ଲଙ୍ଗଳ, ବିହନ ଗଲା, କାହିଁକି ଅକ୍ଷୟ ତୃତୀୟା ପାଲା?

- ନଟବର ଷଢ଼ଙ୍ଗୀ

ଓଡ଼ିଶାର କୃଷି ସଂସ୍କୃତିରେ ଅକ୍ଷୟ ତୃତୀୟା ଗୋଟିଏ ବଡ଼ ପର୍ବ ଥିଲା। ଧାନ ଆମ ରାଜ୍ୟର ପ୍ରଧାନ ଫସଲ। ଅକ୍ଷୟ ତୃତୀୟା ଦିନ ଚାଷୀ ହଳ ଯୋଚି ବିହନ ଅନୁକୂଳ କରିବାକୁ ଯିବ, ଲଙ୍ଗଳ ସଜ ହେବ, ଘରଣୀ ଲଙ୍ଗଳରେ ଚିତା ପକାଇଥିବେ। ବଳଦ ସକାଳୁ ସକାଳୁ ମୁହାଁହେବେ। ବେକରେ ଫୁଲମାଳ। ଘଣ୍ଟି, ଘାଗୁଡ଼ି, ଶିଙ୍ଗରେ କଉଡ଼ିମାଳ ବନ୍ଧା ହେବ। ବେତରେ ତିଆରି ବିହନ ଟୋକେଇରେ ଓଳିଆରୁ ବିହନ ଗଳା ହେବ। ଟୋକେଇ ଉପରେ ଗୌଣିଟି ରହିବ। ଗୌଣିଟି ବେତ ତିଆରି। ଚାଷୀ ଘରେ ଲକ୍ଷ୍ମୀଙ୍କୁ ପୂଜା କରିବ। ଲଙ୍ଗଳ ବଳଦ ପୂଜା ହେବେ। ଚାଷୀ ବିହନ ଟୋକେଇ ମୁଣ୍ଡାଇ ହଳ ଯୋଚି ଅନୁକୂଳରେ ବିଲକୁ ବାହାରି ଯିବ। ପ୍ରତି ଚାଷୀର ଖଣ୍ଡିଏ ନିର୍ଦିଷ୍ଟ ଜମି ବିହନ ଅନୁକୂଳ ପାଇଁ ପୂର୍ବ ନିର୍ଦ୍ଧାରିତ ହୋଇଥିବ। ଦାଣ୍ଡ ଦୁଆର ମୁହଁରେ କଳସ, ଆମ୍ବଡ଼ାଳ ଥିବ। ପଛକୁ ନ ଚାହିଁ ଏକ ଲୟରେ ଚାଷୀ ବିଲକୁ ଚାଲିବ। ଅନେକ ସମୟରେ ଘରଣୀ ବିହନ ମୁଣ୍ଡାଇ ହଳ ପଛରେ ମଧ୍ୟ ଯାଉଥାଏ। ଅନୁକୂଳ ବିଲରେ ପୂଜାପୂଜି ହେବେ। ଚାଷୀ ଅଚାଏ ବିଲ ଧରି ବିହନ ବୁଣିବ। ସେ ଦିନ ଘରେ ପିଠାପଣା, ଭଲ ରୋଷେଇବାସ ହେବ। ଲଙ୍ଗଳ ଭାରତୀୟ କୃଷି ସଂସ୍କୃତିର ପ୍ରତୀକ। ବିହନ ଚାଷୀର ସାର୍ବଭୌମ ଅଧିକାର। ଓଳିଆରୁ ପଡ଼ିଲେ ବିହନ ଗଜା। ବୈଶାଖ, ଜ୍ୟେଷ୍ଠ ମାସରେ ବିହନ ବୁଣାହେବ। ପହିଲି ଆଷାଢ଼ରେ ଫେଣ ଲଗା ଅସରାଏ ବର୍ଷା ହେଲେ ଅଗାଡ଼ି ପୋଡ଼ ଗଛ।

ଊଣେଇଶ ଶହ ଷାଠିଏ ଦଶକ ପର୍ଯ୍ୟନ୍ତ ଭାରତରେ ହଳ ଲଙ୍ଗଳ ଓ ବିହନର ସ୍ଥିତି ଅତୁଟ ଥିଲା। ଐତିହାସିକ ଜି.ଆର୍‍.ଶର୍ମା ଆହ୍ଲାବାଦ ନିକଟରେ ଧାନର ଯେଉଁ ଜୀବାଶ୍ମ(ଫସିଲ) ପାଇଥିଲେ ଏହାର ପରୀକ୍ଷାରୁ ଭାରତର ଧାନ ଖ୍ରୀଷ୍ଟପୂର୍ବ ୬୭୧୯ ଠାରୁ ୫୦୧୦ରେ ଚାଷ(ନିଓ ଲିଥିକ ପିରିୟଡ଼୍‍) ହେଇଥିବାର ପ୍ରମାଣ ମିଳେ। (ଇର୍‍ଫାନ୍‍ ହବିବ୍‍: ପ୍ରି ହିଷ୍ଟ୍ରି; ପୃଷ୍ଠା-୬୨)। ଲଙ୍ଗଳ କେଉଁ ଦେଶରେ ପ୍ରଥମେ ଉଦ୍ଭାବନ ହେଲା ଏହାର ଠିକ୍‍ ପ୍ରମାଣ ନ ମିଳିଲେ ମଧ୍ୟ ଖ୍ରୀଷ୍ଟପୂର୍ବ ୩୦୦୦ବର୍ଷ ପୂର୍ବରୁ ମେସୋପଟାମିଆରେ ଲଙ୍ଗଳର ବ୍ୟବହାର ହେଉଥିବାର ପ୍ରମାଣ ମିଳେ। ହରପ୍ପାର କାଲକୋ ଲିଥିକ ସଂସ୍କୃତିରୁ ପ୍ରମାଣ ମିଳେ ଯେ ସୁମେରିୟମାନେ ଖ୍ରୀଷ୍ଟପୂର୍ବ ୨୯୦୦ବର୍ଷ ବେଳକୁ ଲଙ୍ଗଳର ବ୍ୟବହାର ଜାଣିଥିଲେ ଏବଂ ହରପ୍ପାର ଚାଷୀମାନେ ସେମାନଙ୍କଠାରୁ ଲଙ୍ଗଳର ବ୍ୟବହାର ଜାଣିଲେ। ଯେହେତୁ ଲଙ୍ଗଳ କେବଳ କାଠରେ ତିଆରି ହେଉଥିଲା ଏହାର କୌଣସି ଚିହ୍ନ ହରପ୍ପା ବା ମହେଞ୍ଜୋଦାରୋ ଖନନରୁ ମିଳିନାହିଁ। ମାତ୍ର ବମ୍ବେର ପ୍ରିନ୍ସ ଅଫ୍‌ ​‌େ​‌ୱଲ୍‌ସ ସଂଗ୍ରହାଳୟରେ ଥିବା ମହେଞ୍ଜୋଦାରୋରୁ ସଂଗୃହୀତ ଟେରାକୋଟା ଲଙ୍ଗଳ ଖ୍ରୀଷ୍ଟପୂର୍ବ ୨୩୦୦ରେ ତିଆରି ହୋଇଥିବା ଅନୁମାନ କରାଯାଏ। କୃଷି ପରାଶରରେ ୧୧୨ ଶ୍ଳୋକ ଠାରୁ ୧୨୦ରେ ଲଙ୍ଗଳର ପ୍ରସ୍ତୁତି ଓ ଉପଯୋଗ ସଂକ୍ରାନ୍ତରେ ବିସ୍ତୃତ ବର୍ଣ୍ଣନା କରିଛନ୍ତି। ପରାଶରଙ୍କ ମତରେ ବିହନ (ବୀଜ) ହିଁ ପ୍ରଚୁର ଫସଲ ଉତ୍ପାଦନର ମୁଖ୍ୟ ଆଧାର। (ଶ୍ଳୋକ ୧୬୭)

ଲଙ୍ଗଳ ତ ଉଦ୍‍ଭାବନ ହେଲା। ପ୍ରଥମେ ଷଣ୍ଢ ବା ଗାଈ ଯୋଚି ଚାଷୀ ହଳ କଲା। ଖ୍ରୀଷ୍ଟପୂର୍ବ ୨୫୦୦-୨୦୦୦ ବେଳକୁ ସିନ୍ଧୁ ସଭ୍ୟତା ପୂର୍ଣ୍ଣ ବିକଶିତ ହେଲାଣି। ଅଣ୍ଡିରା ବାଛୁରୀର ମୁଷ୍କ ଛେଦନ କରି ସେମାନଙ୍କୁ ବଳଦ କରିବା କାମ ଭାରତୀୟମାନଙ୍କର ପୃଥିବୀରେ ପ୍ରଥମ ଜୈବ ଯାନ୍ତ୍ରିକ ବିଦ୍ୟା ଜ୍ଞାନର ପରିଚୟ ଦିଏ। ବର୍ତ୍ତମାନ ବଳଦ ହଳ କରିବା ବା ଶଗଡ଼ ବୋହିବାରେ ଅଧିକ ଉପଯୋଗୀ ହୋଇ ପାରିଲେ (ଦ ଇଣ୍ଡସ୍‌ ସିଭିଲାଇଜେସନ: ଇର୍‌ଫାନ ହବିବ୍‌ ପୃ ୨) ଖ୍ରୀଷ୍ଟପୂର୍ବ ୩୨୭-୩୨୫ ଗ୍ରୀକ୍‍ ବୀର ଆଲେକ୍‍ଜାଣ୍ଡର ଭାରତ ଆକ୍ରମଣ କରନ୍ତି। ଆକ୍ରମଣକାରୀଙ୍କ ବିଚାରରେ ଭାରତର ଗ୍ରାମ୍ୟ ଅର୍ଥନୀତି ସେତେବେଳେ ଖୁବ୍‍ ସମୃଦ୍ଧ ଥିଲା। ଭାରତୀୟମାନେ ହଳ ଲଙ୍ଗଳ ସାହାଯ୍ୟରେ ଖଣ୍ଡିଏ ଜମିରୁ ଏକାଧିକ ଫସଲ ଉତ୍ପାଦନ କରିପାରୁଥିଲେ। ଶୁଣାଯାଏ ସ୍ନାଦ୍‍ ଉପତ୍ୟକାରୁ ଆଲେକ୍‍ଜାଣ୍ଡର ୨୩୦,୦୦୦(!) ବଳଦ ନିଜ ଦେଶ ମାସିଡୋନିଅା ନେଇ ଯାଇଥିଲେ। ଭାରତୀୟ ବଳଦମାନେ ଯେବୁ ବଂଶଜ ହୋଇଥିବାରୁ ସେମାନଙ୍କର ଚୂଳଥିଲା ଏବଂ ହଳ ପାଇଁ ଏମାନେ ଅଧିକ ଉପଯୋଗୀ ପ୍ରମାଣିତ ହୋଇଥାନ୍ତି।

ଧାନ ଭାରତର ମୁଖ୍ୟ ଫସଲ। ଭାରତରେ ୧୯୫୦ ମସିହା ବେଳକୁ ପ୍ରାୟ ୨ଲକ୍ଷ କିସମର ଧାନ ବିହନ ଚାଷୀମାନେ ଚାଷ କରୁଥିଲେ। ଓଡ଼ିଶାରେ ଏହି ସଂଖ୍ୟା ୩୦,୦୦୦ରୁ ଅଧିକ ଥିଲା। ଆର୍‍.ଏଚ୍‍.ରିଚାରିଆ କଟକ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଥାନ୍ତି। ସେ ପ୍ରାୟ ୧୫୦୦ କିସମର ବଛାବଛା ଦେଶୀ ଧାନ ବିହନ ଚାଷୀଙ୍କ ଜମିରେ ଚାଷ କରାଇ ବର୍ତ୍ତମାନର ଅଧିକ ଅମଳକ୍ଷମ ଧାନଠାରୁ ଅଧିକ ଉତ୍ପାଦନ ପାଉଥିବା ପରୀକ୍ଷା କରନ୍ତି। ସେତେବେଳକୁ ସାମ୍ରାଜ୍ୟବାଦୀ ଆମେରିକାର ବହୁ ଦେଶୀୟ କମ୍ପାନୀମାନେ ଯେପରି କି ମନ୍‍ସାଣ୍ଟୋ, ଡ଼ୁପଣ୍ଟୋ, ଦାଓ କେମିକାଲ୍‍, ୟୁନିୟନ୍‍ କାର୍ବାଇଡ଼୍‍ ଆମେରିକାର ଲ୍ୟାଣ୍ଡ ଗ୍ରାଣ୍ଟ ବିଶ୍ୱବିଦ୍ୟାଳୟରେ ରାସାୟନିକ କୃଷି ଶିକ୍ଷା ପ୍ରବର୍ତ୍ତନ କଲେଣି। ଏହି ବହୁ ଦେଶୀୟ କମ୍ପାନୀ ପ୍ରସ୍ତୁତ କରୁଥିବା କୃଷି ଯନ୍ତ୍ରପାତି, ରାସାୟନିକ ସାର, କୀଟନାଶକ ବିଷ ଏବଂ ଅଧିକ ଅମଳକ୍ଷମ ଧାନ, ଗହମ ଚାଷ ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକାର ଦେଶମାନଙ୍କରେ ପ୍ରବର୍ତ୍ତନ କରାଇଲେ ସେମାନଙ୍କର ବେପାର ବଢ଼ିବ।

ଭାରତରୁ ବହୁ କୃଷି ବୈଜ୍ଞାନିକ କମ୍ପାନୀ ପଇସାରେ ଲ୍ୟାଣ୍ଡଗ୍ରାଣ୍ଟ କଲେଜରେ ରାସାୟନିକ କୃଷି ପଢ଼ିବା ପାଇଁ ଧାଡ଼ି ଲାଗିଲେ। ‘ଲ୍ୟାଣ୍ଡ ଗ୍ରାଣ୍ଟ ୟୁନିଭରସିଟି ମଡ଼େଲ’ରେ ଭାରତରେ କୃଷି ବିଶ୍ୱବିଦ୍ୟାଳୟମାନେ ଗଢ଼ି ଉଠନ୍ତି। ଜର୍ମାନ ବୈଜ୍ଞାନିକ ନର୍ମାନ ବୋଲଗ ଅଧିକ ଅମଳକ୍ଷମ ସୋନାଲିକା ଗହମ ଓ ଓଜ ୮ କୁହୁକ ଧାନ ବିହନ ଉଦ୍‍ଭାବନ କଲେଣି। ଫୋର୍ଡ଼ ଫାଉଣ୍ଡେସନ୍‍ ଓ ରକଫେଲର ଫାଉଣ୍ଡେସନ୍‍ କମ୍ପାନୀମାନଙ୍କ ପାଇଁ ଠିକାଦାରୀ ନେଲେଣି। ଫିଲିଫାଇନ୍ସର ମାନିଲାଠାରେ ଆନ୍ତର୍ଜାତିକ ଧାନ ଗବେଷଣା କେନ୍ଦ୍ର ୧୯୬୦ ବେଳକୁ କାମ କଲାଣି। ୧୯୬୭ରେ ଭାରତର ପଞ୍ଜାବରେ ସବୁଜ ବିପ୍ଳବର ଜନ୍ମ ଉତ୍ସବ ପାଳିତ ହୁଏ। ଏଣିକି ଆଉ ହଳ ଲଙ୍ଗଳରେ ଚାଷ ନୁହେଁ, ଟ୍ରାକ୍ଟର ଆସିଗଲା। ରାସାୟନିକ ସାର, କୀଟନାଶକ ବିଷ ଗାଁରେ ଉପଲବ୍ଧ ହେଲା। ସହଜ କୃଷି ଋଣ ମିଳିଲା। ଚାଷୀମାନେ ଅଧିକ ଅମଳ ନିଶାରେ ମାଡ଼ିଗଲେ। ହଳ, ଲଙ୍ଗଳ ବା ଦେଶୀ ବିହନ ଅଦରକାରୀ ହୋଇଗଲେ। ୧୯୭୦-୭୨ରେ ଫିଲିଫାଇନ୍ସରେ ଲକ୍ଷ ଲକ୍ଷ ହେକ୍ଟର ଆଇ.ଆର୍‍.୮ ଚାଷ ଜମିରେ ‘ରାଇସ୍‍ ଟୁଙ୍ଗ୍ରୋ’ ରୋଗ ମାତିଗଲା। ଧାନ ସଂପୂର୍ଣ୍ଣ ଉଜୁଡ଼ିଗଲା। କୁହୁକ ବିହନ ଆଇଆର୍‍-୮ର ଅକାଳ ମୃତ୍ୟୁ ହୋଇଗଲା।

୧୯୬୭ ରୁ ୮୦ ପର୍ଯ୍ୟନ୍ତ ଧାନ ଗହମର ଅଧିକ ଉତ୍ପାଦନ ହେଲା। ବଡ଼ ଚାଷୀମାନେ ମାଲାମାଲ୍‍, କିନ୍ତୁ ଏ କ’ଣ? ପଞ୍ଜାବର ଭଟିଣ୍ଡାଠାରୁ ରାଜସ୍ଥାନର ଜୟପୁର ପର୍ଯ୍ୟନ୍ତ କର୍କଟ ରେଳ ଚାଲିଲାଣି। ପକ୍ଷାଘାତ, ମଧୁମେହ, ହୃଦ୍‍ଘାତ ଭଳି ଦୁରାରୋଗ୍ୟ ରୋଗ ଦେଶ ସାରା ମାଡ଼ିଯାଉଛି। ଛୋଟ ଓ ନାମମାତ୍ର ଚାଷୀ ଋଣ ଶୁଝିପାରୁନି। କୀଟନାଶକ ବ୍ୟବହାର କଲେ ବି ଫସଲ ପୋକ ଚରି ଯାଉଛନ୍ତି। ମାଟିର ଜଳ ଧାରଣ ଶକ୍ତି କମିଯାଉଛି। ମାଟିରେ ଥିବା କୋଟିକୋଟି ଫସଲର ଉପକାରୀ ଅଣୁଜୀବ ମରିଯାଉଛନ୍ତି। ଉତ୍ପାଦନ କମିବା ଆରମ୍ଭ ହେଲାଣି। ଛୋଟ ଓ ନାମମାତ୍ର ଚାଷୀ ଚାଷ ଛାଡ଼ି ଦାଦନ ଖଟିବାକୁ ଧାଡ଼ି ଲଗାଇଲେଣି।

କେନ୍ଦ୍ର ଓ ରାଜ୍ୟ ସରକାରମାନେ କମ୍ପାନୀମାନଙ୍କ କଥାରେ ଉଠବସ୍‍ ହଉଛନ୍ତି। ଚାଷୀ ତ ଗିନି ପିଗ୍‍, ମରୁ। ସରକାରୀ ପ୍ରୋତ୍ସାହନରେ ଜଙ୍ଗଲ ସଫା ଚାଲିଛି। ଅଧିକ ଅମଳ କ୍ଷମ ଚାଷ ପାଇଁ ଅଧିକ ପାଣି ଦରକାର ପଡ଼ୁଛି। ପଞ୍ଜାବରେ ଯେଉଁଠି ୧୦ ଫୁଟ ତଳେ ପାଣି ମିଳୁଥିଲା, ଆଜି ୮୦୦ଫୁଟ ତଳକୁ ପାଣି ଚାଲିଗଲାଣି। ଚାଷୀକୁ କୁହାହେଲାଣି ଧାନ ନୁହେଁ ଏଣିକି ପପ୍‍ଲାର୍‌ ଗଛ ଲଗାଅ। ଗଙ୍ଗା ଅବବାହିକାରେ ଭୂତଳ ଜଳ ହାରାହାରି ୨୦୦ ଫୁଟ ତଳେ। ଆମ ଓଡ଼ିଶାରେ ହଜାରହଜାର ନଳକୂପ, ଉଠା ଜଳସେଚନ ପ୍ରକଳ୍ପରେ ପାଣି ନାହିଁ। ନଦୀ ବର୍ଷାଦିନେ ଶୁଖିଲା ପଡ଼ୁଛି। ହାରାହାରି ସାତ ଇଞ୍ଚ ବହଳର ଉପର ମାଟି ପୃଥିବୀ ପୃଷ୍ଠକୁ ଘେରି ହୋଇରହିଥିଲା। ଯାନ୍ତ୍ରିକ କୃଷି, ଡ଼୍ୟାମ୍‍ ତିଆରି, ଜଙ୍ଗଲ କ୍ଷୟ ଯୋଗୁଁ ଉପରମାଟିର ଦ୍ରୁତ ଅବକ୍ଷୟ। ଗୋଟିଏ ଇଞ୍ଚ ଉପର ମାଟି ତିଆରି ପାଇଁ ୧୦୦୦୦ ବର୍ଷ ଲାଗିଥାଏ। ଏହି ଉପର ମାଟି ହିଁ ସମସ୍ତ ଜୀବଜଗତର ଆଧାର। ପୃଥିବୀରେ ମରୁଭୂମି କାୟା ବିସ୍ତାର କଲାଣି। ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନ ରାସାୟନିକ କୃଷିର ଅନ୍ୟ ଏକ ବିଶେଷ ଉପଲବ୍ଧି।

୧୯୯୦ ଫେବୃଆରୀ ୮ ତାରିଖ। ନର୍ମାନ ବୋଲଗ ସେଦିନ ଦିଲ୍ଲୀର ଭାରତୀୟ କୃଷି ଗବେଷଣା କେନ୍ଦ୍ରରେ ସାମ୍ବାଦିକ ସମ୍ମିଳନୀରେ କହନ୍ତି ‘ମୁଁ ଏବଂ ଗ୍ଲେନ୍‍ ଆଣ୍ଡରସନ ଭାରତ ଏବଂ ଅନ୍ୟାନ୍ୟ ଦେଶମାନଙ୍କରେ ବିହନ ଏକାଧିକାର (ପେଟେଣ୍ଟ୍‌) ବିରୁଦ୍ଧରେ କହିଆସୁଛୁ। ଦେଶୀ ବିହନର ସୁରକ୍ଷା ଏବଂ ମୁକ୍ତ ଆଦାନପ୍ରଦାନ ପାଇଁ ମୁଁ ଦୃଢ଼ ମତ ପୋଷଣ କରୁଛି।’ ଆମେରିକାର ଏକାଧିକାର ନୀତି ବିରୁଦ୍ଧରେ ମତ ଦେଇ ସେ କହନ୍ତି ‘ଭଗବାନ ଆମକୁ ସାହାଯ୍ୟ କରନ୍ତୁ। ଯଦି ସେପରି ହୁଏ ଆମେ ସମସ୍ତେ ଭୋକିଲା ରହିବା।’ ହନୁ ମଲା ବେଳକୁ ସତ କହୁଛନ୍ତି। ଆମ ସରକାରମାନେ ବିଶ୍ୱ ବ୍ୟାଙ୍କ, ଆଇଏମ୍‍ଏଫ୍‍ ଓ ଡ଼ବ୍ଲ୍ୟୁଟିଓ ଭଳି ସଂସ୍ଥାମାନଙ୍କ ନିକଟରେ ଦେଶକୁ ବନ୍ଧାପକାଇ କରଜରେ ବୁଡ଼ିଛନ୍ତି। ଆମେରିକା ନାଗଫାଶରୁ ଖସିବା ଏତେ ସହଜ ନୁହେଁ।

ହଳ ଲଙ୍ଗଳ ଓ ଟ୍ରାକ୍ଟରର ତୁଳନାତ୍ମକ ଗବେଷଣା ଆଇ.ଆଇ.ଟି ଦିଲ୍ଲୀ ୨୦୦୮ରେ କରିଥିଲା। ସଂକ୍ଷେପରେ କେତେକ ତଥ୍ୟ ଏଠାରେ ଉପସ୍ଥାପନା କରିବା। ଲଙ୍ଗଳ ଚାଷ ଦ୍ୱାରା ଭାରତରେ ୨୩.୭୫ ନିୟୁତ ଟନ୍‍ ଡ଼ିଜେଲ୍‍ ବଞ୍ଚି ପାରୁଛି ଯାହାର ମୂଲ୍ୟ ୨୧୫୦୦ କୋଟି ହେବ। ଗ୍ରାମାଞ୍ଚଳରେ ୫୦ ନିୟୁତ ଲଙ୍ଗଳ କାର୍ଯ୍ୟ କରୁଛନ୍ତି; ୨୦ ନିୟୁତ ଲୋକ ନିଯୁକ୍ତି ପାଇପାରୁଛନ୍ତି। ରେଳଦ୍ୱାରା ଯେତିକି ମାଲ ବୁହାଯାଏ ଶଗଡ଼ ଦ୍ୱାରା ଏହା ଠାରୁ ଅଧିକ ମାଲ ବୁହାଯାଏ। ଭାରତରେ ୮୩ ନିୟୁତ ବଳଦ ୩୦୦୦୦ ମେଗାୱାଟ୍‌ ବିଦ୍ୟୁତ୍‍ ଶକ୍ତି ବଞ୍ଚାଇ ଥା’ନ୍ତି ଯାହାର ମୂଲ୍ୟ ୧୦୦୦୦ କୋଟିରୁ ଅଧିକ।

ସରକାର ଚାଷୀକୁ ଉପହାସ ବନ୍ଦ କରନ୍ତୁ। ପରନ୍ତୁ ହଳ ଲଙ୍ଗଳ ପୁନଃ ପ୍ରବର୍ତ୍ତନ ଓ ଦେଶୀ ଧାନ ବିହନ ସଂଗ୍ରହ, ଉତ୍ପାଦନ ଓ ବିପଣନ କରି ଚାଷୀମାନଙ୍କୁ ବଞ୍ଚାନ୍ତୁ। ଚାଷୀ ବଞ୍ଚିଲେ ଦେଶ ବଞ୍ଚିବ। କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ଆଇନ୍‍କୁ ଓଡ଼ିଶା ସରକାର ସ୍ପଷ୍ଟଭାବେ ବିରୋଧ କରନ୍ତୁ।

ହଳ ଲଙ୍ଗଳ, ଦେଶୀ ବିହନ ଏବଂ ରାସାୟନିକ ସାର ବା କୀଟନାଶକ ମୁକ୍ତ ଦେଶୀ ଚାଷ ଆମର ସ୍ୱାସ୍ଥ୍ୟ ସୁରକ୍ଷା, ମାଟିର ସୁରକ୍ଷା, ଗ୍ରାମ୍ୟ ଅର୍ଥନୀତିର ଅଭିବୃଦ୍ଧି ପାଇଁ ଏକ ମାତ୍ର ବିକଳ୍ପ। ଚାଷୀର ପର୍ବ ଅକ୍ଷୟ ତୃତୀୟା। ଏହାର ପୁନଃଉଦ୍ଧାର ପାଇଁ ସରକାରଙ୍କ କୃଷି ନୀତି ପ୍ରସ୍ତୁତ କରାଯାଉ।

Comments are closed.