କରୋନାର କ୍ଷତ ଓ କ୍ଷତି

ପ୍ରବୋଧ କୁମାର ମିଶ୍ର

ବିଶ୍ବରେ ବିପତ୍ତି ଜନ୍ମାଇଥିବା ‘କରୋନା’ର ଦ୍ବିତୀୟ ଲହର ଭାରତରେ ଖାଣ୍ଡବ ବନ ଦହନ ଭଳି ବିପର୍ଯ୍ୟୟ ଘଟାଇ ଏବେ ନଇଁ ଆସିଛି। ଓଡ଼ିଶା ସରକାର ପ୍ରଥମ ଅବସ୍ଥାରୁ କଠୋର କଟକଣା ଜାରି କରିବା ଫଳରେ ‘କରୋନା’ ଶକ୍ତି ହରାଉଥିବା ଦେଖାଯାଏ। ତାଲାବନ୍ଦ, ସପ୍ତାହାନ୍ତ ବନ୍ଦ ଓ ସାନ୍ଧ୍ୟ ଆଇନ ଲାଗୁ କରିବା ସଙ୍ଗେସଙ୍ଗେ ଲୋକଙ୍କୁ ଜାଗ୍ରତ ଓ ସଚେତନ କରିବା ଏବଂ ଆଇନ ଓ କଟକଣା ଭାଙ୍ଗୁଥିବା ଅମାନିଆଙ୍କୁ ତାଗିଦା କରିବା ଫଳରେ କରୋନା ହ୍ରାସ ପାଉଥିବା ଆନନ୍ଦର କଥା।

ଲକ୍ଷ୍ୟ କଲେ ଜଣାଯାଏ ଯେ, କରୋନା କାଳରେ ଜନସାଧାରଣ ଜୀବନ ଓ ଜୀବିକା ପାଇଁ ଲଢ଼େଇ କରିଚାଲିଛନ୍ତି। କଠୋର କରୋନା କଟକଣା ଭିତରେ ଗରିବ ଓ ମଧ୍ୟବିତ୍ତ ପରିବାର ବେଶ୍ ନାକେଦମ୍‌ ହେଉଛନ୍ତି। ରୋଗ ସହ ଲଢ଼ିବା ସାଙ୍ଗକୁ ବଞ୍ଚିବାପାଇଁ ଅର୍ଥ, ଖାଦ୍ୟପେୟ ବ୍ୟବସ୍ଥା ଅନେକ କ୍ଷେତ୍ରରେ ଦୟନୀୟ ଅବସ୍ଥା ସୃଷ୍ଟି କରିଛି। କରୋନାରେ କେତେକ ନବବଧୂଙ୍କ ମଥାରୁ ସିନ୍ଦୁର ଲିଭିଯିବା, କେଉଁଠି ନୂତନ ଦାମ୍ପତ୍ୟ ଜୀବନରେ ଯବନିକାପାତ ଘଟିବା, କେଉଁଠି ପିତାପୁତ୍ରଙ୍କ ଜୁଇ ଏକାଠି ଜଳିବା ଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଅମ୍ଳଜାନ ଅଭାବରୁ କେତେକଙ୍କ ପ୍ରାଣହାନି ଘଟିବା, କେଉଁଠି ଚିକିତ୍ସାଳୟର ବାରଣ୍ଡାରେ ରୋଗୀ ପଡ଼ିରହିବା ଆଦି ଦୁଃସହ ଘଟଣା ମଧ୍ୟ ଘଟିଛି। କରୋନାର ପ୍ରାଦୁର୍ଭାବ ମଣିଷର ମେରୁଦଣ୍ଡ ଦୋହଲାଇ ଦେଇଛି ତ କେଉଁଠି ପରିବାରରେ ଏକାଧିକ ଲୋକଙ୍କର ଜୀବନ ନେଇଛି।

ଏ କ୍ଷେତ୍ରରେ ସରକାର ଯଥାସମ୍ଭବ ଚିକିତ୍ସାକୁ ତ୍ବରାନ୍ବିତ କରିପାରିଛନ୍ତି। ଆଶ୍ଚର୍ଯ୍ୟ ଯେ ମୟୂରଭଞ୍ଜର ଗୋପବନ୍ଧୁ ନଗର ବ୍ଲକର ବସିବଣି ଗାଁକୁ କରୋନା ଯାଇପାରି ନାହିଁ। ଏହି ଗାଁ ବାହ୍ୟଜଗତରୁ ଅଲଗା ଜୀବନଯାପନ କରୁଛି ୭୦ ବର୍ଷ ଧରି।

ଅନ୍ୟ ଏକ ସମସ୍ୟା ହେଉଛି ଜନସାଧାରଣଙ୍କର ଜୀବନ ଯାତ୍ରା। କରୋନା କାଳରେ ବ୍ୟବସାୟ ବାଣିଜ୍ୟରେ ଅବନତି ଘଟିବା ସଙ୍ଗେସଙ୍ଗେ ଗ୍ରାମ୍ୟ ଅର୍ଥନୀତିରେ ଅବନତି ଘଟିଛି। ସହର ବଜାରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ପନିପରିବା ଓ ସଉଦା କ୍ରୟବିକ୍ରୟରେ ଅବ୍ୟବସ୍ଥା ଦେଖାଦେଇଛି। ସାଧାରଣଭାବେ ପନିପରିବା ଉତ୍ପାଦନକାରୀ ଲୋକେ ସେମାନଙ୍କର ବ୍ୟବସାୟ ଠିକଣା ଭାବରେ ଚଳାଇ ପାରିନାହାନ୍ତି। ଅନେକ କ୍ଷୁଦ୍ର ବ୍ୟବସାୟୀ ହନ୍ତସନ୍ତ ହୋଇ ବେପାର କରିଛନ୍ତି। ସରକାରଙ୍କ ସମୟସୀମାରୁ ଟପିଲେ ବେପାରୀଙ୍କ ପରିବାପତ୍ର ଅନେକ କ୍ଷେତ୍ରରେ ଆରକ୍ଷୀ ଫିଙ୍ଗାଫୋପଡ଼ା କରି ଦେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ଦକ୍ଷିଣ ଓଡ଼ିଶାର କେତେକ ଜିଲାରେ ବେପାରୀମାନେ ତାଙ୍କର ପନିପରିବା ବିକ୍ରି କରିବାର ସୁଯୋଗ ନ ପାଇବା ଫଳରେ ଏହା ପଚି ନଷ୍ଟ ହୋଇଯାଉଛି। ବରିଷ୍ଠ ବୃଦ୍ଧ ନାଗରିକମାନେ ସରକାରୀ କଟକଣା ଅନୁଯାୟୀ ଚାଲିଚାଲି ବହୁଦୂର ପରିବା ଓ ​ରେସନ ଆଣିବା ପାଇଁ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ରାଜଧାନୀର ୯ ନମ୍ବରରେ ପ୍ରାୟ ୮୦ ବର୍ଷର ବୃଦ୍ଧ ସାଇକଲ ଗଡ଼ାଇ ପରିବା ଆଣୁଥିବାବେଳେ ପୁଲିସ ତାଙ୍କୁ ତାଗିଦା କରିବା ଦେଖାଯାଇଛି। ସ୍ଥୂଳତଃ ପରିବା ଓ ​ସଉଦା ପାଇଁ ଯାଉଥିବା ବୃଦ୍ଧବୃଦ୍ଧାଙ୍କ ଦୟନୀୟତା ଦେଖିବାକୁ ମିଳିଛି। ବୁଲା ପରିବା ବିକାଳି, ଠେଲାଗାଡ଼ିରେ ଜିନିଷ ବିକୁଥିବା ଲୋକ ମଧ୍ୟ ପୁଲିସ ଦାଉରୁ ରକ୍ଷା ପାଇନାହାନ୍ତି। କରୋନା କାଳରେ ବ୍ୟବସାୟଗତ ମାନ୍ଦା ଅବସ୍ଥା ଅତି ଗରିବ ଲୋକଙ୍କ ପାଇଁ ହିନସ୍ତା ଆଣିଛି। ସଉଦା ଓ ପରିବା ସଂଗ୍ରହ ଏବଂ ଗ୍ରାମାଞ୍ଚଳର ଦୁର୍ବଳ ଅର୍ଥନୀତିରେ ଏକପ୍ରକାର କରୋନାର ଅବଦାନ ବୋଲି କହିବାକୁ ହେବ। ରାଜଧାନୀରେ ଦୋକାନରେ କେଶ କାଟିବା, ସାଧାରଣ ଲୋକଙ୍କ ପାଇଁ ହୋଟେଲ୍‌ ବ୍ୟବସ୍ଥା, ପିଇବାପାଣି ବ୍ୟବସ୍ଥା ନଥିବା ଫଳରେ ହତାଶା ଦେଖାଦେଇଛି।

କରୋନା କାଳରେ ଅନେକଙ୍କ ଭିତରେ ମାନସିକ ଅବସାଦ, ସ୍ପୃହାହୀନତା, ଭୟ ଓ ଆଶଙ୍କା କରୋନାର ଅନ୍ୟ ଏକ ଅବଦାନ ବୋଲି କହିବାକୁ ହେବ। କର୍ମ ପ୍ରବଣତା ସାଙ୍ଗକୁ ଧର୍ମ ପ୍ରବଣତା ମଧ୍ୟ ହ୍ରାସ ପାଇଛି। ମଣିଷ ମନର ସ୍ବାଭାବିକ ଆବେଗ ଓ ଉତ୍ସାହ ଶକ୍ତି ହ୍ରାସ ପାଇବା ଦ୍ବାରା ମଣିଷ ଅବସନ୍ନ ଓ ରୋଗାକ୍ରାନ୍ତ ହେବାର ଆଶଙ୍କା ମଧ୍ୟ ରହିଛି। ଆମ କ୍ଷୁଦ୍ର ମତରେ ସରକାରଙ୍କ ତାଗିଦା ଓ ନିୟମ ଯଥାର୍ଥ। ଏହା ସାଙ୍ଗକୁ ଲୋକଙ୍କ ଭିତରେ ଇଚ୍ଛା ଓ ଉତ୍ସାହ ବିବୋଧିନୀ ଶକ୍ତି ଜାଗ୍ରତ କରିବାକୁ ହେବ। ରୋଗୀଙ୍କୁ ସାହସ ଓ ନିର୍ଭୟତା ଦେବାର ମଧ୍ୟ ଆବଶ୍ୟକତା ରହିଛି।

ଏ କ୍ଷେତ୍ରରେ ସମ୍ବେଦନଶୀଳ, ମାନବବାଦୀ ବିଶ୍ବାସ ଓ ଆଶ୍ବାସନା ମିଳିବା ଜରୁରୀ। ଆଜିର ଆହ୍ବାନ ହେଉଛି ଆମକୁ ଦୃଢ଼ ମନୋବଳ ନେଇ ଏହି ସଂକ୍ରାମକ ରୋଗ ସହିତ ଲଢ଼ିବାକୁ ଓ ଜିତିବାକୁ ପଡ଼ିବ। ଏଥିପାଇଁ ଆତ୍ମଜ୍ଞାନ ଓ ଧର୍ମଜ୍ଞାନ ଲୋଡ଼ା। ମଣିଷ ତନ୍ମୟୀ, ଚିନ୍ମୟୀ ଓ ମନ୍ମୟୀ ମନ୍ତ୍ରଶକ୍ତିରେ ଏଭଳି ବହୁ ମହାମାରୀକୁ ହଟାଯାଇପାରେ। ଏହାର ବ୍ୟାଖ୍ୟାନ ବଡ଼ ତାତ୍ପର୍ଯ୍ୟପୂର୍ଣ୍ଣ। ଜନସାଧାରଣ ମନ୍ତ୍ରଜପ, ଆହୁତି ଓ ଚଣ୍ଡୀପାଠ କଲେ ଏଭଳି ସଂକ୍ରମଣ ସଂକଟକୁ ଏଡ଼ାଇ ହେବ ବୋଲି ବିଶ୍ବାସ ରହିଛି; କାରଣ ଏହା ଆର୍ଷ ମୁନିମାନଙ୍କ ବିଚାର।

ଶେଷରେ ଆମର ଅନୁରୋଧ ସରକାର ବାହାଦୁର୍‌ ମଦ ଦୋକାନ ଖୋଲିଥିବା ବେଳେ ଦୟାକରି ଦେବଦେବୀ ମନ୍ଦିର ଖୋଲନ୍ତୁ ଏବଂ ଆଧ୍ୟାତ୍ମିକ ପୂଜାର୍ଚ୍ଚନା କରୋନା କଟକଣା ମଧ୍ୟରେ ଚାଲୁ ରଖାଯାଉ। ପାଠ କହେ, ‘ଦୈବ ବଳାନ୍ବିତଂ ନାନ୍ୟ ବଳଂ’।

Comments are closed.