ପ୍ରଶ୍ନ-ପ୍ରତିପ୍ରଶ୍ନରେ ପରିବର୍ତ୍ତନ ପ୍ରୟାସ

ଅଧ୍ୟାପକ ବିଶ୍ବରଞ୍ଜନ

ଆମେ ଅତୀତର ଐତିହ୍ୟ ବଖାଣୁଥିବା। ହଜିଯାଇଥିବା ପାଠ ଓ ପୁରାଣର ଚର୍ଚ୍ଚା କରୁଥିବା। ପଢ଼ିଥିବା ବହିରୁ ସଂଗୃହୀତ ତଥ୍ୟ ଓ ତତ୍ତ୍ବର ଅବତାରଣା କରି ନିଜ ଜ୍ଞାନ ଗରିମାର ପରିଚୟ ଦେଉଥିବା। ଅଥଚ ବଞ୍ଚୁଥିବା ‘ବର୍ତ୍ତମାନ’ ପ୍ରତି ପୂରାପୂରି ଆଖି ବୁଜି ଦେଉଥିବା କିମ୍ବା ଦେଖି ନ ଦେଖିଲା ପରି ଚୁପ୍‌ ବସିଯାଉଥିବା। ଏହି ଚୁପ୍‌ ହୋଇଯିବାରେ ହିଁ ଆମର ନିରାପତ୍ତା। କାହିଁକି ପାଟି ଖୋଲିବା ଏବଂ ଜାଣିଶୁଣି ବିପଦକୁ ବରଣ କରିବା ? ପାଟି ଖୋଲିବା ଏବଂ ପ୍ରତ୍ୟାଶିତ ପୁରସ୍କାର, ପଦ-ପଦବୀ-ପଦ୍ମ ଆଦିର ପ୍ରାପ୍ତିକୁ ହରେଇ ବସିବା ! ନା, ଏହା କୌଣସି ବୁଦ୍ଧିମାନର ଲକ୍ଷଣ ନୁହେଁ। ଆମର ସକଳ ବିଦ୍ୟା ଓ ବୃତ୍ତି ଅନ୍ୟକୁ ବୁଦ୍ଦୁ ବନେଇବା ପାଇଁ, ନିଜକୁ ନୁହେଁ। ନିଜକୁ ସର୍ବଦା ସତର୍କ ଓ ସାବଧାନ ରହି ଚଳିବାକୁ ପଡ଼ିବ। ତା’ହେଲେ ଯାଇ ଆମ ବୁଦ୍ଧିମତ୍ତାର ପରିଚୟ ମିଳିବ। ଚହଲା ପାଣିକୁ ଗୋଡ଼ ବଢ଼େଇବା ନାହିଁ। ଆମର ଚର୍ଚ୍ଚା ଓ ଚିନ୍ତନରେ ‘ଚଉକି’ର ଦୋଷ ବାଛିବା ନାହିଁ; ବରଂ ତା’ର ଚାରିଖୁରାକୁ ଯାଉଣୁ ଆସୁଣୁ ଦଣ୍ଡବତ ପକେଇ ଦଣ୍ଡବୈଠକ ମାରୁଥିବା। ତା’ହେଲେ ଆମର ସ୍ବାସ୍ଥ୍ୟ ଭଲ ରହିବ। ସୁଖଶିରୀ ତୁଟିଯିବ ନାହିଁ, ସମୃଦ୍ଧ ହେବ ଆମର ଜୀବନ। ମହାନ୍‌ ‘ଚିନ୍ତାନାୟକ’ର ମୁକୁଟ ଧାରଣ କରି ମାଟି ଦୁଲୁକେଇ ଆମେ ଚାଲୁଥିବା। ତେଣେ ପାଦ ତଳର ମାଟି ପଛେ ଧସିଯାଉ, ଆମ ମାଟି ମା’ର ପଣତକାନିକୁ ଆଉ କେହି ଉଡ଼େଇ ନେଇ ତାକୁ ବିବସନା କରିଦେଉ, ଆମ ଭାଷାର ସୁରକ୍ଷା ନାଁରେ ତାକୁ ବିଦେଶୀ ଭାଷାର ଦାସୀ, ପୋଇଲି କରି ରଖିଦିଆଯାଉ, ସେଥିରେ ଆମର ମୁଣ୍ଡ ଖେଳେଇବାର ନାହିଁ। ତୁଣ୍ଡ ଖୋଲିବାର ନାହିଁ; ବରଂ ମୁହଁରେ ତୁଣ୍ଡି ବାନ୍ଧିଦେଇ ଯାହା ଯେତିକି ମିଳୁଛି, ତାକୁ ଗ୍ରାସ କରିଦେଇ ହେଣ୍ଡି ମାରିବାର ଅଛି।

ଆମର ଦାଣ୍ଡରେ, ହାଟରେ ବାଟ ବାଳୁଙ୍ଗାଙ୍କ ପରି ନାଚିବାର ନାହିଁ। ତୁଚ୍ଛାରେ ଅନ୍ୟାୟ, ଅନୀତି ହେଉଛି ବୋଲି ଗର୍ଜନତର୍ଜନ କରି ଶବ୍ଦ ପ୍ରଦୂଷଣ କରିବାର ନାହିଁ। ଆମେ ସଂଯତ ଭାବରେ, ମାର୍ଜିତ ଢଙ୍ଗରେ, ଶୁଦ୍ଧ ଭାଷାରେ (ହୋଇପାରେ ସାଧାରଣ ଲୋକଙ୍କ ପାଇଁ ଅସ୍ପଷ୍ଟ ଓ ଅବୋଧ୍ୟ) ଆମର ବିଚାର ଓ ବକ୍ତବ୍ୟ ବାଢ଼ିବୁ। ଏସବୁ ଉଚ୍ଚ ପିଣ୍ଡାରେ, ପିଢ଼ା ମାଡ଼ି ବସିଥିବା ମଣିମାଙ୍କ ମଣୋହି ପାଇଁ। ସେମାନେ ଆଜେବାଜେ କଥା, ଅମୂଳକ ସମାଲୋଚନା, ନିନ୍ଦାସୂଚକ ଅଭିବ୍ୟକ୍ତି ଶ୍ରବଣରେ ଅଭ୍ୟସ୍ତ ନୁହନ୍ତି। ସହିଷ୍ଣୁ ନୁହନ୍ତି। ଆମେ କାହିଁକି ସେମାନଙ୍କ ଘୃଣା ଓ ଅସହିଷ୍ଣୁତାର କାରଣ ସାଜିବା? ବରଂ ସେମାନଙ୍କ ଯାବତୀୟ ଯଥେଚ୍ଛାଚାରକୁ ମୁଣ୍ଡପାତି ସହିନେବା ହେବ ଆମର ବିଜ୍ଞତା ଓ ବିବେକିତା। ସତ୍ୟ ଓ ତଥ୍ୟ ପ୍ରକାଶ ନାଁରେ ବିଜ୍ଞପିତ ସେମାନଙ୍କର ମିଥ୍ୟାଚାରକୁ ମୁହଁଖୋଲି ‘ମିଥ୍ୟା’ ବୋଲି କହିଦେଲେ ଆମେ କେଉଁ ଯଶବାନା ଉଡ଼େଇବା? ବରଂ ସେମାନଙ୍କୁ ଅପଦସ୍ତ ଓ ଭୟଭୀତ କରି ଆମେ ନିଜେ ହିଁ ଆମର ଅଭୟ ସୁରକ୍ଷା ବଳୟ ଭିତରୁ ବାହାରି ଆସିବା ଭୟ ଓ ଅନିଶ୍ଚିତତାର ବାତାବରଣକୁ। ଆମେ କାହିଁକି ଏ ଭୁଲ୍‌ କରିବା ? ମନେ ରଖିଥାନ୍ତୁ, ଆମର ଭାଇ ଓ ଭଉଣୀମାନେ, ନିର୍ଭୀକତା ଓ ସ୍ପଷ୍ଟବାଦିତାର ଜୟଗାନ କରୁଥିବା ସାଧୁସନ୍ଥମାନେ, ସେମାନେ ହେଉଛନ୍ତି ଆମ ଲୋକକ୍ଷେତ୍ରର କ୍ଷେତ୍ରପାଳ। ଆମେ ସାଧାରଣ କ୍ଷେତ୍ରବାସୀ। ନିଜର ସୀମାରୁ ବାହାରି ଯାଇ ପାଳକମାନଙ୍କୁ ପ୍ରଶ୍ନ କରିବାର ଅଧିକାର ଆମର ଅଛି କି?

ଶୁଣିଲେ ତ ମୋର ପ୍ରିୟଜନମାନେ। ପୂର୍ବରୁ ଯେଉଁ ସ୍ବର ଓ ସଂଳାପ ଶୁଣିଲେ, ତାହା ଥିଲା ଆମର ଲୋକକ୍ଷେତ୍ରରେ ବସବାସ କରୁଥିବା କିଛି ବିଦ୍ୟାବନ୍ତ, ବୁଦ୍ଧିମନ୍ତ, ବିଜ୍ଞ ବକ୍ତା, ବାଣୀସାଧକ ଏବଂ ସର୍ବଦା ଚିନ୍ତାରତ ବ୍ୟକ୍ତିବିଶେଷଙ୍କ ସ୍ବର। କେବେ କୌଣସି ପ୍ରଶ୍ନ କାହାରିକୁ କରିବା ନାହିଁ। ପ୍ରତିକ୍ରିୟା ପ୍ରକାଶ କରିବା ନାହିଁ। ପ୍ରତିବାଦର ବାଦ-ବିବାଦ ଭିତରେ ପ୍ରବେଶ ନକରି ନିରାପଦରେ ରହିବାର ପ୍ରୟାସ କରିବା ଏହାର ଅର୍ଥ ଆମ କ୍ଷେତ ଭିତରକୁ କିଛି ପଙ୍ଗପାଳକୁ ଅବାଧ ବିଚରଣ ପାଇଁ ଛାଡ଼ିଦେବା, ଯେଉଁମାନେ ସବୁକିଛି ଆତ୍ମସାତ୍‌ କରି କ୍ଷେତକୁ ଉଜାଡ଼ି ଦେଇଯିବେ। ଆଉ ଆମେ ବସି କପାଳରେ କରଥାପି କପାଳକୁ କେବଳ ନିନ୍ଦୁଥିବା। ଆମେ କାନ୍ଦୁଥିବା, ଆଉ ସେମାନେ ଆମ ଅମଳର ଫସଲକୁ ନିଜ ପସରାରେ ବାନ୍ଧୁଥିବେ। ଆମେ ଆମର ରୋଗର ନିଦାନ ପାଇଁ ଗୋଟିଏ ଡାକ୍ତରଖାନାରୁ ଆଉ ଗୋଟିଏ ଡାକ୍ତରଖାନାକୁ ଦଉଡ଼ି ଦଉଡ଼ି ଶେଷରେ ମରୁଥିବା ଏବଂ ସେମାନେ ଜୀବନଭୋଗରେ ମାତି ଆମକୁ ତ୍ୟାଗ ଓ ତିତିକ୍ଷାର ଅମୃତବାଣୀ ଶୁଣଉଥିବେ। ଆମ କ୍ଷେତ୍ରବାସୀମାନେ ପ୍ରବାସରେ ଯାଇ ପେଟକୁ ମୁଠାଏ ଦାନା ଓ ପିଠିକୁ ଖଣ୍ଡେ କନା ପାଇଁ ଦାଦନ ଖଟୁଥିବେ। ଏଣେ କିନ୍ତୁ ଆମର ଦୟାବନ୍ତ କ୍ଷେତ୍ରପାଳ ଆମ ଦୁଆର ମେଲା କରିଦେଇଥିବେ, ବାହାର ବେପାରୀ ଓ ବଣିକମାନଙ୍କୁ ଲକ୍ଷ୍ମୀମନ୍ତ କରିବା ପାଇଁ।

ଆମ ପିଲାଏ ଆମ ଭାଷା ଭୁଲିବେ, ମାଷ୍ଟ୍ର ନ ଥାଇ ପାଠ ଭୁଲିବେ, ଅଣ୍ଡାଝୋଳ ଖାଇ ଶେଷରେ ନଣ୍ଡା ହୋଇ ବାଟରେ ଘାଟରେ ବୁଲିବେ, ଆଉ ସେମାନଙ୍କ ପିଲାଏ ବିଦେଶରେ ପାଠପଢ଼ି, ଶେଷରେ ଆମ ପିଲାଙ୍କ ସହିତ ଲଢ଼ିବାକୁ ତାଲିମ୍‌ ନେଇ ଚାଲି ଆସିବେ। ପରିସ୍ଥିତି ଅକସ୍ମାତ ବିଗିଡ଼ିଗଲେ, ସେମାନେ ପୁଣି ଆକାଶମାର୍ଗରେ ଉଡ଼ିଯାଇପାରିବେ ନିଜର ଈପ୍‌ସିତ ଇଲାକାକୁ। କିଛି ଅଭାବ ନଥିବ ସେମାନଙ୍କର ନା ଅର୍ଥର ନା କ୍ଷେତ୍ରର।

ସତ କହିଲେ ପ୍ରିୟଜନମାନେ ! ଏହିଭଳି ଏକ ଲୋକକ୍ଷେତ୍ରର କ’ଣ ସ୍ବପ୍ନ ଦେଖିଥିଲେ ଆମର ଲୋକନାୟକମାନେ? ଆମର ମହାତ୍ମାମାନେ ? ଆମେ କେବଳ ସେମାନଙ୍କ କଥାକୁ ଗୁରେଇ ତୁରେଇ ନାନା ବାଗରେ ପ୍ରଚାର ଓ ପ୍ରକାଶ କରି ନିଜ ମହାତ୍ମା ଭକ୍ତିର ମିଛ ପରିଚୟ ଦେବାରେ ଲାଗିଛେ। ଅସଲରେ, ସେମାନଙ୍କର ସତ୍ୟ ପ୍ରତି ଥିବା ଆଗ୍ରହକୁ ଉପେକ୍ଷା କରି ଅାମେ ମିଥ୍ୟାକୁ ମୁକାବିଲା କରିବାର ସାହସ ହରେଇ ବସିଛେ; ବରଂ ଆମର ନୀରବତା ମିଥ୍ୟାଚାରକୁ ବଢ଼ିବାରେ ସାହାଯ୍ୟ କରିଛି। ପ୍ରୋତ୍ସାହିତ କରିଛି। ବର୍ଷ ପରେ ବର୍ଷ, ମହାତ୍ମାମାନଙ୍କ ଜନ୍ମ ଶତାବ୍ଦୀ ମହାସମାରୋହରେ, ନୂଆନୂଆ ମୂର୍ତ୍ତି କିମ୍ବା ମାର୍ଗ ନିର୍ମାଣରେ, ସଭା-ସଂଭାଷଣର କୀର୍ତ୍ତନ ଓ କୋଳାହଳରେ ପାଳନ କରିଦେଲେ କିଛି ବଦଳିବ ନାହିଁ, କିଛି ସୁଧୁରିବ ନାହିଁ, ଯଦି ଆମେ ତଥାକଥିତ ଭକ୍ତ ଓ ଅନୁରାଗୀମାନେ ମୂର୍ତ୍ତିକୁ ଭେଦ କରି ମର୍ମକୁ ସ୍ପର୍ଶ କରିବାର ସେହି ମର୍ମବାଣୀକୁ ଆମ ଜୀବନବାଣୀରେ ପରିଣତ କରିବାର ଆଗ୍ରହ ରଖିନାହୁଁ।

ଆମର ସକଳ ବିଦ୍ୟା-ବୁଦ୍ଧି ଓ ବିଚାର ଯଦି ଆତ୍ମକୈନ୍ଦ୍ରିକ ନହୋଇ, ନିଜର ନିରାପତ୍ତା ନ ଖୋଜି ନାନା ପ୍ରତିକୂଳତା ସତ୍ତ୍ବେ ସମୂହର ସ୍ବାର୍ଥ ସାଧନରେ ବିନିଯୁକ୍ତ ହୁଏ, ତେବେ ଯାଇ କିଛି ପରିବର୍ତ୍ତନ ସମ୍ଭବ ହୋଇପାରିବ। ବିଳମ୍ବିତ ହୋଇପାରେ ପ୍ରକ୍ରିୟା। ମାତ୍ର ସୁଫଳ ଅବଶ୍ୟ ଫଳିବ। ମାତ୍ର ଏଥିପାଇଁ ପ୍ରଥମ ସର୍ତ୍ତ ବା ସୂତ୍ର ହେଲା- ଆମେ ସମସ୍ତେ ପ୍ରଶ୍ନ ପଚାରି ଶିଖିବା। ପ୍ରଶ୍ନ ପରେ ପ୍ରଶ୍ନ। ପ୍ରତିପ୍ରଶ୍ନ। ଉତ୍ତର ଖୋଜିବାର ଆବଶ୍ୟକତା ନାହିଁ। ଉତ୍ତର ଆପେ ମିଳିଯିବ। ପ୍ରଶ୍ନରେ ହିଁ ରହିଛି ଉତ୍ତର। ସମସ୍ୟାର ଉତ୍‌ଥାପନ ରହିଛି ସମାଧାନର ମାର୍ଗ। ‘ପରିପ୍ରଶ୍ନେନ ସେବୟା’। ଏ ମନ୍ତ୍ର ଭୁଲିଗଲେ ଆମେ ଅବିଚାର କରିବା ନିଜ ପ୍ରତି, ନିଜ ମାଟି ପ୍ରତି। ମନେ ରଖିବାକୁ ହେବ, ଏ ମାଟି ମୁଷ୍ଟିମେୟ ମଣିମାଙ୍କର ନୁହେଁ, ସାଧାରଣ ମଣିଷର। ମଣିଷକୁ ମଣିଷ ଭଳି ବଞ୍ଚିବାକୁ ହେଲେ ମଥାନତ କରି ନୁହେଁ, ଉଞ୍ଚା କରି, ଅଣ୍ଟା ସଳଖି ଠିଆ ହେବାକୁ ପଡ଼ିବ। ଆଖିରେ ଆଖି ମିଳେଇ ପ୍ରଶ୍ନ କରିବାକୁ ହେବ କ୍ଷମତାର କେନ୍ଦ୍ରରେ ଥିବା ଅଧିପତିମାନଙ୍କୁ। ଏ କ୍ଷମତା କେବଳ ରାଜନୀତିକ ନୁହେଁ, ସାହିତ୍ୟ, ସଂସ୍କୃତି, ଶିକ୍ଷା, ଧର୍ମ, ସମାଜ ବ୍ୟବସ୍ଥା- ସବୁଠି ଥାକ ଥାକ ହୋଇ ରହିଛି କ୍ଷମତାର ଠଣା ଓ ଠିକଣା। ଏ ଥାକ ସବୁ ଭାଙ୍ଗିବାକୁ ହେବ। ପ୍ରଶ୍ନ ପଚାରିବାକୁ ହେବ। ପ୍ରଶ୍ନ ପଚାରିବାର ସାହସରେ ରହିଛି ପ୍ରକୃତ ପରିବର୍ତ୍ତନର ପ୍ରୟାସ।

Comments are closed.