ଝିଅ ଗ୍ରେଟା କଥା ଶୁଣିବା ହେଉ

ପ୍ରଫୁଲ୍ଲ ସାମନ୍ତରା

୧୯୭୨ରୁ ବିଶ୍ୱତାପ ବୃଦ୍ଧିର ନିରାକରଣ ପାଇଁ ବହୁ ଚର୍ଚ୍ଚା ହୋଇଆସୁଅଛି। ବୈଜ୍ଞାନିକଙ୍କ ତଥ୍ୟ ଉପରେ ସମ୍ମତି ରଖୁଥିବା ସମୃଦ୍ଧ ଓ ବିକାଶଶୀଳ ଦେଶଗୁଡ଼ିକ ନିରାକରଣ ପାଇଁ ଅତ୍ୟାବଶ୍ୟକ ହେଉଥିବା କାର୍ଯ୍ୟାନୁଷ୍ଠାନ ଉପରେ ସମ୍ମତ ନ ହେବା ପଛରେ ବିଜ୍ଞାନକୁ ଅବଜ୍ଞା ରହିଛି। ପ୍ରକୃତିକୁ ଲୁଟ କରି କେବଳ ଅତ୍ୟଧିକ ମୁନାଫା ଅର୍ଜନ ଲକ୍ଷ୍ୟ ରଖିଥିବା ‘କର୍ପୋରେଟ’ ନିୟନ୍ତ୍ରିତ ବିଶ୍ୱ ପୁଞ୍ଜି ବଜାରର ପୃଷ୍ଠପୋଷକମାନଙ୍କ ନିହିତ ସ୍ୱାର୍ଥ ରହୁଛି। କେବଳ ମହାଧନୀ ହେବା ପାଇଁ ଅନିୟନ୍ତ୍ରିତ ସୀମାହୀନ ଇଚ୍ଛା। ଏଥିରୁ ନିଃସୃତ ବିକାଶ ଢାଞ୍ଚା ଜରିଆରେ ସାମ୍ରାଜ୍ୟବାଦୀ ପୁଞ୍ଜି ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ପ୍ରତ୍ୟେକ ରାଷ୍ଟ୍ରର ରାଜନୀତିକୁ ନିୟନ୍ତ୍ରଣରେ ରଖିବା ହେଉଛି ଆଜିର ଏକଧ୍ରୁବୀୟ ବିଶ୍ୱ ବ୍ୟବସ୍ଥାର ଲକ୍ଷ୍ୟ। ଦେଶଗୁଡ଼ିକ ରାଜନୈତିକ ସ୍ବାଧୀନ ରହିବେ, କିନ୍ତୁ ଆର୍ଥିକ ଉପନିବେଶ ଭିତରେ ହିଁ ଚାଲିବେ। ଜନମତକୁ ସମ୍ମାନ ଦେବା ନାମରେ ବିଜ୍ଞାନୀ, ଗବେଷକ ଓ ବିଶେଷଜ୍ଞମାନଙ୍କ ସମେତ ଶିକ୍ଷିତ ସଚେତନଶୀଳ ସମୂହଙ୍କ ଚାପରେ ଏହି ପୁଞ୍ଜିବାଦର ପୃଷ୍ଠପୋଷକମାନେ ରାଜନୈତିକ ବ୍ୟବସ୍ଥା ଉପରେ ନିଜ ନିୟନ୍ତ୍ରଣ ଜାହିର କରିବା ପାଇଁ ତଥ୍ୟଭିତ୍ତିକ ବୈଜ୍ଞାନିକ ଗବେଷଣା ଫଳାଫଳ ସ୍ୱରୂପ ଉତ୍ତପ୍ତ ପୃଥିବୀକୁ ଶୀତଳ ରଖିବା ପାଇଁ ସୁପାରିସଗୁଡ଼ିକୁ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି; କିନ୍ତୁ ଏହାର କାର୍ଯ୍ୟକାରିତା ପାଇଁ ଅଧିକ ସବୁଜ ଗ୍ୟାସ ନିଃସରଣ କରୁଥିବା ଦେଶର ସରକାରମାନେ ପ୍ରସ୍ତୁତ ନୁହନ୍ତି।

ସେଇଥିପାଇଁ ଗତ ନବେ ଦଶକର କାଇଟୋ ବୁଝାମଣା ବିଫଳ ହେଲା। ବର୍ତ୍ତମାନ ୨୦୧୫ ପ୍ୟାରିସ ବୁଝାମଣାର କାର୍ଯ୍ୟକାରିତା ମଧ୍ୟ ଅନିଶ୍ଚିତତା ଘେରରେ ରହିଛି। ‘ଫସିଲ ଫୁଏଲ୍‌’ ବା ଜୀବାଶ୍ମ ଜାଳେଣି ହ୍ରାସ କରି ସବୁଜ ଶକ୍ତି ଉପରେ ନିର୍ଭରଶୀଳ ବିକାଶ ପ୍ରକ୍ରିୟାକୁ ଆପଣାଇବାକୁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ। ଯାହା ବି କରାଯାଉଛି ଜଳବାୟୁ ପରିବର୍ତ୍ତନ ନିରୋଧ ମିଶନ ନାମରେ ତାହା ସମୁଦ୍ରକୁ ଶଙ୍ଖେ ପାଣି। ଆମ ଦେଶରେ ପ୍ରତିଦିନ ବିକାଶ ନାମରେ ଜଙ୍ଗଲ, ଜଳ ଓ ମାଟିର ବିନାଶ କରାଯାଉଛି। କୋଇଲା ତାପଜ ପ୍ରକଳ୍ପ, ଅବିଚାରିତ ଖଣିଖନନ ସହ ପ୍ରଦୂଷଣକାରୀ ଶିଳ୍ପ ନିର୍ମାଣ ଚାଲିଛି। ଏହାଦ୍ୱାରା ଧ୍ୱଂସ ପାଉଥିବା ପ୍ରାକୃତିକ ସଂପଦ ଉପରେ ଜୀବନଜୀବିକା ନିର୍ଭରଶୀଳ ଆଦିବାସୀ, ଚାଷୀ ନିଜ ନିଜ ବଞ୍ଚିବାର ଅଧିକାରରୁ ବଞ୍ଚିତ ହୋଇ ପ୍ରତିରୋଧ କରୁଥିଲେ ବି ବିକାଶ ଢାଞ୍ଚା ଓ ଲକ୍ଷ୍ୟରେ ନୀତିଗତ ପରିବର୍ତ୍ତନ ହୋଇପାରୁ ନାହିଁ। ବିକାଶର ପରିମାପକ ଜିଡ଼ିପି ଯାହାର ଏକ ପ୍ରତିଶିତ ବୃଦ୍ଧି ଦଶ ବର୍ଷ ମଧ୍ୟରେ ତାପ ବୃଦ୍ଧି କରୁଛି ୦.୧୦ ପ୍ରତିଶତ। ତେଣୁ ବିକାଶର ସାଂପ୍ରତିକ ଧାରା ବର୍ଜନୀୟ, ଏହି ସତ୍ୟକୁ ଗ୍ରହଣ କରିବାକୁ ହେବ।

ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନର ତଥ୍ୟ ଅନୁଯାୟୀ ବିଶ୍ୱ ଗତ ତିନି ବର୍ଷ ମଧ୍ୟରେ ୪୭ ଲକ୍ଷ ହେକ୍ଟର ଜଙ୍ଗଲ ହରାଇଛି। ଦଶ ହଜାର ବର୍ଷ ପୂର୍ବେ ପୃଥିବୀରେ ବସବାସ ଉପଯୋଗୀ ଜମି ଥିଲା ୧୪୯୦ କୋଟି ହେକ୍ଟର ଯାହାକି ଭୂପୃଷ୍ଠର ୭୧ ପ୍ରତିଶତ, ଯାହା ଆଜି ଖସି ଆସିଛି ୫୭ ପ୍ରତିଶତକୁ। ସେଥି ମଧ୍ୟରେ ଥିବା ୬୦୦ କୋଟି ହେକ୍ଟର ଜଙ୍ଗଲ ହ୍ରାସ ପାଇ ୪୨୦ କୋଟି ହେକ୍ଟରକୁୁ ଆସିଯାଇଛି। ଆଉ ବାକି ବରଫ ଓ ହିମସ୍ତର ଥିଲା ୨୯ ପ୍ରତିଶତ। ଏବେ ପ୍ରତି ବର୍ଷ ସେ ସବୁରୁ ତରଳିଯାଇଛି ଏକ ଲକ୍ଷ କୋଡ଼ିଏ ହଜାର କୋଟି ଟନ। ଆମ ଦେଶର ହିମାଳୟରୁ ବରଫ ତରଳିବା ସଂକଟର ଅନ୍ତର୍ଭୁକ୍ତ। ଏହାର ପରିଣାମରେ ସମୁଦ୍ରର ଉତ୍ତାପ ଓ ଜଳ ପତ୍ତନ ବଢ଼ୁଛି, ମହାବାତ୍ୟା ବାରମ୍ବାର ବିପର୍ଯ୍ୟୟ ସୃଷ୍ଟି କରି ଚାଲିଛି, କେଉଁଠି ବନ୍ୟା ତ କେଉଁଠି ମରୁଡ଼ି କୋଟିକୋଟି ଲୋକଙ୍କୁ ଗୃହଶୂନ୍ୟ ଓ ଭୋକିଲା କରିଦେଉଛି। ଏସବୁ ସତ୍ୱେ ଅତ୍ୟଧିକ ଦୋହନ ନ କରି ସମସ୍ତଙ୍କ ସାଧାରଣ ଆବଶ୍ୟକତା ପାଇଁ ପ୍ରାକୃତିକ ସମ୍ବଳର ସଦୁପଯୋଗ ପାଇଁ ଏକ ବିକଳ୍ପ ବିକାଶ ନିମନ୍ତେ ଉଦ୍ୟମ କରିବାକୁ ବିଶ୍ୱର ବିଭିନ୍ନ ସମୃଦ୍ଧ ଓ ବଡ଼ବଡ଼ ଦେଶର ଶାସକମାନେ, ପୁଞ୍ଜିବାଦର ଅର୍ଥଶାସ୍ତ୍ରୀ ଓ ପ୍ରବକ୍ତାମାନେ ପ୍ରସ୍ତୁତ ନୁହନ୍ତି।

ଏବେ ପ୍ରତିଯୋଗିତା କିଏ କେତେ ଧନୀ ହୋଇପାରିବ ବହୁଜନଙ୍କୁ ଗରିବ କରି। କିଏ କେତେ ଚାହିଦା ସୃଷ୍ଟି କରିବାକୁ ଅନାବଶ୍ୟକ ହେଲେ ବି ନୂଆ ଉପଭୋଗ୍ୟ ବସ୍ତୁ ଉତ୍ପାଦନ କରି ବଜାରରେ ଉପଲବ୍ଧ କରାଇପାରିବ। ଏହା ଦ୍ୱାରା ଧନିକ ଶ୍ରେଣୀ ଉପଭୋକ୍ତବାଦକୁ ପ୍ରସାର କରିଚାଲିଛି। ପ୍ରାକୃତିକ ସଂପଦର ଅବିଚାରିତ ଦୋହନ ଓ ଶୋଷଣ ହୋଇଚାଲିଛି। ଫଳରେ ଅଙ୍ଗାରକାମ୍ଳ ଅତ୍ୟଧିକ ନିଃସରଣ ହେଉଥିବାବେଳେ ତାକୁ ହଜମ କରି ଅମ୍ଳଜାନ ଦେଉଥିବା ସବୁଜ ବନାନୀ ଅନେକ ସ୍ଥାନରେ ଲୋପ ପାଉଛି। ଜମି ଓ ଜଳ ପଣ୍ୟଦ୍ରବ୍ୟ ହୋଇଯାଇଛି। ବଜାରୀକରଣ ଜରିଆରେ ସାଗରକୁ ମଧ୍ୟ ପଣ୍ୟ କ୍ଷେତ୍ରରେ ପରିଣତ କରି ଦିଆଯାଇଛି। ସାମୁଦ୍ରିକ ପରିବେଶ ପୃଥିବୀର ଜଳବାୟୁ ସଂରଚନାର ପ୍ରମୁଖ ଅଂଶ। ପୃଥିବୀର ୯୭ ପ୍ରତିଶତ ଅଂଶ ସମୁଦ୍ର। ଏଥିସହ ମଣିଷ ସମେତ ସମସ୍ତ ଜୀବ ଜଗତର ଅସ୍ତିତ୍ୱ ନିର୍ଭରଶୀଳ। ନଦୀକୁ ମାରିଲେ, ହିମାଳୟ ତରଳି ଗଲେ ସାଗରକୁ ଯେ କ୍ଷତବିକ୍ଷତ କରିଛି ତାକୁ ସ୍ୱୀକାର କରିବାକୁ ହେବ। ଏହି ଜମି-ଜଙ୍ଗଲ-ଜଳ ସହ ସମସ୍ତ ଜୀବ-ଜନ୍ତୁ-ଉଦ୍ଭିଦ ସମେତ ମଣିଷର ଅସ୍ତିତ୍ୱ ଓ ଅବସ୍ଥିତି ସଂପୂର୍ଣ୍ଣ ନିର୍ଭରଶୀଳ। ତେଣୁ ପୁଞ୍ଜି ଓ ପ୍ରଯୁକ୍ତି ଦ୍ୱାରା ପ୍ରହାର କରି ପ୍ରକୃତି ଉପରେ ବିଜୟର ଅହଂକାର କରୁଥିବା ମଣିଷଟି ଏକ ଭସ୍ମାସୁର। ତେଣୁ ଆର୍ଥିକ ବୃଦ୍ଧିର ପଶାଖେଳ ଏବେ କାଳ ହୋଇଛି ପ୍ରକୃତି ପାଇଁ। ବିଶ୍ୱର ସମସ୍ତ ଦେଶରେ ସମସ୍ତ ପରିବାର ସଂପନ୍ନ ହୋଇପାରିବେ ପ୍ରାକୃତିକ ସଂପଦର ସତ୍‍ବିନିଯୋଗର ସମବଣ୍ଟନ ଦ୍ୱାରା; କିନ୍ତୁ କୋଟିପତି ହେବାର ଲାଳସା ବିଷମତା ବୃଦ୍ଧି କରିବା ସହ ହଜାର ହଜାର ପ୍ରଜାତିକୁ ବିଲୁପ୍ତ କରିସାରିଲାଣି। ଉତ୍ତାପ ବଢ଼ୁଛି; ଯଦି ୧.୫ ରୁ ୨ ଡିଗ୍ରୀ ସେଲସିୟସ ମଧ୍ୟରେ ଆସନ୍ତା ୭୦ ବର୍ଷର ବିଶ୍ୱତାପ ବୃଦ୍ଧି ସୀମିତ ନ ରହେ ତାହା ହେଲେ ମାନବ ସଭ୍ୟତା ମଧ୍ୟ ବିଲୁପ୍ତ ଆଡ଼କୁ ମୁହାଁଇବ। ଏଗାର ହଜାର ବୈଜ୍ଞାନିକଙ୍କ ମିଳିତ ନିବେଦନ (୨୦୧୮ରେ) ଥିଲା ପ୍ରଚଳିତ ବିକାଶ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବାକୁ।

ଜମି ଜଳର ସଂରକ୍ଷଣ ସହ ମାଂସାହାରକୁ କମାଇବା ଓ ଅଧିକ ଉପଭୋଗକୁ ବର୍ଜନ କରିବା ସହ ମିତବ୍ୟୟିତା ପାଇଁ ଆହ୍ୱାନ; କିନ୍ତୁ ସମସ୍ତ କ୍ଷମତାଧାରୀ ଓ ଉଚ୍ଚ ଉପଭୋକ୍ତା ଧନିକ ଶ୍ରେଣୀ ଏହାକୁ ନେଇ ବଧିର। ଏମାନଙ୍କ ନିରବତା ଓ ଅପରିବର୍ତ୍ତନୀୟ ନୀତିଗତ ବିଚାର ଓ ଆଚରଣ ଆଗାମୀ ପିଢ଼ି ପାଇଁ ମହାବିପଦ ସୃଷ୍ଟି କରିବାକୁ ଯାଉଛି। ଯେତେବେଳେ ପ୍ରତ୍ୟେକ କ୍ଷେତ୍ରରେ ଜୈବବିବିଧତା ସହ ଲକ୍ଷଲକ୍ଷ ପ୍ରଜାତିଙ୍କ ବିଲୁପ୍ତିର ଯାତ୍ରା ଦ୍ରୁତ ଗତିରେ ଚାଲିଛି ସେଥିରେ ହୁଏତ ଆଉ ପଚାଶ ବର୍ଷ ପରେ ଏକ ବିକଳାଙ୍ଗ ଶ୍ରୀହୀନ ଧରିତ୍ରୀ ମା’ର କୋଳରେ ଜନ୍ମିତ ପିଲାମାନେ ସଂପୂର୍ଣ୍ଣ ରୁଗ୍‍ଣ ଓ ଅସୁରକ୍ଷିତ ରହିବା ଅନିବାର୍ଯ୍ୟ। ଏପରି ଏକ ଅନ୍ଧାର ଭବିଷ୍ୟତର ଉତ୍ତରାଧିକାରୀ ନ ହେବା ପାଇଁ ଛୋଟିଆ ସଂପନ୍ନ ଦେଶ ସ୍ୱିଡ଼େନର ଜଣେ ସ୍କୁଲ ଛାତ୍ରୀ ଗ୍ରେଟା ଥନବର୍ଗ ସପ୍ତମ ଶ୍ରେଣୀରେ ପରିବେଶ ବିଜ୍ଞାନ ପଢ଼ିବା ବେଳୁ ପୃଥିବୀର ଅନିଶ୍ଚିତ ଭବିଷ୍ୟ ପ୍ରତି ଅଣନିଃଶ୍ୱାସୀ ହୋଇ ଦଶମ ଶ୍ରେଣୀରେ ପହଞ୍ଚିଲା ବେଳକୁ ନିଜ ଦେଶରେ ସବୁଜ ଗୃହ ବାଷ୍ପ ହ୍ରାସ ପାଇଁ ସତ୍ୟାଗ୍ରହ ଆରମ୍ଭ କରିଦେଲା। ତାହା ମଧ୍ୟ ଏକାକୀ ‘ଏକ୍‌ଲା ଚଲୋ’ ରାସ୍ତାରେ। ପ୍ରାୟ ଏକ ବର୍ଷ ଧରି ଶ୍ରେଣୀକକ୍ଷ ଛାଡ଼ି ପ୍ରତି ଶୁକ୍ରବାର ନିଜ ଦେଶର ସଂସଦ ଭବନ ସମ୍ମୁଖରେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଧାରଣାରେ ବସିବାର ପ୍ରଥମ ସୋପାନଟି ଥିଲା ଏକ ଅକିଞ୍ଚନ ଝିଅଟିର ଅରଣ୍ୟକ୍ରନ୍ଦନ; କିନ୍ତୁ ଏକରୁ ଦୁଇ ଏପରି ଶତାଧିକ ସ୍କୁଲ ସହପାଠୀଙ୍କୁ ନିଜ ସତ୍ୟାଗ୍ରହରେ ସାମିଲ କରିପାରିଲା ଏକ ଅସୁରକ୍ଷିତ ଭବିଷ୍ୟତ ପାଇଁ ଦାୟୀ ସଂପ୍ରତି ଦେଶ-ବିଦେଶ ତଥା ବିଶ୍ୱର ଶାସକ ଶ୍ରେଣୀକୁ ପ୍ରଶ୍ନ କରି।

ଆଜି ତାର ସ୍ୱର ପ୍ରତିଧ୍ୱନିତ ହେଉଛି ସମଗ୍ର ବିଶ୍ୱରେ। ପ୍ରଶ୍ନଟି ଅତି ସ୍ପଷ୍ଟ “ତୁମେ ସବୁ ଯାହା କରୁଛ ଓ କହୁଛ ବିକାଶ ନାମରେ ତାହା ସଂଘାତିକ ଭାବେ ବିନାଶକାରୀ। ଧରିତ୍ରୀ ମାଆକୁ ନିଅାଁରେ ବସାଇ ଦେଇଛ। ଆମ ଭବିଷ୍ୟତ କେବଳ ଧ୍ୱଂସାବସ୍ଥାର ସାକ୍ଷ୍ୟ ରୂପେ ରହିବ। କାହିଁକି ଏପରି ଧ୍ୱଂସ କରୁଛ?” ଅଭିଭାବକଙ୍କୁ ପ୍ରଶ୍ନ: “ଯେଉଁଠି ସ୍ଥିତି ଅନିଶ୍ଚିତ ଆମେ କାହା ପାଇଁ ପାଠ ପଢ଼ିବୁ? ଆପଣମାନେ ନୀରବ କାହିଁକି?” ଏପରି ପ୍ରଶ୍ନ ସୁଇଡ଼େନ ଓ ସମଗ୍ର ୟୁରୋପ ସମେତ ବିଶ୍ୱର ପ୍ରାୟ ୧୨୦ଟି ଦେଶର ଛାତ୍ରଛାତ୍ରୀ ଗ୍ରେଟାଙ୍କ ବିଚାର ଓ ଆହ୍ୱାନକୁ ଅନୁସରଣ କରି ଶୋଭାଯାତ୍ରା କରିଛନ୍ତି ୨୦୧୯-୨୦୨୦ ମଧ୍ୟରେ। ୟୁରୋପୀୟ ସଂଘ, ବ୍ରିଟିଶ ସଂସଦ ଓ ଜାତିସଂଘ ସାଧାରଣ ସଭାକୁ ନିମନ୍ତ୍ରିତ ହୋଇ ଗ୍ରେଟା ଖୁବ୍‍ କମ ଶବ୍ଦରେ ବିଶ୍ୱର ଅହଂକାରୀ ଶାସକ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ, ରାଷ୍ଟ୍ରପତି ଜଇର୍‌ ବୋଲସୋନାରୋ ପରି ଅନେକଙ୍କୁ ନିର୍ଭୀକ ଭାବେ ଅଙ୍ଗୁଳି ଉଠାଇ ପ୍ରଶ୍ନ କରିଛନ୍ତି, ‘‘ଆପଣମାନେ ସାହସ କ​‌େ​‌ଲ କିପରି? ଏତେ ବଡ଼ ବିଶ୍ୱ ଜଳବାୟୁ ପରିବର୍ତ୍ତନ ପରି ସାଂଘାତିକ ସଂକଟ ପ୍ରତି ବିଦ୍ରୂପ କାହିଁକି? ଏହି ବିଶ୍ୱ ସଂକଟର ସୂତ୍ରଧର ତଥା ସର୍ବୋଚ୍ଚ ଧନୀ, କର୍ପୋରେଟ ଓ ଶାସକ ମୁଖ୍ୟମାନଙ୍କର ବାର୍ଷିକ ମିଳନ ସ୍ଥଳ ସୁଇଜରଲାଣ୍ଡ ଡାଭୋସ ସମ୍ମିଳନୀକୁ ଯାଇ କହିଲେ, “ଆପଣମାନେ ଆଉ କେତେ ମିଛ କହିବେ, କେବଳ ଟଙ୍କା ପାଇଁ ବିଶ୍ୱକୁ ଧ୍ୱଂସ କରୁଛ।” ଏପରି ସାହସିକତାର ସହ ଆହ୍ବାନ କରୁଥିବା ୧୮ ବର୍ଷର ଯୁବତୀ ନିଜ କଥାକୁ ଆଚରଣରେ ପ୍ରତିପାଦିତ କରିବାକୁ ଉଦ୍ୟମ ଜାରି ରଖିଛି। ବାୟୁ ପ୍ରଦୂଷଣର ନିରାକରଣ ପାଇଁ ସେ ବିମାନରେ ଯାତ୍ରା କରିବା ପରିବର୍ତ୍ତେ ବହୁଦୂରଗାମୀ ଦେଶକୁ ଜାହାଜରେ ଯାତ୍ରା କରୁଛି। ନିଜ ପିତାମାତାଙ୍କୁ ମାଂସ ଆହାରରୁ ନିରାମିଷାଶୀ କରାଇ ବିମାନ ଯାତ୍ରା ପରିତ୍ୟାଗ କରାଇ ପାରିଛି। ସେ ଡାଭୋସରେ ଆତିଥ୍ୟ ପାଇଥିବା ପଞ୍ଚତାରକା ହୋଟେଲ କକ୍ଷ ଛାଡ଼ି ଏକ ତମ୍ବୁତଳେ ଶୋଇଥିଲା ପ୍ରଚଣ୍ଡ ଥଣ୍ଡା ରାତିରେ। ଆଡ଼ମ୍ବର-ବିଳାସଶୂନ୍ୟ ସରଳ ଜୀବନଶୈଳୀ ହିଁ ବିଶ୍ୱତାପ ବୃଦ୍ଧିକୁ ଅଟକାଇପାରିବ।

ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଭୋଗବାଦ ବର୍ଜନୀୟ। ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ବ୍ୟବହାର ତଥା ଅନାବଶ୍ୟକ ଉତ୍ପାଦନ ନ କରିବା ପାଇଁ ନିଜ ଅନ୍ତରର ଉପଲବ୍ଧିକୁ ନିଜ ଆଚରଣରେ ପ୍ରତିପାଦିତ କରି ବିଜ୍ଞାନକୁ ସମ୍ମାନ ଦିଅ ଓ ପ୍ରକୃତିକୁ ବଞ୍ଚାଅ ବାର୍ତ୍ତା ଦେଉଛି ଝିଅ ଗ୍ରେଟା। ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଜ୍ଞଥିଲେ ବି ସେ ଗାନ୍ଧିଜୀଙ୍କ ଜୀବନଶୈଳୀର ପ୍ରତୀକ ହୋଇ ଯାଇଛି, ଯାହା କି ଆମ ସମସ୍ତଙ୍କ ପାଇଁ ଅନୁସରଣୀୟ ପରିବେଶ ସୁରକ୍ଷା ସୈନିକ ହେବା ପାଇଁ। ଭବିଷ୍ୟତ ବଂଶଧରକୁ ନ୍ୟାୟ ଦେବା ସହ ବର୍ତ୍ତମାନର ମହା ସଂକଟରୁ ମୁକ୍ତି ପାଇଁ ଶାସକ ଶ୍ରେଣୀ, କର୍ପୋରେଟ ସମେତ ଆମମାନଙ୍କ ଭିତରୁ ସମସ୍ତେ ମନ ଦେଇ ଶୁଣନ୍ତୁ ଗ୍ରେଟାକୁ ନିଜ ପରିବାରର କନ୍ୟା ରୂପେ ଭାବି। ଜଳବାୟୁ ପରିବର୍ତ୍ତନ ଦ୍ୱାରା ବିଧ୍ୱସ୍ତ ଜୈବବିବିଧତା ଭୂତାଣୁମାନଙ୍କର ବାସସ୍ଥଳୀ ଭାଙ୍ଗି ଦିଏ, ଯାହା ଦ୍ୱାରା ସେମାନଙ୍କର ସ୍ଥାନାନ୍ତର ମଣିଷ ବାସସ୍ଥଳୀକୁ ହୁଏ। ତେଣୁ ପ୍ରକୃତିର ସଂରକ୍ଷଣ ଅତି ଜରୁରୀ। ଆଜି କରୋନା ଭୂତାଣୁ ଅସ୍ଥାୟୀ ମହାସଂକଟ; କିନ୍ତୁ ଜଳବାୟୁ ପରିବର୍ତ୍ତନ ସ୍ଥାୟୀ ସାଂଘାତିକ ମହାସଙ୍କଟ।

Comments are closed.