ଚାର୍ବାକ୍‌ଙ୍କ ଦର୍ଶନ

ଧନେଶ୍ବର ସାହୁ

‘ସମାଜ’ରେ ଜଣେ ଲେଖକ ପ୍ରକାଶ କରିଛନ୍ତି ଯେ ମନୁଷ୍ୟ ଅବାଟରେ ଯିବା ଫଳରେ ବିଶ୍ବବ୍ୟାପୀ କରୋନା ଆକ୍ରମଣ କରିଛି। ସେ ପୁନଶ୍ଚ ଚାର୍ବାକ୍‌ ଦର୍ଶନକୁ କଟୁ ସମାଲୋଚନା କରି ଭୋଗବାଦର ପ୍ରସାର କରିଥିବାରୁ ଭାରତୀୟ ସମାଜ ବିପଥଗାମୀ ହୋଇଛି ବୋଲି ମତ ଦେଇଛନ୍ତି। ଭାରତୀୟ ସମାଜର ଅବକ୍ଷୟ ପାଇଁ ସେ ଚାର୍ବାକୀୟ ମତବାଦକୁ ଦାୟୀ କରିଛନ୍ତି। ଏହି ପୃଷ୍ଠଭୂମିରେ ଚାର୍ବାକ୍‌ ଦର୍ଶନ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେବା ଏହି ଲେଖାଟିର ଆଭିମୁଖ୍ୟ। ଭାରତୀୟ ଦର୍ଶନ ଇତିହାସରେ ରହିଥିବା ନଅଟି ଦାର୍ଶନିକ ଧାରା ଭିତରୁ ଚାର୍ବାକ୍‌ ଦର୍ଶନ ଗୋଟିଏ। ଚାର୍ବାକ୍‌ ଦର୍ଶନକୁ ଛାଡ଼ି ଅନ୍ୟ ସମସ୍ତ ଦାର୍ଶନିକ ଧାରାର ବିପୁଳ କୃତିମାନ ରହିଛି, କିନ୍ତୁ ଚାର୍ବାକ୍‌ ଦର୍ଶନର କୌଣସି ପ୍ରାମାଣିକ ଗ୍ରନ୍ଥ ନାହିଁ।

ଭାରତବର୍ଷରେ ଏକଦା ଗଣଧର୍ମ ଥିବା ବୌଦ୍ଧଧର୍ମ ଯେପରି ଭାରତରୁ ବିଲୟ ହେଲା ଓ ବହୁ ବୌଦ୍ଧ କୀର୍ତ୍ତିରାଜିକୁ ଧ୍ବଂସ କରାଗଲା, ସେହିପରି କୌଣସି କାରଣରୁ ଚାର୍ବାକ୍‌ ଦର୍ଶନର କୃତିମାନ ବିଲୁପ୍ତ ହେଲା। ବୌଦ୍ଧ ଧର୍ମ ଓ ଏହାର ସାହିତ୍ୟ କୃତିମାନ ଅନ୍ୟାନ୍ୟ ଦେଶକୁ ପ୍ରସାରିତ ହୋଇଥିବା କାରଣରୁ ବୌଦ୍ଧଧର୍ମ ଏକ ଜୀବନ୍ତ ଧର୍ମ ଭାବରେ ତିଷ୍ଠି ରହିଲା। ଚାର୍ବାକ୍‌ ଦର୍ଶନ ଥିଲା ବୁଦ୍ଧଙ୍କ ପୂର୍ବବର୍ତ୍ତୀ ଓ ଚାର୍ବାକ୍‌ ଦର୍ଶନର କୌଣସି ଗ୍ରନ୍ଥରାଜି ସମୟର ବ୍ୟବଧାନ ଭିତରେ ଧ୍ବଂସ ପାଉ ବା ଏହାକୁ ନଷ୍ଟ କରାଯାଉ ଏହା ଯେ ଉପଲବ୍ଧ ନୁହେଁ ଏହା ଗବେଷକମାନେ ସ୍ବୀକାର କରିଛନ୍ତି।

ଚାର୍ବାକ୍‌ ଜଣେ ବ୍ୟକ୍ତି ନା ଏକ ଦାର୍ଶନିକ ଭାବଧାରାର ପ୍ରତୀକ ସେ କ୍ଷେତ୍ରରେ ମତପାର୍ଥକ୍ୟ ରହିଛି। ଗୋଟିଏ ମତରେ ଚାର୍ବାକ୍‌ ଜଣେ ଐତିହାସିକ ବ୍ୟକ୍ତି ଓ ବୃହସ୍ପତିଙ୍କର ଶିଷ୍ୟ ଭାବେ ଏକ ଦାର୍ଶନିକ ମତବାଦର ପ୍ରବକ୍ତା। ଅନ୍ୟ ଏକ ମତରେ ଚାର୍ବାକ୍‌ ଏକ ବ୍ୟକ୍ତି ନୁହନ୍ତି। ଚାର୍ବାକ୍‌ ଏକ ବିଚାର, ଏକ ମତବାଦ। ‘ଚର୍ବ’ ଶବ୍ଦରୁ ଚାର୍ବାକ୍‌ ଶବ୍ଦର ଉତ୍ପତ୍ତି। ଚର୍ବର ଅର୍ଥ ହେଉଛି ଚୋବାଇବା ବା ଯାହାକୁ ଚୋବାଇ ଗିଳିବା। ଯେଉଁ ଦର୍ଶନ ଆତ୍ମା, ସ୍ବର୍ଗ, ନରକ, ମୁକ୍ତି, ମୋକ୍ଷ ଇତ୍ୟାଦି ପାରଲୌକିକ ଭାବନାମାନଙ୍କୁ ଯୁଦ୍ଧଦ୍ବାରା ନଷ୍ଟ କରିଥାଏ ତାହା ହେଉଛି ଚାର୍ବାକ୍‌ ଦର୍ଶନ। ଅନ୍ୟ ଏକ ମତାନୁଯାୟୀ ‘ଚାର୍ବାକ’ ଶବ୍ଦ ଚାରୁ ଓ ବାକ୍‌ ଶବ୍ଦରୁ ଉତ୍ପନ୍ନ ହୋଇଛି ଯାହାର ତାତ୍ପର୍ଯ୍ୟ ହେଉଛି ମଧୁର ବଚନ। ସୁଖ, ଶାନ୍ତି ଓ ଆନନ୍ଦର ସହ ଜୀବନ ଧାରଣକର- ଏହି ପ୍ରକାରର ମଧୁରବାଣୀ ଶୁଣାଉଥିବା ଜୀବନ-ଦର୍ଶନକୁ ଚାର୍ବାକ୍‌ ଦର୍ଶନ କୁହାଯାଏ। ବସ୍ତୁତଃ ଚାର୍ବାକ୍‌ ଏକ ବ୍ୟକ୍ତି କିମ୍ବା ଏକ ବିଚାରବୋଧର ପ୍ରତୀକ ଏ ପ୍ରଶ୍ନ ଉପରେ ଲେଖକ ଐତିହାସିକ ଓ ଗବେଷକମାନଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଛି।

ଭାରତୀୟ ଦର୍ଶନର ଛ’ଟି ମୁଖ୍ୟ ଦାର୍ଶନିକ ଧାରାରେ (ଯଥା ସାଂଖ୍ୟ, ଯୋଗ, ନ୍ୟାୟ, ବୈଶେଷିକ, ମୀମାଂସା ଓ ବେଦାନ୍ତ) ଚାର୍ବାକ୍‌ ଦର୍ଶନର ସମାଲୋଚନା ରହିଛି। ସେହି ସମାଲୋଚନାକୁ ଆଧାର ଭାବେ ନେଇ ପଞ୍ଚଦର୍ଶ ଶତାବ୍ଦୀର ବେଦାନ୍ତ ଦର୍ଶନର ପ୍ରବକ୍ତା ମାଧବାଚାର୍ଯ୍ୟ ତାଙ୍କ ରଚିତ ‘ସର୍ବଦର୍ଶନ ସଂଗ୍ରହ’ ପୁସ୍ତକରେ ଚାର୍ବାକ୍‌ ଦର୍ଶନକୁ ନିର୍ମାଣ କରିଛନ୍ତି। ଅର୍ଥାତ୍‌ ଅନ୍ୟମାନଙ୍କର ସମାଲୋଚନା ଓ କିଛି ​ବି‌େଦ୍ବଷମୂଳକ ଅଭିବ୍ୟକ୍ତିକୁ ଭିତ୍ତିକରି ଚାର୍ବାକ୍‌ ଦର୍ଶନର ସିଦ୍ଧାନ୍ତମାନ କ’ଣ ହୋଇପାରେ ତାହା ବିଚାରସ୍ତରକୁ ଆଣିଛନ୍ତି। ଯେହେତୁ ଚାର୍ବାକ୍‌ ଦର୍ଶନର କୌଣସି ପ୍ରାମାଣିକ ଗ୍ରନ୍ଥ ନାହିଁ ଓ ମାଧବାଚାର୍ଯ୍ୟ ପ୍ରଥମେ ଏକ ଲିଖିତ ଗ୍ରନ୍ଥରେ ଚାର୍ବାକ ଦର୍ଶନର ସିଦ୍ଧାନ୍ତମାନଙ୍କୁ ସୁସଂହତ ଭାବରେ ପ୍ରକାଶ କରିଛନ୍ତି, ପରବର୍ତ୍ତୀ ସମୟର ଦର୍ଶନ-ଇତିହାସକାରମାନେ ମାଧବାଚାର୍ଯ୍ୟଙ୍କ ମତକୁ ପ୍ରାଧାନ୍ୟ ଦେଇଛନ୍ତି।

ଚାର୍ବାକ୍‌ ଦର୍ଶନର ଦୁଇହଜାର ବର୍ଷ ପରେ ଏହି ଦର୍ଶନରେ ଜଣେ ବିରୋଧୀ ଚିନ୍ତକ ଏହାକୁ ଏକ ସୈଦ୍ଧାନ୍ତିକ ଭିତ୍ତି ଦେବାକୁ ପ୍ରୟାସୀ ହୋଇଛନ୍ତି। ତାଙ୍କର ବ୍ୟାଖ୍ୟାନ ଯେ ନିରପେକ୍ଷ ବା ପକ୍ଷପାତଶୂନ୍ୟ ଏହା ସନ୍ଦେହର ବିଷୟ ବୋଲି ବିଂଶଶତାବ୍ଦୀର ଗବେଷକମାନେ ମତପୋଷଣ କରିଛନ୍ତି।

ବିଂଶଶତାବ୍ଦୀର ଦୁଇ ବିଶିଷ୍ଟ ଗବେଷକ ଡି.ପି.ଚଟ୍ଟୋପାଧ୍ୟାୟ ଓ କେ.କେ.ମିତଲ ଚାର୍ବାକ୍‌ ଦର୍ଶନ ଉପରେ ଦୁଇଟି ପାଣ୍ଡିତ୍ୟପୂର୍ଣ୍ଣ ପୁସ୍ତକ ଯଥାକ୍ରମେ ‘ଲୋକାୟତ’ ଓ ‘ମାଟେରିଆଲିଜିମ୍‌ ଇନ୍‌ ଇଣ୍ଡିଆନ ଥଟ୍’ ରଚନା କରିଛନ୍ତି। ଚାର୍ବାକ୍‌ ଦର୍ଶନ ଉପରେ ଗମ୍ଭୀର ଅଧ୍ୟୟନ କରିଥିବା ଏହି ଦୁଇ ଗବେଷକ ସେମାନଙ୍କ ପୁସ୍ତକରେ ମତ ରଖିଛନ୍ତି ଯେ ଲୋକାୟତମାନଙ୍କର ଏକ ଗଭୀର ଜୀବନଦର୍ଶନ ରହିଥିଲା ଓ ସେମାନଙ୍କର ନୈତିକ ବିଚାରବୋଧ ମାନବବାଦୀ ଥିଲା।

ଚାର୍ବାକ୍‌ ଦର୍ଶନର ଅନ୍ୟ ନାମ ହେଉଛି ଲୋକାୟତ। ଯେଉଁମାନେ ପରଲୋକରେ ବିଶ୍ବାସ ନକରି ଇହଲୋକକୁ ପ୍ରାଧାନ୍ୟ ଦିଅନ୍ତି ସେମାନେ ଭାରତୀୟ ପରମ୍ପରାରେ ଲୋକାୟତ ଭାବେ ଖ୍ୟାତ। ଏକ ଦାର୍ଶନିକ ଧାରାରେ ସାଧାରଣତଃ ତିନିଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥାଏ, ଯାହାକୁ ଦର୍ଶନ ପରିଭାଷାରେ ଜ୍ଞାନମୀମାଂସା, ତତ୍ତ୍ବମୀମାଂସା ଓ ଆଚାରମୀମାଂସା କୁହାଯାଏ। ଜ୍ଞାନର ଆଧାର କ’ଣ, ଜ୍ଞାନ କିପରି ଉପଲବ୍ଧ ହୁଏ ପ୍ରଶ୍ନ ଜ୍ଞାନମୀମାଂସାରେ ଚର୍ଚ୍ଚା ହୁଏ। ଜଗତର ମୌଳିକ ତତ୍ତ୍ବ ବା ସତ୍ତା କ’ଣ ଏହି ପ୍ରଶ୍ନ ତତ୍ତ୍ବମୀମାଂସା ସ୍ତରରେ ଉଠିଥାଏ। ସେହିପରି ନୀତି, ନୈତିକତା କହିଲେ କ’ଣ ବୁଝାଏ ପ୍ରଶ୍ନମାନ ଆଚାରମୀମାଂସା ପ୍ରସଙ୍ଗରେ ଆସିଥାଏ।

ଏହି ପ୍ରସଙ୍ଗମାନ ବହୁ ବ୍ୟାପକ ହେଲେ ବି ଏଗୁଡ଼ିକ ହେଲା ମୂଳ ପ୍ରଶ୍ନ। ଚାର୍ବାକୀୟ ଜ୍ଞାନମୀମାଂସା କ୍ଷେତ୍ରରେ ପ୍ରତ୍ୟକ୍ଷ ଜନିତ ପର୍ଯ୍ୟବେକ୍ଷଣକୁ ସକଳ ଜ୍ଞାନର ଆଧାର ଭାବରେ ନିଆଯାଏ। ବ୍ୟାବହାରିକ ସ୍ତରରେ ଅନୁମାନକୁ ବି ଗ୍ରହଣ କରାଯାଇପାରେ, କିନ୍ତୁ ଅନୁମାନ ଆଧାରରେ ବସ୍ତୁଜଗତ ଓ ପ୍ରାକୃତିକ ଘଟଣାକୁ ଛାଡ଼ି କିଛି ଅତିପ୍ରାକୃତିକ ସତ୍ତା ବିଷୟରେ ପରିକଳ୍ପନା କରାଯାଇ ପାରିବ ନାହିଁ। ଅର୍ଥାତ୍‌ ଇନ୍ଦ୍ରିୟଜନିତ ପ୍ରତ୍ୟକ୍ଷ ଓ ପ୍ରତ୍ୟକ୍ଷଭିତ୍ତିକ ଅନୁମାନ ହିଁ ସକଳ ଜ୍ଞାନର ଆଧାର। ମନୁଷ୍ୟ ନିଜର ସୃଜନଶୀଳତା ଯୋଗୁ ଅନେକ କିଛି କଳ୍ପନା କରିପାରେ; କିନ୍ତୁ ସେ ସବୁ ପର୍ଯ୍ୟବେକ୍ଷିତ ନ ହେଲେ ଜ୍ଞାନ ହୋଇପାରିବ ନାହିଁ। ଜ୍ଞାନ ସ୍ବତଃ ପ୍ରମାଣୀୟ ନୁହେଁ।

ତତ୍ତ୍ବମୀମାଂସା କ୍ଷେତ୍ରରେ ଚାର୍ବାକ୍‌ ଦର୍ଶନ ବସ୍ତୁକୁ ମୂଳ ସତ୍ତା ଭାବରେ ଗ୍ରହଣ କରେ। ଭୂମି, ଜଳ, ବାୟୁ ଓ ଅଗ୍ନି ଏ ବିଶ୍ବର ଚାରି ମୌଳିକ ସତ୍ତା। ସେମାନଙ୍କର ପରମାଣୁ ସଂଯୋଗରେ ବିଶ୍ବର ସବୁକିଛି ସୃଷ୍ଟି ହୋଇଛି। ବସ୍ତୁମାନଙ୍କର ସ୍ବତନ୍ତ୍ର ସଂଯୋଗରେ ଜୀବନର ଉଦ୍‌ଭବ ହୋଇଛି। ଶରୀରକୁ ବାଦ୍‌ ଦେଇ ଜୀବନର ଅସ୍ତିତ୍ବ ନାହିଁ ବୋଲି ଚାର୍ବାକ୍‌ ଦର୍ଶନରେ କୁହାଯାଇଛି।
ଚାର୍ବାକ୍‌ ଦର୍ଶନର ଆଚାରମୀମାଂସା ସମ୍ବନ୍ଧରେ ବହୁ କୁତ୍ସାମୂଳକ ବକ୍ତବ୍ୟ କେତେକ ଦେଇଥାନ୍ତି।

ମାଧବାଚାର୍ଯ୍ୟ ବି ବିଦ୍ରୂପମୂଳକ ମନ୍ତବ୍ୟ ରଖିଛନ୍ତି ଯେ ଚାର୍ବାକଙ୍କ ନୀତିଦର୍ଶନ ଭୋଗବାଦ, ସୁଖବାଦକୁ କେବଳ ଗ୍ରହଣକରେ। ‘ଯାବତ୍‌ ଜିବେତ୍‌ ସୁଖଂ ଜିବେଦ୍‌, ଋଣଂ କୃତ୍ବା ଘୃତଂ ପିବେତ୍‌; ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନଂ କୁତଃ’- ଚାର୍ବାକ୍‌ଙ୍କ ନୀତିଦର୍ଶନର ଆଧାର ଥିଲା ବୋଲି କୁହାଯାଏ। ଏହାର ତାତ୍ପର୍ଯ୍ୟ ହେଲା ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚିଛ ସୁଖରେ ରୁହ, ଆବଶ୍ୟକ ହେଲେ ଋଣ କରି ଆନନ୍ଦ କର; ଥରେ ଶରୀର ମୃତ୍ୟୁବରଣ କଲେ ଏହା ଆଉ ଫେରିଆସିବ ନାହିଁ। ଯେଉଁ କାଳଖଣ୍ଡରେ ଚାର୍ବାକ୍‌ ଦର୍ଶନର ବିକାଶ ହୋଇଥିଲା ସେ ଯୁଗରେ ଈଶ୍ବରବିହୀନ ଏକ ଜୀବନକୈନ୍ଦ୍ରିକ ଆଚାରମୀମାଂସା ଅବାସ୍ତବ ଥିଲା।

ଯେଉଁମାନେ ଈଶ୍ବରବାଦୀ ବା ଭାବବାଦୀ ବିଚାରର ପୃଷ୍ଠପୋଷକ ଥିଲେ ସେମାନଙ୍କ ପାଇଁ ନୈତିକତା ଓ ମାନବିକ ମୂଲ୍ୟବୋଧ ଈଶ୍ବରକୈନ୍ଦ୍ରିକ ବା ମୋକ୍ଷ-ଅଭିପ୍ରେତ ବିଚାର ଥିଲା। ଇହଜୀବନ ପାଇଁ ଏକ ମାନବିକ ଆଚାରମୀମାଂସା ସେ ସମୟରେ କଳ୍ପନାତୀତ ଥିଲା। ଧର୍ମ ଭାବନା ସହ ନାନା କର୍ମକାଣ୍ଡ, ଯଜ୍ଞ, ଆରାଧନା, ବଳିପ୍ରଥା ଇତ୍ୟାଦି ସଂଶ୍ଳିଷ୍ଟ ଥିଲା। ଏକ ସୁଖମୟ ଜୀବନ ପାଇଁ ଏସବୁ ଉପଚାରର ଯେ କିଛି ଅର୍ଥ ନାହିଁ ଏହା ଚାର୍ବାକୀୟ ବିଚାର ରହିଥିଲା। ନ୍ୟାୟ, ସମତା, ଔଚିତ୍ୟବୋଧ ଓ ସମ୍ବେଦନ ନୈତିକତାର ମୁଖ୍ୟ ଆଦର୍ଶ। ଏସବୁ ମାନବିକ ସମ୍ବନ୍ଧ ଓ ସାମାଜିକ ଜୀବନ ପୃଷ୍ଠଭୂମିରେ ଅର୍ଥପୂର୍ଣ୍ଣ। ନୈତିକତା ଏକ ସାମାଜିକ କର୍ତ୍ତବ୍ୟ, ଏହା ସହିତ ଅତୀନ୍ଦ୍ରିୟ କିମ୍ବା ପାରଲୌକିକ ଭାବନାର ସମ୍ବନ୍ଧ ନାହିଁ।

ଆଧୁନିକ ଗବେଷକଙ୍କ ମତରେ ଚାର୍ବାକୀୟ ନୈତିକତା ଅଧିକ ଜୀବନଧର୍ମୀ ଓ ମାନବିକ। ଜୀବନ ସହିତ ସୁଖ, ଆନନ୍ଦ ଯେପରି ସଂଶ୍ଳିଷ୍ଟ ଦୁଃଖ, ଯନ୍ତ୍ରଣା ମଧ୍ୟ ସେହିପରି ସଂଯୁକ୍ତ। ବ୍ୟକ୍ତି ଜୀବନ ହେଉ ବା ଗୋଷ୍ଠୀ ଜୀବନ ହେଉ ସୁଖ, ଦୁଃଖ ସାମାଜିକ ସ୍ତରରେ ରହିବା ଅପରିହାର୍ଯ୍ୟ। ସାମାଜିକ ଜୀବନ ପ୍ରବାହକୁ କେତେ ସୁଖପ୍ରଦ ବା ପ୍ରୀତିପଦ କରିପାରିବା ତାହା ମାନବିକ ପ୍ରୟାସ ଉପରେ ନିର୍ଭରକରେ। ଚାର୍ବାକ୍‌, ଦର୍ଶନର ସମସ୍ତ କୃତି ନଷ୍ଟ ହୋଇଯାଇଥିଲେ ମଧ୍ୟ ‘ବୃହସ୍ପତି ସୂତ୍ର’ ଭାବରେ କିଞ୍ଚିତ୍‌ ପ୍ରାଚୀନ ଲେଖା ଉଦ୍ଧାର ପାଇଛି। ଆଉ ଜଣେ ଗବେଷକ ବେଦପ୍ରକାଶ ବର୍ମା; ଏହି ସୂତ୍ରକୁ ଅନୁଶୀଳନ କରି ଲୋକାୟତ ଦର୍ଶନର ସାମାଜିକ ଅଙ୍ଗୀକାରବଦ୍ଧତାର ସୁନ୍ଦର ଚିତ୍ର ପ୍ରଦାନ କରିଛନ୍ତି। ଇହଲୋକବାଦୀ ଜୀବନ ଦର୍ଶନରେ ସୁଖ, ଆନନ୍ଦକୁ ଜୀବନରେ ପ୍ରାଧାନ୍ୟ ଦିଆଯାଏ, କାଳ୍ପନିକ ମୋକ୍ଷ ବା ସ୍ବର୍ଗପ୍ରାପ୍ତିକୁ ନୁହେଁ ବୋଲି ବର୍ମା ମତ ରଖିଛନ୍ତି।

ଚାର୍ବାକ୍‌ଦର୍ଶନ ଥିଲା ଏକ ବିଜ୍ଞାନଭିତ୍ତିକ ଭାବଧାରା ଓ ଇହଲୋକବାଦୀ ମାନବକୈନ୍ଦ୍ରିକ ବିଚାର। ପରିତାପର ବିଷୟ ସେମାନଙ୍କୁ ନାସ୍ତିକ, ଧର୍ମଦ୍ରୋହୀ, ଅନୈତିକ କହି ବିଦ୍ରୂପ କରାଯାଇଛି ଓ ଏବେ ବି ରକ୍ଷଣଶୀଳ ରୂଢ଼ିବାଦୀମାନେ ସେମାନଙ୍କ ପ୍ରତି ଆକ୍ଷେପ କରୁଛନ୍ତି। ବିଡ଼ମ୍ବନାର ବିଷୟ ସବୁ ଯୁଗରେ ସଂସ୍କାରବାଦୀ ଓ ମୁକ୍ତଚିନ୍ତକମାନେ ସେମାନଙ୍କ ସମସାମୟିକ ସମାଜରେ ନିନ୍ଦା ପାଇଛନ୍ତି; କିନ୍ତୁ ସେହିମାନେ ହିଁ ଚିନ୍ତା ରାଜ୍ୟର ବିପ୍ଳବୀ ଓ ନୂତନତ୍ବର ପଥପ୍ରଦର୍ଶକ।

Comments are closed.