MEllora 950×100

ସାର୍ବଜନୀନ ପେନ୍‌ସନ ନୀତି ଆବଶ୍ୟକ

ନଳିନୀକାନ୍ତ ଧର ଅର୍ଥନୀତି ବି​‌ଶେଷଜ୍ଞ, ରାଉରକେଲା

ଜନସାଧାରଣ ସରକାରୀ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଇତ୍ୟାଦି କୌଣସି ବ୍ୟବସ୍ଥାକୁ ପସନ୍ଦ କରନ୍ତୁ ବା ନ କରନ୍ତୁ, ଦେଖାଯାଏ ଯେ ସରକାରୀ ଚାକିରି ଅନେକଙ୍କର ପ୍ରଥମ ପସନ୍ଦ । ସରକାରୀ ଚାକିରିର ସ୍ଥାୟିତ୍ୱ ସହ ଅନ୍ୟ ଏକ ମୁଖ୍ୟ ଆକର୍ଷଣ ହେଲା ଅବସର ସମୟର ବେତନର ୫୦ ପ୍ରତିଶତ ପେନ୍‍ସନ ମିଳିବା ସହ ମୁଦ୍ରାସ୍ଫୀତି ସହ ତାଳ ଦେଇ ଏହା ବୃଦ୍ଧି ପାଇଥାଏ । ପେନ୍‍ସନ ବୋଝ ଅସମ୍ଭାଳ ହେବାରୁ ୨୦୦୪ ମସିହାରୁ କେନ୍ଦ୍ର ସରକାର ଓ ୨୦୦୫ ମସିହାରୁ ଊଣା ଅଧିକେ ଓଡ଼ିଶା ସମେତ ସମସ୍ତ ରାଜ୍ୟ ସରକାର ନୂତନ ପେନ୍‍ସନ ନୀତି ଆପଣାଇଛନ୍ତି । ୧୯୯୩-୯୪ ମସିହାରେ କେନ୍ଦ୍ର ସରକାରଙ୍କର ପେନ୍‍ସନ ଯାହାକି ଜି.ଡି.ପିର ୦.୬ ପ୍ରତିଶତ ଖର୍ଚ୍ଚ ହେଉଥିଲା, ତାହା ୨୦୦୨-୦୩ ବେଳକୁ ୧.୭ ପ୍ରତିଶତ ହେଲା, ପୁନଶ୍ଚ ୧୯୯୦-୯୧ରେ କେନ୍ଦ୍ର ସରକାରଙ୍କର ପେନ୍‍ସନ ବାବଦ ଖର୍ଚ୍ଚ ୩୨୭୨ କୋଟି ଥିଲାବେଳେ ତାହା ୫୮ ଗୁଣ ବୃଦ୍ଧିପାଇ ୧,୯୦,୮୮୬ କୋଟି ଟଙ୍କା ହେଲା ଓ ରାଜ୍ୟମାନଙ୍କର ପେନ୍‍ସନ ବାବଦ ଖର୍ଚ୍ଚ ୩୧୩୨ କୋଟିରୁ ୧୨୫ଗୁଣ ବୃଦ୍ଧି ପାଇ ୩,୮୬,୦୦୧ କୋଟି ହୋଇଗଲା । ସେହିପରି ୨୦୧୨ ମସିହାରେ ପ୍ରତିରକ୍ଷା ବିଭାଗ ପାଣ୍ଠିର ଦରମା-ପେନ୍‍ସନ ବାବଦରେ ୫୯ ପ୍ରତିଶତ ଖର୍ଚ୍ଚ ହେଉଥିଲାବେଳେ ଦଶବର୍ଷ ପରେ ତାହା ୭୧ ପ୍ରତିଶତକୁ ବୃଦ୍ଧି ପାଇ ଅସ୍ତ୍ରଶସ୍ତ୍ର କିଣା ଖର୍ଚ୍ଚ କମି ଯିବାରୁ ପ୍ରତିରକ୍ଷା ବିଭାଗର ‘ଥିଙ୍କ ଟ୍ୟାଙ୍କ’ ଗଭୀର ଉଦ୍‍ବେଗ ପ୍ରକାଶ କରିଥିଲା। ପୂର୍ବରୁ ଅବସର ନେଉଥିବା କର୍ମଚାରୀଙ୍କର ଆୟୁ ଖୁବ୍‍ କମ୍‍ ରହୁଥିଲା; କିନ୍ତୁ ସମୟାନୁକ୍ରମେ ଜନସାଧାରଣଙ୍କର ସଚେତନତା, ଚିକିତ୍ସା ବିଜ୍ଞାନର ଅଗ୍ରଗତି, ଆର୍ଥିକ ମାନଦଣ୍ଡରେ ଉନ୍ନତି ଇତ୍ୟାତି କାରଣରୁ ବର୍ତ୍ତମାନ ଆୟୁ ବୃଦ୍ଧି ପାଇଛି ଓ ଭବିଷ୍ୟତରେ ଏହା ଆହୁରି ବୃଦ୍ଧି ପାଇବ ବୋଲି ଚିକିତ୍ସା ବିଜ୍ଞାନୀଙ୍କ ମତ । ସେହିପରି ଭାବରେ ପୂର୍ବ ତଥା ସଦ୍ୟ ସପ୍ତମ ବେତନ କମିସନ୍‍ ପରେ ସରକାରୀ କର୍ମଚାରୀଙ୍କର ଦରମା ମଧ୍ୟ ପୂର୍ବାପେକ୍ଷା ଆଶାନୁରୂପ ବୃଦ୍ଧି ପାଇଛି ।

ଭାରତବର୍ଷ ଏକ ସଂଘୀୟ ବ୍ୟବସ୍ଥାବିଶିଷ୍ଟ ରାଷ୍ଟ୍ର ଓ ସମସ୍ତ ରାଜ୍ୟ ସବୁ ସମୟରେ ବିଭିନ୍ନ କାରଣରୁ ବିତ୍ତୀୟ ଶୃଙ୍ଖଳାକୁ ଠିକ୍‍ ରୂପରେ କାର୍ଯ୍ୟକାରୀ କରିପାରନ୍ତି ନାହିଁ, ଯେପରି କି ଉପରୋକ୍ତ ପରିସଂଖ୍ୟାନରେ ଗୋଟିଏ ସମୟର ଅବଧିରେ କେନ୍ଦ୍ର ସରକାରଙ୍କର ପେନ୍‍ସନ ବାବଦ ଖର୍ଚ୍ଚ ୫୮ ଗୁଣ ବୃଦ୍ଧି ପାଇବା ସମୟରେ ରାଜ୍ୟମାନଙ୍କର ୧୨୫ ଗୁଣ ବୃଦ୍ଧି ପାଇଲା ଓ ଏଥିରୁ ତାହା ସ୍ପଷ୍ଟ ଅନୁମେୟ । ପରିସ୍ଥିତି ଏପରି ହେଲା ଯେ କେତେକ ରାଜ୍ୟ ସରକାରଙ୍କର ଅଣଯୋଜନା ଖର୍ଚ୍ଚ ଯଥା ସୁଧ, ଦରମା, ପେନ୍‍ସନ ଇତ୍ୟାଦି ରାଜସ୍ୱର ୯୦ ପ୍ରତିଶତ ଅତିକ୍ରମ କରିଗଲା ଓ ଏକ ବିକାଶଶୀଳ ଦେଶରେ ଦେଶର ପ୍ରଗତି ପାଇଁ ଯେଉଁଠି ଯୋଜନା ବାବଦ ଖର୍ଚ୍ଚ ଅଧିକ ହେବା କଥା ତାହା ପାଇଁ ସମ୍ୱଳର ଘୋର ଅଭାବ ସୃଷ୍ଟି ହୋଇ ବିକାଶ ବାଧାପ୍ରାପ୍ତ ହେଲା । ଏପରି କି ଓଡ଼ିଶାରେ ମଧ୍ୟ ଏହି ଶତାବ୍ଦୀର ପ୍ରଥମ ଦଶକରେ ଫେବୃଆରୀ, ମାର୍ଚ୍ଚ ମାସ ବେଳକୁ ଆର୍‍.ବି.ଆଇ ଠାରୁ ଓଭରଡ୍ରାଫ୍‍ଟ କରିବା ସହ ସ୍ୱଳ୍ପ ସଂଚୟ ଯୋଜନା ରାଶିକୁ ମଧ୍ୟ ଦରମା- ପେନ୍‍ସନ ବାବଦ ଖର୍ଚ୍ଚ ପାଇଁ ନିର୍ଭର ହେବାକୁ ଆବଶ୍ୟକ ପଡ଼ିଲା । ସରକାର ଏହି ଆର୍ଥିକ ସଂକଟରୁ ମୁକ୍ତି ପାଇବା ପାଇଁ ୨୦୦୪ ମସିହାରେ ଏକ ନୂତନ ପେନ୍‍ସନ ନୀତି ପ୍ରଣୟନ କଲେ, ଯାହା କି ଦରମାର ୧୦ ପ୍ରତିଶତ ପେନ୍‍ସନ ବାବଦରେ ଏନ୍‍.ପି.ଏସ୍‍.କୁ ପ୍ରଦାନ କରାଗଲା ଓ ଏହି ଗଚ୍ଛିତ ରାଶି ଅବସର ସମୟରେ ଯେତିକି ବୃଦ୍ଧି ପାଇଥିବ ସେଥିରୁ କୌଣସି ବୀମା କଂପାନୀ ଆଜୀବନ ପେନ୍‍ସନ୍‍ ପ୍ରଦାନ କରିବା ବ୍ୟବସ୍ଥା ରହିଲା । ପୂର୍ବ ଯୋଜନାରେ ପେନ୍‍ସନ୍‍ ଯାହା ଆଜୀବନ ପୂର୍ବ ନିର୍ଦ୍ଧାରିତ ହୋଇ ମୁଦ୍ରାସ୍ଫୀତି ସହ ବୃଦ୍ଧି ପାଉଥିଲା, ନୂତନ ଯୋଜନାରେ ଏହା ବଜାରର ସୁଧହାର ଉପରେ ନିର୍ଭର କଲା ଓ କେତେ ପେନ୍‍ସନ ମିଳିବ ତାହା ସେହି ସମୟରେ ପ୍ରଚଳିତ ସୁଧହାରରୁ ନିର୍ଦ୍ଧାରଣ କରାଗଲା। ୨୦୧୩ରେ ତତ୍କାଳୀନ ୟୁପିଏ ସରକାର ପେନ୍‍ସନ ବ୍ୟବସ୍ଥାକୁ ଆହୁରି ବ୍ୟାପକ ଓ ସାର୍ବଜନୀନ କରିବା କରିବା ପାଇଁ ଏନ୍‍.ପି.ଏସ୍‍. ଆଇନ୍‍ ପ୍ରଣୟନ କରିଥିଲେ; କିନ୍ତୁ ବର୍ତ୍ତମାନ ଯଦି କଂଗ୍ରେସ କ୍ଷମତାକୁ ଆସେ ପୁରୁଣା ପେନ୍‍ସନ ନୀତି ପ୍ରଣୟନ କରିବେ ବୋଲି ଜନସାଧାରଣଙ୍କୁ ବିଭିନ୍ନ ସମୟରେ ପ୍ରତିଶ୍ରୁତି ଦେଇଆସୁଛି । ଏହି ମର୍ମରେ ମୁଖ୍ୟତଃ ବିରୋଧୀ ଦଳ ଶାସିତ ରାଜ୍ୟ, ଯଥା ରାଜସ୍ଥାନ, ଛତିଶଗଡ଼, ପଞ୍ଜାବ ପୂର୍ବ ପେନ୍‍ସନ ନୀତି ପୁନଃ ପ୍ରଚଳନ କରିଛନ୍ତି ଓ ନିକଟରେ ହିମାଚଳ ସରକାର ମଧ୍ୟ ଏହିପରି ନିଷ୍ପତ୍ତି ନେଇଛନ୍ତି । ଅବଶ୍ୟ କେନ୍ଦ୍ର ସରକାର ମଧ୍ୟ ପେନ୍‍ସନ ନୀତିକୁ ତର୍ଜମା କରିବେ ବୋଲି ଆଭାସ ମିଳେ ।

ଓଡ଼ିଶାରେ ବିଭିନ୍ନ କର୍ମଚାରୀ ସଂଗଠନ ପୁରୁଣା ପେନ୍‍ସନକୁ ପ୍ରଚଳନ କରିବାପାଇଁ ଦାବି ଉଠାଉଛନ୍ତି ଓ ଦିନକୁ ଦିନ ଏହା ଦୃଢୀଭୂତ ହେବାକୁ ଯାଉଛି । ତେଣୁ କହିବାକୁ ଗଲେ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏହା ଏକ ମୁଖ୍ୟ ପ୍ରସଙ୍ଗ ହେଲାଣି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଭାରତରେ ସାମାଜିକ ଅର୍ଥନୈତିକ ଦୃଷ୍ଟିକୋଣରୁ କେଉଁ ପେନ୍‍ସନ ନୀତି ଶ୍ରେୟସ୍କର । ଭାରତରେ ସାର୍ବଜନୀନ ସଂସ୍ଥା ତଥା ଓ ବେସରକାରୀ ସଂସ୍ଥା ମୁଖ୍ୟତଃ ଇ.ପି.ଏଫ.ଓ ସହ ସହବନ୍ଧିତ ଓ ସେମାନେ ସରକାରୀ କର୍ମଚାରୀ ଭଳି ଦରମାର ୫୦ ପ୍ରତିଶତ ପେନ୍‍ସନର ହକ୍‍ଦାର ନୁହନ୍ତି, ଯଦିଓ ନଭେମ୍ୱର ୪, ୨୦୨୨ରେ ସୁପ୍ରିମ୍‍କୋର୍ଟ ଇପିଏଫଓକୁ ପୂର୍ବରୁ ଥିବା ସର୍ବାଧିକ ୧୫୦୦୦ ବାର୍ଷିକ ଜମାରାଶିରୁ ଉଚ୍ଛେଦ କରି ମାସିକ ବେତନର ପେନ୍‍ସନ ପାଣ୍ଠିକୁ ଜମା କରିବା ପାଇଁ ନି​‌େ​‌ର୍ଦଶ ଦେଇଛନ୍ତି। ଏହା ଆପାତତଃ ନିଜସ୍ୱ ବର୍ଦ୍ଧିତ ଜମାରାଶି ଉପରେ ବଜାର ଭିତ୍ତିକ ପେନ୍‍ସନ ପାଇବା ପାଇଁ ନିର୍ଦ୍ଧାରିତ ହେବା ସ୍ଥଳେ ଏହି ପେନ୍‍ସନ ରାଶିର ଗଣନା ମଧ୍ୟ ପରିବର୍ତ୍ତନଶୀଳ । ପୃଥିବୀରେ ମୁଖ୍ୟତଃ ଇଉରୋପୀୟ ଦେଶ (ଗ୍ରୀସ, ଇଟାଲି, ସ୍ପେନ୍‍ ଇତ୍ୟାଦି), ଯେଉଁମାନେ ପେନ୍‍ସନ ପ୍ରଚଳନ କରୁଥିଲେ, ସମୟାନୁକ୍ରମେ ପେନ୍‍ସନ ବାବଦ ବ୍ୟୟ ମାତ୍ରାଧିକ ହେବାରୁ ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହେଲେ ଓ ୧୯୯୦ ପରଠାରୁ ବଜାର ଭିତ୍ତିକ ନୂତନ ପେନ୍‍ସନ ବ୍ୟବସ୍ଥା ଲାଗୁକଲେ । ବର୍ତ୍ତମାନ ଅନେକ ରାଜ୍ୟ ସରକାରଙ୍କର ଆର୍ଥିକ ସ୍ଥିତି ଭଲ ନାହିଁ। ଗତ ୧୬ ତାରିଖ ରିଜର୍ଭ ବ୍ୟାଙ୍କ ଦ୍ୱାରା ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଉପରେ ପ୍ରକାଶିତ ରିପୋର୍ଟରେ ରାଜ୍ୟମାନେ ପୁରାତନ ପେନ୍‍ସନ ବ୍ୟବସ୍ଥାକୁ ପ୍ରଚଳନ କଲେ ଭବିଷ୍ୟତରେ ଏହା ରାଜ୍ୟର ଆର୍ଥିକ ସ୍ଥିତିରେ ଘୋର ପ୍ରତିକୂଳ ପ୍ରଭାବ ପଡିବ ବୋଲି ଚେତାବନୀ ଦିଆଯିବା ସହ ଏହାକୁ ପୁନଃ ପ୍ରଚଳନ ନ କରିବାକୁ ପରାମର୍ଶ ଦିଆଯାଇଛି । ଏଠାରେ ଉଲ୍ଲେଖନୀୟ ଯେ ୨୦୧୨-୨୨ ବିଗତ ୧୨ ବର୍ଷରେ ରାଜ୍ୟମାନଙ୍କର ପେନ୍‍ସନ ବାବଦ ବ୍ୟୟ ବାର୍ଷିକ ଉଦ୍‍ବେଗ ଜନିତ ଭାବେ ୩୪ ପ୍ରତିଶତ ହାରରେ ବୃଦ୍ଧି ପାଇଛି ଓ ଚଳିତ ବର୍ଷ ଏହା ୧୭ ପ୍ରତିଶତ ବୃଦ୍ଧି ପାଇବ ।
ରାଜ୍ୟଗୁଡ଼ିକର ଋଣ ଓ ଜିଡିପିର ଅନୁପାତ ଯାହା ବିତ୍ତୀୟ ଶୃଙ୍ଖଳା ଆଇନ୍‍ ଅନୁଯାୟୀ ୨୦ ପ୍ରତିଶତ ରହିବା କଥା, ଏବେ ମଧ୍ୟ ୨୯.୫ ରହିଛି । କେନ୍ଦ୍ର, ରାଜ୍ୟ ଓ ବଜେଟ୍‍ ବହିର୍ଭୂତ ସବୁ ବିତ୍ତୀୟ ନିୟନ୍ତ୍ରଣ ମିଶିଲେ ଜି.ଡି.ପିର ୧୦ ପ୍ରତିଶତରୁ ଊର୍ଦ୍ଧ୍ବ ହେଉଥିବାରୁ ଅନେକ ଅନ୍ତର୍ଜାତୀୟ ରେଟିଂ ସଂସ୍ଥା ଭାରତରେ ମାତ୍ରାଧିକ ବିତ୍ତୀୟ ନିଅଣ୍ଟ ପାଇଁ ଚେତାବନୀ ଦେଉଛନ୍ତି । ସରକାରଙ୍କର ଏଫ.ଆର.ବି.ଏମ୍‍. ଆଇନର ମଧ୍ୟ ଏହା ପରିପନ୍ଥୀ । ବିତ୍ତୀୟ ନିଅଣ୍ଟ ଅଧିକ ହେଲେ ଭାରତର ରେଟିଂ ହ୍ରାସ ପାଇବା ସହ ଆର୍ଥିକ କାରବାରରେ ଅନେକ ଅସୁବିଧା ଉପୁଜିବ ।

ନୂତନ ପେନ୍‍ସନ ବ୍ୟବସ୍ଥାରେ ସରକାର ଦରମାର ବାର୍ଷିକ ୧୪ ପ୍ରତିଶତ ଭାବରେ ପ୍ରତି ମାସରେ ନିଜର ଅଂଶଧନ ଦେଇଥାନ୍ତି ଯାହାକି ପେନ୍‍ସନ ଫଣ୍ଡ୍‌ରେ କେବଳ ୧୦ ପ୍ରତିଶତ ବିନିଯୋଗ ହୋଇଥାଏ । ଏହା ଯଦି ପୂର୍ଣ୍ଣ ୧୪ ପ୍ରତିଶତ ବିନିଯୋଗ ହୁଏ ତାହାହେଲେ ପ୍ରଚଳିତ ଏନ୍‍ପିଏସ୍‍ ବ୍ୟବସ୍ଥାରେ ମଧ୍ୟ ଅଧିକ ପେନ୍‍ସନ ଉପଲବ୍ଧ ହୋଇପାରିବ। ଏନ୍‍.ପି.ଏସ୍‍. ପେନ୍‍ସନ କିଛିମାତ୍ରାରେ ପୁଞ୍ଜିବଜାର ବିନିଯୋଗ କରିବାର ପ୍ରାବଧାନ ଥିବାରୁ ଅଧିକ ଲାଭାର୍ଜନ ହୋଇ ବର୍ତ୍ତମାନ ପାରମ୍ପରିକ ସ୍ଥାୟୀ ଜମା ଅପେକ୍ଷା ଅଧିକ ସୁଧ ମଧ୍ୟ ମିଳିପାରୁଛି ।

ପୁରାତନ ପେନ୍‍ସନ ବ୍ୟବସ୍ଥାର ଏକ ମୁଖ୍ୟ ତ୍ରୁଟି ହେଲା ଏହା ବିନିଯୋଗ ହୋଇ ମୂଳଧନ ପାଣ୍ଠି ସୃଷ୍ଟି ହୋଇନଥାଏ ଓ ବର୍ତ୍ତମାନ କରଦାତା ପୁରୁଣା କର୍ମଚାରୀମାନଙ୍କ ପାଇଁ ପେନ୍‍ସନ ରାଶି ପ୍ରଦାନ କରିଥାନ୍ତି ଯାହାକି ସର୍ବଦା ଭବିଷ୍ୟତ ବଂଶଜ ପାଇଁ ଅନ୍ୟାୟ ସଦୃଶ । ଭାରତବର୍ଷର ମୋଟ୍‍ ୧୨ପ୍ରତିଶତ କର୍ମଚାରୀ କେବଳ ଏହି ସୁବିଧା ପାଇଥାନ୍ତି ଓ ଅନ୍ୟାନ୍ୟ କର୍ମଚାରୀ ତଥା ସାଧାରଣ ଜନତା କୌଣସି ଉନ୍ନତମାନର ସାମାଜିକ ସୁରକ୍ଷା ବ୍ୟବସ୍ଥାରୁ ବଞ୍ଚିତ, ଯାହାକୁ ଭାରତବର୍ଷ ଭଳି ଏକ ବିଶାଳ ବିକାଶଶୀଳ ଦେଶରେ ଏକ ସାମାଜିକ ବ୍ୟାଧି ରୂପେ ଦେଖାଯାଉଛି । କେନ୍ଦ୍ର ତଥା ରାଜ୍ୟର ସୀମିତ ସମ୍ୱଳର ସମାନୁପାତିକ ସୁବଣ୍ଟନ ହେବା ଏକାନ୍ତ ଆବଶ୍ୟକ । ଭାରତବର୍ଷ ପରି ଏକ ବିକାଶୋନ୍ମୁଖୀ ଦେଶରେ ଦାରିଦ୍ର୍ୟ ଦୂରୀକରଣ, ସାର୍ବଜନୀନ ଗୁଣାତ୍ମକ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟ ସେବା ଅଧିକ କର୍ମନିଯୁକ୍ତି, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଗମନାଗମନର ସୁବିଧା, ଚାଷୀମାନଙ୍କର ଆୟ ବୃଦ୍ଧି, ଉତ୍ତମ ପରିବେଶ, ଭିତ୍ତିଭୂମିର ବିକାଶ ଇତ୍ୟାଦି ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ ସହ ଅଧିକାଂଶ ଜନସାଧାରଣଙ୍କର ମୌଳିକ ଅଧିକାର ମଧ୍ୟ ଅଟେ । ସରକାର ଅଧିକରୁ ଅଧିକ ଜନସାଧାରଣଙ୍କୁ ପେନ୍‍ସନ ପରିସରକୁ ଆଣିବା ପାଇଁ କିଛି ମାତ୍ରାରେ ପ୍ରୟାସ କରିଛନ୍ତି ଓ ଅନେକ ପେନ୍‍ସନ ଯୋଜନା ଯଥା ଶ୍ରମଯୋଗୀ ମାନଧନ ଯୋଜନା, ଅଟଳ ପେନ୍‍ସନ ଯୋଜନା ଇତ୍ୟାଦି ପ୍ରଣୟନ କରିଛନ୍ତି; କିନ୍ତୁ ଏହା ପର୍ଯ୍ୟାପ୍ତ ଓ ଯଥେଷ୍ଟ ନୁହେଁ । ମର୍କର ଅନ୍ତର୍ଜାତୀୟ ପେନ୍‍ସନ ସୂଚକାଙ୍କ ୨୦୨୨ରେ ଭାରତ ୪୪ତମ ଦେଶ, ଯାହା ପୃଥିବୀର ୬୫ ପ୍ରତିଶତ ଜନସାଧାରଣଙ୍କୁ ପ୍ରତିନିଧିତ୍ୱ କରେ। ଭାରତରେ ୯୫ ପ୍ରତିଶତ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କୁ ବେସରକାରୀ ସ୍ତରରେ ନିବେଶ କରି ପେନ୍‍ସନ ପରିସରକୁ ପରିବ୍ୟାପ୍ତ କରିବାପାଇଁ ମତପୋଷଣ କରିଛି ।

ଉଲ୍ଲେଖନୀୟ ଯେ ଦୀର୍ଘଦିନ ହେଲା ସରକାର ଦେଉଥିବା ପେନ୍‍ସନ ରାଶି ଏନ୍‍.ପି.ଏସ୍‍. ଠାରୁ ଫେରି ପାଇବାର କୌଣସି ଆଇନଗତ ନିୟମ ନାହିଁ। ବର୍ତ୍ତମାନ କିନ୍ତୁ ବିଭିନ୍ନ ରାଜ୍ୟରେ ପୁରୁଣା ପେନ୍‍ସନ ନୀତିକୁ ପ୍ରଣୟନ କରିବାପାଇଁ ଏକ ପ୍ରତିଯୋଗିତା ମୂଳକ ବାତାବରଣ ସୃଷ୍ଟି ହୋଇ ଦେଇଥିବା ରାଶିକୁ ଫେରିପାଇବା ପାଇଁ ଦାବି ଉଠାଇଛନ୍ତି । ଓଡ଼ିଶା ସରକାର ମଧ୍ୟ ଭବିଷ୍ୟତରେ ଯଦି ପୂର୍ବ ପେନ୍‍ସନ ନୀତି ଅବଲମ୍ୱନ କରିବାପାଇଁ ଯୋଜନା କରୁଥାନ୍ତି, ତାହାହେଲେ ଓଡ଼ିଶାର ସୀମିତ ରାଜସ୍ୱ କିପରି ଭାବରେ ସୁବିନିଯୋଗ ହୋଇ ରାଜ୍ୟର ସାମଗ୍ରିକ ବିକାଶ ସହ ସାଧାରଣ ଜନତା ମଧ୍ୟ ଉପକୃତ ହେବେ ତାହା ପୁଙ୍ଖାନୁପୁଙ୍ଖ ବିଚାର କରିବା ଏକାନ୍ତ ବାଞ୍ଛନୀୟ । ଅନେକ ସମୟରେ ଭୋଟ୍‍ ରାଜନୀତି ଅର୍ଥନୀତିର କୁପରିଣାମକୁ ଉପେକ୍ଷା କରି ଅନେକ ପ୍ରଲୋଭନକାରୀ ଯୋଜନା ପ୍ରଣୟନ କରିବାକୁ ଉସୁକାଉଛି। ଏହାର କାର୍ଯ୍ୟକାରିତାକୁ ନେଇ ସୁପ୍ରିମକୋର୍ଟ ନିକଟରେ ପ୍ରଶ୍ନ ଉଠାଇଛନ୍ତି ।

ଘରୋଇକରଣ, ଜଗତୀକରଣ, ଉଦାରୀକରଣ ଅର୍ଥନୀତିରେ ସମଗ୍ର ସରକାରୀ, ବେସରକାରୀ ସଂସ୍ଥା ତୀବ୍ର ପ୍ରତିଯୋଗିତାର ସମ୍ମୁଖୀନ ହେଉଛନ୍ତି ଓ ଅଧିକାଂଶ କର୍ମଚାରୀଙ୍କର ଚାକିରିର ପୂର୍ବଭଳି ସ୍ଥାୟିତ୍ୱ ନାହିଁ । ଏହି ପରିପ୍ରେକ୍ଷୀରେ ଚାକିରିର ସଂଜ୍ଞା ମଧ୍ୟ ଅନେକ ମାତ୍ରାରେ ବଦଳି ଯାଉଛି । ତେଣୁ ନୂତନ ଅର୍ଥନୈତିକ ପୃଷ୍ଠଭୂମିରେ ସରକାର କୌଣସି ଚାପର ବଶବର୍ତ୍ତୀ ନ ହୋଇ ଅନ୍ତର୍ଭୁକ୍ତିକରଣ ପେନ୍‍ସନ ନୀତି ପ୍ରଣୟନ କରନ୍ତୁ, ଯାହାଦ୍ବାରା ସମସ୍ତ ଜନସାଧାରଣ ଉପକୃତ ହେବେ।

Comments are closed.