ଲୋକାଭିମୁଖୀ ସ୍ବାସ୍ଥ୍ୟସେବାର ଆବଶ୍ୟକତା

ସନ୍ତୋଷ କୁମାର ମିଶ୍ର

କରୋନା ମହାମାରୀ ଧନୀ ଓ ଦରିଦ୍ର ସମସ୍ତଙ୍କୁ ସମାନ ଭାବରେ ଆକ୍ରମଣ କରିଛି। ମହାମାରୀ ସରକାରୀ ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି କେତେ ଯେ ଦୁର୍ବଳ ତାହାକୁ ଅଧିକ ଗଭୀର ଭାବରେ ଦେଶର ଜନସାଧାରଣଙ୍କ ସମ୍ମୁଖରେ ରଖିପାରିଛି। ମହାମାରୀରେ ସରକାରୀ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଘରୋଇ ସ୍ୱାସ୍ଥ୍ୟ ସେବା କେନ୍ଦ୍ରଗୁଡିକ ଘର ଢିଙ୍କି କୁମ୍ଭୀର ସାଜିଛନ୍ତି । ଗୋଟିଏ ପରିବାରର ଜଣେ ଯଦି ସଂକ୍ରମିତ ହେଉଛି ତେବେ ସେହି ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଉଛି। ଟିକାଠାରୁ ଆରମ୍ଭ କରି ଶ୍ମଶାନରେ କାଠ ପାଇଁ ସବୁଠି କେବଳ କଳାବଜାରୀ। ସ୍ବଚ୍ଛଳ ବର୍ଗର ଲୋକେ ଯେଉଁମାନଙ୍କ ପାଖରେ ସ୍ୱାସ୍ଥ୍ୟ ବୀମା ଯୋଜନା ସକ୍ରିୟ ଥିବା ସତ୍ତ୍ୱେ ଘରୋଇ ଚିକିତ୍ସାଳୟର ଚିକିତ୍ସା ଖର୍ଚ୍ଚକୁ ପୈଠ କରିବାକୁ ମଧ୍ୟ ସମର୍ଥ ହୋଇ ପାରୁ ନାହାନ୍ତି।

ଆର୍ଥିକ ସର୍ବେକ୍ଷଣ ୨୦୧୮-୧୯ ର ତଥ୍ୟ ଅନୁଯାୟୀ ଭାରତରେ ଅଣସଙ୍ଗଠିତ କ୍ଷେତ୍ରରେ ୪୧.୮୫ କୋଟି ଲୋକ କାର୍ଯ୍ୟରତ ଯାହାକି ମୋଟ ଶ୍ରମବଳର ୯୩ ଶତାଂଶ। ଏଥିରୁ ମାତ୍ର ୯ କୋଟି ଲୋକ ନିୟମିତ ଭାବରେ ଆୟ କରିପାରନ୍ତି। ଏହା ମଧ୍ୟରୁ ୮୦ ଶତାଂଶ କର୍ମଜୀବୀ ସର୍ବାଧିକ ମାସିକ ମାତ୍ର କୋଡ଼ିଏ ହଜାର ଟଙ୍କା ଆୟ କରନ୍ତି। ତେଣୁ ସ୍ୱାସ୍ଥ୍ୟ ବୀମା ଯୋଜନା କ୍ରୟ କରି ମାସିକ କିମ୍ୱା ବାର୍ଷିକ ବୀମା କିସ୍ତି ପ୍ରଦାନ କରିବା ସେମାନଙ୍କ ପକ୍ଷରେ ସମ୍ଭବ ନୁହେଁ। ସାଧାରଣ ପରିସ୍ଥିତିରେ ଭାରତୀୟମାନେ ନିଜ ସଞ୍ଚିତ ଅର୍ଥକୁ ଖର୍ଚ୍ଚ କରି କିମ୍ବା ବନ୍ଧୁ, ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କଠାରୁ ଋଣ କରି କୌଣସି ପ୍ରକାରେ ଚିକିତ୍ସା ବ୍ୟୟକୁ ସମ୍ଭାଳି ନିଅନ୍ତି। ପ୍ରାୟ ୬୦ ଶତାଂଶ ଭାରତୀୟଙ୍କ ପାଖରେ କୌଣସି ପ୍ରକାର ସ୍ୱାସ୍ଥ୍ୟ ବୀମା ଯୋଜନା ନାହିଁ। ସରକାରୀ ଓ ନାମୀ ଦାମୀ ବହୁ ରାଷ୍ଟ୍ରୀୟ କମ୍ପାନୀର କର୍ମଚାରୀମାନଙ୍କ ବ୍ୟତୀତ ବୀମା ଯୋଜନାକୁ କ୍ରମାଗତ ଭାବରେ ବେଶି ଲୋକ ଚଲାଇ ପାରନ୍ତି ନାହିଁ। ଅନ୍ୟ ପକ୍ଷରେ ସରକାରୀ ସ୍ୱାସ୍ଥ୍ୟ ସେବାରେ ବ୍ୟାପକ ଦୁର୍ନୀତି ହେତୁ ଘରୋଇ ଚିକିତ୍ସାଳୟ ଉପରେ ଲୋକମାନେ ଅଧିକ ନିର୍ଭରଶୀଳ ହେବାରେ ଲାଗିଛନ୍ତି। ଭାରତରେ ବାହ୍ୟ ରୋଗୀ ବିଭାଗ କ୍ଷେତ୍ରରେ ୭୪ ପ୍ରତିଶତ ଓ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସା ସେବା ଯୋଗାଇ ଦେବା କ୍ଷେତ୍ରରେ ୬୫ ଶତାଂଶ ଘରୋଇ ଚିକିତ୍ସାଳୟ ଅଧୀନରେ ରହୁଛି। ସରକାର ମାତ୍ର ୨୫ ଶତାଂଶ ବାହ୍ୟ ରୋଗୀ ବିଭାଗ ଚଳାଉଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ଆର୍ଥିକ ସଙ୍କଟ ବୃଦ୍ଧି ପାଉଛି ଓ ଅତି ଦୁର୍ଭାଗ୍ୟଜନକ ପରିସ୍ଥିତିରେ ଅପହଞ୍ଚ ମଧ୍ୟ ହୋଇ ଯାଉଛି ।

କରୋନା ମହାମାରୀ ମଧ୍ୟରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ସ୍ୱାସ୍ଥ୍ୟବୀମା ଯୋଜନାର ପ୍ରଚାର ତ ଦୂରର କଥା, ନାମ ମଧ୍ୟ ସରକାରୀ କଳ ମୁଖରୁ ଶୁଣିବାକୁ ମିଳୁ ନାହିଁ। ଦୁଇ ବର୍ଷ ପୂର୍ବରୁ ଆୟୁଷ୍ମାନ ଭାରତ ବିଶ୍ବର ସର୍ବବୃହତ୍‌ ମାଗଣା ସ୍ୱାସ୍ଥ୍ୟବୀମା ଯୋଜନା ଆରମ୍ଭ ହୋଇଥିଲା। କେନ୍ଦ୍ର ସରକାର ସେହି ସମୟରେ ଦାବି କରିଥିଲେ ଯେ ପ୍ରାୟ ୧୧ କୋଟି ପରିବାରର ୫୦ କୋଟି ସଦସ୍ୟ ଏହି ଯୋଜନା ମାଧ୍ୟମରେ ମାଗଣା ସ୍ୱାସ୍ଥ୍ୟସେବା ଉଭୟ ଘରୋଇ ଓ ସରକାରୀ ଚିକିତ୍ସାଳୟରୁ ପାଇ ପାରିବେ। ମୋଟ ଜନସଂଖ୍ୟାର ୪୦ ଶତାଂଶ ଲୋକ ଏହାଦ୍ବାରା ଉପକୃତ ହେବେ। କେବଳ ରାଜନୈତିକ କନ୍ଦଳକୁ ଆଧାର କରି ଆୟୁଷ୍ମାନ ଭାରତ ଯୋଜନା ସବୁ ରାଜ୍ୟ ସରକାର ଲାଗୁ କରି ନ ଥିଲେ ମଧ୍ୟ ଯେଉଁ ସବୁ ରାଜ୍ୟ ସରକାର ଲାଗୁ କରିଛନ୍ତି ସେଠାରେ ଏହି ଯୋଜନାର ସ୍ଥିତି ସନ୍ତୋଷଜନକ ନୁହେଁ।

ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ରାଶି ପ୍ରଦାନ କରାଯାଇଛି। ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ସହରାଞ୍ଚଳରେ ଓ ଗ୍ରାମାଞ୍ଚଳରେ ଭିନ୍ନଭିନ୍ନ ମାନକ ରଖାଯାଇଛି। ଏହି ଯୋଜନାକୁ ପ୍ରସ୍ତୁତ କରିବା ସମୟରେ ଏହାର ଢାଞ୍ଚାରେ ତ୍ରୁଟି ରହିଛି । ଏହି ଯୋଜନାକୁ ସମ୍ପୂର୍ଣ୍ଣ ରୂପେ ୨୦୧୧ର ଜନଗଣନା ଅନୁଯାୟୀ ପ୍ରସ୍ତୁତ କରାଯାଇ ଥିବାରୁ ଅନେକ ପ୍ରକୃତ ହିତାଧିକାରୀ ଏଥିରେ ତାଲିକାଭୁକ୍ତ ହୋଇ ପାରିନାହାନ୍ତି। ବାହ୍ୟ ରୋଗ ବିଭାଗର ସେବାଗୁଡ଼ିକ ଏଥିରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ଭାରତରେ ସାଧାରଣ ଲୋକମାନେ ନିଜର ବାର୍ଷିକ ସ୍ୱାସ୍ଥ୍ୟ ବ୍ୟୟର କେବଳ ୬୦ ଶତାଂଶ ବାହ୍ୟ ‌ରୋଗୀ ବିଭାଗ ସ୍ୱାସ୍ଥ୍ୟ ସେବାରେ ବ୍ୟୟ କରନ୍ତି । ତେଣୁ କେବଳ ହିତାଧିକାରୀ ଭାବରେ ଚିହ୍ନଟ ହୋଇ କାର୍ଡ ପାଇଗଲେ ମଧ୍ୟ ଦରିଦ୍ର ଲୋକମାନେ ଯେପରି ଆର୍ଥିକ ସହାୟତା ପାଇବା କଥା ସେହିପରି ସୁଫଳ ଯୋଜନାରୁ ମିଳି ପାରୁ ନାହିଁ।

ସ୍ୱାସ୍ଥ୍ୟ ସେବାରେ ପ୍ରତିଦିନ ଯେପରି ଖର୍ଚ ବୃଦ୍ଧି ପାଉଛି ସେହି ଅନୁପାତରେ ଏହାର ବୀମା ରାଶିକୁ ସଂଶୋଧନ କରାଯାଉ ନାହିଁ। ଆୟୁଷ୍ମାନ ଭାରତ ଯୋଜନାରେ ଘରୋଇ ଚିକିତ୍ସାଳୟକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଥିବାର ଲକ୍ଷ୍ୟ କରାଯାଇଛି। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ତଥ୍ୟ ଅନୁଯାୟୀ କରୋନା ମହାମାରୀ ପୂର୍ବରୁ ଆୟୁଷ୍ମାନ ଭାରତ ଯୋଜନାରେ ମୋଟ ୨୧୫୭୩ ଚିକିତ୍ସାଳୟ ପଞ୍ଜିକୃତ ଥିଲେ। ଏଥି ମଧ୍ୟରୁ ୪୪ ଶତାଂଶ ଘରୋଇ ଚିକିତ୍ସାଳୟ ଥିଲେ। କୋଭିଡ ପୂର୍ବରୁ କାର୍ଡଧାରକମାନେ ପ୍ରାୟ ୧୧ ହଜାର ଚିକିତ୍ସାଳୟରୁ ସ୍ୱାସ୍ଥ୍ୟ ସେବା ପାଇ ପାରୁ ଥିଲେ। କୋଭିଡର ପରବର୍ତ୍ତୀ ସମୟରେ ମାତ୍ର ପାଞ୍ଚ ହଜାର ଚିକିତ୍ସାଳୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସମର୍ଥ ହେଉଛନ୍ତି।

କରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟରେ ଭୟାବହତାକୁ ଲକ୍ଷ୍ୟ କରି ସରକାର ଯେଉଁମାନେ ସ୍ୱାସ୍ଥ୍ୟ ବୀମା କ୍ରୟ କରି ପାରୁନାହାନ୍ତି ସେମାନଙ୍କ ପାଇଁ ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରିବାକୁ ଆରମ୍ଭ କରିଛନ୍ତି। ଆସନ୍ତା ଯୋଜନାରେ ୧ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଭାରତର ମୋଟ ଘରୋଇ ଉତ୍ପାଦର ମାତ୍ର ୧.୨ ଶତାଂଶ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟୟ ହୁଏ। କେବଳ ଅଧିକ ବ୍ୟୟ ବରାଦ କରିଲେ ଭାରତରେ ସ୍ୱାସ୍ଥ୍ୟ ସେବା ଅକସ୍ମାତ୍‌ ପରିବର୍ତ୍ତନ ଆଣିଦେବ ତାହା ଚିନ୍ତା କରିବା ଭୁଲ ହେବ। ସାଧାରଣ ଲୋକ ସେତିକି ବେଳେ ଉପକୃତ ହେବେ ଯେତେବେଳେ ତାଙ୍କ ଉପରେ ସ୍ୱାସ୍ଥ୍ୟ ସେବା ଦିଗରେ ପଡୁଥିବା ଆର୍ଥିକ ବୋଝ ହ୍ରାସ ପାଇବ।

ଚଳିତ ବର୍ଷର ଆର୍ଥିକ ସର୍ବେକ୍ଷଣରେ ସୁପାରିସ କରାଯାଇଥିଲା ଯଦି ସରକାର ନିଜର ସ୍ୱାସ୍ଥ୍ୟ ସେବାକୁ ସୁଧାରି ନିଅନ୍ତି ତେବେ ଗ୍ରାମାଞ୍ଚଳର ଦରିଦ୍ରମାନେ ଚିକିତ୍ସା ବାବଦକୁ ଖର୍ଚ୍ଚ ଉପରେ ୬୦ ଶତାଂଶ ପର୍ଯ୍ୟନ୍ତ ସଞ୍ଚୟ କରି ପାରିବେ । ଯଦିଓ ତାଇୱାନ ସ୍ବଳ୍ପ ଜନସଂଖ୍ୟା ହେତୁ କରୋନା ମହାମାରୀକୁ ନିୟନ୍ତ୍ରଣ କରି ପାରିଛି କିନ୍ତୁ ଏହାର ସ୍ୱାସ୍ଥ୍ୟସେବା ପ୍ରଣାଳୀକୁ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି। ୧୯୯୫ ମସିହାରେ ପ୍ରତି ଦଶ ଜଣଙ୍କ ମଧ୍ୟରୁ ଛ’ ଜଣଙ୍କ ପାଖରେ ସ୍ୱାସ୍ଥ୍ୟ ବୀମା ଯୋଜନା ରହିଥିଲା। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ତାଇୱାନ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ସେବାରେ ଉନ୍ନତି କରିଛି । ତାଇୱାନରେ ବର୍ତ୍ତମାନ ମୋଟ ଘରୋଇ ଉତ୍ପାଦର ୬ ଶତାଂଶ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟୟ ହେଉଛି। ତାଇୱାନରେ ସମସ୍ତ ନାଗରିକଙ୍କୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଯେଉଁମାନେ ବାହ୍ୟ ​ରୋଗୀ ସେମାନେ ମଧ୍ୟ ଉପକୃତ ହେଉଛନ୍ତି। ପ୍ରତ୍ୟେକ ଚିକିତ୍ସା ପାଇଁ ଘରୋଇ ଚିକିତ୍ସକମାନେ କେତେ ଅର୍ଥ ଆଦାୟ କରି ପାରିବେ ତାହା ସରକାର ନିର୍ଦ୍ଧାରଣ କରିଛନ୍ତି। ସେହିପରି ସମସ୍ତ ପ୍ରକାର ପରାମର୍ଶ ଔଷଧ, ଡାକ୍ତରୀ ଉପକରଣ ଓ ପରୀକ୍ଷା ପାଇଁ ସରକାର ସମସ୍ତ ପ୍ରକାର ଦେୟ ନିର୍ଦ୍ଧାରିତ କରିଛନ୍ତି। ଭାରତରେ ଏହି ପ୍ରଣାଳୀକୁ ଲାଗୁ କରିବାକୁ ହେଲେ ବିଶେଷ ଭାବରେ କିଛି ଅନ୍ତରାୟ ସୃଷ୍ଟି ହେବ ନାହିଁ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବୈପ୍ଳବିକ ପଦ​‌କ୍ଷେପ ନେବାର ସମୟ ଉପନୀତ।

Comments are closed.