ବୟସ୍କମାନେ ଅଲୋଡ଼ା ନୁହନ୍ତି

ଅଲେଖ ଚନ୍ଦ୍ର ମିଶ୍ର

ମାତ୍ର କେଇବର୍ଷ ତଳେ ଆମ ଦେଶରେ ଜରାନିବାସ, ବୃଦ୍ଧାଶ୍ରମ, ଆଶ୍ରୟସ୍ଥଳୀ ଭଳି ଶବ୍ଦ ଶୁଣା ନଥିଲା। ଯେତେବେଳେ ଶୁଣିବାକୁ ମିଳିଲା ଲୋକମାନେ ନାକ ଟେକିଲେ। ଏବେ କିନ୍ତୁ ସେ ସବୁ ଆଉ ଶବ୍ଦରେ ସୀମିତ ହୋଇ ରହିନାହିଁ। ବାସ୍ତବ ଜୀବନରେ ତାର ଆବଶ୍ୟକତାକୁ ଅଙ୍ଗେ ନିଭାଉଛନ୍ତି ସାରା ଦେଶର ଅସୁମାରୀ ଅବହେଳିତ ବୃଦ୍ଧବୃଦ୍ଧା। ୨୦୧୧ ଜନଗଣନା ତଥ୍ୟ ଅନୁସାରେ ଏମାନଙ୍କର ସଂଖ୍ୟା ୧୦୪ ନିୟୁତ (ବୃଦ୍ଧ ୫୧ ନିୟୁତ, ବୃଦ୍ଧା ୫୩ ନିୟୁତ ଥିଲା ଯାହାର ୭୧% ଗ୍ରାମାଞ୍ଚଳର ଓ ୨୯% ସହରାଞ୍ଚଳର ବାସିନ୍ଦା)। ୨୦୨୧ ଜନଗଣନାରେ ଏହି ସଂଖ୍ୟା ୧୭୦ ନିୟୁତ ଏବଂ ୨୦୫୦ ମସିହା ବେଳକୁ ଏହା ୩୦୦ ନିୟୁତରେ ପହଞ୍ଚିବ ବୋଲି ଅନୁମାନ କରାଯାଏ। ଇଉଏନ୍‌ଡିପି ରିପୋର୍ଟ ଅନୁଯାୟୀ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତର ସ୍ଥାନ ପୃଥିବୀରେ ଦ୍ବିତୀୟ। ଯାହା କ୍ରମେ ବର୍ଦ୍ଧିଷ୍ଣ ଉଦବେଗର କାରଣ ପାଲଟୁଛି ତାହା ହେଲା ଦ୍ରୁତ ବଦଳୁଥିବା ଆମର ସାମାଜିକ ଆଭିମୁଖ୍ୟ ଯେଉଁଠି ବୟସ୍କମାନେ ଅଲୋଡା ହୋଇଯାଉଛନ୍ତି।

ଏବର ଯୁବପିଢ଼ି ପାଖରେ ପରିବାରର ବୟସ୍କ ସଦସ୍ୟଙ୍କୁ ଦେଖାଶୁଣା କରିବା ପାଇଁ ସମୟ, ଇଚ୍ଛା ଓ ଆଗ୍ରହ କମିବାରେ ଲାଗିଛି (ଅବଶ୍ୟ ଏହାର ଅନେକ ବ୍ୟତିକ୍ରମ ରହିଛି)। କେହିକେହି ପିତାମାତାଙ୍କୁ ଏକା ଛାଡ଼ିଦେଇ ବିଦେଶରେ ରହିଯାଉଛନ୍ତି। ଯୌଥ ପରିବାରର ବନ୍ଧନ ଆଉ ନାହିଁ। ଫଳରେ ଯେଉଁ ବୟସ୍କ ବ୍ୟକ୍ତିମାନେ ଦିନେ ମୁରବି ଭାବରେ ସାରା ପରିବାରର ମଙ୍ଗୁଆଳ ଥିଲେ ସେମାନେ ଏବେ ଉପେକ୍ଷିତ, ନିଷ୍ପେଷିତ, ନିପୀଡ଼ିତ ଏବଂ ନିର୍ଯାତିତ। ଯେଉଁ ଘର ଦିନେ ସବୁଠାରୁ ନିରାପଦ ସ୍ଥାନ ଥିଲା ସେଠାରେ ଆଜି ଶଙ୍କା-ଆଶଙ୍କାର ବାତାବରଣ। ବୟସ୍କମାନଙ୍କୁ ଖାଇବାକୁ ନଦେବା, ଆବଶ୍ୟକସ୍ଥଳେ ଚିକିତ୍ସାରୁ ବଞ୍ଚିତ କରିବା, ଦୁର୍ବ୍ୟବହାର, ଅପମାନ, ଅଣହେଳା, ମାରଧର, ନିକଟ ସମ୍ପର୍କୀୟ ବନ୍ଧୁବାନ୍ଧବ କିମ୍ବା ସାହିପଡ଼ିଶାଙ୍କ ସହିତ ସାକ୍ଷାତ୍‌ ନିଷେଧ, ସାମାନ୍ୟ ଅସ୍ଥିରତା ପାଇଁ ଘରଭିତରେ ବାନ୍ଧିରଖିବା, ଜବରଦସ୍ତ ଘରକାମ କରେଇବା, ଭାବପ୍ରବଣ କରାଇ କିଛି ଆତ୍ମସାତ୍‌ କରିବା, ଜିନିଷ ପତ୍ର, ଟଙ୍କାପଇସା କିମ୍ବା ଦରକାରୀ କାଗଜପତ୍ର ଛଡେଇ ନେବା, ଘରେ ତାଲା ପକେଇ କର୍ମ କ୍ଷେତ୍ରକୁ ଚାଲିଯିବା, ଘରୁ ତଡ଼ିଦେବା ଭଳି ପାରିବାରିକ ହିଂସାଚରଣ ବଢିଚାଲିଛି। ଏହା ଏବେ ଏକ ସମସ୍ୟାର ରୂପ ନେଲାଣି। ଏହାର ସମାଧାନ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ବି ଆରମ୍ଭ ହୋଇଯାଇଛି।

ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ମିଳିତ ଜାତିସଂଘ ସ୍ୱୀକୃତ ‘ଏଜୱେଲ୍ ଫାଉଣ୍ଡେସନ୍’ ୨୦୧୬ ମସିହାରେ କରିଥିବା ଏକ ସର୍ବେକ୍ଷଣରୁ ଜଣାପଡ଼େ ଭାରତରେ ୨୦% ବୟସ୍କଙ୍କୁ ବାହ୍ୟ ସଂପର୍କରୁ ଅଲଗା ରଖାଯାଉଛି, ୩୭%ଙ୍କୁ ଦୁର୍ବ୍ୟବହାର କରାଯାଉଛି, ୧୩%ଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି, ୧୩%ଙ୍କୁ ମୌଳିକ ଆବଶ୍ୟକତାରୁ ବଞ୍ଚିତ କରାଯାଉଛି, ୯%ଙ୍କୁ ଶାରୀରିକ ନିର୍ଯାତନା ଦିଆଯାଉଛି ଏବଂ ୮%ଙ୍କୁ ଅନ୍ୟ ପ୍ରକାରର ଯନ୍ତ୍ରଣା ଦିଆଯାଉଛି। ପରିଣତ ବୟସରେ ବିଧବା ବା ବିପତ୍ନିକ ହୋଇଯାଇଥିବା ବୟସ୍କମାନଙ୍କ କ୍ଷେତ୍ରରେ ଏ ଭଳି ଅମାନବିକତା ଅଧିକ ଘଟୁଛି। ବିଶେଷ କରି ମହିଳାମାନଙ୍କର ଦୁରବସ୍ଥା ଆହୁରି ଶୋଚନୀୟ। ସାଧାରଣତଃ ବିଧବା, ପରିତ୍ୟକ୍ତା, ଏକାକୀ, ନିରକ୍ଷର, ନିଜନାମରେ ଘରନଥିବା, ରୋଜଗାର ନଥିବା ବୃଦ୍ଧାମାନଙ୍କର ଅବସ୍ଥା ସାଂଘାତିକ। ‘ଗ୍ଲୋବାଲ୍ ଏଜ୍ ୱାଚ୍ ଇଣ୍ଡେକ୍ସ’ର ୨୦୧୪ ମସିହା ବିବରଣୀ ଅନୁସାରେ ଭାରତରେ ୪୦% ବୟସ୍କା ମହିଳା ଦାରିଦ୍ର୍ୟ ସୀମାରେଖା ତଳେ, ୭୩% ନିରକ୍ଷର ଏବଂ ୯୦%ଙ୍କର ସାମାଜିକ ନିରାପତ୍ତା ନାହିଁ। ସାରା ଜୀବନ ଘରଜଞ୍ଜାଳରେ ବୁଡ଼ିରହି ଘରର ଏରୁଣ୍ଡି ଲଙ୍ଘି ନଥିବା ରକ୍ଷଣଶୀଳା ମହିଳାଟିଏ ବାହାର ଦୁନିଆ କ’ଣ ଜାଣି ନଥାଏ। ଜୀବନର ସାୟାହ୍ନରେ ତାକୁ ଯେତେବେଳେ ଘରୁ ବାହାର କରିଦିଆଯାଏ ଚାରିଆଡ ଅନ୍ଧାର ଦିଶେ। ଯେଉଁଠି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତା’ର ଦେହ ଅସାମାଜିକଙ୍କର ଲୋଲୁପ ଦୃଷ୍ଟିରୁ ମୁକ୍ତ ନୁହେଁ (୨୦୧୬ ମସିହାରେ ଦିଲ୍ଲୀର ବିକାସପୁରୀରେ ଘଟିଥିବା ଏକ ଦଶ ମାସର ଶିଶୁକନ୍ୟାକୁ ପାଶବିକ ଅତ୍ୟାଚାର ଏବଂ ସେହି ବର୍ଷ କେରଳର କୋଲାମ୍‌ରେ ଘଟିଥିବା ଜଣେ ୯୦ବର୍ଷରୁ ଊର୍ଦ୍ଧ୍ବ ବୃଦ୍ଧାଙ୍କୁ ବଳାତ୍କାର ଖବର ଖବରକାଗଜରେ ପ୍ରକାଶିତ) ସେଠାରେ ସେ କେଉଁଠି ପାଇବ ନିରାପଦ ଆଶ୍ରୟ? କୁଆଡ଼େ ଯିବ ସେ ? ଏହି ପ୍ରଶ୍ନ ତା’କୁ ବ୍ୟଥିତ କରୁଥିବାବେଳେ ତା’ ଆଡ଼କୁ ଲମ୍ବି ଆସେ ସରକାରୀ, ବେସରକାରୀ, ସମାଜସେବୀ, ଏନଜିଓ ଏବଂ ବ୍ୟକ୍ତି ବିଶେଷଙ୍କର ସହଯୋଗର ହାତ ଯାହାର କେତୋଟି ନମୁନା ନିମ୍ନରେ ପ୍ରଦତ୍ତ ହେଲା।

ସରକାରଙ୍କର ‘ଆଇପିଓପି’ (ଇଣ୍ଟେଗ୍ରେଟେଡ୍ ପ୍ରୋଗ୍ରାମ୍ ଫର୍ ଓଲଡର୍ ପରସନ୍ସ୍) ଯୋଜନା ମାଧ୍ୟମରେ ବୃଦ୍ଧାଶ୍ରମ ଗୃହ ନିର୍ମାଣ କରାଯାଇ ସେମାନଙ୍କୁ ଥଇଥାନ କରାଯାଉଛି। ପିତାମାତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ ମଙ୍ଗଳ ଆଇନ, ୨୦୦୭ (୨୦୧୬ ଏବଂ ୨୦୧୯) ଅନୁସାରେ ପିତାମାତାମାନେ ଅସହଯୋଗୀ ସନ୍ତାନଙ୍କୁ ଘରୁ ବେଦଖଲ କରିବାର ଅଧିକାର ପାଇଛନ୍ତି। ବେସରକାରୀ ଉଦ୍ୟମରେ ଜରାଶ୍ରମ, ‘ଡେ କେୟାର୍ ସେଣ୍ଟର୍’, ‘ଡିଗ୍ନିଟି ଫାଉଣ୍ଡେସନ୍’, ‘ହୋମ୍ କେୟାର୍ ଗିଭର୍ସ୍’, ‘ସ୍ତ୍ରୀ ଶକ୍ତି’, ‘ଏଜ୍ ୱେଲ୍’, ‘ହେଲ୍ପେଜ୍’ ଇତ୍ୟାଦି ବିଭିନ୍ନ ସଂସ୍ଥା ଗଠିତ ହୋଇ ବରିଷ୍ଠ ନାଗରିକଙ୍କର ସେବା ପାଇଁ କାମ କରୁଛନ୍ତି। ଏପରିକି ସେଠାରେ ସେମାନଙ୍କର ମନୋରଞ୍ଜନ ପାଇଁ ବ୍ୟବସ୍ଥା ବି କରାଯାଇଛି। ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତର ନିଯୁକ୍ତ କରାଯାଇଛି। ଖାଦ୍ୟପେୟର ଅଭାବ ନାହିଁ; ତଥାପି ସେଥିରେ କିଛି ‘କିନ୍ତୁ’ ରହିଯାଉଛି।

ଦୁଃସ୍ଥଙ୍କ ପ୍ରତି ସହାନୁଭୂତି ଭାରତୀୟ ସଂସ୍କୃତିର ମହାନତାର ପ୍ରତୀକ ହୋଇଥିବାବେଳେ ସେମାନଙ୍କ ପ୍ରତି ନିଷ୍ଠୁରତା କିଏ କାହିଁକି ସୃଷ୍ଟିକଲା ? ସେଥିପାଇଁ କିଏ ଦାୟୀ ? ଏହି ପ୍ରଶ୍ନ ହୁଏତ ଉଲ୍ଲିଖିତ ସୁବିଧା କେନ୍ଦ୍ରମାନଙ୍କରେ ଥିବା ଅନ୍ତେବାସୀମାନେ ପରସ୍ପରକୁ ପଚାରୁଥିବେ ଯାହାର ଆଭାସ ସେମାନଙ୍କ ମୁଖମଣ୍ଡଳରେ ପରିସ୍ଫୁଟ ଅଭାବବୋଧରୁ ଅନୁମାନ କରିହୁଏ। ଯେତେ ସୁବିଧା ସୁଯୋଗ ମିଳିଲେ ବି ଜନ୍ମରୁ ଜରା ପର୍ଯ୍ୟନ୍ତ ଯେଉଁ ପାରିବାରିକ ସମ୍ପର୍କର ଗାଢ଼ ଆଶ୍ଳେଷରେ ସେମାନେ ଛନ୍ଦି ହୋଇ ରହିଆସିଥାନ୍ତି ତା’କୁ ଝୁରି ହେଉଥାନ୍ତି। ଏହା ହିଁ ଭାରତୀୟ ପରିବାରର ଅନ୍ତର୍ନିହିତ ରହସ୍ୟ ଯାହାକୁ ଜାଣିବା ପାଇଁ ସାରା ବିଶ୍ୱ ଆଗ୍ରହୀ। ଅଥଚ ବିନା ଚେଷ୍ଟାରେ ମିଳିଥିବା ଏଭଳି ଦୁର୍ଲଭ ପରମ୍ପରାଠାରୁ ଆମେ କ୍ରମେ ଦୂରେଇ ଯାଉଛୁ। ଯେମିତି ଦୂରେଇ ଯାଇଥିଲେ ଆର୍ମେନିୟାର ସେହି ଖିଆଲି ରାଜା ଯିଏ ନିଜ ରାଜ୍ୟର ସମସ୍ତ ବୃଦ୍ଧବୃଦ୍ଧାଙ୍କୁ ହତ୍ୟାକରି ସାରିଲା ପରେ ରାଜ୍ୟ ସହିତ ନିଜେ ମୃତ୍ୟୁ ଆଡ଼କୁ ଅଗ୍ରସର ହେଉଥିଲାବେଳେ ଅକସ୍ମାତ୍ ବଞ୍ଚିଯାଇଥିବା ଜଣେ ବୃଦ୍ଧଙ୍କର ପରାମର୍ଶରେ ହିଁ ରକ୍ଷା ପାଇଥିଲେ। ବୁଢ଼ାବୁଢ଼ୀମାନେ ଅଲୋଡ଼ା ନୁହନ୍ତି। ସେମାନଙ୍କର ବୟସ ଓ ଅଭିଜ୍ଞତାକୁ ପାଥେୟ କରି ବର୍ତ୍ତମାନକୁ ସଜାଡିଲେ ଭବିଷ୍ୟତ ସୁଖମୟ ହେବ। ମାତ୍ର ଦୁଃଖର କଥା ଆମର ପାରିବାରିକ ଶୃଙ୍ଖଳା ଗୋଟିଏ ପିଢିର ଅବିମୃଷ୍ୟକାରିତା ଯୋଗୁଁ ବିସ୍ମୃତି ଗର୍ଭକୁ ଠେଲି ହୋଇ ଯାଉଛି। ମନେରଖିବା ଉଚିତ ଅତୀତ ବିନା ବର୍ତ୍ତମାନ ଅସ୍ଥିର ଓ ଭବିଷ୍ୟତ ଅନିଶ୍ଚିତ। ସେଥିପାଇଁ ତ ସାରା ବିଶ୍ୱରେ ବରିଷ୍ଠ ନାଗରିକଙ୍କୁ ମନେରଖିବା ପାଇଁ ପ୍ରତିବର୍ଷ ଜୁନ୍ ୧୫ ତାରିଖଟି ତାଙ୍କ ପାଇଁ ସମର୍ପଣ କରାଯାଇଛି।

Comments are closed.