ରାଜଦ୍ରୋହ ଓ ବାକ୍‌ ସ୍ବାଧୀନତା

ସୁକାନ୍ତ କୁମାର ପଟେଲ

ଭାରତରେ ସାମାଜିକ ଗଣମାଧ୍ୟମଗୁଡିକ ସବୁଠାରୁ ଶକ୍ତିଶାଳୀ ମନେହେଉଛି, ଯାହା ମାଧ୍ୟମରେ ଅତି ସହଜରେ ସମସ୍ତଙ୍କ ନିକଟରେ ସବୁ ସ୍ଥାନରେ, ସ୍ୱଳ୍ପ ସମୟରେ ବାର୍ତ୍ତା ପହଞ୍ଚିପାରୁଛି। ବିଗତ ୫ ବର୍ଷ ମଧ୍ୟରେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ୨୦୨୧ ଜାନୁଆରୀ ସୁଦ୍ଧା ଭାରତରେ ମୋଟ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ ୪୪୮ ନିୟୁତ । କହିବା ବାହୁଲ୍ୟ ଯେ ମାତ୍ର ଗୋଟିଏ ବର୍ଷ ଅର୍ଥାତ୍‌ ୨୦୨୦ରୁ ୨୦୨୧ ମଧ୍ୟରେ ଏହି ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ୭୮ ନିୟୁତ ଅର୍ଥାତ ୨୧ ପ୍ରତିଶତ । ଏପରି କି ବର୍ତ୍ତମାନ ମୋଟ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଭାରତୀୟଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୩୨ ପ୍ରତିଶତ । ତେବେ ଏହି ଗଣମାଧ୍ୟମକୁ ସରକାର ଏବେ ନିୟନ୍ତ୍ରଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଏଥିରେ ଯେଉଁମାନେ ସରକାର ବିରୋଧୀ ବାର୍ତ୍ତା ବା ମନ୍ତବ୍ୟ ଲେଖୁଛନ୍ତି, ସେମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ ସଂହିତାର ଧାରା ୧୨୪(କ) ଅନୁସାରେ ‘ରାଜଦ୍ରୋହ’ ଅଭିଯୁକ୍ତ କରିବାକୁ ପ୍ରୟାସ କରୁଛନ୍ତି ।

ଏବେ ନିୟନ୍ତ୍ରଣାତ୍ମକ ପଦକ୍ଷେପ ସ୍ୱରୂପ ଏହି ଗଣମାଧ୍ୟମ ସଂସ୍ଥାଗୁଡ଼ିକ କୌଣସି ସମ୍ବାଦ ପରିବେଷଣ କିମ୍ବା ସୂଚନା ପ୍ରସାରଣ ପୂର୍ବରୁ ସରକାରଙ୍କ କେତେକ ନିୟମ ମାନିବା ବାଧ୍ୟତାମୂଳକ କରିଛନ୍ତି। ଅନେକ ବୁଦ୍ଧିଜୀବୀ ଇଂରେଜ ଅମଳର ରାଜଦ୍ରୋହ ଆଇନକୁ ଦୁରୁପଯୋଗ କରାଯାଉଥିବାରୁ ଏହାର ଉଚ୍ଛେଦ ପାଇଁ ଦାବି କରିଆସୁଛନ୍ତି। ପୂର୍ବରୁ ମଧ୍ୟ ଏହି ଆଇନକୁ ବିରୋଧ କରି ଦୁଇଜଣ ସାମ୍ବାଦିକ କିଶୋର ଚନ୍ଦ୍ର ୱାଙ୍ଗଖେମ ଏବଂ କହ୍ନେୟାଲାଲ ଶୁକ୍ଲା ମଧ୍ୟ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି। ଭାରତ ଭଳି ଗଣତନ୍ତ୍ର ଦେଶରେ ସମ୍ବିଧାନ ବିରୋଧୀ ଓ ଅଗଣତାନ୍ତ୍ରିକ ତତ୍ତ୍ବ ରହିଥିବା ଏହି ଧାରାକୁ ଉଚ୍ଛେଦ କରିବାକୁ ବହୁ ଦିନରୁ ଦାବି ହୋଇ ଆସୁଛି । ୧୯୬୨ ର କେଦାରନାଥ ବନାମ ବିହାର ରାଜ୍ୟ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ନିଜ ରାୟରେ ଏହାର ସାମ୍ବିଧାନିକ ବୈଧତା ବଜାୟ ରଖିବାକୁ ରାୟ ପ୍ରଦାନ କରିଥିଲେ ଏବଂ ଏହାର ଦୁରୁପଯୋଗ ନ କରାଯିବା ନିମନ୍ତେ ନିର୍ଦେଶ ପ୍ରଦାନ କରିଥିଲେ । ନ୍ୟାୟାଳୟଙ୍କ ରାୟ ଅନୁସାରେ ହିଂସା ପାଇଁ ଡାକରା କିମ୍ବା ପ୍ରରୋଚନା ନ ଥିଲେ ଏହାକୁ ରାଜଦ୍ରୋହ ଆଖ୍ୟା ପ୍ରଦାନ କରାଯାଇପାରିବ ନାହିଁ । ଅଦାଲତ କହିଥିଲେ ଯେ ସରକାର କିମ୍ବା ତାଙ୍କ ପଦକ୍ଷେପ ସମ୍ପର୍କରେ ଜଣେ ନାଗରିକଙ୍କୁ ଯାହା ପସନ୍ଦ ହେଉଛି ତାକୁ କହିବା ବା ଲେଖିବାର ଅଧିକାର ଅଛି ।

କୃଷକମାନଙ୍କ ଟ୍ରାକ୍ଟର ଶୋଭାଯାତ୍ରା ଓ ଅନ୍ୟାନ୍ୟ ଘଟନା ନିମନ୍ତେ ସାମ୍ବାଦିକ ମୃଣାଳ ପାଣ୍ଡେ, ରାଜଦୀପ ସରଦେଶାଇ ଓ ଅନ୍ୟ ଅନ୍ୟମାନଙ୍କ ବିରୋଧରେ ମଧ୍ୟ ରାଜଦ୍ରୋହ ମାମଲା ରୁଜୁ କରାଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟ ସେମାନଙ୍କର ଗିରଫ ଉପରେ ରହିତାଦେଶ ଲଗାଇଛନ୍ତି । ୨୦୧୮ରେ ମଣିପୁରର ଦୁଇ ସାମ୍ବାଦିକଙ୍କ ନାମରେ ରାଜଦ୍ରୋହ ଏବଂ ଜାତୀୟ ସୁରକ୍ଷା ଆଇନ ବଳରେ ମାମଲା ରୁଜୁ କରାଯାଇଥିଲା । ଆଇନ ଆୟୋଗଙ୍କ ମତରେ ଯଦି ବ୍ୟକ୍ତ କରାଯାଉଥିବା ଚିନ୍ତାଧାରା ସରକାରଙ୍କ ଯୋଜନାର କେବଳ ବିରୁଦ୍ଧାଚରଣ କରେ ତେବେ ଏହା ରାଷ୍ଟ୍ରଦ୍ରୋହ ନୁହେଁ ।

ଫେବୃଆରି ୨୫ରେ କାର୍ଯ୍ୟକାରୀ ହୋଇଥିବା ନୂତନ ସୂଚନା ଓ ବୈଷୟିକ ଆଇନ ଅନୁସାରେ ଯେଉଁ ସାମାଜିକ ଗଣମାଧ୍ୟମର ୫୦ ଲକ୍ଷରୁ ଅଧିକ ବ୍ୟବହାରକାରୀ ଥିବେ ସେମାନଙ୍କୁ ଅଭିଯୋଗ ଶୁଣାଣି ପାଇଁ ଭାରତରେ ଜଣେ ନିଜସ୍ବ ଅଭିଯୋଗ ଅଧିକାରୀ ନିଯୁକ୍ତ କରିବାକୁ ପଡିବ। ଅନ୍ୟଥା ଆଇ.ଟି ଆଇନର ଧାରା ୭୯ ରେ ମିଳୁଥିବା ସୁବିଧା ପ୍ରତ୍ୟାହାର କରିନିଆଯିବ । ଏଥିନିମନ୍ତେ ୩ ମାସ ସମୟ ପ୍ରଦାନ କରାଇଥିଲା ଯାହା ମେ ୨୫ ରେ ଶେଷ ହୋଇଛି । ଟ୍ବିଟରକୁ ଛାଡି ସମସ୍ତ ମାଧ୍ୟମ ଯଥା ଫେସବୁକ, ହ୍ବାଟସ୍‌ଆପ, ଇନଷ୍ଟାଗ୍ରାମ୍‌ ଇତ୍ୟାଦି ଏହାକୁ ଅନୁସରଣ କରିବା କଥା କହିଛନ୍ତି। ସୁତରାଂ ଟ୍ବିଟରକୁ ଏହି ନି​‌େ​‌ର୍ଦଶ ଅନୁସରଣ କରିବା ନିମନ୍ତେ ମେ ୨୬, ୨୮ ଏବଂ ଜୁନ ୨, ୨୦୨୧ରେ ସରକାରଙ୍କ ତରଫରୁ ପ୍ରଶ୍ନ ପଚରାଯାଇଥିଲା। ସେ ଯାହାହେଉ, ମୂଳ ପ୍ରସଙ୍ଗଟି ରାଜଦ୍ରୋହ ଆଇନକୁ ନେଇ। ସ୍ବାଧୀନ ଭାବେ ମତବ୍ୟକ୍ତ କରୁଥିବା ବ୍ୟକ୍ତି, ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନକାରୀ ତଥା ଆନ୍ଦୋଳନକାରୀ ଦମନ ନିମନ୍ତେ ସେମାନଙ୍କ ବିରୁଦ୍ଧରେ ଏହି ଧାରାର ଅପପ୍ରୟୋଗ କରାଯିବାର ଅସଂଖ୍ୟ ଦୃଷ୍ଟାନ୍ତ ରହିଛି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଉତ୍ତରପ୍ରଦେଶରେ ହାଥରାସଠା‌ରେ ଘଟିଥିବା ଗଣବଳାତ୍କାର ମାମଲାରେ ୨୨ ଜଣଙ୍କ ନାମରେ ରାଜଦ୍ରୋହ ମାମଲା ରୁଜୁ କରାଯାଇଥିଲା ଯେଉଁମାନଙ୍କ ମଧ୍ୟରେ କେରଳର ସାମ୍ବାଦିକ ସିଦ୍ଦିକ କାପାନ ଥିଲେ, ଯିଏ ଏ ପର୍ଯ୍ୟନ୍ତ ଜାମିନ ନ ପାଇ କାରାଗାରରେ କାଳ କାଟୁଛନ୍ତି । ଏପରି କି ନାଗରିକ ସଂଶୋଧନ ଆଇନ ତଥା କୃଷକ ଆଇନ ବିରୁଦ୍ଧ ଆନ୍ଦୋଳନକାରୀଙ୍କ ବିରୋଧରେ ମଧ୍ୟ ଏହି ମାମଲା ରୁଜୁ କରାଯାଇଛି, ସତେ ଯେପରି ଏମାନେ ବିଚ୍ଛିନ୍ନତାବାଦୀ ଏବଂ ଦେଶଦ୍ରୋହୀ ।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ୨୦୧୯ର ତଥ୍ୟ ପ୍ରକାରେ ଏହି ଅପରାଧରେ ଦୋଷୀ ସାବ୍ୟସ୍ତଙ୍କ ସଂଖ୍ୟା ମାତ୍ର ୩.୩ ପ୍ରତିଶତ ଯାହା ଅତି ମାତ୍ରାରେ ନଗଣ୍ୟ । ତେବେ ଏହି ମାମଲାରେ ନିମ୍ନ ଅଦାଲତ ଜାମିନ ପ୍ରଦାନ ନ କରିବା ଓ ଏହାର ଶୁଣାଣି ଦୀର୍ଘଦିନ ଧରି ଚାଲିବା ଦ୍ବାରା ଜଣେ ନି​‌େ​‌ର୍ଦାଷ ଦୋଷମୁକ୍ତ ହେବା ପୂର୍ବରୁ ଜେଲରେ ଅନେକ କଷ୍ଟ ସହ୍ୟ କରନ୍ତି। ଏହି ଆଇନ କ୍ରମବର୍ଦ୍ଧିଷ୍ଣୁ ରାଜନୈତିକ ଦୁରୁପଯୋଗ, ନାଗରିକ ମାନଙ୍କର ସ୍ବାଧୀନ ମତବ୍ୟକ୍ତ ଓ ମୁକ୍ତ ବିଚାରଧାରାକୁ ଦମନ କରିବା ନିମନ୍ତେ ସରକାରଙ୍କ ପାଇଁ ପ୍ରକୃଷ୍ଟ ଅସ୍ତ୍ର ପାଲଟିଛି ।

ପୂର୍ବରୁ ଆନ୍ଧ୍ରପ୍ରଦେଶ ସରକାର ଦୁଇଟି ଟେଲିଭିଜନ ଓ ଜଣେ ସାଂସଦଙ୍କ ବିରୁଦ୍ଧରେ ସରକାର ବିରୋଧୀ ସମ୍ବାଦ ଓ ଭାଷଣ ନିମନ୍ତେ ରାଜଦ୍ରୋହ ଆରୋପ ଲଗାଇଛନ୍ତି । ସେହି ମାମଲା ପରିପ୍ରେକ୍ଷୀରେ ସର୍ବୋଚ୍ଚ ନ୍ୟାୟାଳୟ ଉକ୍ତ ନିଷ୍ଠୁର ଆଇନର ବ୍ୟବସ୍ଥାକୁ ପରୀକ୍ଷା କରିବା ନିମନ୍ତେ ନିଷ୍ପତ୍ତି କରିଛନ୍ତି । ଏହାକୁ ବାତିଲ କରିବା ପରିବର୍ତ୍ତେ ସରକାର ଗଣତନ୍ତ୍ରବାଦୀଙ୍କ ବିରୋଧରେ ଏହାର ଅଧିକ ଅପପ୍ରୟୋଗ କରିବାରୁ ସ୍ବାଭାବିକ ଭାବେ ଆଇନର ଉଚ୍ଛେଦ ନିମନ୍ତେ ସ୍ବର ଉତ୍ତୋଳନ ତୀବ୍ର ହେଉଛି । ଆଗରୁ ଏହି ଆଇନ ଥିଲେ ମଧ୍ୟ ତାହା ବିଶେଷ ଭାବେ ପ୍ରୟୋଗ ହେଉ ନ ଥିଲା; କିନ୍ତୁ ବିନୋଦ ଦୁଆଙ୍କ ପରି ଜଣେ ପ୍ରତିଷ୍ଠିତ ସାମ୍ବାଦିକଙ୍କ ବିରୋଧରେ ମକଦ୍ଦମା ଦାୟର ହେବାରୁ ତାହା ଚର୍ଚ୍ଚାକୁ ଆସିଥିଲା ।

ଗତବର୍ଷ ଶ୍ରୀ ଦୁଆ ତାଙ୍କ ନିଜର ୟୁଟ୍ୟୁବ୍‌ କାର୍ଯ୍ୟକ୍ରମରେ ମୋଦୀ ସରକାରଙ୍କ ବିରୋଧରେ ମନ୍ତବ୍ୟ ରଖିଥିବାରୁ ହିମାଚଳ ପ୍ରଦେଶରେ ତାଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହୋଇଥିଲା। ଯାହାର ବିଚାର କରି ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ପ୍ରଦାନ କରିଛନ୍ତି ଯେ ଏହା ରାଜଦ୍ରୋହ ନୁହେଁ। ପ୍ର‌େ‌ତ୍ୟକ ନାଗରିକମାନଙ୍କର ସରକାରଙ୍କ ଏବଂ ପ୍ରଶାସନର ନୀତିନିୟମକୁ ସମାଲୋଚନା କରିବାର ଅଧିକାର ରହିଛି ଯେ ପର୍ଯ୍ୟନ୍ତ ଏହା ଶାନ୍ତିଶୃଙ୍ଖଳା ଭଙ୍ଗ କିମ୍ବା ଜନତାଙ୍କୁ ହିଂସା କରିବା ନିମନ୍ତେ ଉସୁକାଇନାହିଁ । ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ବୟସ୍କ ହେଉଥିବାବେଳେ ଏପରି ସ୍ଥିତି ଦୁର୍ଭାଗ୍ୟଜନକ ବରଂ ଦେଶରେ ସହିଷ୍ଣୁତା ଓ ଉଦାରତାର ବାତାବରଣକୁ ବୃଦ୍ଧି ନିମନ୍ତେ ଏପରି ଅଯଥା କାର୍ଯ୍ୟାନୁଷ୍ଠାନକୁ ପୁଲିସ ଓ ସରକାର ଯଥାସମ୍ଭବ ଏଡାଇଯିବା କଥା । ଅନେକ କ୍ଷେତ୍ରରେ କେବଳ ରାଜନୈତିକ ଏବଂ ଅନ୍ୟାନ୍ୟ ଆକ୍ରୋଶମୂଳକ କାରଣରୁ ଏପରି ମାମଲା ଦାୟର କରାଯାଉଛି ।

ଏହି ରାଜଦ୍ରୋହ ଆଇନ ବ୍ରିଟିଶ ଶାସନ ସମୟର। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବ୍ରିଟେନରେ ୨୦୦୯ ମସିହାରେ ରାଜଦ୍ରୋହ ଆଇନ ଉଚ୍ଛେଦ ହୋଇଛି; କିନ୍ତୁ ଭାରତରେ ଏହା ଏ ପର୍ଯ୍ୟନ୍ତ ପ୍ରଚଳିତ । ଆମ ଦେଶର ଅତୀତ ଘଟଣାବଳୀକୁ ଲକ୍ଷ୍ୟ କଲେ ଏ ସମ୍ପର୍କରେ ଅନେକ ତଥ୍ୟ ଦୃଷ୍ଟିଗୋଚର ହୁଏ। ସଂସଦରେ କେ.ଏମ. ମୁନସି ଚିଠା ସାମ୍ବିଧାନିକ ଧାରା ୧୩(୨) ରେ ଥିବା ‘ରାଷ୍ଟ୍ରଦ୍ରୋହ’ ଶବ୍ଦର ଉଚ୍ଛେଦ ନିମନ୍ତେ ଏକ ସଂଶୋଧନ ଆଗତ କରିଥିଲେ ଯାହା ଗୃହୀତ ହୋଇଥିଲା । ବର୍ତ୍ତମାନର ସମ୍ବିଧାନର ଧାରା ୧୯(୨)ରେ ରାଷ୍ଟ୍ରଦ୍ରୋହ ଶବ୍ଦର ଉଲ୍ଲେଖ ନାହିଁ, କିନ୍ତୁ ରାଷ୍ଟ୍ରର ସାର୍ବଭୌମତ୍ବ ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ହେଲେ ନିୟନ୍ତ୍ରଣ।ତ୍ମକ ପଦକ୍ଷେପ ଗ୍ରହଣ କରାଯାଇପାରିବ । ଭାରତୀୟ ପିଙ୍ଗଳ ସଂହିତାର ଧାରା ୧୨୪(କ)ରେ ରାଜଦ୍ରୋହ ଶବ୍ଦ ଉଲ୍ଲେଖ ଅଛି; କିନ୍ତୁ ସମ୍ବିଧାନର ଧାରା ୧୯(୧) (କ) ଏବଂ (ଖ) ରେ ତାହା ନାହିଁ । ଆହୁରି ମଧ୍ୟ ସମ୍ବିଧାନର ଧାରା ୧୯ ରେ ‘ରାଜ୍ୟ’ ଉଲ୍ଲେଖ ଥିବାବେଳେ ପିଙ୍ଗଳ କୋଡର ଧାରା ୧୨୪(କ)ରେ ‘ସରକାର’ ଉଲ୍ଲେଖ ଅଛି ।

ସେ ଯାହାହେଉ, ରାଜଦ୍ରୋହ ଆଇନରେ ଦୋଷୀ ସାବ୍ୟସ୍ତ ହାରରୁ ଜଣାପଡେ ଯେ ଏହାର ଅପବ୍ୟବହାର ଦ୍ବାରା ଅକାରଣରେ ଅନେକ ଅମୂଲ୍ୟ ଜୀବନ ନଷ୍ଟ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ମୋଟ ରାଜଦ୍ରୋହ ମାମଲାର ୯୬ ପ୍ରତିଶତ କେବଳ ୨୦୧୪ ପରଠାରୁ ରୁଜୁ କରାଯାଇଛି । ୨୦୧୦ ସୁଦ୍ଧା ଏହି ମାମଲା ବୃଦ୍ଧି ପାଇ ୧୦,୯୩୮ରେ ପହଞ୍ଚିଥିଲା । ତେବେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଅନୁସାରେ ୨୦୧୬ରେ ମାତ୍ର ୩୫ଟି ରାଜଦ୍ରୋହ ମାମଲା ରୁଜୁ କରାଯାଇଥିବା ବେଳେ ୨୦୧୯ରେ ୯୩ ଟି ମାମଲା କରାଯାଇଥିଲା; ଅର୍ଥାତ ୩ ବର୍ଷରେ ବୃଦ୍ଧି ଥିଲା ୧୬୫ ପ୍ରତିଶତ ।

ନୀରବ ଜନତା ଓ ସମାଲୋଚନାହୀନ ସମାଜ କେବେ ବି ଗଣତନ୍ତ୍ରକୁ ସୁସ୍ଥ ଗଣତନ୍ତ୍ରରେ ପରିଣତ କରିବା ସମ୍ଭବ ନୁହେଁ । ଆମ ସମ୍ବିଧାନରେ ଉଲ୍ଲେଖ ଅଛି ଯେ ଆମର ସର୍ବସାଧାରଣ ଜନତା ନିଜର କଥାକହିବାର ତଥା ସ୍ବାଧୀନ ମତାମତ ପ୍ରଦାନ କରିବାର ମୌଳିକ ଅଧିକାର, ବିନା ଭୟରେ ଓ ବାଧାରେ ହାସଲ କରିବେ । ଏ ପ୍ରକାର ଯେଉଁ ସ୍ବାଧୀନତା ସେମାନଙ୍କୁ ପ୍ରଦାନ କରାଯାଇଛି ତାହାଦ୍ୱାରା ସେମାନେ ନିଜର ଅଭ୍ୟାସ ଜାରି ରଖିବା ସହ ନିଶ୍ଚିତ ଗଣତାନ୍ତ୍ରିକ ମୂଲ୍ୟବୋଧର ଉତ୍ତରାଧିକାରୀ ହୋଇପାରିବେ । ଏଣୁ ଏଥିରେ କୌଣସି ପ୍ରକାରର ବାଧା ସୃଷ୍ଟି କରିବା ମୌଳିକ ଅଧିକାର କ୍ଷୁଣ୍ଣ କରିବା ସଙ୍ଗେ ପ୍ରାୟତଃ ସମାନ । ରାଜଦ୍ରୋହ ଆଳରେ ଆମ ପରି ବିରାଟ ଗଣତନ୍ତ୍ରରେ ନାଗରିକ, ଗଣମାଧ୍ୟମ ଓ ସଙ୍ଗଠନଗୁଡିକର ବାକ୍‌ରୋଧ କରିବା ନିଶ୍ଚିତଭାବେ ଅଗଣତାନ୍ତ୍ରିକ ଏବଂ ଏହା ଏକଛତ୍ରବାଦର ପରିଚାୟକ।

Comments are closed.