ଅନ୍ୟ ଗ୍ରହରେ ଜୀବନ ସମ୍ପର୍କରେ ଜଣାଇବ ଚିପ୍

ମହାକାଶର ଅନାବିଷ୍କୃତ ରହସ୍ୟ ସମ୍ପର୍କରେ ଜାଣିବାକୁ ମଣିଷ ସବୁବେଳେ ଉତ୍ସୁକ ହୋଇ ରହିଛି। ବିଶେଷକରି ଅନ୍ୟଗ୍ରହଗୁଡିକରେ ଜୀବନର ସନ୍ଧାନ ଖୋଜିବା ମହାକାଶ ବିଜ୍ଞାନୀମାନଙ୍କର ପ୍ରମୁଖ କାମ ପାଲଟି ଯାଇଛି। ଏବେ ଏହି ପ୍ରକ୍ରିୟା ସହଜ କରିବା ଲାଗି ବୈଜ୍ଞାନିକମାନେ ଏକ ସ୍ୱୟଞ୍ଚାଳିତ ମାଇକ୍ରୋଚିପ୍ ପ୍ରସ୍ତୁତ କରିଛନ୍ତି ଯାହା ଇଲେକ୍ଟ୍ରୋଫୋରୋସିସ୍ ବା ବୈଦ୍ୟୁତିକକଣିକା ସଞ୍ଚଳନ ଦ୍ୱାରା ଏଭଳି ଗବେଷଣାରେ ସହାୟକ ହୋଇପାରିବ। ଆମେରିକାନ୍ କେମିକାଲ ସୋସାଇଟି ପ୍ରସ୍ତୁତ ଏହି ଚିପ୍କୁ କୌଣସି ମହାକାଶଯାନର ରୋଭର ସହାୟତାରେ ଉକ୍ତ ଗ୍ରହ ପୃଷ୍ଠରେ ଛଡାଗଲେ ଏହା ସେଠାରେ ଜୀବନର ସ୍ଥିତି ସମ୍ପର୍କରେ ଜଣାଇପାରିବ। ଆନାଲିଟିକାଲ କେମିଷ୍ଟ୍ରୀ ପତ୍ରିକାରେ ପ୍ରକାଶିତ ଗବେଷଣା ରିପୋର୍ଟ ଅନୁସାରେ, ମଙ୍ଗଳ ଗ୍ରହରେ ପୂର୍ବରୁ ଯେତେ ଗବେଷଣା କରାଯାଇଛି ସେସବୁରେ କେବଳ ଗ୍ୟାସ୍ କ୍ରୋମାଟୋଗ୍ରାଫି ଏବଂ ମାସ୍ ସ୍ପେକ୍ଟ୍ରୋମେଟ୍ରି (ଜିସି-ଏମ୍ଏସ୍) ଟେକ୍ନୋଲୋଜିରେ ଯୌଗିକ ଚିହ୍ନଟ କରି ସେଗୁଡିକୁ ପୃଥକ କରାଯାଉଥିଲା। ତେବେ ସେଠାରେ ଥିବା ଅର୍ଗାନିକ ଏସିଡ, ଜଳ, ମିନେରାଲ, ଲବଣ ଆଦି ସମ୍ପର୍କରେ ଜଣାପଡ଼ି ପାରୁନଥିଲା।
ପୃଥିବୀ ବାହାରେ ଅନ୍ୟ କୌଣସି ଗ୍ରହରେ ଜୀବନ ଥିବାର ପ୍ରମାଣ ମିଳି ନଥିବା ବେଳେ କେବଳ କେତେକ ଗ୍ରହରେ ପରୀକ୍ଷଣରୁ କିଛି କାର୍ବନିକ୍ ଅଣୁର ଉପସ୍ଥିତି ଜଣାପଡ଼ିଛି। କିଛିଦିନ ତଳେ ବୈଜ୍ଞାନିକମାନେ ଶୁକ୍ର ଗ୍ରହରେ ଜୀବନ ସଙ୍କେତ ପାଇଥିବା ଜଣାଇଥିଲେ। ସେଠାକାର ବାୟୁମଣ୍ଡଳରେ ଫସ୍ଫିନ୍ ଗ୍ୟାସର ସନ୍ଧାନ ମିଳିଥିଲା ଯାହା ବାୟୋଲୋଜିକାଲ ପ୍ରକ୍ରିୟାରୁ ସୃଷ୍ଟି ହୋଇଥାଏ। ଅନ୍ୟ ଗ୍ରହରେ ଜୀବନ ସନ୍ଧାନ ଚାଲିଥିବା ବେଳେ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ବୋଲି ନାସାର ପ୍ରମୁଖ ବୈଜ୍ଞାନିକ କହିଥିଲେ। ଯଦିଓ ସାଧାରଣ ଭାବେ ଶୁକ୍ରଗ୍ରହର ପରିବେଶରେ ଅତ୍ୟଧିକ ଅଙ୍ଗାରକାମ୍ଳ ଗ୍ୟାସ୍ ପରିମାଣ, ତାପମାତ୍ରା, ସଲ୍ଫୁରିକ ଏସିଡ ବର୍ଷା ଏବଂ ପୃଥିବୀ ତୁଳନାରେ ମାତ୍ରାଧିକ ଚାପ ଆଦି କାରଣରୁ ଜୀବନର ସତ୍ତା ଖୋଜିବା ଅସମ୍ଭବ ଲାଗିପାରେ, ତେବେ ବୈଜ୍ଞାନିକମାନେ ହାୱାଇ ଏବଂ ଚିଲିର ଆଟାକାମା ମରୁଭୂମିରୁ ଟେଲିସ୍କୋପ୍ ଯୋଗେ ଶୁକ୍ରଗ୍ରହର ବାଦଲ ପରୀକ୍ଷଣ କରୁଥିବା ବେଳେ ସେଠାରେ ସେମାନଙ୍କୁ ଜ୍ୱଳନଶୀଳ ଫସ୍ଫିନ ଗ୍ୟାସ୍ର ଅଂଶ ମିଳିଥିଲା। ପୃଥିବୀ ପୃଷ୍ଠରେ ଏହା ବିନା ଅମ୍ଳଜାନରେ ବଞ୍ଚିପାରୁଥିବା ମାଇକ୍ରୋବ୍ସରୁ ମିଳିଥାଏ। ତେଣୁ ଶୁକ୍ରଗ୍ରହରେ ଜୀବନର ସତ୍ତା ରହିଥିବା ନେଇ ବୈଜ୍ଞାନିକ ଆଶାବାଦୀ ହୋଇପଡ଼ିଛନ୍ତି। ଏବେ ଏହି ଚିପ୍ରୁ ମହାକାଶରେ ଜୀବନର ସନ୍ଧାନ ପାଇଁ ଅଧିକ ସହାୟତା ମିଳିପାରିବ ବୋଲି ଚିପ୍ର ପ୍ରସ୍ତୁତକର୍ତ୍ତା ଗବେଷକ ଡ. ପିଟର ୱିଲିସ୍ ଏବଂ ତାଙ୍କ ସାଥୀମାନେ ଆଶା ପ୍ରକାଶ କରିଛନ୍ତି।