କୃଷି ଉତ୍ପାଦ ବିକ୍ରୟ ଯୋଜନା ଆବଶ୍ୟକ

ପ୍ରମୋଦ କୁମାର ପଣ୍ଡା

ଓଡ଼ିଶାର କ୍ଷେତ୍ରଫଳ ୧୫.୫ ନିୟୁତ ହେକ୍ଟର ଓ ଏହା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ସମଗ୍ର ଦେଶରେ ଅନୁଭୂତ ହେଉଥିବା ୧୫ ପ୍ରକାର କୃଷି ଜଳବାୟୁ କ୍ଷେତ୍ର ମଧ୍ୟରୁ ଆମ ରାଜ୍ୟରେ ପ୍ରାୟ ୧୦ ପ୍ରକାରର ରହିଛି। ଦେଶରେ ଥିବା ସବୁ ପ୍ରକାର ମୃତ୍ତିକା ମଧ୍ୟ ଓଡିଶାରେ ଦେଖିବାକୁ ମିଳେ। ଆମ ପାଖରେ ପ୍ରାୟ ୮ ପ୍ରକାର ମୃତ୍ତିକା ରହିଛି। ସମଗ୍ର ଦେଶରେ ବାର୍ଷିକ ହାରାହାରି ୧୨୦୦ ମିଲିମିଟର ବୃଷ୍ଟିପାତ ହେଉଥିବା ବେଳେ ଆମର ବାର୍ଷିକ ହାରାହାରି ୧୫୦୦ ମିଲିମିଟର ବର୍ଷା ହୋଇଥାଏ। ବିଭିନ୍ନ ପ୍ରକାର ଜଳବାୟୁ ଆମ ରାଜ୍ୟରେ ଅନୁଭୂତ ହୋଇଥାଏ। ଆମ ରାଜ୍ୟର ଭୂମିରୂପ ସମୁଦ୍ର ପତ୍ତନଠୁ ଆରମ୍ଭ କରି ସର୍ବୋଚ୍ଚ ୧୬୭୨ ମିଟର ପର୍ଯ୍ୟନ୍ତ ବିସ୍ତୃତ ଅଛି। ଆମ ପାଖରେ ୪୫୦-୪୮୫ କିଲୋମିଟର ସୁଦୀର୍ଘ ସମୁଦ୍ର ବେଳାଭୂମି ରହିଛି। ବିଭିନ୍ନ ପ୍ରକାର ଜଳବାୟୁ, ଭୂମିରୂପ, ମୃତ୍ତିକା ଓ ସମୁଦ୍ର ତଟ ଆମ ରାଜ୍ୟରେ ନାନାବିଧ ଫସଲ ଚାଷ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିଛି। ସୁଦୀର୍ଘ ବେଳାଭୂମି ମାଛ ଉତ୍ପାଦନ ବୃଦ୍ଧି ଓ ବିଭିନ୍ନ ଉତ୍ପାଦିତ ଦ୍ରବ୍ୟର ରପ୍ତାନି ପାଇଁ ମଧ୍ୟ ସୁଯୋଗ ପ୍ରଦାନ କରିଅଛି।

ଏତେ ସବୁ ସମ୍ପଦ ଆମ ପାଖରେ ମହଜୁଦ ଥାଇ ମଧ୍ୟ ଦେଶର ଧନୀ ରାଜ୍ୟ ତାଲିକାରେ ତଳ ଆଡୁ ତୃତୀୟ ସ୍ଥାନ ବଜାୟ ରଖିବା ଆମ ପାଇଁ ଦୁଃଖର ଓ ପରିତାପର ବିଷୟ। ବାଂଲାଦେଶର କ୍ଷେତ୍ରଫଳ ଆମ ରାଜ୍ୟର କ୍ଷେତ୍ରଫଳ ସହିତ ସମାନ ଓ ବାତ୍ୟା ବନ୍ୟାର ଅତ୍ୟଧିକ ପ୍ରଭାବିତ ହୋଇଥିବା ସତ୍ତ୍ୱେ, ତାର ମୋଟ ଘରୋଇ ଉତ୍ପାଦ ଆମ ରାଜ୍ୟର ଘରୋଇ ଉତ୍ପାଦ ଠାରୁ ୪ ଗୁଣ ଅଧିକ କରିପାରିଛନ୍ତି ନିଜ ଯୋଜନା ଓ ପରିଶ୍ରମ ବଳରେ। ବିଗତ ବର୍ଷଗୁଡ଼ିକରେ ଆମେ ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିଥିଲେ ମଧ୍ୟ ଆଶାନୁରୂପ ପ୍ରଗତି ହାସଲ କରିପାରି ନାହାନ୍ତି ଅନ୍ୟାନ୍ୟ ରାଜ୍ୟ ତୁଳନାରେ।

ଆସନ୍ତୁ ଏବେ କୃଷି ଉପରେ ଆଲୋଚନା କରିବା। ଆମେ ବର୍ତ୍ତମାନ ଦୋଛକିରେ ଠିଆ ହୋଇଛନ୍ତି। ଆମର ପ୍ରତିବର୍ଷ ୬ ଲକ୍ଷରୁ ଅଧିକ ପିଲା ମାଟ୍ରିକ ପରୀକ୍ଷା ଦିଅନ୍ତି। କାମ ଧନ୍ଦା ବା ରୋଜଗାର ଅଭାବରୁ ଅଧିକାଂଶ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଆନ୍ତି ଆଉ କିଛି ବେକାର ହୋଇ ମାଆ ବାପାଙ୍କ ଉପରେ ବୋଝ ସାଜନ୍ତି। ବିଷାଦରେ ନିଶାଗ୍ରସ୍ତ ହୋଇ ନାନା ଅସାମାଜିକ କାର୍ଯ୍ୟ ମଧ୍ୟ କରନ୍ତି। ଅନ୍ୟପକ୍ଷରେ ଆମେ ୫ କୋଟି ଜନତା ନିଜ ଜମିକୁ ପଡିଆ ପକାଇ (ବା ଅଳ୍ପ ଚାଷ କରି) ଅନ୍ୟ ରାଜ୍ୟର ଉତ୍ପାଦକୁ ଆମଦାନୀ କରି ବଡ ଖାଉଟି ହିସାବରେ ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇଛନ୍ତି। ବଡ ଦୁଃଖ ଲାଗେ ବିଶ୍ଳେଷଣ କଲେ। ଆମ ପଡୋଶୀ ରାଜ୍ୟଗୁଡ଼ିକରେ କୃଷି ଲାଭଜନକ ହେଉଥିବାବେଳେ ଆମର କାହିଁକି କ୍ଷତି ହେଉଛି ? ଆମର ଆବଶ୍ୟକତାକୁ ଆମ ରାଜ୍ୟର ଉତ୍ପାଦନରେ ପୂର୍ଣ୍ଣ କରି ଆମେ ଯଦି ଅନ୍ୟ ରାଜ୍ୟ ପରି ରପ୍ତାନି କରିବାରେ ସକ୍ଷମ ହୋଇଥାନ୍ତୁ, ତା’ହେଲେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଲକ୍ଷଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରି ବେକାରୀ ସମସ୍ୟା ଦୂର କରିପାରିଥାନ୍ତୁ। ଆମେ ବର୍ତ୍ତମାନ ଅଟା, ସୁଜି, ଆଳୁ, ପିଆଜ, ଫୁଲ, ଖାଇବା ତେଲ, ଡାଲି, ବିଭିନ୍ନ ପ୍ରକାର ମସଲା ସାମଗ୍ରୀ, କଦଳୀ, ଅମୃତଭଣ୍ଡା, ଲଙ୍କା, ମାଛ, କୁକୁଡା, ଅଣ୍ଡା, ମାଂସ, ରସୁଣ, ଚିନି ଇତ୍ୟାଦି ଅନ୍ୟ ରାଜ୍ୟରୁ ଆମଦାନୀ କରି ବଞ୍ଚିଛୁ।

ଆମର ଲକ୍ଷ୍ୟ ଦିନକୁ ଦିନ ଛୋଟ ହୋଇଯାଉଛି ଓ ଆମର ଯୋଜନା ଅସଫଳ ହେଉଛି। ଏକଦା ଆମ ରାଜ୍ୟରୁ ବିଦେଶକୁ ଚାଉଳ ଓ ଲୁଣ ରପ୍ତାନି ହେଉଥିଲା। ଏପରିକି ୧୮୬୫-୬୬ ମସିହାର ନଅଙ୍କ ଦୁର୍ଭିକ୍ଷ ସମୟରେ ବର୍ଷାଭାବରୁ ଧାନ ଉତ୍ପାଦନ ହୋଇପାରି ନ ଥିଲେ ମଧ୍ୟ ଓଡିଶାରୁ ୩୫ ହଜାର ଟନ ଚାଉଳ ବିଦେଶକୁ ରପ୍ତାନି କରାଗଲା। ସ୍ବାଧୀନତା ପ୍ରାପ୍ତିର ୭୦ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଓଡିଶାରେ ବିଦେଶକୁ ଚାଉଳ ରପ୍ତାନି କେନ୍ଦ୍ର ଗୋଟିଏ ବି ଖୋଲିପାରିଲୁ ନାହିଁ। ଆଜି ବି ଧାନ ଚାଷୀ ମୁଣ୍ଡରେ ହାତ ଦେଇ ବେପାରୀଙ୍କ ଦୟାକୁ ନିର୍ଭର କରୁଛନ୍ତି ପରିଶ୍ରମର ଧାନ ଗଣ୍ଡାକୁ ବିକ୍ରି କରିବା ପାଇଁ। ଦେଶୀୟ ଜ୍ଞାନ କୌଶଳକୁ ଉପଯୋଗ କରି ଉତ୍ତର ପ୍ରଦେଶ, ବିହାର, ପଶ୍ଚିମ ବଙ୍ଗ ଓ ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟ ଆଳୁ ଉତ୍ପାଦନରେ ସ୍ବାବଲମ୍ବୀ ହୋଇ ରପ୍ତାନି କରୁଥିଲାବେଳେ ଆମକୁ ଦେଶୀୟ ଜ୍ଞାନ କୌଶଳ ପରିବର୍ତ୍ତେ ବିଦେଶୀ ଜ୍ଞାନ କୌଶଳ ଅଧିକ ପସନ୍ଦ ଲାଗିଲା। ଦେଶୀ ସମସ୍ୟାକୁ ବିଦେଶୀ ସମାଧାନ କାମ କଲାନାହିଁ, ଯୋଜନା ବିଫଳ ହେଲା। ଯଦି ପିଆଜ ପରିସଂଖ୍ୟାନ ଠିକ ହୋଇଥାଏ, ତା’ ହେଲେ ଆମର ଆବଶ୍ୟକତା ୨.୩ ଲକ୍ଷ ଟନ ହୋଇଥିବାବେଳେ ଆମେ ଉତ୍ପାଦନ କରୁଛୁ ୩.୯୫ ଲକ୍ଷ ଟନ। ଉତ୍ପାଦନ ସମୟରେ ଆମ ଚାଷୀ ବାହାର ରାଜ୍ୟ ବେପାରୀଙ୍କୁ ଟ ୫.୦୦ କିଲୋରେ ବିକ୍ରି କରୁଛନ୍ତି। କିଛି ଦିନ ପରେ ଆମେ ପୁଣି ତାକୁ କିଲୋ ପିଛା ୪୦ ଟଙ୍କାରେ କିଣି ଖାଉଛୁ। ଅନ୍ୟ ରାଜ୍ୟ ଶୀତଳ ଭଣ୍ଡାର କଲେ। ଆମକୁ କିଏ ମନା କରିଥିଲା ତାହା ବସାଇବାକୁ? ପାହାଡ କାଟି ସୁଡଙ୍ଗ ତିଆରି ହୋଇପାରୁଛି। ଶୀତଳ ଭଣ୍ଡାର ବସାଇବା ଅସମ୍ଭବ କି ? ସେ ଦିଗରେ ଆମକୁ ଗୁରୁତ୍ବ ଦେବାର ଆବଶ୍ୟକତା ଅଛି।

ଛୋଟଛୋଟ ରାଜ୍ୟ ସେମାନଙ୍କର କୃଷିଜାତ ପଦାର୍ଥ ବିକ୍ରି ପାଇଁ ନାନା ଭିତ୍ତିଭୂମି ନିର୍ମାଣ କରୁଥିବା ବେଳେ ଆମ ରାଜ୍ୟର କୃଷି ଉତ୍ପାଦକୁ ବାହାର ରାଜ୍ୟର ବେପାରୀ ହାତରେ ଟେକି ଦେବା ଠିକ ନୁହେଁ। ତ୍ରିପୁରା ଭଳି କ୍ଷୁଦ୍ର ରାଜ୍ୟ ନିଜ ଉତ୍ପାଦ ସପୁରି ଓ ଲେମ୍ବୁକୁ ମଧ୍ୟ ପ୍ରାଚ୍ୟକୁ ରପ୍ତାନି କରୁଛି। ପଣସକୁ ଇଂଲଣ୍ଡ ରପ୍ତାନି କରୁଛି। ଆମେ କେବେ ବି ଭାବିନୁ ଫୁଲବାଣୀର ପଣସ, ହଳଦୀ, ଅଦା, ଢେଙ୍କାନାଳର ଆମ୍ବ, କାଜୁ, ବାଙ୍କୀ, ନିମାପଡା, ଯାଜପୁର, କେନ୍ଦ୍ରାପଡାର ପରିବା ଓ ପୂରା ରାଜ୍ୟରୁ ଚାଉଳକୁ କିପରି ଇଉରୋପ, ଆମେରିକା ଓ ଅଷ୍ଟ୍ରେଲିଆ ପଠାଇବାକୁ। ମୁଁ ଗ୍ୟାଙ୍ଗଟକରେ ଅବସ୍ଥାନ ସମୟରେ ଦେଖିଛି, ସବୁଠୁ କ୍ଷୁଦ୍ର ରାଜ୍ୟ ସିକିମ ନିଜର ଫୁଲକୁ ରପ୍ତାନି କରିବା ପାଇଁ ଶୀତତାପ ନିୟନ୍ତ୍ରିତ ଗାଡିରେ ଚାଷୀଙ୍କ ଠାରୁ ଆଣି ଉଡାଜାହାଜ ପଡିଆରେ ପହଞ୍ଚାଉଥିଲା ଆଜକୁ ପ୍ରାୟ ୧୫ ବର୍ଷ ତଳେ। ମୋଟ ଉପରେ କହିବାକୁ ଗଲେ ଆମେ ଭୁଲ ଯୋଜନାରେ ଚାଲିଛୁ। ଆମେ ଭାବୁଛୁ ପ୍ରଥମେ ପ୍ରୋତ୍ସାହନ ଦେଇ ଉତ୍ପାଦନ ବଢାଇବାକୁ।

ଉତ୍ପାଦନ ବଢିଲେ ଚାଷୀ ଆପେ ତା’ର ବିକ୍ରିବଟା କରିବ; ମାତ୍ର ତାହା ଓଲଟା ଫଳ ଦେଇଥାଏ। କାରଣ ଚାଷୀ ଜ୍ଞାନ କୌଶଳରେ ଅର୍ଥ ଖର୍ଚ୍ଚ କରି ଉତ୍ପାଦନ ବଢାଇବା ପରେ ଯଦି ବିକ୍ରିବଟା ନ ହେଲା, ତା ପର ବର୍ଷଠୁ ସେ ଆଉ ସେହି ଫସଲ ଚାଷ କରିବ ନାହିଁ। ତେଣୁ ପ୍ରଥମେ ଆମକୁ କୃଷିଜାତ ଦ୍ରବ୍ୟର ବିକ୍ରିବଟା ପାଇଁ ବ୍ୟାପକ ଭିତ୍ତି ଭୂମିର ବିକାଶ କରିବାକୁ ପଡିବ। ଆମ ପାଖରେ ଘରୋଇ ଚାହିଦା, ଅନ୍ୟ ରାଜ୍ୟ ଓ ବିଦେଶ ବଜାରର ବିକଳ୍ପ ଅଛି। ଚାଷୀ କେବଳ ଘରୋଇ ବଜାରରେ ତାର ଉତ୍ପାଦ ଉପଲବ୍ଧ କରାଇ ପାରିବ; ମାତ୍ର ଅନ୍ୟ ରାଜ୍ୟ ଓ ବିଦେଶକୁ ନେବା ପାଇଁ ଅନ୍ୟାନ୍ୟ ଭିତ୍ତିଭୂମିର ଆବଶ୍ୟକତା ରହିଛି, ଯାହା ଚାଷୀଦ୍ବାରା ପୂରଣ କରିବା ସମ୍ଭବ ନୁହେଁ। ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା, ମହାରାଷ୍ଟ୍ର ପ୍ରଭୃତି ରାଜ୍ୟ ବିକ୍ରିବଟା ଭିତ୍ତିଭୂମିରେ ଆମଠୁ ୫୦ ବର୍ଷ ଆଗରେ ଅଛନ୍ତି। ଯଦି କୌଣସି କୃଷିଜାତ ପଦାର୍ଥକୁ ଆମେ ଲାଭଜନକ ସ୍ଥିତିରେ ବିକ୍ରି ହେବାର ବ୍ୟବସ୍ଥା କରିପାରିଲେ କୃଷକ ଆପେଆପେ ସେହି ଦ୍ରବ୍ୟର ଉତ୍ପାଦନ କରିବ ଓ ଜ୍ଞାନ କୌଶଳ ନିଜେ ଖର୍ଚ୍ଚରେ କ୍ରୟ କରି ଲଗାଇବ, ଯାହା ଅନ୍ୟ ରାଜ୍ୟରେ ଦେଖିବାକୁ ମିଳେ। ଆମ ରାଜ୍ୟରେ ମଧ୍ୟ ଏହା ପ୍ରମାଣିତ ହୋଇଛି। ଓଡିଶା ବଜାରରେ ଜିଅନ୍ତା ମାଛର ଚାହିଦା ଅଛି ଓ ଖାଉଟି ଅଧିକ ଦି ପଇସା ଦେଇ ତାକୁ କିଣି ନେଉଛନ୍ତି। ତେଣୁ ବ୍ୟବସାୟୀ ଗାଡିରେ ପାଣି ଟାଙ୍କି କରି, ପବନ ଯନ୍ତ୍ର ଲଗାଇ ପ୍ରତି ସକାଳେ ଖାଉଟିଙ୍କ ପାଖରେ ପହଞ୍ଚାଇ ଦେଉଛନ୍ତି। କେବେ ସରକାରୀ ସହାୟତା ମାଗି ନାହାନ୍ତି ସେଥିପାଇଁ। ଯେହେତୁ ମାଛ ଉଚିତ ଦାମରେ ବିକ୍ରି ହୋଇଯାଇଛି, ତାର ଉତ୍ପାଦନ ବି ଆମ ରାଜ୍ୟରେ ବଢିବାରେ ଲାଗିଛି। ଯଦି ମାଛ ବିକ୍ରି ନ ହୁଅନ୍ତା କିମ୍ବା କ୍ଷତିରେ ଯାଆନ୍ତା, ତେବେ ମାଛ ଚାଷୀ ଧୀରେ ଧୀରେ ମାଛ ଉତ୍ପାଦନ ବନ୍ଦ କରି ଦିଅନ୍ତେ।

ଏକଦା ସମଗ୍ର ଦେଶରେ ଓଡିଶା ପନିପରିବା ଉତ୍ପାଦନରେ ଦ୍ବିତୀୟ ସ୍ଥାନରେ ଥିଲା। ଆମ ଭୌଗୋଳିକ ସ୍ଥିତି ଅନୁସାରେ ଆମେ କମ ଖର୍ଚ୍ଚରେ ବର୍ଷ ତମାମ ବିଭିନ୍ନ ପ୍ରକାର ପନିପରିବା ଚାଷ କରିପାରିବା। ମାତ୍ର ପରିବା ଉତ୍ପାଦନ ଆରମ୍ଭ ହେଲେ ସେଗୁଡିକୁ ଏକାଠି କରି, ବୈଜ୍ଞାନିକ ଢଙ୍ଗରେ ପ୍ୟାକିଂ କରି ବଡ ବଡ ସହରମାନଙ୍କୁ ପଠାଇବାର ବ୍ୟବସ୍ଥା କରିବାକୁ ପଡିବ। ଯେହେତୁ ଆମ ଚାଷୀ ଭାଇଙ୍କର ଅଭିଜ୍ଞତା, ସାହସ ଓ ବାହାର ରାଜ୍ୟ ସହିତ ସମ୍ପର୍କ ନାହିଁ, ତେଣୁ ଠିକ୍‌ ରାସ୍ତା ତିଆରି ହେବା ପର୍ଯ୍ୟନ୍ତ ସରକାରଙ୍କୁ ନିଜଦ୍ବାର କିମ୍ବା ସରକାରୀ-ଘରୋଇ ଭାଗିଦାରିତା ଦ୍ବାରା ଏ କାମକୁ କରିବାକୁ ପଡିବ। ସବୁ ବ୍ଲକରେ ଅତ୍ୟାଧୁନିକ ମଣ୍ଡି ସ୍ଥାପନ କରିବାକୁ ପଡିବ। ଜିଲା ମୁଖ୍ୟାଳୟ କିମ୍ବା ବଡ ବଡ ସହରରେ ବିଦେଶ ଓ ଅନ୍ୟ ରାଜ୍ୟକୁ ରପ୍ତାନି ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ମଣ୍ଡି ସ୍ଥାପନ କରିବାକୁ ପଡିବ। ଏପଟେ ଚାଷୀଙ୍କୁ ଉତ୍ସାହିତ କରିବାକୁ ପଡିବ ଉତ୍ପାଦନ ଆରମ୍ଭ ପାଇଁ। ଉତ୍ପାଦନ ଆରମ୍ଭ ହେଲେ ତାର ଲାଭଜନକ ବିକ୍ରିବଟା ପାଇଁ ବ୍ୟବସ୍ଥା କରିବାକୁ ପଡିବ। ଏହା ଦ୍ବାରା ଆମେ ପଦାର୍ଥର ଉତ୍ପାଦନ, ପରିବହନ, ପୁଡ଼ିଆ (ପ୍ୟାକିଙ୍ଗ୍‌) କାର୍ଯ୍ୟ, କୃଷି ଉପଯୋଗୀ ସାମଗ୍ରୀର ବିକ୍ରିବଟା ଇତ୍ୟାଦି ବିଭାଗରେ ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି କରିପାରିବା।

ଆମ ଚାଷୀ କୁଳର ଆର୍ଥିକ ସ୍ଥିତି ମଜଭୁତ ହେଲେ ସେମାନେ ସ୍ବେଚ୍ଛାକୃତ ଭାବେ ବୈଜ୍ଞାନିକ ପଦ୍ଧତି ଓ ଜ୍ଞାନ କୌଶଳକୁ ଆପଣେଇବେ ଓ ଅଗ୍ରଗତି କରିବେ। ତେଣୁ ଆମକୁ କୃଷି ଉତ୍ପାଦନ ବୃଦ୍ଧି ଉପରେ ଧ୍ୟାନ ନ ଦେଇ କୃଷିଜାତ ଦ୍ରବ୍ୟର ବିକ୍ରୟ ଉପରେ ଯୋଜନା ପ୍ରସ୍ତୁତ କରି କ୍ରିୟାନ୍ବୟନ କଲେ କୃଷକ ସମାଜ ଆପେଆପେ ଉତ୍ପାଦନ ବୃଦ୍ଧିର ଜ୍ଞାନ କୌଶଳକୁ ଆପଣେଇ ନେବେ ଓ ଉତ୍ପାଦନ ବୃଦ୍ଧି କରିବେ ଏବଂ ଆମ ରାଜ୍ୟ ଆଉ ବାହାରର ଆମଦାନୀ ଉପରେ ନିର୍ଭର କରିବ ନାହିଁ। ଆମ ରାଜ୍ୟରେ ଦୁଗ୍ଧ ପ୍ରକ୍ରିୟାକରଣ କମ୍ପାନୀଗୁଡିକରେ ଘରୋଇ ବଜାରରେ ବିକ୍ରି କମିଗଲେ ବାହାର ରାଜ୍ୟର ବଜାର ଖୋଜିବା କିମ୍ବା ଦୁଗ୍ଧକୁ ଗୁଣ୍ଡରେ ପରିଣତ କରିବା ଇତ୍ୟାଦି ପଦକ୍ଷେପ ପରିବର୍ତ୍ତେ, ସେମାନେ ଚାଷୀମାନଙ୍କ ଠାରୁ କ୍ରୟ କରିବା ବନ୍ଦ କରିଦେଉଛନ୍ତି, ଯାହାଫଳରେ ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି। କହିବାର ଅର୍ଥ ନୁହେଁ ଯେ ଆମେ ଉତ୍ପାଦନ ବୃଦ୍ଧି ପାଇଁ ଚେଷ୍ଟା କରିବା ନାହିଁ। ଆମେ ଯଦି ଚାଷୀ ଉତ୍ପାଦର ଲାଭଜନକ ବିକ୍ରିବଟାର ବ୍ୟବସ୍ଥା କରି ଦେବା, ଚାଷୀ ଲାଭ ପାଇବା କାରଣରୁ ଆପେ ଆପେ ବଜାରରୁ ଉନ୍ନତ ମାନର ଜ୍ଞାନ କୌଶଳ ନେଇ ଉତ୍ପାଦନ ବୃଦ୍ଧିରେ ସମର୍ଥ ହେବ। ବର୍ତ୍ତମାନ ଓଡିଶାରୁ ଉତ୍ପାଦିତ ସାମଗ୍ରୀର ବିକ୍ରି କିପରି ଭାବରେ ବାହାର ରାଜ୍ୟ ଓ ବିଦେଶରେ କରାଯାଇପାରିବ, ସେ ବିଷୟରେ ଯୋଜନା ପ୍ରଣୟନ କରାଯିବାର ଆବଶ୍ୟକତା ରହିଛି। ଆମେ ଯଦି କୃଷିଜାତ ପଦାର୍ଥକୁ ଲାଭଜନକ ସ୍ଥିତିରେ ବିକ୍ରି କରିପାରିବାର ବ୍ୟବସ୍ଥା କରି ନ ପାରିବା, ତାହେଲେ ଚାଷଜମି ପଡିଆ ପଡିବ; ଜନତା ଚାଷଠାରୁ ଦୂରେଇ ଯାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେବେ।

Comments are closed.