ଭୁବନେଶ୍ବରରେ ଆଦିତ୍ୟ-ଅଶ୍ବିନୀ ହସ୍ପିଟାଲ ପକ୍ଷରୁ ସ୍ଥାପନ ହେବ କୋବିଦ ଡ଼ାକ୍ତରଖାନା

ସପ୍ତାହକ ମଧ୍ୟରେ ନୀଳାଚଳ ହସ୍ପିଟାଲରେ କୋବିଦ ରୋଗୀଙ୍କ ଲାଗି ୧୫ ନୂଆ ଆଇସିୟୁ ଓ ୧୨୬ ଶଯ୍ୟା

ଭୁବନେଶ୍ବର: କରୋନା ମୁକାବିଲା ଲାଗି ସରକାର ପୁଣି ନେଇଛନ୍ତି ଏକ ବଡ଼ ପଦକ୍ଷେପ । କଟକ ଓ ଖୋର୍ଧା ଜିଲାରେ ବସ୍ତି ଉପରେ ଅଧିକ ଫୋକସ କରିବା ସହ ଅତିରିକ୍ତ ୩୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କରୋନା ସଂକ୍ରାନ୍ତ ସମୀକ୍ଷା ସମୟରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। କଟକ ଓ ଭୁବନେଶ୍ବରକୁ ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁହଜାର ହଜାର ଲୋକ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ବିଶେଷ ଯତ୍ନବାନ ହେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ସୂଚନା ଅନୁସାରେ  ଭୁବନେଶ୍ବରରେ ଆଦିତ୍ୟ-ଅଶ୍ବିନୀ ଡାକ୍ତରଖାନା ପକ୍ଷରୁ ୩୦ଟି ଆଇସିୟୁ ସହିତ ୧୫୦ ଶଯ୍ୟା ବିଶିଷ୍ଟ କୋବିଦ ହସପିଟାଲ (ଡ଼େଡ଼ିକେଟେଡ଼୍ କୋବିଡ଼ ହସ୍ପିଟାଲ)  ପ୍ରତିଷ୍ଠା କରାଯିବ। ସେହିପରି ନୀଳାଚଳ ଡ଼ାକ୍ତରଖାନାରେ ୧୫ଟି ଆଇସିୟୁ ସହ ୧୨୬ ଶଯ୍ୟା ବିଶିଷ୍ଟ ଡ଼େଡ଼ିକେଟେଡ଼୍ କୋବିଡ଼ ହସପିଟାଲ କାର୍ଯ୍ୟ କରିବ ।

ରାଜଧାନୀର  ତିନି ବିଧାୟକଙ୍କ ସକ୍ରିୟ ସହଯୋଗ ଏବଂ ଭୁବନେଶ୍ବରର ବିଭିନ୍ନ ଧାର୍ମିକ, ସାମାଜିକ ଅନୁଷ୍ଠାନ ଓ ଆବାସିକ କଲ୍ୟାଣ ସଂସ୍ଥା ଗୁଡିକ ଦ୍ବାରା ଭୁବନେଶ୍ବରରେ ୧୩୮୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହୋମ୍‌ ସ୍ଥାପନ କରାଯିବ । ଭୁବନେଶ୍ବରର ବସ୍ତି ମାନଙ୍କରେ କୋଭିଡ ସଂକ୍ରମଣ ରୋକିବା ଉପରେ ଅଧିକ ଗୁରୁତ୍ବ ଦିଆଯିବ ଏବଂ ଯେଉଁ ବସ୍ତି କମିଟିଗୁଡ଼ିକ ଭଲ କାମ କରିବ ସେଗୁଡ଼ିକୁ ପ୍ରୋତ୍ସାହିତ କରାଯିବ । କଟକ ଜିଲ୍ଲାରେ କୋଭିଡ ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଇଛି । ୯୨୫ ଅତିରିକ୍ତ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ, କୋଭିଡ କେୟାର ସେଣ୍ଟର କଟକ ଜିଲ୍ଲାରେ କାର୍ୟ୍ୟ କରୁଛି। ତେବେ  ପୂଜା କମିଟି ଓ ସାହି କମିଟିର ସହଯୋଗରେ କଟକର ସାହି ବସ୍ତି ମାନଙ୍କ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଠକରେ ରାଜ୍ୟ  ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ବାଇଁ  ନଗର ଉନ୍ନୟନ, ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ  ପ୍ରତାପ ଜେନା,  ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ  ଅଶୋକ ପଣ୍ଡା,
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଖୋର୍ଧା ଓ କଟକ ଜିଲାର ଜିଲାପାଳ, କୋବିଡ଼ ନିୟନ୍ତ୍ରଣ ନିମନ୍ତେ ନିଯୁକ୍ତ ନୋଡ଼ାଲ ଅଫିସର ଯୋଗ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀମାନେ କୋବିଡ଼ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଡ଼ାକ୍ତରଖାନା, ଗୁଟଖା ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଆଦି ପ୍ରସଙ୍ଗରେ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଥିଲେ ।

Comments are closed.