ବାତ୍ୟାର ସ୍ଥାୟୀ ପ୍ରତିକାର: ଯୋଜନା ପ୍ରସ୍ତୁତି

ପଞ୍ଚାନନ କାନୁନ୍‌ଗୋ

ବାତ୍ୟା ୟସ ପରେ ରାଜ୍ୟ ସରକାର ବାତ୍ୟାର ସ୍ଥାୟୀ ପ୍ରତିକାର ପ୍ରସ୍ତାବ କେନ୍ଦ୍ରକୁ ଦେଇଛନ୍ତି। ପ୍ରସ୍ତାବଟି ଅତ୍ୟନ୍ତ ସ୍ପଷ୍ଟ ଯେ ରାଜ୍ୟ ସରକାର ସାମୟିକ ସହାୟତା ନ ଚାହିଁ ବାତ୍ୟା ମୁକାବିଲାର ସ୍ଥାୟୀ ପ୍ରତିକାର ନିମନ୍ତେ ଏକ ଦୀର୍ଘସୂତ୍ରୀ ‘ପ୍ୟାକେଜ୍‍’ ଚାହିଁଛନ୍ତି। ଗତ ୨୦ ବର୍ଷ ଭିତରେ ଅନ୍ୟୂନ ସାତଟି ସାମୁଦ୍ରିକ ଝଡ଼ ଓଡ଼ିଶାର କ୍ଷତି ଘଟାଇଛି। ସଂପ୍ରତି ଘଟୁଥିବା ବାତ୍ୟାଗୁଡ଼ିକର ଜୀବନ ହାନିର ମାତ୍ରା କମ୍‍ ଥିଲେ ମଧ୍ୟ ଧନହାନି ଘଟିଚାଲିଛି। ରାଜ୍ୟ ସରକାରଙ୍କ ଏହା ବିଳମ୍ବିତ ପ୍ରସ୍ତାବ ହେଲେ ମଧ୍ୟ ଅତ୍ୟନ୍ତ ସ୍ୱାଗତଯୋଗ୍ୟ।

ଏକଥା ମୂଳରୁ ସ୍ପଷ୍ଟ ହୋଇଯିବା ଉଚିତ ଯେ ବାତ୍ୟା ବା ସାମୁଦ୍ରିକ ଝଡ଼ ବିଶ୍ୱରେ ବୃଦ୍ଧି ପାଉଥିବା ଜଳବାୟୁ ପରିବର୍ତ୍ତନ ହେତୁ ବାରମ୍ବାର ଘଟୁଛି। ଏ ହେତୁରୁ ସମୁଦ୍ର ପତ୍ତନ ବିଗତ ବର୍ଷଗୁଡ଼ିକରେ ବୃଦ୍ଧି ପାଉଛି। ସେ ହିସାବ ଯାହା ହେଉନା କାହିଁକି ଆମ ବିଜ୍ଞାନ ଏ ପର୍ଯ୍ୟନ୍ତ ଏତେ ମଜଭୁତ୍‍ ନୁହେଁ ଯେ ସଂଗଠିତ ବାତ୍ୟା ବା ସାମୁଦ୍ରିକ ଝଡ଼କୁ ସଂପୂର୍ଣ୍ଣ ରୋକିଦେଇ ହେବ; କିନ୍ତୁ ଏହାର ପ୍ରକୋପରୁ ଜନସମୂହ ଓ ଜୀବଜଗତକୁ ସୁରକ୍ଷା ଦେଇହେବ। ଧନଜୀବନ ନଷ୍ଟର ପରିମାଣ କମାଇ ଦେଇହେବ। ଏହାକୁ ନେଇ ବେଶି ଆକ୍ରାନ୍ତ ଓ ଭୟଭୀତ ମଣିଷ, ବିପୁଳ କ୍ଷୟକ୍ଷତି ହେତୁ ଦୟନୀୟ ଆର୍ଥିକ ସ୍ଥିତିର ମୁକାବିଲା କରିଚାଲିଛି।

ବାତ୍ୟାରେ ଅଳ୍ପେ ବହୁତେ ପାଞ୍ଚଟି ମୁଖ୍ୟ କ୍ଷତି ହୋଇଥାଏ। ପ୍ରଥମତଃ ଜୀବନହାନି ଘଟିଥାଏ। ମଣିଷ ସମେତ ଗୃହପାଳିତ ଜୀବ, ପଶୁପକ୍ଷୀ ଯଥା- ଗୋରୁ, ମଇଁଷି, ମେଣ୍ଢା, ଛେଳି, କୁକୁଡା ଆଦି ଜୀବିକା ଅର୍ଜନ ପାଇଁ ରଖିଥିବା ଜୀବଜନ୍ତୁଙ୍କର ମଧ୍ୟ ଜୀବନହାନି ଘଟିଥାଏ। ଏଥିସହିତ ଜଙ୍ଗଲରେ ଆଶ୍ରା ନେଇଥିବା ଜୀବଜନ୍ତୁ ବହୁ ସଂଖ୍ୟାରେ ମୃତ୍ୟୁବରଣ କରିଥାନ୍ତି। ତା’ର ହିସାବ କେହି ରଖନ୍ତି ନାହିଁ।

ଦ୍ୱିତୀୟତଃ ଅନେକ ବାସହରା ହୁଅନ୍ତି। ତୃତୀୟତଃ ଫସଲ ହାନି; ବିଶେଷକରି ବର୍ଷ ବର୍ଷ ଧରି ସୃଷ୍ଟି ହେଉଥିବା ଅର୍ଥକରୀ ଫସଲ ପାନ ବରଜ, ଫଳବଗିଚା, ମାଛଚାଷ ଆଦି ନଷ୍ଟହୁଏ। ଏଥିସହିତ ବର୍ଷା ଯୋଡ଼ିହୋଇଥିଲେ ଫସଲ ଧୋଇଯାଏ ଓ ଅନ୍ୟାନ୍ୟ ସମ୍ପତ୍ତି ଧୋଇଯାଏ। ଚତୁର୍ଥତଃ ଅନେକ ଦରକାରୀ ଭିତ୍ତିଭୂମି ମଧ୍ୟ ନଷ୍ଟହୁଏ। ସରକାରୀ ସମ୍ପତ୍ତି ରାସ୍ତାଘାଟ ମଧ୍ୟ ନଷ୍ଟ ହୁଏ। ପଞ୍ଚମତଃ ବଡ଼ ଧରଣର କ୍ଷତି ବିଦ୍ୟୁତ୍‍ ସରବରାହ ଜନିତ କ୍ଷୟକ୍ଷତି। ବାତ୍ୟାର ପ୍ରକୋପ ତଥା ସମୁଦ୍ର ତରଙ୍ଗ ବୃଦ୍ଧି ଉପରେ କ୍ଷୟକ୍ଷତିର ପରିମାଣ ବଢ଼ିଥାଏ। ଉଦାହରଣ ସ୍ୱରୂପ ୧୯୯୯ ମସିହା ନଭେମ୍ବର ମାସରେ ମହାବାତ୍ୟାର ୨୫୦କି.ମି.ରୁ ଅଧିକ ବେଗରେ ପବନର ଗତି ଓ ୨୨ଫୁଟ୍‍ ଉଚ୍ଚ ସମୁଦ୍ର ଢ଼େଉ ହେତୁ ଯେଉଁ କ୍ଷୟକ୍ଷତି ହେଲା ପରବର୍ତ୍ତୀ ସାତଗୋଟି ସାମୁଦ୍ରିକ ଝଡ଼ ଜନିତ କ୍ଷତି ସେହି ମାତ୍ରାରେ ନୁହେଁ। ତା’ ଠାରୁ ଯଥେଷ୍ଟ କମ୍‍। ତଥାପି କ୍ଷୟକ୍ଷତି ଘଟିଛି। ସ୍ଥାୟୀ ପ୍ରତିକାର ହେଲେ, ବାରମ୍ବାର ଘଟୁଥିବା ଏହି ସମସ୍ତ କ୍ଷୟକ୍ଷତିକୁ କମାଇ ଦିଆଯାଇ ପାରିବ।

ଏ ସଂପର୍କରେ ସରକାରଙ୍କ ତରଫରୁ ରାଜ୍ୟର ୩୮୦କିଲୋମିଟର ବ୍ୟାପୀ ସମୁଦ୍ର ତଟରେ ପଥର ବନ୍ଧର ନିର୍ମାଣ ପ୍ରସ୍ତାବ ରହିଥିବା କଥା ଦୃଷ୍ଟିକୁ ଆସିଛି। ଏହାର ସଂପୂର୍ଣ୍ଣ ପ୍ରକଳ୍ପ ପ୍ରସ୍ତୁତି (ଡି.ପି.ଆର୍‍) ରାଜ୍ୟ ଜଳସଂପଦ ବିଭାଗ କରିବ ବୋଲି ମଧ୍ୟ ଜାଣିବାକୁ ମିଳିଛି। ଏହା ହିଁ ସବୁଠାରୁ ବଡ଼ ଚିନ୍ତାର କାରଣ। ଏହା ଅବାସ୍ତବ ମନେହୁଏ ଓ ପ୍ରଶ୍ନ ଆସେ ଯେ ପଥର ବାତ୍ୟା ପବନ ରୋକିବାରେ ସକ୍ଷମ କି ବା ସମୁଦ୍ର ପାଣି ମାଡ଼ିଆସିଲେ ରୋକି ପାରିବ କି ? ଏହା ଆଶା ଓ ଆଶଙ୍କା ସୃଷ୍ଟି କରୁଛି। ବାତ୍ୟା ଭୁକ୍ତଭୋଗୀ ଅଞ୍ଚଳର କିଛି ବ୍ୟକ୍ତିବିଶେଷ, ପରିବେଶ ବିଜ୍ଞାନୀ, ଅର୍ଥଶାସ୍ତ୍ରୀଙ୍କ ସହଯୋଗ ନେଇ ଖସଡ଼ା (ଡି.ପି.ଆର୍‍) ପ୍ରସ୍ତୁତ ହେଉ। ଲେଖକ ଏକ ପ୍ରତ୍ୟକ୍ଷ ଅନୁଭୂତି ରଖିବା ଯୁକ୍ତିଯୁକ୍ତ ମନେ କରନ୍ତି। କେନ୍ଦୁଝର ସହର ନିକଟବର୍ତ୍ତୀ ଗୋଟିଏ ପାହାଡ଼ିଆ ନଦୀ ଉପରେ ଜଣେ ଚାଷୀ କିରଣ ସାହୁ ଗୋଟିଏ ଚେକ୍‍ଡ୍ୟାମ୍‍ ମାତ୍ର ୧ଲକ୍ଷ ଟଙ୍କା ବ୍ୟୟରେ କରିଛନ୍ତି। ତା’ର ଜଳଧାରଣ କ୍ଷମତା ଓ ଜଳ ପରିଚାଳନା ତୁଳନାରେ ତଳ ଉପର ମୁଣ୍ଡରେ ୭/୮ଟି ଚେକ୍‍ଡ୍ୟାମ୍‍ ହୋଇଛି। ସରକାର ପ୍ରତ୍ୟେକଟି ପିଛା ୮ ରୁ ୧୦ ଲକ୍ଷ ଓ ତଦୂର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ମଧ୍ୟ ଅନୁରୂପ ଫଳ ଫଳିନାହିଁ। ଏବେ ବି ଯେ କେହି ଜ୍ଞାନୀ ପ୍ରଶାସକ ଡିଗ୍ରୀଧାରୀ ବୈଷୟିକ ଜ୍ଞାନ ସଂପନ୍ନ ବ୍ୟକ୍ତି ଦେଖିଆସି ପାରନ୍ତି। ସେ ଦୃଷ୍ଟିରୁ ବାତ୍ୟାର କ୍ଷୟକ୍ଷତି କମାଇବା ପାଇଁ ଅଭିଜ୍ଞମାନଙ୍କ ମତାମତ ମଧ୍ୟ ବିଚାର ଅନ୍ତର୍ଭୁକ୍ତ ହେବା ଦରକାର।

ପ୍ରାଚୀର ନିର୍ମାଣର ପରିକଳ୍ପନା ଜଳବାୟୁ ଓ ଭୌଗୋଳିକ ସ୍ଥିତି ନେଇ ତିଆରି ହେବା ଦରକାର। ଯେଉଁ ବୃକ୍ଷ, ଗୁଳ୍ମ ବା ବୁଦା ଶହଶହ ବର୍ଷ ଧରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ତିଷ୍ଠି ରହିଆସିଛି, ସେସବୁ ପ୍ରଥମେ ଚିହ୍ନଟ ହେବା ଦରକାର। ଲୁଣାପାଣି ଓ ମଧୁର ପାଣିରେ ବଞ୍ଚୁଥିବା ସମସ୍ତ ପ୍ରକାର ଘାସ, ଗୁଳ୍ମ, ବୃକ୍ଷ ଲତା, ବୁଦା ଗଛ, କୋଳି ଗଛ ସବୁକୁ ସମୁଦ୍ର ତଟ ସବୁଜ ପ୍ରାଚୀର ନିର୍ମାଣରେ ବ୍ୟବହାର କରାଯିବା ବିଜ୍ଞାନସମ୍ମତ।

ସମୁଦ୍ର ତଟବର୍ତ୍ତୀ ସାମୁଦ୍ରିକ ଝଡ଼ ଓ ଉତ୍ତାଳ ତରଙ୍ଗ ନିରୋଧକ ସବୁଜ ପ୍ରାଚୀରର ପ୍ରଥମ ସ୍ତର ଭାବେ ହେନ୍ତାଳ ଓ କିଆ (କେତକୀ) ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରୁ ୫୦୦ମିଟର ପର୍ଯ୍ୟନ୍ତ ବ୍ୟାପି ଚଉଡ଼ା ହେବା ଦରକାର। ଲୁଣା ଜଙ୍ଗଲ (ହେନ୍ତାଳ ଜଙ୍ଗଲ) ମୁଖ୍ୟତଃ ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଦେବୀ ଓ ବାଲେଶ୍ୱରର ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଆଦି ନଦୀ ମୁହାଣ ଅଞ୍ଚଳଗୁଡ଼ିକରେ ଦେଖା ଦେଇଥାଏ। ହେନ୍ତାଳ ଜଙ୍ଗଲ ମୁଖ୍ୟତଃ ବିଷୁବ ମଣ୍ଡଳରେ ଉଷ୍ମ ଓ ଜୁଆରୀ ନଦୀ ଉପକୂଳରେ ଦେଖାଯାଉଥିବା ବିସ୍ତୃତ ଘଞ୍ଚ ଗୁଳ୍ମ ବୁଦା ଓ ବଣୁଆ ଘାସର ମିଶାମିଶି ଆସ୍ତରଣ ସୃଷ୍ଟି କରିଥାଏ। ଦେବୀ ନଦୀର ଦକ୍ଷିଣ ଭାଗରୁ ଗୋପାଳପୁର ଋଷିକୁଲ୍ୟା ମୁହାଣ ପର୍ଯ୍ୟନ୍ତ କିଆ ଜଙ୍ଗଲ ପ୍ରବଳ ଭାବରେ ଦେଖାଯାଏ। କିଆ କେତକୀ ଉଚ୍ଚ ବାଲି ଢିପରେ ଭଲ ବଢ଼ିଥାଏ। ଆପେଆପେ ବିସ୍ତାରିତ ହୋଇଥାଏ। ଧାମରା ନଦୀ ମୁହାଣରୁ ବରୁଣେଈ ମୁହାଣ ଯାଏ ୭୨ ବର୍ଗ କିଲୋମିଟର ଭିତରକନିକାର ଅଭୟାରଣ୍ୟ ଭାବେ ରହିଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ କିଆ କେତକୀର ଜଙ୍ଗଲ ମାଇଲମାଇଲ ବ୍ୟାପି ଚଉଡ଼ାରେ ଅଛି। ଅତି କମ୍‍ରେ ୫୦୦ ମିଟରରୁ ୧ କିଲୋମିଟର ପର୍ଯ୍ୟନ୍ତ ପ୍ରସ୍ତୁତ ହେବା ଦରକାର। ସମୁଦ୍ର ଜୁଆରକୁ ରୋକିବା ଓ ପାଣିକୁ ଖେଳାଇ ଛାଡ଼ିବା କାର୍ଯ୍ୟ ଏହି କିଆ, ହେନ୍ତାଳ ଆସ୍ତରଣ କରିଥାଏ। ଆଭ୍ୟନ୍ତରୀଣ ଅଞ୍ଚଳରୁ ବୋହି ହୋଇ ଆସୁଥିବା ପଟୁମାଟି ରୋକିବାରେ ବଡ଼ ସାହାଯ୍ୟ କରିଥାଏ। ପରବର୍ତ୍ତୀ ଆସ୍ତରଣ ଝାଉଁ ଜଙ୍ଗଲ। ସମୁଦ୍ର ଜୁଆର ବା ସାମୁଦ୍ରିକ ଝଡ଼ ରୋକିବାରେ ଝାଉଁ ଜଙ୍ଗଲ ବେଶ୍‍ ଭଲ କାମ ଦେଇଥାଏ। ଟିକେ ଉଚ୍ଚ ବାଲି ଅଞ୍ଚଳରେ ଏହି ଜଙ୍ଗଲ ସୃଷ୍ଟି ହୋଇଥାଏ। କିଆ ବା ହେନ୍ତାଳ ପଛକୁ ଝାଉଁ ଜଙ୍ଗଲ ଅତି କମରେ ୫୦୦ ମିଟର ଚଉଡ଼ାର ରହିବା ଦରକାର। ଝାଉଁ ଜଙ୍ଗଲ ପବନର ପ୍ରତିରୋଧ କରିବାରେ ବେଶ୍‍ ଭଲ ସହାୟକ ହୋଇଥାଏ।

ଏହା ପଛକୁ ତୃତୀୟ ପ୍ରାଚୀର ଭାବେ ପରବର୍ତ୍ତୀ ଆସ୍ତରଣ ଲଙ୍କାଆମ୍ବ ଗଛ। ଲଙ୍କାଆମ୍ବ ଗଛର ବହଳିଆ ଜଙ୍ଗଲ ସୃଷ୍ଟିହେଲେ ପାଣି ଓ ପବନ ରୋକି ହେବ। ଏହା ଏକ ଲାଭଜନକ ଫସଲ ହେବ। ଲଙ୍କାଆମ୍ବ ଫୁଲ ଓ ଫଳ ଅନେକ ପଶୁପକ୍ଷୀଙ୍କୁ ଆକୃଷ୍ଟ କରିଥାଏ। ଏହା ଭିତରେ ଓ ପରେ କୋଳି ଜଙ୍ଗଲ ରହିବା ଦରକାର। ଅନେକ ପ୍ରଜାତିର କୋଳି ଯଥା- ବେତକୋଳି, ବଇଁଚ କୋଳି, ନରକୋଳି, କଣ୍ଟେଇକୋଳି, ଖିରିକୋଳି, ବରକୋଳି ପ୍ରାୟତଃ ଲୋପ ପାଇବାରେ ଲାଗିଛି। ଏହିସବୁ କୋଳି ଗଛ ୫୦୦ମିଟର ଚଉଡ଼ାର ଗୋଟିଏ ଆସ୍ତରଣ ରହିଲେ ଲଙ୍କାଆମ୍ବ ଗଛର ଫାଙ୍କ ମଧ୍ୟ କମିଯାଏ। ଅନ୍ୟ ଗଛ ଯଥା ଖଜୁରି, ତାଳ, ନଡ଼ିଆ ଭିତର ପଟରୁ ଅର୍ଥାତ୍‍ ଲଙ୍କାଆମ୍ବ ପରେପରେ ଲଗାଇବା ପ୍ରସ୍ତୁତ ହେଲେ ସମୁଦ୍ର ଜୁଆର ଚାରିଆଡ଼େ ଚତୁରେଇ ହୋଇ ବହିଯିବ। ପବନ ତଳ ଉପର ହୋଇ ପ୍ରକୋପ କମିବ। ପବନର ବେଗ ରୋକିବାରେ ସହାୟକ ହେବ।

ପଞ୍ଚମ ସ୍ତରରେ ଖଜୁରି ଗଛ ପ୍ରଚୁର ପରିମାଣରେ ଲଗାଯାଇ ୫୦୦ ମିଟର ଚଉଡ଼ାର ଖଜୁରି ଜଙ୍ଗଲ ତିଆରି ହେଲେ ପବନ ଓ ପାଣି ଏଠାରେ ମାଡ଼ ହେବ ଓ ପ୍ରଖରତା କମିବ। ଏହି ଗଛ ଉପକୂଳ ଅଞ୍ଚଳରେ ପୂର୍ବେ ପ୍ରଚୁରଭାବେ ଦେଖାଯାଉଥିଲା। ଆୟକାରୀ ବୃକ୍ଷଭାବେ ଦୈନନ୍ଦିନ ଜୀବିକା ନିର୍ବାହରେ ସହାୟକ ଦେଉଥିଲା। ଏବେ ତାହା କ୍ରମଶଃ ଲୋପ ପାଇବାରେ ଲାଗିଛି।

ପରବର୍ତ୍ତୀ ଅବସ୍ଥାରେ କେବଳ ଉଚ୍ଚ ତାଳଗଛର ପ୍ରାଚୀର ପ୍ରସ୍ତୁତ ହେବା ସହିତ ତା ପଛକୁ ନଡ଼ିଆ ଜଙ୍ଗଲ (ବଗିଚା) ପ୍ରସ୍ତୁତ ରହିଲେ ପବନର ଗତି ଅନେକ ଭାବରେ ରୋକି ହୋଇଯିବ। ଏହି ୭ଗୋଟି ସବୁଜ ଆସ୍ତରଣର ପ୍ରାଚୀର ନିର୍ମାଣ ପରେ ମଧୁର ପାଣି ସଂରକ୍ଷଣ ଓ ପ୍ରବାହ ନିମନ୍ତେ ଗୋଟିଏ ବଡ ଚଉଡ଼ା଼ ନାଳ ତିଆରି ହେଲେ ମଧୁର ପାଣି ପ୍ରବାହ ସହିତ ଭୂତଳ ଲୁଣାପାଣିର ଆସ୍ତରଣ ନରମ ହୋଇଥାଏ। ନାଳଟି ମଧ୍ୟ ପୂର୍ବତଟର ନଦୀ ସଂଯୋଗୀକରଣ ଜଳଧାରା ଭାବେ କାର୍ଯ୍ୟ କରିବ। ଫଳତଃ ସମୁଦ୍ର ମଧ୍ୟକୁ ବୋହି ଯାଉଥିବା ପ୍ରାୟ ୫୨% ନଦୀ ଜଳକୁ ଉପକୂଳବର୍ତ୍ତୀ ଅଞ୍ଚଳରେ ରୋକାଯାଇ ମଧୁରଜଳ ସଂରକ୍ଷଣର ଗୋଟିଏ ବଡ଼ ଯୋଜନା କାର୍ଯ୍ୟକାରୀ ହେଲେ ଅନେକ ସୁଫଳ ମିଳିବ। ଯାତ୍ରୀମାନଙ୍କ ଯାତାୟାତ, ପର୍ଯ୍ୟଟନ କେନ୍ଦ୍ରର ଶ୍ରୀବୃଦ୍ଧିକରଣ ଓ ଜିନିଷ ପତ୍ର ପରିବହନ ବ୍ୟବସ୍ଥା ହେବା ସହିତ ଭୂତଳ ମଧୁରଜଳ ଆସ୍ତରଣ ଦୀର୍ଘସ୍ଥାୟୀ ହେବ। ଏହା ଏକ ନୂଆ ଓ ବ୍ୟୟବହୁଳ ଯୋଜନା ହୋଇଥିବା ଦୃଷ୍ଟିରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସହଭାଗିତାରେ ବ୍ୟୟବରାଦ ହେବା ଦରକାର। ସମୁଦ୍ର ତଟବର୍ତ୍ତୀ ଜାତୀୟ ରାଜପଥ ବା ଉପରିଭାଗରେ ନଦୀ ସଂଯୋଗୀକରଣ ପରିବର୍ତ୍ତେ ସେହି ଅର୍ଥ ସମୁଦ୍ର ତଟରୁ ୨୦କି.ମି. ଉପରେ ଗୋଟିଏ ନଦୀ ସଂଯୋଗୀକରଣ ବଡ଼ କେନାଲ ତିଆରି ହେବା ଦରକାର। କେନାଲର ପରିବହନ ଓ ବନ୍ଦର ସ୍ଥାୟୀ ଭିତ୍ତିରେ ସଂଯୋଗୀକରଣ ବ୍ୟବସ୍ଥା କେବଳ ରାଜ୍ୟ ନୁହେଁ; ଦେଶପାଇଁ ଲାଭଜନକ ହେବ। ରାଜ୍ୟ ବା କେନ୍ଦ୍ର ବଜେଟ୍‍ ବିଶେଷ ପ୍ରଭାବିତ ହେବନାହିଁ। ଇଂରେଜ ସରକାର ସମୟରେ ‘କୋଷ୍ଟ୍‌ କେନାଲ’ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏବେ କେନ୍ଦ୍ର ସରକାର ନଦୀ ସଂଯୋଗୀକରଣ କାର୍ଯ୍ୟକ୍ରମ ହାତକୁ ନେବାକଥା କହିଛନ୍ତି।

ନଦୀ ସଂଯୋଗୀକରଣ ବ୍ୟବସ୍ଥା ନଦୀର ଉପର ମୁଣ୍ଡରେ ନହୋଇ ସେହି ଅର୍ଥରେ ସମୁଦ୍ର ତଟରୁ ୨୦-୨୫ କିଲୋମିଟର ଦୂରରେ ନଦୀ ସଂଯୋଗରେ ବଡ଼ କେନାଲ କରାଗଲେ ଏହି ସମୁଦ୍ର ତଟ କେନାଲରେ ପାଣି ଛାଡ଼ିଲେ ବୋହି ଯାଉଥିବା ପାଣିର ପୁନଃ ବିନିଯୋଗ ହୋଇପାରିବ। ନଦୀରେ ନିର୍ମିତ ଆନିକଟଗୁଡ଼ିକରୁ ‘କୋଷ୍ଟ୍‌ କେନାଲ’ରେ ପାଣି ପକାଇ ବନ୍ଦର ଭିତ୍ତିକ ସହର ବା ଶିଳ୍ପ ସମୂହକୁ ମଧୁର ଜଳଯୋଗାଣ କରାଯାଇ ପାରିବ। ଉପକୂଳରେ ଥିବା ବନ୍ଦର ଯଥା ପାରାଦ୍ବୀପ, ଗୋପାଳପୁର, ଧାମରା ସମେତ ପ୍ରସ୍ତାବିତ ବନ୍ଦର ସବୁର ସଂଯୋଗୀକରଣ ହେବ। କେନାଲ ସହିତ ଏକ ବିସ୍ତୃତ ଉପକୂଳବର୍ତ୍ତୀ ନବନିର୍ମିତ କେନାଲର କଡ଼ ରାସ୍ତାକୁ ଯାତାୟାତ ପଥ କରାଯାଇ ଏହାର ଦୁଇ ପାର୍ଶ୍ବରେ ଓହଳ ଥିବା ପ୍ରଜାତିର ବୃକ୍ଷ ଯଥା ବର, ଏକପ୍ରକାର ରବର ଜାତୀୟ ଓ ଅନ୍ୟାନ୍ୟ ଗଛ (ଓହଳ ଥିବା) ଲଗାଇଲେ ବଡ଼ ବାତ୍ୟା ହେଲେ ବି ଉପୁଡ଼ିବାର ସମ୍ଭାବନା କ୍ଷୀଣ। କେନାଲ ବନ୍ଧ ଉଚ୍ଚତା ସମୁଦ୍ର ପତ୍ତନଠାରୁ ଅନ୍ତତଃ ୪/୫ମିଟର ଉଚ୍ଚ ରହିବ। ସବୁଜ ପ୍ରାଚୀର ପାଇଁ ସରକାରୀ ବଜେଟ୍‍ରୁ ଆଦୌ ଖର୍ଚ୍ଚ କରିବାକୁ ପଡ଼ି ନପାରେ। ଏହାକୁ ‘ଅଫ୍‍ ବଜେଟ୍‍’ ବ୍ୟବସ୍ଥା କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ କରାଯାଇପାରେ। ଏହି ଅଣବଜେଟ ଭିତରେ ରାଜ୍ୟର ସଂପତ୍ତି ଉପଯୋଗ କରୁଥିବା କର୍ପୋରେଟ୍‍ ହାଉସ୍‍ ସେମାନଙ୍କର ସି.ଏସ୍‍.ଆର୍‍. ଫଣ୍ଡ୍‍ ଖଣି ଖାଦାନା ଉତ୍ତୋଳନ ଓ ପରିବହନ କାର୍ଯ୍ୟରେ ଲିପ୍ତ କମ୍ପାନୀଙ୍କ ପ୍ରଦତ୍ତ ମିନେରାଲ ଫଣ୍ଡ୍‍, ଜଙ୍ଗଲ ସୃଷ୍ଟି ପାଇଁ ଥିବା କାମ୍ପା ଫଣ୍ଡ୍‍ ଓ ବିପର୍ଯ୍ୟୟ ପାଣ୍ଠିର ଅଂଶ ଖର୍ଚ୍ଚ କରାଯାଇ ପାରିବ। ପ୍ରକୃତିକୁ ଦୋଷଦେଇ ସମସ୍ତେ ଖସିଯିବାର ଅପକୌଶଳ ତ୍ୟାଗକରି ଦାୟିତ୍ୱ ତୁଲାଇବାର ଉଦ୍ୟମ ଏବେ ଠାରୁ ଆରମ୍ଭ କରିବାର ସମୟ ଆସିଛି। ଯୋଜନା ଘୋଷଣା କରିଦେଇ ସ୍ୱପ୍ନ ବାଣ୍ଟିବା ଅବା ଯୋଜନା ନାଁରେ କାଳକ୍ଷେପଣ ନୀତିର ଶଠତା ମଧ୍ୟ ତ୍ୟାଗ କରିବା ଦରକାର।

Comments are closed.