ଭାରତରେ କରୋନା ମୃତ୍ୟୁସଂଖ୍ୟା କେତେ?

ଗୌରାଙ୍ଗ ଚରଣ ପରିଡ଼ା

କରୋନା ମହାମାରୀରେ ମୃତ୍ୟୁ ସଂଖ୍ୟା ନେଇ ଏବେ ସବୁଠି ବେଶ ଚର୍ଚ୍ଚା ଚାଲିଛି। ଏ ସଂଖ୍ୟା ନେଇ ସରକାରୀ ହିସାବ ଠିକ ନୁହେଁ ବୋଲି ଅନେକ ଅଭିଯୋଗ ଆଣନ୍ତି। ଶ୍ମଶାନରେ ଶବ ସତ୍କାର ଏବଂ ନଦୀରେ ଭାସିଯାଉଥିବା ମୃତକଙ୍କ ଦୃଶ୍ୟ ଏ ଅଭିଯୋଗର ଆଧାର ବୋଲି କୁହାଯାଉଛି। ଏ ପ୍ରଶ୍ନ ମଧ୍ୟ ଆସିଲାଣି, ଯେଉଁଠି ମଲା ମଣିଷଙ୍କ ଠିକ ହିସାବ ଦିଆଯାଇପାରୁନି, ସେଠି ନାଗରିକଙ୍କ ପରିଚୟପତ୍ର ଲୋଡ଼ିବା କେତେ ବା ଦରକାର? ଅବଶ୍ୟ ଏହା ଖାଲି ଏକ ଅଭିଯୋଗର ପ୍ରଶ୍ନ ନୁହେଁ, ଏହା ବି ଏକ ଆବେଗର ପ୍ରଶ୍ନ।
ବିହାର ସରକାର ସମ୍ପ୍ରତି କରୋନା ମୃତ୍ୟୁର ଏକ ସଂଶୋଧିତ ତାଲିକା ଦେଲେଣି। ପୂର୍ବରୁ ଯେତିକି ମୃତକଙ୍କ ସଂଖ୍ୟା ଥିଲା ଏଥିରେ ଆଉ ଚାରି ହଜାର ଅଧିକ ବଢିଛି। ଏହା ସେଠାରେ ଏକ ସ୍ୱତନ୍ତ୍ର ସମୀକ୍ଷାରୁ ଜଣାପଡିଛି। ପ୍ରକାଶ ଥାଉ କି, ମୃତକଙ୍କ ପୁନଃ ଗଣନା କରିବାକୁ ପାଟଣା ଉଚ୍ଚ ନ୍ୟାୟାଳୟ ବିହାର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଗଙ୍ଗା ନଦୀରେ ଭାସୁଥିବା ଶହଶହ ଶବଙ୍କ ପରିଚୟ ପାଇଁ ଏକ ଜନସ୍ୱାର୍ଥ ମାମଲା ଅଦାଲତରେ ଦାଖଲ ହୋଇଥିଲା।

ଭାରତରେ କରୋନା ସଂକ୍ରମିତ ସଂଖ୍ୟା ଏବଂ ତଦ୍‌ଜନିତ ମୃତ୍ୟୁ ପୃଥିବୀ ସାରାର ନଜରରେ ଅଛି; କାରଣ କରୋନା ମହାମାରୀର ପ୍ରଭାବ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମାବଦ୍ଧ ନୁହେଁ। ହୋଇବି ପାରିବନି। ଗତ ମେ ମାସ ପଚିଶ ତାରିଖରେ ପ୍ରକାଶିତ ଏକ ସଂଖ୍ୟାରେ ‘ନିଉୟର୍କ ଟାଇମସ’ ଖବରକାଗଜ ଏକ ରିପୋର୍ଟ ଛାପି କହିଛି, ଭାରତରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଭାରତର ସରକାରୀ ହିସାବ ଠାରୁ ଢେର ଅଧିକ। ସଂକ୍ରମିତଙ୍କ ସଂଖ୍ୟା ଏଠି ପ୍ରାୟ ଚାଳିଶି କୋଟି ଏବଂ ମୃତ୍ୟୁ ସଂଖ୍ୟା ବୟାଳିଶ ଲକ୍ଷ ହୋଇପାରେ। ରିପୋର୍ଟରେ ଏ କଥା ବି ଅଛି, ଭାରତର ଗ୍ରାମାଞ୍ଚଳରେ କରୋନାରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା ହିସାବକୁ ନିଆ ଯାଇପାରୁନି। ଗାଁ ଲୋକ ନିଜ ଆତ୍ମୀୟଙ୍କ ଦେହାନ୍ତ କରୋନାରେ ହୋଇଛି ବୋଲି କହିବାକୁ ଭୟ ଆଉ ଲାଜ କରୁଛନ୍ତି। ଭାରତରେ ପ୍ରାୟ ସାଢେ ଛଅ ଲକ୍ଷ ଗାଁ ଅଛି। ଭାରତରେ ସତୁରି ଭାଗ ଲୋକ ଗାଁରେ ବି ରହନ୍ତି। ପୃଥିବୀର କିଛି ପ୍ରତିଷ୍ଠିତ ବିଶେଷଜ୍ଞଙ୍କ ଦ୍ୱାରା ଭାରତରେ କରୋନା ସଂକ୍ରାନ୍ତୀୟ ଏପରି ଅଧ୍ୟୟନ ହୋଇଛି ବୋଲି ‘ନିଉୟର୍କ ଟାଇମସ’ ଦାବି କରେ; କିନ୍ତୁ ଏ ଖବରକାଗଜ ବିବରଣୀର କିଛି ବାସ୍ତବ ଆଧାର ନାହିଁ ବୋଲି ସରକାର ଜବାବ ଦେଇ ସାରିଲେଣି।

ତେବେ ଏହା ସତ୍ୟ ଯେ ଭାରତରେ କରୋନା ମହାମାରୀ ମୃତ୍ୟୁର ମହାବିପର୍ଯ୍ୟୟ ରଚିଛି। ସାଧାରଣ ଜନତାଙ୍କ ସହିତ ଶହଶହ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ପ୍ରତିଦିନ ମୃତ୍ୟୁ ହେଉଛି। ଏଇ ମୃତ୍ୟୁ ତାଲିକାରେ ଡାକ୍ତର, ପ୍ରଫେସର, ଶିଳ୍ପୀ, ଇଞ୍ଜିନିୟର, ସମାଜସେବୀ, ସାମ୍ବାଦିକ ଓ କ୍ରୀଡ଼ାବିତ୍‌ଙ୍କ ନାଁ ଅଛି। ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ପ୍ରାୟ ଷାଠିଏ ଜଣ ପ୍ରାଧ୍ୟାପକଙ୍କ କରୋନାରେ ମୃତ୍ୟୁ ହେଲାଣି ବୋଲି ଖବର ମଧ୍ୟ ଆସେ। ଏଥିରୁ ଅଧିକାଂଶ ପ୍ରାଧ୍ୟାପକ ଆନ୍ତର୍ଜାତିକ ସ୍ତରର ଖ୍ୟାତି ସମ୍ପନ୍ନ ଥିଲେ। ଭାରତର ଅନେକ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନଗୁଡ଼ିକରେ ଏପରି ଘଟଣା ଘଟୁଛି ଏବଂ ସବୁଠାରୁ ବଡ଼ କଥା ହେଲା ଅନେକ ପ୍ରତିଭାବାନ ଯୁବକଯୁବତୀଙ୍କର ଅକାଳ ମୃତ୍ୟୁ ସମାଜ ପାଇଁ ଅପୂରଣୀୟ କ୍ଷତି ଆଣିଛି। ସମାଜରେ ଏକ ଉତ୍କୃଷ୍ଟ ମାନବସମ୍ବଳ ହଠାତ ଗଢି ହୋଇଯାଏନି। ଏହାକୁ ଗଢି ତୋଳିବାକୁ ବର୍ଷବର୍ଷ ସମୟ ଲାଗିଥାଏ। ଗାନ୍ଧିଜୀ କହନ୍ତି, ଗୋଟିଏ ଦେଶର ଗରିମା ସେ ଦେଶର ପାର୍ଥିବ ସମ୍ପତ୍ତିରୁ ଜଣାଯାଏନି, ସେ ଦେଶରେ କେତେ ଧିଶକ୍ତି ସମ୍ପନ୍ନ ମାନବସମ୍ବଳ ଅଛି, ସେଥିରୁ ଜଣାଯାଏ।

ପ୍ରଶ୍ନ ଆସେ, ସରକାର ଜାଣିଜାଣି କରୋନା ମୃତକଙ୍କ ସଂଖ୍ୟା ଲୁଚାଉଛନ୍ତି ନା ପ୍ରକୃତ ମୃତ୍ୟୁ ସଂଖ୍ୟା ଜାଣି ହେଉନାହିଁ? ଏ ପ୍ରଶ୍ନର ଠିକ ଉତ୍ତର ମିଳୁନାହିଁ। ଉତ୍ତରରେ କିନ୍ତୁ ଏପରି କୁହାଯାଏ, କୋଭିଡ୍‌ ମାର୍ଗଦର୍ଶିକା ଅନୁସାରେ ଯେଉଁ ମୃତ୍ୟୁତଥ୍ୟ ଆସେ, ତାହା ପ୍ରକାଶ କରାଯାଏ। ଗ୍ରାମାଞ୍ଚଳରୁ ତଥ୍ୟ ପାଇବା କଷ୍ଟ ହେଉଛି। କାରଣ ଗ୍ରାମାଞ୍ଚଳରେ କୋଭିଡ୍‌ ପରୀକ୍ଷା କମ୍‌ ହେଉଛି। ପରିବାର ଲୋକ ବି ସାମାଜିକ ବାସନ୍ଦ ଏବଂ ଘୃଣାକୁ ଭୟ କରି ସୂଚନା ଦେବାକୁ କୁଣ୍ଠା କରୁଛନ୍ତି ; କିନ୍ତୁ ବର୍ତ୍ତମାନର ଆଧୁନିକ ଭାରତରେ ସମସ୍ତ ଶକ୍ତ ସୂଚନାତନ୍ତ୍ର ଥିବା ସ​‌େ​‌ତ୍ତ୍ବ ଯେ ଗ୍ରାମାଞ୍ଚଳର ନିର୍ଭୁଲ ସୂଚନା ଆମେ ପାଇ ପାରୁନାହୁଁ, ତାହାହିଁ ବିଡମ୍ବନା।

ଭାରତରେ ମୃତକଙ୍କୁ ମର୍ଯ୍ୟାଦା ଦିଆଯାଏ। ସତ୍କାର ପୂର୍ବରୁ ଶବକୁ ଶୁଦ୍ଧ, ପବିତ୍ର କରାଯାଏ। ନୂତନ ବସ୍ତ୍ର, ଫୁଲ ଚନ୍ଦନରେ ସଜେଇ ଦିଆଯାଏ। ମୃତ୍ୟୁ ନେଇ ବି ଉତ୍ସବ ପାଳନ ହୁଏ ; କିନ୍ତୁ ନଈ ପଠାରେ, ନଈ ପାଣିରେ ନିଜ ଆତ୍ମୀୟଙ୍କ ଶବକୁ ଏବେ ଏମିତି ଅମର୍ଯ୍ୟାଦା ଭାବେ ଫିଙ୍ଗାଯାଉଛି କାହିଁକି? ଏହାର କିଛି କାରଣ ଆସୁଛି। ପ୍ରଥମ କାରଣ ହେଉଛି, ଶବ ସତ୍କାର ପାଇଁ ଆବଶ୍ୟକ ଅର୍ଥ ଗାଁ ଲୋକଙ୍କ ପାଖରେ ଏବେ ନାହିଁ। କାଠ କିଣିବାକୁ ପଇସା ନାହିଁ। କାମ ଅଭାବରୁ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ବୃଦ୍ଧି ପାଇଛି ଏବଂ ଅନ୍ୟ ଏକ କାରଣ ହେଲା, କରୋନା ଯେ ଏକ ସାଙ୍ଘାତିକ ଅଛୁଆଁ ରୋଗ ଓ ଯାହାକୁ ଛୁଇଁ ଦେଲେ ଅନ୍ୟ ଜଣର ମୃତ୍ୟୁ ହୋଇପାରେ, ଏ ଧାରଣା ଏବେ ମଧ୍ୟ ଲୋକଙ୍କ ଭିତରେ ଜମାଟ ବାନ୍ଧି ରହିଛି। ହଜାରହଜାର ବର୍ଷ ଧରି ଭାରତୀୟ ସାମାଜିକ ତଥା ପାରିବାରିକ ସମ୍ପର୍କରେ ଅାତ୍ମୀୟତାକୁ ନେଇ ଯେଉଁ ଗର୍ବ ଥିଲା, ସେଇ ଆତ୍ମୀୟତା ଏବଂ ଗର୍ବକୁ କରୋନା ଛଡେ଼ଇ ନେଇ ସାରିଲାଣି। ‘ମଲା ଗଲା’ ର ପୁରୁଣା ଧାରଣା ଏବେ କେମିତି ନିଷ୍ଠୁରତା ଆଣି ଦେଇଛି। ଶବ ପ୍ରତି ସମ୍ମାନ ତେଣୁ ପଛକୁ ଠେଲି ହୋଇଗଲାଣି।

କହିବା ବାହୁଲ୍ୟ ଯେ, କରୋନା ଏକ ଅନନ୍ୟ ମହାମାରୀ। ଏହାର ପ୍ରଭାବ ଓ ପରିଣତି ଅନ୍ୟ ମହାମାରୀଠାରୁ ଭିନ୍ନ। ଏହାର ପରିଚାଳନା ନେଇ ପ୍ରାକ୍‌ଅନୁଭୂତି କାହା ପାଖରେ ନାହିଁ। ସୁତରାଂ କରୋନା ପରିଚାଳନାଗତ ତ୍ରୁଟି ହୁଏତ ଅକ୍ଷମଣୀୟ ନ ହୋଇପାରେ; କିନ୍ତୁ କରୋନାରେ ସଂକ୍ରମିତ ଏବଂ ମୃତ୍ୟୁସଂଖ୍ୟା ଯଦି ଜାଣି ଜାଣି ଗୋପନ ରଖାଯାଉଥାଏ ଏବଂ ମିଛ ଆଶା ସୃଷ୍ଟି ପାଇଁ ପ୍ରୟାସ ହେଉଥାଏ,ଏହା ସାଙ୍ଘାତିକ। ଏଥିରେ ବିପଦ ହେଉଛି, ସାଧାରଣରେ କରୋନା ଆଚରଣ ପାଳନ କରିବାର ଗମ୍ଭୀରତାକୁ ଏହା ହ୍ରାସ କରିଦେବ ଏଇ ଯେମିତି ପ୍ରଥମ ଲହର ପରେ ଆମର ଢିଲାପଣ କରୋନାର ଦ୍ବିତୀୟ ଲହରକୁ ଆମନ୍ତ୍ରଣ କଲା ଏବଂ ଅନ୍ୟ ବିପଦଟି ହେଉଛି ମିଛ ମୃତ୍ୟୁସଂଖ୍ୟା ଭବିଷ୍ୟତ ପାଇଁ ଉପଯୁକ୍ତ ଯୋଜନା ତିଆରି କରିବାରେ ବାଧକ ହେବ। ସତ୍ୟ ଏବଂ ନିର୍ଭୁଲ ତଥ୍ୟ ଆଧାରରେ ପ୍ରସ୍ତୁତ ହୋଇ ନଥିବା ଯେକୌଣସି ଯୋଜନା କେବେ ସଫଳ ହୋଇ ନଥାଏ। ପଥ ଭୁଲ ହେଲେ ଲକ୍ଷ୍ୟ ଭୁଲ ହୁଏ। ଭାରତର ବିଶେଷଜ୍ଞମାନେ ତେଣୁ ତଥ୍ୟ ନ ଲୁଚେଇବାକୁ ସରକାରଙ୍କୁ ପରାମର୍ଶ ଦେଇ ସାରିଲେଣି। ସୁତରାଂ ସତ୍ୟ ନ ଲୁଚୁ। ଅନ୍ତତଃ ପରିସଂଖ୍ୟାନଟିରେ ରହିବା ପାଇଁ; ସେ ଜନ୍ମ ହେଉ ବା ମୃତ୍ୟୁ, ନାଗରିକର ଅଧିକାର ରହୁ।

Comments are closed.