ମେଧାବୀ ବନାମ ଶିକ୍ଷିତ

- ଛାୟାକାନ୍ତ ଷଡ଼ଙ୍ଗୀ

ଛାତ୍ରଛାତ୍ରୀମାନଙ୍କର ମେଧା ଜାଣିବାପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ପରୀକ୍ଷା ବ୍ୟବସ୍ଥା ଥାଏ। ଯେଉଁମାନେ ପରୀକ୍ଷାରେ ବେଶି ନମ୍ବର ରଖନ୍ତି ସେମାନଙ୍କୁ ମେଧାବୀ କୁହାଯାଏ; ମାତ୍ର ସବୁବେଳେ ପରୀକ୍ଷାରେ ପ୍ରାପ୍ତ ନମ୍ବରରୁ ଛାତ୍ରଛାତ୍ରୀମାନଙ୍କର ମେଧା ପ୍ରମାଣିତ ହୁଏନାହିଁ। ବେଳେବେଳେ ମେଧା ଜାଣିବା ନିମନ୍ତେ ଉଦ୍ଦିଷ୍ଟ ପରୀକ୍ଷା-ମାନଦଣ୍ଡ ଭୁଲ୍‌ ପ୍ରମାଣିତ ହୁଏ। ଏହି ପ୍ରସଙ୍ଗରେ ମନେପଡ଼େ ପ୍ରାକ୍ତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲଙ୍କ ଜୀବନର ଏକ ଘଟଣା। ସେ ଛାତ୍ର ଜୀବନରେ ଥିଲେ ଅତ୍ୟନ୍ତ ଚଗଲା। ଥରେ ପରୀକ୍ଷା ପାଇଁ ଠିକ୍‌ ଭାବରେ ପ୍ରସ୍ତୁତ ହୋଇ ନଥିବାରୁ ସେ ଏକ ଅଭିନବ ଉପାୟ ଚିନ୍ତା କଲେ। ପ୍ରତିବର୍ଷ ପରୀକ୍ଷାରେ ଏକ ଦେଶର ମାନଚିତ୍ର ଆଙ୍କିବା ପାଇଁ କୁହାଯାଇଥାଏ। ଚର୍ଚ୍ଚିଲ ସବୁ ଦେଶର ନାମ ଗୋଟିଏ ଲେଖାଏଁ ଟୁକୁରା କାଗଜରେ ଲେଖି ସେ ସବୁକୁ ଗୋଟିଏ ଟୋପିରେ ପୂରାଇ ମିଶାଇଦେଲେ। ତା’ପରେ ସେଥିରୁ ଗୋଟିଏ ଟୁକୁରା କାଗଜ ଉଠାଇଲେ। ଦେଖିଲେ ତାହା ଥିଲା ନ୍ୟୁଜିଲାଣ୍ଡ୍‌ ଲେଖା ହୋଇଥିବା ଟୁକୁରା। ସେ ରାତିରେ ସେହି ଦେଶର ମାନଚିତ୍ର ଆଙ୍କିବା ଅଭ୍ୟାସ କଲେ। ପରଦିନ ସତକୁସତ ପରୀକ୍ଷାରେ ପ୍ରଶ୍ନ ଆସିଲା ନ୍ୟୁଜିଲାଣ୍ଡ ମାନଚିତ୍ର ଆଙ୍କିବାପାଇଁ। ଚର୍ଚ୍ଚିଲ ଚିତ୍ରଟିକୁ ସୁନ୍ଦର ଭାବରେ ଆଙ୍କିଲେ ଓ ଭଲ ନମ୍ବର ରଖି କୃତକାର୍ଯ୍ୟ ହେଲେ। ଅବଶ୍ୟ ଏହିଭଳି ସୌଭାଗ୍ୟ ସମସ୍ତଙ୍କ ଜୀବନରେ ଜୁଟେ ନାହିଁ; ମାତ୍ର ଏହା ବି ସତ୍ୟ ଯେ, କେହିକେହି ଏହିଭଳି ସୌଭାଗ୍ୟ ଲାଭ କରି ପରୀକ୍ଷାରେ ଉଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୁଅନ୍ତି ଓ ସମାଜରେ ମେଧାବୀ ଭାବରେ ପରିଚିତ ହୁଅନ୍ତି।

ସମ୍ପ୍ରତି ବିଭିନ୍ନ ଉଚ୍ଚପଦ ନିମନ୍ତେ ହେଉଥିବା ପ୍ରତିଯୋଗିତା ପାଇଁ ଯେଉଁ ଜ୍ଞାନ ପରୀକ୍ଷା ହେଉଛି ତାହା ପ୍ରକୃତରେ ଜ୍ଞାନ ନୁହେଁ, ତାହା ହେଉଛି ଖବର। ଆଜିକାଲି ସାଧାରଣ ଜ୍ଞାନ ନାମରେ ଯେଉଁ ପରୀକ୍ଷା ଅନୁଷ୍ଠିତ ହେଉଛି ସେଥିରୁ କିଛି ଦୃଷ୍ଟାନ୍ତ ନିଆଯାଇପାରେ। କାଶ୍ମୀରର ରାଜଧାନୀ କ’ଣ ପ୍ରଶ୍ନର ଉତ୍ତରରେ ଯଦି କେହି ତ୍ରିଭେନ୍ଦ୍ରମ୍‌ କହେ କିମ୍ବା ଆଲପସ୍‌ ପର୍ବତଶ୍ରେଣୀ କେଉଁଠି ଅଛି ପ୍ରଶ୍ନର ଉତ୍ତରରେ ଯଦି କେହି ଅଷ୍ଟ୍ରେଲିଆ କହେ ସେ ନିଶ୍ଚୟ ପରୀକ୍ଷାରେ ଫେଲ ଘୋଷିତ ହେବ। ମାତ୍ର ଏହାର ଅର୍ଥ ନୁହେଁ ଯେ ସେ ଜଣେ ଭଲ କିରାଣି ବା ଅଫିସର ହୋଇପାରିବ ନାହିଁ। ଜଣେ ଭଲ ଅଫିସର ହେବାପାଇଁ ଏସବୁ ଖବର ଜାଣିବା ଜରୁରୀ ନୁହେଁ। ଅପରପକ୍ଷରେ ଏସବୁ ପ୍ରଶ୍ନର ଠିକ୍‌ ଉତ୍ତରଦେଲେ ଜଣେ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇପାରେ ଓ ଜଣେ ଉଚ୍ଚପଦସ୍ଥ ଅଫିସର ହୋଇପାରେ; ମାତ୍ର ସେ ଯେ ଜଣେ ସଚ୍ଚୋଟ ସାଧୁ ଅଫିସର ହେବ ସେହି ଗ୍ୟାରେଣ୍ଟି ଦେଇପାରେ ନାହିଁ। ବରଂ ସେ ହୁଏତ ହୋଇପାରେ ଏକ ଦୁର୍ନୀତିଗ୍ରସ୍ତ ଉଦ୍ଧତ ଓ ଅହଂକାରୀ ମଣିଷ। କାରଣ ସେ ସବୁ ଖବର ଆଧାରିତ ପ୍ରଶ୍ନର ଉତ୍ତର ଜ୍ଞାନ ସହ ସାଧୁତା ବା ସଚ୍ଚୋଟତାର କୌଣସି ସମ୍ପର୍କ ନାହିଁ। ଏଣୁ ଖବର ଜାଣିବା ମେଧାର ପରିଚାୟକ ହୋଇପାରେ; ମାତ୍ର ତାହା ଶିକ୍ଷିତ ହେବାର ପରିଚାୟକ ନୁହେଁ। ମେଧାବୀ ହେବା ଓ ଶିକ୍ଷିତ ହେବା ଏକା କଥା ନୁହେଁ। ଶିକ୍ଷାର ଲକ୍ଷ୍ୟ ହେଉଛି ଏକ ମାର୍ଜିତ, ନୈତିକ ଓ ଶୃଙ୍ଖଳିତ ଜୀବନଯାପନର ପଥ ପ୍ରଦର୍ଶନ କରିବା। ଯଦି ଜଣେ ବହୁ ଶିକ୍ଷାଗତ ଯୋଗ୍ୟତା ଅର୍ଜନ କରି ଉଚ୍ଚସ୍ତରୀୟ ମେଧା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୁଏ ଏବଂ ଉଚ୍ଚପଦସ୍ଥ ଅଧିକାରୀ ହୋଇ ମେଧାର ଦୁରୁପଯୋଗ କରି ଦୁର୍ନୀତିଲିପ୍ତ ହୁଏ ତାକୁ ଶିକ୍ଷିତ କୁହାଯାଇପାରିବ ନାହିଁ। ଶିକ୍ଷାର ଲକ୍ଷ୍ୟ ହେଉଛି ମଣିଷକୁ ସଭ୍ୟ ଓ ସଂସ୍କୃତିସମ୍ପନ୍ନ କରିବା। ଯେଉଁ ଉଚ୍ଚଶିକ୍ଷାପ୍ରାପ୍ତ ବ୍ୟକ୍ତିମାନେ ନିଜର ଶାଣିତ ବୁଦ୍ଧିର ଉପଯୋଗ କରି ଅର୍ଥ ତୋଷରପାତ କରୁଛନ୍ତି, ବୈଜ୍ଞାନିକ ଜ୍ଞାନର ଦୁରୁପଯୋଗ କରି ଧ୍ବଂସଲୀଳା ସୃଷ୍ଟି କରୁଛନ୍ତି ବା ବ୍ୟଭିଚାରରେ ଲିପ୍ତ ରହୁଛନ୍ତି ସେମାନଙ୍କୁ ସେକ୍ସପିଅରଙ୍କ ‘ଦି ଟେମ୍ପେଷ୍ଟ’ ନାଟକର କ୍ୟାଲିବାନ୍ ଚରିତ୍ର ସହ ତୁଳନା କରାଯାଇପାରେ। ପ୍ରସ୍‌ପେରୋ ଥିଲେ ଜଣେ ଡ୍ୟୁକ୍‌। ସେ ଯେଉଁ ଦ୍ବୀପରେ ରହୁଥିଲେ ତାହା ଥିଲା ଏକ ଡାହାଣୀର ଅଧିକାରରେ। ତା’ ପୁଅ କ୍ୟାଲିବାନ୍‌ ଥିଲା ଅଧାମାନବ, ଅଧାଦାନବ। ପ୍ରସ୍‌ପେରୋ ତାକୁ ମାର୍ଜିତ କରିବାପାଇଁ ଶିକ୍ଷା ଦେଇଛନ୍ତି, ମାତ୍ର କ୍ୟାଲିବାନ ପ୍ରସ୍‌ପେରୋଙ୍କ ପାଖରୁ ଭାଷା ଶିକ୍ଷା କରିବାପରେ ତାକୁ ଅନ୍ୟକୁ ଗାଳି କରିବାରେ ବ୍ୟବହାର କରିଛି। ସେ ପ୍ରସ୍‌ପେରୋଙ୍କୁ କହିଛି, ‘ଆପଣ ମୋତେ ଭାଷା ଶିଖାଇଲେ ଓ ମୁଁ ତାକୁ ସୁନ୍ଦର ଭାବରେ ଅନ୍ୟକୁ ଗାଳି କରିବାରେ ବ୍ୟବହାର କରିପାରୁଛି।’ ଠିକ୍‌ ଏହି ରୀତିରେ ଯେଉଁମାନେ ବୁଦ୍ଧିର ଦୁରୁପଯୋଗ କରୁଛନ୍ତି ସେମାନଙ୍କୁ ଯଦି ଶିକ୍ଷିତ କୁହାଯାଏ ତା’ ହେଲେ ଶିକ୍ଷାର ଲକ୍ଷ୍ୟଭ୍ରଷ୍ଟ ହୋଇଛି ବୋଲି ବୁଝିବାକୁ ହେବ।

କିଛି ପୁସ୍ତକ ଅଧ୍ୟୟନପୂର୍ବକ ପରୀକ୍ଷାରେ ପାସ୍‌ କରି ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ହାସଲ କଲେ ଜଣେ ଶିକ୍ଷିତ ହୁଏ ନାହିଁ। ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା। ଅଭିଜ୍ଞତା ହେଉଛି ଶିକ୍ଷାର ପ୍ରାଣକେନ୍ଦ୍ର। ଶିକ୍ଷା ହେଉଛି ଏକ ମାର୍ଜନ ପ୍ରକ୍ରିୟା। ଶିକ୍ଷା ତାକୁ ମାର୍ଜିତ ଓ ସଂସ୍କୃତିସମ୍ପନ୍ନ କରେ। ପାଶବିକ ପ୍ରବୃତ୍ତିର ରୂପାନ୍ତର ଘଟାଇ ମାନବିକ ଗୁଣର ବିକାଶ କରେ। ଶିକ୍ଷାଲବ୍ଧ ଜ୍ଞାନକୁ ଜୀବନରେ ପ୍ରୟୋଗ କରି ମଣିଷ ନିଜକୁ ସଭ୍ୟ ବୋଲାଏ। ଥରେ ଜଣେ ଜିଜ୍ଞାସୁ ରାମକୃଷ୍ଣ ପରମହଂସଙ୍କୁ ପ୍ରଶ୍ନ କଲେ- ଜ୍ଞାନ ଓ ବିଜ୍ଞାନ ମଧ୍ୟରେ ପାର୍ଥକ୍ୟ କ’ଣ? ରାମକୃଷ୍ଣ ଉତ୍ତର ଦେଲେ କାଠ ଭିତରେ ଅଗ୍ନିର ସମ୍ଭାବନା ପ୍ରଚ୍ଛନ୍ନ ରହିଛି। ଏହା ଜ୍ଞାନ। ସେ ଜ୍ଞାନକୁ ପ୍ରୟୋଗ କରି ନିଆଁଦ୍ବାରା ରୋଷେଇ କରିପାରିବା ହେଉଛି ବିଜ୍ଞାନ; ମାତ୍ର ବିଜ୍ଞାନ ସଙ୍ଗେ ଆବଶ୍ୟକ ବିବେକ, କାରଣ ବିବେକ ନ ହେଲେ ମଣିଷ ନିଆଁକୁ ରୋଷେଇରେ ବ୍ୟବହାର ନ କରି ଅନ୍ୟ କାହାର ସର୍ବନାଶ ପାଇଁ ଉପଯୋଗ କରିବ। ମେଜର୍‌ ଏଥାଲି ହିରୋସୀମା ନାଗାସାକି ସହର ଉପରେ ପରମାଣୁ ବୋମା ପକାଇ ଧ୍ବଂସର ତାଣ୍ଡବଲୀଳା ସୃଷ୍ଟି କଲେ। ଆଇନ୍‌ଷ୍ଟାଇନ୍‌ ବୁଝିଲେ ଯେ ତାଙ୍କ ଆବିଷ୍କୃତ ନିୟମ ଅନୁସରଣ କରି ପରମାଣୁ ବୋମା ସୃଷ୍ଟି ହେଲା ଓ ସେ ବୋମା ନାରକୀୟ ପରିସ୍ଥିତି ସୃଷ୍ଟି କଲା। ସେତେବେଳେ ସେ କହିଲେ, ‘ମୁଁ ଯଦି ଏହା ଜାଣିଥାନ୍ତି ତେବେ ଜଣେ ଘଣ୍ଟା ମରାମତିକାରୀ ଭାବରେ ବରଂ ମୋର ଜୀବିକା ନିର୍ବାହ କରିଥା’ନ୍ତି। ଏହି ନିୟମ ଆବିଷ୍କାର କରି ନ ଥାନ୍ତି।’

ସାମ୍ପ୍ରତିକ ମାନଦଣ୍ଡରେ ରାମକୃଷ୍ଣ ପରମହଂସଙ୍କୁ ଶିକ୍ଷିତ କୁହାଯାଇପାରିବ ନାହିଁ; କାରଣ ସେ ବହୁତ କଷ୍ଟରେ ତାଙ୍କ ନାମ ଦସ୍ତଖତ କରୁଥିଲେ ‘ରାମକେଷ୍ଟ’। ଠିକ୍‌ ସେହିପରି ଗ୍ରୀକ ମହାମନୀଷୀ ସକ୍ରେଟିସ୍‌ କେବେ କଲମ ଧରି ନଥିଲେ। ସେ ମଧ୍ୟ ଆଜିର ମାନଦଣ୍ଡରେ ଅଶିକ୍ଷିତ ପଦବାଚ୍ୟ; ମାତ୍ର ଯେଉଁ ସକ୍ରେଟିସଙ୍କ ମାର୍ଗଦର୍ଶନରେ ପ୍ଲାଟୋ ମହାଜ୍ଞାନୀ ହୋଇପାରିଥିଲେ ଓ ଯେଉଁ ରାମକୃଷ୍ଣ ବିବେକାନନ୍ଦଙ୍କ ଭଳି ମହାପୁରୁଷଙ୍କ ପଥ ପ୍ରଦର୍ଶକ ଥିଲେ ସେମାନଙ୍କୁ ଅଶିକ୍ଷିତ କହିହେବ କି? ଏଣୁ ଲେଖିପାରିବା, ପଢ଼ିପାରିବା, ପରୀକ୍ଷାରେ ପାସ୍‌ କରିବା ଦ୍ବାରା କେହି ଶିକ୍ଷିତ ପଦବାଚ୍ୟ ହୁଏନାହିଁ। ଏଣୁ ପ୍ରଖ୍ୟାତ ସାହିତ୍ୟିକ ହାରୋଲ୍‌ଡ ନିକଲସନ୍‌ କହିଥିଲେ, ଯେତେବେଳେ ମୁଁ ଜଣେ ଶିକ୍ଷିତ ବ୍ୟକ୍ତି ସମ୍ପର୍କରେ କୁହେ, ଯିଏ ପରୀକ୍ଷାରେ ପାସ କରିଛି ତାକୁ ଶିକ୍ଷିତ ବୋଲି ବୁଝେ ନାହିଁ। ମୋ ଦୃଷ୍ଟିରେ ଯାହାର ମସ୍ତିଷ୍କ ତାଲିମପ୍ରାପ୍ତ, ନମନୀୟ ଓ ମାର୍ଜିତ, ସେ ହିଁ ଶିକ୍ଷିତ। ଜଣେ ଆଦୌ ବିଦ୍ୟାଳୟ ନ ଯାଇ ମଧ୍ୟ ଏକ ମାର୍ଜିତ, ସଂସ୍କୃତି ସମ୍ପନ୍ନ ଓ ନୀତିଯୁକ୍ତ ଜୀବନଯାପନ କରିପାରେ। ପ୍ରାଚୀନ ଭାରତରେ ଅଧିକାଂଶ ଜନତା ନିରକ୍ଷର ଥିଲେ। ସେମାନେ ଲେଖିପାରୁ ନଥିଲେ କି ପଢ଼ିପାରୁ ନଥିଲେ। ମାତ୍ର ସେମାନେ ନିୟମିତ ଭାଗବତ ପୁରାଣଶାସ୍ତ୍ର ଆଦି ଶ୍ରବଣ କରୁଥିଲେ ଓ ତଦ୍ଦ୍ବାରା ଏକ ମାର୍ଜିତ ଓ ଆଦର୍ଶ ଜୀବନଯାପନ କରୁଥିଲେ। ଆଧୁନିକ ଅର୍ଥରେ ସେମାନଙ୍କୁ ସାକ୍ଷର କୁହାଯାଇ ନପାରେ। ମାତ୍ର ସେମାନେ ଶିକ୍ଷିତ ପଦବାଚ୍ୟ। ସି.ପି. ରାମସ୍ବାମୀଙ୍କ ମତରେ ସେମାନଙ୍କ ସାକ୍ଷରତା ଦୃଷ୍ଟିମୂଳକ ନ ହୋଇପାରେ, କିନ୍ତୁ କର୍ଣ୍ଣମୂଳକ।

ସାମ୍ପ୍ରତିକ ତଥାକଥିତ ଶିକ୍ଷିତମାନଙ୍କ କଥା ଚିନ୍ତା କଲେ ଏକ ପୁୁରୁଣା କାହାଣୀ ମନେପଡ଼େ। ଜଣେ ବିଶିଷ୍ଟ ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କ ଘରକୁ ଯାଇଥିଲେ ଜଣେ ତରୁଣୀ। ଭଦ୍ରଲୋକଙ୍କ ପତ୍ନୀ ତରୁଣୀଙ୍କୁ ଘର ଭିତରକୁ ପାଛୋଟିନେଲେ। ତରୁଣୀ ଲକ୍ଷ୍ୟକଲେ ଘର ଭିତରେ ଗୋଟିଏ କୋଠରିରେ ବୃଦ୍ଧ ଗୃହସ୍ବାମୀ ଅନ୍ୟ କେତେଜଣ ବୃଦ୍ଧଙ୍କ ସହ ତାସ୍‌ ଖେଳୁଛନ୍ତି। ମାତ୍ର ଅନେକ ସମୟ ଲକ୍ଷ୍ୟ କଲା ପରେ ସେ ଜାଣିଲେ ଯେ ତାହା ସାଧାରଣ ତାସ୍‌ ଖେଳ ନଥିଲା। ଏଣୁ ସେ ଭଦ୍ରଲୋକଙ୍କ ସ୍ତ୍ରୀଙ୍କୁ ପଚାରିଲେ, ‘ମଉସା ସେଠି କି ଖେଳ ଖେଳୁଛନ୍ତି?’ ବୃଦ୍ଧା କହିଲେ, ‘କ’ଣ କହିବି ଝିଅ, ତୋ ମଉସା ପ୍ରତିଦିନ ଏହି ସମୟରେ ତାଙ୍କ ସାଙ୍ଗମାନଙ୍କ ସହ ଜୁଆ ଖେଳନ୍ତି। କହିଲୁ ଝିଅ, ଏ ଜୁଆ ଖେଳଠାରୁ ଆହୁରି, ଖରାପ ଅଭ୍ୟାସ କ’ଣ ଅଛି? ମୁଁ ସବୁବେଳେ ଡରୁଥାଏ ଏ ଜୁଆଖେଳର ପରିଣତିକୁ।’ ତରୁଣୀ କହିଲେ, ‘ଯଦି ଆପଣ ଜୁଆଖେଳର ପରିଣତି ବିଷୟରେ ଡରୁଛନ୍ତି ମଉସାଙ୍କୁ ଜୁଆ ଖେଳିବାକୁ ମନା କରୁନାହାନ୍ତି କାହିଁକି?’ ବୃଦ୍ଧା କହିଲେ, ‘କଥା କ’ଣ କି ଝିଅ। ତୋ ମଉସା ପ୍ରାୟ ସବୁବେଳେ ଜିତନ୍ତି।’ ବୃଦ୍ଧା ଜୁଆଖେଳ ଖରାପ ଜାଣି ସୁଦ୍ଧା ତା’ ବିରୋଧରେ ସ୍ବର ଉତ୍ତୋଳନ କରୁନଥିଲେ, କାରଣ ତଦ୍ଦ୍ବାରା ତାଙ୍କ ପରିବାରର ଧନ ବଢ଼ୁଛି। ଏହି ବୃଦ୍ଧାଙ୍କ ଭଳି ବହୁ ଶିକ୍ଷିତ ବ୍ୟକ୍ତି ନିଜ ଅଭ୍ୟାସକୁ ସାମାଜିକ ଆଦର୍ଶ ଦୃଷ୍ଟିରୁ ଗର୍ହିତ ବୋଲି ଜାଣି ସୁଦ୍ଧା ତାହା ଯଦି ବ୍ୟକ୍ତିଗତ ଭାବରେ ଲାଭଦାୟକ ତେବେ ସେମାନେ ସେହି କାର୍ଯ୍ୟକୁ ଆଦରି ନେବାରେ କୁଣ୍ଠାବୋଧ କରନ୍ତି ନାହିଁ। ଆଜିର ଅଧିକାଂଶ ଶିକ୍ଷିତ ବ୍ୟକ୍ତି ଏହି ପର୍ଯ୍ୟାୟର। କେଉଁ କାର୍ଯ୍ୟ ନୈତିକ ଓ କେଉଁ କାର୍ଯ୍ୟ ଅନୈତିକ ଏ କଥା ବୁଝିବା ପାଇଁ ତାଙ୍କର ଯଥେଷ୍ଟ ଜ୍ଞାନଥାଏ। ତଥାପି ବ୍ୟକ୍ତିଗତ ସମୃଦ୍ଧି ପାଇଁ ଏମାନେ ନୈତିକ ମୂଲ୍ୟବୋଧକୁ ବଳି ଦିଅନ୍ତି ଏବଂ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ରହନ୍ତି। ଏମାନେ ଉଚ୍ଚଶିକ୍ଷା ପ୍ରମାଣପତ୍ର ହାସଲ କରିଥାନ୍ତି ଓ କଠିନ ମେଧା ପରୀକ୍ଷାରେ ବି ଉତ୍ତୀର୍ଣ୍ଣ ହୋଇଥାଆନ୍ତି। ଏମାନେ ମେଧାବୀ, ମାତ୍ର ଏମାନଙ୍କ ଅନୈତିକ କାର୍ଯ୍ୟ ଓ ଦୁଶ୍ଚରିତ୍ର ଦେଖିଲେ ଏତିକି ନିଶ୍ଚୟ କହିହେବ ଯେ ଏମାନେ ଶିକ୍ଷିତ ନୁହନ୍ତି। ଯିଏ ପ୍ରକୃତରେ ଶିକ୍ଷିତ ସେ ଉଚ୍ଛୃଙ୍ଖଳ, ବର୍ବର ଓ ଦୁର୍ନୀତିଗ୍ରସ୍ତ ହୋଇପାରିବ ନାହିଁ। ଯେତେବେଳେ ମେଧାବୀମାନେ ନିଜ ମେଧାକୁ ଏକ ଶୃଙ୍ଖଳିତ ଓ ନୈତିକ ମାର୍ଗରେ ବ୍ୟବହାର କରନ୍ତି, ସେତେବେଳେ ସେମାନେ ଶିକ୍ଷିତ ପଦବାଚ୍ୟ ହୁଅନ୍ତି।

Comments are closed.