ମହାନାୟକ ସୁଭାଷ

- ଅନନ୍ତ ଚରଣ ସାହୁ

ଅତ୍ୟନ୍ତ ସୁଖର ବିଷୟ, ଭାରତ ସରକାର ନେତାଜୀ ସୁଭାଷଙ୍କ ୧୨୫ତମ ଜୟନ୍ତୀ ପାଳନ ଉପଲକ୍ଷେ ଏକ ୮୫ଜଣିଆ କମିଟି ଗଠନ କରିଛନ୍ତି। ଦୀର୍ଘ ଏକ ବର୍ଷ ବ୍ୟାପୀ ଏହି ଜୟନ୍ତୀ ସମଗ୍ର ଦେଶରେ ପାଳନ କରାଯିବ। ସ୍ବାଧୀନତା ପ୍ରାପ୍ତିର ୭୩ ବର୍ଷ ବିତିଯାଇଥିଲେ ମଧ୍ୟ ନେତାଜୀଙ୍କ ଜୀବନ ଉପରେ ଯଥେଷ୍ଟ ଗବେଷଣା ବା ଅଧ୍ୟୟନ ହୋଇପାରି ନାହିଁ। ବିପ୍ଳବର ଏହି ମହାନାୟକଙ୍କୁ ସ୍ବାଧୀନତା ପ୍ରାପ୍ତିର ବହୁ ପୂର୍ବରୁ ୧୯୪୫ ମସିହା ଅଗଷ୍ଟ ମାସରୁ ନିଖୋଜ ଘୋଷଣା କରାଯାଇଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ କାଳରେ ମିତ୍ରପକ୍ଷ ମହାଶକ୍ତିର ନେତୃତ୍ବ ନେଇଥିବା ଇଂରେଜ ସରକାର ନିଖୋଜ ନେତାଜୀଙ୍କୁ ଖୋଜି ବାହାର କରିବା ପାଇଁ ଅବିରତ ଚେଷ୍ଟାକରି ମଧ୍ୟ ବିଫଳ ହୋଇଥିଲେ। ନେତାଜୀ ଯେ ୧୮ ଅଗଷ୍ଟ ୧୯୪୫ରେ ତାଇୱାନସ୍ଥିତ ତାଇପେଠାରେ ବିମାନ ଦୁର୍ଘଟଣାଗ୍ରସ୍ତ ଅବସ୍ଥାରେ ଟାଇପେ ସାମରିକ ଡାକ୍ତରଖାନାରେ ପ୍ରାଣ ହରାଇ ଅଛନ୍ତି, ଏ ବିଷୟ ପରବର୍ତ୍ତୀ କାଳରେ ନିଃସନ୍ଦେହରେ ପ୍ରତିଷ୍ଠିତ ହୋଇପାରିଛି।

ସ୍ବାଧୀନୋତ୍ତର କାଳରେ ଭାରତ ସରକାରଙ୍କ ଦ୍ବାରା ନିଯୁକ୍ତ ୩ଟି ଅନୁସନ୍ଧାନ କମିଟି ମଧ୍ୟରୁ ପ୍ରଥମ ଦୁଇଟି ଯଥା ଶାହନୱାଜ ଓ ଖୋସଲା ଅନୁସନ୍ଧାନ କମିଟି ସ୍ଥିର-ନିଶ୍ଚିତ ଭାବରେ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ ନେତାଜୀ ବିମାନ ଦୁର୍ଘଟଣାରେ ମୃତ; କିନ୍ତୁ କଲିକତା ହାଇକୋର୍ଟଙ୍କ ନିର୍ଦେଶରେ ନିଯୁକ୍ତ ଜଷ୍ଟିସ୍‌ ମୁଖାର୍ଜୀ କମିଟି ମତ ଦେଲେ ଯେ ନେତାଜୀ କୌଣସି ଦୁର୍ଘଟଣାରେ ମରିନାହାନ୍ତି।

କଟକ ତଥା ଉତ୍କଳମାତାର ଏହି ବିପ୍ଳବୀ ସନ୍ତାନ ଯେ ଦିନେ ସମଗ୍ର ବିଶ୍ବକୁ ଚକିତ କରି ମୁକ୍ତିର ମଶାଲ ପ୍ରଜ୍ବଳିତ କରିପାରିବେ ଏହା ତାଙ୍କର ବାଲ୍ୟଜୀବନର କେତୋଟି ଘଟଣାରୁ ପ୍ରତୀୟମାନ ହୋଇଥିଲା। ପାଶ୍ଚାତ୍ୟ ଶିକ୍ଷା ଓ ଊନବିଂଶ ଶତାବ୍ଦୀର ଭାରତୀୟ ନବ-ଜାଗରଣ ସୁଭାଷଙ୍କ ପୂର୍ବପୁରୁଷଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଥିଲା। ସେତେବେଳେ ବୋଷ, ଘୋଷ, ଦତ୍ତ ପ୍ରଭୃତି ବଙ୍ଗାଳି କାୟସ୍ଥଗଣ ବଙ୍ଗଳାର ନବଜାଗରଣ ସହିତ ବିଶେଷ ଭାବରେ ସମ୍ପୃକ୍ତ ଥିଲେ। ସୁଭାଷଙ୍କ ପିତା ଜାନକୀନାଥ ଥିଲେ ପରିବାରର କନିଷ୍ଠ ସନ୍ତାନ। ଭାଗ୍ୟର ବିଡ଼ମ୍ବନା କ୍ରମେ ବାଲ୍ୟକାଳରୁ ମାତାଙ୍କୁ ହରାଇ ଜାନକୀନାଥ ତାଙ୍କର ତୃତୀୟ ଭାଇ କେଦାରନାଥଙ୍କ ସହିତ ବ୍ରିଟିଶ୍‌ ଓଡ଼ିଶାର ତତ୍କାଳୀନ ରାଜଧାନୀ କଟକକୁ ବୃତ୍ତିର ସନ୍ଧାନରେ ପଳାଇ ଆସିଥିଲେ। କଟକର ରେଭେନ୍ସା କଲେଜ (ସେତେବେଳେର କଟକ କଲେଜ)ରୁ ଜାନକୀନାଥ ସ୍ନାତକ ଉପାଧି ଲାଭ କରିବା ପରେ କଲକାତାରୁ ଆଇନ ଶାସ୍ତ୍ରରେ ସ୍ନାତକ ହୋଇଥିଲେ। ପରେ ସେ କଟକର ଜଣେ ପ୍ରଖ୍ୟାତ ଓକିଲ ରୂପେ ଆବିର୍ଭୂତ ହୋଇଥିଲେ। କଟକର ଓଡ଼ିଆ ବଜାରଠାରେ ଅବସ୍ଥିତ ତାଙ୍କର ପ୍ରକାଣ୍ଡ ସୌଧ ଯାହା ଆଜିର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ରୂପେ ପରିଚିତ। ସେଠାରେ ପିତା ଜାନକୀନାଥ ଓ ମାତା ପ୍ରଭାବତୀଙ୍କ ଔରସରୁ ନବମ ସନ୍ତାନ ରୂପେ ସୁଭାଷ ଆବିର୍ଭୂତ ହୋଇଥିଲେ ୨୩ ଜାନୁଆରୀ ୧୮୯୭ର ଏକ ଶୁଭ ମୁହୂର୍ତ୍ତରେ। ସୁଭାଷଙ୍କ ଜ୍ୟେଷ୍ଠ ରୂପେ ରହିଥିଲେ ତିନି ଭଉଣୀ ପ୍ରମିଳାବାଳା, ସରଳାବାଳା, ତରୁବାଳା ଓ ପାଞ୍ଚ ଭାଇ ସତୀଶଚନ୍ଦ୍ର, ଶରତ ଚନ୍ଦ୍ର, ସୁରେଶ ଚନ୍ଦ୍ର, ସୁଧୀର ଚନ୍ଦ୍ର ଓ ନୀଳ ଚନ୍ଦ୍ର। ନବମ ସନ୍ତାନ ସୁଭାଷଙ୍କ ତଳେ କନିଷ୍ଠ ରୂପେ ରହିଥିଲେ ତିନି ଭଉଣୀ ମଲିନା, ପ୍ରତିଭା, କନକଲତା ଓ ଦୁଇ ଭାଇ ଶୈଳେଶ ଚନ୍ଦ୍ର ଓ ସନ୍ତୋଷ ଚନ୍ଦ୍ର। ୧୪ଟି ସନ୍ତାନସନ୍ତତିଙ୍କ ମଧ୍ୟରେ ନବମ ହୋଇ ମଧ୍ୟ ସୁଭାଷଙ୍କଠାରେ ବାଲ୍ୟକାଳରୁ ଯେଉଁ ଅଶେଷ ପ୍ରତିଭାର ଉନ୍ମେଷ ଘଟିଥିଲା ତାହା ଦିନେ ଯେ ଏକ ଜ୍ବଳନ୍ତ ବିପ୍ଳବ ବହ୍ନିରେ ପରିଣତ ହେବ ଏହାର ପୂର୍ବାଭାସ ମିଳିଥିଲା।

ପିତା ଜାନକୀନାଥ କଟକରୁ ଉଚ୍ଚଶିକ୍ଷା ପାଇଥିଲେ ମଧ୍ୟ ପୁତ୍ର ସୁଭାଷଙ୍କୁ କଲକାତାର ପ୍ରେସିଡେନ୍ସି କଲେଜରେ ନାମ ଲେଖାଇଥିଲେ। ଉଚ୍ଚଶିକ୍ଷାରେ ପୁନଃ-ବ୍ୟବସ୍ଥିତ ହୋଇ ସୁଭାଷ କଲକାତାର ସ୍କଟିସ୍‌ ଚର୍ଚ୍ଚ କଲେଜରୁ କୃତିତ୍ବର ସହ ଦର୍ଶନଶାସ୍ତ୍ରରେ ସ୍ନାତକ ଡିଗ୍ରୀ ପାଇବା ପରେ ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାତ୍ରା କରିଥିଲେ। ଲଣ୍ଡନରେ ଛାତ୍ରାବସ୍ଥାରେ ସେ ଆଇସିଏସ୍‌ ପରୀକ୍ଷାରେ କୃତିତ୍ବ ଲାଭ କରି ଜଣେ ଉଚ୍ଚକୋଟୀର ପଦସ୍ଥ କର୍ମଚାରୀ ରୂପେ ହୁଏତ ଅଧିଷ୍ଠିତ ହୋଇପାରିଥାନ୍ତେ, କିନ୍ତୁ ଆଇସିଏସ୍‌ ପଦକୁ ଜଳାଞ୍ଜଳି ଦେଇ ମହାନ୍‌ ନେତା ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ବରେ ସ୍ବାଧୀନତା ସଂଗ୍ରାମରେ ନିଜକୁ ନିୟୋଜିତ କରିଥିଲେ। ଏହି ପ୍ରଭାବଶାଳୀ ଯୁବନେତା ତାଙ୍କର ଅସାଧାରଣ କୃତିତ୍ବ ଯୋଗୁଁ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ରୂପେ ଦୁଇ ଥର ନିର୍ବାଚିତ ହୋଇପାରିଥିଲେ। ପରବର୍ତ୍ତୀ କାଳରେ ଗାନ୍ଧିଜୀଙ୍କ ସହ ମତଭେଦ ହେତୁ ସୁଭାଷ ଦ୍ବିତୀୟ ବାର କଂଗ୍ରେସ ସଭାପତି ପଦରୁ ସ୍ବଇଚ୍ଛାରେ ଇସ୍ତଫା ଦେଇଥିଲେ। ତାଙ୍କର ସଂଘର୍ଷମୟ ଜୀବନ କାଳରେ ଦ୍ବିତୀୟ ବିଶ୍ବଯୁଦ୍ଧର ଘନଘଟା ମଧ୍ୟରେ ନଜରବନ୍ଦୀ ଅବସ୍ଥାରୁ ବ୍ରିଟିଶ୍‌ ସରକାରଙ୍କ ଆଖିରେ ଧୂଳି ଦେଇ ୧୯୪୧ ମସିହା ଜାନୁଆରୀ ୧୭ ତାରିଖରେ ଭାରତ ତ୍ୟାଗ କରି ଜର୍ମାନୀର ବର୍ଲିନ୍‌ଠାରେ ପହଞ୍ଚି ଥିଲେ। ଏହିଠାରେ ଜର୍ମାନ୍‌ ଚାନ୍‌ସେଲର ହିଟ୍‌ଲରଙ୍କ ସହାୟତାରେ ଭାରତୀୟ ଯୁଦ୍ଧବନ୍ଦୀଙ୍କୁ ନେଇ ଗଠିତ ହୋଇଥିଲା ଭାରତୀୟ ଜାତୀୟ ବାହିନୀ (ଓଘଇ) ପରବର୍ତ୍ତୀ କାଳରେ ନେତାଜୀ ଜାପାନ ରାଜଧାନୀ ଟୋକିଓଠାରେ ଆଜାଦ୍‌ ହିନ୍ଦ୍‌ ଫୌଜ୍‌ର ନେତୃତ୍ବ ନେଇ ଆଜାଦ୍‌ ହିନ୍ଦୀ ସରକାର ନାମକ ଏକ ସ୍ବାଧୀନ ସରକାର ଗଠନ କରିଥିଲେ। ନେତାଜୀଙ୍କ ଆଜାଦ୍‌ ହିନ୍ଦ୍‌ ବାହିନୀଙ୍କ ଦ୍ବାରା ଭାରତୀୟ ଅଞ୍ଚଳ ମଣିପୁରର ମୋୟିରାଙ୍ଗ୍‌ଠାରେ ଆଜାଦ୍‌ ହିନ୍ଦ୍‌ ପତାକା ଉତ୍ତୋଳନ କରାଯାଇଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧରେ ଶତ୍ରୁପକ୍ଷର ପରାଜୟ ଫଳରେ ନେତାଜୀଙ୍କ ଆଜାଦ୍‌ ହିନ୍ଦ୍‌ ବାହିନୀର ବିଲୟ ଘଟିଥିଲା।

ଉତ୍କଳମାତାର ଏହି ମହାନ୍‌ ସନ୍ତାନଙ୍କ ରହସ୍ୟଜନକ ମୃତ୍ୟୁ ପରେ ତାଙ୍କ ଦଗ୍ଧ ଶରୀରର ଚିତାଭସ୍ମରୁ ସଂଗୃହୀତ ଅସ୍ଥିର ଅବଶିଷ୍ଟାଂଶ ଜାପାନର ରଙ୍କୋଜୀସ୍ଥିତ ବୌଦ୍ଧ ମନ୍ଦିରରେ ଆଜି ପର୍ୟ୍ୟନ୍ତ ସଂରକ୍ଷିତ କରି ରଖାଯାଇଅଛି। ଏହି ସଂରକ୍ଷିତ ଅସ୍ଥିକୁ ଏକଦା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ଓ ତାଙ୍କ ସୁକନ୍ୟା ଇନ୍ଦିରା ମଧ୍ୟ ଦେଖିବାକୁ ଯାଇଥିଲେ।

ନେତାଜୀଙ୍କ ଚିତାଭସ୍ମର ଏହି ଅବଶିଷ୍ଟାଂଶର ଅସ୍ଥିକୁ ଡିଏନ୍‌ଏ ପରୀକ୍ଷା କରାଯାଇ ବାସ୍ତବରେ ତାହା ଯଦି ନେତଜୀଙ୍କର ଅସ୍ଥି ରୂପେ ପ୍ରତିପାଦିତ ହୁଏ, ତାହାହେଲେ ତାଙ୍କର ଯଥାର୍ଥ ସ୍ମୃତି ଉଦ୍ଦେଶ୍ୟରେ ଭାରତ ସରକାର ଏହାକୁ ଉଦ୍ଧାର କରି ଆଣି ଏକ ସଂଗ୍ରହାଳୟରେ ସଂରକ୍ଷିତ କରି ରଖିବା ଉଚିତ। ଏହା ହୋଇପାରିଲେ ନେତାଜୀଙ୍କ ୧୨୫ ବର୍ଷ ଜୟନ୍ତୀ ଅଭ୍ୟର୍ଥନାର ଯଥାର୍ଥତା ପ୍ରତିପାଦିତ ହୋଇପାରିବ।

Comments are closed.