ମହିଳାଙ୍କ ପାଇଁ ସ୍ବତନ୍ତ୍ର ପାର୍କିଂ ସ୍ଥାନ

କେବଳ ଆମ ଦେଶ ନୁହେଁ, ଅନ୍ୟ ରାଷ୍ଟ୍ରଗୁଡ଼ିକରେ ଏବେ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଆଇନ ପ୍ରଣୟନ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ବଡ଼ବଡ଼ କମ୍ପାନୀର ଉଚ୍ଚ ପଦରେ ମହିଳାମାନେ କାମ କରିବା ସହ ସେମାନେ ନିଜ ଦକ୍ଷତାକୁ ମଧ୍ୟ ପ୍ରମାଣିତ କରୁଛନ୍ତି। ଚୀନ୍, ସବୁବେଳେ ଚର୍ଚ୍ଚାରେ ରହୁଥିବା ଏଇ ରାଷ୍ଟ୍ରରେ ସମୟକ୍ରମେ ଲୋକଙ୍କ ଜୀବନଶୈଳୀ ପରିବର୍ତ୍ତିତ ହେଉଛି। ୨୦୧୮ର ଘଟଣାଟି, ବେଜିଂର ଏକ କମ୍ପାନୀରେ କାମ କରୁଥିବା ମହିଳା କର୍ମଚାରୀଙ୍କୁ ଅନ୍ୟ ପୁରୁଷ କର୍ମଚାରୀମାନେ ଅସୁବିଧାରେ ପକାଇଲେ। କମ୍ପାନୀର ପାର୍କିଂ ସ୍ଥାନରେ ପୁରୁଷ କର୍ମଚାରୀମାନେ ଜୋର୍‌ ଜବରଦସ୍ତ ସେମାନଙ୍କ କାର୍‌କୁ ପ୍ରଥମେ ପାର୍କିଂ କରୁଥିଲେ, କମ୍ପାନୀର ଏଚ୍.ଆର୍ ଥିବା ପିଓନିଙ୍କ ଦୃଷ୍ଟିକୁ ଏଇ ଘଟଣା ଆସିଲା। ସେ ପ୍ରଥମେ ପୁରୁଷ କର୍ମଚାରୀମାନଙ୍କୁ ଇ-ମେଲ୍ କରି ଉପଦେଶ ଦେଲେ, ହେଲେ ପୁରୁଷ ପ୍ରଧାନ ସମାଜରେ ମହିଳାଙ୍କୁ ଅଧିକାର ମିଳିବା ଏତେଟା ସହଜ ନଥିଲା। ଦିନକେଇଟା ପରେ ସେଇ ଅସୁବିଧା ଆରମ୍ଭ ହୋଇଗଲା। ମହିଳା କର୍ମଚାରୀ ଯଦି ପୂର୍ବରୁ ପାର୍କିଂରେ ଗାଡ଼ି ରଖିଲେ, ତାଙ୍କ ଗାଡ଼ିର କାଚ ଭାଙ୍ଗିଲା ତ’ ଅନ୍ୟ କେଉଁଦିନ କାହା କାର୍‌ ଉପରେ ଅଳିଆ ଆବର୍ଜନା ପଡ଼ିଲା। ଦିନକୁଦିନ ମହିଳା କର୍ମଚାରୀଙ୍କ ପ୍ରତି ଅତ୍ୟାଚାର ବଢ଼ୁଥିବା ଦେଖି କମ୍ପାନୀ ମୁଖ୍ୟ ଶେଷରେ ପାର୍କିଂ ସ୍ଥାନରେ ନୂଆ ନିୟମ ଲାଗୁ କରାଇଲେ। ଈଷତ୍ ଗୋଲାପୀ ରଙ୍ଗର ସଙ୍କେତ ଥିବା ସ୍ଥାନରେ କେବଳ ମହିଳାମାନେ ହିଁ ଗାଡ଼ି ରଖିବାର ବନ୍ଦୋବସ୍ତ ହେଲା, ପୁରୁଷ କର୍ମଚାରୀ ଗାଡ଼ି ସେଠାରେ ରଖିଲେ ସେମାନଙ୍କୁ ଦେବାକୁ ପଡ଼ିବ ଜୋରିମାନା। ଯେଉଁ କେତେଜଣ ମହିଳା କର୍ମଚାରୀଙ୍କୁ ରୀତିମତ ହଇରାଣ କରୁଥିଲେ, ସିସିଟିଭି ଫୁଟେଜ୍‌‌ରୁ ସେମାନଙ୍କ ଫଟୋ ଦେଖାଯାଇ ୨ମାସ ପାଇଁ ସସ୍‌ପେଣ୍ଡ କରାଗଲା। ଚୀନ୍ କମ୍ପାନୀ ନେଇଥିବା ଏହି ପଦକ୍ଷେପଟି ସମଗ୍ର ବିଶ୍ବବାସୀଙ୍କ ପାଇଁ ଶିକ୍ଷଣୀୟ।

Comments are closed.