ଓଡ଼ିଶା ମାଟିରେ ଅବିସ୍ମରଣୀୟ ୬୯ ଦିନ

- ସୁରେନ୍ଦ୍ରନାଥ ନାୟକ

ଓଡିଶା ସହ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କର ଥିଲା ଅନାବିଳ ଆତ୍ମିକ ସମ୍ପର୍କ। ଓଡିଶାର ଦୁଃଖଦ ବ୍ୟବସ୍ଥା ତାଙ୍କ ମନ ପ୍ରାଣଙ୍କୁ ବିଚଳିତ କରି ଦେଉଥିବାବେଳେ ସେ କେବଳ କଥାରେ ନୁହେଁ ଏଥିରୁ ନିସ୍ତାର ପାଇଁ ବାରମ୍ୱାର କାମରେ କରି ଦେଖାଇଛନ୍ତି। ତାଙ୍କ ଜୀବନକାଳ ମଧ୍ୟରେ ଗାନ୍ଧିଜୀ ୮ ଥର ଓଡିଶା ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ଅନ୍ୟୂନ ୬୯ ଦିନ କଟାଇଥିବାବେଳେ ଗୋଟିଏ ସମୟରେ ପାଖାପାଖି ମାସେ ଆମ ରାଜ୍ୟରେ ପ୍ରଚଣ୍ଡ ଖରା ଦିନରେ ପଦଯାତ୍ରା କରି ଗାଁ ଗହଳର ଲୋକଙ୍କୁ ଭେଟିଛନ୍ତି। ଓଡିଶାରେ ପଦଯାତ୍ରାବେଳେ ସେ ଓଡିଆ ଶିଖିବାକୁ ଆଗ୍ରହ ପ୍ରକାଶ କରି ସଫଳ ବି ହୋଇଛନ୍ତି। କେବଳ ସେତିକି ନୁହେଁ; ଓଡିଶାକୁ ସେ ଏତେ ଭଲ ପାଉଥିଲେ ଯେ ଗୋଟିଏ ଗାଁର ପୋଖରୀ ହୁଡାରେ ନଡିଆ ଚାଞ୍ଚଡା କୁଡିଆରେ ବି ସଦଳବଳ ସାତ ଦିନ କାଟିଛନ୍ତି।

ଯେତେବେଳେ ଓଡିଶା ଖଣ୍ଡବିଖଣ୍ଡିତ ହୋଇ ପଡୋଶୀ ରାଜ୍ୟମାନଙ୍କ ଅକ୍ତିଆରରେ ଥିଲା ଓ ଓଡିଆ ଭାଷାଭାଷୀ ଅଞ୍ଚଳମାନଙ୍କୁ ନେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଲାଗି ଉତ୍କଳ ସମ୍ମିଳନୀ ଉଦ୍ୟମ କରୁଥିଲା ସେ ସମୟରେ ଗାନ୍ଧିଜୀ ଓଡିଶାକୁ ଜାତୀୟ ସ୍ତରରେ ରାଜନୈତିକ ପରିଚିତି ଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅଧ୍ୟକ୍ଷତାରେ ଗଠନ କରିଥିଲେ ପ୍ରଥମ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରାୟ ୧୬ ବର୍ଷ ପୂର୍ବରୁ ବସ୍ତୁତଃ ଗାନ୍ଧିଜୀ ଓଡିଶାକୁ ଏଭଳି ଭାବେ ରାଜନୈତିକ ସ୍ୱୀକୃତି ଦେଇଥିଲେ। ଏହାଛଡା ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡିଶା ଗଠନ ଲାଗି ଗାନ୍ଧିଜୀ ଖୋଲା ମତବ୍ୟକ୍ତ କରିବା ସହିତ କଂଗ୍ରେସ ଅଧିବେଶନରେ ମଧ୍ୟ ସ୍ୱତନ୍ତ୍ର ଉତ୍କଳ ଗଠନ ଦାବି ଉଠାଇ ପ୍ରସ୍ତାବ ପାରିତ କରିଥିଲେ। ଉତ୍କଳ ଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁଙ୍କ ସମେତ ରାଜ୍ୟର ଯେଉଁ ପ୍ରବାଦ ପୁରୁଷମାନେ ସ୍ୱତନ୍ତ୍ର ଓଡିଶା ଗଠନ ପାଇଁ ନିରନ୍ତର ଉଦ୍ୟମ କରିଥିଲେ ତାହା ଗାନ୍ଧିଜୀଙ୍କ ଅନୁକୂଳ ଭୂମିକା ଯୋଗୁଁ ସୁଦୃଢ ହୋଇଥିଲା। ଏ ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ କ୍ଷେତ୍ରରେ ମହାତ୍ମା ଗାନ୍ଧୀଙ୍କ ଅବଦାନ ଅବିସ୍ମରଣୀୟ।

ଓଡିଶା ମାଟିରେ ପାଦ ଦେବା ପୂର୍ବରୁ ଏ ରାଜ୍ୟର ବିପନ୍ନ ଲୋକଙ୍କ ସେବା ପାଇଁ ଗାନ୍ଧିଜୀ କାମ ଆରମ୍ଭ କରିଥିଲେ। ୧୯୨୦ ମସିହାରେ ପୁରୀ ଜିଲା ସମେତ କେତେକ ଅଞ୍ଚଳରେ ଉତ୍କଟ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହୋଇ ଲୋକେ ଅନାହାରରେ ମରୁଥିବାବେଳେ ଉତ୍କଳମଣି ଗୋପବନ୍ଧୁଙ୍କଠାରୁ ଖବର ପାଇ ଏଠାରେ ଲୋକଙ୍କୁ ବଞ୍ଚାଇବା ଲାଗି ଗାନ୍ଧିଜୀ ଠକ୍କର ବାପାଙ୍କୁ ଓଡିଶା ପଠାଇବା ସଙ୍ଗେ ସଙ୍ଗେ ବ୍ୟାପକ ରିଲିଫ କାର୍ୟ୍ୟ କରିଥିଲେ। କେବଳ ସେତିକି ନୁହେଁ; ଓଡିଶାର ଦୁର୍ଦଶାକୁ ଇଂରେଜ ସରକାର ତଥା ଦେଶବାସୀଙ୍କ ନିକଟରେ ସେ ତାଙ୍କ ପ୍ରକାଶିତ ‘ୟଙ୍ଗ ଇଣ୍ଡିଆ’ ଓ ‘ନବ ଜୀବନ’ ପତ୍ରିକାରେ ମଧ୍ୟ ପ୍ରକାଶ କରିଥିଲେ। ବିଭିନ୍ନ ସ୍ଥାନରୁ ଦାନ ସଂଗ୍ରହ କରି ଓଡିଶାରେ ଗାନ୍ଧିଜୀ ଏହି ରିଲିଫ କାର୍ୟ୍ୟ ଚଳାଇଥିଲେ।

୧୯୨୧ ମାର୍ଚ୍ଚ ୨୩ ଦୋଳ ପୂର୍ଣ୍ଣିମା ଦିନ ଗାନ୍ଧିଜୀଙ୍କ ପ୍ରଥମ ଓଡିଶା ଗସ୍ତ ଆରମ୍ଭ ହୋଇଥିଲା। ସେତେବେଳେ ତାଙ୍କର ପ୍ରଥମ ସାଧାରଣ ସଭା କଟକର କାଠଯୋଡି ନଦୀ ଶଯ୍ୟାରେ ଅନୁଷ୍ଠିତ ହୋଇଥିଲା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସଭାପତିତ୍ୱରେ। ଏହି ଗସ୍ତ ସମୟରେ ଗାନ୍ଧିଜୀ ଉତ୍କଳ ଗୌରବ ମଧୁସୂଦନଙ୍କ ଆତିଥେୟତା ମଧ୍ୟ ଗ୍ରହଣ କରିଥିଲେ। ଗାନ୍ଧିଜୀଙ୍କ ପ୍ରଥମ ଗସ୍ତ ମାର୍ଚ୍ଚ ୨୩ରୁ ମାର୍ଚ୍ଚ ୨୯ ପର୍ୟ୍ୟନ୍ତ ହୋଇଥିଲା କଟକ, ଭଦ୍ରକ, ସାକ୍ଷିଗୋପାଳ, ପୁରୀ ଓ ବ୍ରହ୍ମପୁରକୁ। ଏହି ଗସ୍ତ କାଳରେ ସେ ବହୁ ସମାବେଶରେ ମଧ୍ୟ ଯୋଗ ଦେଇଥିଲେ। ତାଙ୍କର ପ୍ରଥମ ଓଡିଶା ଗସ୍ତର ଅନୁଭୂତି ବିସ୍ତାରିତ ଭାବେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା। ସେତେବେଳେ ସେ କହିଥିଲେ ଯେ ଓଡିଶା ହେଉଛି ଭାରତର ଦାରିଦ୍ର୍ୟର ପ୍ରତିଛବି। ଚମ୍ପାରଣ ଦେଶର ଦରିଦ୍ରତମ ଅଞ୍ଚଳ ବୋଲି ପୂର୍ବରୁ ତାଙ୍କର ଯେଉଁ ଧାରଣା ଥିଲା ତାହା ଓଡିଶା ଗସ୍ତ ପରେ ବଦଳି ଯାଇଥିଲା। ଓଡିଶାବାସୀଙ୍କ ଦୁଃଖଦୁର୍ଦଶା ଭୂତର ଆବେଶ ପରି ତାଙ୍କ ଉପରେ ଛାଇ ହୋଇ ରହୁଥିଲା ଏବଂ ଦୁର୍ଭିକ୍ଷ ପ୍ରପୀଡିତ ଓଡିଶାର କରୁଣ ଦୃଶ୍ୟ ସ୍ୱଚକ୍ଷୁରେ ଦେଖିବା ପରେ ଗାନ୍ଧିଜୀ ଲେଖିଥିଲେ, ଦେଶର କୌଣସି ଅଂଶର ପ୍ରଗତି ବାଧା ପାଇଲେ ସମଗ୍ର ଦେଶର ପ୍ରଗତି ବି ବାଧାପ୍ରାପ୍ତ ହେବ। ଓଡିଆଙ୍କ ଭଳି ଏକ ପ୍ରାଚୀନ ସଂସ୍କୃତି ସମ୍ପନ୍ନ ଜାତିର ଭଗ୍ନାବଶେଷ ଉପରେ ନୂଆ ଭାରତ ଗଢାଯାଇ ପାରିବ ନାହିଁ ବୋଲି ଯେ ନିଜକୁ ଭାରତୀୟ ମନେ କରିବାରେ ଗର୍ବ ଅନୁଭବ କରନ୍ତି ସେମାନଙ୍କର ଧର୍ମ ହେଉଛି ଭାରତର କୌଣସି ଅଙ୍ଗ କ୍ଷୀଣ ହୋଇଗଲେ କଷ୍ଟ ଅନୁଭବ କରିବା।

ଏ ପରିପ୍ରେକ୍ଷୀରେ ଓଡିଶାର ଦୁଃଖରେ ସମଗ୍ର ଭାରତବାସୀ ଦୁଃଖୀ ନ ହେବେ କିପରି ବୋଲି ଗାନ୍ଧିଜୀ ପ୍ରଶ୍ନ କରିଥିଲେ। ଓଡିଶାର ଲୋକେ ସେମାନଙ୍କ ଦୁଃଖ ଯନ୍ତ୍ରଣାକୁ ଚିତ୍କାର କରି ଜଣାଇବାର ଶକ୍ତି ହରାଇଛନ୍ତି ବୋଲି ଦର୍ଶାଇ ଗାନ୍ଧିଜୀ ‘ନବ ଜୀବନ’ ପତ୍ରିକାରେ ଲେଖିଥିଲେ, ଓଡିଶାର ଦୁଃଖ ଦୁର୍ଦଶାରେ ସମଭାଗୀ ହେବା ପାଇଁ ସମସ୍ତେ ନିଜକୁ ସାମିଲ କରନ୍ତୁ।

୧୯୨୫ ଅଗଷ୍ଟ ୧୯ ଓ ୨୦ ତାରିଖରେ ଗାନ୍ଧିଜୀ ପୁନର୍ବାର ଉତ୍କଳ ଗୌରବଙ୍କ ଅତିଥି ଭାବେ ଆସିଥିଲେ କଟକ ସହରକୁ। ଏହି ଅବସରରେ ସେ ଉତ୍କଳ ଟ୍ୟାନେରୀ ମଧ୍ୟ ପରିଦର୍ଶନ କରିଥିଲେ। ୧୯୨୭ ଡିସେମ୍ୱର ମାସରେ ଗାନ୍ଧିଜୀ ୧୭ ଦିନିଆ ଓଡିଶା ଗସ୍ତରେ ଆସି ପାରାଳାଖେମୁଣ୍ଡି, ପଲାସା, ଇଚ୍ଛାପୁର, ସାନପେଟା, ବ୍ରହ୍ମପୁର, ଛତ୍ରପୁର, ଆସ୍କା, ବେଲଗୁଣ୍ଠା, ପୁରୁଷୋତ୍ତମପୁର, ବୋଇରାଣୀ, ରସୁଲକୋଠା, ପୋଲସରା, କୋଦଳା, ଖଲିକୋଟ, ରମ୍ଭା, ବାଣପୁର, ବୋଲଗଡ, ଖୋର୍ଦ୍ଧା, ସାକ୍ଷିଗୋପାଳ, ଜଳେଶ୍ୱର, ବାଲେଶ୍ୱର, ଭଦ୍ରକ, ଚାରିବାଟିଆ, କଟକ ଆଦି ସ୍ଥାନରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ୧୯୨୮ ଡିସେମ୍ବରରେ ଗାନ୍ଧିଜୀ ଝାରସୁଗୁଡା ଓ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ୧୯୩୪ ମଇ ମାସର ଖରାଦିନରେ ଗାନ୍ଧିଜୀଙ୍କ ଓଡିଶା ଗସ୍ତ ଇତିହାସରେ ଏକ ସ୍ବତନ୍ତ୍ର ସ୍ମାରକୀ ବହନ କରେ।

ମଇ ୫ ତାରିଖରେ ଝାରସୁଗୁଡା, ସମ୍ବଲପୁର ଗସ୍ତ କରିବା ପରେ ଗାନ୍ଧିଜୀ ବାମୁରରେ ରାତ୍ରିଯାପନ କରି ୬ ତାରିଖରେ ପହଞ୍ଚିଥିଲେ ଅନୁଗୁଳରେ। ସେଠି ତାଙ୍କ ରହିବା ଜାଗାକୁ ବ୍ରିଟିଶ୍ ସରକାର ଜବତ କରିନେବାରୁ ସେ ଏକ ଆମ୍ବ ତୋଟାରେ ଖରାଦିନ ଦ୍ୱିପ୍ରହରରେ ସଭା କରିଥିଲେ। ବଅଁରପାଳ, ମେରାମୁଣ୍ଡୁଳୀ, ହିନ୍ଦୋଳ, କଟକ ଦେଇ ଗାନ୍ଧିଜୀ ୭ ତାରିଖ ସଞ୍ଜରେ ରେଳଯୋଗେ ପୁରୀରେ ପହଞ୍ଚିଥିଲେ। ନିରାପତ୍ତା ପାଇଁ ଗାନ୍ଧିଜୀ ପୁଲିସର ସହାୟତାକୁ ପ୍ରତ୍ୟାଖ୍ୟାନ କରି ଚାଲିଚାଲି ତାଙ୍କ ରହଣିସ୍ଥଳକୁ ଯାଇଥିଲେ। ପୁରୀ ସିଂହଦ୍ବାର ସମ୍ମୁଖରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ପରେ ବିନା ପୂର୍ବ ପ୍ରସ୍ତୁତିରେ ଓଡ଼ିଶାରେ ପଦଯାତ୍ରା ପାଇଁ ଗାନ୍ଧିଜୀ ହଠାତ୍ ଘୋଷଣା କରିଥିଲେ ଓ ତଦନୁଯାୟୀ ମଇ ୯ ତାରିଖରେ ପୁରୀରୁ ଏହି ପଦଯାତ୍ରା ବାହାରି କଟକରେ ୧୬ ତାରିଖରେ ସରିଥିଲା। ପାଟଣାରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ଯୋଗଦେଇ ଗାନ୍ଧିଜୀ ପୁଣି ତାଙ୍କ ଓଡ଼ିଶାରେ ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ ବର୍ତ୍ତମାନର ଯାଜପୁର ଜିଲା ଅନ୍ତର୍ଗତ ବୈରୀ ରେଳ ଷ୍ଟେସନରୁ ମଇ ୨୧ ତାରିଖ ଦିନ। ଏଦି ପଦଯାତ୍ରା ଚମ୍ପାପୁର ହାଟ, ଭେଡ଼ା, ସତ୍ୟଭାମାପୁର, ନିଶ୍ଚିନ୍ତକୋଇଲି, କେନ୍ଦ୍ରାପଡା, ବାରିମୂଳ, କଳାମାଟିଆ, କାଇପଡ଼ା, ବରୀ, କବିରପୁର, ବୁଢାଘାଟ, ଯାଜପୁର, ଭଣ୍ଡାରିପୋଖରୀ, ଗଦରପୁର ଦେଇ ଭଦ୍ରକରେ ଶେଷ ହୋଇଥିଲା ଜୁନ୍ ୮ ତାରିଖରେ। ବାଟରେ ପ୍ରବଳ ବର୍ଷା ଭିତରେ ଏହି ପଦଯାତ୍ରା ଚାଲିଥିଲା। ବର୍ଷା ଯୋଗୁ ପଦଯାତ୍ରା ସମାପ୍ତ କରି ଗାନ୍ଧିଜୀ ୱାର୍ଦ୍ଧା ଫେରିଥିଲେ। ଏହି ପଦଯାତ୍ରା ସମୟରେ କେତେକ ସ୍ଥାନରେ ମନ୍ଦିରର ଦ୍ୱାର ହରିଜନମାନଙ୍କ ପାଇଁ ଖୋଲି ଦିଆଯାଇଥିଲା । ଗାନ୍ଧିଜୀ ପଦଯାତ୍ରା କାଳରେ ଓଡ଼ିଆ ଲିପି ମଧ୍ୟ ଶିକ୍ଷା କରିଥିଲେ। ଉତ୍କଳମଣିଙ୍କ କାଦୁଆ ଆଶ୍ରମ ଓ ଉତ୍କଳ ଗୌରବଙ୍କ ଜନ୍ମପୀଠ ସତ୍ୟଭାମାପୁରରେ ସେ ଏହି ଯାତ୍ରା କାଳରେ ରାତ୍ରିଯାପନ କରିଥିଲେ।

ଏହି ପଦଯାତ୍ରାରେ ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ହରେକୃଷ୍ଣ ମହତାବ, ଆଚାର୍ୟ୍ୟ ହରିହର, ପଣ୍ଡିତ ନୀଳକଣ୍ଠ, ଯମୁନାଲାଲ ବଜାଜ୍ ଓ ତାଙ୍କ ଝିଅ ଉମା ବଜାଜ୍, ମୀରା ବେନ୍, ଜୟପ୍ରକାଶଙ୍କ ସହଧର୍ମିଣୀ ପ୍ରଭାବତୀ ଦେବୀ, ଠକ୍କର ବାପା, ମିନୁ ମାସାନୀ, ଘନଶ୍ୟାମ ଦାସ ବିର୍ଲା, ବିନୋଦ କାନୁନ୍ ଗୋଙ୍କ ସମେତ ଦେଶ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ଇତିହାସରେ ୧୯୩୪ରେ ତାଙ୍କର ଓଡ଼ିଶାରେ ହରିଜନ ପଦଯାତ୍ରା ମଧ୍ୟ ଅନୁରୂପ ଗୁରୁତ୍ବବହନ କରେ। ୧୯୩୮ ମାର୍ଚ୍ଚ ୨୫ରେ ଗାନ୍ଧିଜୀ ସଦଳବଳ ସେବା ସଙ୍ଘ ସମ୍ମିଳନୀ ପାଇଁ ଓଡ଼ିଶା ଗସ୍ତରେ ଆସି ପୁରୀ ଜିଲାର ବେରବୋଇ ଗାଁରେ ନଡ଼ିଆ ଚାଞ୍ଚଡ଼ା କୁଡ଼ିଆରେ ୩୧ ତାରିଖ ପର୍ୟ୍ୟନ୍ତ ରହିଥିଲେ। ଏହି ସମ୍ମିଳନୀରେ ଓଡ଼ିଶାର ସେତେବେଳର ସ୍ୱାଧୀନତା ପୂର୍ବରୁ ଦେଶର ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ବ୍ୟାପକ ଗସ୍ତ ସମୟରେ ୧୯୬୪ ଜୁଲାଇ ୨୦ ତାରିଖରେ ଗାନ୍ଧିଜୀ ରେଳ ଯୋଗେ ଗୌହାଟୀରୁ ମାନ୍ଦ୍ରାଜ ଯିବା ବେଳେ ବାଲେଶ୍ୱର, ଭଦ୍ରକ, କଟକ ଓ ବ୍ରହ୍ମପୁରରେ ଲୋକଙ୍କୁ ଭେଟିଥିଲେ। ଓଡିଶାର ଜଳ, ଜମି ଓ ଜଙ୍ଗଲ ଲୁଟି ଚାଲିଥିବା ବେଳେ ଏବେ ବି ଗାନ୍ଧିଜୀ ମନେପଡନ୍ତି।

ସେ ଯେପରି ଓଡିଶାକୁ ଭଲ ପାଉଥିଲେ ଓଡିଆ ଲୋକେ ମଧ୍ୟ ତାଙ୍କ ପ୍ରତି ସେହିପରି ଶ୍ରଦ୍ଧା ଓ ସମ୍ମାନ ଅଜାଡି ଦେଇଥିଲେ। ଏହାର ପ୍ରତିଫଳନ ସ୍ୱାଧୀନତା ଆନ୍ଦୋଳନରେ ଦେଖା ଦେଇଥିଲା। ସ୍ୱାଧୀନତା ପ୍ରାପ୍ତିର ୬ ମାସ ନ ପୂରୁଣୁ ଗାନ୍ଧିଜୀଙ୍କୁ ସାମ୍ପ୍ରଦାୟିକ ଶକ୍ତିର ପ୍ରରୋଚନାରେ ହତ୍ୟା କରାଗଲା। ବ୍ୟକ୍ତି, ନୁହେଁ; ଯେଉଁ ବିଚାର ଗାନ୍ଧୀ ହତ୍ୟା ସହ ଜଡିତ ତାହା ଏବେ ବି ସାମ୍ପ୍ରଦାୟିକତାର ବିଷ ବୁଣୁଛି । କଷ୍ଟଲବ୍ଧ ସ୍ୱାଧୀନତା ପାଇଁ ଏହା ସବୁଠାରୁ ବଡ ବିପଦ। ସ୍ୱାଧୀନତାର ସୁରକ୍ଷା ଲାଗି ଏହି ବିକୃତ ସାମ୍ପ୍ରଦାୟିକ ବିଚାରରୁ ଦୂରେଇ ରହି ଓଡିଶା ତଥା ଦେଶର ସର୍ବାଙ୍ଗୀଣ ଉନ୍ନତି କଳ୍ପେ ଗାନ୍ଧିଜୀଙ୍କ ପ୍ରଦର୍ଶିତ ୧୮ ଦଫା ସମ୍ବଳିତ ରଚନାତ୍ମକ କାର୍ୟ୍ୟକ୍ରମକୁ ସଫଳତାର ସହ କାର୍ୟ୍ୟକାରୀ କରିବା ହିଁ ହେଉଛି ଆମ ଦେଶ ଓ ରାଜ୍ୟ ପାଇଁ ଏକମାତ୍ର ବିକଳ୍ପ।

Comments are closed.