ଆଜ୍ଞାପାଳନର ଗଣମାଧ୍ୟମ

- ଅଶୋକ

ଗତ ଏପ୍ରିଲ ୨୮ରେ ଦୀର୍ଘ ତିନି ଦଶନ୍ଧି ଧରି ଆମେରିକାର ଏକ ପ୍ରତିଷ୍ଠିତ ଖବରକାଗଜ ‘ନିଉୟର୍କ ପୋଷ୍ଟ୍‌’ରେ ସାମ୍ବାଦିକତା କରୁଥିବା ଲୌରା ଇଟାଲିୟାନୋ ଯେତେବେଳେ ଟୁଇଟରରେ ନିଜର ଇସ୍ତଫା ଘୋଷଣା କଲେ, ତାହା ସେଠା ଗଣମାଧ୍ୟମ ଜଗତରେ ଚହଳ ସୃଷ୍ଟି କରିଥିଲା। ଏହାର କାରଣ ଥିଲା ସେ ଏପରି ଏକ ମନଗଢ଼ା ଖବର ଲେଖିଥିଲେ, ଯାହା ‘ମିଡିଆ ମୋଗଲ୍‌’ ଭାବେ ପ୍ରସିଦ୍ଧ ରୁପର୍ଟ ମର୍ଡୋକ୍‌ଙ୍କ ଉକ୍ତ ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇ ରାଜନୈତିକ ହଟଚମଟର କାରଣ ହୋଇଥିଲା। ଖବରରେ ଲେଖା ଥିଲା, ‘‘ଆମେରିକା-ମେକ୍ସିକୋ ସୀମାରୁ ଅଣାଯାଇ ଶରଣାର୍ଥୀ ଶିବିରରେ ରଖାଯାଉଥିବା ଅନାଥ ପିଲାଙ୍କୁ ପ୍ରଦତ୍ତ ‘ୱେଲ୍‌କମ୍‌ କିଟ୍‌ସ୍‌’ରେ ସୁପର୍‌ହିରୋଜ୍‌ ଆର୍‌ ଏଭ୍ରିହ୍ବେୟାର୍‌ ପୁସ୍ତକ ଦିଆଯାଉଛି।’’ ପିଲାଙ୍କ ପାଇଁ ଲେଖା ଏହି ପୁସ୍ତକଟି ହିଁ ହେଉଛି ବିବାଦର ହେତୁ, କାରଣ ଏହାର ଲେଖିକା ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍‌। ୱାଶିଂଟନ ପୋଷ୍ଟ୍‌ ତଥ୍ୟ ଯାଞ୍ଚ କରି କହିଲା ଯେ ଖବରଟି ସଂପୂର୍ଣ୍ଣ ଭିତ୍ତିହୀନ; କାରଣ ସ୍ଥାନୀୟ କେହି ବାସିନ୍ଦା ଗୋଟିଏ ମାତ୍ର ସେହି ବହିଟିକୁ ଜଣେ ପିଲାକୁ ଏକ ଦାନ କାର୍ଯ୍ୟକ୍ରମରେ ଦେଇଥିଲେ। ତେବେ ଏହି ଖବରର ଲେଖିକା ତାଙ୍କ ଇସ୍ତଫା ନିଷ୍ପତ୍ତି ସହ ଯାହା ଲେଖିଥିଲେ, ତାକୁ ନେଇ ସେଠାରେ ଅନେକ ପ୍ରଶ୍ନ ଉଠିଛି। ସେ ଟୁଇଟ୍‌ରେ ଲେଖିଚନ୍ତି, ‘‘କମଳା ହାରିସ୍ ଖବର-ଏକ ମିଥ୍ୟା ଖବର, ଯାହାକୁ ଲେଖିବାକୁ ମୋତେ ଆଦେଶ ଦିଆଯାଇଥିଲା, ଏବଂ ମୁଁ ଦୃଢ଼ଭାବେ ଏହାକୁ ବିରୋଧ କରିବାରେ ବିଫଳ ହୋଇଥିଲି; ତାହା ମୋ ଧୈର୍ଯ୍ୟର ବନ୍ଧକୁ ଭାଙ୍ଗିଦେଇଚି।’’

ଏହି ସମଗ୍ର ପ୍ରକରଣଟି କେତୋଟି ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ଆଲୋକପାତ କରିଥାଏ, ଯାହା ଉଲ୍ଲେଖନୀୟ। ପ୍ରଥମ: ଆମେରିକାରେ ମଧ୍ୟ ‘ଆଦେଶ’ ବା ‘ଆଜ୍ଞା’ ବଳରେ ମିଛ ଖବର ଲେଖାଯାଏ; ଅବଶ୍ୟ ଭାରତ ପରି ଏତେ ବହୁଳ ପରିମାଣରେ ନୁହେଁ। ଦ୍ବିତୀୟ: ମିଛ ଖବରକୁ ଚିହ୍ନଟ କରିବାର ଦାୟିତ୍ବ ବି ସେହି ଗଣମାଧ୍ୟମର, ଯାହା ‘ୱାଶିଂଟନ ପୋଷ୍ଟ୍‌’ ତା’ର ସତ୍ୟ ସନ୍ଧାନ ସ୍ତମ୍ଭ ଜରିଆରେ କରିଛି। ଏହାକୁ ଆମେ ‘ସ୍ବଜାତି ଶତ୍ରୁତା’ ନୁହେଁ, ବରଂ ଏକ ସତ୍ୟନିଷ୍ଠ ସାମ୍ବାଦିକୀୟ ଅଙ୍ଗୀକାରବଦ୍ଧତା ରୂପେ ଗ୍ରହଣ କରିବା ଶ୍ରେୟସ୍କର। ଆମ ଦେଶରେ ସଚରାଚର ଏହା ପରିଦୃଷ୍ଟ ହୁଏ ନାହିଁ। ତୃତୀୟ: ନୀତିନିଷ୍ଠ ସମ୍ବାଦକର୍ମୀଟିକୁ ଆଜ୍ଞାକାରୀ କରାଯାଇପାରିବ ନାହିଁ ଏବଂ ଯେଉଁଠି ତାକୁ ସେପରି ଅନୈତିକ ନିୟୋଜିତ କରାଯାଏ, ତା’ର ପରିଣତି ଗଣମାଧ୍ୟମର ଅବନତିର କାରଣ ପାଲଟିବା ସହ ଗଣ ଓ ଗଣତନ୍ତ୍ର ପ୍ରତି ମଧ୍ୟ ବିପଜ୍ଜନକ ସାବ୍ୟସ୍ତ ହେବା ଅବଧାରିତ। ଗଣମାଧ୍ୟମ ସେତେବେଳେ ଗୋଟାପଣେ ଦାସତ୍ବକୁ ହିଁ ସ୍ବୀକାର କରିନିଏ।

ଲୌରାଙ୍କ ପରି ଭାରତରେ ଗତକିଛି ବର୍ଷ ହେଲା ଅନେକ କନିଷ୍ଠ/ବରିଷ୍ଠ ସାମ୍ବାଦିକ ଆଜ୍ଞାପାଳନ ପାଇଁ ମନାକରି କାର୍ଯ୍ୟାନ୍ତର/ପଦଚ୍ୟୁତ ହୋଇଥିବା ଦେଖାଯାଇଚି। ତନ୍ମଧ୍ୟରୁ ଗତବର୍ଷ ଏକ ଜାତୀୟ ଟିଭି ଚ୍ୟାନେଲ୍‌ର ଜାମ୍ମୁକାଶ୍ମୀର ବ୍ୟୁରୋମୁଖ୍ୟ ତେଜିନ୍ଦର ସିଂହ ସୋଢ଼ିଙ୍କ ଇସ୍ତଫା ଉଲ୍ଲେଖନୀୟ। ନିଜର ଉଗ୍ର ଆଚରଣ ଏବଂ ଶାସକ ଦଳ ସପକ୍ଷରେ ଓକିଲାତି କରିବା ପାଇଁ (କୁ)ଖ୍ୟାତ ଏହି ଚ୍ୟାନେଲ୍‌ର ସଂପାଦକ-ମାଲିକ କିପରି ବିରୋଧୀ ଦଳର ଜଣେ ବରିଷ୍ଠ ନେତା/ସାଂସଦ(ଯାହାଙ୍କ ପତ୍ନୀଙ୍କର ଅପମୃତ୍ୟୁ ଘଟିଥିଲା)ଙ୍କୁ ବଦନାମ କରିବା ପାଇଁ ଜାଲ ବିଛାଇବା ନିମନ୍ତେ ଆଜ୍ଞା/ଆଦେଶ ଦେଇଥିଲେ ଏବଂ ଯାହା କରିବାକୁ ଅନିଚ୍ଛୁକ ହୋଇ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଲା, ଏ ବିଷୟରେ ପରେ ଗଣମାଧ୍ୟମରେ ସାକ୍ଷାତ୍‌କାରବେଳେ ଶ୍ରୀ ସୋଢ଼ି ଟିକିନିଖି ବର୍ଣ୍ଣନା କରିଥିଲେ। ତାଙ୍କ ଅନୁଯାୟୀ, ସଂପୃକ୍ତ ଚ୍ୟାନେଲ୍‌ଟି ଲୋକଙ୍କୁ ହଇରାଣ ହରକତ କରି ନ୍ୟସ୍ତସ୍ବାର୍ଥ ହାସଲପାଇଁ କେତେକ ବିଶିଷ୍ଟ ଶବ୍ଦାବଳୀ ପ୍ରଚଳନ କରିଚି, ଯାହା ମଧ୍ୟରୁ ଗୋଟିଏ ହେଲା ‘ଚେଜ୍‌ ସି​‌େ​‌କ୍ବନ୍‌ସ’ ବା ‘କ୍ରମାଗତ କାହା ପଛରେ ପଡ଼ିଯିବା’। ଯାହାକୁ ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରିବାପାଇଁ ସ୍ଥିର କରାଯାଉଥିଲା, ତା’ଠାରୁ ନାଟକୀୟ ପ୍ରତିକ୍ରିୟାମାନ ହାସଲ କରିବା ପର୍ଯ୍ୟନ୍ତ ତା’ ପଛରେ ସମ୍ବାଦଦାତାଙ୍କୁ ଲଗାଇ ଦିଆଯାଏ। କହିବା ବାହୁଲ୍ୟ ଯେ ବିଚରା ଉକ୍ତ ସଂପାଦକ-ମାଲିକଟି ମଧ୍ୟ ସେଇ କ୍ଷମତାସୀନଙ୍କ ଆଜ୍ଞାଧୀନ। ସେପରି ସ୍ଥଳେ ତା’ଠାରୁ ସ୍ବାଧୀନ ଗଣମାଧ୍ୟମଟିଏ ଆଶା କରିବା ବୃଥା।

ଏହା କେବଳ ଏକ କ୍ଷୁଦ୍ର ଉଦାହରଣ। ଭାରତରେ ହାତଗଣତି କେତେକ ଗଣମାଧ୍ୟମ ସଂସ୍ଥାକୁ ଛାଡ଼ିଦେଲେ ଅଧିକାଂଶ ଅଳ୍ପବହୁତେ ଆଜ୍ଞାପାଳନର ଗଣମାଧ୍ୟମ ପାଲଟିଚନ୍ତି; କାରଣ ସେଗୁଡ଼ିକ ପ୍ରତ୍ୟକ୍ଷ ବା ପରୋକ୍ଷରେ କୌଣସି ନା କୌଣସି ପୁଞ୍ଜିପତି କି ରାଜନେତାର ହସ୍ତମୁଦି ମାହାଲ, ଯାହା କ୍ଷମତା ଓ ପୁଞ୍ଜି ପାଖରେ ନିଜକୁ ସମର୍ପିବାକୁ ବାଧ୍ୟ। ଏହି କାରଣରୁ ସେ ଆଜି କ୍ଷମତାସୀନର ତୋଷାମଦକାରୀ ଏବଂ ସେଇ ସୂତ୍ରେ ସେ ଗଣର ମାଧ୍ୟମ ହେବାର ନୈତିକତା ବି ହରାଇସାରିଚି। ଗଣମାଧ୍ୟମଟିଏ ଯେ ପର୍ଯ୍ୟନ୍ତ ଆର୍ଥିକ କ୍ଷେତ୍ରରେ ସ୍ବାଧୀନତା ହାସଲ କରିନାହିଁ, ତାହା ପ୍ରକୃତ ଅର୍ଥରେ ସ୍ବାଧୀନ ହୋଇପାରିବ ନାହିଁ। ଆମେରିକା, ବ୍ରିଟେନ ସମେତ ଆଉ କେତେକ ଦେଶରେ ଏବେ ଏକ ନୂଆ ଗଣମାଧ୍ୟମ ପରିଚାଳନା ଛାଞ୍ଚ/ନମୁନା ବିକଶିତ ହେବାରେ ଲାଗିଚି, ଯାହା ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ସଂପୂର୍ଣ୍ଣ ସ୍ବାଧୀନ ହେବାର ନୂଆ ଆଶା ଦେଖାଇଛି। ଏହା ପ୍ରକୃତରେ ନୂଆ ନୁହେଁ, ବରଂ ପୁରୁଣା ପନ୍ଥାକୁ ଆଧୁନିକ ଶୈଳୀରେ ପ୍ରୟୋଗ କରି ଆର୍ଥିକ ସଂପନ୍ନତା ହାସଲ କରିବାର ବାଟ। ପାଶ୍ଚାତ୍ୟରେ ହେଉ କି ଭାରତବର୍ଷରେ, ପୁରାତନ ପତ୍ରପତ୍ରିକାଗୁଡ଼ିକର ଜନ୍ମଲଗ୍ନରେ ଏକ ଆଦର୍ଶବାଦୀ ବୈଚାରିକ ସିଦ୍ଧାନ୍ତ ହିଁ ମୂଳ ଥିଲା ଏବଂ ତାକୁ ଆଗକୁ ବଢ଼ାଇବାକୁ ସଦସ୍ୟତା (ସବ୍‌ସ୍କ୍ରିପ୍‌ସନ) ବା ଚାନ୍ଦା ଗ୍ରହଣ ବ୍ୟବସ୍ଥା ରହିଥିଲା। ସେଗୁଡ଼ିକ ଅନିୟମିତ ହେଉଥିଲେ ସତ; କିନ୍ତୁ ଆତ୍ମନିର୍ଭର ଥିଲେ, ତେଣୁ ସ୍ବାଧୀନ ଥିଲେ। ପରନିର୍ଭରତା ଅର୍ଥାତ୍‌ ପରାଧୀନତା, ଏହା ସବୁ କ୍ଷେତ୍ରରେ ସତ୍ୟ। ବର୍ତ୍ତମାନ ପୁନଃ ସେହି ପୁରାତନ ପନ୍ଥା ଆପଣାଇ ବଡ଼ବଡ଼ ଗଣମାଧ୍ୟମ ସଂସ୍ଥା ଦୋହଲିଯାଉଥିବା ନିଜର ଆର୍ଥିକ ସ୍ଥିତିକୁ ସଂପନ୍ନ କରିପାରିଚନ୍ତି। ଆମେରିକାର ପ୍ରସିଦ୍ଧ ଖବରକାଗଜ ‘ଦି ନିଉୟର୍କ ଟାଇମ୍ସ’ ଏହାର ଏକ ପ୍ରକୃଷ୍ଟ ଦୃଷ୍ଟାନ୍ତ। କିଛି ବର୍ଷ ପୂର୍ବରୁ ଡିଜିଟାଲ୍‌ ମାଧ୍ୟମଗୁଡ଼ିକର ଲୋକପ୍ରିୟତା ପରେ ୧୭୯ ବର୍ଷର ଏହି ଖବରକାଗଜର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଥିଲା; କିନ୍ତୁ ୨୦୧୧ରେ ଏହା ସେହି ଡିଜିଟାଲ୍‌ ମାଧ୍ୟମକୁ ଆପଣାଇ ‘ସଦସ୍ୟତା ଅଭିଯାନ’ (ସପ୍ତାହକୁ ଭାରତୀୟ ମୁଦ୍ରାରେ ମାତ୍ର ୧୫ ଟଙ୍କା) ଆରମ୍ଭ କଲା ଏବଂ ତାହା ବର୍ତ୍ତମାନ ତାକୁ ପୂର୍ବାପେକ୍ଷା ଅଧିକ ସଂପନ୍ନ କରିଛି। ୨୦୧୯ରେ ଏହା ୧୪ କୋଟି ଡଲାର୍‌ ଲାଭ ଅର୍ଜନ କରିଥିଲା; ଏପରି କି ଗତବର୍ଷ କରୋନା କାଳରେ କେବଳ ତିନି ମାସ ମଧ୍ୟରେ ୬ ଲକ୍ଷ ନୂଆ ‘ଡିଜିଟାଲ୍‌ ସବ୍‌ସ୍କ୍ରାଇବର୍‌’ ଯୋଡ଼ିବାରେ ସଫଳ ହୋଇଚି।

ଭାରତର ଗଣମାଧ୍ୟମ ସଂସ୍ଥାଗୁଡ଼ିକ କ୍ଷେତ୍ରରେ ଏହା କେତେ ସମ୍ଭବ ତାହା ଅବଶ୍ୟ ଚିନ୍ତାର ବିଷୟ; କାହିଁକି ନା ଅଧିକାଂଶଙ୍କର ଶରୀର ଓ ଆତ୍ମାକୁ କର୍ପୋରେଟ୍‌ ଛାଞ୍ଚ ଉପରେ ଏପରି ଗଢ଼ାଯାଇଛି ଯେ ସେଗୁଡ଼ିକ ପୁଞ୍ଜିପତି/ରାଜନେତାଙ୍କ ପୁଞ୍ଜି ଓ ସହାୟତା ବିନା ତିଷ୍ଠିବା ପ୍ରାୟ ଅସମ୍ଭବ; କାରଣ ଏଗୁଡ଼ିକ ପାଖରେ ବିଶ୍ବସନୀୟତାର ଘୋର ଅଭାବ। ଗତ କେଇବର୍ଷର ମୁଖ୍ୟଧାରାର ଭାରତୀୟ ଗଣମାଧ୍ୟମକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ଏଗୁଡ଼ିକ ଲୋକାଧାରିତ ଏବଂ ଲୋକକୈନ୍ଦ୍ରିକ ସାମ୍ବାଦିକତାଠାରୁ ଅନେକ ପରିମାଣରେ ଦୂରେଇ ଯାଇଛନ୍ତି; କାରଣ ଏମାନେ ସମାଜର ନିମ୍ନବର୍ଗ ଓ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର, ଭାରତୀୟଙ୍କ ମଧ୍ୟରେ ବଢ଼ୁଥିବା ଆର୍ଥିକ-ସାମାଜିକ ଅସମାନତା, ଧାର୍ମିକ ଓ ଜାତିଆଣ ହିଂସା, କୃଷି ସଙ୍କଟ, ବୃହତ୍‌ କର୍ପୋରେଟ୍‌ ଦ୍ବାରା ଶୋଷଣ ଓ ପରିବେଶର ଦୋହନ, ପୁଞ୍ଜିପତିଙ୍କୁ ଋଣଛାଡ଼, ନ୍ୟାୟବ୍ୟବସ୍ଥାରେ ଦୁର୍ନୀତି ଆଦି ସମ୍ବେଦନଶୀଳ ପ୍ରସଙ୍ଗ ନେଇ କାଁଭାଁ ଲେଖାକୁ ଛାଡ଼ିଦେଲେ ଐତିହାସିକ ନିରବତା ଅବଲମ୍ବନ କରିଆସିଛନ୍ତି। ଆଉ ମଧ୍ୟ କ୍ଷମତାସୀନଙ୍କୁ/ଶାସକଗୋଷ୍ଠୀକୁ ପ୍ରଶ୍ନ କରିବା ପରିବର୍ତ୍ତେ ସେମାନଙ୍କର ଆଜ୍ଞାଧୀନତାକୁ ଖୁସିରେ ସ୍ବୀକାର କରିନେଇଥିବା ମନେହେଉଛି, ଯାହା ସାମ୍ବାଦିକତାର ମୌଳିକ ସିଦ୍ଧାନ୍ତର ହିଁ ପରିପନ୍ଥୀ। ଏଗୁଡ଼ିକର ଅବସ୍ଥା ବର୍ତ୍ତମାନ ସେହି ପ୍ରସିଦ୍ଧ କାହାଣୀର ବେଙ୍ଗଟି ପରି, ଯିଏ ବେଳୁବେଳ ଗରମ ହୋଇଆସୁଥିବା ଜଳପାତ୍ରରେ କ୍ରମଶଃ ନିଜକୁ ଖାପ ଖୁଆଇ ନେଉନେଉ ତା’ର ମୃତ୍ୟୁ ହେବା ପର୍ଯ୍ୟନ୍ତ ମଧ୍ୟ ସେଥିରୁ ବାହାରି ଆସିବାକୁ ଇଚ୍ଛା କରେନାହିଁ।

ଅବଶ୍ୟ ଏପରି ସମୟରେ ନୂତନ ଡିଜିଟାଲ୍‌ ଗଣମାଧ୍ୟମ କେବଳ ଲୋକପ୍ରସଙ୍ଗଗୁଡ଼ିକୁ ଉତ୍ଥାପନ କରୁନାହାନ୍ତି, କ୍ଷମତାସୀନଙ୍କୁ ବି ପ୍ରଶ୍ନ ପଚାରି ଅଥୟ କରୁଛନ୍ତି। ଏଥିଯୋଗୁଁ ଶାସକଗୋଷ୍ଠୀର ଶ୍ୟେନଚକ୍ଷୁ ଏବେ ଏମାନଙ୍କ ଉପରେ। ସେମାନଙ୍କ ଉପରେ ନାନା ଅଙ୍କୁଶ ଲଗାଇବାକୁ ଚାଲିଚି ଯାବତୀୟ ଫନ୍ଦିଫିକର। ଡିଜିଟାଲ୍‌ ଖବର ସଂସ୍ଥାକୁ ନିୟନ୍ତ୍ରଣ କରିବାକୁ ସରକାର ଏତେ ତତ୍ପର ହେବାର ବିବିଧ କାରଣ ମଧ୍ୟରୁ ଗୋଟିଏ ହେଲା ଏଗୁଡ଼ିକ ଶାସକଶ୍ରେଣୀର ବୋଲକରା ହେବାକୁ ବାଧ୍ୟ ନୁହନ୍ତି, କାହିଁକି ନା ଏମାନେ ଆର୍ଥିକ ରୂପେ ସଂପୂର୍ଣ୍ଣ ସ୍ବନିର୍ଭର; ପାଠକ/ଦର୍ଶକଙ୍କ ଦେୟ/ଚାନ୍ଦା ଏବଂ ବିଶ୍ବାସ ହିଁ ଏମାନଙ୍କ ମୁଖ୍ୟ ସମ୍ବଳ। କ୍ରମଶଃ ସେମାନେ ଅଧିକ ସମ୍ବଳ ଜୁଟାଇବାରେ ମଧ୍ୟ ସମର୍ଥ ହେଉଛନ୍ତି; କିନ୍ତୁ କ୍ଷମତାସୀନଙ୍କ ଅଙ୍କୁଶ ସେମାନଙ୍କ ଉପରେ ଇତିମଧ୍ୟରେ ଅଧିକ ଟାଣ ହୋଇଛି। ଏପରି କି ଦେଶରେ କୋଭିଡ୍‌ ମହାମାରୀ ଚରମ ଅବସ୍ଥାରେ ଥିବାବେଳେ ଏକ ମନ୍ତ୍ରିଗୋଷ୍ଠୀ (ଜିଓଏମ୍‌) ଯେଉଁ ରିପୋର୍ଟ ତିଆରି କରିଛି, ତାହା କ୍ଷମତାସୀନଙ୍କ ଦୁର୍ବଳତା ଓ ଡିଜିଟାଲ୍‌ ଗଣମାଧ୍ୟମର ଶକ୍ତିର ସୂଚନା ଦେଇଥାଏ। ଏହି ରିପୋର୍ଟରେ ସରକାରଙ୍କ ଭାବମୂର୍ତ୍ତି କିପରି ସୁଧାରିହେବ, ସେଥିପାଇଁ ଚିନ୍ତା ପ୍ରକଟ କରାଯିବା ସହ କୁହାଯାଇଛି ଯେ ସରକାରବିରୋଧୀ ଭାଷ୍ୟ/ଆଖ୍ୟାନ (ନେରେଟିଭ୍‌) ତିଆରି କରୁଥିବା ସାମ୍ବାଦିକଙ୍କୁ ଚିହ୍ନଟ କରାଯାଉ ଏବଂ ସେହିପରି ଭାଷ୍ୟକୁ କାଟିପାରୁଥିବା ସାମ୍ବାଦିକଙ୍କୁ ମଧ୍ୟ ଖୋଜାଯାଉ, ଯେପରି କି ଏକ ପ୍ରଭାବଶାଳୀ ଚିତ୍ର ନିର୍ମାଣ କରି ଜନତାଙ୍କୁ ସରକାରଙ୍କ ପକ୍ଷକୁ ଅଣାଯାଇପାରିବ। ଏଥିରେ ଏପରି ‘ସ୍ପିନ୍‌ ଡକ୍ଟର୍’ ବା ତର୍କଖୋର୍‌ଙ୍କୁ ମଧ୍ୟ ଚିହ୍ନଟ କରାଯିବାପାଇଁ କୁହାଯାଇଛି, ଯେଉଁମାନେ ଗୋଟିଏ ତଥ୍ୟକୁ ଭିନ୍ନଭିନ୍ନ ସନ୍ଦର୍ଭରେ ଉପସ୍ଥାପନ କରିବାର ଦକ୍ଷତା ରଖୁଥିବେ! ପୂର୍ବରୁ ବିଧିବଦ୍ଧଭାବେ ଭାରତୀୟ ସାମ୍ବାଦିକ ଓ ସାମ୍ବାଦିକତାକୁ ନେଇ କୌଣସି ସରକାର ଏତେ ଚିନ୍ତା କରିନଥିବେ ନିଶ୍ଚୟ! ଏହାର ଫଳଶ୍ରୁତି ଗତ ଫେବୃ୍ଆରୀରେ ଅଧିସୂଚିତ ‘ସୂଚନା ପ୍ରଯୁକ୍ତି (ମଧ୍ୟବର୍ତ୍ତୀ ସଂସ୍ଥାଗୁଡ଼ିକ ପାଇଁ ମାର୍ଗଦର୍ଶିକା ଓ ଡିଜିଟାଲ୍‌ ଗଣମାଧ୍ୟମ ଆଚାର ସଂହିତା) ନିୟମ ୨୦୨୧’।

୨୫ ମେ’ରେ କାର୍ଯ୍ୟକାରିତା ପାଇଁ ଦେଇଥିବା ସରକାରଙ୍କ ତିନିମାସିଆ କଣ୍ଟ ପୂରିବା ପରେ ଏଇନା ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଓ ଭାରତ ସରକାରଙ୍କ ଭିତରେ ଚାଲିଥିବା ଶୀତଳଯୁଦ୍ଧ ମଧ୍ୟ ଏହାର ଏକ ପରିଣତି। ସାମାଜିକ ଗଣମାଧ୍ୟମର ନିରଙ୍କୁଶତା ନିଃସନ୍ଦେହ ଅନେକ ସାମାଜିକ/ରାଜନୈତିକ/ମାନସିକ ବିକୃତିର ସୃଷ୍ଟିକର୍ତ୍ତା​‌, ଅତଏବ ୟାକୁ ଆଇନ ଅନ୍ତର୍ଗତ କରାଯିବା ଆବଶ୍ୟକ; କିନ୍ତୁ ଯେ ପର୍ଯ୍ୟନ୍ତ ତାହା ଉପଯୋଗକାରୀର ଅଭିବ୍ୟକ୍ତି/ବାକ୍‌ ସ୍ବାଧୀନତାକୁ ସସମ୍ମାନ, ନିରୁଦ୍ଦେଶ୍ୟ ଓ ଅହିଂସ ଉପାୟରେ ବଞ୍ଚାଇ ରଖିଚି, ସେ ପର୍ଯ୍ୟନ୍ତ ତା’ର ସଞ୍ଚାଳନକୁ ଅଙ୍କୁଶିତ କରିବାର ଔଚିତ୍ୟ ନାହିଁ। ଯଦି ଏଗୁଡ଼ିକରେ ଶାସନବିରୋଧୀ ମତାମତ ପ୍ରକାଶ ହେତୁ ସରକାର ସେଗୁଡ଼ିକୁ ନିୟନ୍ତ୍ରିତ/ଦଣ୍ଡିତ କରିବାକୁ ଚାହୁଁଥାନ୍ତି (କରୋନା କାଳରେ ସାଧାରଣ ଜନତାଙ୍କୁ ମଧ୍ୟ ଦଣ୍ଡିତ କରିବାକୁ ପଛାଇନାହାନ୍ତି), ତେବେ ତାହା ନିଶ୍ଚିତ ଗର୍ହିତ । ଶାସକ ଦଳର ସଦସ୍ୟଙ୍କର ଜାଲ୍‌ ଦସ୍ତାବିଜ୍‌ ସଂଲଗ୍ନ ଟୁଇଟ୍‌କୁ ଯଦି ସଂପୃକ୍ତ ସଂସ୍ଥା ‘ମେନିପୁଲେଟେଡ୍‌ ମିଡିଆ’ (ହେର୍‌ଫେର୍‌ କରାଯାଇଥିବା ତଥ୍ୟ) ଭାବେ ଚିହ୍ନଟ କଲା, ତେବେ ତାକୁ ନାଲିଆଖି ଦେଖାଇ ବଶମ୍ବଦ କରିବାର ଚେଷ୍ଟା ସରକାରଙ୍କ ଦୁର୍ବଳତାର ହିଁ ଲକ୍ଷଣ। ନିକଟରେ ସରକାର ନୂଆ ଆଇନ ପାଳନ ପାଇଁ ବାଧ୍ୟ କରିବା ପରେ ହ୍ବାଟ୍‌ସ୍‌ଆପ୍‌ ଅଦାଲତର ଦ୍ବାରସ୍ଥ ହୋଇଛି; କାରଣ ସରକାର ପ୍ରତ୍ୟେକ ବାର୍ତ୍ତା (ମେସେଜ୍‌)ର ମୂଳ ଉତ୍ସ ଜାଣିବାକୁ ଚାହୁଁଛନ୍ତି, ଯାହା ଏହାର ମୂଳ ନୀତି ‘ଏଣ୍ଡ୍‌-ଟୁ-ଏଣ୍ଡ୍‌ ଏନ୍‌କ୍ରିପ୍‌ସନ’ (ବାର୍ତ୍ତା ଆଦାନପ୍ରଦାନକାରୀଙ୍କ ବ୍ୟତୀତ ଅନ୍ୟ କେହି ପଢ଼ିପାରିବେ ନାହିଁ)ର ପରିପନ୍ଥୀ। ବାର୍ତ୍ତାର ସାର୍ବଜନୀନତା ବ୍ୟକ୍ତିର ଗୋପନୀୟତା ଏବଂ ବାକ୍‌ ସ୍ବାଧୀନତା କ୍ଷୁଣ୍ଣକାରୀ; ତେଣୁ ସେହି ସୂତ୍ରେ ଭାରତୀୟ ସମ୍ବିଧାନର ମୌଳିକ ଅଧିକାରର ହନନକାରୀ ବୋଲି ହ୍ବାଟ୍‌ସଆପ୍‌ର ଯୁକ୍ତି। ଏହାକୁ ଅଯଥାର୍ଥ ବୋଲି ମଧ୍ୟ କହିହେବ ନାହିଁ। ତେବେ ଏହାର ଅନ୍ୟାନ୍ୟ ଦିଗ ପରୀକ୍ଷଣୀୟ। ଅନ୍ତତଃ ଏତିକି କୁହାଯାଇପାରେ ଯେ, ​ଯେ କୌଣସି ଗଣମାଧ୍ୟମ ଆଜ୍ଞାଧୀନତାକୁ ସ୍ବୀକାର କରିନେଲେ ତାହା ତା’ର ଅସଲ କର୍ତ୍ତବ୍ୟରୁ ବିଚ୍ୟୁତ ହେବା ନିଧାର୍ଯ୍ୟ; ତେଣୁ ତା’ର ସ୍ଖଳନ/ପତନ ବି ଅନିବାର୍ଯ୍ୟ।

Comments are closed.