଳବୃଦ୍ଧ କାହାରିକୁ ବାଦ୍‍ ଦେଲା ନାହିଁ କୋଭିଡ୍‍-୧୯। ସମୃଦ୍ଧ, ବିକଶିତ, ଧନୀ ଦେଶ ମହାଦେଶର ସହରରେ କୋଭିଡ୍‍ ମହାମାରୀ ପ୍ରଳୟ ସୃଷ୍ଟିକଲା; କିନ୍ତୁ ନିପଟ ମଫସଲ ଗାଁ ଗହଳ, ରାସ୍ତା ନଥିବା ଆଦିବାସୀ ଅଞ୍ଚଳ ଏବଂ ଅନୁନ୍ନତ ଗ୍ରାମଗୁଡ଼ିକରେ କୋଭିଡ୍‍ର ଉପସ୍ଥିତି ନଥିଲା। ବରଂ ମୁଖା ବାଣ୍ଟିବା ପାଇଁ ସ୍ୱେଚ୍ଛାସେବୀ ଧୋବଧବଳିଆମାନେ ଗାଁ ଗୁଡ଼ିକରେ ପ୍ରବେଶ କରିବାରୁ ସେଠାରେ କୋଭିଡ୍‍ ପହଞ୍ଚିଗଲା। ରୋଜଗାରିଆ ପୁଅମାନେ ଘରେ ହାତଗୋଡ଼ ଜାକି ବସିଲେ। ପ୍ରବାସୀ ଓଡ଼ିଆମାନେ ନିଜ ଦେଶରେ ବାହାର ମଣିଷରେ ଗଣାହେଲେ। ଅନେକ ନିଷ୍ଠୁର ସତ୍ୟକୁ ବୁଝାଇଦେଲା କୋଭିଡ୍‍-୧୯। ୨୦୨୦ବର୍ଷଟି ଏକ ଅଭିଶାପର ବର୍ଷ ଭାବରେ ଇତିହାସରେ ଲିପିବଦ୍ଧ ହୋଇରହିବ।
ତେବେ ପ୍ରତ୍ୟେକ ପରିସ୍ଥିତି ମଣିଷକୁ ଶିକ୍ଷା ଦିଏ। ହାସ୍‍ପାତାଳ ଅନେକ ଅସ୍ୱାସ୍ଥ୍ୟକର ଅଭ୍ୟାସ ଛାଡ଼ିବା ପାଇଁ ଆଖି ଖୋଲିଦିଏ। ଶ୍ମଶାନ ନିରାସକ୍ତ ବୈରାଗୀ ହେବାକୁ ପ୍ରେରିତ କରେ। ନଦୀରେ ବୁଡ଼ିଯିବା ଲୋକ ଭାଗ୍ୟବଶତଃ କୂଳରେ ଲାଗିଲେ ସନ୍ତରଣପଟୁ ହେବା ପାଇଁ ପ୍ରତିଜ୍ଞା କରେ। ପେଟ ବିକଳରେ ଚୋରି କରୁଥିବା ଲୋକଟିଏ ଧରାପଡ଼ିଲେ ପ୍ରତିଜ୍ଞା କରେ ମରିଯିବ ପଛେ ଚୋରି କରିବ ନାହିଁ। ଅବଶ୍ୟ ଅଭ୍ୟାସଗତ ଚୋରଙ୍କ କଥା ଭିନ୍ନ।

ମହାମାରୀ ସହ ଲଢ଼ୁଥିବା ମଣିଷ ୨୦୨୦ବର୍ଷ ସାରା କୋଭିଡ୍‍-୧୯ ଠାରୁ ଅନେକ ଶିକ୍ଷାଲାଭ କରିଛି। ମଣିଷ ବିପଦ ବେଳାର ସତର୍କତାକୁ ଖୁବ୍‍ଶୀଘ୍ର ଭୁଲିଯାଏ। ଏହା ହିଁ ମଣିଷ ଚରିତ୍ର। ତେବେ କୋଭିଡ୍‍-୧୯ କେବଳ ମହାମାରୀ ରୂପରେ ଆସିନାହିଁ; ସେ ଆସିଛି ଦୀକ୍ଷାଗୁରୁ ଭାବରେ। ମହାମାରୀ ପୁଣି ଦୀକ୍ଷା ଦିଏ? ଏ କଥା ଅବାନ୍ତର ମନେ ହେଉଥିବ; କିନ୍ତୁ ମହାମାରୀ ଆରମ୍ଭଠାରୁ ଆଜି ପର୍ୟ୍ୟନ୍ତ ବିତିଯାଇଥିବା ସମୟର ସ୍ମୃତିଚାରଣ କଲେ ଆମେ ଜାଣିପାରିବା ଯେ ମହାମାରୀ ଆମକୁ କ’ଣ ଶିକ୍ଷା ନ ଦେଇଛି!
୧) ଅନେକ ଅଯଥା କର୍ମକୁ ତ୍ୟାଗ କରିବାକୁ ମହାମାରୀ ଚେତାବନୀ ଦେଇଛି। ଯେପରି କି ପ୍ରତିଦିନ ବଜାରକୁ ବାହାରିବା। ଆବଶ୍ୟକ ନଥିଲେ ବି ଦୋକାନବଜାର, ମଲ୍‍ ଇତ୍ୟାଦିରେ ଗହଳିକରି କିଣାକିଣି କରିବା, ଯାହାଦ୍ୱାରା ସମୟ ନଷ୍ଟ ଓ ଅର୍ଥର ଅପଚୟ ହେବା ସହ କେତେକ ସଂକ୍ରାମକ ରୋଗର ଶିକାର ହେବା। ୨) ରାସ୍ତାଘାଟରେ କାର୍‍, ବାଇକ୍‍, ସାଇକଲ୍‍ ଓ ପଦଯାତ୍ରାର ପ୍ରତିଯୋଗିତା କରି ରାସ୍ତାକୁ ଜନାକୀର୍ଣ୍ଣ କରି ଦୁର୍ଘଟଣା ଘଟାଇବା। ୩) ମହାମାରୀ ଭୟରେ ଦୁରାଚାରୀମାନେ ଦୁଷ୍କର୍ମ ଓ ଚୋରି ତସ୍କରିରୁ ଅନ୍ତତଃ ସାମୟିକ ଦୂରେଇ ରହିବା। ୪) ଜାତି, ଧର୍ମ, ବର୍ଣ୍ଣ, ଭାଷା ଏବଂ ଆଞ୍ଚଳିକତାର ଭେଦ ଭୁଲିଯାଇ ଏକ ମନ, ଏକ ପ୍ରାଣ ହୋଇ କୋଭିଡ୍‍-୧୯ ନିୟମକୁ ପାଳିବା ଓ ସେଥିରୁ ରକ୍ଷା ପାଇବା ପାଇଁ ଏକ ସମୟରେ ଗୋଟିଏ ପ୍ରାର୍ଥନା କରିବା। ମଣିଷ ଜାତି ସମାନ, ରୋଗ ସମାନ, ଔଷଧ ସମାନ, ମୃତ୍ୟୁ ଏକାପରି। ଏ ସବୁ ଜାଣିଥିଲେ ମଧ୍ୟ କୋଭିଡ୍‍-୧୯ ଆଉ ଥରେ ସ୍ମରଣ କରାଇଦେଲା। ପ୍ରତିଦିନ ମହାମାରୀର ହିସାବ ପଢ଼ି ମଣିଷ ନୀତିଶିକ୍ଷା ପାଇଲା। ୫) କୋଭିଡ୍‍-୧୯ ଶିଖାଇଲା ସ୍ୱଚ୍ଛତା। ଆମେମାନେ ବାହାରୁ ଆସି ସେହି ପୋଷାକରେ ସେହି ଜୋତା ପିନ୍ଧି ପୂର୍ବେ ଘରେ ପ୍ରବେଶ କରୁ ନଥିଲୁ। ବାହାର ପୋଷାକ ବାହାରେ ରଖୁଥିଲୁ। ଗୋଡ଼, ହାତ, ମୁହଁ ଧୋଇ ଘରେ ପ୍ରବେଶ କରୁଥିଲୁ।

ଆଧୁନିକତା ଏ ସବୁକୁ ହେୟ ମଣି ଭୁଲିଯାଇଥିଲା। କୋଭିଡ୍‍-୧୯ ଆମକୁ ବାରମ୍ବାର ହାତ ଧୋଇବାକୁ ଶିଖାଇଲା, ଘର ପୋଷାକ ଓ ବାହାର ପୋଷାକର ପ୍ରଭେଦ ଶିଖାଇଲା। ଏହା ଏପରି ଅଭ୍ୟାସରେ ପଡ଼ିଗଲା ଯେ ଘର ଭିତରେ ଥିଲେ ମଧ୍ୟ ମଣିଷଟିଏ ବାରମ୍ବାର ହାତ ଧୋଇବାକୁ ଲାଗିଲା। ୬) ଭାରତୀୟ ପରମ୍ପରାକୁ ଭୁଲି ପାଶ୍ଚାତ୍ୟ ସଭ୍ୟତାର ଅନୁକରଣରେ ରାସ୍ତାଘାଟ, ପାର୍କ ଇତ୍ୟାଦିରେ ବସି ପରସ୍ପରକୁ ଆଲିଙ୍ଗନ ଓ ଚୁମ୍ବନ କରିବା ଇତ୍ୟାଦିକୁ ସମ୍ପୂର୍ଣ୍ଣ ନିଷେଧ କରିଦେଲା କୋଭିଡ୍‍-୧୯। ଏପରି ହେଲା ଯେ ଭାରତୀୟ ସଂସ୍କୃତିର ‘ନମସ୍କାର’କୁ ସାରା ବିଶ୍ୱ ଗ୍ରହଣ କରିନେଲା। ପାଶ୍ଚାତ୍ୟ ଢଙ୍ଗରେ ହାତ ମିଳାଇବା ବା କୋଳାକୋଳି ହେବା ପାଇଁ ବିଶ୍ୱ ନେତାଗଣ ଡରିଲେ। ଏହା କେବଳ ଆମ ସଂସ୍କୃତିକୁ ସମ୍ମାନ ନୁହେଁ; ଆମ ସଂସ୍କୃତିର ଚଳଣିରେ ଥିବା ସ୍ୱାସ୍ଥ୍ୟରକ୍ଷାର ନିୟମକୁ ସାରା ବିଶ୍ୱ ମାନିନେଲା। ୭) ବିମାନ ଚଳାଚଳ ବନ୍ଦ ହେବା ଫଳରେ ବିଦେଶ ଯାତ୍ରା କରିବାର ପ୍ରବଣତା ଯୋଗୁଁ ଅଯଥାରେ ଭ୍ରମଣ କରି ନିଜର ସଞ୍ଚୟ ତଥା ସମୟ ନଷ୍ଟ କରୁଥିବା ମଧ୍ୟବିତ୍ତ ମଣିଷ ତଥା ଧନୀ ଓ ନେତାଗଣ ମଧ୍ୟ ଅଯଥା ବିମାନଯାତ୍ରାରୁ କ୍ଷାନ୍ତ ହେଲେ। କୋଭିଡ୍‍-୧୯ ଶିଖାଇଲା ଯେ ବିମାନଯାତ୍ରା ନ କରି ମଧ୍ୟ ବିଶ୍ୱ ନେତାଗଣ ପ୍ରଯୁକ୍ତି ବିଦ୍ୟା ବଳରେ ପରସ୍ପରକୁ ଭେଟି ଗୁରୁତର ଆଲୋଚନା କରିପାରନ୍ତି ଓ ନିଷ୍ପତ୍ତି ନେଇପାରନ୍ତି। ୮) ଆମେ ଭଲ ପୋଷାକ ପିନ୍ଧୁ ନିଜ ପାଇଁ ନୁହେଁ; ପରକୁ ଦେଖାଇବା ପାଇଁ। ବାହାରକୁ ଯିବା ଆସିବା ବନ୍ଦ ହୋଇଯିବା ଫଳରେ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ଅଯଥା ପୋଷାକ କିଣା ବନ୍ଦ ହୋଇଗଲା। ୯) ଗୃହ କର୍ମରେ ସାହାଯ୍ୟ କରୁଥିବା ଲୋକମାନଙ୍କୁ କୋଭିଡ୍‍-୧୯ ଘରକୁ ପ୍ରବେଶ ନିଷେଧ ଜାରି କଲା। ଫଳରେ ଘରେ ଘରେ ନାରୀ ପୁରୁଷ ନିର୍ବିଶେଷରେ ଗୃହ କାର୍ୟ୍ୟ ନିଜେ ସମ୍ପାଦନ କଲେ ଯାହା ସେମାନେ ପୂର୍ବରୁ ଆଳସ୍ୟ ଯୋଗୁ କରୁନଥିଲେ। ୧୦) ସବୁଠାରୁ ବଡ଼ କ୍ଷତି ହେଲା ଯେ ଅନେକଙ୍କର ବୃତ୍ତି ଗଲା। ଦେଶର ଅର୍ଥନୀତି ପ୍ରଭାବିତ ହେଲା; କିନ୍ତୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ଦୃଷ୍ଟି ଆକର୍ଷଣ କଲା ଯେ, ଯେଉଁମାନଙ୍କୁ ଆମେ ନୀଚ ଜାତି କହି ହଜାର ହଜାର ବର୍ଷ ଧରି ମନ୍ଦିର ବାହାରେ ଛିଡ଼ା କରାଉ ଏବଂ ନିତାନ୍ତ ଆବଶ୍ୟକୀୟ ବୃତ୍ତିକୁ ନୀଚ ବୃତ୍ତି ଭାବି ସେମାନଙ୍କ ପାଇଁ ସ୍କୁଲ୍‍, କଲେଜ ଓ ଚାକିରିରେ ସ୍ଥାନ ସଂରକ୍ଷଣ କରୁ ସେମାନେ ହେଲେ କୋଭିଡ୍‍ ଯୋଦ୍ଧା, ପରିଚ୍ଛନ୍ନତାର କର୍ତ୍ତା। ରାସ୍ତା, ନଳାନର୍ଦମା, ପାଇଖାନା, ଡାକ୍ତରଖାନା ଓ ସହରକୁ ପରିଚ୍ଛନ୍ନ ରଖୁଥିବା ଲୋକମାନଙ୍କର ବୃତ୍ତି ଗଲା ନାହିଁ, ସେମାନେ ପ୍ରଶଂସିତ ହେଲେ। ସେମାନଙ୍କର ଚାହିଦା ବଢ଼ିଲା। ତାଙ୍କ ବେକରେ ନେତା ଓ ଜିଲାପାଳମାନେ ଫୁଲମାଳ ଦେଇ ତାଙ୍କୁ ସମ୍ମାନିତ କଲେ।

ଲକ୍ଷ୍ୟ କରିବାର କଥା ଯେ ଠିକ୍‍ ସେତିକିବେଳେ ସାରା ଭାରତବର୍ଷର ମନ୍ଦିର ବନ୍ଦ ହୋଇଗଲା। ପରମେଶ୍ୱର ମଧ୍ୟ ମଣିଷ ମଣିଷ ଭିତରେ ବୈଷମ୍ୟକୁ ପ୍ରୋତ୍ସାହନ ଦିଅନ୍ତି ନାହିଁ। ଉଚ୍ଚଜାତି ସମ୍ପନ୍ନ ପୂଜକମାନେ ରୋଜଗାର ବିନା ବେକାର ହୋଇ ବସି ରହିଥିଲେ ଏବଂ ସେମାନଙ୍କର ପରିବାରର ଆର୍ଥିକ ସ୍ଥିିତି ବିପନ୍ନ ହେଲା। ସେମାନେ ସରକାରଙ୍କୁ ଅନୁଦାନ ଭିକ୍ଷା କରୁଥିଲେ। ଅଥଚ ସଫେଇ କର୍ମକାରୀମାନେ କାହାରି ଅନୁଦାନ ଉପରେ ନିର୍ଭର କରୁନଥିଲେ, ନିଜ ଅର୍ଜନରେ ସମ୍ମାନର ସହ ବଞ୍ଚୁଥିଲେ। ସେମାନଙ୍କର କାର୍ୟ୍ୟ କେବଳ ପ୍ରଶଂସିତ ହେଲା ନାହିଁ; କାର୍ୟ୍ୟ ପରିସର ବି ବଢ଼ିଲା ଏବଂ ଉପାର୍ଜନ ବି ବଢ଼ିଲା। କୋଭିଡ୍‍-୧୯ ଶିକ୍ଷାଦେଲା ଯେ କୌଣସି କାର୍ୟ୍ୟ ନୀଚ କାର୍ୟ୍ୟ ନୁହେଁ ଏବଂ ଈଶ୍ୱର ସୃଷ୍ଟ କୌଣସି ମଣିଷ ଘୃଣ୍ୟ ନୁହନ୍ତି। ମନ୍ଦିର, ମସ୍‍ଜିଦ୍‍, ଗୀର୍ଜା, ଗୁରୁଦ୍ୱାରରେ ପରମେଶ୍ୱରଙ୍କ ସେବାଠାରୁ ମଣିଷର ସେବା କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଏହା ପ୍ରମାଣିତ କଲା।

କୋଭିଡ୍‍-୧୯ ନାନା ଭାବରେ ଆମର ଦୀକ୍ଷାଗୁରୁ। ତା’ଠାରୁ ଶିକ୍ଷା ପାଇଲେ ଯେ କୌଣସି ବୃତ୍ତି ନୀଚ ନୁହେଁ। ଶ୍ରମକୁ ସମ୍ମାନ ଦେଉଥିବା ବିକଶିତ ପାଶ୍ଚାତ୍ୟ ଦେଶମାନଙ୍କରେ କୌଣସି ଜାତିଭିତ୍ତିକ ବୃତ୍ତି ପ୍ରାୟ ନାହିଁ। ଜଣେ ବ୍ୟକ୍ତି ଯେ କୌଣସି କାମ କରିପାରେ। ବେକାର ରହି ସରକାରଙ୍କୁ ଅନୁଦାନ ମାଗିବା ଅପେକ୍ଷା ଯେ କୌଣସି କାର୍ୟ୍ୟକୁ ଆପଣେଇ ନେବାରେ ଆପତ୍ତି ନ କରିବା ପାଇଁ କୋଭିଡ୍‍-୧୯ ଶିକ୍ଷାଦେଲା।

ମାନବ ସେବା ମାଧବ ସେବା ବୋଲି ଆମେ କେବଳ ତୁଣ୍ଡରେ କହୁ, ଆତ୍ମାରେ ଗ୍ରହଣ କରିନାହୁଁ। କୋଭିଡ୍‍-୧୯ ଏହି ବାଣୀକୁ ମଣିଷର ଆତ୍ମାରେ ଲେଖିଦେଲା। ଶ୍ମଶାନ ବୈରାଗ୍ୟ ଭଳି ଏହି ବାଣୀ ଶ୍ମଶାନରୁ ଫେରିବା ମାତ୍ରେ ବିସ୍ମରଣ ହେବା ଭଳି ଆଜିର ପରିସ୍ଥିତିକୁ ମଣିଷ ଭୁଲିଯିବ ନାହିଁ ବୋଲି ଆଶା କରାଯାଏ; କାରଣ କୋଭିଡ୍‍-୧୯ ଆମ ସହ ରହିବ। ତାହା ସହ ବୁଝାମଣା କରି ଆମକୁ ନିୟମ ଶୃଙ୍ଖଳା ମାନି ବଞ୍ଚିବାକୁ ପଡ଼ିବ। ୨୦୧୯ ମସିହାର ପୃଥିବୀ ଭିନ୍ନ ଥିଲା, ମଣିଷ ମୁହଁରେ ଈଶ୍ୱରକୃତ ଛଳନାର ମୁଖାଟିଏ ହିଁ ଥିଲା; କିନ୍ତୁ ୨୦୨୦ର ପୃଥିବୀ ବିସ୍ମୟକର ହେଲା। ମଣିଷ ମୁଖା ଉପରେ ମୁଖା ପିନ୍ଧିଲା। ଅଦୃଶ୍ୟ କୋଭିଡ୍‍-୧୯ ମଣିଷକୁ ତ୍ରସ୍ତ କରି ରଖିଲା। ୨୦୨୧ ପୃଥିବୀ ପରିସ୍ଥିତି ସହ ବୁଝାମଣା କରି ପଡ଼ୋଶୀ ଓ ପରିବେଶ ପ୍ରତି ସହନଶୀଳ ହୋଇ ଏକ ସ୍ୱଚ୍ଛ, ସ୍ୱାସ୍ଥ୍ୟକର, ସମଭାବାପନ୍ନ ପୃଥିବୀ ହେବ ବୋଲି ଆଶା କରାଯାଏ। ଈଶ୍ୱରଙ୍କୁ ପ୍ରାର୍ଥନା ଯେ ମନ୍ଦିର ଦ୍ୱାର ଖୋଲୁ, ସ୍କୁଲ୍‍ କଲେଜ ଖୋଲୁ, ଜୀବନ ସ୍ୱାଭାବିକ ହେଉ। ଖୁବ୍‌ଶୀଘ୍ର ମଣିଷ ମୁହଁରୁ କୃତ୍ରିମ ମୁଖାଟି ଅନ୍ତତଃ ଖୋଲୁ।

ଆପଣମାନଙ୍କୁ ନବବର୍ଷ-୨୦୨୧ର ଶୁଭକାମନା। ୨୦୨୦ ଥିଲା ସମଗ୍ର ବିଶ୍ୱ ପାଇଁ ଅଭିଶାପର ବର୍ଷ। ଆମେ ମାନବିକତାର ଶତ୍ରୁ କୋଭିଡ୍‍-୧୯ ସହ ଲଢ଼ିଛେ, ଅନେକ କୋଭିଡ଼ ଯୋଦ୍ଧାଙ୍କୁ ଏବଂ ପ୍ରିୟଜନଙ୍କୁ ହରାଇଛେ; କିନ୍ତୁ ଆମେ ହାରିନାହୁଁ, ଲଢ଼ିଚାଲିଛୁ। ମଣିଷ ହାରିବା ପାଇଁ ଜନ୍ମ ହୋଇନାହିଁ। କୋଭିଡ୍‍ ଟିକାକରଣ ଆରମ୍ଭ ହେଲାଣି। ୨୦୨୧ ହେଉ ଆପଣମାନଙ୍କର ତଥା ବିଶ୍ୱବାସୀଙ୍କର ବିଜୟ ଓ ଜାଗୃତିର ବର୍ଷ। ନବବର୍ଷ ଓ ଆଗକୁ ଆସୁଥିବା ସମସ୍ତ ବର୍ଷ ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି, ଆଶା, ଆସ୍ଥା, ଶାନ୍ତି, ସୌହାର୍ଦ୍ଦ୍ୟ, ଶୃଙ୍ଖଳା ଆଣୁ ଏତିକି କାମନା।

Comments are closed.