ସଂସ୍କାର ଅପେକ୍ଷାରେ ଓଡ଼ିଶା କଂଗ୍ରେସ

ଲଳିତ ମୋହନ ମିଶ୍ର

ଓଡିଶାର ରାଜନୈତିକ ପରିସ୍ଥିତିକୁ ବିଶ୍ଳେଷଣ କଲେ ଦେଖାଯାଏ ଯେ, ସ୍ବାଧୀନତା ପରଠାରୁ ମାର୍ଚ୍ଚ ୨୦୦୦ ପର୍ଯ୍ୟନ୍ତ ଅର୍ଦ୍ଧାଧିକ ସମୟ ରାଜ୍ୟ ଶାସନରେ ଥିବା କଂଗ୍ରେସ ଦଳ ୨୦୦୦ ବିଧାନସଭା ନିର୍ବାଚନ ପରଠାରୁ ଆଉ ରାଜ୍ୟ ଶାସନକୁ ଫେରି ନପାରି ଏକ ପ୍ରକାର ରାଜନୈତିକ ନିର୍ବାସନରେ ଅଛି। ସମସ୍ତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସ ଏହାର ସଭାପତି ପରିବର୍ତ୍ତନ କରି ନିର୍ବାଚନ ରଣନୀତି ପ୍ରସ୍ତୁତ କଲେ ବି ଓଡିଶା ଲୋକଙ୍କର ବିଶ୍ବାସଭାଜନ ହୋଇପାରୁନାହିଁ। ୨୦୧୪ ସାଧାରଣ ନିର୍ବାଚନର ପରାଜୟ ପରେ, କଂଗ୍ରେସ ଦଳ କାଳ ବିଳମ୍ବ ନ କରି ସେହି ବର୍ଷ ରାଜ୍ୟ ସଭାପତି ପରିବର୍ତ୍ତନ କରି ୨୦୧୭ ପଞ୍ଚାୟତ ନିର୍ବାଚନକୁ ସମ୍ମୁଖୀନ ହୋଇଥିବାବେଳେ, ୨୦୧୯ ସାଧାରଣ ନିର୍ବାଚନର ସର୍ବାଧିକ ବିପର୍ଯ୍ୟୟ ପରେ ୨ ବର୍ଷ ବିତିଗଲେ ବି ଦଳ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବା ଲକ୍ଷ୍ୟ କରାଯାଉ ନାହିଁ।

କେନ୍ଦ୍ରରେ କଂଗ୍ରେସ ସର୍ବପୁରାତନ ରାଜନୈତିକ ଦଳ ହେଲେ ବି ଗଣତାନ୍ତ୍ରିକ ପରିବର୍ତ୍ତନଶୀଳ ଶାସନ ବ୍ୟବସ୍ଥାରେ ଏବେ ବି ପ୍ରଭାବୀ ଢଙ୍ଗରେ ଅଂଶଗ୍ରହଣ କରିଚାଲିଛି। ୨୦୦୪ରୁ ୨୦୧୪ ଯାଏ ଦଳ ଦେଶର ଶାସନ ଦାୟିତ୍ବରେ ରହିବାପରେ ଏବେ କେନ୍ଦ୍ରରେ ପ୍ରମୁଖ ବିରୋଧୀ ଦଳର ଭୂମିକାରେ ଥାଇ କେନ୍ଦ୍ର ସରକାରଙ୍କର ନୀତି ଓ କାର୍ଯ୍ୟକ୍ରମକୁ ଦୈନିକ ସମାଲୋଚନା ଓ ବିରୋଧ କରୁଛି। ଏହା ସହିତ, କରୋନା ସମୟରେ ପୀଡିତ ଲୋକଙ୍କୁ ଅମ୍ଳଜାନ ଯୋଗାଣ ଓ ଅନ୍ୟାନ୍ୟ ସାହାଯ୍ୟ ଜାରି ରଖି ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛି। ଯଦିଓ ସୁବିଧାବାଦୀ ନେତାମାନେ ଦଳ ଛାଡୁଛନ୍ତି ଏବଂ ସୁବିଧାବାଦୀ ଗଣମାଧ୍ୟମ ଶାସକ ଦଳ ବଦଳରେ କଂଗ୍ରେସକୁ ସମାଲୋଚନା କରୁଛନ୍ତି ଏବଂ ରାମଚନ୍ଦ୍ର ଗୁହାଙ୍କ ପରି ରାଜନୈତିକ ସମାଲୋଚକମାନେ ବିଜେପି ଆଧାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରୁଛନ୍ତି, ତଥାପି ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ନିଜ ସ୍ଥିତିରେ ଦ୍ରୁତ ଉନ୍ନତି ଆଣିବା ଲକ୍ଷ୍ୟ କରାଯାଉଛି। ଏହା ସହିତ, ଆସନ୍ତା ବିଧାନସଭା ନିର୍ବାଚନରେ, ରାଜ୍ୟମାନଙ୍କରେ କଂଗ୍ରେସ ପୂର୍ବ ଅପେକ୍ଷା ଅଧିକ ଭଲ ପ୍ରଦର୍ଶନ କରିବ ବୋଲି ଆକଳନ କରାଯାଉଛି।

ଓଡିଶା କଂଗ୍ରେସ ପାଇଁ ଅନ୍ୟ ଏକ ସମସ୍ୟା ହେଲା ଏହା ଏକାକୀ ରାଜ୍ୟରେ ନିର୍ବାଚନ ଲଢି କ୍ଷମତାକୁ ଆସିବାକୁ ପଡିବ, କାରଣ ରାଜ୍ୟରେ ଏହାର କୌଣସି ସହଯୋଗୀ ଦଳ ନାହାନ୍ତି। ୨୦୧୯ରେ ଦଳ ବାମପନ୍ଥୀଙ୍କ ସହିତ ଆସନ ବୁଝାମଣା କରି କିଛି ଲାଭ ପାଇଲା ନାହିଁ। କଂଗ୍ରେସର ଶୀର୍ଷ ନେତୃତ୍ବ ଯେ ଓଡ଼ିଶାରେ ନେତୃତ୍ୱ ପରୀକ୍ଷଣ କରୁ ନାହାନ୍ତି ତା’ ନୁହେଁ। ଓଡ଼ିଶାର ବିଭିନ୍ନ ଜାତିର, ଶ୍ରେଣୀର, ବୟସର, ଅଞ୍ଚଳର ନେତାମାନଙ୍କୁ ଦଳ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, କାର୍ଯ୍ୟକାରୀ କମିଟି ସଦସ୍ୟ, ବିଭିନ୍ନ ରାଜ୍ୟର ପ୍ରଭାରୀ ଓ ସହପ୍ରଭାରୀ, ଜାତୀୟ ପ୍ରବକ୍ତା, ରାଜ୍ୟ ସଭାପତି ଓ ଉପସଭାପତି, ରାଜ୍ୟର କଂଗ୍ରେସ ଶାଖାମାନଙ୍କର ମୁଖ୍ୟ ପ୍ରଭୃତି ପଦ ବିଭିନ୍ନ ସମୟରେ ପ୍ରଦାନ କରି ଆସୁଅଛି; କିନ୍ତୁ କୌଣସି କାରଣରୁ ଏହି ପଦକ୍ଷେପଗୁଡିକର ପ୍ରଭାବ ରାଜ୍ୟରେ କଂଗ୍ରେସର ନିର୍ବାଚନୀ ସ୍ଥିତି ପରିବର୍ତ୍ତନରେ ସାହାଯ୍ୟ କରୁନାହିଁ।

ରାଜ୍ୟ କଂଗ୍ରେସର ସାଂଗଠନିକ ଏବଂ ନିର୍ବାଚନୀ ଦୁର୍ବଳତା ଯାହା ଅଛି, ତାହା ଦଳ ଜାଣିନାହିଁ ବୋଲି ଭାବିବା ଭୁଲ ହେବ। ଦଳ ବିଭିନ୍ନ ଦୁର୍ବଳତାର ସଂଶୋଧନ ପାଇଁ ପଦକ୍ଷେପ ନେଇ ପାରୁନଥିବା ଲକ୍ଷ୍ୟ କରାଯାଉଛି। ଦଳର ଆମୂଳଚୂଳ ପରିବର୍ତ୍ତନ କରିବା ପାଇଁ ପ୍ରଥମେ ରାଜ୍ୟ କଂଗ୍ରେସ ଏହାର ସଭାପତି ଦାୟିତ୍ବ ଯୁବଗୋଷ୍ଠୀର ଜଣେ ପ୍ରଭାବଶାଳୀ ନେତାଙ୍କୁ ପ୍ରଦାନ କରିବା ଆବଶ୍ୟକ। ଅତ୍ୟଧିକ ପ୍ରତିଯୋଗୀ ପରିବେଶରେ ଗତ ନିର୍ବାଚନ ଜିତିଥିବା ଜଣେ ଯୁବ ବିଧାୟକ କିମ୍ବା ସାଂସଦଙ୍କୁ ଯଦି ଏହି ଦାୟିତ୍ବ ଦିଆଯାଏ, ତେବେ ବୋଧହୁଏ ତାଙ୍କୁ ଯୁବବର୍ଗ ଓ ଜନସାଧାରଣଙ୍କଠାରୁ ଅଧିକ ସମର୍ଥନ ମିଳିବ ଏବଂ ସେ ବିଭିନ୍ନ ରାଜ‌େ​‌ନୖତିକ ବିରୋଧ ସମୟରେ ଅଧିକ ପ୍ରୋଟୋକଲ୍ ସୁବିଧା ପାଇପାରିବେ। ରାଜ୍ୟ ସଭାପତି ଏକ କମିଟି ଗଠନକରି ଓ ଲୋକଙ୍କ ବିଶ୍ୱାସ ଜିତିବା ପାଇଁ, କୌଣସି ବିଶାରଦଙ୍କ ପରାମର୍ଶ ନେଇ, ଦଳ ପାଇଁ ୨୦୨୧-୨୦୨୪ ସାଙ୍ଗଠନିକ ସଂସ୍କାର ଯୋଜନା ପ୍ରସ୍ତୁତ କରି ତାହା କାର୍ଯ୍ୟ କରିପାରିବେ, ଯେଉଁଥିରେ ଦଳର ଓଡ଼ିଶା ପାଇଁ ବିକାଶ ସ୍ବପ୍ନ, ନୀତି ଓ ଆଦର୍ଶ, କାର୍ଯ୍ୟପନ୍ଥା, ନେତୃତ୍ବ ଢାଞ୍ଚା, ନେତୃତ୍ବ ବ୍ୟବସ୍ଥା, ମାନବ ଓ ଆର୍ଥିକ ସମ୍ବଳ ଯୋଜନା, ସମସ୍ତ ନିର୍ବାଚନ ରଣନୀତି ପ୍ରଭୃତି ବିଷୟ ସ୍ଥାନ ପାଇବ; କିନ୍ତୁ ଏହା ଅତୀତରେ ହୋଇନାହିଁ।

ଓଡିଶା କଂଗ୍ରେସ, କେନ୍ଦ୍ର ନେତୃତ୍ବଠାରୁ ଅନେକ ଶିକ୍ଷା କରିପାରିବ। ବିରୋଧୀମାନେ କଂଗ୍ରେସର ଶୀର୍ଷ ନେତୃତ୍ବ କେବଳ ପରିବାରବାଦ ଉପରେ ପ୍ରତିଷ୍ଠିତ ବୋଲି ମତ ଦେଲେ ବି କେବଳ ନେତାଙ୍କ ବ୍ୟକ୍ତିଗତ ଓଜନରେ ଓ ପରିବାର ପ୍ରଭାବରେ ଗୋଟିଏ ଦଳ ବହୁ ଦିନ ନିର୍ବାଚନ ଜିତିପାରେ ନାହିଁ ବୋଲି ସମସ୍ତେ ଜାଣନ୍ତି। ସେମିତି ହୋଇଥିଲେ ଲୋକେ ଜରୁରୀକାଳୀନ ପରିସ୍ଥିତିରେ ତତ୍କାଳୀନ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧିଙ୍କୁ ନିର୍ବାଚନରେ ପ୍ରତ୍ୟାଖ୍ୟାନ କରିନଥାନ୍ତେ। କଂଗ୍ରେସ ଦଳ ସ୍ବାଧୀନତା ପରଠାରୁ ଗାନ୍ଧିଜୀଙ୍କ ମୌଳିକ ବିଚାରକୁ ନେଇ ଚାଲିବା ଆରମ୍ଭ କଲା, ଯାହାକି ଆଜି ପର୍ଯ୍ୟନ୍ତ ଅନୁସରଣ କରୁଛି। ଧର୍ମନିରପେକ୍ଷତା, ସାମ୍ୟବାଦୀ-ପୁଞ୍ଜିବାଦ, ଦରିଦ୍ର ଓ ପଛୁଆ ବର୍ଗର ବିକାଶ, ଗଣତାନ୍ତ୍ରିକ ମୂଲ୍ୟବୋଧ, ପ୍ରଭୃତି କେତେକ ଆଦର୍ଶକୁ ଦଳ ସର୍ବଦା ଗୁରୁତ୍ୱ ଦେବା ଦେଖାଯାଉଛି। ଓଡିଶା କଂଗ୍ରେସ କିନ୍ତୁ ଦଳପାଇଁ ଏକ ଆଦର୍ଶ ରଖି ପାରିଲାନାହିଁ, ଯଦିଓ ଦଳ ଆଗରେ ଏହାର ପ୍ରଥମ ସଭାପତି ତଥା ଓଡ଼ିଶାର ଗାନ୍ଧୀରୂପେ ପରିଚିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଥିଲେ । ଏହା ନହେବା ଫଳରେ ଓଡିଶା କଂଗ୍ରେସ କାଳକ୍ରମେ ନେତାଙ୍କ ବ୍ୟକ୍ତିଗତ ପ୍ରଭାବରେ ନିର୍ବାଚନ ଲଢିବା ଓ ଜିତିବା ଆରମ୍ଭ କଲା। ନେତା ଦଳ ଛାଡି ଦେବାରୁ ବା ନେତୃତ୍ବ ଦୁର୍ବଳ ହେବାରୁ ଦଳ ନିମ୍ନମୁଖୀ ହେଲା। ନେହେରୁ, ଇନ୍ଦିରା, ରାଜୀବ, ନରସିଂହ ରାଓ, ଡଃ ମନମୋହନ ସିଂ, ରାହୁଲ ଗାନ୍ଧୀ ପ୍ରଭୃତି ଶୀର୍ଷ ନେତୃତ୍ବଙ୍କ ସମୟରେ ଓଡିଶା କଂଗ୍ରେସର ନୀତି ଆଦର୍ଶର ରୂପରେଖ ରାଜ୍ୟପାଇଁ କ’ଣ ହେବ ତାହାର ଏକ ସ୍ପଷ୍ଟ ଚିତ୍ର ଦଳ ରାଜ୍ୟର ଜନତାଙ୍କ ଆଗରେ ଉତ୍‌ଥାପନ କଲାନାହିଁ ଓ ରାଜ୍ୟରେ ଦଳର ସମର୍ଥକ ଗୋଷ୍ଠୀ ସମୂହଙ୍କୁ ଚିହ୍ନଟ କରିପାରିଲା ନାହିଁ। ତେଣୁ ସ୍ବାଭାବିକ ଭାବେ ଦଳର ରାଜନୈତିକ ଭିତ୍ତିଭୂମି ରାଜ୍ୟରେ ଦୁର୍ବଳ ହେବାକୁ ଲାଗିଲା । ଏବେ ବି କେନ୍ଦ୍ରରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ନେତାଙ୍କର କେନ୍ଦ୍ର ସରକାରଙ୍କ ନୀତିର ଦୈନିକ ସମାଲୋଚନାର ତୋଫାନ ରାଜ୍ୟ କଂଗ୍ରେସରେ ଦେଖିବାକୁ ମିଳୁନାହିଁ। ଅନ୍ୟ ପକ୍ଷରେ କେନ୍ଦ୍ର-ଢାଞ୍ଚାରେ ଦଳ, ବିରୋଧୀଦଳ ଭୂମିକାରେ ରାଜ୍ୟ ସରକାରଙ୍କୁ ଦୈନିକ ସମାଲୋଚନା ଓ ପ୍ରତିବାଦ କରିପାରୁ ନାହିଁ।

ଯେଉଁମାନେ ସରକାରଙ୍କଠାରୁ ଓ ସରକାରୀ ଦଳରୁ ସୁବିଧା ପାଆନ୍ତି ନାହିଁ ବା ସରକାରୀଦଳ ଦ୍ବାରା ଉପେକ୍ଷିତ ବା ନିର୍ଯାତିତ ହୋଇଥାନ୍ତି ସେମାନେ ହିଁ ବିରୋଧୀ ଦଳର ମାନବ ସମ୍ବଳର ମୂଳଦୁଆ ହୋଇଥାନ୍ତି। ଲୋକେ କଂଗ୍ରେସ ନେତାଙ୍କ ଉପରେ ସେତେବେଳେ ଭରସା କରିବେ, ଯେତେବେଳେ କଂଗ୍ରେସ ନେତା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମକୁ ତଥା ଅଣକଂଗ୍ରେସ ସଂାସଦ ଓ ବିଧାୟକଙ୍କ କାର୍ଯ୍ୟକୁ କଡ଼ାକଡ଼ି ସମାଲୋଚନା ଓ ପ୍ରତିବାଦ କରିବେ । ଏହିପରି କାର୍ଯ୍ୟକଳାପ କରି ଗତ ନିର୍ବାଚନରେ ୯ କଂଗ୍ରେସ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏବେ ସମସ୍ତ ଦଳ ଯୁବବର୍ଗଙ୍କୁ ଅଧିକ ଗୁରୁତ୍ବ ଦେଉଛନ୍ତି । କଂଗ୍ରେସ ସର୍ବ ଭାରତୀୟ ସ୍ତରରେ ଯୁବ ବର୍ଗକୁ ଅଧିକରୁ ଅଧିକ ସାମିଲ କରିବା ମଧ୍ୟ ଲକ୍ଷ୍ୟ କରାଯାଉଛି।

୨୦୦୦ରୁ ୨୦୧୪ ନିର୍ବାଚନ ପର୍ଯ୍ୟନ୍ତ ବିଜେଡି, ଓଡିଶା କଂଗ୍ରେସର ଏକମାତ୍ର ନିର୍ବାଚନୀ ପ୍ରତିଦ୍ବନ୍ଦ୍ବୀ ଥିବାବେଳେ, ୨୦୧୯ ନିର୍ବାଚନ ପରେ ବିଜେପି ଦ୍ବିତୀୟ ପ୍ରତିଦ୍ବନ୍ଦ୍ବୀ ଭାବେ ଯୋଡି ହୋଇଯାଇଛି। ଫଳରେ ୨୦୧୯ ନିର୍ବାଚନରେ କଂଗ୍ରେସର ବିଧାନସଭା ଆସନ ସଂଖ୍ୟା ୯ ଓ ଭୋଟ ହାର ୧୫ %ରେ ପହଞ୍ଚିଛି । ୨୦୧୨ ପଞ୍ଚାୟତ ନିର୍ବାଚନରେ ୮୫୪ ଜିଲା ପରିଷଦ ଆସନରୁ ୧୭୮ଟି ଆସନ ପାଇଥିବା କଂଗ୍ରେସ ୨୦୧୭ ପଞ୍ଚାୟତ ନିର୍ବାଚନରେ ପ୍ରାୟ ୬୦ ଜିଲା ପରିଷଦ ଆସନକୁ ଖସି ଆସିଥିଲା। ପ୍ରତ୍ୟେକ ନିର୍ବାଚନ ବିରୋଧୀଙ୍କୁ କ୍ଷମତାକୁ ଆସିବାକୁ ସୁଯୋଗ ଦେବାବେଳେ, ସାଙ୍ଗଠନିକ ସଂସ୍କାରରେ ଅଧିକ ବିଳମ୍ବ ରାଜ୍ୟ କଂଗ୍ରେସ ପାଇଁ ଆଗାମୀ ବିଭିନ୍ନ ନିର୍ବାଚନରେ ଘାତକ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦିଅନ୍ତି। ଓଡିଶା ଭିତରେ ଏବଂ ଅନ୍ୟ ରାଜ୍ୟରେ ଅନେକ ସଫଳ ନମୁନା ଅଛି ଯେଉଁଠାରୁ ଓଡିଶା କଂଗ୍ରେସ ଶିଖିପାରିବ।

Comments are closed.