ସ୍ୱତନ୍ତ୍ର ଅଧିବେଶନ ଡକାଇବାକୁ କଂଗ୍ରେସ ସାଂସଦଙ୍କ ନିବେଦନ

0

ନୂଆଦିଲ୍ଲୀ : ବିରୋଧୀ ଦଳଗୁଡିକର ପ୍ରବଳ ହଟ୍ଟଗୋଳ ଯୋଗୁ ସଂସଦର ଅଧିକାଂଶ ସମୟ ନଷ୍ଟ ହୋଇଥିବାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକ ଉପରେ କୌଣସି ଆଲୋଚନା ହୋଇପାରି ନାହିଁ। ଏଣୁ ଏହି ପ୍ରସଙ୍ଗଗୁଡିକ ଉପରେ ଆଲୋଚନା ନିମନ୍ତେ ସ୍ୱତନ୍ତ୍ର ଅଧିବେଶନ ଡକାଇବା ଲାଗି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କୁ ଏକ ଚିଠି ଲେଖାଯାଇଛି। ମେ’ କିମ୍ବା ଜୁନ୍‌ ମାସରେ ଦୁଇ ସପ୍ତାହ ପାଇଁ ସ୍ୱତନ୍ତ୍ର ଅଧିବେଶନ ଡକାଯାଉ ବୋଲି କଂଗ୍ରେସ ସାଂସଦ ଜୟରାମ ରମେଶ ଶନିବାର ଚିଠି ଲେଖି ଅଧ୍ୟକ୍ଷଙ୍କୁ ନିବେଦନ କରିଛନ୍ତି।
ଶୁକ୍ରବାର ବିରୋଧୀ ଦଳଗୁଡିକର ହୋହଲ୍ଲା ମଧ୍ୟରେ ବଜେଟ୍‌ ଅଧିବେଶନକୁ ଶୁକ୍ରବାର ଅନର୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। କିନ୍ତୁ ଦେଶର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ କରିବା ତଥା ରାଜନୈତିକ, ଅର୍ଥନୈତିକ ଏବଂ ସାମାଜିକ ପ୍ରସଙ୍ଗ ଉପରେ ଆଲୋଚନା ନିମନ୍ତେ ରାଜ୍ୟସଭା ଅଧ୍ୟକ୍ଷ କାହିଁକି ସ୍ୱତନ୍ତ୍ର ଅଧିବେଶନ ଡାକିବା ଲାଗି କେନ୍ଦ୍ର ସରକାରଙ୍କୁ ରାଜି କରାଇବାର ଉଦ୍ୟମ କରୁନାହାନ୍ତି ବୋଲି ରମେଶ ଉକ୍ତ ଚିଠିରେ ଦର୍ଶାଇଛନ୍ତି। ବ୍ୟକ୍ତିଗତ ମତ ଉପସ୍ଥାପନ କରି ସେ ଆହୁରି ଲେଖିଛନ୍ତି, ଅବଶ୍ୟ ଜୁଲାଇ ମାସ ମଧ୍ୟ ଭାଗରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଯିବ। କିନ୍ତୁ ସ୍ୱତନ୍ତ୍ର ଅଧିବେଶନ ଡକାଯିବା ଦ୍ୱାରା ଏକ ଭିନ୍ନ ସଙ୍କେତ ମିଳିବ। ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସମ୍ପୂର୍ଣ୍ଣ ଧୋଇଯିବା ଦ୍ୱାରା ଯେଉଁ କ୍ଷତି ହୋଇଛି, ସ୍ୱତନ୍ତ୍ର ଅଧିବେଶନ ମାଧ୍ୟମରେ ତାହାର କିଛି ଅଂଶ ଭରଣା କରାଯାଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା ପୂର୍ବକ ରମେଶ ଦର୍ଶାଇଛନ୍ତି, ବିଗତ ୪ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ରାଜନୈତିକ ଦଳଗୁଡିକ ସହିତ ତାତ୍ତ୍ୱିକ ଏବଂ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାରେ ବିଫଳ ହୋଇଛନ୍ତି। ସମ୍ପ୍ରତିକ ସମୟରେ ସଂସଦକୁ ସୁରୁଖୁରୁରେ ଚଳାଇବା ଦିଗରେ କେନ୍ଦ୍ର ସରକାର ଉଦ୍ୟମ କରିବା ଆବଶ୍ୟକ। ଏଥିନେଇ ସମସ୍ତ ରାଜନୈତିକ ଦଳଗୁଡିକ ସହିତ ସରକାର ଆଲୋଚନା କରିବା ଉଚିତ। କିନ୍ତୁ ବିଗତ ଦିନଗୁଡିକରେ ସରକାରଙ୍କ ପକ୍ଷରୁ ସେଭଳି କିଛି ଉଦ୍ୟମ ହୋଇନାହିଁ। ଏପରିକି ସରକାର ଗତ ୪ ବର୍ଷ ହେବ ସଂସଦୀୟ କାର୍ଯ୍ୟ ଆଗେଇ ନେବା ଦିଗରେ ସେଭଳି କିଛି ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ରମେଶ ଅଭିଯୋଗ କରିଛନ୍ତି।
ସଂସଦୀୟ କାର୍ଯ୍ୟରେ ବାଧା ସୃଷ୍ଟି ପ୍ରସଙ୍ଗକୁ ନେଇ ଉଭୟ ଶାସକ ଦଳ ବିଜେପି ଏବଂ କଂଗ୍ରେସ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି। ସଦ୍ୟ ସମାପ୍ତ ହୋଇଥିବା ଅଧିବେଶନରେ ବିରୋଧୀ ଦଳଗୁଡିକର ଆଚରଣକୁ ବିରୋଧ କରି ଏନ୍‌ଡିଏ ସାଂସଦମାନେ ଏପ୍ରିଲ ୧୨ରେ ଅନଶନ କରିବେ। କିନ୍ତୁ ଏହା ପୂର୍ବରୁ ଏପ୍ରିଲ ୯ରେ ଅନଶନ କରି ଏହି ପ୍ରସଙ୍ଗରେ ବିଜେପି କିଭଳି ମିଥ୍ୟା ଅଭିଯୋଗ କରୁଛି ତାହାର ପର୍ଦାଫାସ କରିବା ନିମନ୍ତେ କଂଗ୍ରେସ କର୍ମୀମାନଙ୍କୁ ଦଳୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆହ୍ୱାନ ଦେଇଛନ୍ତି। ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଫେବୃଆରୀ ୯ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଲୋକସଭାରେ ୧୩୪% ଏବଂ ରାଜ୍ୟସଭାରେ ୯୬% କାର୍ଯ୍ୟ ସମ୍ପାଦିତ ହୋଇଥିଲା। କିନ୍ତୁ ମାର୍ଚ୍ଚ ୫ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଲୋକସଭାରେ ମାତ୍ର ୪% ଏବଂ ରାଜ୍ୟସଭାରେ ୭% କାର୍ଯ୍ୟ ହୋଇପାରିଥିଲା।

Leave A Reply