ନିଦ୍ରାର ସ୍ଥାନ-କାଳ-ପାତ୍ର

ଚିନ୍ମୟ କୁମାର ହୋତା

ନିକଟରେ ଆମ ଓଡ଼ିଶାରେ ଜଣେ ଚୋର ଚୋରି କରୁଥିବା ଅବସ୍ଥାରେ ଶୋଇପଡିଥିବାର ରୋଚକ ଖବରଟି ପ୍ରାୟ ସମସ୍ତେ ପଢ଼ିଥିବେ। ଯୁବକ ଜଣକ ଚୋରି କରୁଥିବା ଘର ଭିତରୁ ନିଦ୍ରିତ ଅବସ୍ଥାରେ ଧରା ପଡିଥିଲା ଓ ଦୁଇଦିନ ରାତି ଅନିଦ୍ରା ରହି କ୍ରମାଗତ ଚୋରି କରୁଥିବା ଯୋଗୁଁ ପ୍ରବଳ ଥକି ଯାଇ ଶୋଇପଡିଥିବାର ସଫେଇ ପୁଲିସକୁ ଦେଇଥିଲା। କହିବା ବାହୁଲ୍ୟ, ଚୋରଟି ତା’ର ଅପରାଧ ପାଇଁ ଯେତିକି ନିନ୍ଦିତ ହୋଇ ନ ଥିଲା, ତା’ର ଅଜବ ଆଚରଣ, ଅଳସୁଆମି ଓ ଅପାରଗତା ପାଇଁ ସେତିକି ଉପହସିତ ହୋଇଥିଲା। ହେଲେ ନିଦ୍ରାଳୁ ଅପରାଧୀଟି ପ୍ରତି ସମାଜର ବିଦ୍ରୁପ ତଥା ଜନତାର ରାୟ ତରବରିଆ, ଅଯୌକ୍ତିକ ଓ ସଂକୀର୍ଣ୍ଣତାର ପରିଚାୟକ ନୁହେଁ କି?

କହିଲେ ଦେଖି ନିଜର ଦାୟିତ୍ୱ ସମ୍ପାଦନ କରୁଥିବାବେଳେ କେଉଁ ବ୍ୟକ୍ତିଟି ତନ୍ଦ୍ରାଗ୍ରସ୍ତ ନ ହୋଇଛି? ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଚାଲିଥିବାବେଳେ ସେ ସମୟର ରାଷ୍ଟ୍ରପତି ଟ୍ରମ୍ପ ପ୍ରତିଦ୍ୱନ୍ଦ୍ୱୀ ଜୋ ବାଇଡେନଙ୍କ ଆଖିରେ ଏହି ତନ୍ଦ୍ରା ଦେଖିଥିଲେ କି କ’ଣ ତାଙ୍କୁ ‘ନିଦୁଆ ଜୋ’ (ସ୍ଲିପି ଜୋ) ନାମରେ ଛିଗୁଲେଇବା ଆରମ୍ଭ କରିଦେଲେ। ଯାହା ହେଉ ଆମେରିକାର ଜନତା ବାଇଡେନଙ୍କୁ ଯଥେଷ୍ଟ ସଜାଗ ଓ ସଚେତନ ବିଚାର କରି ରାଷ୍ଟ୍ରପତି ପଦରେ ଜିତାଇଦେଲେ। ହେଲେ ଜିଦିଆ ଟ୍ରମ୍ପ ଏ ପର୍ଯ୍ୟନ୍ତ ପରାଜୟର ପୀଡ଼ା ଭୁଲି ନ ପାରି ବାଇଡେନଙ୍କୁ ଚିଡ଼େଇବା ଛାଡି ପାରିନାହାନ୍ତି। କିଛି ଦିନ ତଳେ ବାଇଡେନ-ପୁତିନ ଶୀର୍ଷ ସମ୍ମିଳନୀ ପୂର୍ବରୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଚେତେଇ ଦେଇ ଟ୍ରମ୍ପ କହିଥିଲେ, ‘ସମ୍ମିଳନୀଟି ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଖିଆଲ ରଖ, ଆଲୋଚନାବେଳେ ଯେମିତି ତୁମେ ଶୋଇ ନ ପଡ!’

ଖାଲି ଆମେରିକା କାହିଁକି, ଆମ ଦେଶରେ ମଧ୍ୟ ଅନେକ ଲୋକ ପ୍ରତିନିଧି ପରିଷଦ ଗୃହ ଭିତରେ ବୈଠକ ଚାଲୁଥିବାବେଳେ ଘୁମାଇବାର ଦୃଶ୍ୟ ଦେଖିବାକୁ ମିଳିଛି। ଗଣମାଧ୍ୟମଗୁଡିକ ଏହି ନିଦ୍ରାସକ୍ତ ଆଇନ ପ୍ରଣେତାମାନଙ୍କୁ ନେଇ ବ୍ୟଙ୍ଗବିଦ୍ରୁପରେ ବ୍ୟସ୍ତ ରହୁଥିବାବେଳେ ମୁଁ କିନ୍ତୁ ଏହି ସାମୟିକ ସ୍ଖଳନକୁ ସହାନୁଭୂତିର ସହ ଗ୍ରହଣ କରିଥାଏ। କହିଲେ ଦେଖି, ଗୃହରେ ଅନବରତ ନିର୍ଗତ ହେଉଥିବା ପରିସଂଖ୍ୟାନ, ଔପଚାରିକ ସମ୍ଭାଷଣ ଓ ବିବୃତିର ସମାହାର ଉତ୍ତର-ମଧ୍ୟାହ୍ନଭୋଜନ କାଳର ତନ୍ଦ୍ରା-ଲହଡ଼ିକୁ କେମିତି ବା ରୋକି ପାରିବ? ଯେଉଁମାନଙ୍କର ବୈଠକ, କର୍ମଶାଳା, ଆଲୋଚନାଚକ୍ର କିମ୍ବା ତାଲିମ ଇତ୍ୟାଦି ବିଷୟରେ ଧାରଣା ଅଛି ସେମାନେ ଜାଣିଥିବେ ଯେ ଏକତରଫା ଭାଷଣ ଶୁଣିବାଠୁ ବଳି ନିଦ୍ରାକର ବନ୍ଦୋବସ୍ତ ଆଉ କିଛି ଉଦ୍ଭାବିତ ହୋଇନାହିଁ।

ଆପଣ ଏବେ ପଚାରିବେ ଚୋରଟି କ’ଣ କାହାର ବକ୍ତୃତା ଶୁଣୁଥିଲା ଯେ ଶୋଇପଡ଼ିଲା? ଅବଶ୍ୟ ସେ ତା’ର ବିବେକର ତିରସ୍କାର ଓ ଉପଦେଶ ଶୁଣୁଥାଇପାରେ; ହେଲେ ଏଠି କହିରଖିବା ଠିକ ହେବ ଯେ ନିଦ ସ୍ଥାନ-କାଳ-ପାତ୍ରର ବିଚାର ନ କରି ଯେ କୌଣସି ଅବସ୍ଥାରେ ମାଡି ଆସିପାରେ। ସେଇଥିପାଇଁ ତ କୁହାଯାଏ’ ନିଦ ନ ଜାଣେ କଣ୍ଟାବୁଦା’ ଇତ୍ୟାଦି। ଦେହ ଓ ମନ ସ୍ଫୂର୍ତ୍ତିରେ ଭରି ରହୁଥିବା କ୍ରୀଡା କ୍ଷେତ୍ରରେ ମଧ୍ୟ ଖେଳାଳିମାନେ ନିଦ୍ରାଚ୍ଛନ୍ନ ହେବାର ନଜିର ରହିଛି। ଗତ କ୍ରିକେଟ ବିଶ୍ୱକପ୍‌ର କଥା। ଭାରତ ଓ ପାକିସ୍ତାନ ଭିତରେ ଚାଲିଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚବେଳେ ହଠାତ ଦେଖାଗଲା, ପାକିସ୍ତାନ ଦଳର ଉଇକେଟ ରକ୍ଷକ ଷ୍ଟମ୍ପ ପଛପଟେ ବିରାଟ ହାଇଟିଏ ମାରୁଛନ୍ତି। ଅନେକ କ୍ରିକେଟପ୍ରେମୀ ଜାଣିଗଲେ ଯେ ପାକିସ୍ତାନ ସେହି ମୁହୂର୍ତ୍ତରେ ହିଁ ମ୍ୟାଚଟି ହାରିଗଲା। ତେଣେ ଇଂଲଣ୍ଡ ଟେଷ୍ଟ କ୍ରିକେଟ ଦଳରେ ଜଣେ ପ୍ରମୁଖ ବ୍ୟାଟ୍ସମ୍ୟାନ କ୍ରିସ ଟାଭାରେଙ୍କ ବ୍ୟାଟିଂର ଗତି ଏତେ ମନ୍ଥର ଥିଲା ଯେ ଲୋକେ ଟାହିଟାପରା କରୁଥିଲେ ସେ କୁଆଡେ ତାଙ୍କ ବିପକ୍ଷ ଖେଳାଳି, ସାଥି ବ୍ୟାଟ୍ସମ୍ୟାନ ଓ ଦର୍ଶକମାନଙ୍କୁ ନିଦ୍ରାଦେବୀଙ୍କ କୋଳକୁ ପଠାଇ ଦେବାର କ୍ଷମତା ରଖୁଥିଲେ।

ବର୍ତ୍ତମାନ ଚାଲନ୍ତୁ ଫେରିବା ଆମର ନିଦ୍ରାଳୁ ଚୋରଟି ପାଖକୁ। ବିଚରା ଯୁବକଟିକୁ ତା’ର ସାଥି ଦାୟିତ୍ୱ ଦେଇଥିଲା ଚୋରି ଜିନିଷ ବାନ୍ଧିବୁନ୍ଧି ସଜେଇ ରଖିବାକୁ। କୁମ୍ଭକର୍ଣ୍ଣ ବର୍ଷେ ଶୋଇବା ପରେ ଥରେ ଖାଇବା ପାଇଁ ଉଠୁଥିଲା ଓ ଖାଇସାରି ପୁଣି ଶୋଇ ପଡୁଥିଲା। ଏହି ଚୋର ବି ସେମିତି ଥରେ ନିଦରୁ ଉଠି କିଛି ଜିନିଷପତ୍ର ସାଉଁଟି ପୁଣି ନିଦ୍ରା ଯାଉଥିଲା। ବିପଦ ଓ ଆଶଙ୍କାର ମଝିରେ ରହି ବି ସେ କାର୍ଯ୍ୟସ୍ଥଳରେ ଓ କାର୍ଯ୍ୟ ସମୟ ଭିତରେ ସୁଖନିଦ୍ରା ଶୋଇ ପାରୁଥିଲା, ଯେତେବେଳେକି ପୃଥିବୀର ଅନେକ ସ୍ୱଚ୍ଛଳ ଲୋକ ଦୁଗ୍ଧଫେନନିଭ ଶଯ୍ୟାରେ ପଡ଼ିରହି ମଧ୍ୟ ନିଦ ନ ଆସିବା ଯୋଗୁଁ ଛଟପଟ ହୁଅନ୍ତି।

କିନ୍ତୁ ତା’ କ୍ଷେତ୍ରରେ ହୁଏତ ନିଦ ନୁହେଁ ବରଂ ଆତ୍ମପ୍ରତ୍ୟୟ ହିଁ ତା’ର ଅଧୋଗତିର କାରଣ ହୋଇଗଲା। ଚୋରଟିର ଚିନ୍ତାଧାରା ଅନୁସାରେ ତା’ କାର୍ଯ୍ୟରେ ସଫଳତା ହାସଲ କରିଥିବାରୁ ସେ ଧରିନେଇଥିଲା ଯେ ଗୋଟିଏ ଜୋରଦାର ପହଡ଼ ତା’ର ପ୍ରାପ୍ୟ। ହେଲେ ଚୌର୍ଯ୍ୟ ବୃତ୍ତିର ଅପରିହାର୍ଯ୍ୟ ଆବଶ୍ୟକତା ଆଶଙ୍କା ଓ ସତର୍କତା ଇତ୍ୟାଦିକୁ ହେୟଜ୍ଞାନ କରିବା ହିଁ ହୋଇଉଠିଲା ତାର ସଫଳ ନିଦ୍ରାର ବାଧକ। ଯୁବକଟି ସିନା ନେଇ ଆଣି ଥୋଇପାରିବା ବିଦ୍ୟାରେ ପାରଦର୍ଶିତା ଲାଭ କରିଥିଲା, ହେଲେ ତା’ ପରର ଆଳସ୍ୟକୁ ପ୍ରତିହତ କରିବାର ବିଦ୍ୟା ସେ ଶିଖି ନଥିଲା।

ସେଦିନ ଲୋକଙ୍କ କୋଳାହଳ ତଥା ଗାଳିମାଡ଼ରେ ମହାର୍ଘ ନିଦଟି ଭାଙ୍ଗିଯିବାଟା ତାର ଆତ୍ମପ୍ରତ୍ୟୟକୁ ଏକ ଶକ୍ତ ଧକ୍କା ପହଞ୍ଚାଇଥିବ ଗୋଟିଏ ଦୁଃସ୍ୱପ୍ନ ଭଳି। ସେହି ମୁହୂର୍ତ୍ତରେ ତାର ସଫଳ ନିଦ୍ରାଟି ବିଫଳତାର ସ୍ୱାଦ ଚାଖିଥିବ। ତଥାପି ଶେଷରେ ପୁଲିସର ହସ୍ତକ୍ଷେପ ଫଳରେ ଯୁବକଟି କ୍ରୁଦ୍ଧ ଜନତାର ହାତରୁ ରକ୍ଷା ପାଇ ଆଇନ ହେପାଜତକୁ ଚାଲିଗଲା। ତାହା ତା’ର ସୌଭାଗ୍ୟ ବୋଲି ଧରିବାକୁ ପଡିବ, କାରଣ ଏମିତି ଅନିଶ୍ଚିତ ପରିସ୍ଥିତିରେ ଜନତାର ବିଚାରଶକ୍ତିହୀନ ଆଚରଣ ହୁଏତ ଯୁବକଟିର ସୁଖନିଦ୍ରାକୁ ମହାନିଦ୍ରାରେ ମଧ୍ୟ ପରିଣତ କରି ପକାଇଥାଆନ୍ତା।

Comments are closed.