କୋଟିଆ ପାଇଁ ହୋଇଥିଲା ସ୍ୱତନ୍ତ୍ର ଯୋଜନା, ବିଗାଡି ଦେଲା ପ୍ରଶାସନିକ ଶିଥିଳତା

ଭୁବନେଶ୍ୱର: ଓଡିଶା ସୀମାରେ ଥିବା କୋଟିଆ ଗ୍ରାମପୁଞ୍ଜ ଲାଗି ରାଜ୍ୟ ସରକାର ୨୦୧୮ରେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରି ସେଥିରୁ ଅନେକ କାର୍ୟ୍ୟ ହାତକୁ ନେଇଥିଲେ। ବିଜେଡି ସରକାର ପଞ୍ଚମ ଥର କ୍ଷମତାକୁ ଆସିବା ପରେ ପ୍ରଶାସନିକ ଶିଥିଳତା ଯୋଗୁ କୋରାପୁଟର ସୀମାନ୍ତ କୋଟିଆ ଭଳି ଅଞ୍ଚଳରେ ଆନ୍ଧ୍ର ଅନୁପ୍ରବେଶ କରିବାରେ ସକ୍ଷମ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ବିଗତ ସରକାର ସମୟରେ ଆନ୍ଧ୍ର ସରକାର କୋଟିଆରେ ଏକ ରାସ୍ତା ନିର୍ମାଣ କରିବାକୁ କେନ୍ଦ୍ର କରି ବିବାଦ ମୁଣ୍ଡ ଟେକିଥିଲା। ସରକାରୀ ଅବହେଳାର କ୍ରମାଗତ ଶିକାର ହୋଇଆସୁଥିବା କୋଟିଆବାସୀଙ୍କୁ ଆନ୍ଧ୍ର ସରକାର ନିଜ ଆଡକୁ ନେବାକୁ ଉଦ୍ୟମ ଚଳାଇଥିଲା। ଏ ଖବର ସରକାର ଜାଣିବାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଏହାର ତଦନ୍ତ କରି ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗକୁ ନିର୍ଦେଶ ଦିଆଯାଇଥିଲା। ତଦନୁଯାୟୀ କୋଟିଆବାସୀଙ୍କର ଭଲମନ୍ଦ ବୁଝିବା ସହିତ ଆବଶ୍ୟକ ପଦକ୍ଷେପ ନେବା ଲାଗି ସରକାର କେବିକେର ତତ୍କାଳୀନ ଅଧ୍ୟକ୍ଷ ଏସ୍‍.ପି.ଠାକୁରଙ୍କ ଅଧ୍ୟକ୍ଷତାରେ ଏକାଧିକ ବିଭାଗକୁ ନେଇ ଏକ ୫ ଜଣିଆ କମିଟି ଗଠନ କରିଥିଲେ। ଉକ୍ତ କମିଟିରେ ତତ୍କାଳୀନ ପୁଲିସ ଆଇଜି ସଞ୍ଜୀବ ପଣ୍ଡା ଓ ରାଜସ୍ୱ ବିଭାଗର ପଦସ୍ଥ ଅଧିକାରୀ ଅକ୍ଷୟ ନାୟକଙ୍କ ସମେତ ଅନ୍ୟ ବିଭାଗର ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ସଦସ୍ୟ ଭାବେ ନିଆଯାଇଥିଲା। ଉକ୍ତ କମିଟି କୋଟିଆ ଗସ୍ତ କରି ଲୋକଙ୍କର ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଗମନାଗମନ ଲାଗି ଭଲ ରାସ୍ତା, ପିଇବା ପାଣି, ସାପ୍ତାହିକ ହାଟ, ବିଦ୍ୟୁତ୍‍, ସ୍କୁଲ, କଲେଜ, ଟେଲିଫୋନ୍‍, ବଦଳି ହୋଇ ଆସିଲେ ଅଫିସର ଓ ସରକାରୀ କର୍ମଚାରୀଙ୍କ ରହିବା ଲାଗି ରେସିଡେନ୍ସିଆଲ୍‍ କମ୍ପେ୍ଲକ୍ସ ନିର୍ମାଣ, ବିଭିନ୍ନ ସରକାରୀ କାର୍ୟ୍ୟାଳୟ ଯେପରି ପାଖାପାଖି ରହିପାରିବ ସେଥିଲାଗି ଅଫିସ୍‍ କମ୍ଫେ୍ଲକ୍ସ ନିର୍ମାଣ କରାଯିବା ନିମନ୍ତେ କମିଟି ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।

ଏଥିଲାଗି ଏକ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। କମିଟିର ସଦସ୍ୟମାନେ ରାସ୍ତା, ବ୍ରିଜ୍‍ ନିର୍ମାଣ ଆଦି ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ଅଗ୍ରଗତି ସବୁକୁ ସରଜମିନ ତଦାରଖ କରିଥିବା ବେଳେ ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ମଧ୍ୟ କମିଟିର କାର୍ୟ୍ୟକୁ ବାରମ୍ବାର ସମୀକ୍ଷା କରିଥିଲେ। ସରକାରୀ କଳର ତତ୍ପରତା ଯୋଗୁ ପ୍ରସ୍ତାବିତ ବ୍ଲୁ ପ୍ରିଣ୍ଟର ୫୦ ପ୍ରତିଶତ କାମ ଶେଷ ହୋଇପାରିଥିଲା ଓ ରାଜ୍ୟ ସରକାରଙ୍କ ଉପରେ କୋଟିଆବାସୀ ଭରସା ସୃଷ୍ଟି କରିବାକୁ ସକ୍ଷମ ହୋଇପାରିଥିଲେ; କିନ୍ତୁ ପଞ୍ଚମବାର ସରକାର ଗଠନ ପରେ ଏଠାରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ପ୍ରଶାସନିକ ଉଦାସୀନତା କାରଣରୁ ସମସ୍ତେ କୋଟିଆକୁ ଏକପ୍ରକାର ଭୁଲି ଗଲେ। ଏକାଧିକ ବିଭାଗକୁ ନେଇ ଗଠିତ କମିଟିର ସୁପାରିଶ କେତେଦୂର କାର୍ୟ୍ୟକ୍ଷମ ହେଲା ତାହାକୁ ଆଉ କେହି ଦୃଷ୍ଟି ଦେଲେ ନାହିଁ। ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଆଉ କୋଟିଆ ଗସ୍ତରେ ଗଲେନି କି ରାଜସ୍ୱ ମନ୍ତ୍ରୀ କୋଟିଆର ପ୍ରଗତି ଲାଗି ଚାଲିଥିବା କାର୍ୟ୍ୟର ସମୀକ୍ଷା ମଧ୍ୟ କଲେନି। ଯଥା ପୂର୍ବଂ ତଥା ପରମ୍‍ ଭଳି ପୁଣି କୋଟିଆବାସୀ ରାଜ୍ୟ ସରକାରୀ କଳ ଅବହେଳାର ସମ୍ମୁଖୀନ ହେଲେ।

ଏହି ସୁଯୋଗକୁ ଆନ୍ଧ୍ର ଚାହିଁ ବସିଥିଲା। ଆନ୍ଧ୍ର ସରକାରଙ୍କ ଅଧିକାରୀମାନେ କୋଟିଆ ଗ୍ରାମପୁଞ୍ଜକୁ ଯାଇ ସେଠାରେ ଲୋକଙ୍କୁ ବିଭିନ୍ନ ସୁବିଧା ଯୋଗାଇ ନିଜ ଆଡକୁ ଆକୃଷ୍ଟ କରିବାକୁ ଲାଗିପଡିଲେ। ଓଡିଶାରେ ରହି ଏହିସବୁ ଲୋକମାନେ ରାଜ୍ୟ ସରକାରଙ୍କ ଠାରୁ କୌଣସି ସୁବିଧା ନପାଇବା ବେଳେ ଆନ୍ଧ୍ର ଠାରୁ ସମସ୍ତ ସୁବିଧା ପାଇ ଏବେ ନିଜକୁ ଓଡିଆ କହିବାକୁ ପଛଘୁଞ୍ଚା ଦେଲେଣି। ଏପରିକି ଓଡିଶାର କୋଟିଆବାସୀ ଆନ୍ଧ୍ର ପାଇଁ ଓକିଲାତି କରିବା ଆରମ୍ଭ କରିଦେଇଛନ୍ତି। ପ୍ରଶାସନିକ ତତ୍ପରତା ଅଭାବରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସାଧାରଣରେ ଆଲୋଚନା ହେଉଛି।

Comments are closed.