ଋଣ ଜମାର ଅନୁପାତ ହ୍ରାସ ପାଉଛି କାହିଁକି

ନଟବର ଖୁଣ୍ଟିଆ

ଜୁନ ୧୭ ତାରିଖରେ ଓଡ଼ିଶା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି)ର ୧୬୩ତମ ଆଭାସି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବ୍ୟାଙ୍କଗୁଡ଼ିକର ଓଡିଶାରେ ଋଣ ଓ ଜମା କାରବାର ଓ ବ୍ୟାଙ୍କ ଶାଖା ସଂପ୍ରସାରଣ ଆଦି ସମ୍ବନ୍ଧରେ ମୁଖ୍ୟତଃ ଆଲୋଚନା ହୋଇଥାଏ। ଏଥିରେ ଅଧ୍ୟକ୍ଷତା କରନ୍ତି ରାଜ୍ୟ ଅର୍ଥ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗଠାରୁ ଆରମ୍ଭ କରି ଆର୍ଥିକ ବିକାଶ ସହ ସଂପୃକ୍ତ ବିଭିନ୍ନ ବିଭାଗୀୟ ସଚିବମାନେ ବି ଯୋଗ ଦେଇଥାନ୍ତି। କେନ୍ଦ୍ରୀୟ ବ୍ୟାଙ୍କ (ଆର୍‌ବିଆଇ) ପ୍ରତିନିଧି ଓ ଅନ୍ୟ ବ୍ୟାଙ୍କର ପ୍ରତିନିଧିମାନେ ମଧ୍ୟ ଯୋଗ ଦିଅନ୍ତି। ୧୭ ତାରିଖ ବୈଠକରେ ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ଓଡ଼ିଶାରେ ବ୍ୟାଙ୍କ ବ୍ୟବସାୟ ଉପରେ ଆଲୋଚନା ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଉପସ୍ଥାପିତ ତଥ୍ୟକୁ ଆଧାର କରି ଅର୍ଥମନ୍ତ୍ରୀ କହିଲେ, ‘‘ଋଣ ଜମା ଅନୁପାତ ଅର୍ଥନୀତି ପାଇଁ ଏକ ଗୁରୂତ୍ବପୂର୍ଣ୍ଣ ଅଂଶ ହୋଇଥିବା ବେଳେ ଓଡ଼ିଶାରେ ପ୍ରଦର୍ଶନ ଏ କ୍ଷେତ୍ରରେ ନୈରାଶ୍ୟଜନକ। ରାଜ୍ୟରେ ଏହି ଅନୁପାତ ୫୬ ପ୍ରତିଶତ ରହିଛି ଯାହା କେନ୍ଦ୍ରୀୟ ବ୍ୟାଙ୍କର ଧାର୍ଯ୍ୟ ଲକ୍ଷ୍ୟ ୬୦ ପ୍ରତିଶତଠାରୁ କମ୍।” ଏହି ଅନୁପାତ ବଢ଼ାଇବା ପାଇଁ ସେ ପରାମର୍ଶ ଦେଇଥିଲେ।

ଓଡ଼ିଶାରେ ଋଣ ଜମା ଅନୁପାତ ବୃଦ୍ଧି ପାଉ ନଥିବାର କାରଣ ବିଷୟରେ ଆଲୋଚନା କରିବା ପୂର୍ବରୁ ଆସନ୍ତୁ ଋଣ ଜମା ଅନୁପାତ କହିଲେ କ’ଣ ବୁଝାଯାଏ ତାହା ଜାଣିବା।

ବ୍ୟାଙ୍କର କାମ ହେଲା ସାଧାରଣ ଜନତାଙ୍କଠାରୁ ଜମା ସଂଗ୍ରହ କରି ସେହି ଜମାକୁ ଅଧିକ ସୁଧରେ ଋଣ ଲଗାଇ ଲାଭ କରିବା; କିନ୍ତୁ ବ୍ୟାଙ୍କ ଯେତେ ଜମା ସଂଗ୍ରହ କରେ ସମସ୍ତ ଜମାକୁ ଋଣ ଦେଇପାରିବ ନାହିଁ। ଏହାକୁ ନିୟନ୍ତ୍ରଣ କରେ ଆର୍‌ବିଆଇ। ବର୍ତ୍ତମାନର ନିୟମ ଅନୁସାରେ ଗୋଟିଏ ବ୍ୟାଙ୍କ ଯେତେ ଜମା ସଂଗ୍ରହ କରିବ ତାହାର ୪ ପ୍ରତିଶତ ନଗଦ ଆକାରରେ ଆର୍‌ବିଆଇରେ ଜମା ରଖିବ, ତାକୁ କୁହାଯାଏ ନଗଦ ସଞ୍ଚୟ ଅନୁପାତ (କ୍ୟାଶ ରିଜର୍ଭ ରେସିଓ ବା ସି ଆର୍ ଆର୍) ଏବଂ ଆଉ ୧୮ ପ୍ରତିଶତ ଜମାର ସରକାରୀ ସ୍ବୀକୃତିପ୍ରାପ୍ତ ବଣ୍ଡ୍‌, ସରକାରୀ ଋଣପତ୍ର ଓ ସୁନା କିଣି ନିବେଶ କରିବେ ଏହାକୁ ବୈଧାନିକ ନଗଦୀ ଅନୁପାତ(ଷ୍ଟାଟୁଟାରୀ ଲିକ୍ୟୁଡିଟି ରେସିଓ ବା ଏସଏଲଆର) କୁହାଯାଏ। ବ୍ୟାଙ୍କର ଦୈନିକ ନଗଦ ଦେଣନେଣ ପାଇଁ ନିଜ ପାଖରେ ବ୍ୟାଙ୍କମାନେ ଜମାର ୨ ପ୍ରତିଶତ ପାଖାପାଖି ନଗଦ ରଖିବେ। ଅର୍ଥାତ୍ ମୋଟ ଜମାର (୪+୧୮+୨) ୨୪ ପ୍ରତିଶତ ବାଦ ଦେଲେ ଅବଶିଷ୍ଟ ୭୬ ପ୍ରତିଶତ ଜମା ବ୍ୟାଙ୍କମାନେ ଋଣ ଆକାରରେ ଦେଇ ପାରିବେ। ଏ ଯେଉଁ ୬୦ ପ୍ରତିଶତ କୁହାଯାଉଛି ତାହା ଗ୍ରାମାଞ୍ଚଳ ଶାଖା ପାଇଁ ଆର୍‌ବିଆଇ ବହୁ ଦିନରୁ ଧାର୍ଯ୍ୟ କରିଛି । କାରଣ ବ୍ୟାଙ୍କମାନେ ଗ୍ରାମାଞ୍ଚଳରେ ଋଣ ଦେବାକୁ ଆଗଭର ହେଉନଥିବାରୁ ଏପରି ନିର୍ଦେଶ ବ୍ୟାଙ୍କଗୁଡ଼ିକୁ ଦିଆ ଯାଇଥିଲା, ଯାହାକି ଆଜି ପର୍ଯ୍ୟନ୍ତ ବଳବତ୍ତର ଅଛି। ତେଣୁ ଓଡ଼ିଶାର ଋଣ ଜମା ଅନୁପାତ ୬୦ ପ୍ରତିଶତ କାହିଁକି ୭୬ ପ୍ରତିଶତ ହେବା କଥା।

ବିଶ୍ବ ମହାମାରୀ ଯୋଗୁଁ ଅର୍ଥନୀତିରେ ମାନ୍ଦା ଅବସ୍ଥା ଉପୁଜି ଥିବାରୁ କୃଷିଠାରୁ ଆରମ୍ଭ କରି ଶିଳ୍ପ, ବାଣିଜ୍ୟ, ସେବା କ୍ଷେତ୍ରରେ କାରବାର ହ୍ରାସ ପାଇବା ହେତୁ ବ୍ୟାଙ୍କ ଋଣର ଚାହିଦା ସୀମିତ ହୋଇଛି। ସୁତରାଂ ଋଣ ଜମା ଅନୁପାତ ସାରା ଦେଶରେ ହ୍ରାସ ପାଇଛି। ଏବେ ସର୍ବଭାରତୀୟ ସ୍ତରରେ ଏହି ଅନୁପାତ ଅଛି ୭୧.୫ ପ୍ରତିଶତ ଯାହାକି ୭୬ ପ୍ରତିଶତ ହୋଇ ପାରନ୍ତା। ଓଡ଼ିଶାରେ ଏବେ ୫୬ ପ୍ରତିଶତ ଅଛି, ୬୦ ପ୍ରତିଶତ ଗ୍ରାମାଞ୍ଚଳରେ ହେବା କଥା ଆଉ ସର୍ବଭାରତୀୟ ଦୃଷ୍ଟିରୁ ବିଚାର କଲେ ଓଡ଼ିଶାରେ ସାମଗ୍ରିକ ଭାବରେ ୭୧.୫ ପ୍ରତିଶତ ହୋଇ ପାରନ୍ତା।

ସେହି ବୈଠକରେ ଭାଗ ନେଇଥିବା ବିଭିନ୍ନ ବିଭାଗର ସଚିବମାନେ କହିଲେ ଯେ ଅଗ୍ରାଧିକାର ଋଣ ଦେବାରେ ବ୍ୟାଙ୍କମାନେ ଲକ୍ଷ୍ୟ ହାସଲ କରିଛନ୍ତି। ବିଶେଷ କରି ଏମଏସଏମଇ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ବ୍ୟାଙ୍କମାନେ ଋଣ ବିତରଣରେ ସଫଳ ହୋଇଛନ୍ତି। ଅଧିକ ଋଣ ବିତରଣ ହେଲେ ଯେ ଅଧିକ ଉତ୍ପାଦନ ବୃଦ୍ଧି ପାଇ ଋଣ ଗ୍ରହୀତାଙ୍କର ଆୟ ବଢିବ ଓ ବେକାରୀ ଦୂର ହେବ ତାହା ସଦାବେଳେ ସତ୍ୟ ନୁହେଁ। ପ୍ରକୃତପକ୍ଷେ ଋଣ ନେବା ପରେ ଋଣ ଗ୍ରହୀତା ଯେପରି ସେହି ଋଣକୁ ଠିକ ଭାବରେ ବ୍ୟବହାର କରିବେ ତଥା ସେ କିପରି ଆବଶ୍ୟକ କଞ୍ଚାମାଲ ଓ ଆନୁଷଙ୍ଗିକ ନିବେଶ ପାଇ ଉତ୍ପାଦନ ବୃଦ୍ଧି କରିବ ଏବଂ ଉତ୍ପାଦିତ ଦ୍ରବ୍ୟକୁ ଲାଭଜନକ ମୂଲ୍ୟରେ ବିକ୍ରି କରିପାରିବ ତାହାକୁ ନିଶ୍ଚିତ କରିବାକୁ ହେବ। ତାହା ନିଶ୍ଚିତ କରିବେ ଉଭୟ ବ୍ୟାଙ୍କ ଓ ସରକାରଙ୍କର ସଂପୃକ୍ତ ବିଭାଗର କ୍ଷେତ୍ର କର୍ମଚାରୀ। ପରସ୍ପର ସହଯୋଗ ନକଲେ ଋଣ ଲଗାଣର ଉଦ୍ଦେଶ୍ୟ ସଫଳ ହେବ ନାହିଁ।
ଓଡ଼ିଶାରେ ଏମଏସଏମଇ ଋଣ ଲଗାଣରେ ଲକ୍ଷ୍ୟ ହାସଲ ହେବା ଭଲ କଥା; କିନ୍ତୁ ଯେଉଁମାନେ ଋଣ ନେଇଛନ୍ତି ସେମାନେ ସମସ୍ତେ ତା’ର ଉପଯୋଗ କରି ଉତ୍ପାଦନ ବଢାଇ ଉତ୍ପାଦିତ ଦ୍ରବ୍ୟକୁ ଲାଭଜନକ ମୂଲ୍ୟରେ ବିକ୍ରି କରି ବ୍ୟାଙ୍କର କିସ୍ତି ପରିଶୋଧ କରିଛନ୍ତି କି? ତା’ର ସମୀକ୍ଷା ନିୟମିତ ବ୍ୟବଧାନରେ ହୋଇ କେଉଁଠି କି ଅଭାବ ରହୁଛି ତାହା ଜାଣିଲା ପରେ ସଂଶୋଧନ ମୂଳକ ପଦକ୍ଷେପ ନିଆଯାଇ ପାରିବ। ଋଣର ସଦୁପଯୋଗ ହେବ, ଉତ୍ପାଦନ ବୃଦ୍ଧି ପାଇବ, ନିଯୁକ୍ତି ସୁବିଧା ସୃଷ୍ଟି ହେବ ଏବଂ ବ୍ୟାଙ୍କମାନେ ଋଣ ଫେରି ପାଇବେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଋଣ ଦେବାରେ ବ୍ୟାଙ୍କଗୁଡ଼ିକ ଋଣ ଦେବା ଲକ୍ଷ୍ୟ ହାସଲ କରିବା ସ୍ବାଗତଯୋଗ୍ୟ। ଏହି ଋଣ ସ୍ବଳ୍ପ ସୁଧରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଯୋଗାଇ ଦିଆଯାଏ।

ଏହି ଋଣରେ ସେମାନେ ବିଭିନ୍ନ ଉତ୍ପାଦନ ମୂଳକ କାମ କରି ଆୟ ବଢ଼ାଇବା କଥା; କିନ୍ତୁ ଅନେକ ତାହା ନକରି ସେହି ଋଣ ଅର୍ଥକୁ ମାସକୁ ୧୦୦ ଟଙ୍କାରେ ୩ ଟଙ୍କାରୁ ଆରମ୍ଭ କରି ୫ଟଙ୍କା ପର୍ଯ୍ୟନ୍ତ ସୁଧରେ ଋଣ ଲଗାଇ ଲାଭ କରୁଛନ୍ତି। ଲୋକେ ବ୍ୟାଙ୍କରୁ ଋଣ ନେଇ ନାମକୁ ମାତ୍ର ସୁଧ ଦେଇ ପାରୁନଥିବାବେଳେ ବାର୍ଷିକ ୩୬ ରୁ ୬୦ ପ୍ରତିଶତ ସୁଧ କିପରି ଦେଉଛନ୍ତି ତାହାର ଏକ ସମୀକ୍ଷା ହେବା କଥା। ଏହି ଗୋଷ୍ଠୀ ଏବେ ନୂତନ କରି ଗ୍ରାମ୍ୟ ମହାଜନ ହୋଇଛନ୍ତି ବୋଲି ସମାଲୋଚନା ହେଉଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ କିପରି ନିଜ ନିଜ ଅଞ୍ଚଳରେ ମିଳୁଥିବା କଞ୍ଚାମାଲ ଓ ଲୋକଙ୍କର ଆବଶ୍ୟକତାକୁ ଚାହିଁ ବ୍ୟାଙ୍କ ଋଣରେ ଉତ୍ପାଦନ ମୂଳକ କାମ କରିବେ, ସେଥିପ୍ରତି ଗୁରୁତ୍ୱ ଦିଆଯିବା ଆବଶ୍ୟକ। ତାଙ୍କର କାର୍ଯ୍ୟ ଦକ୍ଷତା ବଢ଼ାଇବା ପାଇଁ ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଆବଶ୍ୟକ ତାଲିମ ଦିଅନ୍ତୁ।

ଓଡ଼ିଶାରେ ଋଣ ଜମା ଅନୁପାତ ବୃଦ୍ଧି ନପାଇବାର ଅନ୍ୟ ଏକ କାରଣ ହେଲା ଓଡ଼ିଶାରେ ‘ମେକ ଇନ୍ ଓଡିଶା’ କାର୍ଯ୍ୟକ୍ରମ ହେବା ସତ୍ତ୍ୱେ ଶିଳ୍ପୋଦ୍ୟୋଗୀମାନେ ପ୍ରତିଶ୍ରୁତି ଅନୁଯାୟୀ ଶିଳ୍ପ ସ୍ଥାପନ କରୁନଥିବାରୁ ବ୍ୟାଙ୍କମାନେ ବଡ଼ବଡ଼ ଋଣ ଦେଇପାରୁ ନାହାନ୍ତି, ଯାହା ଫଳରେ ଋଣ ଜମା ଅନୁପାତ ବୃଦ୍ଧି ପାଉ ନାହିଁ।

ଋଣ ଜମା ଅନୁପାତ ବୃଦ୍ଧିହେବ ଯେତେବେଳେ ଋଣର ସଦ୍‌ବ୍ୟବହାର ହୋଇ ଋଣ ଗ୍ରହୀତା ଲାଭବାନ ହୋଇ ଋଣ ପରିଶୋଧ କରି ପାରୁଥିବେ। ଋଣର ସଦ୍‌ବ୍ୟବହାରର ମୂଳ ନୀତି ହେଲା ପରିଦର୍ଶିତ ଋଣ ଦାନ ପ୍ରକ୍ରିୟା ଅର୍ଥାତ୍ ଋଣର ବିତରଣ ପରେ ଋଣ ଗ୍ରହୀତାଙ୍କ ପାଖକୁ ନିୟମିତ ଭାଵରେ ଋଣଦାନକାରୀ ସଂସ୍ଥା ଓ ଋଣ ଦେବା ପାଇଁ ପ୍ରୋତ୍ସାହନ ଦେଉଥିବା ସରକାରୀ ସଂସ୍ଥାର ଅଧିକାରୀମାନେ ପରିଦର୍ଶନ କରି ଋଣର ସଦ୍‌ବ୍ୟବହାରକୁ ନିଶ୍ଚିତ କରିବାକୁ ହେବ; କିନ୍ତୁ ଏବେ ବ୍ୟାଙ୍କରେ କୁହନ୍ତୁ ଅବା ସରକାରୀ ଅଫିସରେ କୁହନ୍ତୁ ମାନବ ସମ୍ବଳର ଅଭାବ ହେତୁ ପରିଦର୍ଶିତ ଋଣ ଦାନକରିଵା ସମ୍ଭବ ହେଉନାହିଁ, ଯାହା ଫଳରେ ଋଣର ଅନେକ କ୍ଷେତ୍ରରେ ସଦ୍‌ବିନିଯୋଗ ନହେବାରୁ ଋଣ ପରିଶୋଧରେ ଖିଲାପ ହେବାରୁ ବ୍ୟାଙ୍କଗୁଡ଼ିକର ଅଚଳ ସମ୍ପତ୍ତି (ଏନପିଏ) ବୃଦ୍ଧି ପାଉଛି। ସେଥିପାଇଁ ଲାଭରୁ କାଟି ଅର୍ଥ ଗଚ୍ଛିତ ରଖିବାକୁ ପଡୁଛି ଯାହା ଫଳରେ ଅଧିକ କର୍ମଚାରୀ ନିଯୁକ୍ତି ଦେବାରେ ଅର୍ଥାଭାବ ପଡୁଛି। ସେହିପରି ସରକାରଙ୍କର ରାଜସ୍ବ ଆୟ ଯଥେଷ୍ଟ ହେଉ ନଥିବାରୁ ଅଧିକ କର୍ମଚାରୀ ନିଯୁକ୍ତି ଦେଇ ପାରୁନାହାନ୍ତି। ଏହା ଫଳରେ ମାନବ ସମ୍ବଳ ଅଭାବରୁ ଋଣ ଦାନ କାମ ଓ ଋଣ ଦାନ ପରେ ତଦାରଖ କାମ ଠିକ୍ ଭାବରେ ହେଉ ନଥିବାରୁ ଅଧିକ ଋଣ ଦାନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇ ପାରୁନାହିଁ।

ଅଧିକ ମାନବ ସମ୍ବଳ ନିଯୁକ୍ତି ନ ଦିଆଯିବାର ଏକ ବଡ଼ କାରଣ ହେଲା ସରକାର ହୁଅନ୍ତୁ ଅବା ବ୍ୟାଙ୍କ ହୁଅନ୍ତୁ ଷଷ୍ଠ ବେତନ କମିସନ ସୁପାରିସ ଅନୁସାରେ ବେତନ ଓ ପେନ୍‌ସନକୁ ଆଶାତୀତ ଭାବରେ ବଢାଇଦେବା। ଯେଉଁ ଦେଶରେ ଏକ ପଞ୍ଚମାଂଶ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ଏବଂ ତିନି ଚତୁର୍ଥାଂଶ ଲୋକ ନିଜର ଖାଦ୍ୟ ଶସ୍ୟ ଯୋଗାଡ଼ କରି ପାରୁନଥିବାରୁ ସରକାର ଖାଦ୍ୟ ସୁରକ୍ଷା ଆଇନ ବଳରେ ନାମକୁ ମାତ୍ର ମୂଲ୍ୟରେ ଖାଦ୍ୟଶସ୍ୟ ଯୋଗାଇ ଦେଉଛନ୍ତି, ସେ ଦେଶରେ ଅମଲାଙ୍କ ପାଇଁ ଷଷ୍ଠ ବେତନ କମିସନ ଯେଉଁ ବେତନ ଓ ପେନ୍‌ସନ ଦେଲେ ଓ ସପ୍ତମ ବେତନ କମିସନ ସେହି ଧାରାକୁ ଜାରି ରଖିଲେ, ଏହା ଦ୍ବାରା ତେଲିଆ ମୁଣ୍ଡରେ ତେଲ ଦିଆଯାଇ ସାମାଜିକ ବୈଷମ୍ୟ ସୃଷ୍ଟି କରାଯାଇ ମାନବ ସମ୍ବଳ ଅଭାବରୁ ବିକାଶ ବାଧାପ୍ରାପ୍ତ ହେଉଛି ଏବଂ ବେକାରୀ ସଂଖ୍ୟା ବଢୁଛି। ଏହି ଧାରାକୁ ଓଲଟାଇ ହେବ କି? ଭବିଷ୍ୟତରେ ଋଣ ଜମା ଅନୁପାତକୁ ବୃଦ୍ଧି କରିବାକୁ ହେଲେ ବ୍ୟାଙ୍କରେ ଓ ସରକାରରେ ଯଥେଷ୍ଟ ସଂଖ୍ୟାରେ ମାନବ ସମ୍ବଳ ବୃଦ୍ଧି ଅପରିହାର୍ଯ୍ୟ। ତା’ର ବାଟ ସରକାର ବାହାର କରନ୍ତୁ।

Comments are closed.