ଜି-୭ ରାଷ୍ଟ୍ରଙ୍କ ଆଧିପତ୍ୟ କେତେଦିନ?

ଜନାର୍ଦ୍ଦନ ପତି

ଗ୍ରେଟ ବ୍ରିଟେନର କର୍ଣ୍ଣୱାଲ ସହରରେ ଗତ ୧୧-୧୩ ଜୁନ୍‍, ୨୦୨୧ରେ ଅନୁଷ୍ଠିତ ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ଗ୍ରେଟ ବ୍ରିଟେନ, ଫ୍ରାନ୍ସ, ଜର୍ମାନ, ଇଟାଲୀ ଓ ଜାପାନ ଆଦି ବିଶ୍ୱର ଧନଶାଳୀ ଦେଶଗୁଡ଼ିକୁ ନେଇ ଗଠିତ ଜି-୭ ଗୋଷ୍ଠୀର ୪୭ତମ ବୈଠକ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ବିଶ୍ୱର ଏହି ଧନୀ ରାଷ୍ଟ୍ରଗୁଡ଼ିକୁ ଯୁକ୍ତରାଷ୍ଟ୍ର ଆମେରିକା ଏକତ୍ର କରାଇ ନିଜର ପ୍ରାଧାନ୍ୟକୁ ସମଗ୍ର ବିଶ୍ୱରେ ବଜାୟ ରଖିବାକୁ ପଦକ୍ଷେପ ନେଇଛି। ଡୋନାଲଡ ଟ୍ରମ୍ପ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଥିବା କାଳରେ ସେ ‘ନାଟୋ’ ସାମରିକ ମେଣ୍ଟକୁ ଅଧିକ ପରିମାଣର ଅର୍ଥ ଯୋଗାଇବାକୁ ମନା କରି ୟୁରୋପକୁ ନିଜ ଅବସ୍ଥା ସମ୍ଭାଳିବାକୁ କହିଥିଲେ। ଫଳରେ ପଶ୍ଚିମ ୟୁରୋପର କେତେକ ଦେଶ ସହ ଯୁକ୍ତରାଷ୍ଟ୍ର ଆମେରିକାର ସଂପର୍କ ତିକ୍ତ ହୋଇଥିଲା। ଜୋ ବାଇଡେନ, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ହେବା ପରେ ବ୍ରସେଲଠାରେ ଅନୁଷ୍ଠିତ ‘ନାଟୋ’ ବୈଠକରେ ୟୁରୋପ, ତୁର୍କୀ ଓ କାନାଡାର ପ୍ରତିରକ୍ଷା ଦାୟିତ୍ୱ ଯୁକ୍ତରାଷ୍ଟ୍ର ଆମେରିକାର କର୍ତ୍ତବ୍ୟ ବୋଲି ସେ ଘୋଷଣା କରିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକା ସମେତ ଜି-୭ର ଦେଶମାନେ ବିଶ୍ୱରେ ଏକ ନୂଆ ନୀତି ପ୍ରଣୟନ କରିବାକୁ ଚାହୁଁଛନ୍ତି। ରାଷ୍ଟ୍ରସଂଘ (ୟୁଏନଓ)ର ୧୯୩ଟି ସଦସ୍ୟ ରାଷ୍ଟ୍ର ଉପରେ ବିଶ୍ୱର ଏହି ୭ଟି ଧନଶାଳୀ ରାଷ୍ଟ୍ରଙ୍କ ଆଧିପତ୍ୟ କିଛି ନୂଆ କଥା ନୁହେଁ। ପ୍ରଥମ ବିଶ୍ୱଯୁଦ୍ଧ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ଏହି ଦେଶଗୁଡ଼ିକ ମଧ୍ୟରେ ଆରମ୍ଭ ହୋଇଥିଲା। ସମଗ୍ର ବିଶ୍ୱକୁ ନିଜ ଭିତରେ ବାଣ୍ଟି ନେବା ପାଇଁ ସେମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରି ବିଶ୍ୱର ୩୦ଟି ଦେଶକୁ ଯୁଦ୍ଧ ଭିତରକୁ ଟାଣି ନେଇଥିଲେ। ଦ୍ୱିତୀୟ ବିଶ୍ବଯୁଦ୍ଧ ପରେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ‘ମାର୍ଶାଲ ପ୍ଲାନ’ ୧୯୪୮ରୁ ୧୯୫୨ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିଥିଲେ। ସେମାନେ ଭାବିଥିଲେ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସୋଭିଏତ ରୁଷ ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ; କାରଣ ଜର୍ମାନର ନାଜିି ସେନା ସୋଭିଏତ ୟୁନିୟନ ବିରୋଧରେ ୩୦ ଲକ୍ଷ ସୈନ୍ୟ, କମାଣ, ଟ୍ୟାଙ୍କ, ଯୁଦ୍ଧ ବିମାନ ନିୟୋଗ କରିଥିଲା। ମାତ୍ର ସୋଭିଏତ ବାହିନୀ ଜର୍ମାନ ଦଖଲ କରି ଜର୍ମାନ ପାର୍ଲାମେଣ୍ଟ ଉପରେ ଲାଲ ପତାକା ଉଡ଼ାଇ, ସମଗ୍ର ବିଶ୍ୱକୁ ଚକିତ କରି ଦେଇଥିଲେ। ସୋଭିଏତ ୟୁନିୟନକୁ ଜବତ କରିବା ପାଇଁ ସପ୍ତରଥୀ (ଜି-୭) ସମସ୍ତ ଶକ୍ତି ବିନିଯୋଗ କରିଥିଲେ।

ଏକବିଂଶ ଶତାବ୍ଦୀରେ ବିଶ୍ୱରେ ନୂଆ ପରିସ୍ଥିିତି ଦେଖାଦେଇଛି। ଏସିଆ ମହାଦେଶ ବିଶ୍ୱକୁ ପ୍ରଭାବିତ କରିବା ଆରମ୍ଭ କରିଛି। ଭାରତ, ଚୀନ, ଭିଏତନାମ, ଇଣ୍ଡୋନେସିଆ ଆଦି ଅଗ୍ରଗତି କରି ଚାଲିଛନ୍ତି। ଏସିଆର ବିଭିନ୍ନ ଦେଶ ମଧ୍ୟରେ ବିଦ୍ୱେଷର ମଞ୍ଜି ବୁଣି ଚାଲିଛି ଯୁକ୍ତରାଷ୍ଟ୍ର ଆମେରିକା। ଗତ ଶତାବ୍ଦୀର ୬୦ ଦଶକ, ୭୦ ଦଶକ ଓ ୮୦ ଦଶକରେ ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ବିପୁଳ ଅସ୍ତ୍ରଶସ୍ତ୍ର, ଏଫ-୧୬ ଲଢୁଆ ଯୁଦ୍ଧ ବିମାନ ଆଦି ଯୋଗାଇଥିଲା ଭାରତ ବିରୋଧରେ। ସେତେବେଳେ ଆମେରିକା, ସୋଭିଏତ ରୁଷକୁ ବିରୋଧ କରି ଚୀନ ସହିତ ମିତ୍ରତା କରିଥିଲା। ଆମେରିକାର ନେତା କିସିଙ୍ଗର ଚୀନ ଯାଇ ଚୀନ ସହିତ ସଂପର୍କ ବଢ଼ାଇଥିଲେ। ରାଷ୍ଟ୍ରସଂଘରେ ତାଇୱାନକୁ ହଟାଇ ଚୀନକୁ ୧୯୭୧ରେ ନିରାପତ୍ତା ପରିଷଦର ସ୍ଥାୟୀ ସଭ୍ୟ କରାଗଲା ଓ ଚୀନା ଲୋକମାନଙ୍କର ଏକମାତ୍ର ଦେଶ ଭାବେ ଚୀନକୁ ସ୍ୱୀକୃତି ପ୍ରଦାନ କଲା ରାଷ୍ଟ୍ରସଂଘ। ଏସବୁ ଘଟିଲା ଆମେରିକାର ସମ୍ମତି ଫଳରେ।

ସୋଭିଏତ ସଂଘକୁ ବିରୋଧ କରି, ସୋଭିଏତ ସମର୍ଥକ ଆଫଗାନିସ୍ଥାନର ରାଷ୍ଟ୍ରପତି ଡକ୍ଟର ନଜ୍ଜିବୁଲାଙ୍କୁ ଉଗ୍ରପନ୍ଥୀ ତାଲିବାନଙ୍କ ଦ୍ୱାରା ହତ୍ୟା କରି ତାଲିବାନକୁ ସାହାଯ୍ୟ କରିଥିଲା ଆମେରିକା। ତାପରେ ଗତ ଦୀର୍ଘ କୋଡିଏ ବର୍ଷ ତାଲିବାନମାନଙ୍କ ସହିତ ସଂଘର୍ଷ ପରେ, ସେମାନଙ୍କୁ ନିପାତ କରି ନ ପାରି ଏବେ ତାଲିବାନଙ୍କ ସହିତ ସନ୍ଧି କରିଛି ଯୁକ୍ତରାଷ୍ଟ୍ର ଆମେରିକା।
ସମଗ୍ର ବିଶ୍ୱ ପାଇଁ ନୀତି ନିର୍ଦ୍ଧାରଣ କରିବାର ଅଧିକାର କେବଳ ରହିଛି ରାଷ୍ଟ୍ରସଂଘର। ରାଷ୍ଟ୍ରସଂଘର ସଦସ୍ୟ ରାଷ୍ଟ୍ରଗୁଡ଼ିକ ବିଶାଳ ହୋଇପାରନ୍ତି ବା କ୍ଷୁଦ୍ର ହୋଇପାରନ୍ତି, ଅତିଧନୀ ବା ଅତି ଗରିବ ହୋଇପାରନ୍ତି, ମାତ୍ର ଏହି ସଂଗଠନ ହିଁ ସମଗ୍ର ବିଶ୍ୱ ପାଇଁ ନୀତିରାଜି ସ୍ଥିର କରିବ। କିନ୍ତୁ ରାଷ୍ଟ୍ରସଂଘକୁ ବାଦ ଦେଇ ବିଶ୍ୱରେ ସାତଟି ସାମ୍ରାଜ୍ୟବାଦୀ ରାଷ୍ଟ୍ର ଏକତ୍ର ହୋଇ ସମଗ୍ର ବିଶ୍ୱକୁ ନି‌େ‌ର୍ଦଶ ଦେବାକୁ ଆରମ୍ଭ କରିଛନ୍ତି।

ରୁଷର ରାଷ୍ଟ୍ରଦୂତ ଆନ୍ଦ୍ରେ ଡେନିସୋଭ ଏକ ସାକ୍ଷାତ୍‌କାରରେ ନିକଟରେ କହିଛନ୍ତି, ବିଶ୍ୱର ଯେ କୌଣସି ଦେଶର କ୍ଷୁଦ୍ରକ୍ଷୁଦ୍ର ଗୋଷ୍ଠୀ ସେମାନଙ୍କ ବୈଠକରେ କୌଣସି ନିର୍ଦିଷ୍ଟ ଦେଶ ସଂପର୍କରେ ଆଲୋଚନାବେଳେ ସଂପୃକ୍ତ ବୈଠକରେ ସେହି ଦେଶ ରହିବା ବାଞ୍ଛନୀୟ। ତାହେଲେ ସେହି ଦେଶ ନିଜର ବକ୍ତବ୍ୟ ଉପସ୍ଥାପନ କରିପାରିବ। ତା’ ନ ହେଲେ କେବଳ ତିକ୍ତତା ବୃଦ୍ଧି ପାଇବ। ଜି-୭ ବୈଠକରେ ଚୀନ ବିରୋଧରେ ହିଁ କେବଳ ଆଲୋଚନା ହୋଇଛି। ହଂକଂ, ଜିନଜିୟାଂଗ, ତାଇୱାନ ଓ ଦକ୍ଷିଣ ଚୀନ ସାଗର ସଂପର୍କରେ ଜି-୭ର ସଦସ୍ୟମାନେ ସେମାନଙ୍କର ମିିଳିତ ଘୋଷଣା ପ୍ରକାଶ କରିଛନ୍ତି; କିନ୍ତୁ ବିଶ୍ୱରେ ଦେଖା ଦେଇଥିବା ମହାମାରୀକୁ କିଭଳି ରୋକାଯିବ, ସେଥିପାଇଁ ବିଶ୍ୱର ସବୁ ପ୍ରମୁଖ ଦେଶଗୁଡ଼ିକର ସହଯୋଗ ନିଆଯାଇନାହିଁ।
ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶ ଯେ କରୋନାକୁ ରୋକିବା ପାଇଁ ସମଗ୍ର ବିଶ୍ୱ ନିମନ୍ତେ ୧୧୦୦ କୋଟି ଟିକା ଦରକାର। ଜି-୭ ଦେଶଗୁଡ଼ିକ ମାତ୍ର ୧୦୦ କୋଟି ଟିକା କଥା କହିଛନ୍ତି। କରୋନା ବ୍ୟତୀତ ପାଲେସ୍ତାଇନ, ଗାଜା, ମିଆଁମାର, ବେଲାରୁଷ, ଉତ୍ତର ଆୟାରଲ୍ୟାଣ୍ଡ ଆଦି ଗୁରୁତର ପ୍ରସଙ୍ଗ ଉପରେ ଜି-୭ ବୈଠକରେ ଆଲୋଚନା ନ କରିବା ଦର୍ଶାଏ ଯେ ସାମ୍ରାଜ୍ୟବାଦୀ ଦେଶଗୁଡ଼ିକର ନିଜସ୍ୱ ଇସ୍ତାହାରକୁ ସେମାନେ ବିଶ୍ୱ ଇସ୍ତାହାରରେ ପରିଣତ କରିବାକୁ ଉଦ୍ୟମରତ। କୋଭିଡ-୧୯ ଘଟଣା ପ୍ରମାଣ କରିଛି ଯେ, ଏସିଆ ମହାଦେଶର ଦେଶଗୁଡ଼ିକ ତୁଳନାରେ ୟୁରୋପ, ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରାଜିଲ ଆଦି ଦେଶ ମହାମାରୀକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି।

ଅର୍ଥନୈତିକ କ୍ଷେତ୍ରରେ ଜି-୭ ଦେଶଗୁଡ଼ିକ ବିଦ୍ୟୁତ୍‌, ଇସ୍ପାତ, ସିମେଣ୍ଟ, ମଟରକାର ନିର୍ମାଣରେ ଚୀନଠାରୁ ବହୁତ ପଛରେ। ଚୀନର ଅର୍ଥନୈତିକ ଅଗ୍ରଗତିକୁ ଯୁକ୍ତରାଷ୍ଟ୍ର ଆମେରିକା ରୋକିବାକୁ ଉଦ୍ୟମ କରିବା ଏକ ହୀନ ଦୃଷ୍ଟିଭଙ୍ଗୀର ପରିଚାୟକ। ଆମ ଦେଶରେ କେତେକ ଆମେରିକାର ଏହି ପଦକ୍ଷେପକୁ ଭୁରିଭୁରି ପ୍ରଶଂସା କରୁଛନ୍ତି। ମାତ୍ର ଆଉ କେଇ ବର୍ଷ ପରେ ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥନୀତିକୁ ଭାରତ ଟପିବା ଅବସ୍ଥାରେ ରହିବ, ସେତେବେଳେ ଏମାନେ କ’ଣ କହିବେ। ବିଶ୍ୱ ଅର୍ଥନୀତିକୁ ନିରୀକ୍ଷଣ କଲେ ଜଣାଯାଏ ଯେ, ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ବିଶ୍ୱ ବାଣିଜ୍ୟରେ ଭାରତର ଅଂଶ ୨୨% ଓ ଚୀନର ୨୪% ଅଂଶ ଥିଲାବେଳେ ୟୁରୋପ ଓ ଆମେରିକାର ଅଂଶ ୫%ରୁ କମ୍‍ ଥିଲା। ଊନବିଂଶ ଶତାବ୍ଦୀ ଓ ବିଂଶ ଶତାବ୍ଦୀର ଅଧା ସମୟ, ପ୍ରାୟ ୧୫୦ ବର୍ଷ ଧରି ଗ୍ରେଟ ବ୍ରିଟେନ ଓ ୟୁରୋପ ବିଶ୍ୱ ଅର୍ଥନୀତିକୁ ନିୟନ୍ତ୍ରଣ କରିଥିଲେ ଓ ଗତ ଅଶୀବର୍ଷ ଧରି ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱର ଏକ ନମ୍ବର ଅର୍ଥନୀତି ହୋଇ ରହିଅଛି। ମାତ୍ର ସବୁକାଳ ଧରି କୌଣସି ଦେଶ ସମଗ୍ର ବିଶ୍ୱକୁ କ’ଣ ନିୟନ୍ତ୍ରଣ କରି ରଖିପାରିବ?

ଜୁନରେ ଅନୁଷ୍ଠିତ ଜି-୭ ବୈଠକରେ ‘ବି୩ ବିଶ୍ୱ’ (ବି.୩.ଡବ୍ଲ୍ୟୁ) ଯୋଜନା ଅନୁସାରେ ୪୦ ଲକ୍ଷ କୋଟି ଡଲାର ୨୦୩୫ ସୁଦ୍ଧା ବ୍ୟୟ କରାଯାଇ ଚୀନର ‘ବେଲ୍ଟ ଆଣ୍ଡ ରୋଡ’ ଯୋଜନାକୁ ଭଣ୍ଡୁର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ବିଶ୍ୱ ଅର୍ଥନୀତିକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଓ ଜଳବାୟୁ ଏବଂ ପରିବେଶର ସୁରକ୍ଷା ପାଇଁ ତଥା ସନ୍ତ୍ରାସବାଦକୁ ଲୋପ କରିବା ପାଇଁ ବିଶ୍ୱର ଦୁଇ ଜନବହୁଳ ରାଷ୍ଟ୍ର ଚୀନ ଓ ଭାରତକୁ ବାଦ୍‌ ଦେବା କେବଳ ଅଯୌକ୍ତିକ ନୁହେଁ, ଏହା ସମ୍ଭବ ମଧ୍ୟ ନୁହେଁ। ତା’ଛଡ଼ା ୨୦୨୮ ସୁଦ୍ଧା ଚୀନ ବିଶ୍ୱର ଏକ ନମ୍ବର ଅର୍ଥନୀତିରେ ପରିଣତ ହେବ ବୋଲି ବିବିସି, ବିଶ୍ୱବ୍ୟାଙ୍କ ତଥା ମୁଦ୍ରାପାଣ୍ଠି ତରଫରୁ ଆକଳନ କରାଯାଇଛି। ସେହି ପଟ୍ଟଭୂମିରେ ସମଗ୍ର ବିଶ୍ୱରେ ଆଉ ଥରେ ଯୁଦ୍ଧ ଭିଆଇବା ପରିବର୍ତ୍ତେ ପରସ୍ପର ସହିତ ପରାମର୍ଶ ଓ ବିଚାର ଆଲୋଚନା ଅତ୍ୟନ୍ତ ଜରୁରୀ। ପାଶ୍ଚାତ୍ୟ ରାଷ୍ଟ୍ରସମୂହ ସହ ଚୀନର ଯୁଦ୍ଧ ହେଲେ ସମଗ୍ର ମାନବଜାତି ଲୋପ ପାଇଯିବ। ସାମ୍ରାଜ୍ୟବାଦୀମାନେ ଦୁଇଦୁଇ ଥର ଏଭଳି କାଣ୍ଡ ଭିଆଇଛନ୍ତି। ତୃତୀୟ ବିଶ୍ୱଯୁଦ୍ଧ ସମଗ୍ର ବିଶ୍ୱ ପାଇଁ ସମୂଳ ଧ୍ୱଂସକାରୀ ଯୁଦ୍ଧରେ ପରିଣତ ହେବ। ସାମ୍ରାଜ୍ୟବାଦୀମାନଙ୍କର ଯେଉଁ ପ୍ରସ୍ତୁତି ଚାଲିଛି, ତାହା ବିଶ୍ୱକୁ ଧ୍ୱଂସ କରିବା ପାଇଁ ଉଦ୍ଦିଷ୍ଟ। ଏଥିରୁ ସେମାନେ ନିବୃତ୍ତ ରହିବା ପାଇଁ ବିଶ୍ୱ ଜନଚେତନା ଅତି ଜରୁରୀ।

Comments are closed.