ମାନସିକ ସ୍ବାସ୍ଥ୍ୟ ଆଇନର କାର୍ଯ୍ୟକାରିତା

ରାଜୀବ କର୍ମୀ

ମାନସିକ ସ୍ୱାସ୍ଥ୍ୟ ଯତ୍ନ ଆଇନ୍‍ ୨୦୧୭ ମସିହାରେ ପ୍ରଣୟନ ହେଲା ପରେ ଆଶା ଥିଲା ଏହାଦ୍ୱାରା ମାନସିକ ଅସୁସ୍ଥ ବ୍ୟକ୍ତି ଏବଂ ପରିବାରକୁ ଅନେକ ଉପଶମ ମିଳିବ। ଅସୁସ୍ଥତା ସହିତ ବଞ୍ଚୁଥିବା ଅନେକ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କର ଆଶା ପୂରଣ ହେବ; କିନ୍ତୁ ବିଗତ ଚାରି ବର୍ଷର ଅଭିଜ୍ଞତାରୁ ଏହା ପ୍ରତୀୟମାନ ହେଉନାହିଁ। ଚାରି ବର୍ଷ ବିତିଯାଇଥିଲେ ବି ବର୍ତ୍ତମାନ ସୁଦ୍ଧା ଏହି ଆଇନ୍‍ର କାର୍ଯ୍ୟକାରିତା ପାଇଁ କେନ୍ଦ୍ରୀୟ କିମ୍ବା ରାଜ୍ୟ ଅଧିନିୟମ ତିଆରି ହୋଇନାହିଁ। ରାଜ୍ୟ ମାନସିକ ସ୍ୱାସ୍ଥ୍ୟ ପ୍ରାଧିକରଣ ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହେଇନାହିଁ। ମାନସିକ ଅସୁସ୍ଥ ଏବଂ ପରିବାର ତ ପର କଥା, ଉକ୍ତ ଆଇନ୍‍ ବିଷୟରେ ସରକାରୀ ସ୍ତରରେ ବି ସଚେତନତା ନାହିଁ। ଫଳରେ ମାନସିକ ଅସୁସ୍ଥ ବ୍ୟକ୍ତି ଏବଂ ପରିବାର ଏଥିରୁ ଲାଭ ପାଇ ପାରୁନାହାନ୍ତି। ଅବଶ୍ୟ ବିଗତ ଦିନଗୁଡ଼ିକରେ ଜାତୀୟ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନେକ ପରିବର୍ତ୍ତନ ହୋଇଛି। ସବୁଠାରୁ ବଡ଼ କଥା ହେଲା ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ଓଡ଼ିଶାର ସବୁ ଜିଲାରେ ଚାଲିଛି। କର୍ମଚାରୀ ନିଯୁକ୍ତି ଓ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲା ସ୍ତରରେ ମାନସିକ ରୋଗର ଔଷଧ ଉପଲବ୍ଧ ପାଇଁ ଚେଷ୍ଟା କରାଯାଉଛି। କିଛି ଆଭ୍ୟନ୍ତରୀଣ ଅଞ୍ଚଳରେ ଅସ୍ଥାୟୀ ଚିକିତ୍ସା ଶିବିର ମାନ ଆୟୋଜନ କରାଯାଉଛି। ଉପରୋକ୍ତ ଆଇନ ଅନ୍ତର୍ଗତ ମାନସିକ ଅସୁସ୍ଥ ବ୍ୟକ୍ତି ଏବଂ ପରିବାରକୁ ଅଧିକାର ଦେବା ପାଇଁ ଜିଲା ମାନସିକ ସ୍ୱାସ୍ଥ୍ୟ ସମୀକ୍ଷା ପରିଷଦ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି।

ଉପରୋକ୍ତ ପରିଷଦ ଗଠନ ବେଳେ ମାନସିକ ରୋଗୀଙ୍କ ସଂଖ୍ୟା, ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରର ସଂଖ୍ୟା, ଜିଲାର ଲୋକସଂଖ୍ୟା ଏବଂ ଭୌଗୋଳିକ ସ୍ଥିତିକୁ ବିଚାରକୁ ନିଆଯିବ। ପରିଷଦର ଢାଞ୍ଚା ଅନୁସାରେ ଏଥିରେ ଜଣେ ଅଧ୍ୟକ୍ଷ ରହିବେ ଯିଏକି ଜଣେ ଜିଲା ନ୍ୟାୟାଧୀଶ କିମ୍ବା ତଦ୍ରୁପ ଯୋଗ୍ୟତା ଥିବା ବ୍ୟକ୍ତି କିମ୍ବା ଅବସର ପ୍ରାପ୍ତ ନ୍ୟାୟାଧୀଶ ହୋଇଥିବେ। ତାଙ୍କ ସହିତ ଜଣେ ଜିଲାପାଳଙ୍କ ପ୍ରତିନିଧି, ଜଣେ ମନୋଚିକିତ୍ସକ, ଜଣେ ଡାକ୍ତର, ଅସୁସ୍ଥ ବ୍ୟକ୍ତି କିମ୍ବା ଯତ୍ନକାରୀ କିମ୍ବା ମାନସିକ ଅସୁସ୍ଥ କିମ୍ବା ଯତ୍ନକାରୀଙ୍କ ସଂଗଠନ କିମ୍ବା ମାନସିକ ଅସୁସ୍ଥଙ୍କ ପାଇଁ କାମ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନର ଦୁଇଜଣ ପ୍ରତିନିଧି ରହିବାର ବ୍ୟବସ୍ଥା ଅଛି।

ଏହି ପରିଷଦର ସଦସ୍ୟ ଯେକୌଣସି ଅପରାଧରେ ଅପରାଧୀ ଘୋଷିତ ହେଲେ ତାଙ୍କର ସଦସ୍ୟତା ରଦ୍ଦ ହେବ। କେହି ଯଦି ଦେବାଳିଆ ଘୋଷିତ ହେବେ କିମ୍ବା ସରକାରୀ ସଂସ୍ଥାରୁ ବିତାଡ଼ିତ ହେବେ କିମ୍ବା ଆର୍ଥିକ ଅନିୟମିତତାରେ ସଂଶ୍ଳିଷ୍ଟ ଥିବେ କିମ୍ବା କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ଅଯୋଗ୍ୟତା ଆଧାରରେ ଅଯୋଗ୍ୟ ହେବେ, ତେବେ ତାଙ୍କର ସଦସ୍ୟତା ରଦ୍ଦ ହେବ। ଅଧ୍ୟକ୍ଷ କିମ୍ବା ଯେକୌଣସି ସଦସ୍ୟ ଚାହିଁବେ ପରିଷଦରୁ ନିଜ ତରଫରୁ ଜଣାଇ ଇସ୍ତଫା ଦେଇପାରିବେ ଏବଂ ଇସ୍ତଫା ଗ୍ରହଣ ହେଲା ପରେ ରାଜ୍ୟ ମାନସିକ ସ୍ୱାସ୍ଥ୍ୟ ପ୍ରାଧିକରଣ ସେହି ବର୍ଗର ଜଣେ ସଦସ୍ୟଙ୍କୁ ୨ ମାସ ମଧ୍ୟରେ ନିଯୁକ୍ତି ଦେବେ। ପରିଷଦର କାର୍ଯ୍ୟକାଳ ପାଞ୍ଚ ବର୍ଷ ରହିବ। ଜଣେ ଚାହିଁଲେ ଦ୍ୱିତୀୟ ଥର ପାଇଁ ମଧ୍ୟ ସଦସ୍ୟ ହୋଇ ପାରିବେ। କୌଣସି ସଦସ୍ୟଙ୍କ ବୟସ ସତୁରି ବର୍ଷ ପୂରଣ ହେଲେ ତାଙ୍କର ସଦସ୍ୟତା ଆପେ ଆପେ ସମାପ୍ତି ଘଟିବ। ରାଜ୍ୟ ମାନସିକ ସ୍ୱାସ୍ଥ୍ୟ ପ୍ରାଧିକରଣର ଅଧ୍ୟକ୍ଷ, ଜିଲା ସମୀକ୍ଷା ପରିଷଦର ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କୁ ନିଯୁକ୍ତି ଦେବେ। ଉକ୍ତ ପରିଷଦର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କର ପାରିଶ୍ରମିକ ସହିତ ଅନ୍ୟନ୍ୟ ଭତ୍ତା ଏବଂ ସେବା ନିୟମାବଳୀ କେନ୍ଦ୍ର ସରକାର ସ୍ଥିର କରିବେ।

ଯଦି କୌଣସି ମାନସିକ ରୋଗ ଚିକିତ୍ସାଳୟରେ ଅସୁସ୍ଥ ବ୍ୟକ୍ତିକୁ ଅବହେଳା କିମ୍ବା ତାଙ୍କର ଅଧିକାର କ୍ଷୁଣ୍ଣ କରାଯାଏ ତେବେ ସେହି ବ୍ୟକ୍ତି କିମ୍ବା ତାଙ୍କର ସ୍ୱୀକୃତ ପ୍ରତିନିଧି କିମ୍ବା ଅନୁମତି ପ୍ରାପ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲିଖିତ ଭାବରେ ପରିଷଦକୁ ସମାଧାନ ଏବଂ ସୁବିଧା ପାଇବା ପାଇଁ ଜଣାଇବେ। ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବ୍ୟକ୍ତି ସିଧାସଳଖ କିମ୍ବା ଫୋନ କରି ନିଜର ଅସୁବିଧା ପରିଷଦକୁ ଜଣାଇ ପାରିବେ। ଏହାର ସମସ୍ତ ପ୍ରକ୍ରିୟା ଭାରତୀୟ ପିଙ୍ଗଳ ସଂହିତା ଅନୁସାରେ ବୈଧ ହେବ। ପରିଷଦର ନିୟମିତ ବ୍ୟବଧାନରେ ବୈଠକ ବସିବ ଏବଂ ଯେ କୌଣସି ଅବେଦନର ଶୁଣାଣି ସାତରୁ ନବେ ଦିନ ମଧ୍ୟରେ ସମାପ୍ତ କରିବ। ଆବେଦନର ସମସ୍ତ ପ୍ରକ୍ରିୟା ଏବଂ ଶୁଣାଣି କ୍ୟାମେରା ସମ୍ମୁଖରେ କରିବାର ବ୍ୟବସ୍ଥା ହେବ। ଯଦି ଜଣେ ମାନସିକ ଅସୁସ୍ଥ ବ୍ୟକ୍ତି ଡାକ୍ତରଖାନାରେ ଚିକିତ୍ସିତ ହେତୁ ଉପସ୍ଥିତ ରହିପାରୁ ନାହିଁ ତେବେ ସେହି ଡାକ୍ତରଖାନାରେ ଏହାର ଶୁଣାଣି ବ୍ୟବସ୍ଥା କରାଯିବ ଏବଂ ନିଜ ଶୁଣାଣିର ନିଷ୍ପତ୍ତି ପାଞ୍ଚ ଦିନ ମଧ୍ୟରେ ଆବେଦନକାରୀଙ୍କୁ ଲିଖିତ ଭାବରେ ଜଣାଇ ଦିଆଯିବ।

ଅଗ୍ରୀମ ନି‌େ‌ର୍ଦଶାବଳୀର ସମୀକ୍ଷା କରିବା, ଅନୁମତିପ୍ରାପ୍ତ ପ୍ରତିନିଧି ନିଯୁକ୍ତି, ଡାକ୍ତରଖାନା ବିରୋଧରେ ଆସିଥିବା ଅଭିଯୋଗର ଶୁଣାଣି, ଅସୁସ୍ଥ ବ୍ୟକ୍ତିର ସୂଚନାର ଗୋପନୀୟତା ସମ୍ପର୍କିତ ଦରଖାସ୍ତର ଶୁଣାଣି, ଡାକ୍ତରଖାନାରେ ସେବା ଏବଂ ଯତ୍ନରେ ଅବହେଳା ସମ୍ପର୍କିତ ଅଭିଯୋଗର ବିଚାର ଓ କାରାଗାର ଭ୍ରମଣ ଏବଂ ପରିଦର୍ଶନ କରି କାରାଗାରରେ ଥିବା ମାନସିକ ଅସୁସ୍ଥଙ୍କ ବିଷୟରେ ପଚାରି ବୁଝିବା ଇତ୍ୟାଦି ଏହି ପରିଷଦର ମୁଖ୍ୟ ଦାୟିତ୍ୱ ରହିବ। ପରିଷଦ ଯେକୌଣସୀ ଅଭିଯୋଗ ପାଇଲା ପରେ ଉକ୍ତ ଡାକ୍ତରଖାନାକୁ ପରିଦର୍ଶନ କରି ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ କରିବେ ଏବଂ ସେହି ଡାକ୍ତରଖାନାକୁ ନିର୍ଦେଶନାମା ଜାରି କରିବେ। ଯଦି ଡାକ୍ତରଖାନା କର୍ତ୍ତୃପକ୍ଷ ନିର୍ଦେଶନାମାର ଅବଜ୍ଞା କରୁଛନ୍ତି ତେବେ ପରିଷଦ ଡାକ୍ତରଖାନାକୁ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନାରେ ଦଣ୍ଡିତ କରି ପାରିବେ। ଡାକ୍ତରଖାନା କର୍ତ୍ତୃପକ୍ଷ ଚାହିଁଲେ ଏହି ନିଷ୍ପତ୍ତି ବିରୋଧରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ପାରିବେ।

ଆଉମଧ୍ୟ ଏହି ଆଇନ ଅନୁସାରେ ରାଜ୍ୟ ସ୍ତରରେ ରାଜ୍ୟ ପ୍ରାଧିକରଣ ଏବଂ ଜାତୀୟ ସ୍ତରରେ କେନ୍ଦ୍ରୀୟ ପ୍ରାଧିକରଣ ଗଠନ କରାଯାଇଛି। ରାଜ୍ୟ ସ୍ତରରେ ସ୍ୱାସ୍ଥ୍ୟ ବିଭାଗର ସଚିବ, ଯୁଗ୍ମ-ସଚିବ ଏବଂ ନିର୍ଦେଶକ, ସାମାଜିକ କଲ୍ୟାଣ ବିଭାଗର ଯୁଗ୍ମ ସଚିବ, ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ଦେଶକ, ମନୋ-ଚିକିତ୍ସକ, ଜଣେ ମାନସିକ ସ୍ୱାସ୍ଥ୍ୟ ଉପରେ ଅଭିଜ୍ଞ ବ୍ୟକ୍ତି, ସୁସ୍ଥ ମାନସିକ ଅସୁସ୍ଥ ବ୍ୟକ୍ତି, ଅଭିଭାବକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଦସ୍ୟ ରହିବେ। ଏହି ପ୍ରାଧିକରଣର ମୁଖ୍ୟ ଦାୟିତ୍ୱ ରହିବ ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରର ପଞ୍ଜୀକରଣ, ସେମାନଙ୍କ ପାଇଁ ସେବା ଗୁଣବତ୍ତାର ମାର୍ଗଦର୍ଶିକା ଜାରି, ସମସ୍ତ ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରର ପରିଦର୍ଶନ ଏବଂ ସମୀକ୍ଷା କରି ଅଭିଯୋଗକୁ ଗ୍ରହଣ କରିବା ସହିତ ରାଜ୍ୟରେ ମାନସିକ ସ୍ୱାସ୍ଥ୍ୟ ଉପରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପଞ୍ଜୀକରଣ କରିବା। ମାନସିକ ସ୍ୱାସ୍ଥ୍ୟ ସେବାରେ ଜଡ଼ିତ ବ୍ୟକ୍ତି ବିଶେଷଙ୍କୁ ତାଲିମ ପ୍ରଦାନ କରିବା ଏବଂ ରାଜ୍ୟ ସରକାରଙ୍କ ତରଫରୁ ସମୟ ସମୟରେ ଦିଆଯାଉଥିବା କର୍ଯ୍ୟସବୁ। କେନ୍ଦ୍ରୀୟ ପ୍ରାଧିକରଣ ମଧ୍ୟ ଜାତୀୟ ସ୍ତରରେ ଉପରୋକ୍ତ ଦାୟିତ୍ୱ ପାଳନ କରିବାର ବ୍ୟବସ୍ଥା ରହିଛି।

ଉପରୋକ୍ତ ପରିଷଦ ଏବଂ ପ୍ରାଧିକରଣଗୁଡ଼ିକରେ ଅସୁସ୍ଥ ବ୍ୟକ୍ତି, ଯତ୍ନକାରୀ ଏବଂ ଏହା ଉପରେ କାର୍ଯ୍ୟ କରୁଥିବା ଅନୁଷ୍ଠାନଗୁଡ଼ିକୁ ଅଂଶଗ୍ରହଣର ସୁଯୋଗ ଦେବା ନିଶ୍ଚିତ ଭାବରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏମାନଙ୍କର ଭାଗୀଦାରିତା ସେତେବେଳେ ସଫଳ ହେବେ ଯେତେବେଳେ ସରକାର କେତୋଟି ବିଷୟ ପ୍ରତି ଧ୍ୟାନ ଦେବେ। ମାନସିକ ଅସୁସ୍ଥ ବ୍ୟକ୍ତି ଏବଂ ଯତ୍ନକାରୀଙ୍କୁ ସମ୍ମାନ ଓ ସମାନ ଭାବରେ ବିଚାର କରି ସେମାନଙ୍କର ମତକୁ ଗୁରୁତ୍ୱ ଦେବା ଦରକାର। ପରିଷଦରେ ତାଙ୍କର ଅଂଶଗ୍ରହଣ ନମୁନା ନ ହୋଇ ସକ୍ରିୟ ହେବା ସହିତ ସରକାର ଏଥିପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ଉଚିତ୍‍। ପରିଷଦର ନିୟମିତ ବୈଠକ ଏବଂ ନିରପେକ୍ଷ ବିଚାର ମଧ୍ୟ ଜରୁରୀ। ଏତଦ୍‍ ବ୍ୟତୀତ କେନ୍ଦ୍ର ସରକାର ଯେତେ ଶୀଘ୍ର ସମ୍ଭବ ଏହି ଆଇନର କେନ୍ଦ୍ରୀୟ ଏବଂ ରାଜ୍ୟ ଅଧିନିୟମ ଜାରି କଲେ ହିଁ ଆଇନ କାର୍ଯ୍ୟ କରିବାରେ ସହଜ ହେବ। ସବୁଠାରୁ ବଡ଼ କଥା ହେଲା ସରକାର ଏବଂ ପରିଷଦର ମାନସିକ ଅସୁସ୍ଥତା ପ୍ରତି ସକାରାତ୍ମକ ମନୋଭାବ ରହିଲେ ହିଁ ମାନସିକ ଅସୁସ୍ଥ ଏବଂ ତାଙ୍କ ପରିବାରକୁ ପ୍ରକୃତ ଉପଶମ ମିଳି ପାରିବ।

Comments are closed.