ବିକାଶରେ ଅଂଶୀଦାରଙ୍କ ସହଭାଗିତା

ପଞ୍ଚଦଶ ଅର୍ଥ ଆୟୋଗ ଅଧ୍ୟକ୍ଷ ଏନ. କେ ସିଂଙ୍କ ପୁସ୍ତକ “ରିକ୍ୟାଲିବ୍ରେଟ : ଚେଞ୍ଜିଂ ପାରାଡାଇମ୍ସ”ରେ ଭାରତର ପ୍ରଗତି ଏବଂ ସାମ୍ପ୍ରତିକ ବିକାଶ ଲକ୍ଷ୍ୟର ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ.ମିଶ୍ରଙ୍କ ‘ନିର୍ଦିଷ୍ଟ ଅନ୍ତର୍ଦୃଷ୍ଟି’କୁ ନେଇ ପ୍ରସ୍ତୁତ ଏ ପୁସ୍ତକରେ ସ୍ଥାନିତ ବିଷୟବସ୍ତୁ କେତେକ ଐତିହାସିକ ଅନ୍ତର୍ଜାତୀୟ ରାଜିନାମା ଯଥା : ବିପର୍ଯ୍ୟୟ ପ୍ରଶମନ ପାଇଁ ସେଣ୍ଡାଇ ଫ୍ରେମୱର୍କ, ମିଳିତ ଜାତିସଂଘ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ଏବଂ ପ୍ୟାରିସ ରାଜିନାମା ପରିପ୍ରେକ୍ଷୀରେ ଅଧିକ ପ୍ରାସଙ୍ଗିକ ହୋଇପଡ଼ିଛି।

ପ୍ରଶାସକ ଭାବେ ଶ୍ରୀ ସିଂ ଏବଂ ଶ୍ରୀ ମିଶ୍ରଙ୍କର ନିର୍ଦିଷ୍ଟ କ୍ଷେତ୍ରରେ ଦୀର୍ଘ ଦିନର ଅଭିଜ୍ଞତା ରହିଛି। ଲେଖକ ମାନଙ୍କର କାର୍ଯ୍ୟ କ୍ଷେତ୍ରରେ ଗଭୀର ଜ୍ଞାନ ଏବଂ ଚିନ୍ତନଶୀଳ ଅନୁଭୂତି ଏ ପୁସ୍ତକରେ ଉଲ୍ଲେଖ କରାଯାଇଥିବା ପ୍ରତ୍ୟେକ ପ୍ରବନ୍ଧରେ ପ୍ରତିଫଳିତ ହୋଇଛି। ଲେଖକ ସମ୍ପୂର୍ଣ୍ଣ ଉତ୍ତରଦାୟିତ୍ୱର ସହ ସ୍ପଷ୍ଟ ଭାବେ ମତ ଉପସ୍ଥାପନ କରିଛନ୍ତି। ବିଭିନ୍ନ ପ୍ରସଙ୍ଗ ଉପରେ ଏହି ପୁସ୍ତକରେ ଆଲୋକପାତ କରାଯାଇଛି ଯାହାକି ଅତ୍ୟନ୍ତ ପଠନ ଉପଯୋଗୀ, ସୂଚନାପ୍ରଦ ଏବଂ ଚିନ୍ତନଶୀଳ ହୋଇପାରିଛି । ଫସଲ ବୀମା ଏବଂ ବିପର୍ଯ୍ୟୟ ପ୍ରଶମନ ଭଳି ଆମ ରାଷ୍ଟ୍ର କଲ୍ୟାଣ ଉପରେ କେନ୍ଦ୍ରିତ ବିଭିନ୍ନ ଜଟିଳ ବିଷୟବସ୍ତୁକୁ ଅନାବଶ୍ୟକ ଶବ୍ଦ ଜାଲରେ ଛନ୍ଦିବା ପରିବର୍ତ୍ତେ ଅତ୍ୟନ୍ତ ସରଳ ଭାବେ ପୁସ୍ତକରେ ବର୍ଣ୍ଣନା କରାଯାଇଛି, ଯାହାକୁ ସାଧାରଣ ବ୍ୟକ୍ତି ମାନେ ମଧ୍ୟ ବୁଝିପାରିବେ। କର୍ତ୍ତବ୍ୟରତ ବ୍ୟକ୍ତିଙ୍କ ଦ୍ୱାରା ରଚିତ ହୋଇଥିବାରୁ ସ୍ୱାଭାବିକ ଭାବେ ଏଥିରେ କେତେକ ଆତ୍ମଜୀବନୀ ସଦୃଶ ଉପାଖ୍ୟାନ ରହିଛି। କିନ୍ତୁ କୌଣସି ଅହେତୁକ ରାଜନୈତିକ ପ୍ରଶଂସା ଏଥିରେ ନାହିଁ। ନିର୍ଦିଷ୍ଟ କ୍ଷେତ୍ରରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିବା କାରଣରୁ ପରିକଳ୍ପନାର ସରଳ ବର୍ଣ୍ଣନା, ସନ୍ତୁଳିତ ଆକଳନ ଏବଂ ବ୍ୟକ୍ତିଗତ ସ୍ପଷ୍ଟତା ମାଧ୍ୟମରେ ଲେଖକଙ୍କର ବିଶେଷଜ୍ଞତା ଏ ପୁସ୍ତକରେ ଉଜାଗର ହୋଇପାରିଛି। ସକାରାତ୍ମକ ପରିଣାମ କ୍ଷେତ୍ରରେ ‘ମୁଁ ଏହା କରିଛି’ ଏବଂ ଅବାଞ୍ଛିତ ପରିଣାମ କ୍ଷେତ୍ରରେ ‘ଅନ୍ୟ କେହି ସେମିତି କରିଥିବ’ ଭଳି ବ୍ୟାଖ୍ୟା ଏ ପୁସ୍ତକରେ ନାହିଁ।

ବିଶେଷ କ୍ଷେତ୍ରରେ ସଫଳତା ପାଇଁ ଭିନ୍ନ ଭିନ୍ନ ଅଂଶୀଦାରମାନଙ୍କୁ କିଭଳି ସାଥୀରେ ନେଇ ଆଗେଇବାକୁ ହେବ, ତାହାର ପୁନଃଅନୁଧ୍ୟାନ ପାଇଁ ମୂଳତଃ ପୁସ୍ତକରେ ଗୁରୁତ୍ୱାରୋପ କରାଯାଇଛି । ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ପ୍ରଶାସନିକ ପାରଦର୍ଶିତାର ବିକାଶ, ସଶକ୍ତୀକରଣ ଏବଂ କେନ୍ଦ୍ର, ରାଜ୍ୟ ଓ ତୃତୀୟ ସ୍ତରର ପ୍ରଶାସନ ମଧ୍ୟରେ ସମନ୍ୱୟ ଆଦି ବିଷୟ ଅତ୍ୟନ୍ତ ବିସ୍ତୃତ ଭାବେ ଏଥିରେ ବର୍ଣ୍ଣନା କରାଯାଇଛି। ଏହା ବାସ୍ତବରେ ଏକ ବହୁମୁଖୀ ବିଷୟ ଯେଉଁଥିରେ ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ, ଗଣିତ (ଅନ୍ୟାନ୍ୟ ବିଷୟ ମଧ୍ୟରେ, ପୂର୍ବାନୁମାନ ଏବଂ ଦୀର୍ଘସ୍ଥାୟୀ-ବିଲ୍ଡିଂ କୋଡ ଏବଂ ପୁନଃନିର୍ମାଣକୁ ପ୍ରୋତ୍ସାହନ) ଏବଂ ସାମାଜିକ ବିଜ୍ଞାନ (ପାଣ୍ଠି ଯୋଗାଣ ଏବଂ ଜୀବିକା ନେଟୱର୍କର ତ୍ୱରିତ ପୁନଃନିର୍ମାଣ ଲାଗି) ଆଦି ସାମିଲ ରହିଛି।

ଆଗୁଆ ସତର୍କ ସୂଚନା ଓ ସ୍ୱୟଂ-ସହାୟତା ପାଇଁ ପରାମର୍ଶ, ସମାଜ ପାଇଁ ବିଜ୍ଞାନର ପ୍ରୟୋଗ ଏବଂ ସମର୍ପିତ ଆଇନ ଦ୍ୱାରା ସମର୍ଥିତ ଏକ ସ୍ପଷ୍ଟ ବହୁସ୍ତରୀୟ ପରିଚାଳନା ନିୟମ ପ୍ରତି ଜନକୈନ୍ଦ୍ରିକ ଆଭିମୁଖ୍ୟ ଉପରେ ଏହି ପୁସ୍ତକରେ ଗୁରୁତ୍ୱ ଦିଆଯାଇଛି ଯାହାକି ଉଦ୍ଦେଶ୍ୟ ସାଧନର ସ୍ପଷ୍ଟ, ପ୍ରଭାବୀ ଓ କୁଶଳୀ କାର୍ଯ୍ୟ କାରିତାରେ ସହାୟକ ହୋଇଥାଏ। ଫଳସ୍ୱରୂପ, ସାମଗ୍ରିକ ଭାବରେ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଲାଗି ସରକାରଙ୍କ ଦୂରଦର୍ଶିତା ଓ ସାମର୍ଥ୍ୟ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ବୃଦ୍ଧି ପାଇଛି।
ଉନ୍ନତ ଭିତ୍ତିଭୂମି ନିର୍ମାଣ

ଜାନୁଆରୀ ୨୦୦୧ରେ କଚ୍ଛ ଭୂମିକମ୍ପ ଏବଂ ଗୁଜରାଟ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ପ୍ରତିଷ୍ଠା ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲା। ଘର ମାଲିକଙ୍କ ଦ୍ବାରା ଆବାସ ପୁନଃନିର୍ମାଣ, ବିଦ୍ୟାଳୟ ଭଳି ସାର୍ବଜନୀନ ଭିତ୍ତିଭୂମି ପୁନଃନିର୍ମାଣରେ ଜନଭାଗିଦାରୀ, ନିଷ୍ପତ୍ତିରେ ସ୍ୱଚ୍ଛତା ଏବଂ ନ୍ୟାୟୋଚିତ ପରିଣାମ ଭଳି ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଏକାଧିକ ବିପର୍ଯ୍ୟୟ ସହିତ ଦେଶ ଏବଂ ସମଗ୍ର ବିଶ୍ୱ ବାରମ୍ବାର ଏଭଳି ବିପତ୍ତିର ସମ୍ମୁଖିନ ହେବାର ଆଶଙ୍କା ରହିଛି। ଏହି କ୍ରମରେ ‘କୋଭିଡ-୧୯ ଏବଂ ବିପର୍ଯ୍ୟୟ ପ୍ରଶମନର ଭବିଷ୍ୟତ’ ଅଧ୍ୟାୟରେ ଅଧିକ ସକ୍ରିୟ ବିପତ୍ତି ଆକଳନ ଉପରେ ସ୍ପଷ୍ଟ ଭାବେ ଆଲୋକପାତ କରାଯାଇଛି। ବର୍ତ୍ତମାନର ସୀମିତ ବ୍ୟବସ୍ଥା ଏବଂ ଆହୁରି ଅଧିକ କାର୍ଯ୍ୟ କରିବାର ଆବଶ୍ୟକତା ବିଷୟରେ ସ୍ୱୀକାର କରିବା ଲାଗି ଲେଖକ କୁଣ୍ଠାବୋଧ କରିନାହାନ୍ତି।
ବିତ୍ତୀୟ ପ୍ରସଙ୍ଗ ଉପରେ ଆଧାରିତ ଅଧ୍ୟାୟରେ ବିଭିନ୍ନ ଆନ୍ତଃସଂଯୁକ୍ତ ବିଷୟ ଉପରେ ବ୍ୟାପକ ଆଲୋଚନା କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ଗତ ୩ ଦଶନ୍ଧି ଧରି ଅନେକ କାର୍ୟ୍ୟ ଅସମ୍ପୂର୍ଣ୍ଣ ହୋଇ ରହିଛି ଏବଂ ପ୍ରଗତିଶୀଳ ଲକ୍ଷ୍ୟ (ଏସଡିଜି ଏବଂ ଜଳବାୟୁ ସଂକ୍ରାନ୍ତ) ହାସଲ କରିବାକୁ ହେଲେ ଯଥା ସମୟରେ ଏସବୁ ଅଧୁରା କାମକୁ ସମ୍ପୂର୍ଣ୍ଣ କରିବାକୁ ହେବ ।
ଲେଖକ ଦୁଇଟି ବ୍ୟାପକ ଦିଗରେ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଛନ୍ତି : ବିତ୍ତୀୟ ଉତ୍ତର ଦାୟିତ୍ୱ ଏବଂ ବଜେଟ୍ ପରିଚାଳନା (ଏଫଆରବିଏମ) ଆଇନ ୨୦୦୩, ଏଫଆରବିଏମ ସମୀକ୍ଷା ସମିତି ରିପୋର୍ଟ ୨୦୧୭ ଏବଂ ସଂସ୍ଥାଗତ ସମାଯୋଜନ ପରେ ଔପଚାରିକ ପ୍ରତିଶ୍ରୁତି ପୂରଣ କରିବା।  ପରିମାଣାତ୍ମକ କ୍ଷେତ୍ରରେ, ମିଶ୍ରିତ ଆର୍ଥିକ ସ୍ଥିରତା ପାଇଁ ପ୍ରମୁଖ ଆହ୍ୱାନ ହେଉଛି ‘ବିତ୍ତୀୟ ସହନଶୀଳତାରୁ ବିତ୍ତୀୟ ସାଧୁତା’ ପାଇଁ ଏକ ଭରସାଯୋଗ୍ୟ ମାର୍ଗ ସନ୍ଧାନ କରିବା।

ସ୍ୱାଧୀନତାର ୭୫ତମ ବର୍ଷରେ, ମହାତ୍ମା ଗାନ୍ଧୀଙ୍କର ଏକ ଉକ୍ତି ଏଠାରେ ପ୍ରଣିଧାନଯୋଗ୍ୟ, ତାହା ହେଉଛି-ଜଣେ ବ୍ୟକ୍ତି କିମ୍ବା ଏକ ରାଷ୍ଟ୍ରର ନୈତିକ କଲ୍ୟାଣକୁ କ୍ଷତିଗ୍ରସ୍ତ କରୁଥିବା ଅର୍ଥନୀତି ଅନୈତିକ ଏବଂ ପାପ ହୋଇଥାଏ । ଲେଖକ ଏ ପୁସ୍ତକରେ ଅବତାରଣା କରିଛନ୍ତି ଯେ, “ଅସ୍ଥିର ଋଣ ମାଧ୍ୟମରେ ବର୍ଦ୍ଧିତ ବ୍ୟୟ ଏବଂ ଉଚ୍ଚ ସାର୍ବଜନୀନ ଋଣଗ୍ରସ୍ତତା ରାଷ୍ଟ୍ରର ନୈତିକ କଲ୍ୟାଣକୁ କ୍ଷତିଗ୍ରସ୍ତ କରିଥାଏ।” ଏଥିରେ ଆହୁରି ଦର୍ଶାଯାଇଛି ଯେ, ଆୟ ତୁଳନାରେ ଅଧିକ ବ୍ୟୟ ଏବଂ ମୁଦ୍ରାସ୍ଫୀତି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି। ଲେଖକ ପ୍ରକୃତରେ ଜଣେ ବହୁମୁଖୀ ଅର୍ଥଶାସ୍ତ୍ରୀ ଯିଏକି କୌଣସି ବିଚାରଧାରା ଦ୍ୱାରା ପ୍ରଭାବିତ ନୁହନ୍ତି। ତାଙ୍କର ମତାମତ ଆମ ସମସ୍ତଙ୍କ ପାଇଁ ପ୍ରଣିଧାନଯୋଗ୍ୟ।

ବିତ୍ତୀୟ ଉତ୍ତଦାୟିତ୍ୱ ଆଇନ ସହିତ, ବିତ୍ତୀୟ ସଂଘୀୟ ଢାଞ୍ଚାର ପରିଚାଳନା ପ୍ରସଙ୍ଗ ପାଇଁ ଭାରତର ଦୁଇଟି ସାମ୍ବିଧାନିକ ସଂସ୍ଥା ରହିଛି : ଅର୍ଥ ଆୟୋଗ ଏବଂ ବସ୍ତୁ ଓ ସେବା କର (ଜିଏସଟି) ପରିଷଦ। ସ୍ଥାୟୀ ଆଧାର ସହିତ ବସ୍ତୁ ଓ ସେବା କର ପରିଷଦ ଜିଏସଟି ଦର ନିର୍ଦ୍ଧାରଣ କରିଥାଏ । ଅନ୍ୟପଟେ ଅର୍ଥ ଆୟୋଗ ପାଞ୍ଚ ବର୍ଷରେ ଥରେ ରାଜ୍ୟ ଓ କେନ୍ଦ୍ର ସରକାର, ବିଭିନ୍ନ ରାଜ୍ୟ ସରକାର ଏବଂ ରାଜ୍ୟ ଓ ତୃତୀୟ ସ୍ତରର ପ୍ରଶାସନ ମଧ୍ୟରେ ରାଜସ୍ୱ ବିତରଣ କରିଥାନ୍ତି। ଅଧିକ ପ୍ରଭାବୀ ବିତ୍ତୀୟ ସଂଘୀୟ ଢାଞ୍ଚା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ସମନ୍ୱିତ ବ୍ୟବସ୍ଥା ବର୍ତ୍ତମାନ ସମୟର ଆବଶ୍ୟକତା, ଯାହା ଉପରେ ଲେଖକ ବିଶେଷ ଗୁରୁତ୍ୱାରୋପ କରିଛନ୍ତି।
ଭବିଷ୍ୟତ ପାଇଁ ଅତୀତର ଅନୁଶୀଳନ
ଅର୍ଥ ଆୟୋଗଙ୍କ ଉପରେ ଆଧାରିତ ଅଧ୍ୟାୟ ଏହି ବିଷୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବରଦାନ ସାବ୍ୟସ୍ତ ହେବ। ଭାରତ ସରକାର ଆଇନ ୧୯୧୯ ପରଠାରୁ ଏହି ସଂସ୍ଥାର ବିକାଶ ସମ୍ପର୍କରେ ଏକ ସ୍ପଷ୍ଟ ଐତିହାସିକ ବିବରଣୀ ଏବଂ ୧୯୫୧ ପରଠାରୁ ସବୁ ଅର୍ଥ ଆୟୋଗଙ୍କ ପ୍ରମୁଖ ସୁପାରିସର ସୁସଙ୍ଗତ ସାରାଂଶ ଏ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶେଷ ଦୁଇଟି ଅର୍ଥ ଆୟୋଗ ରାଜସ୍ୱ ହସ୍ତାନ୍ତରରେ ଜଙ୍ଗଲ କ୍ଷେତ୍ର ବୃଦ୍ଧି ଉପରେ ବିଶେଷ ଜୋର ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଜୈବ ବିବିଧତା ସଂରକ୍ଷଣ ପାଇଁ କେବଳ ଅସାର ଆଲୋଚନା କରିବା ପରିବର୍ତ୍ତେ, ବିଶ୍ବସନୀୟତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ତେବେ ସାମାଜିକ କ୍ଷେତ୍ରରେ କାହିଁକି ଅତ୍ୟଧିକ ଆଇନ ପ୍ରଣୟନ କରାଯାଉଛି ବିଶେଷ କରି ସେ ସମ୍ପର୍କରେ ଏକ ଅତିରିକ୍ତ ଅଧ୍ୟାୟରେ ଲେଖକମାନେ ମିଳିତ ଭାବେ ଦୃଷ୍ଟିପାତ କରିଥିଲେ ପାଠକଙ୍କ ପାଇଁ ଅଧିକ ଉପଯୋଗୀ ହୋଇପାରିଥାନ୍ତା। ପ୍ରଶାସନିକ ପୁନର୍ବିନ୍ୟାସ ନିଶ୍ଚିତ ଭାବେ ଏହି ରାଷ୍ଟ୍ରୀୟ ପ୍ରବୃତ୍ତି ଉପରେ ଆଲୋକପାତ କରିବା ଜରୁରୀ।

Comments are closed.