ତୈଳ ଦର ବୃଦ୍ଧି କାହା ସ୍ବାର୍ଥରେ?

ପ୍ରଭାସ ଆଚାର୍ଯ୍ୟ

ଅନେକ ଲୋକଙ୍କ ଘରେ ଗାଡ଼ିଗୁଡ଼ିକ ଏବେ କଳଙ୍କି ଧରିଗଲାଣି। ଦୁଇଚକିଆ ହେଉ କି ଚାରିଚକିଆ ହେଉ, ଗାଡ଼ି ପଦାକୁ ବାହାରିପାରୁନଥିବାରୁ ମାଲିକମାନେ ସେଥିରେ ହାତ ଲଗେଇବାର ଆବଶ୍ୟକତା ମଧ୍ୟ ଅନୁଭବ କରୁନାହାନ୍ତି। ତାଲାବନ୍ଦ, ସପ୍ତାହାନ୍ତ ବନ୍ଦ ସାଙ୍ଗକୁ ଘରୁ କାମ କରିବାର ନୂଆ ତରିକା ଏବେ ଲୋକଙ୍କୁ ପଦାକୁ ଯିବାପାଇଁ ରହିଥିବା ସୁଯୋଗକୁ ସଙ୍କୁଚିତ କରିଦେଇଛି। ସ୍କୁଲ, କଲେଜଠାରୁ ଆରମ୍ଭ କରି ବ୍ୟବସାୟ ବାଣିଜ୍ୟ ପ୍ରତିଷ୍ଠାନମାନ ଦୀର୍ଘଦିନ ଧରି ବନ୍ଦ ରହିବା ମଧ୍ୟ ଏହାର ଆଉ ଏକ କାରଣ। ବିଦ୍ୟାର୍ଥୀମାନଙ୍କ ଗାଡ଼ି ତ ପ୍ରାୟ ଦୁଇବର୍ଷ ଧରି ବନ୍ଦ ରହିଛି। ବସ୍‍, ଟ୍ରେନ୍‍ର ଯାତାୟାତ ଆଶା ବହିର୍ଭୂତ ଭାବରେ ଶୂନ କହିଲେ ଚଳେ। ତେଣୁ ଦେଶରେ ଲକ୍ଷଲକ୍ଷ ଗାଡ଼ିମଟର କରୋନା କାରଣରୁ ଅଚଳ ହୋଇ ପଡ଼ିଛି; କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ, ଏପରି ଏକ ସମୟରେ ଆମ ଦେଶରେ ଇନ୍ଧନର ମୂଲ୍ୟ କ୍ରମାଗତ ଭାବରେ ବଢ଼ିଚାଲିଛି।

ଅର୍ଥନୀତିର ‘ଚାହିଦା ଓ ଯୋଗାଣ’ ଏକ ଗୁରୁତ୍ବପୂର୍ଣ୍ଣ ସିଦ୍ଧାନ୍ତ ବା ଥିଓରି। ଏହି ସିଦ୍ଧାନ୍ତ ଚାହିଦା ସଂକ୍ରାନ୍ତରେ କହେ ଯେ ଗୋଟିଏ ସାମଗ୍ରୀର ମୂଲ୍ୟବୃଦ୍ଧି ହେଲେ ଗ୍ରାହକମାନଙ୍କ ମଧ୍ୟରେ ଏହାର ଚାହିଦା ହ୍ରାସ ପାଏ। ସେହିପରି ଯୋଗାଣର ନିୟମ କହେ ଯେ, ମୂଲ୍ୟବୃଦ୍ଧି ହେଲେ ବିକ୍ରେତାମାନେ ସାମଗ୍ରୀକୁ ଅଧିକ ମାତ୍ରାରେ ଯୋଗାଇବାରେ ଆଗ୍ରହ ପ୍ରକାଶ କରନ୍ତି। ଏହି ଦୁଇଟି ସିଦ୍ଧାନ୍ତ ମଧ୍ୟରେ ଅନ୍ତର୍କ୍ରିୟା ହୋଇ ବଜାରରେ ଦ୍ରବ୍ୟର ମୂଲ୍ୟ ସ୍ଥିର ହୋଇଥାଏ ଓ କେତେ ପରିମାଣର ଦ୍ରବ୍ୟ ବିକ୍ରୟ ହେବ ତା’ ମଧ୍ୟ ସ୍ଥିରୀକୃତ ହୋଇଯାଏ। ତା ସହିତ ଅନେକ କିଛ ସ୍ୱାଧୀନ ଉପାଦାନ ଓ ପରିସ୍ଥିତି ମଧ୍ୟ ବଜାରରେ ଦ୍ରବ୍ୟ ମୂଲ୍ୟ ଓ ବିକ୍ରୟ ପରିମାଣକୁ ପ୍ରଭାବିତ କରିଥାଏ। ଏହି ସିଦ୍ଧାନ୍ତ ସାରା ବିଶ୍ୱ ପାଇଁ ପ୍ରଯୁଜ୍ୟ ଓ ଏହା ମାଧ୍ୟମରେ ପୁଞ୍ଜିନିବେଶକାରୀ, ଉଦ୍ୟୋଗକାରୀ, ଅର୍ଥନୀତିଜ୍ଞ ବଜାରକୁ ବୁଝିଥାନ୍ତି ଓ ତା’ର ଗତିବିଧିକୁୁ ନେଇ ବିବିଧ ଆକଳନ କରିଥାନ୍ତି। ସାଧାରଣ ଜନତା ବା ଉପଭୋକ୍ତାମାନେ ଅର୍ଥନୀତିର ଏହି ନିୟମ ଜାଣି ନଥାନ୍ତି ସତ କିନ୍ତୁ ସ୍ୱତଃ ଏହି ନିୟମରେ ପରିଚାଳିତ ହୋଇଥାନ୍ତି; କିନ୍ତୁ ଅର୍ଥନୀତିର ଏ ନିୟମ ଭାରତବର୍ଷର ଇନ୍ଧନ ତୈଳ ମୂଲ୍ୟ କ୍ଷେତ୍ରରେ ପ୍ରୟୋଗ ହେଲା ଭଳି ଲାଗୁନାହିଁ। କିଛିଦିନ ତଳେ ପେଟ୍ରୋଲର ମୂଲ୍ୟବୃଦ୍ଧି ଘଟି ଭାରତର କିଛି ସହରରେ ଏହା ଲିଟର ପିଛା ୧୦୦ଟଙ୍କା ଅତିକ୍ରମ କରିବା ପରେ ଅର୍ଥନୀତିର ପର୍ଯ୍ୟବେକ୍ଷକମାନେ ମଧ୍ୟ ତଟସ୍ଥ ହୋଇପଡ଼ିଛନ୍ତି। କୋଭିଡ୍‌ ମହାମାରୀ ବିଶ୍ୱରେ ଦେଖାଦେବାର ୟା ଭିତରେ ଦେଢ଼ବର୍ଷ ପାଖାପାଖି ହୋଇଗଲାଣି ଓ ଏହି ୧୮ମାସ ଭିତରେ ଇନ୍ଧନ ତୈଳ ମୂଳ ମୂଲ୍ୟର ୨୫ଶତକଡ଼ା ବୃଦ୍ଧି ଘଟିସାରିଲାଣି।

ବିଶ୍ୱବଜାରରେ ଚଳିତ କିଛିମାସ ଭିତରେ ପେଟ୍ରୋଲ ଦରକୁ ଯଦି ଆମେ ଅନୁଶୀଳନ କରିବା ତା’ ହେଲେ ତୁଳନାତ୍ମକ ଚିତ୍ର ଭିତରେ ହିଁ ଭାରତର ସ୍ଥିତି ସ୍ପଷ୍ଟ ହୋଇପାରିବ। ଗୋଟିଏ ସୂତ୍ର ଅନୁସାରେ ଚଳିତବର୍ଷ ଫେବୃଆରୀ ୧୮ ତାରିଖରେ ବିଶ୍ୱରେ ୧୧୪ଟି ଦେଶରେ ତୈଳ ଦର ଆମ ଦେଶଠାରୁ ଶସ୍ତା ଥିଲା। ଭେନେଜୁଏଲା ଓ ଇରାନରେ ସେଦିନ ତୈଳ ଦର ଅବିଶ୍ୱସନୀୟ ୧ଟଙ୍କା୪୫ ପଇସା ଓ ୪ଟଙ୍କା ୫୦ ଥିଲାବେଳେ ପାକିସ୍ତାନରେ ଭାରତୀୟ ମୁଦ୍ରା ଅନୁସାରେ ୫୧ଟଙ୍କା ୧୪ ପଇସା ଓ ଆମେରିକାରେ ଟ୫୪.୬୫ ପଇସା ଥିଲା। ବିଶ୍ୱରେ ସେଦିନ ପେଟ୍ରୋଲର ହାରାହାରି ମୂଲ୍ୟ ଥିଲା ୭୮ଟଙ୍କା ୨୧ ପଇସା। ଏହି ମୂଲ୍ୟକୁ ଦେଖିଲେ ବିଶ୍ୱର ହାରାହାରି ମୂଲ୍ୟ ମଧ୍ୟ ଭାରତର ପେଟ୍ରୋଲ ମୂଲ୍ୟଠାରୁ ୨୦ଶତକଡ଼ା ଶସ୍ତା ଥିଲା। ଭାରତରେ ଏହି ମୂଲ୍ୟବୃଦ୍ଧିର କାରଣ ନିର୍ଣ୍ଣୟ କରିବା ବେଶ୍‍ କଷ୍ଟସାଧ୍ୟ। କାରଣ ତୈଳ ଦର ବୃଦ୍ଧିକୁ କେନ୍ଦ୍ର ସରକାର ଅଶୋଧିତ ତୈଳ ଦରବୃଦ୍ଧି ସହ ଯୋଡ଼ିବା ସହିତ ବେଳେବେଳେ ରାଜ୍ୟ ସରକାରଙ୍କ ଟିକସକୁ ଅଙ୍ଗୁଳି ନି​‌େ​‌ର୍ଦଶ କରୁଛନ୍ତି। କେନ୍ଦ୍ର-ରାଜ୍ୟ ଭିତରେ ସେଥିପାଇଁ ତୁତୁ-ମେମେ ମଧ୍ୟ ଅନେକ ସମୟରେ ଶୁଣାଯାଉଛି।

୨୦୨୦ ପ୍ରାରମ୍ଭ ଅଧବର୍ଷ ଭିତରେ ଅଶୋଧିତ ତୈଳ ଦର ବାରେଲ ପିଛା ୨୦ଡଲାର କମିଥିଲା। ବିଶ୍ୱବ୍ୟାପୀ ତାଲାବନ୍ଦ ଯୋଗୁଁ ଗମନାଗମନ କ୍ଷେତ୍ରରେ ଭଟ୍ଟା ପଡ଼ି ଏହି ମୂଲ୍ୟ ବାରେଲ ପିଛା ୭୧ ଡଲାରରୁ ୫୨ ଡଲାରରେ ପହଞ୍ଚି ଯାଇଥିଲା। ଏହି ମାନ୍ଦାବସ୍ଥାକୁ ଲକ୍ଷ୍ୟ କରି ତୈଳ ଉତ୍ତୋଳନକାରୀ ଦେଶମାନଙ୍କ ସଂସ୍ଥା ନିଜ ଆଡୁ ଦିନକୁ ୭ ନିୟୁତ ବାରେଲ ତୈଳ ଉତ୍ପାଦନ ହ୍ରାସ କରିଦେଲେ। ୨୦୨୦ ଶେଷ ଭାଗକୁ ଯେତେବେଳେ ବଜାର ଚଳଚଞ୍ଚଳ ହେଲା ସେତେବେଳେ ଉତ୍ପାଦନ ହ୍ରାସର ପ୍ରଭାବରେ ବଜାର ଦର ବୃଦ୍ଧି ପାଇଲା। ତିନିବର୍ଷ ତଳେ ଯେତେବେଳେ ତୈଳ ଦର ବାରେଲ ପ୍ରତି ୭୫ ଡଲାର ଥିଲା ସେତେବେଳେ ପେଟ୍ରୋଲ ମୂଲ୍ୟ ଭାରତରେ ୭୫ଟଙ୍କା ଥିଲା। ଯଦି ଜଣେ ବଳଦିଆ ହିସାବରେ ବୁଝିବାକୁ ଚେଷ୍ଟା କରେ, ତା’ହେଲେ ଆଜି ଯେତେବେଳେ ଅଶୋଧିତ ତୈଳ ଦର ୭୨ଟଙ୍କା ଅଛି ସେତେବେଳେ ପେଟ୍ରୋଲ ମୂଲ୍ୟ ୭୨ଟଙ୍କା ହିଁ ରହିବା କଥା; କିନ୍ତୁ ଏହି ମୂଲ୍ୟ ଏବେ ଶହେ ଟଙ୍କା ଛୁଇଁବା ପଛରେ କାରଣଟି ସ୍ପଷ୍ଟ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଟିକସ ଯୋଗୁଁ ହିଁ ଏହା ବୃଦ୍ଧି ପାଉଛି। ସମୃଦ୍ଧ ଦେଶଗୁଡ଼ିକରେ ଲୋକଙ୍କ ଆର୍ଥିକ ସ୍ଥିତିକୁ ଚାହିଁ ଟିକସ ବ୍ୟବସ୍ଥା କଡ଼ାକଡ଼ି ହୋଇଥାଏ ଓ ଇନ୍ଧନ ତୈଳ ଉପରେ ଅଧିକ ଟିକସ ଲୋକଙ୍କ ଉପରେ ଲଦା ହୋଇଥାଏ। ଅନୁନ୍ନତ ରାଷ୍ଟ୍ରଗୁଡ଼ିକରେ ଦୈନନ୍ଦିନ ଆବଶ୍ୟକତା ତଥା ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କ୍ଷେତ୍ରରେ ତୈଳର ଚାହିଦାକୁ ଚାହିଁ ଏଥିରେ ଟିକସ କମ୍‍ ହେବା ଆବଶ୍ୟକ; କିନ୍ତୁ ଆମ ଦେଶରେ ସରକାର ତାଙ୍କର ଆୟବୃଦ୍ଧିର ଏହା ସହଜ ବାଟ ଭାବେ ଧରିନେଇ ତୈଳଦର ବୃଦ୍ଧି କରି ଚାଲିଛନ୍ତି।

ନୂଆଦିଲ୍ଲୀରେ ମେ ମାସର ଗୋଟିଏ ଦିନରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟକୁ ଅନୁଧ୍ୟାନ କଲେ ତୈଳ ଦର ଆମଦାନୀ ମୂଲ୍ୟକୁ ନେଇ କେତେ ଓ ସରକାରୀ ଟିକସ ବାବଦକୁ ଆମ ଉପରେ ପଡୁଥିବା ବୋଝକୁ ବୁଝିପାରିବା।
ମୂଳ ମୂଲ୍ୟ – ଟ ୩୪.୧୯
ପରିବହନ – ଟ ୦୦.୩୬
ଡିଲରଙ୍କ ଦାମ – ଟ ୩୪.୫୫
ଉତ୍ପାଦ ଶୁଳ୍କ(ଏକ୍‍ସାଇଜ୍‍) – ଟ ୩୨.୯୦
ଡିଲର କମିସନ – ଟ ୦୩.୭୭
ଭାଟ୍‍ – ଟ ୨୧.୩୬
ଖାଉଟିଙ୍କୁ ମୂଲ୍ୟ – ଟ ୯୨.୫୮

ଏହି ତାଲିକାରୁ ସ୍ପଷ୍ଟ ହେଉଛି ଯେ ତୈଳଦର ବୃଦ୍ଧି ଯୋଗୁ କମ୍‍ ଓ ସରକାରଙ୍କ ଅର୍ଥ ଆବଶ୍ୟକତାରୁ ଖାଉଟିଙ୍କୁ ବହୁ ମୂଲ୍ୟ ଦେବାକୁ ପଡୁଛି। ୨୦୨୦ ଏପ୍ରିଲ୍‍ରୁ ନଭେମ୍ବର ମାସ ଭିତରେ କେନ୍ଦ୍ର ସରକାରଙ୍କ ଉତ୍ପାଦ ଟିକସ ବାବଦରେ ୪୮ ଶତକଡ଼ା ବୃଦ୍ଧି ଘଟି ଟ୧,୯୬,୩୪୨ କୋଟି ଟଙ୍କା ରୋଜଗାର କରିଛନ୍ତି ଯାହାକି ୨୦୧୯ରେ ଥିଲା ମାତ୍ର ଟ୧,୩୨,୮୯୯ କୋଟି। ଏହି ଆଦାୟର ଏକ ସିଂହଭାଗ ଇନ୍ଧନ ତୈଳରୁ ମିଳିଛି; କିନ୍ତୁ ତୈଳ ଦରବୃଦ୍ଧିର ପ୍ରଭାବ ମଧ୍ୟ ଅନ୍ୟ ଅର୍ଥନୈତିକ କାରବାର ଉପରେ ପଡ଼ି ଖାଉଟିମାନେ ହନ୍ତସନ୍ତ ହେଉଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଏହି ତୈଳ ଦରବୃଦ୍ଧି ନେଇ ଗଣମାଧ୍ୟମରେ ପରସ୍ପର ବିରୋଧୀ ମନ୍ତବ୍ୟ ଦେଉଥିବାବେଳେ ବାସ୍ତବ କ୍ଷେତ୍ରରେ ଉଭୟ ସେମାନଙ୍କ ଟିକସ ଲଦି ଭାରତର ଅର୍ଥନୈତିକ ଦୃଷ୍ଟିରୁ ଅନଗ୍ରସର ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ପରି ଭାର ବୃଦ୍ଧି କରିଚାଲିଛନ୍ତି। ତାଲାବନ୍ଦ ଏ କ୍ଷେତ୍ରରେ ସରକାରଙ୍କୁ ସୁହାଉଛି ମଧ୍ୟ।

ବର୍ତ୍ତମାନ ସମୟ ଆସିଛି ଉପଭୋକ୍ତାମାନେ ଏ ଦିଗରେ ସଚେତନ ହୁଅନ୍ତୁ। ସାମାଜିକ ଓ ରାଜନୈତିକ ଦଳମାନେ ସରକାରଙ୍କ ଲାଭଖୋର ଆଭିମୁଖ୍ୟ ଉପରେ ରୋକ ଲଗାନ୍ତୁ। ଗଣମାଧ୍ୟମ ଖବର ପଛର ଖବର ଉପରେ ନଜର ଦେଉ। ଲୋକଙ୍କ ପାଖରେ ବିବୃତି ବଦଳରେ ଅନୁସନ୍ଧାନମୂଳକ ଅନୁଶୀଳନ ଉପସ୍ଥାପିତ ହେଉ।

Comments are closed.