ଖେଳ ପଛର ଖେଳ

ମୃଣାଳ ଚାଟାର୍ଜୀ

୨୦୨୦ରେ ଜାପାନର ଟୋକିଓଠାରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ ଖେଳ କରୋନା ମହାମାରୀ ଯୋଗୁଁ ଘୁଞ୍ଚାଇ ଦିଆ ଯାଇଥିଲା। ଠିକ୍ କରାଯାଇଥିଲା ୨୩ ଜୁଲାଇରୁ ୮ ଅଗଷ୍ଟ ଯାଏ ଏହା ହେବ। ଆଶା କରାଯାଇଥିଲା ୨୦୫ଟି ଦେଶର ଏଗାର ହଜାରରୁ ଊର୍ଦ୍ଧ୍ୱ ଖେଳାଳି ଏଥିରେ ଅଂଶ ଗ୍ରହଣ କରିବେ। କିନ୍ତୁ ଜାପାନରେ କରୋନା ମହାମାରୀର ବର୍ତ୍ତମାନ ଅବସ୍ଥାରେ ଏଠାରେ ଏଡ଼େ ବଡ଼ କ୍ରୀଡ଼ାନୁଷ୍ଠାନ ହୋଇ ପାରିବ କି ନାହିଁ ତାକୁ ନେଇ ସନ୍ଦେହ ଦେଖାଦେଲାଣି। ଜାପାନରେ ବହୁ ଲୋକ ବର୍ତ୍ତମାନ ଏହା ଅନୁଷ୍ଠିତ ହେବା ଉଚିତ ନୁହେଁ ବୋଲି ମତ ପ୍ରକାଶ କରୁଛନ୍ତି। ଏହା ବିରୋଧରେ ଆନ୍ଦୋଳନ ଆରମ୍ଭ ହେଲାଣି।

ଜାପାନର ପ୍ରମୁଖ ସମ୍ବାଦପତ୍ର ଆସାହି ସିମ୍ବୁନ୍ ଏ ସମ୍ପର୍କରେ କରିଥିବା ସର୍ବେକ୍ଷଣରୁ ଜଣାଯାଏ ଯେ ୪୩ ଶତାଂଶ ଲୋକ ଚାହାନ୍ତି ଟୋକିଓ ଅଲିମ୍ପିକକୁ ରଦ୍ଦ କରିଦିଆଯାଉ, ୪୦ ଶତାଂଶ ଲୋକ ଚାହାନ୍ତି ଏହାକୁ ପୁଣି ମୁଲତବି କରିଦିଆଯାଉ। ମାତ୍ର ୧୪ ଶତାଂଶ ଲୋକ ଚାହାନ୍ତି ଅଲିମ୍ପିକ ନିର୍ଦିଷ୍ଟ ସମୟରେ ହେଉ। ଆସାହି ସିମ୍ବୁନ୍ ତା’ର ସମ୍ପାଦକୀୟରେ ଟୋକିଓ ଅଲିମ୍ପିକକୁ ରଦ୍ଦ କରିବାକୁ ପରାମର୍ଶ ଦେଇଛି। ୧୪୨ ବର୍ଷ ପୁରୁଣା ଆସାହି ସିମ୍ବୁନ୍ ଜାପାନର ଏକ ପୁରୁଣା ଓ ସମ୍ମାନନୀୟ ସମ୍ବାଦପତ୍ର କେବଳ ନୁହେଁ- ଏହା ପୁଣି ଟୋକିଓ ଅଲିମ୍ପିକର ପ୍ରାୟୋଜକଙ୍କ ଭିତରୁ ଜଣେ। ‘ନିଉ ଇଂଲଣ୍ଡ ଜର୍ଣ୍ଣାଲ୍ ଅଫ ମେଡିସିନ’ରେ ପ୍ରକାଶିତ ଏକ ନିବନ୍ଧରେ ବର୍ତ୍ତମାନ ସମୟରେ ଟୋକିଓ ଅଲିମ୍ପିକ ହେଲେ ଖେଳାଳିମାନଙ୍କ ସୁରକ୍ଷା ଏକ ବଡ଼ ପ୍ରଶ୍ନ ହେବ ବୋଲି ସାବଧାନ କରାଯାଇଛି।

ଜାପାନ ସରକାର କିନ୍ତୁ ଏଯାଏ ଏ ଦିଗରେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଅଲିମ୍ପିକ ଆୟୋଜକ କମିଟି ଏଯାଏ ଆଶା ବାନ୍ଧି ବସିଛନ୍ତି ଟୋକିଓ ଅଲିମ୍ପିକ ହେବ। ଏ ଖେଳ ଯଦି ନ ହୁଏ ତେବେ ଜାପାନର ୧୭୦୦ କୋଟି ଡଲାର ଅର୍ଥାତ୍ ପ୍ରାୟ ଏକ ଲକ୍ଷ ୩୦ ହଜାର କୋଟି ଟଙ୍କା କ୍ଷତି ହେବ। ତା ସହିତ ଜାପାନର ପାରିବାପଣ ଉପରେ ବି ପ୍ରଶ୍ନବାଚୀ ଲାଗିଯିବ।

ଖେଳକୁ ଯେଉଁମାନେ କେବଳ ଖେଳ ଭାବରେ ଦେଖନ୍ତି ବା ଦେଖିବା ପାଇଁ ଚାହାନ୍ତି ସେମାନେ ଜାଣି ରଖନ୍ତୁ: ଖେଳ କେବଳ ଖେଳ ନୁହେଁ। ଯେବେଠୁଁ ଖେଳର ବଡ଼ବଡ଼ ପ୍ରତିଯୋଗିତା ଆୟୋଜନ କରାଯାଇଛି, ତାହା ଅଲିମ୍ପିକ୍ ହେଉ ବା ବିଶ୍ୱକପ୍ ଫୁଟବଲ, ଆଇପିଏଲ୍ ହେଉ ବା ଏସିଆଡ୍- ସେବେଠୁଁ ଏହା ନିଚ୍ଛକ ଖେଳରେ ସୀମାବଦ୍ଧ ହୋଇ ରହି ନାହିଁ। ସମୟ ବିଶେଷରେ ଖେଳ ପଛରେ ରାଜନୀତି ରହିଛି, ଜଣେ ବ୍ୟକ୍ତି ବା ଭାବଧାରା ବା ଦେଶର ଭାବମୂର୍ତ୍ତି ବଢ଼େଇବାର ସକ୍ରିୟ ପ୍ରୟାସ ରହିଛି; ପୁଣି ଜନସାଧାରଣଙ୍କର ଦୃଷ୍ଟିକୁ ଗୋଟିଏ ନିର୍ଦିଷ୍ଟ ବିଷୟରୁ ଘୁଞ୍ଚେଇବାର ପ୍ରୟାସ ମଧ୍ୟ ରହିଛି। ଆଉ ଅର୍ଥ ବି ରହିଛି । ଇତିହାସକୁ ଚାହିଁଲେ ଆମକୁ ଏହା ଜଳଜଳ କରିି ଦିଶିଯିବ।

ଜାପାନ ଏହାପୂର୍ବରୁ ଥରେ ଅଲିମ୍ପିକ ଖେଳ ଆୟୋଜନ କରିଛି। ୧୯୬୪ରେ, ଟୋକିଓରେ । ଆଉ ଦୁଇଥର ଶୀତକାଳୀନ ଅଲିମ୍ପିକ (ଉଇଣ୍ଟର ଅଲିମ୍ପିକ) ଆୟୋଜନ କରିଛି: ୧୯୬୮ ଏବଂ ୧୯୮୪ରେ । ୧୯୬୦ରୁ ଏପର୍ଯ୍ୟନ୍ତ ଜାପାନ ଆହୁରି ଛ’ ଥର ଅଲିମ୍ପିକ ଆୟୋଜନ କରିବାକୁ ଚାହିଁଥିଲା। ହେଲେ ଅଲିମ୍ପିକ ଆୟୋଜକ କମିଟି ଅନ୍ୟଦେଶକୁ ଏହା ଆୟୋଜନ କରିବାର ଅନୁମତି ଦେଇଥିଲେ।

ଦ୍ୱିତୀୟ ବିଶ୍ୱଯୁଦ୍ଧର ପରାଜୟ ପରେ ଜାପାନ ବିଶ୍ୱକୁ ଦେଖାଇବାକୁ ଚାହୁଁଥିଲା ତା’ର ପୁନଃନିର୍ମାଣ। ଶୁଣାଇବାକୁ ଚାହୁଁଥିଲା ଧ୍ୱଂସର ପାଉଁଶଗଦାରୁ ପୁଣି ଅଣ୍ଟା ସଳଖି ଠିଆ ହେବାର କାହାଣୀ। ଅଲିମ୍ପିକ ଆୟୋଜନ ଥିଲା ସେ ଯୋଜନାର ଅଙ୍ଗ। ୧୯୬୦ରେ ବିଫଳ ହେବା ପରେ ୧୯୬୪ରେ ଜାପାନ ଆୟୋଜନ କଲା ଟୋକିଓ ଅଲିମ୍ପିକ। ନୂତନ ସହସ୍ରାବ୍ଦୀର ପ୍ରଥମ ଦଶକରୁ ଜାପାନର ଅର୍ଥନୀତି ଟଳମଳ ଅବସ୍ଥାରେ। ତେଣୁ ଜାପାନୀ ଅସ୍ମିତାର ଜାଗରଣ ଏବଂ ଜାପାନର ଅର୍ଥନୀତିକୁ ପୁନର୍ଜୀବନ ଦେବା ପାଇଁ ପୁଣି ଥରେ ଅଲିମ୍ପିକ ଆୟୋଜନର ଯୋଜନା କଲା ଜାପାନ। ୨୦୧୬ରେ ବିଫଳ ହେଲା। ଅଲିମ୍ପିକ ଆୟୋଜିତ ହେଲା ବ୍ରାଜିଲର ରିଓ ଡି ଜେନିରୋରେ। ହେଲେ ୨୦୨୦ ଅଲିମ୍ପିକ ଆୟୋଜନର ଦାୟିତ୍ୱ ମିଳିଲା ଟୋକିଓକୁ। ତେଣୁ ଅଲିମ୍ପିକ ଆୟୋଜନ କେବଳ ଏକ ଖେଳ ଆୟୋଜନ ନୁହେଁ। ତାଠୁଁ ଅନେକ ବଡ଼ କିଛି।

ଖେଳ ଜରିଆରେ ଭାବମୂର୍ତ୍ତି ନିର୍ମାଣ ଛଡ଼ା ସମ୍ବେଦନଶୀଳ ପ୍ରସଙ୍ଗରୁ ସାଧାରଣ ଲୋକଙ୍କ ଦୃଷ୍ଟି ଅନ୍ୟଆଡ଼କୁ ନେଇଯିବା ଚେଷ୍ଟାର ମଧ୍ୟ ଅନେକ ଉଦାହରଣ ଅଛି। ବର୍ଲିନ୍ ୧୯୩୬, ମସ୍କୋ ୧୯୮୦, ବେଜିଂ ୨୦୦୮ ଏ ତିନୋଟି ଅଲିମ୍ପିକ୍ ଖେଳକୁ ଦେଖନ୍ତୁ। ଏ ତିନୋଟି ଯାକ ଅଲିମ୍ପିକ୍ ଖେଳ ଯେଉଁ ସମୟରେ ଯେଉଁ ଦେଶ ଆୟୋଜନ କରିଥିଲେ ସେ ଦେଶର ତତ୍କାଳୀନ ରାଜନୈତିକ-ସାମାଜିକ ଓ ଅର୍ଥନୈତିକ ଅବସ୍ଥା ଓ ପ୍ରେକ୍ଷାପଟକୁ ଯଦି ବିଶ୍ଳେଷଣ କରାଯିବ, ତା’ହେଲେ ଏ ବିଷୟଗୁଡ଼ିକ ସ୍ପଷ୍ଟ ଜାଣିପାରିବେ।

ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ବଡ଼ବଡ଼ ସ୍ପୋର୍ଟିଂ ଇଭେଣ୍ଟ ଆୟୋଜନ କରିବା ପାଇଁ ବେଶି ଭଲ ପାଏ। ଉଦାହରଣ ସ୍ୱରୂପ, ୧୯୭୮ରେ ବିଶ୍ୱକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା ଆର୍ଜେଣ୍ଟିନା। ସେତେବେଳେ ଆର୍ଜେଣ୍ଟିନାର ଶାସକ ଥିଲେ ସାମରିକ ବାହିନୀର କର୍ମକର୍ତ୍ତା। ସେମାନେ ତାଙ୍କ ବିରୋଧରେ ଯେଉଁ ଜନଆନ୍ଦୋଳନ ହେଉଥିଲା ତାକୁ କଠୋର ହସ୍ତରେ ଦମନ କରୁଥିଲେ। ୧୯୭୮ର ଫୁଟବଲ ବିଶ୍ୱକପ୍ ଆୟୋଜନ ସେମାନଙ୍କ ପାଇଁ ଏହି ଅଗଣତାନ୍ତ୍ରିକ କାର୍ଯ୍ୟରୁ ବିଶ୍ୱର ଦୃଷ୍ଟିକୁ ଅନ୍ୟତ୍ର ଘୁଞ୍ଚେଇ ଦେବାର ଏକ କାର୍ଯ୍ୟକାରୀ ସାଧନ ହୋଇଥିଲା। ସମାନ କଥା ୨୦୦୮ରେ ବେଜିଂ ଅଲିମ୍ପିକ୍ ବିଷୟରେ କୁହାଯାଇପାରେ। ତିବ୍‌ବତ ସ୍ୱାଧୀନତା ପାଇଁ ଆନ୍ଦୋଳନ, ୱିଘୁର ମୁସଲମାନମାନଙ୍କର ଯନ୍ତ୍ରଣା ଏସବୁ ଆଉ ସେତେବେଳେ ଖବରର ଶିରୋନାମାକୁ ଆସିଲା ନାହିଁ।

ଖବରର ଶିରୋନାମା ଦଖଲ କଲା: ଚୀନ କେତେ ସୁନ୍ଦର ଭାବରେ ଅଲିମ୍ପିକ୍ ଭଳି ବିଶାଳ କ୍ରୀଡ଼ାନୁଷ୍ଠାନକୁ ଆୟୋଜନ କଲା। ଚୀନର ପ୍ରଧାନ ଅଲିମ୍ପିକ ଷ୍ଟାଡିୟମ (ବାର୍ଡସ୍ ନେଷ୍ଟ) ତାହା କେତେ ଭଲ, କେତେ ସୁନ୍ଦର ଆଉ ଶୃଙ୍ଖଳିତ ଭାବରେ ସେମାନେ ସ୍ବାଗତ କାର୍ଯ୍ୟକ୍ରମ ଆୟୋଜନ କଲେ- ଏସବୁର ଚର୍ଚ୍ଚା ଭିତରେ ତିବ୍‌ବତ ସ୍ୱାଧୀନତାର ପ୍ରସଙ୍ଗ କୁଆଡ଼େ ହଜିଗଲା। ଭୁଲି ହୋଇଗଲା ଚୀନର ମାନବିକ ଅଧିକାର ଉଲ୍ଲଙ୍ଘନର ଅଭିଯୋଗ। ସମାନ କଥା ହୋଇଥିଲା ୧୯୩୬ରେ ଜର୍ମାନୀରେ। ଜର୍ମାନୀ ସେତେବେଳେ ଅର୍ଥନୈତିକ ମାନ୍ଦାବସ୍ଥାରୁ ଉଧୁରୁଥିଲା। ନାଜିମାନେ ବିଶ୍ୱରେ ଜର୍ମାନୀକୁ ଏକ ମହାଶକ୍ତି ଭାବରେ ଦେଖାଇବାକୁ ଚାହୁଁଥିଲେ। ଏହାର ଏକ ଯୋଜନା ଓ ସାଧନ ଭାବରେ ସେମାନେ ୧୯୩୬ରେ ଅଲିମ୍ପିକ୍ ଆୟୋଜନ କରିଥିଲେ। ଅଲିମ୍ପିକ ଖେଳ ସେମାନଙ୍କୁ ବିଶ୍ୱରେ ତାଙ୍କର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିବା ପାଇଁ ଏକ ସୁଯୋଗ ଦେଇଥିଲା।

ବିଶ୍ୱକପ୍ ଫୁଟବଲ ହେଉ କି ଅଲିମ୍ପିକ୍, କମନୱେଲ୍‌ଥ ଗେମସ୍‌ ହେଉ ବା ବିଶ୍ୱକପ୍ କ୍ରିକେଟ୍ ହେଉ- ଏ ସବୁ ପ୍ରତିଯୋଗିତା ଆୟୋଜନରେ ବହୁତ ଟଙ୍କା ଖର୍ଚ୍ଚ ହୁଏ। ଅନେକ ସମୟରେ ପ୍ରଶ୍ନ ଉଠେ ଯେ ଗରିବ ଦେଶଗୁଡ଼ିକ ବଡ଼ବଡ଼ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରିବାରେ ଏମିତି ପାଣି ଭଳି ଟଙ୍କା କାହିଁକି ଖର୍ଚ୍ଚ କରନ୍ତି? ସେଇ ଟଙ୍କାରେ ଲୋକଙ୍କ ପାଇଁ ସ୍କୁଲ, କଲେଜ, ଡାକ୍ତରଖାନା କାହିଁକି ତିଆରି କରୁନାହାନ୍ତି! ଭଲ ରାସ୍ତା କାହିଁକି ତିଆରି କରୁନାହାନ୍ତି? ବନ୍ୟା, ବାତ୍ୟା ମରୁଡ଼ିର ସ୍ଥାୟୀ ପ୍ରତିକାର ପାଇଁ ବ୍ୟବସ୍ଥା କାହିଁକି କରୁନାହାନ୍ତି?

ୟା’ର ଉତ୍ତର ବି ରହିଛି ଇତିହାସରେ। ପ୍ରାଚୀନ ରୋମର ଶାସକମାନେ ନାଗରିକମାନଙ୍କୁ ସାମାଜିକ ଜୀବନରେ ଦେଖାଯାଉଥିବା ସମସ୍ୟାରୁ ତାଙ୍କ ନଜର ଭିନ୍ନ ଆଡ଼କୁ ନେବା ପାଇଁ ବିଶାଳ କ୍ରୀଡ଼ା-ଅନୁଷ୍ଠାନର ଆୟୋଜନ କରୁଥିଲେ । ଯୋଦ୍ଧାମାନେ (ସେମାନଙ୍କୁ ଗ୍ଲାଡିଏଟର୍ କୁହାଯାଉଥିଲା) ପରସ୍ପରକୁ ହତ୍ୟା କରୁଥିଲେ। ଦର୍ଶକମାନେ ଆମୋଦିତ ହେଉଥିଲେ। ‘ଗ୍ଲାଡିଏଟର’ମାନେ ହୁଏତ ଏହାକୁ ସେମାନଙ୍କ ଭବିତବ୍ୟ ମାନିନେଇ କିମ୍ବା ବଞ୍ଚି ରହିବାର ଆଶାରେ ଏପ୍ରକାର ଖେଳରେ ଲାଗି ରହୁଥିଲେ; ହେଲେ ଦେଖଣାହାରିମାନେ ଆମୋଦିତ ହେଉଥିଲେ, ଯେମିତି ଏବେ ବି ଆମେ କୁକୁଡ଼ା ଲଢ଼େଇ ବା ମେଣ୍ଢା ଲଢ଼େଇ ଦେଖି ଆମୋଦିତ ହେଉ।

ସମାନ କଥା ଏପର୍ଯ୍ୟନ୍ତ ମଧ୍ୟ ରହିଛି। ଗରିବ ଦେଶରେ ବଡ଼ବଡ଼ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ଲୋକମାନେ ଯେମିତି ଦେଶର ବୁନିଆଦି ସମସ୍ୟାକୁ ଭୁଲି ସେଥିରେ ମଜ୍ଜିି ରହନ୍ତୁ; ଅର୍ଥାତ୍ ବଡ଼ କ୍ରୀଡ଼ାନୁଷ୍ଠାନ ଲୋକଙ୍କୁ ଆମୋଦିତ କରି ପ୍ରକୃତ ସମସ୍ୟାକୁ ଘୋଡ଼େଇ ଦେବାରେ ସାହାଯ୍ୟ କରେ। ବର୍ଲିନ୍‌ରେ ଯେଉଁ ଅଲିମ୍ପିକ୍ ଆୟୋଜନ କରାଯାଇଥିଲା ସେତେବେଳେ ନାଜି ବନ୍ଦୀ ଶିବିରରେ ହଜାରହଜାର ଇହୁଦୀଙ୍କ ଉପରେ ଅତ୍ୟାଚାର କରାଯାଉଥିଲା, ସେ ଘଟଣା ଦବିଯାଇଥିଲା। ଆର୍ଜେଣ୍ଟିନାରେ ଆୟୋଜିତ ଫୁଟବଲ ବିଶ୍ୱକପ୍‌ରେ ପ୍ରଶଂସକଙ୍କର ଚିତ୍କାର ଘୋଡ଼େଇ ପକେଇଥିଲା ଗୁଳିକରି ହତ୍ୟା କରାଯାଉଥିବା ଲୋକଙ୍କ ଆର୍ତ୍ତ ଚିତ୍କାରକୁ।

ଭାରତରେ କରୋନା ମହାମାରୀ କାଳରେ ଦେଶର ଅର୍ଥନୀତି କ୍ରମଶଃ ତଳକୁତଳକୁ ଚାଲିଯାଉଛି। ସେ ସମୟରେ ବି ଆଇପିଏଲ୍ ଆୟୋଜନ କରାଗଲା। ଆୟୋଜକମାନେ କହିପାରନ୍ତି ଯେ, ଲୋକଙ୍କ ମନକୁ କରୋନା ମହାମାରୀରୁ ଟିକିଏ ଦୂରକୁ ଘୁଞ୍ଚେଇବା ପାଇଁ, ଅବସାଦଗ୍ରସ୍ତ ମନଟାକୁ ଟିକେ ଆହ୍ଲାଦିତ କରିବା ପାଇଁ ଖେଳର ଆୟୋଜନ କରାଯାଉଛି। ପୁଣି ଭାରତରେ ବି ନୁହେଁ, ବାହାର ଦେଶରେ ‘ବାୟୋ ବବଲ୍’ ଭିତରେ ବିନା ଦର୍ଶକରେ ଆୟୋଜନ କରାଯାଇଛି। ଆମ ଦେଶର ଲୋକେ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ତାକୁ ଦେଖି ମଜା ନେବେ।

ଆଇପିଏଲ୍ କଥା ହୁଏତ ଏବେ ଆଉ ପ୍ରାସଙ୍ଗିକ ନୁହେଁ; କାରଣ ‘ବାୟୋ ବବଲ୍’ ସୁରକ୍ଷାଚକ୍ର ସତ୍ତ୍ବେ କରୋନା ଖେଳାଳିମାନଙ୍କୁ ଆକ୍ରାନ୍ତ କରି ପକେଇଲା। ସମାଲୋଚନା ବି ବଢ଼ିଲା। ତେଣୁ ଆଇପିଏଲକୁ ବନ୍ଦ କରିଦିଆଗଲା।

ଗରିବ ଦେଶଗୁଡ଼ିକ ଅତ୍ୟନ୍ତ ବ୍ୟୟବହୁଳ ବଡ଼ ପ୍ରତିଯୋଗିତା ଆୟୋଜନରେ ଆଗ୍ରହୀ ହେବା ପଛରେ ଆଉ ଗୋଟିଏ କାରଣ ମଧ୍ୟ ରହିଛି। ବଡ଼ ପ୍ରତିଯୋଗିତା ଆୟୋଜନ କଲେ ଗରିବ ଦେଶର ଏବଂ ପ୍ରକାରାନ୍ତରେ ଦେଶର ଶାସକମାନଙ୍କ ଭାବମୂର୍ତ୍ତି ଉଜ୍ଜ୍ୱଳ ହେବ। ଜନମାନସରେ ଏ ଧାରଣା ହେବ- ଯେଉଁ ଦେଶ ବା ଦେଶର ନେତା ଏତେ ସୁନ୍ଦର ଭାବେ ଏତେ ବଡ଼ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିପାରୁଛି ସେ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ନିଶ୍ଚୟ ଭଲ କରିପାରିବ। ଅର୍ଥାତ୍ ଶାସକମାନଙ୍କ ପ୍ରତି ଏକ ସକାରାତ୍ମକ ମନୋଭାବ ଆସିଯାଏ।

ଖେଳକୁ ପୁଣି ଚତୁର ଶାସକମାନେ ଏବଂ ଖେଳର ଆୟୋଜକମାନେ ଦେଶର ବା ଅଞ୍ଚଳର ସ୍ୱାଭିମାନ ସହିତ ଯୋଡ଼ି ଦିଅନ୍ତି। ଆଇପିଏଲ୍‌ରେ ଭାଗ ନେଉଥିବା ଦଳଗୁଡିକର ଖେଳାଳିଙ୍କୁ ଦେଖନ୍ତୁ। ଚେନ୍ନଇ ସୁପରକିଙ୍ଗ୍ସର ଅଧିନାୟକ ହେଲେ ଝାଡ଼ଖଣ୍ଡର ମହେନ୍ଦ୍ର ସିଂ ଧୋନି। କଲକାତା ନାଇଟ୍‌ ରାଇଡର୍ସର ମାଲିକ ହେଲେ ମୁମ୍ବଇର ଶାହ୍‌ରୁଖ୍ ଖାନ୍। କିନ୍ତୁ ତମାମ ତାମିଲନାଡ଼ୁର ଲୋକ ଚେନ୍ନଇ ସୁପରକିଙ୍ଗ୍ସ ଦଳକୁ ନିଜର ବୋଲି ଭାବି ସେଇ ରଙ୍ଗର ଜର୍ସି ପିନ୍ଧି- ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଘଣ୍ଟାଘଣ୍ଟା ଧରି ଖେଳ ଦେଖନ୍ତି। ଖେଳ ଭିତରେ ଦିଆଯାଉଥିବା ବିଜ୍ଞାପନ ମଧ୍ୟ ଦେଖନ୍ତି। ନିଜ ଅଜାଣତରେ ସେମାନେ ବିଜ୍ଞାପନ ଦ୍ୱାରା ପ୍ରଭାବିତ ହୁଅନ୍ତି। ଏଥିରେ ବଜାରର ସ୍ୱାର୍ଥ ସାଧିତ ହୁଏ।

ଖେଳ ଭିତରେ ଯେ ଆହୁରି ଅନେକ ଖେଳ ଚାଲେ- ଏହା ଖେଳପ୍ରେମୀମାନେ ବୁଝିବା ଦରକାର। ପଶ୍ଚିମବଙ୍ଗ ନିର୍ବାଚନବେଳେ ଗୋଟେ କଥା ଭାରି ଜନପ୍ରିୟ ହୋଇଥିଲା: ଖେଲା ହବେ; ଅର୍ଥାତ୍ ଖେଳ ହେବ। ହେଲେ ଖେଳ କ୍ଷେତ୍ରରେ କଥାଟା ହେବ: ଖେଲା ଚଲଛେ ବା ଖେଳ ଚାଲିଛି। ନିରନ୍ତର ଚାଲିଛି। ଆଉ ଆମେ ଦର୍ଶକ ଗ୍ୟାଲେରିରେ ବସି ତାଳି ମାରିଚାଲିଛୁ।

Comments are closed.