ଅନାଗତ ସମୟ ସମ୍ବନ୍ଧରେ

ଶରତ ଚନ୍ଦ୍ର ଶତପଥୀ

ଆସନ୍ତାକାଲି ଏକ ସ୍ବର୍ଣ୍ଣାଭ ସୂର୍ଯ୍ୟୋଦୟ କାଳରେ ଜଗତର ସବୁ ଦୁଃଖର ଅନ୍ତ ହେବ; ଏହା ହେଉଛି ପ୍ରତ୍ୟୟ, ବିଶ୍ବାସ ଉପରେ ଆଧାରିତ ସକାରାତ୍ମକ ଅନୁଚିନ୍ତା। ସମୟର ଅଚଞ୍ଚଳ ପ୍ରବାହରେ, ସବୁ ସମସ୍ୟାର ସୁଖଦ ଏବଂ ସ୍ବାଭାବିକ ସମାଧାନ ଅବଧାରିତ। ଏପରି ବିଶ୍ବାସର ଅନ୍ୟନାମ ହେଉଛି ‘ଆସ୍ଥା’, ମଣିଷର ବିଚଳିତ ମନ ଲାଗି ସ୍ଥିରତାର ଆଶ୍ରୟ ସୂତ୍ର। କେହି ଜଣେ, ଅବତାର ପୁରୁଷ ସବୁ ବିଷାଦର ବିନାଶ ଉଦ୍ଦେଶ୍ୟରେ, ଆଶା ଏବଂ ପରିପୂର୍ଣ୍ଣତାର ଆଲୋକ ଉତ୍ସ ଧରି ପ୍ରାୟ ସମାଗତ। ଏହାର ଅନ୍ୟନାମ ହେଲା ‘ଆଶ୍ବାସନା’, ଧୈର୍ଯ୍ୟ ଏବଂ ସହନଶୀଳତାର ସାଦର ପ୍ରତିବେଦନ। ଲକ୍ଷ୍ୟକଲେ ସହଜରେ ବୁଝିହେବ ଯେ, ଏହି କଥିତ ଉକ୍ତିଗୁଡ଼ିକ ଗୋଟିଏ ସୂତ୍ରରେ ଅନୁବନ୍ଧିତ, ଯାହାକୁ ଆମେ ଭବିଷ୍ୟତକାଳ ବୋଲି ନାମିତ କରିଥାଉ। ଆମର ଅନାଗତ କାଳ ସହ ପ୍ରତ୍ୟୟ, ଆସ୍ଥା ଓ ଆଶ୍ବାସନା ମାଧ୍ୟମରେ ଆମର ବର୍ତ୍ତମାନ ସମୟ ଏକ ସଂଯୋଗକାରୀ ସେତୁବନ୍ଧ ନିର୍ମାଣ କରିଥାଏ। ଏହି ସମ୍ପର୍କ ସେତୁର ସୁଦୃଢ଼ ନିର୍ମାଣ କେବଳ ଆଧ୍ୟାତ୍ମିକ ଜ୍ଞାନରୁ ସଂଭୂତ ସାମଗ୍ରୀଦ୍ବାରା ସମ୍ଭବ ହୁଏ। ଭୌତିକ ବିଜ୍ଞାନଦ୍ବାରା ପ୍ରଣୀତ ଅଥବା ସମର୍ଥିତ କୌଣସି ନିୟମ, ତତ୍ତ୍ବ ପ୍ରୟୋଗାତ୍ମକ ଦୃଷ୍ଟିରୁ ଏଠାରେ ଅଚଳ ବୋଲି ମାନି ନେବାକୁ ପଡ଼ିବ ନିଶ୍ଚୟ। ‘ଭବିଷ୍ୟତ କାଳ’ ଆମକୁ ଦେଇପାରେ ଦିବ୍ୟ ଆନନ୍ଦର ପ୍ରତିଶ୍ରୁତି ଓ ଅନନ୍ୟ ଅନୁଭୂତି। ସେହିସବୁ ମଧ୍ୟରୁ ଆମର ଆତ୍ମପୁରୁଷକୁ ମିଳିପାରେ ବହୁ ଅନୁପ୍ରେରଣା, ଯାହାକି ସାଂସାରିକ କ୍ଷେତ୍ରରେ, ସୁଖଦୁଃଖ, ହସକାନ୍ଦ ଏବଂ ଅନ୍ୟାନ୍ୟ ଝଡ଼ଝଞ୍ଜା ସହି ସମ୍ଭାଳି ଜୀବନ ବଞ୍ଚିବାରେ ଆମକୁ ସହଯୋଗ ଓ ସାହସ ଦେଇଥାଏ। ଏହା ସର୍ବଜନ ବିଦିତ ସତ୍ୟ ଯେ, ଆମର ଦୁଃଖକଷ୍ଟ ସବୁ କେବଳ ବର୍ତ୍ତମାନ କାଳରେ ହିଁ ସୀମିତ। ଆମର ଯେତେସବୁ ଭୋଗ-ଅନିଭୋଗ ସେ ସବୁ କେବଳ ଦେହଜ ଏବଂ ବର୍ତ୍ତମାନ ସମୟର ସଂଜ୍ଞା ବହନ କରିଥାନ୍ତି। ‘କର୍ମ କଷଣ ଦେହ ସହେ’ ଜୀବନର ନିଷ୍କର୍ଷ ପ୍ରତିପାଦନ କରିଥାଏ। ଭବିଷ୍ୟତକୁ ସ୍ବୀକାର କରିବା ଫଳରେ ଆମର ଅଙ୍ଗୀକାରବଦ୍ଧତା ଆସେ ଯେ ଆମେ ସତ୍‌କର୍ମରେ ପ୍ରବୃତ୍ତି ଏବଂ ଅସତ୍‌କର୍ମରେ ନିବୃତ୍ତି ଧର୍ମ ପାଳନ କରିବୁ। କର୍ତ୍ତବ୍ୟ ପଥରେ କ୍ଷୟିଷ୍ଣୁ ଦେହ ଜଳିପୋଡ଼ି ଅଙ୍ଗାର ହୋଇଯାଇପାରେ, କିନ୍ତୁ ଆତ୍ମପୁରୁଷ ସୁବର୍ଣ୍ଣ ରଙ୍ଗରେ ଝଟକୁଥାଉ।

ଆଜିକାଲି ପିଲାଙ୍କ ବ୍ୟାକରଣ ବହିରୁ ଭବିଷ୍ୟତକାଳ ପରିଚିତ କରୁଥିବା କ୍ରିୟାପଦଗୁଡ଼ିକୁ ଲୋପକରି ଦିଆଗଲାଣି। ଯେପରି ସମୁଦାୟ ସମୟ କେବଳ ନିତ୍ୟ ପ୍ରବୃତ୍ତ ବର୍ତ୍ତମାନ ସମୟରେ ସୀମାବଦ୍ଧ। ଆସନ୍ତାକାଲିର ନବରାଗର ସୂ‌େ‌ର୍ଯ୍ୟାଦୟକୁୁ ପ୍ରତ୍ୟକ୍ଷକରି ରାତିକର ଦୁଃଖ ସହି ନେବାକୁ କେହି ପ୍ରସ୍ତୁତ ନୁହନ୍ତି। ତୁଳନାତ୍ମକ ଦୃଷ୍ଟିରୁ ଦେଖିବାକୁ ଗଲେ ସ୍ବଇଚ୍ଛାରେ ଆମେ ସମସ୍ତେ, ନିଜକୁ ନାଟ୍ୟକାର କ୍ରିଷ୍ଟୋଫର ମାର୍ଲୋ (୧୫୬୪-୧୫୯୩) ରଚନା କରିଥିବା ଚରିତ୍ର ଡକ୍ଟର ଫଷ୍ଟସଙ୍କ ଆଦର୍ଶରେ ଦୀକ୍ଷିତ କରିବା ନିମିତ୍ତ ଦୃଢ଼ ପରିକର; କିନ୍ତୁ ଫଷ୍ଟସଙ୍କର ଶେଷ ପରିଣତି ମଧ୍ୟ ପ୍ରଣିଧାନ କରାଯିବା ବିଧେୟ। ତା’ ନହେଲେ ‘ଭବିଷ୍ୟତ କାଳ’ର ପ୍ରକୃତ ମୂଲ୍ୟ ବୁଝ ିହେବନାହିଁ। ଡକ୍ଟର ଫଷ୍ଟସ, ସେହି ନାମରେ ନାଟକରେ ଆବିର୍ଭୂତ ଏକ ଯୁଗାନ୍ତକାରୀ, ବିସ୍ମୟ ଚରିତ୍ର। ଏଲିଜାବେଥ୍‌ ଯୁଗରେ, ନବଜାଗରଣ କାଳରେ, ସେହି ସମୟର ସମସ୍ତ ଜ୍ଞାନ ବିଜ୍ଞାନର ସେ ଏକ ଚଳନ୍ତି ସଂସ୍କରଣ ରୂପେ ପରିକଳ୍ପିତ। ସେ ସର୍ବଜ୍ଞାନୀ ସର୍ବଗୁଣ ସଂପନ୍ନ ଏକ ପରିପୂର୍ଣ୍ଣ ବ୍ୟକ୍ତିତ୍ବ। ସେ ବିଶ୍ବବିଦ୍ୟାଳୟରୁ ଗବେଷଣାରେ ଡକ୍ଟର ଉପାଧି ଲାଭ କରିଥିଲେ। ତାଙ୍କର ବିଦ୍ୟାବୁଦ୍ଧିର ସୀମା ଥିଲା ବିସ୍ତୀର୍ଣ୍ଣ। ସେଥିଲେ ବାକ୍‌ପଟୁ, ଧର୍ମଶାସ୍ତ୍ରରେ ଧୁରୀଣ, ଚିକିତ୍ସା ବିଦ୍ୟାରେ ପ୍ରବୀଣ, ଯଶସ୍ବୀ ଦାର୍ଶନିକ, ବିଚକ୍ଷଣ ତତ୍ତ୍ବଦର୍ଶୀ ଓ ତର୍କଶାସ୍ତ୍ରରେ ବିଶାରଦ ତଥା ସୁଦକ୍ଷ ଆଇନଜ୍ଞ। ସେ ମଧ୍ୟ ଅନ୍ତରୀକ୍ଷର ସ୍ଥିତି, ଗ୍ରହନକ୍ଷତ୍ରମାନଙ୍କୁ ଅବସ୍ଥିତି ଓ ଗତି ସମ୍ବନ୍ଧରେ ଆଗ୍ରହୀ ଥିଲେ। ତାଙ୍କର ଅନୁସନ୍ଧିତ୍ସା, ମରୁତୃଷ୍ଣା ଭଳି ଅନ୍ତହୀନ ଓ ସନ୍ତୋଷହୀନ ମନେ ହେଉଥିଲା। ସେ ଥିଲେ ଅପରାଜେୟ, ମହିମାମଣ୍ଡିତ, ଯଶକୀର୍ତ୍ତିରେ ପରିପୂର୍ଣ୍ଣ ବ୍ୟକ୍ତି। ଏପରି ବିଦ୍ୟାବନ୍ତ ମଣିଷର ପର୍ଯ୍ୟାକ୍ରମେ ଉତ୍‌ଥାନ-ପତନର ଧାରା ଅନୁଶୀଳନ କରି ବସିଲେ ଆଜିର ମଣିଷର ବିକାଶ, ବିବର୍ତ୍ତନ ଏବଂ ଅବଶ୍ୟାମ୍ଭାବୀ ବିନାଶର ସ୍ପଷ୍ଟଚିତ୍ର ଦେଖିବାକୁ ମିଳିଥାଏ। ଫଷ୍ଟ୍‌ସଙ୍କର ଜ୍ଞାନଗରିମାଠାରୁ ଯଥେଷ୍ଟ ଅଧିକ ବୁଦ୍ଧି ଓ କ୍ଷମତାର ଭଣ୍ଡାର ଉପଲବ୍ଧି ଓ ସାଧନ ଆଜି ମଣିଷ ପାଖରେ ଗଚ୍ଛିତ ଅଛି ଏବଂ ଏହାର ପରିମାଣ ପ୍ରତି ମୁହୂର୍ତ୍ତରେ ସ୍ଫୀତ ହେବାରେ ଲାଗିଛି। ଜଳ, ସ୍ଥଳ, ବନ, ଗିରି, ଆକାଶରେ ନିଜର ପ୍ରଚଣ୍ଡ କ୍ଷମତାର ପ୍ରଦର୍ଶନ ପରେ ମଣିଷ ଏବେ ଅନ୍ତରୀକ୍ଷରେ ପରିଭ୍ରମଣରେ ବ୍ୟସ୍ତ ଏବଂ ଗ୍ରହାନ୍ତରରେ ଉପନିବେଶ ସ୍ଥାପନ ନିମିତ୍ତ ଯୋଜନା ଗଢ଼ିବାରେ ନିମଜ୍ଜିତ। ଆଧୁନିକ ମଣିଷ ଡକ୍ଟର ଫଷ୍ଟସଙ୍କର, ପରିବର୍ଦ୍ଧିତ, ପରିମାର୍ଜିତ ଏକ ନୂତନ ଓ ବିଶାଳ ସଂସ୍କରଣ ବୋଲି ପ୍ରତୀତ ହେଉଛି। ସଫଳତା, ଶ୍ରଦ୍ଧା, ସମ୍ମାନ ଓ ସ୍ବୀକୃତିର ଶୀର୍ଷରେ ପହଞ୍ଚିଥିବା ଫଷ୍ଟସ ହଠାତ୍‌ ନିଜ ଦ୍ବାରା ନିର୍ମିତ ଅହଂଭାବର ଚକ୍ରବ୍ୟୂହରୁ ନିଜକୁ ମୁକ୍ତ କରିବାକୁ ସତତ ଅସମର୍ଥ ହେଲେ। ସେ ଭାବିଲେ, ତାଙ୍କର ସମୁଦାୟ ସିଦ୍ଧି ଓ ସଫଳତା ତାଙ୍କ ଭଳି ଜଣେ ଅପୂର୍ବ ମହିମାମଣ୍ଡିତ ମହାନ ବ୍ୟକ୍ତିତ୍ବ ଲାଗି ଯଥେଷ୍ଟ ହୋଇନପାରେ। ଆହୁରି ଅଧିକ ଲୋଡ଼ା। ଏହା ମଧ୍ୟ ଆଧୁନିକ ମଣିଷର ସମସ୍ୟା। ସହଜରେ ବୁଝିହୁଏ ଯେ ଫଷ୍ଟ୍‌ସ ଏବଂ ଆଧୁନିକ ମଣିଷ ଉଭୟ, ନିଜ ନିଜର ଅହଂକାର ଦ୍ବାରା (ଯାହାକୁ ନାଟକ ଭାଷାରେ ‘ହ୍ୟୁବ୍ରିସ’ କୁହାଯାଏ) ଆକ୍ରାନ୍ତ ଏବଂ ଅଯୌକ୍ତିକ ଉଚ୍ଚାକାଂକ୍ଷା ଦ୍ବାରା କବଳିତ। ଉଭୟ ବିପଦପୂର୍ଣ୍ଣ ନୈତିକ ପତନର ରାସ୍ତାରେ ସମାନ ଧାରାରେ ଗତିଶୀଳ। ଫଷ୍ଟ୍‌ସ ଈଶ୍ବରଙ୍କୁ ପରିତ୍ୟାଗ କରନ୍ତି, ନିଜର ଭବିଷ୍ୟତକୁ ଅସ୍ବୀକାର କରନ୍ତି। ନିଜର ଆତ୍ମପୁରୁଷର ଅନାଗତ ପରିଣତି ସମ୍ବନ୍ଧରେ ଅଯଥା ସନ୍ଦେହ ପ୍ରକାଶ କରନ୍ତି। ଅହଂକାର ଦ୍ବାରା ନିୟନ୍ତ୍ରିତ ହୋଇ ସେ ସ୍ବାଭାବିକ କ୍ରିୟାରେ ମୃତ୍ୟୁବରଣ କରିଥିବା ମଣିଷକୁ ଜୀବିତ କରିପାରିବାର ମାନବୀୟ ଅକ୍ଷମତାକୁ ନିଜର ଅପୂର୍ଣ୍ଣତା ବୋଲି ବିଚାରକରନ୍ତି।

ସମୟ ଦ୍ବାରା ସମ୍ପାଦିତ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକୁ ନିୟନ୍ତ୍ରିତ ବା ପ୍ରତିହତ କରି ନପାରିବାର ଅସଫଳତାକୁ ମଣିଷର ଜ୍ଞାନବୁଦ୍ଧିର ଅଭାବ ଓ ଅକ୍ଷମଣୀୟ ଅସହାୟତା ବୋଲି ବିଚାର କରନ୍ତି। ତାଙ୍କ ଜୀବଦ୍ଦଶାର ସାମଗ୍ରିକ ସାତ୍ତ୍ବିକ ବ୍ୟକ୍ତିଗତ ଉପଲବ୍ଧିକୁ ଅସ୍ବୀକାର କରି ସେ ଖୋଜି ବସନ୍ତି ପ୍ରଚୁର ଉନ୍ମାଦନା। ଜ୍ଞାନଭକ୍ତିରୁ ଉପଲବ୍ଧ ଗଭୀର ସ୍ଥିତପ୍ରଜ୍ଞତା ପରିତ୍ୟାଗ କରି ସେ ଅନୁସନ୍ଧାନ କରନ୍ତି ଉତ୍ତେଜନା ପ୍ରଦାୟୀ, ବିଳାସିତ ଇନ୍ଦ୍ରିୟାନୁଭୂତି। ଆଧୁନିକ ମଣିଷର ମଧ୍ୟ ସମାନ ଦଶା ଓ ସେହି ଏକା ପ୍ରକାରର ଅନ୍ବେଷା। ସବୁ ଜ୍ଞାନ, ବିଜ୍ଞାନ, ସାହିତ୍ୟ, ଦର୍ଶନର ଉଚ୍ଚମାନର ଅନୁଭବ ପରେ ମଧ୍ୟ। ସେ ଆଜି ଜୀବନ କ୍ଷେତ୍ରରେ ଅସ୍ଥିର, ମ୍ରିୟମାଣ, ଅସଂଯତ ଏବଂ ନୂତନ ଚମତ୍କାରିତାର ସ୍ବାଦ ପାଇବାକୁ ବ୍ୟଗ୍ର, ଅଭିରୁଚିରେ, ଜୀବନ ପ୍ରତି ଆଭିମୁଖ୍ୟରେ। ଜୀବନର ସନ୍ତୁଳନ ରକ୍ଷାକବଚ ‘ଭବିଷ୍ୟତକାଳ’ ମାନସପଟରୁ କାହିଁ କେତେ କାଳରୁ ନିଶ୍ଚିହ୍ନ ହୋଇସାରିଥିବା ମନେହୁଏ। ମଣିଷ ଆଜି କେବଳ ବର୍ତ୍ତମାନ ଲାଗି ବଞ୍ଚିରହିବାରେ ଲିପ୍ତ। ଚବିଶଟି ବର୍ଷର ଇନ୍ଦ୍ରିୟ ସମ୍ଭୋଗ ପାଇବା ନିମିତ୍ତ, ନିଜର ଭବିଷ୍ୟତକୁ, ଆତ୍ମପୁରୁଷକୁ, ଫଷ୍ଟସ ଚିରକାଳ ଲାଗି ନର୍କବାସରେ ଯିବାଲାଗି, ନିଜ ରକ୍ତରେ ସ୍ବାକ୍ଷରକରି ଦଲିଲ ସମ୍ପାଦନ କରିଦେଲେ। ବହୁବହୁ ଯୋଗ୍ୟତା ମାନପତ୍ରରେ ବିଭୂଷିତ ଫଷ୍ଟସ ନିଜ ଆତ୍ମବଡ଼ିମାର ଦାସ ହୋଇ ବୁଝିପାରିଲେ ନାହିଁ ଯେ ମାତ୍ର ଚବିଶବର୍ଷର ସମୟ ଅନନ୍ତକାଳ ପରିପ୍ରେକ୍ଷୀରେ ଗୋଟିଏ କ୍ଷୁଦ୍ର ବିନ୍ଦୁର ମାନ୍ୟତା ମଧ୍ୟ ବହନ କରିବାକୁ ଅସମର୍ଥ। ସମୟ ସମୁଦ୍ରରେ ସାମାନ୍ୟ ଜଳବୁଦ୍‌ବୁଦ କେବଳ। ଆଜିର ମଣିଷ ମଧ୍ୟ ଫଷ୍ଟସଙ୍କର ବିଶ୍ବସ୍ତ, ବଶଂବଦ ଅନୁଗାମୀ। ମଣିଷ ଲାଗି ଧର୍ମ ଏକ ପୁରୁଣାକାଳିଆ ଜୀର୍ଣ୍ଣ ଅଭ୍ୟାସ। ତେଣୁ ପରିହାର୍ଯ୍ୟ। ନୀତି, ନୈତିକତା ଏ ସବୁ ସର୍ବଦା ଆପେକ୍ଷିକ, ତେଣୁ ସ୍ଥିତି ଅନୁସାରେ ପରିବର୍ତ୍ତନୀୟ। ମାନବିକତା ଏକ ସଂପୂର୍ଣ୍ଣ ଅର୍ଥହୀନ ଶବ୍ଦଚିତ୍ର ଏବଂ ‘ଦୟା’ ‘କ୍ଷମା’ ଇତ୍ୟାଦି ଅଦରକାରୀ ମାନସିକ ଦୁର୍ବଳତାର ପରିଭାଷା ମାତ୍ର। ମଣିଷର ମୂଲ୍ୟବୋଧର ସଂଜ୍ଞା ବହୁକାଳରୁ ପରିବର୍ତ୍ତିତ ହୋଇସାରିଛି। ଏପରି ଭାବନା ମନକୁ ସ୍ବତଃ ଆସିଯାଏ। ଚମତ୍କାରିତା ସନ୍ଧାନରେ ବାହାରିଥିବା ଫଷ୍ଟ୍‌ସ ନିଜ ଦୁନିଆରେ କେବଳ ବିଶୃଙ୍ଖଳା ହିଁ ସୃଷ୍ଟି କରି ଚାଲିଥିଲେ। ନିଜର ସଦ୍ୟପ୍ରାପ୍ତ ପାପଜାତ ଆସୁରିକ କ୍ଷମତା ବଳରେ ବର୍ତ୍ତମାନ ମଣିଷକଥା ବିଚାରକୁ ନିଆଯାଇପାରେ। ଆମ ପୃଥିବୀରେ, ପରମାଣୁ ଅସ୍ତ୍ରଠାରୁ କୋଭିଡ୍‌ ଭୂତାଣୁ ପର୍ଯ୍ୟନ୍ତ ସବୁକିଛି ଅଘଟଣ ଫଷ୍ଟ୍‌ସଙ୍କ ଦୁନିଆର ରୀତିନୀତି ସହ ସମାନତା ରକ୍ଷା କରିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏହା ସବୁ ମଣିଷର କୃତକର୍ମର ଫଳ, ନିଜସ୍ବ ସଂରଚନା। ସ୍ବଳ୍ପ ସମୟ ବ୍ୟବଧାନରେ ଫଷ୍ଟସ ମହିମାନ୍ବିତ ଆସନରୁ, ‘ଶଠ’ ପ୍ରତାରକ ଚରିତ୍ରରେ ପରିବର୍ତ୍ତିତ ହୋଇଥିଲେ। ସମାନ୍ତରାଳ ଭୂମିକାରେ ମଣିଷ ଆଜି ତା’ର ପରିଚୟ, ଦେବତ୍ବର ସଂକ୍ଷିପ୍ତ ସଂସ୍କରଣ ଲାଗି। ନିଜକୁ ସଂପୂର୍ଣ୍ଣ ଅନୁପଯୁକ୍ତ ବୋଲି ଘୋଷଣା କରିସାରିଛି। ଫଷ୍ଟସଙ୍କର ମନୋରଞ୍ଜନ ନିମିତ୍ତ ସାତ ଗୋଟି ପାପ ମୂର୍ତ୍ତିମନ୍ତ ହୋଇ ନିଜନିଜର ଗୁଣକର୍ମର ବଖାଣ ମାଧ୍ୟମରେ ନୃତ୍ୟନାଟିକା ପ୍ରସ୍ତୁତ କରିିଥିଲେ। ସେମାନେ ହେଲେ ଅହଂକାର, ବିଳାସ ବା ଲୋଲୁପତା, ଈର୍ଷା, କ୍ରୋଧ, ଜିହ୍ବା ଲାଳସାରେ ଅତି ଭୋଜନ, ଆଳସ୍ୟ ଏବଂ କର୍ମକାତରତା। ଏହାର ମର୍ମ ହେଲା, ଫଷ୍ଟ୍‌ସ ନିଜ ଆତ୍ମାର ବିକଳ୍ପ ସଉଦା ପରେ, ବର୍ତ୍ତମାନଠାରୁ ଏହି ପାପମାନଙ୍କର ଗୁଣ ଲକ୍ଷଣଯୁକ୍ତ ହୋଇ ପାପପଥରେ ପରିଚାଳିତ ହେବେ। ଚିନ୍ତା କରିବାର କଥା, ନବ୍ୟଯୁଗର ମଣିଷ, ଏହି ତାଲିକାରେ ସ୍ଥାନିତ କେଉଁ ପାପ କବଳରୁ ନିଜକୁ ନିରାପଦ ରଖିବାକୁ ସମର୍ଥ ଅଟେ କି? ବରଂ ଏମାନଙ୍କୁ ‘ପାପ’ ବୋଲି ଗ୍ରହଣ କରିବାକୁ ସେ ଅସ୍ବୀକାର କରୁଛି। ଏହି କ୍ଷେତ୍ରରେ ଫଷ୍ଟସ ଓ ମଣିଷ ଏକ ଓ ଅଭିନ୍ନ ମନେହୁଅନ୍ତି। ନର୍କର ଦୂତ ମେଫିଷ୍ଟୋଫିଲିସ ଭାଷାରେ, ନର୍କ (ଏବଂ ପ୍ରକାରାନ୍ତେ ସ୍ବର୍ଗ) କୌଣସି ମାନଚିତ୍ରରେ ଚିହ୍ନିତ ସୀମିତ ଭୌଗୋଳିକ ଭୂଖଣ୍ଡ ନୁହେଁ। ସ୍ବର୍ଗ ଓ ନର୍କ ବ୍ୟକ୍ତିର କୃତକର୍ମର ନ୍ୟାୟିକ ପରିଣତି। ତେଣୁ ନର୍କଯନ୍ତ୍ରଣା (ଅଥବା ସ୍ବର୍ଗସୁଖ) ଏକ ସମୟାତୀତ, ନିରନ୍ତର ଅନୁଭବ। ସେଥିରୁ ମୁକ୍ତି କିମ୍ବା ଅବ୍ୟାହତି ନେବାର କୌଣସି ସୁଯୋଗ ବା ସମ୍ଭାବନା ମଧ୍ୟ ନାହିଁ। ସ୍ବର୍ଗ ଯଦି ନୀତିରେ ପ୍ରକୃତି ଏବଂ ଅନୀତିରେ ନିବୃତ୍ତି ଆଚରଣର ଶେଷଫଳ ହୁଏ, ନର୍କବାସ ଏହାର ବିପରୀତ ସ୍ଥିତିର ଚିତ୍ର ପ୍ରଦାନ କରିଥାଏ। ଫଷ୍ଟସ ତାଙ୍କର ଭବିଷ୍ୟତକାଳର ଯେଉଁ ଅସତ ଉପଯୋଗ କରିବସିଲେ, ତା’ର ଶେଷ, ଫଳ ବିଷମୟ ହେବା ପ୍ରଥମରୁ ଅବଧାରିତ। କାରଣ ସତପଥକୁ ପ୍ରତ୍ୟାବର୍ତ୍ତନର ସମସ୍ତ ପ୍ରକରଣ ଯଥା ଆପଣା ମନ୍ଦକର୍ମ ନିମିତ୍ତ ପ୍ରଭୂତ ପଶ୍ଚାତ୍ତାପ ଓ ଈଶ୍ବରଙ୍କ ନିକଟରେ କ୍ଷମାପ୍ରାର୍ଥନା ଏବଂ ଶରଣ ଭିକ୍ଷା, ଫଷ୍ଟସ ମଦମତ୍ତ ହୋଇ ଭୁଲି ସାରିଥିଲେ। ନର୍କଯାତ୍ରାର ଅବ୍ୟବହିତ ପୂର୍ବରୁ ସେ ଖୋଜିଥିଲେ ଟ୍ରୟ ନଗରୀର ଏକଦା ଅନିନ୍ଦ୍ୟ ରୂପସୀ ହେଲେନଙ୍କ ସାନ୍ନିଧ୍ୟ। ରୂପକଳ୍ପ ଦୃଷ୍ଟିରୁ ହେଲେନ୍‌ ମଣିଷର ସମୁଦାୟ ଇନ୍ଦ୍ରିୟ ସୁଖର ଶ୍ରେଷ୍ଠତମ ଭୋଗ୍ୟବସ୍ତୁ। କିନ୍ତୁ ଫଷ୍ଟସ ଯାହାକୁ ହେଲେନ ବୋଲି ଗ୍ରହଣ କରିଥିଲେ, ସେ ଥିଲା ଏକ ପ୍ରେତର ଛଦ୍ମବେଶ। ସାରକଥା ହେଲା, ଇନ୍ଦ୍ରିୟ ବିଳାସ, ଯେତେ ଲୋଭନୀୟ ହେଲେ ମଧ୍ୟ, ନିଚ୍ଛକ ମାୟା, ଇନ୍ଦ୍ରଜାଲର କୁହୁକ। ଆଜିର ମଣିଷ ମଧ୍ୟ, କ୍ଷଣିକ ଇନ୍ଦ୍ରିୟ ସୁଖର ମାୟାରେ ନିଜର ଇହକାଳ ଓ ପରକାଳକୁ ନଷ୍ଟକରି ବସୁଛି। ଜୀବନସାରା ମିଳୁଛି ଅବସାଦ, ହତାଶା, ପରାଜୟ ବୋଧ; ପରକାଳ ଲାଗି ତ ଫଷ୍ଟସଙ୍କ ବାସସ୍ଥାନ ଓ ଅନୁଭବ ସୁନିଶ୍ଚିତ ଥିଲା ଭଳି ମନେ ହେଉଛି, ଏବଂ ଏହା ଅନ୍ତହୀନ ମଧ୍ୟ।

ପରିଶେଷରେ ଆମ ବୈଦିକ କର୍ମ ‘ଶାନ୍ତିପାଠ’ର ଶ୍ଳୋକ- ‘ସର୍ବେ ଭବନ୍ତୁ ସୁଖିନଃ…..’ ବିଚାର୍ଯ୍ୟ। ସମଗ୍ର ମଣିଷଜାତି ନିମିତ୍ତ, ଭାରତୀୟ ଦର୍ଶନର ଏହା ଏକ ଉନ୍ମୁକ୍ତ, ଆତ୍ମିକ ଅଭିବ୍ୟକ୍ତି। ଏକପଦରେ ଏହାକୁ କୁହାଯାଇପାରିବ ‘ବାଞ୍ଛା’ ଏବଂ ଏହା ମଧ୍ୟ ଭବିଷ୍ୟତ କାଳ ସହ ଅନୁବନ୍ଧିତ। ଆଶା କରାଯାଇପାରେ, ଆଜିର ମଣିଷର ‘ଭବିଷ୍ୟତ କାଳ’ର ପୁନଃ ମୂଲ୍ୟାୟନ କରିବାକୁ ଅଚିରେ ସମର୍ଥ ହେବ ଏବଂ ଫଷ୍ଟସ କେବଳ ବିଫଳତାର ରୂପକଳ୍ପ ହୋଇ ନାଟକରେ ସୀମାବଦ୍ଧ ରହିବେ।

Comments are closed.