ପ୍ରଶ୍ନ ପଚାରିବାରେ ଭୁଲ୍‌ କୋଉଠି?

ଗୌରୀଶଙ୍କର ତ୍ରିପାଠୀ

କୁରୁକ୍ଷେତ୍ର ସମର କ୍ଷେତ୍ରରେ ଯେତେବେଳେ ପାଣ୍ଡବ ଯୋଦ୍ଧା ଅର୍ଜୁନ ଉଭୟ ପାର୍ଶ୍ୱରେ ପୂଜ୍ୟ ବ୍ୟକ୍ତି ବିଶେଷ, ବନ୍ଧୁବାନ୍ଧବ, ଜ୍ଞାତି, ଗୁରୁ ସ୍ଥାନୀୟ ଏବଂ ଅନ୍ୟ ସ୍ନେହୀ ଲୋକଙ୍କୁ ଦେଖିଲେ, ସେ ବିଶେଷ ମର୍ମାହତ ହେଲେ ଭାବୀ ଦୁଃଖର ଗଭୀରତାକୁ ଶୋଚନା କରି। ସେ କୃଷ୍ଣଙ୍କୁ ପଚାରିଲେ ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ତାଙ୍କର କର୍ତ୍ତବ୍ୟ କ’ଣ ହେବା ଉଚିତ? ଏହି ପ୍ରଶ୍ନର ଉତ୍ତର ମାଧ୍ୟମରେ କୃଷ୍ଣ ଯୋଉ ଉପାଦେୟ ଉପଦେଶ ଦେଲେ ଜୀବନର ବିଭିନ୍ନ ମାର୍ଗ ବିଷୟରେ, ସେଗୁଡିକ ହେଲା ମୁଖ୍ୟତଃ କର୍ମମାର୍ଗ, ଜ୍ଞାନମାର୍ଗ ଏବଂ ଭକ୍ତିମାର୍ଗ। ଏହି ସବୁ ମାର୍ଗ ଏବଂ ଆଉ କିଛି ଅଧିକ ମାର୍ଗର ସମାହାର ହେଉଛି ଭଗବଦ୍‌ ଗୀତା – ହିନ୍ଦୁମାନଙ୍କ ମାର୍ଗଦର୍ଶକ, ଦର୍ଶନ ଏବଂ ସମସ୍ତ ଜ୍ଞାନର ଉତ୍ସ।

ବିଜ୍ଞାନରେ ଭକ୍ତିମାର୍ଗକୁ ବାଦ ଦେଇ ଅନ୍ୟ ଦୁଇ ମାର୍ଗକୁ ଅନୁସରଣ କରାଯାଉଛି l ବିଜ୍ଞାନର ଲକ୍ଷ୍ୟ ହେଲା ଯାହା ସିଦ୍ଧ ତାହାକୁ ବାରମ୍ବାର ପରୀକ୍ଷାନିରୀକ୍ଷା ଦ୍ୱାରା ତାହାର ଯଥାର୍ଥତା ପ୍ରମାଣ କରିବା ଏବଂ ନୂତନ ଜ୍ଞାନର ଅନୁସନ୍ଧାନ l ଏହି ଅନୁସନ୍ଧାନ ଆମ କୌତୂହଳରୁ ଜାତ l କୌତୂହଳ ଗୋଟିଏ ପ୍ରକାର ମାନସିକ ପ୍ରଶ୍ନ l ଏହା ଜ୍ଞାନର ମାର୍ଗକୁ ପ୍ରଶସ୍ତ କରେl ମନୁଷ୍ୟ ସମାଜକୁ ହିତ କରୁଥିବା ବୈଷୟିକ ପ୍ରଣାଳୀକୁ ଉତ୍ପନ୍ନ କରେ। ଏହିପରି ଭାବେ ଉଭୟ ଜ୍ଞାନ ଏବଂ ଜନହିତକାରୀ ବୈଷୟିକ ବିଦ୍ୟା ବୈଜ୍ଞାନିକ କୌତୂହଳରୁ ଜାତ ହୁଏ l

ଭଗବଦ୍‌ ଗୀତାର ଚତୁର୍ଥ ଅଧ୍ୟାୟ ଚଉତିରିଶ ନମ୍ବର ଶ୍ଳୋକରେ ଜ୍ଞାନ ଆହରଣ ପାଇଁ ପ୍ରଶ୍ନର ଯଥାର୍ଥତା ଉପରେ ଗୁରୁତ୍ୱ ଦିଆଯାଇଛି। ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଉପଦେଶ ମାର୍ଗରେ କହିଛନ୍ତି ଜଣେ ଜିଜ୍ଞାସୁ ତିନିଟି ମାର୍ଗରେ ତତ୍ତ୍ୱଦର୍ଶୀ ଗୁରୁଙ୍କଠାରୁ ଜ୍ଞାନ ପ୍ରାପ୍ତି କରିବ। ସେଗୁଡିକ ହେଲା ଗୁରୁ ସେବା, ଗୁରୁ ଭକ୍ତି ଏବଂ ଗୁରୁଙ୍କୁ ନିଃସଙ୍କୋଚ ଭାବେ ପ୍ରଶ୍ନ କରି। ଗୁରୁ ମଧ୍ୟ ସବୁବେଳେ ଶିଷ୍ୟର ସନ୍ଦେହ ଦୂର କରିବା ପାଇଁ ତତ୍ପର ରହିବା ଉଚିତ୍‌। ପ୍ରଶ୍ନ ଦ୍ୱାରା ଅନେକ ଜଟିଳ ତତ୍ତ୍ୱ ସରଳ ହୋଇଯାଏ। ଅନେକ ସମୟରେ ଆମେ ବିଜ୍ଞ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରୁ ତାଙ୍କଠାରୁ କିଛି ନୂଆ ଶିଖିବା ପାଇଁ, ତାଙ୍କର ବ୍ୟକ୍ତିତ୍ୱ ଦ୍ୱାରା ଅନୁପ୍ରାଣିତ ହେବା ପାଇଁ ଏବଂ ତାଙ୍କ ଦର୍ଶିତ ମାର୍ଗକୁ ଅନୁସରଣ କରିବା ପାଇଁ l ତାଙ୍କୁ ପ୍ରଶ୍ନ ପଚାରି ନିଜର ସନ୍ଦେହ ଦୂର କରିବା ପାଇଁ l ଏହାଦ୍ୱାରା ଯେ ଆମର କେବଳ ଜ୍ଞାନ ଲାଭ ହୁଏ, ତାହା ନୁହେଁ ; ଵିଜ୍ଞ ବ୍ୟକ୍ତି ମଧ୍ୟ ପ୍ରଶ୍ନର ଉତ୍ତର ମାଧ୍ୟମରେ ନିଜର ଜ୍ଞାନର ପରିସର ବୃଦ୍ଧି କରନ୍ତି। ବାରମ୍ବାର ପ୍ରଶ୍ନ ପଚାରିବା ଦ୍ବାରା ହିଁ ସତ୍ୟ ଉଦ୍‌ଘାଟିତ ହୋଇଥାଏ l ଯିଏ ପ୍ରଶ୍ନକୁ ଡରେ ଅଥବା ଉତ୍ସାହ ଦିଏ ନାହିଁ, ସିଏ କେବେ ବି ସତ୍ୟବାଦୀ ହୋଇପାରେ ନାହିଁ।

ପରୀକ୍ଷା ଛାତ୍ରାବସ୍ଥାର ଏକ ଅବିଚ୍ଛେଦ୍ୟ ଅଂଶ। ଏହାର ଯଥାର୍ଥତା ଏହିକି ଏଥିରେ ପଚାରିବା ପ୍ରଶ୍ନ ଛାତ୍ରର ଜ୍ଞାନକୁ ପରଖେ; କିନ୍ତୁ ପରୀକ୍ଷା​‌େ​‌ର ଆସୁଥିବା ପ୍ରଶ୍ନଗୁଡିକର ଏକ ପରିସୀମା ଥାଏ। ଏହି ପରିସୀମା ପାଠ୍ୟକ୍ରମ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ଏଥିରେ ଆସୁଥିବା ପ୍ରଶ୍ନ ଅତ୍ୟନ୍ତ ଜଟିଳ ଅଥବା ଅତ୍ୟନ୍ତ ସରଳ ହେବା ଉଚିତ ନୁହେଁ। ଏମିତି ସମତା ରହିବା ଦରକାର ଯାହାଦ୍ୱାରା ଜଣେ ସାଧାରଣ ଛାତ୍ର ତାହାର ପ୍ରସନ୍ନତା ବଜାୟ ରଖିବ। ଯିଏ ପ୍ରଶ୍ନ ପଚାରନ୍ତି ସେ ମନେ ରଖିବା ଉଚିତ ପରୀକ୍ଷାର ଉଦ୍ଦେଶ୍ୟ ଛାତ୍ରକୁ ଡ଼ରାଇବା ନୁହଁ, କିମ୍ବା ନିଜର ପାଣ୍ଡିତ୍ୟ ପ୍ରଦର୍ଶନ କରିବା; ଅପିତୁ ଏକ ଉତ୍ସାହପ୍ରଦ ଅବସ୍ଥାରେ ଛାତ୍ରର ଜ୍ଞାନକୁ ପରଖିବା।

ଛାତ୍ର ନିଜ ପ୍ରଶ୍ନ ଦ୍ୱାରା ଶିକ୍ଷକଙ୍କ ଯୋଗ୍ୟତା ସିଦ୍ଧ କରିବା ପ୍ରୟାସ କରିବା ଉଚିତ ନୁହେଁ। ପ୍ରଶ୍ନର ଉଦ୍ଦେଶ୍ୟ ହେଉଛି କିଛି ଅବୁଝା ପାଠ ଭଲ ଭାବେ ବୁଝିବା। ଶିକ୍ଷକ ଛାତ୍ରଙ୍କୁ ପ୍ରଶ୍ନ ପଚାରିବା ପାଇଁ ଉତ୍ସାହ ଦେବା ଦରକାର। ଏହା ଦ୍ୱାରା ଛାତ୍ର ଶିକ୍ଷା ଏବଂ ଜ୍ଞାନ ପ୍ରାପ୍ତି ପାଇଁ ଉତ୍ସାହିତ ହେବ ଏବଂ ଏହା ତାକୁ ଭଵିଷ୍ୟତରେ ସୁଦୃଢ କରିବ। ବେଳେବେଳେ ଶିକ୍ଷକ ଛାତ୍ରର ପ୍ରଶ୍ନର ଠିକ ଉତ୍ତର ଜାଣିନଥାନ୍ତି। ସେ କ୍ଷେତ୍ରରେ ପ୍ରଶ୍ନକୁ ଏଡାଇ ନଦେଇ ତାହାର ଉତ୍ତରକୁ ଶ୍ରେଣୀରେ ଚର୍ଚ୍ଚା କରି ଅନ୍ୟ ଛାତ୍ର ମାନଙ୍କଠାରୁ ଉତ୍ତର ପାଇବା ପାଇଁ ଚେଷ୍ଟା କରିବା ଦରକାର। ଅଥବା ଠିକ ଉତ୍ତର ପାଇଁ ଅତିରିକ୍ତ ସମୟ ନେବା ଦରକାର l କସ୍ମିନ୍‌କାଳେ ଶିକ୍ଷକ ଭୁଲ ଉତ୍ତର ଦେବା ଉଚିତ ନୁହେଁ। ସତ୍ୟତା ଶିକ୍ଷାର ଏକ ଅବିଚ୍ଛେଦ୍ୟ ଅଂଶ। ଏହାକୁ ବଜାୟ ରଖିବା ଶିକ୍ଷକଙ୍କ ପରମ ଧର୍ମ।

ସତ୍ୟସିଦ୍ଧ ହେବା ସମସ୍ତଙ୍କ ବଶରେ ନୁହେଁ। ଏହି ପ୍ରସଙ୍ଗରେ ମୁଁ ମହାଭାରତର ଗୋଟିଏ ପ୍ରସଙ୍ଗ ଉଲ୍ଲେଖ କରିବି। ଦିନେ ଗୁରୁ ଦ୍ରୋଣ ତାଙ୍କ ଶିଷ୍ୟମାନଙ୍କୁ ପଚାରିଲେ, ‘‘ସତ୍ୟ କଣ” ? ପର ଦିନ ଏହାର ଉତ୍ତର ଦେବାପାଇଁ ସେ ନିଜ ଶିଷ୍ୟମାନଙ୍କୁ କହିଲେ। ପର ଦିନ ସେ ଯେତେବେଳେ ପଚାରିଲେ ସମସ୍ତେ କିଛି କିଛି ଉତ୍ତର ଦେବା ପାଇଁ ପ୍ରୟାସ କଲେ, କେବଳ ଯୁଧିଷ୍ଠିରଙ୍କ ବ୍ୟତୀତ। ସେ ମୌନ ରହିବା ଦେଖି ଗୁରୁ ଦ୍ରୋଣ ଏହାର କାରଣ ପଚାରିଲେ। ଯୁଧିଷ୍ଠିର କହିଲେ: “ଏହାର ଉତ୍ତର ପାଇଁ ଗୋଟିଏ ଦିନ କିମ୍ବା ଗୋଟିଏ ମାସ ଅଥବା ଗୋଟିଏ ବର୍ଷ ପର୍ଯ୍ୟାପ୍ତ ନୁହେଁ। ଏହା ବୁଝିବା ପାଇଁ ମୋତେ ସାରା ଜୀବନ ପ୍ରୟାସ କରିବା ଦରକାର। ସୁତରାଂ, ମୁଁ ଆପଣଙ୍କ ପାଖରେ ଶପଥ ନେଉଛି ଯେ ସାରା ଜୀବନ ମୁଁ ସତ୍ୟବ୍ରତ ହୋଇ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ପ୍ରୟାସ କରିବି।’’ ଗୁରୁ ଦ୍ରୋଣ କହିଲେ: “ଏହି ଉତ୍ତର ହିଁ ମୁଁ ତୁମ ପାଖରୁ ଆଶା କରିଥିଲି ଏବଂ ଏହା ହିଁ ଠିକ ଉତ୍ତର” l ଏହାର ତାତ୍ପର୍ଯ୍ୟ ହେଲା ଉତ୍ତରର କୌଣସି ସମୟସୀମା ନଥାଏ । ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଏହା ପ୍ରଯୁଜ୍ୟ। ଜଣେ ଜଣେ ବୈଜ୍ଞାନିକ ଗୋଟିଏ ପ୍ରଶ୍ନର ଉତ୍ତର ପାଇଁ ନିଜ ଜୀବନ ପରୀକ୍ଷାନିରୀକ୍ଷାରେ ବିତେଇ ଦିଅନ୍ତି। ସତ୍ ଉଦ୍ୟମରେ ଯୋଉ ଆନନ୍ଦ ମିଳେ ଫଳପ୍ରାପ୍ତିରେ ତାହା ନଥାଏ; କିନ୍ତୁ ବିଡମ୍ବନା ଏହିକି ଉଦ୍ୟମ ପାଇଁ କେବେ ପୁରସ୍କାର ମିଳେ ନାହିଁ, କେବଳ ଫଳ ପାଇଁ ହିଁ ମିଳେ। ଆମେ ଭଗବଦ୍‌ ଗୀତାର ଦ୍ୱାହି ଦେଇ ନିଷ୍କାମ କର୍ମର ଧେଣ୍ଡୁରା ପିଟୁ, କିନ୍ତୁ ଏଥିରେ ଆମର ବିଶ୍ୱାସ ନଥାଏ।

ଜଣା ଠାରୁ ଅଜଣା ଏବଂ ପ୍ରକାଶଠାରୁ ଅପ୍ରକାଶ ପର୍ଯ୍ୟନ୍ତ ଆମେ ଅନବରତ ଅନୁସନ୍ଧାନରେ ବ୍ୟସ୍ତ। ଜୀବନର ପଥରେ ଆମ ସମ୍ମୁଖରେ ଅନେକ ପ୍ରଶ୍ନ ଆସେ। ଆମର ପ୍ରଗତି ନିର୍ଭର କରେ ଆମେ କିପରି ଏହି ପ୍ରଶ୍ନଗୁଡିକୁ ସାମ୍ନା କରୁ! ଜୀବନର ତିନିଟି ସମୟ ଅଛି। ଅତୀତ, ଯାହା ଆମେ ଜାଣୁ। ଭବିଷ୍ୟତ, ଯାହା ଆମକୁ ଅଜଣା। ଜଣା ଅଜଣାର ସନ୍ଧିସ୍ଥଳରେ ଅଛି ବର୍ତ୍ତମାନ। ଅତୀତ ବର୍ତ୍ତମାନ ଦ୍ୱାରା ନିର୍ଦ୍ଧାରିତ ନୁହେଁ, କିନ୍ତୁ ଭବିଷ୍ୟତ କେତେକାଂଶରେ ବର୍ତ୍ତମାନ ଦ୍ୱାରା ନିର୍ଦ୍ଧାରିତ ହୋଇପାରିବ ଯଦି ଅତୀତର ଭୁଲରୁ ଆମେ କିଛି ଶିଖି ନିଜକୁ ସୁଧାରି ପାରିବା। ଏହିପରି ଭାବେ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ପରସ୍ପର ଭାବେ ସମ୍ପୃକ୍ତ l

ଯୋଉମାନଙ୍କ ହୃଦୟରେ ଦୁର୍ବଳତା ଥାଏ, ମନର ଦୃଢ଼ତା ନଥାଏ ଏବଂ ଦୂରଦୃଷ୍ଟିର ଅଭାବ, ସେମାନେ କେବେ ବି ସାହସୀ ହୋଇପାରିନଥାନ୍ତି। ସାହସୀ ଅଜଣା ଏବଂ ଅଶୁଣା ବିପଦସଂକୁଳ ପଥକୁ ଡରେ ନାହିଁ। ନୂତନତାର ଅନୁସନ୍ଧାନରେ ସେ ସର୍ବଦା ତତ୍ପର l ସେମାନେ ନିଶ୍ଚିତ ଭାବେ ତାଙ୍କର ଲକ୍ଷ୍ୟ ସ୍ତରରେ ପହଞ୍ଚନ୍ତି ଏବଂ ଅନ୍ୟମାନଙ୍କୁ ଅନୁପ୍ରାଣିତ କରନ୍ତି ଏବଂ ଦିଗ୍‌ଦର୍ଶନ ଦିଅନ୍ତି। ଇତିହାସ କେବଳ ସେମାନଙ୍କ ବିଷୟରେ ସମୃଦ୍ଧ ହୁଏ। ପାଶ୍ଚାତ୍ୟ ଦର୍ଶନର ଆଦିପୁରୁଷ ସକ୍ରେଟିସ ପ୍ରଶ୍ନ ମାଧ୍ୟମରେ ସତ୍ୟକୁ ଜାଣିବା ପାଇଁ ଚେଷ୍ଟା କରିଥିଲେ। ଏହା ସେ ସମୟର ୟୁନାନୀ ଶାସକ ଗୋଷ୍ଠୀର ସହ୍ୟ ହେଲା ନାହିଁ। ସେମାନେ ଦୁଇଟି ସର୍ତ୍ତ ସକ୍ରେଟିସଙ୍କ ପାଖରେ ରଖିଲେ : ମୃତ୍ୟୁ କିମ୍ବା ପ୍ରଶ୍ନ ନ ପଚାରି ଚୁପ୍‌ ରହିବା ? ସେ ମୃତ୍ୟୁକୁ ହିଁ ବରଣ କରିଥିଲେ, ଚୁପ୍ ରହିବାକୁ ନୁହେଁ। ଗଣତନ୍ତ୍ରର ସ୍ତମ୍ଭ ହେଉଛି ପ୍ରଶ୍ନ। ପ୍ରଶ୍ନ ନାହିଁ ତ ଗଣତନ୍ତ୍ର ନାହିଁ। ସୁତରାଂ ଯଥାର୍ଥରେ ପ୍ରଶ୍ନ ହିଁ ଶିକ୍ଷା, ଜ୍ଞାନ, ବିଜ୍ଞାନ, ଭକ୍ତି ଏବଂ ଲୋକତନ୍ତ୍ରର ଆଧାର।

Comments are closed.