ଲାକ୍ଷାଦ୍ବୀପ ବଞ୍ଚାଅ

ମହେଶ୍ବର ପାତ୍ର

ଏଇ କିଛି ଦିନ ହେଲା ‘ସେଭ୍‌ ଲାକ୍ଷାଦ୍ବୀପ’ ବା ‘ଲାକ୍ଷାଦ୍ବୀପକୁ ବଞ୍ଚାଅ’ ହାସ୍‌ଟ୍ୟାଗ୍ ଥିବା ବହୁତଗୁଡ଼ାଏ ବାର୍ତ୍ତା ବର୍ତ୍ତମାନ ଟୁଇଟର, ଫେସବୁକ୍, ହ୍ୱାଟ୍‌ସ୍‌ଆପ୍‌ ଆଦି ସାମାଜିକ ଗଣମାଧ୍ୟମରେ ବହୁଳ ମାତ୍ରାରେ ପ୍ରସାରିତ ହେଉଛି। ତେବେ କ’ଣ ରହିଛି ଏହା ପଛର କାରଣ? ଏକ ଶାନ୍ତିପ୍ରିୟ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଖ୍ୟାତ ଲାକ୍ଷାଦ୍ବୀପ ଆଜି ଏତେ ଅଶାନ୍ତ କ’ଣ ପାଇଁ? ଏଥିପାଇଁ ଦାୟୀ କିଏ? ଅନେକଙ୍କ ମନରେ ଏପରି ପ୍ରଶ୍ନ ଉଠିଛି।

ଭାରତର ଦକ୍ଷିଣ ପଶ୍ଚିମ ଉପକୂଳ ଠାରୁ ୨୦୦ ରୁ ୪୪୦ କିମି ଆରବ ସାଗର ମଧ୍ୟରେ ଅବସ୍ଥିତ ଆମଦେଶର ସବୁଠାରୁ ଛୋଟ କେନ୍ଦ୍ରଶାସିତ ଅଞ୍ଚଳ ହେଉଛି ଲାକ୍ଷାଦ୍ବୀପ। ଏହାର ନିକଟବର୍ତ୍ତୀ ମୁଖ୍ୟ ଭୂଖଣ୍ଡ ହେଉଛି କେରଳ ରାଜ୍ୟ। ୧ ନଭେମ୍ବର ୧୯୫୬ରେ ଗଠିତ ଏହି କେନ୍ଦ୍ରଶାସିତ ଅଞ୍ଚଳଟି ୩୨ ବର୍ଗ କିଲୋମିଟର ପରିବ୍ୟାପ୍ତ ଏବଂ ୩୬ଟି ଛୋଟ ବଡ଼ ଦ୍ବୀପକୁ ନେଇ ସମୃଦ୍ଧ। ୨୦୧୧ ଜନଗଣନା ଅନୁଯାୟୀ ଏଠାକାର ଲୋକ ସଂଖ୍ୟା ୬୪,୪୭୩। ମୁଖ୍ୟତଃ ମୁସଲମାନ ସମ୍ପ୍ରଦାୟର ଲୋକ ଏଠାର ସ୍ଥାୟୀ ବାସିନ୍ଦା। ସାଧାରଣତଃ ଏମାନେ ମାଛ ଧରି କିମ୍ବା ନଡ଼ିଆ ଚାଷ କରି ନିଜର ଜୀବିକା ନିର୍ବାହ କରିଥାନ୍ତି। ଏଠାରେ ଇଂଲିଶ ଓ ମାଲାୟାଲମ୍‌ ଭାଷାକୁ ସରକାରୀ ଭାଷା ରୂପେ ଗ୍ରହଣ କରାଯାଇ ଥିବାବେଳେ ସାକ୍ଷରତା ହାର ରହିଛି ପ୍ରାୟ ୯୨%। ଗୋଟିଏ ଜିଲା ଓ ଦଶଟି ସବ୍ ଡିଭିଜନକୁ ନେଇ ଗଠିତ ଏହି କେନ୍ଦ୍ରଶାସିତ ଅଞ୍ଚଳର ରାଜଧାନୀ ହେଉଛି କଭରାଟ୍ଟି। ଏଠାରୁ ବର୍ତ୍ତମାନ ଏକମାତ୍ର ସାଂସଦ ରୂପେ ଏନସିପିର ମହମ୍ମଦ ଫୈଜଲ୍ ଲୋକସଭାରେ ପ୍ରତିନିଧିତ୍ବ କରୁଛନ୍ତି।

ଏଠିକାର ସରକାର କହିଲେ କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ପ୍ରଶାସକଙ୍କୁ ବୁଝାଏ, ଯାହାଙ୍କୁ ଭାରତର ରାଷ୍ଟ୍ରପତି ସମ୍ବିଧାନର ଧାରା ୨୩୯ ଅନୁଯାୟୀ ନିଯୁକ୍ତି ପତ୍ର ଦେଇଥାନ୍ତି। ଆଗରୁ ଏହି ପଦରେ ଆଇଏଏସ୍/ଆଇପିଏସ୍ ଅଧିକାରୀମାନେ ଅଧିଷ୍ଠିତ ହେଉଥିଲା ବେଳେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ଜଣେ ରାଜନେତାଙ୍କୁ ଲାକ୍ଷାଦ୍ବୀପର ପ୍ରଶାସକ ରୂପେ ନିଯୁକ୍ତି ଦେଇଛନ୍ତି। ଆଇପିଏସ୍ ଦିନେଶ୍ୱର ଶର୍ମାଙ୍କ ବିୟୋଗ ପରେ ଲାକ୍ଷାଦ୍ବୀପର ପ୍ରଶାସକ ପଦରେ କେନ୍ଦ୍ର ସରକାର ଗତ ୫ ଡିସେମ୍ବର ୨୦୨୦ରେ ଭାରତୀୟ ଜନତା ପାର୍ଟି ନେତା ପ୍ରଫୁଲ୍ଲ ଖୋଡା ପଟେଲଙ୍କୁ ନିଯୁକ୍ତି ଦେଇଛନ୍ତି, ଯିଏକି ପୂର୍ବରୁ ମୋଦୀଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ଗୁଜରାଟର ଗୃହମନ୍ତ୍ରୀ ଥିଲେ। ଏମିତି ନୁହେଁ କି ସେ ପ୍ରଥମ ଥର ଲାଗି କୌଣସି କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକ ଦାୟିତ୍ବ ତୁଲାଉଛନ୍ତି। ସେ ପୂର୍ବରୁ ମଧ୍ୟ ୨୦୧୬ ମସିହାରେ ଦାମନ ଓ ଡିଉର ପ୍ରଶାସକ ଏବଂ ଏବେ ଲାକ୍ଷାଦ୍ବୀପ ସହ ନୂଆକରି ଗଠିତ ଦାଦ୍ରା ଓ ନଗର ହାଭେଲି ଏବଂ ଦାମନ ଓ ଦିଉର ପ୍ରଶାସକ ରୂପେ କାର୍ଯ୍ୟ କରୁଛନ୍ତି। ତେବେ ଏତେ ସବୁ ଅଭିଜ୍ଞତା ଥିବା ସତ୍ତ୍ବେ ଲାକ୍ଷାଦ୍ବୀପର ଜନସାଧାରଣ କାହିଁକି ତାଙ୍କୁ ସହଜରେ ଗ୍ରହଣ କରି ପାରୁନାହାନ୍ତି? ଏହାର ସରଳ ଉତ୍ତର ହେଉଛି ତାଙ୍କ ଦ୍ବାରା ନିଆଯାଇଥିବା କେତେଗୁଡ଼ିଏ ବିବଦମାନ ଓ ବିତର୍କିତ ନିଷ୍ପତ୍ତି। ଆସନ୍ତୁ ଜାଣିବା ସେହି ନିଷ୍ପତ୍ତିଗୁଡ଼ିକ କ’ଣ?

ବର୍ତ୍ତମାନ ଯାହାଙ୍କପାଇଁ ଏତେ ଗୋଳ, ତାଙ୍କ ଦ୍ବାରା ନିଆଯାଇଥିବା ପ୍ରଥମ ବିବଦମାନ ନିଷ୍ପତ୍ତି ହେଲା ତଟରକ୍ଷୀ ନିୟମର ଦ୍ୱାହି ଦେଇ ମତ୍ସ୍ୟଜୀବୀଙ୍କର ଗୃହଗୁଡ଼ିକ ବୁଲ୍‌ଡୋଜର ଲଗେଇ ଭାଙ୍ଗିବା। ଏହାର ଏକ ଦୃଶ୍ୟ କିଛିଦିନ ତଳେ ସାମାଜିକ ଗଣମାଧ୍ୟମରେ ଖୁବ୍ ପ୍ରସାରିତ ହେଇଥିଲା। ଦ୍ବିତୀୟ: ପୂର୍ବରୁ ମଦ ଉପରେ ଏଠାରେ ପ୍ରତିବନ୍ଧକ ଥିଲା; କିନ୍ତୁ ପ୍ରଫୁଲ୍ଲ ପଟେଲ ପ୍ରଶାସକ ରୂପେ ନିଯୁକ୍ତ ହେଲା ପରେ ମଦ ଉପରେ ଥିବା ସମସ୍ତ ପ୍ରତିବନ୍ଧକ ହଟେଇ ଦେଲେ। ତୃତୀୟ: ଗୋମାଂସ ନିଷେଧ କରିବା ସହ ବିଦ୍ୟାଳୟଗୁଡିକୁ ମଧ୍ୟାହ୍ନ ଭୋଜନରେ କୌଣସି ପ୍ରକାର ମାଂସ ନଦେବା ପାଇଁ ନିର୍ଦେଶ। ଚତୁର୍ଥ: ସେଠାରେ ଥିବା ଏକ ଗୋଶାଳାକୁ ବନ୍ଦ କରି ନିଜ ରାଜ୍ୟ ଗୁଜରାଟସ୍ଥିତ ଅମୁଲ କମ୍ପାନୀକୁ ସେଠାରେ ଅବସ୍ଥାପିତ କରେଇବା। ପଞ୍ଚମ: ଦୁଇରୁ ଅଧିକ ସନ୍ତାନ ଥିବା ସଦସ୍ୟଙ୍କୁ ପଞ୍ଚାୟତ ନିର୍ବାଚନରୁ ଦୂରେଇ ରଖିବା ଓ ‘ଗୁଣ୍ଡା’ ଆଇନ ପ୍ରଚଳନ ।

ଉପରୋକ୍ତ ନିଷ୍ପତ୍ତିଗୁଡିକ ବ୍ୟତୀତ ସେ ଆଉ ଏକ ନିଷ୍ପତ୍ତି ନେଇଛନ୍ତି ଯାହା ତାଙ୍କୁ ଲୋକଙ୍କ ରୋଷର ଶରବ୍ୟ କରିଛି। ଭାରତରେ କରୋନା ମହାମାରୀର ସ୍ଥିତିକୁ ନେଇ ସେଠାକାର ପୂର୍ବ କର୍ତ୍ତୃପକ୍ଷ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ବାଧ୍ୟତାମୂଳକ ସଙ୍ଗରୋଧ ବ୍ୟବସ୍ଥା କରିଥିଲେ; କିନ୍ତୁ ପ୍ରଫୁଲ୍ଲ ପଟେଲ ଯୋଗ ଦେବା ପରେ ପୁରୁଣା ନିୟମ ଉଠେଇ ଦେଇ ପର୍ଯ୍ୟଟକଙ୍କ ନିମନ୍ତେ କେବଳ ଆର୍‌ଟିପିସିଆର୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କଲେ। ଫଳସ୍ୱରୂପ ଆଗରୁ କରୋନାର ଚିହ୍ନ ବର୍ଣ୍ଣ ନଥିବା ଏହି ଦ୍ବୀପରେ ବର୍ତ୍ତମାନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଆସି ପହଞ୍ଚିଛି ପାଖାପାଖି ୭୫୦୦ରେ। କେବଳ ଏତିକି ନୁହେଁ; ଏକ ସଙ୍ଗିନ ଅଭିଯୋଗ କ୍ରମେ ଗତ ଫେବୃଆରୀ ମାସ ୨୨ ତାରିଖରେ ଆଦିବାସୀ ସୁରକ୍ଷା ପାଇଁ ଲଢ଼ୁଥିବା ଜଣେ ଆଇନଜୀବୀ ତଥା ଦାଦ୍ରା ଓ ନଗର ହାଭେଲି ଏବଂ ଦାମନ ଓ ଦିଉର ଲୋକସଭା ସାଂସଦ ମୋହନ ଭାଇ ସଂଜି ଭାଇ ଦେଲକର୍ ମୁମ୍ବଇର ଏକ ହୋଟେଲରେ ଫାଶୀ ଦେଇ ଆତ୍ମହତ୍ୟା କରିବା ସହ ୧୫ ପୃଷ୍ଠାର ଏକ ଆତ୍ମହତ୍ୟା ବିବରଣୀରେ ନିଜ ମୃତ୍ୟୁ ପାଇଁ ପ୍ରଫୁଲ୍ଲ ପଟେଲ ଦାୟୀ ବୋଲି ଉଲ୍ଲେଖ କରିଛନ୍ତି।

ଏହି ସବୁ ଘଟଣାକୁ ନେଇ କେବଳ ଲାକ୍ଷାଦ୍ବୀପର ସାଧାରଣ ଜନତା ନୁହନ୍ତି, ବରଂ ସେଠାକାର ବିଜେପି ସଦସ୍ୟଙ୍କଠାରୁ ମଧ୍ୟ ବିରୋଧର ସ୍ୱର ଶୁଭିଲାଣି। କଥା ଯାଇ ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିଲାଣି। ହୁଏତ ପ୍ରଫୁଲ୍ଲ ପଟେଲଙ୍କ ନିଷ୍ପତ୍ତିଗୁଡିକ ପଛରେ ଲାକ୍ଷାଦ୍ବୀପକୁ ମାଳଦ୍ବୀପ ପରି ଏକ ସୁନ୍ଦର ମନୋରମ ବେଳାଭୂମି କରି ଗଢି ତୋଳିବା ପାଇଁ ଇଚ୍ଛା ଥାଇପାରେ ଯାହା ଭାରତକୁ ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିବ; କିନ୍ତୁ ସବୁ ପରେ ବି ଆମକୁ ସେଠାକାର ସ୍ଥାନୀୟ ବାସିନ୍ଦା ଓ ଜୈବ ବିବିଧତାର ଗୁରୁତ୍ବ ଉପଲବ୍ଧି କରିବାକୁ ପଡ଼ିବ ନଚେତ୍‌ ଲାକ୍ଷାଦ୍ବୀପର ନିରୀହ ଜନତାଙ୍କ ରୋଷରୁ ଆମକୁ କେହି ରକ୍ଷା କରି ପାରିବେ ନାହିଁ। ଗୋଟିଏ ଶାନ୍ତିପ୍ରିୟ ଦ୍ବୀପ ରୂପେ ବିଶ୍ବବିଦିତ ଲାକ୍ଷାଦ୍ବୀପର ଅଶାନ୍ତ ରୂପ ସମଗ୍ର ବିଶ୍ୱ ଦେଖିବ। ତେଣୁ ବେଳହୁଁ ସାବଧାନ!

Comments are closed.