ଅଦୃଶ୍ୟ ମୁଦ୍ରାକୁ ସ୍ବୀକୃତି ଯଥାର୍ଥ କି?

ନଳିନୀକାନ୍ତ ଧର

ବିଗତ ଦଶନ୍ଧିରେ ଯଦି କୌଣସି ସଂପତ୍ତିର ସର୍ବାଧିକ ଅଭିବୃଦ୍ଧି ଘଟିଯାଏ ତାହା ହେଲା ଏକ ଅଦୃଶ୍ୟ ପ୍ରକାରର ମୁଦ୍ରା, ଯାହାକୁ କୁହାଯାଏ ‘କ୍ରିପ୍‌ଟୋ କରେନ୍‌ସି’ । ପୃଥିବୀରେ ୬୭୦୦ ବିଭିନ୍ନ କ୍ରିପ୍‌ଟୋ କରେନ୍‌ସି ସାର୍ବଜନୀନ ଭାବରେ ବର୍ତ୍ତମାନ କାରବାର ହେଉଛି, ଯାହାର ମୂଲ୍ୟ ହାରାହାରି ୨.୫ ଲକ୍ଷ କୋଟି ଡଲାର। ଏହା ଭାରତବର୍ଷ ଭଳି ଏକ ବିଶାଳ ଅର୍ଥନୀତିର ମୋଟ ଘରୋଇ ଉତ୍ପାଦ (ଜିଡିପି) ସହ ସମାନ। ଏହା ମଧ୍ୟରୁ ସର୍ବାଧିକ ଆଦୃତ ‘ବିଟ୍‌ କଏନ୍‌’ର ହାରାହାରି ଅଂଶ ୫୦ ପ୍ରତିଶତ। ଏହାପରେ ଅଛି ଇଥେରିୟମ୍‌, ବିନାନସ୍‌ କଏନ୍‌ ଇତ୍ୟାଦି। ଏକଦା ଏହି ଡିଜିଟାଲ୍‌ ମୁଦ୍ରା ଯାହାକି ମାତ୍ରାଧିକ ଅପରାଧିକ କାର୍ଯ୍ୟ ଅଥବା କାଳ୍ପନିକ ନିବେଶ ପାଇଁ ପ୍ରଧାନ ଆୟୁଧ ଥିଲା, ପର୍ଯ୍ୟାୟକ୍ରମେ ଆପାତତଃ ମୁଖ୍ୟ ସ୍ରୋତକୁ ଚାଲିଆସିଛି।

ଏପରିକି ନିକଟରେ ଡିଜିଟାଲ୍‌ ମୁଦ୍ରାର କାରବାର କରୁଥିବା ଏକ ଆମେରିକୀୟ ନୂଆ କମ୍ପାନୀ ‘କଏନ୍‌ ବେଶ୍‌’ ନିଜର ମୋଟ ପୁଞ୍ଜିଧନକୁ ୮୬୦୦ କୋଟି ଡଲାର୍‌ରେ ପହଞ୍ଚାଇ ପାରିଛି ଯାହା ଲଣ୍ଡନ ଓ ଆମେରିକାର ଏକ୍ସଚେଞ୍ଜ୍‌ ପୁଞ୍ଜି କାରବାରଠାରୁ ଅଧିକ। ‘ଏନ୍‌ଏଫ୍‌ଟି’ ଜ୍ଞାନକୌଶଳରେ କାଳ୍ପନିକ ସଂପତ୍ତି ମଧ୍ୟ ଆଦୃତ ହେଉଛି।

ଏଠାରେ ସାଧାରଣ ଜନତାଙ୍କ ମନରେ ଅବଶ୍ୟ ପ୍ରଶ୍ନ ଉଠିବ ଯେ ‘କ୍ରିପ୍‌ଟୋ କରେନ୍‌ସି’ କ’ଣ, କାହିଁକି ନା ଅଧିକାଂଶ ଏହା ସହିତ ପରିଚିତ ନୁହନ୍ତି ଓ ଯେଉଁମାନେ ଊଣାଅଧିକେ ଅଭ୍ୟସ୍ତ ତାହା ଭାରତରେ ଥିବା ନିୟମ ଅନୁଯାୟୀ ପୂର୍ଣ୍ଣ ମାତ୍ରାରେ ପର୍ଯ୍ୟାପ୍ତ ନୁହେଁ। ଏଠାରେ ଉଲ୍ଲେଖନୀୟ ଯେ କ୍ରିପ୍‌ଟୋ ଅତି ସାଧାରଣ ଭାଷାରେ ସାମଗ୍ରୀ ବା ସେବା କିଣାବିକା କରିବାର ଏକ ଡିଜିଟାଲ ମାଧ୍ୟମ। ଏହାର ଅନ୍ୟ ବିଶେଷତ୍ବ ହେଲା ଯେ ଏହା ‘ବ୍ଲକ୍‌ଚେନ୍‌’ ଭଳି ଏକ ବିକେନ୍ଦ୍ରୀକରଣ ଜ୍ଞାନ କୌଶଳ ଆଧାରିତ ଯାହାର କୌଣସି ଭୌଗୋଳିକ ସୀମା ନାହିଁ। ଅନେକ କମ୍ପ୍ୟୁଟରରେ ପରିବ୍ୟାପ୍ତ ଓ ସମସ୍ତ କାରବାର ଲିପିବଦ୍ଧ ଓ ପୂର୍ଣ୍ଣମାତ୍ରାରେ ସୁରକ୍ଷିତ। ଅନ୍ତର୍ଜାତୀୟ ସ୍ଥିତି ପର୍ଯ୍ୟବେକ୍ଷଣ କଲେ ବୁଝାଯାଏ ଯେ ବିଶ୍ବର ପ୍ରମୁଖ ଦେଶ ଯଥା ଆମେରିକା, ଚୀନ, ଜାପାନ, ଜର୍ମାନୀ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଆଦି ବେସରକାରୀ ‘କ୍ରିପ୍‌ଟୋ କରେନ୍‌ସି’କୁ ଗ୍ରହଣ କରିସାରିଛନ୍ତି ଓ ପର୍ଯ୍ୟାୟ କ୍ରମେ ନୀତି ନିର୍ଦ୍ଧାରଣ କରିବା ସହ ନିଜକୁ ଏହାର ଏକ ପ୍ରମୁଖ ନୂତନ ଜ୍ଞାନକୌଶଳ ପେଣ୍ଠସ୍ଥଳୀ ରୂପେ ପରିଗଣିତ କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି। ଏଠାରେ ‘କ୍ରିପ୍‌ଟୋ’ କହିଲେ କେବଳ ‘ବିଟ୍‌ କଏନ୍‌’କୁ ବୁଝାଯାଏ ନାହିଁ; କିନ୍ତୁ ବେସରକାରୀ ସଂସ୍ଥାର ‘ଡିଜିଟାଲ ଟୋକନ୍‌’।

ଭାରତର କେନ୍ଦ୍ରୀୟ ବ୍ୟାଙ୍କ (ଆର୍‌ବିଆଇ) ୨୦୧୮ରୁ ‘କ୍ରିପ୍‌ଟୋ କରେନ୍‌ସି’କୁ ବେଆଇନ୍‌ ଘୋଷଣା କରିଥିଲେ ଓ ସର୍ବୋଚ୍ଚ ନ୍ୟାୟାଳୟର ହସ୍ତକ୍ଷେପ ପରେ ଏହାକୁ ୨୦୨୦ରେ ରଦ୍ଦ କରିବା ପରେ ଭାରତରେ ମଧ୍ୟ ଆଶାତୀତ ଭାବରେ ବିଦେଶୀ ‘କ୍ରିପ୍‌ଟୋ କରେନ୍‌ସି’ର ଚାହିଦା ବଢ଼ିଯାଇଛି। କାରବାରରେ ଭାରତ, ଚୀନ ପରେ ଏସିଆର ଦ୍ବିତୀୟ ଓ ପୃଥିବୀରେ ଷଷ୍ଠତମ ରାଷ୍ଟ୍ର।

ଭାରତ ସରକାର ବର୍ତ୍ତମାନ କ୍ରିପ୍‌ଟୋ କରେନ୍‌ସି ଓ ଆଧିକାରିକ ଡିଜିଟାଲ କ୍ରିପ୍‌ଟୋ କରେନ୍‌ସି ୨୦୨୧ ଆଣିବାକୁ ଯାଉଛନ୍ତି; କିନ୍ତୁ ଏଠାରେ ସନ୍ଦେହ ହେଉଛି ଯେ ଏହି ମୁଦ୍ରାକୁ ସରକାର ଯଦି ନିୟନ୍ତ୍ରଣ କରିବାରେ ବିଫଳ ହୁଅନ୍ତି, ତାହାହେଲେ ଭାରତୀୟ ନିବେଶକଙ୍କର ଅଶେଷ କ୍ଷତି ହେବା ସହ ବହୁଳମାତ୍ରାରେ କଳାବଜାର ସୃଷ୍ଟି ହେବ କାରଣ ଅନେକ ମାତ୍ରାରେ ଏହା ଇଣ୍ଟରନେଟ୍‌ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ରୁଷିଆ ଓ ନାଇଜେରିଆରେ ଯଦିଓ ଏହାକୁ ବେଆଇନ୍‌ ଘୋଷଣା କରାଯାଇଛି ସେଠାରେ ମଧ୍ୟ ଏତେ ମାତ୍ରାରେ ଫଳପ୍ରଦ ହୋଇନାହିଁ। ଭାରତ ପ୍ରଚଳନ ନ କଲେ ଚୀନ୍‌ ଏହି ଡିଜିଟାଲ୍‌ ମୁଦ୍ରାର ଏକ ପ୍ରଭାବଶାଳୀ ଦେଶ ରୂପେ ଉଭା ହେବ ଓ ଭାରତରେ ଏହାର ଭବିଷ୍ୟତ ଗବେଷଣା, ବିକାଶ ମଧ୍ୟ ବାଧାପ୍ରାପ୍ତ ହେବ ବୋଲି ଅନେକଙ୍କ ମତ।

ବର୍ତ୍ତମାନ ଆଲୋଚନାର ବିଷୟବସ୍ତୁ ହେଉଛି ଯେ ଭାରତର ଭୂମିକା କ’ଣ ହେବା ଆବଶ୍ୟକ। ବିଗତ ଦଶନ୍ଧିରେ ଓ ବିଶେଷ କରି ବିମୁଦ୍ରାୟନ ପରେ ଭାରତରେ ଡିଜିଟାଲ୍‌ ଦେଣନେଣ ବହୁଗୁଣରେ ବୃଦ୍ଧି ପାଇଛି ଓ ସରକାର ମଧ୍ୟ ଅନେକ ପ୍ରୋତ୍ସାହନ ଦେଉଛନ୍ତି; କିନ୍ତୁ ଏହି ସମସ୍ତ କାର୍ଡ, ୱାଲେଟ୍‌, ୟୁପିଆଇ ଯାହା ମାଧ୍ୟମରୁ ବି ହେଉ ତାହା କୌଣସି ନା କୌଣସି ବ୍ୟାଙ୍କ ସହ ସଂପୃକ୍ତ ଓ ଆର୍‌ବିଆଇ ପାଖରେ ସମସ୍ତ ତଥ୍ୟ ଥିବା ସହ ଦେଶର ସମଗ୍ର ମୁଦ୍ରା ପ୍ରଚଳନ ମଧ୍ୟରେ ନିୟନ୍ତ୍ରିତ ହୋଇ ରହିଛି। କ୍ରିପ୍‌ଟୋ କରେନ୍‌ସି କିନ୍ତୁ ପୃଥିବୀର ଅନେକ ବେସରକାରୀ ସଂସ୍ଥା ପ୍ରଚଳନ କରୁଛନ୍ତି ଓ ସରକାରଙ୍କ ପାଖରେ ଏହାର କୌଣସି ନିୟନ୍ତ୍ରଣ ନାହିଁ। ପରିଚାଳନାର ନୀତିନିୟମ ହୁଏତ ବିଭିନ୍ନ ଦେଶ ପ୍ରଣୟନ କରୁଛନ୍ତି; କିନ୍ତୁ କୌଣସି ଦେଶର ଭୌଗୋଳିକ ସୀମାରେଖାରେ ସରକାରୀ ମୁଦ୍ରା ହେବାପାଇଁ ଏହାର ସ୍ଥିରତା ଏକାନ୍ତ ଆବଶ୍ୟକ।

ବିଟ୍‌ କଏନ୍‌ ଯାହାକି ବିଶ୍ବର ସବୁଠାରୁ ଜନାଦୃତ କ୍ରିପ୍‌ଟୋ କରେନ୍‌ସି, ତାହା କଳ୍ପନାତୀତ ଭାବେ ଅସ୍ଥିର। କ୍ରେତା ଓ ବିକ୍ରେତା ଜାଣିବା ବାଞ୍ଛନୀୟ ଯେ ଏହାର ପ୍ରକୃତ ମୂଲ୍ୟ କେତେ ଯାହାକି ବର୍ତ୍ତମାନ ଆକଳନ ସମ୍ଭବ ହେଉନାହିଁ। ଏହା ବ୍ୟତୀତ କ୍ରିପ୍‌ଟୋ କରେନ୍‌ସି ବିଷୟରେ ଜନସାଧାରଣ ପୂର୍ଣ୍ଣମାତ୍ରାରେ ଅବଗତ ହୋଇନଥିବାରୁ ଠକାମିର ମଧ୍ୟ ଶିକାର ହେବେ। ‘ବ୍ଲକ୍‌ଚେନ୍‌’ ଏକ ଉନ୍ନତମାନର ପ୍ରଯୁକ୍ତି ଯାହାକି ମୁଦ୍ରା ପ୍ରେରଣ (ଲିପଲ୍‌), ସଂଗଠିତ ବିତରଣ (ଓପ୍‌ସ), ସଂଯୋଗ ସ୍ଥାପନ, ରହଣି ଜାଗା (ଇଉଥେରିୟମ) ଇତ୍ୟାଦି ଦ୍ବାରା ବହୁଳ ଆଦୃତ ହୋଇଛି; ତେଣୁ କ୍ରିପ୍‌ଟୋ କରେନ୍‌ସିକୁ ପୂର୍ଣ୍ଣମାତ୍ରାରେ ନିଷିଦ୍ଧ କରିବା ଅନାବଶ୍ୟକ। ‘ବ୍ଲକଚେନ୍‌’ ଅନ୍ୟ କ୍ଷେତ୍ରରେ ମଧ୍ୟ ଲୋକାଦୃତ ଏକ ସଫଳ ଜ୍ଞାନ କୌଶଳ। ଏହାକୁ ସରକାରୀ ମୁଦ୍ରା କ୍ଷେତ୍ରରେ ବ୍ୟବହାର କରିବାକୁ ଅନୁମତି ଦିଆଯାଇପାରେ। ସୁବିଧାପାଇଁ ଏହା ଏକ ସଂପତ୍ତି ରୂପେ ବ୍ୟବହାର କରାଯାଇପାରେ। ଏହାର ଲାଭକ୍ଷତି ଉପରେ ସରକାର କର ଲଗାଇ ପାରନ୍ତି।

କୌଣସି ଦେଶର ମୁଦ୍ରା, ପ୍ରଚଳନ ଏହାର ଆଭ୍ୟନ୍ତରୀଣ ଓ ବାହ୍ୟ ଅର୍ଥନୈତିକ ପରିସ୍ଥିତିକୁ ଯଥା ଘରୋଇ ଉତ୍ପାଦନ, ରପ୍ତାନି, ଆମଦାନୀ, ମୁଦ୍ରାର ବିନିମୟ ମୂଲ୍ୟ ମୁଦ୍ରାସ୍ଫୀତି, ପ୍ରଚଳିତ ସୁଧହାର, ଅଭିବୃଦ୍ଧି ଇତ୍ୟାଦିକୁ ନେଇ ପ୍ରଚଳିତ ହୋଇଥାଏ ଓ ଏହା ଭାରସାମ୍ୟ ହରାଇଲେ ଅନେକ ଆର୍ଥିକ ପ୍ରତିବନ୍ଧର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯଦି ବେସରକାରୀ ସଂସ୍ଥା ‘କ୍ରିପ୍‌ଟୋ କଏନ୍‌’କୁ ମୁଦ୍ରା ମାଧ୍ୟମରେ ବ୍ୟବହାର କରନ୍ତି ସରକାରଙ୍କ ପାଖରେ କୌଣସି ନିୟନ୍ତ୍ରଣ ରହିବ ନାହିଁ। ପୃଥିବୀରେ କିନ୍ତୁ ଅନ୍ୟ ଉନ୍ନତ ଦେଶମାନଙ୍କରେ ଏହାର ବହୁଳ ପ୍ରସାର ପରେ ଭାରତ ମଧ୍ୟ ଏହାର ବ୍ୟତିରେକ ହେବା ଶ୍ରେୟସ୍କର ହେବନାହିଁ। ଏପ୍ରିଲ ୭ ତାରିଖରେ ଚୀନ ତା’ର ସରକାରୀ ରେନ୍‌ବୀ ‘ଡିଜିଟାଲ୍‌ କ୍ରିପ୍‌ଟୋ କରେନ୍‌ସି’ ପ୍ରଚଳନ କରିସାରିଛି ଓ ଏହା ମଧ୍ୟରେ ପୃଥିବୀରେ ବ୍ୟାବସାୟିକ କାରବାରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାପାଇଁ ଯୋଜନା କରୁଛି। ବ୍ରିଟେନ୍‌ ମଧ୍ୟ ବିଟ୍‌ କଏନ ସରକାରୀ ଡିଜିଟାଲ ମୁଦ୍ରା ପାଇଁ ପ୍ରସ୍ତୁତ। ଏହି ପରିପ୍ରେକ୍ଷୀରେ ଭାରତ ମଧ୍ୟ ନିଜସ୍ବ ସରକାରୀ କ୍ରିପ୍‌ଟୋ କରେନ୍‌ସି ପ୍ରଚଳନ କରୁ। ବୈଦେଶିକ ସମସ୍ତ କ୍ରିପ୍‌ଟୋ ଟୋକନ୍‌ ପାଇଁ ଉଚିତ ନିୟମ ପ୍ରଣୟନ କରୁ। ଯେଉଁମାନେ ବର୍ତ୍ତମାନ କାରବାର କରୁଛନ୍ତି ଠିକ୍‌ ନିୟମ ପ୍ରଣୟନ ହୋଇନଥିବାରୁ ଠିକ୍‌ ରୂପେ ଆୟକର ଦାଖଲ ପାଇଁ ମଧ୍ୟ ଏକ ପ୍ରଶ୍ନବାଚୀ ହୋଇପଡ଼ିଛି। ସରକାର ଏହା ଉପରେ ଯଥେଷ୍ଟ ଜନସଚେତନତା ସୃଷ୍ଟି କରିବା ବାଞ୍ଛନୀୟ।

Comments
Loading...