ଜ୍ଞାନ ଅର୍ଥନୀତି

ସୂର୍ଯ୍ୟମଣି ବେହେରା

ଜ୍ଞାନ ଅର୍ଥନୀତି ବା ଇଂରାଜୀରେ ଯାହାକୁ ନଲେଜ ଇକୋନେମି ବୋଲି କୁହାଯାଏ, ସେ କଥା ଭାବିଲା ବେଳକୁ ବିଜ୍ଞାନର ବିକାଶ କଥା ସ୍ବତଃ ମନକୁ ଆସିଯାଏ। ସମସ୍ତେ ଜାଣନ୍ତି ବିଜ୍ଞାନ ଓ ବିକାଶ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ବ। ସେଇଥିପାଇଁ ଯଥାର୍ଥରେ କୁହାଯାଇଥାଏ- ମଣିଷ ସଭ୍ୟତାର ବିକାଶ ଏବଂ ବୈଷୟିକ ଜ୍ଞାନର ଗୁରୁତ୍ବପୂର୍ଣ୍ଣ ଭୂମିକା ମଧ୍ୟରେ ସମନ୍ବୟ ରକ୍ଷା ସର୍ବଦା ଗୁରୁତ୍ବପୂର୍ଣ୍ଣ। ବିଜ୍ଞାନ ବିନା ଜୀବନଯାପନ କରିବା ସମ୍ଭବ ନୁହେଁ। ଯଦି ଆଜି ମଣିଷ ସଭ୍ୟତାର ଶିଖରରେ ପହଞ୍ଚି ପାରିଛି, ତେବେ ତାହା ହେଉଛି କେବଳ ବିଜ୍ଞାନର ଅବଦାନ ପାଇଁ। ଏଣୁ ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟ ଅଥବା ବିଶ୍ବବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଗଣ ବିଜ୍ଞାନ ଶିକ୍ଷାରେ ମନୋନିବେଶ କରିବା ସହିତ ବୈଜ୍ଞାନିକ ମନୋବୃତ୍ତି ନେଇ ଜୀବନରେ ଆଗକୁ ବଢ଼ିବା ଉଚିତ।

ବିଜ୍ଞାନ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ତିରିଶଗୋଟି ଜିଲାରେ ଗୋଟିଏ ଗୋଟିଏ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ସ୍ଥିର କରିଛନ୍ତି। ଏହା ସହିତ ପର୍ଯ୍ୟାୟ କ୍ରମେ ଅଧିକରୁ ଅଧିକ ପ୍ଲାନେଟାରିୟମ୍‌ ସ୍ଥାପନ କରିବା ପାଇଁ ସରକାର ଯୋଜନା କରି କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହା ହେଉଛି ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ବିଜ୍ଞାନ ପାଇଁ ସଚେତନତା ସୃଷ୍ଟି କରିବାର ଗୋଟିଏ ଦିଗ। ତଥାପି ସାମ୍ପ୍ରତିକ ପରିସ୍ଥିତିରେ ଯେଉଁ ଡିଜିଟାଲ ଯୁଗର ପ୍ରବର୍ତ୍ତନ ଆରମ୍ଭ ହୋଇଛି, ସେତିକିବେଳେ ଓଡ଼ିଶାରେ ମଧ୍ୟ ବିଜ୍ଞାନ ଓ ବୈଷୟିକ ଶକ୍ତିର ପ୍ରୟୋଗରେ ଏକ ଜ୍ଞାନ ଅର୍ଥନୀତି ଦିଗରେ ଅଗ୍ରସର ହେଉଛି ବୋଲି ପ୍ରତୀୟମାନ ହେଲାଣି। ଏହି ଆହ୍ବାନର ବଶବର୍ତ୍ତୀ ହୋଇ ବର୍ତ୍ତମାନର ସରକାର ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ ଶିକ୍ଷାର ବିକାଶ ପାଇଁ ବିଶେଷ କରି ଅଧିକରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ଶିକ୍ଷା ପ୍ରତି କିପରି ଆକୃଷ୍ଟ ହୋଇ ସେହି ଦିଗରେ ପରିଚାଳିତ ହେବେ ସେଥିପାଇଁ ଅଧିକ ସୁବିଧା ସୁଯୋଗ ସୃଷ୍ଟି କରିଚାଲିଛି। ଏପରି ହେଲେ ସମାଜରେ ବୈଜ୍ଞାନିକ ମନୋବୃତ୍ତି ବୃଦ୍ଧି ପାଇବ ଏବଂ ଅନ୍ଧବିଶ୍ବାସ କୁସଂସ୍କାର ଦୂରୀଭୂତ ହେବା ସଙ୍ଗେ ସଙ୍ଗେ ଉନ୍ନତ କୃଷି ପ୍ରଣାଳୀ ତଥା ବୈଜ୍ଞାନିକ ମନୋଭାବପୂର୍ଣ୍ଣ ଜୀବନଶୈଳୀକୁ ମଧ୍ୟ ଆପଣାଇବେ।

ଜ୍ଞାନ ଅର୍ଥନୀତିର ଦୃଢ଼ ଭିତ୍ତିଭୂମି ପାଇଁ ଶିଶୁଙ୍କୁ ସର୍ବପ୍ରଥମେ ବିଜ୍ଞାନଭିତ୍ତିକ ମାର୍ଗ ଦର୍ଶନ ନିଶ୍ଚିତ ଭାବେ ଗୁରୁତ୍ବପୂର୍ଣ୍ଣ। ତେବେ ଆଗାମୀ ପିଢ଼ିର ନାଗରିକଙ୍କ ପାଇଁ ବିଶେଷ କରି ଶିଶୁଙ୍କ ପାଇଁ ବିଜ୍ଞାନ, କିଶୋରକିଶୋରୀଙ୍କ ପାଇଁ ବିଜ୍ଞାନ, ଯୁବକ-ଯୁବତୀଙ୍କ ପାଇଁ ବିଜ୍ଞାନ, ପ୍ରୌଢ଼-ପ୍ରୌଢ଼ାଙ୍କ ପାଇଁ ବିଜ୍ଞାନ ଓ ବୃଦ୍ଧବୃଦ୍ଧାଙ୍କର ବିଜ୍ଞାନ ଏହିପରି ପୃଥକ୍‌ ଭାବରେ ବିଜ୍ଞାନ ସାହିତ୍ୟ ରଚନା କରି ସେମାନଙ୍କର ଜ୍ଞାନ ଆହରଣର ଦକ୍ଷତା ବିକାଶ କରାଯିବା ଆବଶ୍ୟକ।

ବିଜ୍ଞାନ ସାହିତ୍ୟ ରଚନା ସମୟରେ ଲେଖକ ବିଜ୍ଞାନ ପରିଭାଷାବିଶିଷ୍ଟ ବିଭିନ୍ନ ପୁସ୍ତକ, ପତ୍ରପତ୍ରିକା ପଢ଼ିବା ଦରକାର। ନିର୍ଭୁଲ ଜ୍ଞାନ ଆହରଣ ପରେ ଲେଖକ ଲେଖନୀ ଚାଳନା ସମୟରେ ନିମ୍ନ ପ୍ରଦର୍ଶିତ କେତୋଟି ସୂଚନା ପ୍ରତି ଦୃଷ୍ଟି ଦେଲେ ତାଙ୍କ ରଚନାଟି ନିଶ୍ଚିତ ଭାବରେ ଜ୍ଞାନ ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ଅନେକ ଆଦୃତ ହେବ। ଆକର୍ଷଣୀୟ ଶିରୋନାମା ସହ ଲେଖାଗୁଡ଼ିକ ଯଥାସମ୍ଭବ ସହଜ, ସରଳ ଏବଂ ସାବଲୀଳ ଭାଷାରେ ରଚିତ ହେବା ଦରକାର। ଅନ୍ଧବିଶ୍ବାସ, କୁସଂସ୍କାର ଦୂରୀକରଣ ଉପରେ ଲେଖାଗୁଡ଼ିକ ଉଦାହରଣ ସହ ଲେଖାଯିବା ସର୍ବାଦୌ ବିଧେୟ। ଲେଖାଟି ତ୍ରୁଟିଶୂନ୍ୟ ତଥା ଚିତ୍ର ମାଧ୍ୟମରେ ରଚିତ ହେଲେ ଆହୁରି ଭଲ।

ଏହି ଜ୍ଞାନ ଅର୍ଥନୀତିର ଅଭିବୃଦ୍ଧି ପାଇଁ ବିଜ୍ଞାନ କଥନ, ପ୍ରବନ୍ଧ, ଗଳ୍ପ, କବିତା, ବିଜ୍ଞାନ ମେଳା, ଏକାଙ୍କିକା ବା ଦାସକାଠିଆ, ପ୍ରଶ୍ନୋତ୍ତର, ବୈଜ୍ଞାନିକଙ୍କ ଜୀବନ ଦର୍ଶନ ତଥା ‘ସାଇନଟୁନ’ ମାଧ୍ୟମରେ ପ୍ରକାଶିତ ହେଲେ ତାହା ସମସ୍ତେ ଗ୍ରହଣ କରିବେ ଏବଂ ଉଚିତ ମାର୍ଗରେ ନିଜ ନିଜ ଜ୍ଞାନର ପରିସୀମା ବୃଦ୍ଧି କରି ଅର୍ଥନୈତିକ ବିକାଶ ପଥରେ ବେଶ୍‌ ଆଗେଇ ପାରିବେ। ନିଜର ତଥା ଦେଶର ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିପାରିବେ। ଏଥିପାଇଁ ଜ୍ଞାନ ଅର୍ଥନୀତିର ବିକାଶ ସାଧନ ଆମ ସଭିଙ୍କର ଏକାନ୍ତ କାମ୍ୟ।

Comments are closed.