ଓଡ଼ିଶା, ବିପର୍ଯ୍ୟୟ ଓ ଜାତୀୟ ଗଣମାଧ୍ୟମ

ଜ୍ୟୋତିପ୍ରକାଶ ମହାପାତ୍ର ଓ ଅନିରୁଦ୍ଧ ଜେନା

ପ୍ରତିବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି। ଏଇ କିଛି ବର୍ଷ ହେବ ଭୟଙ୍କର ବାତ୍ୟା ପ୍ରାୟ ପ୍ରତି ବର୍ଷ ଓଡ଼ିଶାରେ ଅନେକ କ୍ଷୟକ୍ଷତି କରୁଛି। ସେମିତି ବନ୍ୟା, ମରୁଡ଼ି ଯେମିତି ଓଡ଼ିଶାର ଚିର ସହଚର। ଏସବୁରେ ବ୍ୟାପକ ଧନଜୀବନ କ୍ଷତି ହେଉଛି; କିନ୍ତୁ ପ୍ରଶ୍ନ ହେଉଛି- କ’ଣ ପାଇଁ ଜାତୀୟ ଗଣମାଧ୍ୟମରେ ଏ ଖବର ଆସୁନାହିଁ? କେଉଁ କାରଣରୁ ଜାତୀୟ ଗଣମାଧ୍ୟମ ଓଡ଼ିଶାକୁ ଉପେକ୍ଷା କରୁଛି?

ଗଲା ‘ୟସ୍‍’ ବାତ୍ୟା ବେଳେ ସମସ୍ତ ଜାତୀୟ ଗଣମାଧ୍ୟମ ପଶ୍ଚିମବଙ୍ଗର ଦିଘାକୁ ବେଶି ଗୁରୁତ୍ୱ ଦେଲେ। ଏହା ଆମେ ବାରମ୍ବାର ଦେଖି ସାରିଛୁ। ବାତ୍ୟା ସ୍ଥଳ ଭାଗ ଛୁଇଁଲା ଓଡ଼ିଶାର ବାଲେଶ୍ୱର ଜିଲା ଅଞ୍ଚଳରେ। ପ୍ରଚୁର କ୍ଷୟକ୍ଷତି କଲା ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲାରେ। ମୟୂରଭଞ୍ଜ ଓ ଯାଜପୁର ଜିଲା ବନ୍ୟା ଦ୍ୱାରା ପ୍ରଭାବିତ ହେଲେ; କିନ୍ତୁ ଜାତୀୟ ଗଣମାଧ୍ୟମରେ ପଶ୍ଚିମବଙ୍ଗର ବାତ୍ୟା କଥା ଆସିଲା। ଯେତେବେଳେ ବାତ୍ୟା ଦକ୍ଷିଣରେ ଗୋପାଳପୁର ପାଖରେ ସମୁଦ୍ର ଛୁଉଁଛି, ସେହି ସମୟରେ ପଡ଼ିଶା ଆନ୍ଧ୍ର ପ୍ରଦେଶ ଉପରେ ଜାତୀୟ ଗଣମାଧ୍ୟମ ଗୁରୁତ୍ୱ ଦେଉଛି। ସେହିପରି ଏପଟେ ଉତ୍ତର ଦିଗରେ ବିପର୍ଯ୍ୟୟ ହେଲେ, ସର୍ବାଧିକ ଗୁରୁତ୍ୱ ପଶ୍ଚିମବଙ୍ଗ ଉପରେ ଦିଆଯାଉଛି। ଫଳରେ ଜାତୀୟ ଗଣମାଧ୍ୟମରୁ ଓଡ଼ିଶା ଏକରକମ ଉଭାନ୍‍ ହୋଇ ରହିଯାଉଛି।

ଓଡ଼ିଶାରେ ପାଖାପାଖି ୪୮୫ କିଲୋମିଟର ଦୀର୍ଘ ଉପକୂଳ ରହିଛି। ବଙ୍ଗୋପସାଗରକୁ ଲାଗିଥିବା ଏହି ଅଞ୍ଚଳ ବେଶ୍‌ ବାତ୍ୟାପ୍ରବଣ। ‘ଦି ୱେଦର ଚ୍ୟାନେଲ’ର ରିପୋର୍ଟ ଅନୁସାରେ, ସମୁଦାୟ ପୃଥିବୀରେ ଯେତିକି ଜଳଭାଗ ଅଛି, ତାର ମାତ୍ର ୦.୬ ପ୍ରତିଶତ ହେଉଛି ବଙ୍ଗୋପସାଗର; କିନ୍ତୁ ପ୍ରତି ୫ଟି ସାମୁଦ୍ରିକ ବାତ୍ୟା ମଧ୍ୟରୁ ୪ଟି ବଙ୍ଗୋପସାଗରରେ ହିଁ ହୋଇଥାଏ। ଏହା ପ୍ରମାଣିତ କରୁଛି ବିପର୍ଯ୍ୟୟ ଦୃଷ୍ଟିରୁ ବଙ୍ଗୋପସାଗର କେତେ ଭୀଷଣ।

ଓଡ଼ିଶା ୧୯୯୯ରେ ମହାବାତ୍ୟା ଦେଖିଥିଲା। ସେଥିରେ ୧୦,୦୦୦ ପାଖାପାଖି ଲୋକ ପ୍ରାଣ ହରାଇଥିଲେ। ତା’ର ୧୪ ବର୍ଷ ପରେ ଓଡ଼ିଶାକୁ ପରବର୍ତ୍ତୀ ବାତ୍ୟା ଆସିଥିଲା ୨୦୧୩ରେ। ନାଁ ଥିଲା ଫାଇଲିନ। ସେମିତି ୨୦୧୪ରେ ହୁଡ଼୍‍ହୁଡ଼୍‍, ୨୦୧୮ରେ ତିତ୍‌ଲି, ୨୦୧୯ରେ ଫଣି, ୨୦୨୦ରେ ଅମ୍ଫାନ୍‍ ଓ ୨୦୨୧ରେ ୟସ ଆସି ଉପକୂଳ ଓଡ଼ିଶାରେ ଅନେକ କ୍ଷୟକ୍ଷତି କରିଛି। ତେବେ ୧୯୯୯ ପରେ ବାତ୍ୟା ପୂର୍ବାନୁମାନ ବ୍ୟବସ୍ଥାରେ ଉନ୍ନତ ଜ୍ଞାନ କୌଶଳ କାରଣରୁ ଠିକ ତଥ୍ୟ ମିଳିବା ଏବଂ ସମୟୋଚିତ ପଦକ୍ଷେପ କାରଣରୁ ରାଜ୍ୟରେ ଧନଜୀବନ ହାନିକୁ ରୋକା ଯାଇ ପାରିଛି।

ବିପର୍ଯ୍ୟୟ ବେଳେ ଗଣମାଧ୍ୟମର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଲୋକଙ୍କୁ ସତର୍କ କରିବା, ସରକାର ନେଉଥିବା ପଦକ୍ଷେପ ବିଷୟରେ ଲୋକଙ୍କୁ ଜଣାଇବା, ପବନ ଓ ବାତ୍ୟାର ବେଗ ଏବଂ ପରେ କ୍ଷୟକ୍ଷତି ଆଦି ବିଷୟରେ ଅନେକ ରିପୋର୍ଟ ଗଣମାଧ୍ୟମରୁ ମିଳିଥାଏ। ୨୦୨୦ରୁ ସାରା ପୃଥିବୀ ସାମ୍ନା କରୁଥିବା ସବୁଠାରୁ ବଡ଼ ମହାମାରୀ କରୋନା ସଂପର୍କରେ ସଚେତନତା ଦିଗରେ ଗଣମାଧ୍ୟମର ଭୂମିକା ସଦାକାଳ ପ୍ରଶଂସନୀୟ।

ତେବେ ବାତ୍ୟାରେ କ୍ଷୟକ୍ଷତି ସହଜରେ ପୂର୍ବାନୁମାନ କରିହୁଏ ନାହିଁ। ଏହାକୁ ରୋକିବା ଅସମ୍ଭବ। ଓଡ଼ିଶାରେ ଆଞ୍ଚଳିକ ଗଣମାଧ୍ୟମ ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟକୁ ଯଥେଷ୍ଟ ଭାବେ ପ୍ରସାରିତ ଓ ପ୍ରଚାରିତ କରି ଲୋକଙ୍କୁ ସଚେତନ କରୁଛନ୍ତି; କିନ୍ତୁ ଜାତୀୟ ଗଣମାଧ୍ୟମ ଓଡ଼ିଶାକୁ ଗୁରୁତ୍ୱ ଦେଉନାହିଁ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ବେଶ୍‌ ପଛରେ ପଡ଼ି ଯାଉଛି। ଏହାର କାରଣ କ’ଣ ହୋଇପାରେ? ଓଡ଼ିଶାକୁ ଏତେ ଉପେକ୍ଷା କରାଯାଉଛି କାହିଁକି?

ପ୍ରଥମ କାରଣଟି ରାଜନୈତିକ ହୋଇପାରେ। ଆମେ ଯେତେ ଯାହା କହିଲେ ବି ଜାତୀୟ ରାଜନୀତିରେ ଓଡ଼ିଶାର ପ୍ରାଧାନ୍ୟ ସବୁଦିନେ କମ ରହି ଆସିଛି। ଗଣମାଧ୍ୟମ ରାଜନୀତି ଖବର ଭଲପାଏ। ତେଣୁ ଯେଉଁ ରାଜ୍ୟର ପଲା ଜାତୀୟ ରାଜନୀତିରେ ଯେତିକି ଭାରି, ସେହି ରାଜ୍ୟ ଜାତୀୟ ଗଣମାଧ୍ୟମଗୁଡ଼ିକରେ ସେତିକି ସ୍ଥାନ ପାଉଛନ୍ତି। ଏମିତି ନୁହେଁ ଯେ, ଆମର ପ୍ରଭାବ ଆଦୌ ନାହିଁ; କିନ୍ତୁ ଅଲଗା ରାଜ୍ୟ ଯେମିତି ପ୍ରଭାବ ବିସ୍ତାର କରି ଆସିଛନ୍ତି, ଆମେ ସେମିତି କରିପାରୁ ନାହିଁ।

ଏହାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଅଛି। ଓଡ଼ିଶାରେ ଗଲା ୨୧ ବର୍ଷ ଧରି ଏକ ସ୍ଥିର ସରକାର ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏଇ ସରକାର ଚାଲିଥିବା ବେଳେ ଓଡ଼ିଶାରେ ବିରୋଧୀ ଦଳର ସ୍ୱର ପ୍ରାୟତଃ କ୍ଷୀଣ। କୌଣସି ପ୍ରସଙ୍ଗ ହେଲେ, ତାକୁ ଜାତୀୟସ୍ତରକୁ ନେବାରେ ବିରୋଧୀ ସକ୍ଷମ ହେଉ ନାହାନ୍ତି। ଫଳରେ ଜାତୀୟ ଗଣମାଧ୍ୟମର ଦୃଷ୍ଟି ଓଡ଼ିଶା ଉପରେ ପଡ଼ୁନାହିଁ। ଏହାର ଦୁଇଟି କାରଣ ରହିଛି। ଏକ: ସେମାନେ ଭାବୁଛନ୍ତି, ସ୍ଥିର ସରକାର ଏତେ ବର୍ଷ ହେଲା ଚାଲିଛି। ଦୁଇ: ବିରୋଧୀଙ୍କ କ୍ଷୀଣ ସ୍ୱର ହେତୁ ଗଣମାଧ୍ୟମ କୌଣସି ପ୍ରସଙ୍ଗକୁ ଗୁରୁତ୍ୱ ଦେଉନାହିଁ। ଦ୍ୱିତୀୟ କଥାଟି ହେଲା- ଓଡ଼ିଶାର ଲୋକେ ଆଞ୍ଚଳିକ ଗଣମାଧ୍ୟମରେ ଖବର ଦେଖିବାକୁ ପସନ୍ଦ କରନ୍ତି। ଇଂରାଜୀ, ହିନ୍ଦୀ ଅପେକ୍ଷା ସେମାନେ ଓଡ଼ିଆ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମକୁ ବେଶି ଦେଖନ୍ତି। ତେଣୁ, ଯେହେତୁ ଜାତୀୟ ଗଣମାଧ୍ୟମର ପାଠକ କି ଦର୍ଶକ ଓଡ଼ିଶାରେ ସେମିତି ଆଖିଦୃଶିଆ ନାହାନ୍ତି, ତେଣୁ ଜାତୀୟ ଗଣମାଧ୍ୟମ ଓଡ଼ିଶା ସଂପର୍କରେ ବିଶେଷ ଖବର କିଛି ଦେଖାଉ ନାହିଁ। ତୃତୀୟ କାରଣ ହେଉଛି ଅର୍ଥନୀତି ଦୃଷ୍ଟିରୁ ଓଡ଼ିଶା ଆମ ଦେଶର ସେମିତି ଆଗୁଆ ରାଜ୍ୟ ନୁହେଁ। ଓଡ଼ିଶାର ଲୋକେ ବିଦେଶରେ ରହି ଜାତୀୟ ଅର୍ଥନୀତିରେ ପ୍ରଭାବ ପକାଇବାର ଉଦାହରଣ ନଗଣ୍ୟ। ତେଣୁ, ଏ ଦୃଷ୍ଟିରୁ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ପଛରେ ପଡ଼ିଯାଉଛି। ଚତୁର୍ଥ କାରଣଟି ହେଲା- ଆଗରୁ ଖଣି ଓ ଚିଟ୍‍ଫଣ୍ଡରୁ ଓଡ଼ିଶାରୁ ବିଜ୍ଞାପନ ବାବଦରେ ଆୟ ହେଉଥିଲା। ଏବେ ସେସବୁ ବନ୍ଦ। ତେଣୁ ଜାତୀୟ ଗଣମାଧ୍ୟମ ଓଡ଼ିଶାକୁ ଗୁରୁତ୍ୱ ଦେଉନାହିଁ। ଗଣମାଧ୍ୟମ ସଂସାରରେ ବାଣିଜ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଉଭା ହୋଇ ସାରିଛି କେବେଠାରୁ।

ତେବେ ଏହାର ସମାଧାନର ରାସ୍ତା କ’ଣ? ଜାତୀୟ ରାଜନୀତିରେ ଆମର ଗୁରୁତ୍ୱ ଓ ପ୍ରଭାବ ବଢ଼ିବା ଓ ଅର୍ଥନୀତିରେ ପ୍ରଭାବଶାଳୀ ହେଲେ ଜାତୀୟ ଗଣମାଧ୍ୟମ ଓଡ଼ିଶା ଖବର ଛାପିବ। ଟିଭିରେ ଦେଖାଇବ।

ତେବେ କେବଳ ଓଡ଼ିଶାକୁ ଦେଖାଇବା କଥା ତ କେବଳ କୁହାଯାଉ ନାହିଁ। ବିପର୍ଯ୍ୟୟକୁ ଠିକ ଭାବେ ଦେଶ ସାମ୍ନାରେ ଉପସ୍ଥାପନ କରିବା ଜରୁରୀ। ଫଳରେ ଓଡ଼ିଶାର କ୍ଷୟକ୍ଷତି ସଂପର୍କରେ ସାରା ଦେଶ ଜାଣି ପାରିବ। ପୁଣି ଓଡ଼ିଶା ବିପର୍ଯ୍ୟୟ ମୁକାବିଲାରେ ଯେଉଁସବୁ ଭଲ କାମ କରୁଛି, ତାହାକୁ ବି ଅନ୍ୟ ରାଜ୍ୟ ଆଦର୍ଶ ଭାବେ ଗ୍ରହଣ କରି ପାରନ୍ତେ। ଏହା ଆମ ରାଜ୍ୟ ପାଇଁ ଓ ସାରା ଦେଶ ପାଇଁ ଅନୁକୂଳ ହୁଅନ୍ତା।

Comments are closed.