ଏଣିକି କ୍ଷେପଣାସ୍ତ୍ର ନିରୋଧୀ ବିମାନରେ ବିଦେଶ ଯାତ୍ରା କରିବେ ମୋଦୀ

ନୂଆଦିଲ୍ଲୀ: ଏଣିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଯାତ୍ରା ଲାଗି ବ୍ୟବହାର ହେବ ସ୍ବତନ୍ତ୍ର ବିମାନ। କେବଳ ମୋଦୀ ନୁହନ୍ତି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁଙ୍କ ଗସ୍ତ ସମୟରେ ମଧ୍ୟ ଏହି ସ୍ବତନ୍ତ୍ର ବିମାନ ବ୍ୟବହାର କରାଯିବ। ବିମାନରେ କ୍ଷେପଣାସ୍ତ୍ର ନରୋଧୀ ବ୍ୟବସ୍ଥା ରହିଥିବାରୁ ଏହା ଅନ୍ୟ ବିମାନଗୁଡ଼ିକଠାରୁ ଭିନ୍ନ ଏବଂ ସ୍ବତନ୍ତ୍ର। ଏହି ବିମାନର ବୈଶିଷ୍ଟ୍ୟ ଆମେରିକା ରାଷ୍ଟ୍ରପତି ଗସ୍ତ କରୁଥିବା ବିମାନ ଆମେରିକା ‘ଏୟାରଫୋର୍ସ ୱାନ’ ବିମାନ ଭଳି। ଆସନ୍ତା ୨୦୨୦ ସୁଦ୍ଧା ଏୟାର ଇଣ୍ଡିଆରେ ଏଭଳି ୨ଟି ବୋଇଂ ୭୭୭ ବିମାନ ସାମିଲ ହେବ, ଯେଉଁଥିରେ ଅତ୍ୟାଧୁନିକ ଟେକ୍ନୋଲୋଜି ସହିତ ଉନ୍ନତ ମାନର ସୁରକ୍ଷା ବ୍ୟବସ୍ଥା ରହିବ। ଦେଶର ୩ ସର୍ବୋଚ୍ଚ ବ୍ୟକ୍ତି ଯଥା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତି ବର୍ତ୍ତମାନ ଏୟାର ଇଣ୍ଡିଆର ବୋଇଂ ବି ୭୪୭ ବିମାନରେ ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି। ଏହି ବିମାନ ପ୍ରାୟ ୨୦ ବର୍ଷରୁ ଅଧିକ ପୁରୁଣା।

କେତେଜଣ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଏହି ୨ଟି ବିମାନକୁ ଆମେରିକାର ଡଲାସସ୍ଥିତ ବୋଇଂ ସର୍ଭିସ ସେଣ୍ଟରରେ ଅପଗ୍ରେଡ୍‌ କରାଯାଉଛି। ସୁରକ୍ଷା ଦୃଷ୍ଟି କୋଣରୁ ଏହି ବିମାନ ଦୁଇଟି ଆମେରିକା ରାଷ୍ଟ୍ରପତିଙ୍କ ଏୟାରଫୋର୍ସ ୱାନ ବିମାନଠାରୁ ଉନ୍ନତ ହେବ। ଏହି ବିମାନରେ ଇନ୍ଧନ ଭରିବା ଲାଗି ସ୍ଥଳଭାଗରେ ଅବତରଣ କରିବାକୁ ପଡ଼ିବ ନାହିଁ। ଅର୍ଥାତ ଆକାଶ ମାର୍ଗରେ ଉଡ଼ାଣ ସମୟରେ ଏଥିରେ ଇନ୍ଧନ ଭରଣ କରାଯାଇ ପାରିବ। ନୂଆ ବିମାନରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ଅଫିସ ଏବଂ ବୈଠକ କକ୍ଷ ରହିବ। ଆମେରିକା ରାଷ୍ଟ୍ରପତିଙ୍କ ଏୟାରଫୋର୍ସ ୱାନ ବିମାନ ଭଳି ଏହି ବିମାନରେ ସେଲ୍ଫ ପ୍ରୋଟେକ୍ସନ ସୁଟ୍‌(ଏସପିଏସ) ରହିବ। ଶତ୍ରୁ ପକ୍ଷର ରାଡାରକୁ ଏହି ବିମାନ ଜାମ୍‌ କରିଦେଇ ପାରିବ ଏବଂ ସେମାନଙ୍କ କ୍ଷେପଣାସ୍ତ୍ରର ରାସ୍ତାକୁ ବି ବଦଳାଇଦେଇ ପାରିବ।

Comments are closed.