ଅସମାନତାର ସଂଜ୍ଞା

- ସୁରେଶ ଚନ୍ଦ୍ର ବେହେରା, ସହକାରୀ ଶିକ୍ଷକ, ଆନନ୍ଦମାର୍ଗ ଜାଗୃତି ସ୍କୁଲ

ଭୋକ। ଧନୀର ସମସ୍ୟା ହେଲା, ସେ କ’ଣ ଖାଇଲେ ତାକୁ ଭୋକ ହେବ? ଗରିବର ସମସ୍ୟା ହେଲା, ତାକୁ ଭୋକ ହେଲେ ସେ କ’ଣ ଖାଇବ? ଭୋକକୁ ନେଇ ଉଭୟଙ୍କ ଆଭିମୁଖ୍ୟରେ କି ଅସମାନତା! ଏଇ ଅସମାନତାର ହେତୁ ଉଭୟଙ୍କ ଅବସ୍ଥାର ବିଷମତା ହୋଇପାରେ।

ସମାନତାକୁ ନେଇ ଯେତେବେଳେ ବିଚାର ଅଛି ସେମାନଙ୍କ ମଧ୍ୟରେ ମତୈକ୍ୟ କମ୍‍: ମତଭେଦ ବେଶି। ଅବଶ୍ୟ ସୃଷ୍ଟିରେ ବିବିଧତା ଓ ଅସମାନତା ହିଁ ବିଧିର ବିଧାନ। ଜୈବ ବିବିଧତା ହେଉଛି ପ୍ରକୃତିର ସର୍ଜନା ଓ ତା’ର ସାମର୍ଥ୍ୟ। ବିବିଧତାକୁ ବଞ୍ଚେଇ ରଖିଲେ ପରିବେଶରେ ଭାରସାମ୍ୟ ରକ୍ଷାହେବ। ବିଭିନ୍ନତା ମଧ୍ୟରେ ସମତା ସ୍ଥାପନ କଲେ ସମାଜ ସୁରକ୍ଷିତ ରହିବ। ରାଜନୀତିକ ଭାଷାରେ ‘ସମତା’ ବଦଳରେ ‘ଏକତା’ର ପ୍ରବର୍ତ୍ତନ ବହୁଳ। ଏଇ ସମତା ବା ସମାନତାକୁ ସ୍ୱାଧୀନତା, ସ୍ୱତନ୍ତ୍ରତା, ନ୍ୟାୟ ଓ ଅଧିକାର ସହିତ ଯୋଡ଼ାଯାଏ। ଯେଉଁଠି ଗଣତନ୍ତ୍ର ଅଛି ସେଠାରେ ସମାନତାର ଅର୍ଥ କିଛି ଅଛି, ଅନ୍ୟଥା ଆଜି ବି ପୃଥିବୀର ଅନେକ ରାଷ୍ଟ୍ରରେ ଅସମାନତା ବଳବତ୍ତର ରହିଛି। ସେଥିପାଇଁ ଦୁର୍ନୀତି ଓ ଭ୍ରଷ୍ଟାଚାର କାୟା ବିସ୍ତାର କରୁଛି। ଅଶାନ୍ତି ବଢ଼ୁଛି। ଊନବିଂଶ ଶତାବ୍ଦୀର ମାର୍କ୍ସବାଦ ଓ ବିଂଶ ଶତାବ୍ଦୀର ଶେଷଭାଗରେ ଉଦାରବାଦ ସମାନତାକୁ ଗୁରୁତ୍ୱ ଦେଇ ଆସୁଛି; କିନ୍ତୁ ବେଳୁବେଳ ଅସମାନତାର ରଙ୍ଗ ବଦଳୁଚି। ଏବେ ବି ସମାନତାର ଲକ୍ଷ୍ୟ ପ୍ରାପ୍ତି ଅପହଞ୍ଚ।

ସବୁ ଅସମାନତାର ହେତୁ ସମାନ ନୁହେଁ। କିଏ ଜନ୍ମରୁ କ୍ଷମ, କିଏ ଅକ୍ଷମ ବା ଦିବ୍ୟାଙ୍ଗ। କିଏ ପୁଣି ବୁଦ୍ଧିମାନ କିଏ ନିର୍ବୋଧ। ଜଣେ ଧନୀର ସନ୍ତାନ, ଆଉ ଜଣେ ଗରିବର ସନ୍ତାନ। ଏସବୁ ଅସମାନତା ପ୍ରାକୃତିକ। କଲ୍ୟାଣକାରୀ ଯୋଜନା, ବିଜ୍ଞାନ ଓ କାରିଗରୀ କୌଶଳ ଜରିଆରେ ଏ କ୍ଷେତ୍ରରେ କିଛି ମାତ୍ରାରେ ସମାନତା ଅଣାଯାଇ ପାରିବ। ମାତ୍ର କିଛି ଅସମାନତା ସମାଜ ତିଆରି କରିଛି। ଧର୍ମ, ଜାତି, ସଂପ୍ରଦାୟ ମଣିଷକୁ ବିଭାଜିତ କରିଛି। ଈଶ୍ୱର କାହାକୁ ହିନ୍ଦୁ, ମୁସଲମାନ ବା ଖ୍ରୀଷ୍ଟିଆନ୍‍ କହିନାହାନ୍ତି। ଏ କଥା ମଣିଷ କରିଛି। ମଣିଷ ମଧ୍ୟ ହରିଜନ, ଗିରିଜନ, ଧନୀ-ନିର୍ଧନ, ବଂଚିତ ଓ ସୁବିଧାବାଦୀ ଗୋଷ୍ଠୀ ସୃଷ୍ଟିକରିଛି। ଏହାକୁ ସୁଧାରିବା ଲାଗି ମଣିଷର ଚିନ୍ତନ ଓ ବିଚାରଧାରାରେ ବ୍ୟାପକ ପରିବର୍ତ୍ତନ ଲୋଡ଼ା। ବିଦୂର, ଭର୍ତ୍ତୃହରି, ଚାଣକ୍ୟ ଓ ଋଷୋଙ୍କ ପରି ସମାଜବିଜ୍ଞାନୀମାନେ କହିଛନ୍ତି- ସମାଜରେ ସମସ୍ତଙ୍କ ସହିତ ସମାନ ବ୍ୟବହାର କରିବା ଯେତିକି ଅନ୍ୟାୟ, ସମାନ ବ୍ୟକ୍ତିଙ୍କ ସହ ଅସମାନ ବ୍ୟବହାର କରିବା ମଧ୍ୟ ସେତିକି ଅନ୍ୟାୟ।

ସମ୍ଭବତଃ ମାନବ ଜାତି ଧରାବତରଣ କରିବା ପୂର୍ବରୁ ସୃଷ୍ଟିରେ ଅସମାନତା ଓ ଅନ୍ୟାୟଧାରା ପ୍ରଚଳିତ ହୋଇଆସୁଛି। ଯେବେ ମଣିଷ ଏକ ସାମାଜିକ ପ୍ରାଣୀ ଭାବେ ଜୀବନ ଜିଇବାକୁ ଆରମ୍ଭ କଲା, ତା’ ଚେତନାର ଉତ୍ତରଣ ଘଟି ତହିଁରେ ସମାନତା ଅବବୋଧଟି ସ୍ଥାନ ପାଇଲା। ଅସମାନତା ଭାବ ଅସଂଖ୍ୟ ଅସମାନତା ତତ୍ତ୍ୱକୁ ଜନ୍ମଦିଏ। ଏସବୁ ତତ୍ତ୍ୱ ସ୍ୱାର୍ଥ​‌େ​‌କୖନ୍ଦ୍ରିକ। ଆଶ୍ଚର୍ଯ୍ୟର କଥା, ଏକ ସମାଜରେ ସବୁଲୋକ ସମାନତା ବଜାୟ ରହୁ ବୋଲି ଚାହୁଁଥିବା ସ୍ଥଳେ ସେମାନେ ନିଜ ପାଇଁ ଜଣେଜଣେ ଶାସକ ବା ପ୍ରଶାସକକୁ ବାଛନ୍ତି ଓ ତାକୁ ସମସ୍ତେ ମାନ୍ୟତା ପ୍ରଦାନ କରନ୍ତି। ଶାସକଙ୍କ ମଧ୍ୟରୁ ଅନେକେ ଦୁର୍ଯ୍ୟୋଧନ ଯେଉଁମାନେ କେବଳ ନିଜର କଲ୍ୟାଣ କଥା ଚିନ୍ତାକରନ୍ତି। ଖୁବ୍‍ ଅଳ୍ପ ସଂଖ୍ୟକ ଯୁଧିଷ୍ଠିର ଯେଉଁମାନେ କେବଳ ନିଜ ଲୋକଙ୍କ କଲ୍ୟାଣ କଥା ଭାବନ୍ତି। କ୍ୱଚିତ୍‍ ଜଣେ ଜଣେ କୃଷ୍ଣ ଥା’ନ୍ତି ଯିଏ ସାରା ଜଗତର କଲ୍ୟାଣ କରନ୍ତି। ଅସମାନତା ଦୂର କରିବାରେ ସମର୍ଥ ହୁଅନ୍ତି।

ଅସମାନତା ଅଭିବୃଦ୍ଧି ଓ କର୍ମଦକ୍ଷତାକୁ ହ୍ରାସ କରେ। ସୁଯୋଗହୀନତାର ଅର୍ଥ ହେଲା, ଗୋଟିଏ ରାଷ୍ଟ୍ରର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି। ଅର୍ଥାତ୍‍ ଏହାର ଜନତାଙ୍କୁ ସମ୍ପୂର୍ଣ୍ଣ ରୂପେ ଉପଯୋଗ କରାଯାଉନାହିଁ। ସମାଜର ତଳସ୍ତରରେ ଏପରିକି ମଝିସ୍ତରରେ ଅବସ୍ଥାନ କରୁଥିବା ଲୋକମାନେ ସେମାନଙ୍କର ସାମର୍ଥ୍ୟ ଅନୁସାରେ ଜୀବନ ବଞ୍ଚୁନାହାନ୍ତି।

ଆମେ ଗୋଟିଏ ଶ୍ରେଣୀହୀନ ସମାଜ ଗଠନ ପାଇଁ କେତେ କଷ୍ଟ ଓ ବଳିଦାନ ନ କରିଚେ ? ଆମେ ସବୁବେଳେ ଇଚ୍ଛା କରିଛୁ ଯେ ଏମିତି ଗୋଟିଏ ସମାଜ ହେଉ ଯେଉଁଠି ସମସ୍ତେ ସମାନ ଥିବେ ଓ ଯେଉଁଠି ଜଣେ ତା’ ପଡ଼ୋଶୀକୁ ଈର୍ଷା କରିବାର କୌଣସି ଆଶଙ୍କା ନଥିବ; କିନ୍ତୁ ନିରାଟ ସତ ହେଉଛି, କୌଣସି କାରଣରୁ ଈର୍ଷା ସବୁବେଳେ ରହିବ ହିଁ ରହିବ, କେବେ ଆକାଙ୍‍କ୍ଷିତ ଧାରେ ହସ ପାଇଁ, କେବେ ମନ ଲୋଡ଼ୁଥିବା ଖିଏ ସମ୍ପର୍କ ପାଇଁ। ସେହିପରି ଏଇ ପୃଥିବୀରେ ଅସମାନତା ରହିବ ହିଁ ରହିବ। ସବୁକାଳେ ରହିବେ ଧନୀ ଓ ଗରିବ- ପ୍ରାପ୍ତିରେ ଧନୀ ଓ ପ୍ରାପ୍ତିରେ ଗରିବ; ପ୍ରେମରେ ଧନୀ ଓ ପ୍ରେମରେ ଗରିବ।

Comments are closed.