ପରିବର୍ତ୍ତିତ ଟିକାକରଣ ନୀତି: ଲୋକମତର ବିଜୟ

ରାମଚନ୍ଦ୍ର ପଣ୍ଡା

କରୋନାର ଦ୍ୱିତୀୟ ତରଙ୍ଗ ଉପଦ୍ରବ ଘଟାଇ ନାଗରିକଙ୍କୁ ଉଦାସ କରିଥିବା ବେଳେ ଅମ୍ଳଜାନ ଓ ଔଷଧ ଅଭାବ ଯୋଗୁଁ ଦେଶରେ ବହୁ ଲୋକଙ୍କ ପ୍ରାଣହାନି ସମସ୍ତଙ୍କୁ ଚିନ୍ତିତ କରିଥିଲା। ଏଭଳି ମୁହୂର୍ତ୍ତରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ହସ୍ତକ୍ଷେପ କରି ମହାମାରୀର ମୁକାବିଲା ଦିଗରେ ବିଧିବଦ୍ଧ ଯୋଜନା ଉପସ୍ଥାପନ କରିବାକୁ କେନ୍ଦ୍ର ସରକାରଙ୍କୁ ଦେଇଥିବା ନିର୍ଦ୍ଦେଶ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଟିକାକରଣ ନୀତିରେ ପରିବର୍ତ୍ତନ କରିଥିବା ଜଣାଯାଉଛି। ୪୫ ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କ ପାଇଁ ମାଗଣା ଟିକା ଓ ୧୮-୪୪ ବର୍ଷ ବର୍ଗ ପାଇଁ ଅଲଗା ନୀତିକୁ ସର୍ବୋଚ୍ଚ ନ୍ୟାୟାଳୟ ନାପସନ୍ଦ କରିବା ସାଙ୍ଗକୁ ଟିକାର ମୂଲ୍ୟ ନିର୍ଦ୍ଧାରଣ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ପାଇଁ ଅଲଗା ମାପଦଣ୍ଡ ସମ୍ବିଧାନରେ ପ୍ରଦତ୍ତ ସମାନତା ଅଧିକାରର ପରିପନ୍ଥୀ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଟିପ୍ପଣୀ ପ୍ରକାଶ ପାଇଥିଲା। କାରଣ ଯାହା ହେଉନା କାହିଁକି ଟିକାନୀତିର ପରିବର୍ତ୍ତନ ଜନସାଧାରଣଙ୍କୁ ଆଶ୍ୱସ୍ତି ଦେଇଛି। ସରକାରଙ୍କୁ ଭଲ ଲାଗୁ ବା ନ ଲାଗୁ ଆମ ସମ୍ବିଧାନ ସର୍ବୋଚ୍ଚ ଅଦାଲତକୁ ସରକାରୀ ନୀତିକୁ ସମୀକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅର୍ପଣ କରିଛି।

ସମ୍ବିଧାନ ସଭାରେ ଡ. ଆମ୍ବେଦକରଙ୍କ ଏକ ଉକ୍ତି ଏଠାରେ ପ୍ରାସଙ୍ଗିକ ହେବ। ସମ୍ବିଧାନର ଆଭିମୁଖ୍ୟ ଉପରେ ୧୩ ଡିସେମ୍ବର ୧୯୪୮ରେ ସମ୍ବିଧାନ ପ୍ରଣୟନ ସଭାରେ ସେ ଯାହା କହିଥିଲେ ତା’ର ମର୍ମ ହେଲା “ଏକ ସଂଘୀୟ ସଂବିଧାନରେ ସଂସଦ ଦ୍ୱାରା ଗୃହୀତ କେନ୍ଦ୍ର ସରକାରଙ୍କ ଆଇନ ହେଉ କିମ୍ବା ବିଧାନସଭା ଦ୍ୱାରା ନିର୍ମିତ ରାଜ୍ୟର ଆଇନ, ଉଭୟର ପ୍ରଣୟନ ଦିଗରେ ସଂପୃକ୍ତ ସଂସଦର କ୍ଷମତା ପରିସର ସାଙ୍ଗକୁ ଆଇନର ଗୁଣବତ୍ତା (ଭଲ/ମନ୍ଦ) ନିର୍ଣ୍ଣୟ କରିବାର ଅଧିକାର ବିଚାରାଳୟର ରହିଛି।”

ଟିକାକରଣ କ୍ଷେତ୍ରରେ ସାଂପ୍ରତିକ ଅସ୍ଥିରତାକୁ ନେଇ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକାର ଉତ୍ପାଦନ ଓ ବଣ୍ଟନ କ୍ଷେତ୍ରରେ କେନ୍ଦ୍ର ଦାୟିତ୍ୱ ନେବା ଓ ଜନସଂଖ୍ୟା ଭିତ୍ତିରେ ଟିକା ବଣ୍ଟନ କରିବା ପାଇଁ ଦେଇଥିବା ପ୍ରସ୍ତାବକୁ ବହୁ ରାଜ୍ୟ ସମର୍ଥନ କରିଥିଲେ। ଏହି ପ୍ରସ୍ତାବର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଟି ହେଲା ଯେ ଦେଶର ସମସ୍ତ ଅଞ୍ଚଳରେ ଏକକାଳୀନ ଓ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ନ ହେଲେ କୌଣସି ରାଜ୍ୟ ସୁରକ୍ଷିତ ରହିପାରିବ ନାହିଁ। ଉଲ୍ଲେଖଯୋଗ୍ୟ ଯେ ଦେଶରେ ହାରାହାରି ମାସିକ ୯ କୋଟି ଟିକା ଉତ୍ପାଦନ ହେଉଥିବା ବେଳେ ୧୦୦ କୋଟି ଲୋକଙ୍କ ପାଇଁ ୨୦୦ କୋଟି ପାନ ଶୀଘ୍ର ମିଳିବା ନେଇ ପ୍ରଶ୍ନ ଉଠିଥିଲା। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ଭାଗ ନାଗରିକ ଗୋଟିଏ କିମ୍ବା ୨ ଟି ଡୋଜ ଟିକା ନେଇଥାଇ ପାରନ୍ତି। ଏ ପରିପ୍ରେକ୍ଷୀରେ ଟିକାର ଉତ୍ପାଦନ, ବିକେନ୍ଦ୍ରୀକରଣ କରାଯିବାର ଆବଶ୍ୟକତାକୁ ଉପଲବ୍ଧି କରି କେନ୍ଦ୍ର ସରକାର ସଂପୃକ୍ତ ଭେଷଜ କମ୍ପାନୀଗୁଡିକୁ ଦାୟିତ୍ୱ ବଣ୍ଟନ ଦିଗରେ ତତ୍ପରତା ପ୍ରକାଶ କରିଛନ୍ତି। ସୁଖର କଥା ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ନୁଆ ଟିକାକରଣ ନୀତିରେ କେନ୍ଦ୍ର ସରକାର ଟିକାର ଆମଦାନୀର ସଂପୂର୍ଣ୍ଣ ଦାୟିତ୍ୱ ନେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ କେନ୍ଦ୍ର ୭୫ ଭାଗ ଟିକା ରାଜ୍ୟକୁ ଯୋଗାଇବ ଓ ଅବଶିଷ୍ଟ ୨୫ ଭାଗ ଘରୋଇ ଡାକ୍ତରଖାନା କିଣିବେ। ଏହା ଏକ ଉତ୍ତମ ନିଷ୍ପତ୍ତି। ସାମ୍ବିଧାନିକ ବ୍ୟବସ୍ଥାରେ ନିଜନିଜ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ୱୟଂସମ୍ପନ୍ନ ସାଙ୍ଗକୁ ଶାସନ ଓ ବିଧି ପ୍ରଣୟନ କ୍ଷେତ୍ରରେ ଉଭୟ ସାର୍ବଭୌମିକ ଅଧିକାର ରହିଛି ଯାହା ପରସ୍ପର ପରିପୂରକ। ଭିନ୍ନ ମତ ଓ ବିକଳ୍ପ ପ୍ରସ୍ତାବକୁ ବିଚାର କରିବା ଗଣତନ୍ତ୍ରର ଏକ ମୂଳ ଆଧାର ଯାହାକୁ ବିଳମ୍ବରେ ହେଲେ ମଧ୍ୟ କେନ୍ଦ୍ର ସରକାର ପାଳନ କରିଛନ୍ତି। ଲୋକମତ ଅନୁଯାୟୀ ନୀତି ପରିବର୍ତ୍ତନ ବିଫଳତା ନୁହେଁ ବରଂ ମହନୀୟତାକୁ ପ୍ରକାଶ କରେ। ଏଠି ଉଲ୍ଲେଖଯୋଗ୍ୟ ଯେ ମୋରାରଜୀ ଦେଶାଇ ଜନତା ପାର୍ଟିର ବିଭାଜନ ପରେ ରାଷ୍ଟ୍ରପତିଙ୍କୁ ପ୍ରଦତ୍ତ ସମର୍ଥକ ତାଲିକାରେ ଗୋଟିଏ ଭୁଲ ନାମ ପ୍ରଦାନକୁ କେନ୍ଦ୍ରକରି ଭୁଲ ସ୍ୱୀକାର କରିଥିଲେ ଓ ରାଜନୀତିରୁ ସନ୍ନ୍ୟାସ ନେବା ପାଇଁ ଘୋଷଣା କରିଥିଲେ, ଯଦିଚ ଏଭଳି ଭୁଲ ଟାଇପ୍‌ଗତ ବୋଲି ଜଣାପଡିଥିଲା। ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କେତେକ କ୍ଷେତ୍ରରେ ନିଜ ଦଳୀୟ ସରକାରର ଭୁଲ ମାର୍ଗକୁ ଖୋଲାଖୋଲି ନାପସନ୍ଦ କରିଥିବା କଥା ସମସ୍ତେ ଜାଣନ୍ତି। ଭିନ୍ନ ମତର ବିଚାର ଓ ତ୍ରୁଟି ସଂଶୋଧନ ସହୃଦୟତାକୁ ପ୍ରକାଶ କରିଥାଏ। ବୃହତ୍ତର ଗଣତାନ୍ତ୍ରିକ ପରମ୍ପରା ଓ ସଂଘୀୟ ବ୍ୟବସ୍ଥାର ସଫଳ ରୂପାୟଣ ପାଇଁ ରାଜନେତାମାନେ ଦଳୀୟ ମନୋଭାବରୁ ଊର୍ଦ୍ଧ୍ବରେ ରହି କାର୍ଯ୍ୟ କରିବା ବାଞ୍ଛନୀୟ।

ମହାମାରୀର ପ୍ରଥମ ଲହରିର ବିଭୀଷିକା ଟିକିଏ କମିବା ଆରମ୍ଭ ଦେଖି ବିଗତ ଡିସେମ୍ବର-ଫେବୃୟାରୀ ମଧ୍ୟରେ ଦେଶର ସରକାର ଓ ନାଗରିକ ଯେଭଳି ଶିଥିଳତା ପ୍ରଦର୍ଶନ କଲେ, ପରିଣାମରେ ଦ୍ୱିତୀୟ ଲହରି ଘାତକ ହେବାର ବାଟ ଖୋଲିଗଲା। ଆମେ ଅନ୍ୟ ଦେଶଠାରୁ ଭଲରେ ଥିଲୁ ବୋଲି ବାଃ ବାଃ କଲୁ ଓ ଆମ ଦେଶ ବିଶ୍ୱର ‘ଟିକା ରାଜଧାନୀ’ ବୋଲି ଘୋଷଣା କଲୁ। ବିଗତ ମାସରେ ଟିକା ଓ ଅମ୍ଳଜାନର ଘୋର ଅଭାବ ଓ ଶହଶହ ନାଗରିକଙ୍କ ମୃତ୍ୟୁ ଆମର ବାହାଦୁରିକୁ ଫମ୍ଫା କରିଦେଲା। ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁରେ ନିର୍ବାଚନ ପାଇଁ ଯେଉଁ ସବୁ ବଡବଡ ଜନ ସମାବେଶ ତାହା ରୋଗର ଦୃଢ ସଂକ୍ରମଣକୁ ପ୍ରସାରିତ କରିଦେଲା। ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଭଳି ଅନ୍ୟ ରାଜ୍ୟରେ ଜାତୀୟ ନେତାମାନେ ଆଭାସି ଶୋଭାଯାତ୍ରାରେ ପ୍ରଚାର କରିଥିଲେ ପରିସ୍ଥିତି ଏଭଳି ଭୟାବହ ହୋଇନଥାନ୍ତା ବୋଲି ବହୁ ବିଦ୍ୱାନ ମତ ଦେଇଛନ୍ତି। ଲଗାମଛଡା ପ୍ରଚାର କ୍ଷେତ୍ରରେ ନିର୍ବାଚନ କମିଶନଙ୍କ ଖାମଖିଆଲି ଆଚରଣ ପାଇଁ ମାଡ୍ରାସ ଉଚ୍ଚ ନ୍ୟାୟାଳୟ କଡ଼ା ମନ୍ତବ୍ୟ ଦେଇ ନିର୍ବାଚନ ଅଧିକାରୀଙ୍କୁ ଭର୍ତ୍ସନା କରିଥିଲେ।

ଅନାଥ ଶିଶୁଙ୍କ ସମସ୍ୟା: କୋଭିଡ ମହାମାରୀରେ ଉଭୟ କିମ୍ବା ପିତା ଅଥବା ମାତା ହରାଇ ଅନାଥ ହୋଇଥିବା ଶିଶୁମାନଙ୍କ ତାଲିକା ସଂଗ୍ରହ କରିବା ଉପରେ ସର୍ବୋଚ୍ଚ ନ୍ୟାୟଳୟଙ୍କ ନି​‌େ​‌ର୍ଦଶ ଉଲ୍ଲେଖ ଯୋଗ୍ୟ। କେତେକ ସ୍ଥାନରେ ପିତା-ମାତାଙ୍କୁ ହରାଇଥିବା କେତେକ ଅନାଥ ଶିଶୁ ପିତା-ମାତାଙ୍କୁ ଝୁରି ଭଲଭାବେ ଖାଦ୍ୟ ଗ୍ରହଣ କରୁନଥିବାର ହୃଦୟ ବିଦାରକ ସଂବାଦ ପ୍ରକାଶ ପାଇଛି। ଯେଉଁ ଅନାଥ ଶିଶୁଙ୍କ ନିର୍ଭରଶୀଳ ଆତ୍ମୀୟ ନାହାନ୍ତି କିମ୍ବା ପ୍ରବାସୀ ଶ୍ରମିକଙ୍କ କ୍ଷେତ୍ରରେ ଯେଉଁମାନେ ପିତା-ମାତା ହରାଇଛନ୍ତି ଏଭଳି କୋମଳମତି ଶିଶୁ କୌଣସି ଯୋଜନାର ଲାଭ ଉଠାଇବା ପାଇଁ ଦାବି କରିବା ସମ୍ଭବ ନୁହେଁ। ତେଣୁ ସେମାନଙ୍କ ଅସଲ ମୁରବି କେବଳ ସରକାର ଯିଏ କି ପ୍ରଶାସକଙ୍କ ଜରିଆରେ ଏଭଳି ଦାୟିତ୍ୱ ସମ୍ଭାଳି ପାରିବେ। ସୁଦୂର ଗ୍ରାମାଞ୍ଚଳରେ ଦୁର୍ବଳ ଡିଜିଟାଲ ବ୍ୟବସ୍ଥା ସାଙ୍ଗକୁ କେତେକ ଅଞ୍ଚଳରେ ମୃତ୍ୟୁ ପ୍ରମାଣପତ୍ରରେ କୋଭିଡ ଜନିତ ମୃତ୍ୟୁ ଦର୍ଶାନଯିବା ପରିପ୍ରେକ୍ଷୀରେ ନାଗରିକ, ଗ୍ରାମପଞ୍ଚାୟତ, ଅଙ୍ଗନବାଡି, ଆଶା କର୍ମୀ, ସ୍ବେଚ୍ଛାସେବୀ ସଂଗଠନ, ସ୍ୱୟଂ ସେବକ ଗୋଷ୍ଠୀଗୁଡିକର ସହଯୋଗରେ ଏଭଳି ଅନାଥ ଶିଶୁଙ୍କୁ ଚିହ୍ନଟ କରିବା ଓ ତାଲିକା ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଅଛି। ପ୍ରତ୍ୟେକ ଶିଶୁ ଈଶ୍ୱରଙ୍କ ପ୍ରତିବିମ୍ବ। ୮ ବର୍ଷରୁ କମ ଶିଶୁମାନଙ୍କ ପାଇଁ ଉଦ୍ୟାନ ସ୍କୁଲ ଓ ଶିଶୁ ଖେଳନା ବ୍ୟବସ୍ଥା କରି ସେମାନଙ୍କ ମାନସିକ ଆଘାତକୁ ଉପଶମ ଦେଲାଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବା ଉଚିତ। ପିତାମାତା ଅଭାବ ଜନିତ ଯନ୍ତ୍ରଣାରୁ ମୁକ୍ତି ପାଇଁ ଅନାଥ ଶିଶୁମାନଙ୍କୁ ସେବା ଶୁଶ୍ରୂଷା ଦିଗରେ ‘ପ୍ରଧାନ ମନ୍ତ୍ରୀ କେୟାର’ ପାଣ୍ଠି ସାହାଯ୍ୟରେ ୮ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ପାଇଁ ଗୋଟିଏ ଓ ତଦୂର୍ଦ୍ଧ୍ବ ବୟସ୍କ ଶିଶୁଙ୍କ ପାଇଁ ଅନ୍ୟ ସ୍ୱତନ୍ତ୍ର ବାଳାଶ୍ରମ ପ୍ରତିଷ୍ଠା କରାଯାଇ ତାଲିମ ପ୍ରାପ୍ତ ସେବିକାଙ୍କ ତତ୍ତ୍ୱାବଧାନରେ ସେମାନଙ୍କ ଲାଳନପାଳନ କରାଯିବା ନେଇ ବିଚାର କରାଯାଉ। ସଂପୃକ୍ତ ଅଞ୍ଚଳର ଜିଲାପାଳ ଓ ଶିଶୁ ମଙ୍ଗଳ ସଂସ୍ଥାଙ୍କ ତତ୍ତ୍ୱାବଧାନରେ ଏଭଳି ବାଳାଶ୍ରମଗୁଡିକର ପରିଚାଳନା ହୋଇପାରେ। ସମ୍ବିଧାନର ୨୧ ଧାରା ଅନୁଯାୟୀ ଚିକିତ୍ସା, ଖାଦ୍ୟ ଓ ବଞ୍ଚିବାର ଅଧିକାର ନାଗରିକର ମୌଳିକ ଅଧିକାର। ତେଣୁ ଏହି ଦାରୁଣ ଅନାଥ ସମସ୍ୟାର ମୁକାବିଲା ପାଇଁ ଏକ ସର୍ବଭାରତୀୟ ଆନୁଷ୍ଠାନିକ ଭିତ୍ତିଭୂମି ସୃଷ୍ଟି କରିବାର ବିଚାର କରାଯାଇ ପାରେ।

ମହାମାରୀରୁ ଶିକ୍ଷା: ମହାମାରୀରୁ ବିଶ୍ବକୁ ବହୁତ କିଛି ଶିଖିବାକୁ ପଡିବ। ଗ୍ରାମାଞ୍ଚଳରେ ଦୁର୍ବଳ ଡିଜିଟାଲ ବ୍ୟବସ୍ଥା ଏବଂ ବହୁ ନାଗରିକଙ୍କ ପାଖରେ ସ୍ମାର୍ଟଫୋନର ଅଭାବ ଏକ ବାସ୍ତବିକତା ହୋଇଥିବା ବେଳେ, ଡିଜିଟାଲ ରେଜିଷ୍ଟ୍ରେସନ କ୍ଷେତ୍ରରେ ଗ୍ରାମାଞ୍ଚଳର ଜନସାଧାରଣ ହଇରାଣ ହରକତ ହେବାର ଆଶଙ୍କା ରହିଥିଲା। ଏ ପରିପ୍ରେକ୍ଷୀରେ ନୂଆ ନୀତି ଏଭଳି ଆଶଙ୍କାକୁ ଦୂର କରିବ। ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବା ଯୋଗାଇବା କ୍ଷେତ୍ରରେ ସମଗ୍ର ଦେଶରେ ଭିତ୍ତିଭୂମି ଅଭାବ ଅନୁଭୂତ ହେଲା। ବର୍ତ୍ତମାନର ଜାତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଗରିବ ଓ ଧନୀ ମଧ୍ୟରେ ଭେଦଭାବ ବଢାଇଛି। ସମଗ୍ର ରାଷ୍ଟ୍ର ପାଇଁ ଗୋଟିଏ ସ୍ୱାସ୍ଥ୍ୟ ବୀମା ପ୍ରଚଳନ କ୍ଷେତ୍ରରେ ବିଫଳତା ଆଜିର ପରିସ୍ଥିତି ପାଇଁ ଦାୟୀ। ପ୍ରତି ବ୍ଲକରେ ଏକଶତ ଶଯ୍ୟା ବିଶିଷ୍ଟ ହସପିଟାଲ ଖୋଲିବା ଦିଗରେ ‘ପି.ଏମ.କେୟାର୍‌’ ଅଧୀନରେ ଯୋଜନା ହେବା ଉଚିତ। ସେବାନିବୃତ୍ତ ସେନା ଓ ବେସାମରିକ ଡାକ୍ତରଙ୍କୁ ନିଜନିଜ ଅଞ୍ଚଳରେ ପ୍ରତିଷ୍ଠିତ ହସପିଟାଲର ପରିଚାଳନା ପାଇଁ ନିଯୁକ୍ତ କରାଯାଇପାରେ। ମହାମାରୀ ଭଳି ଦାରୁଣ ବିପତ୍ତି ବେଳେ ପ୍ରଶାସନକୁ ବିକେନ୍ଦ୍ରୀକରଣ କରାଯାଇ, ବ୍ଳକ ସ୍ତରରେ ଏହାର ପ୍ରତିକାର ପାଇଁ ବିଶେଷଜ୍ଞ, ଅବସରପ୍ରାପ୍ତ ଡାକ୍ତରମାନଙ୍କ ନିଯୁକ୍ତି, ପରିମଳ, ପରିଚ୍ଛନ୍ନତା ଓ ସାମାଜିକ ଦୂରତା ଉପରେ ନିରନ୍ତର ଦୃଷ୍ଟି ଦେବାର ଆବଶ୍ୟକତା ରହିଅଛି। କରୋନାର ମୁକାବିଲା କ୍ଷେତ୍ରରେ ଚିକିତ୍ସକ ଓ ସ୍ବାସ୍ଥ୍ୟ କର୍ମୀମାନଙ୍କର ଅତୁଳନୀୟ ଅବଦାନକୁ ଭୁଲି ହେବନାହିଁ।

ଏବେ ମଧ୍ୟ ୧୨୩ ବର୍ଷର ମହାମାରୀ ଆଇନ କରୋନା ମହାମାରୀ ଭଳି ପରିସ୍ଥିତିକୁ ନିୟନ୍ତ୍ରଣ କରୁଛି। ଏହି ଆଇନର ବିଭିନ୍ନ ଅପପ୍ରୟୋଗ ଓ ସଂକୀର୍ଣ୍ଣତା ବିରୁଦ୍ଧରେ ଜନଜାଗରଣ କରି ମହାନ ସ୍ୱାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଲକ ଗିରଫ ହୋଇଥିଲେ। ଏକ ଗଣତାନ୍ତ୍ରିକ ଓ ସଂଘୀୟ ବ୍ୟବସ୍ଥାକୁ ଉପଯୁକ୍ତ ହେଲାଭଳି ଆଇନରେ ସଂଶୋଧନ ହେବା ଜରୁରୀ। ମହାମାରୀ ଜନିତ ଅନାଥ ଶିଶୁଙ୍କ ଯତ୍ନ ଓ ସୁରକ୍ଷା, ଏକ ସାର୍ବଜନୀନ ସ୍ୱାସ୍ଥ୍ୟବୀମା ଓ ସମାନତା ଭିତ୍ତିକ ସ୍ୱାସ୍ଥ୍ୟ ସେବା ଭଳି ସମସ୍ୟାଗୁଡିକର ତ୍ୱରିତ ସମାଧାନ ମହାମାରୀ ଆଇନ ବ୍ୟବସ୍ଥାରେ ରହିବା ଉଚିତ। ଆମେ ଏକ ଗଣତନ୍ତ୍ରରେ ଅଛୁ, ରାଜତନ୍ତ୍ରରେ ନୁହେଁ। ନାଗରିକଙ୍କ କହିବା ସାମ୍ବିଧାନିକ ଅଧିକାର ରହିଛି। କରୋନା ମୁକାବିଲା କ୍ଷେତ୍ରରେ ସମାଲୋଚନାକୁ ସ୍ୱାଗତ କରାଯିବା ଉଚିତ। ଏହାଦ୍ୱାରା ବ୍ୟବସ୍ଥା ଅଧିକ ଶୃଙ୍ଖଳିତ ଓ ପ୍ରଭାବୀ ହୋଇପାରିବ। ଉତ୍ତରପ୍ରଦେଶରେ ଜଣେ ଯୁବକ ଶଶାଙ୍କ ଯାଦବ ଟ୍ୱିଟ ମାଧ୍ୟମରେ ନିଜ ଜେଜେ ବାପାଙ୍କ ଚିକିତ୍ସା ପାଇଁ ଅମ୍ଳଜାନ ସିଲିଣ୍ଡର ମାଗିବା ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା। ଏହାକୁ ମହାମାରୀ ଆଇନର ସଂପୂର୍ଣ୍ଣ ଅପପ୍ରୟୋଗ କୁହାଯାଇପାରେ। ଏଭଳି ଘଟଣାରେ ଉଦ୍‌ବେଗ ପ୍ରକାଶ କରି ସର୍ବୋଚ୍ଚ ନ୍ୟାୟାଳୟ ୩୦ ଏପ୍ରିଲ, ୨୦୨୧ ରେ ଏଭଳି ଟ୍ୱିଟ ବିରୁଦ୍ଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଅଦାଲତର ଅପମାନରୂପେ ଧରାଯିବ ବୋଲି ନି​‌େ​‌ର୍ଦଶ ଜାରିକରିଛନ୍ତି। ସ୍ୱାଧୀନ ମତ ପ୍ରକାଶ କ୍ଷେତ୍ରରେ ଏଭଳି କଟକଣାକୁ ନାପସନ୍ଦ କରି ସାମ୍ବାଦିକ ବିନୋଦ ଦୁଆଙ୍କ ବିରୁଦ୍ଧରେ ରାଜଦ୍ରୋହ ମାମଲାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ରଦ୍ଦ କରିଦେବା ଉ​‌େ​‌ଲ୍ଲଖନୀୟ ଘଟଣା। ଅଦାଲତଙ୍କ ଏହି ଆଦେଶ ସାମ୍ବାଦିକଙ୍କୁ ଅଭିମତ ପ୍ରକାଶ କ୍ଷେତ୍ରରେ ଶକ୍ତି ଯୋଗାଇବ।

ପରିବେଶର ଉନ୍ନତି: ମହାମାରୀ ଭଳି ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ପ୍ରତିକାର ପାଇଁ ଜଳ ସଞ୍ଚୟ ଓ ଜଙ୍ଗଲ ସୃଷ୍ଟି ଉପରେ କେନ୍ଦ୍ରୀଭୂତ ଦୃଷ୍ଟି ଦେବାକୁ ପଡିବ। ପରିବେଶରେ ଦ୍ରୁତ ଅବନତି ଓ ବିଶ୍ୱବ୍ୟାପୀ ନର ବିଧ୍ୱଂସୀ ମାରଣାସ୍ତ୍ର ନିର୍ମାଣ ପାଇଁ ପ୍ରତିଯୋଗିତା, ମହାମାରୀକୁ ପୁନଃ ପୁନଃ ପ୍ରକାଶ ପାଇଁ ସୁଯୋଗ ଦେଇପାରେ। ଭବିଷ୍ୟତରେ ସୁରକ୍ଷା ଦୃଷ୍ଟିରୁ ବୃକ୍ଷ, ଜଳ ଓ ବାୟୁର ସୁରକ୍ଷା ପାଇଁ ଦୀର୍ଘସ୍ଥାୟୀ ପ୍ରତିକାର କରାନଗଲେ ଆଉ ନିସ୍ତାର ନାହିଁ।

Comments are closed.