ନେତାଜୀ: ବିପ୍ଳବର ବୀରପୁତ୍ର

- ପ୍ରହଲ୍ଲାଦ ସିଂହ ପଟେଲ

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ହେଉଛି ସଂଗ୍ରାମର କାହାଣୀ। ଏହା ଏକ ଯୁବପ୍ରାଣର ସ୍ୱପ୍ନର କାହାଣୀ ଯାହା ପ୍ରତ୍ୟେକ ଭାରତୀୟଙ୍କ ଆଖିରେ ଲାଖିରହିଥିବା ସଚେତନତା, ସଂଗ୍ରାମ ଓ ସଫଳତାର ଗାଥା ବଖାଣେ। ନିଜର ବାହୁ ବଳରେ ଯିଏ ଯୁଦ୍ଧଭୂମିର ବୁକୁ ଚିରିପାରିଥିଲେ, ଯିଏ ଆକାଶରେ ମଧ୍ୟ ରନ୍ଧ୍ର ରଚିବାର କଥା କହୁଥିଲେ, ନିଜର ପ୍ରଚେଷ୍ଟା ବଳରେ ଲକ୍ଷ୍ୟ ହାସଲ କରିବା ପାଇଁ ଉଦ୍‍ଗ୍ରୀବ ଥିଲେ, ଯିଏ ବିନା ପ୍ରୟାସରେ କିଛି ହେଲେ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ ଏବଂ ଯଦି ସେ ସ୍ୱାଧୀନତା ହାସଲ କରିବାକୁ ଚାହିଁଥିଲେ ତେବେ ତାହା ନିଜର ରକ୍ତ ଦେଇ ହାସଲ କରିବାକୁ ହିଁ ଚାହୁଁଥିଲେ, ସେ ଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ନେତାଜୀଙ୍କର ଗୋଟିଏ ଆହ୍ୱାନରେ ଦେଶର ହଜାରହଜାର ଜନତା ଦେଶ ପାଇଁ ପ୍ରାଣବଳି ଦେବାକୁ ଆଗଭର ହୋଇଥିଲେ। ମାତ୍ର କେଇ ମାସ ମଧ୍ୟରେ ସେ ସୃଷ୍ଟି କରିପାରିଥିଲେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଏକ ସୁଦୃଢ଼ ସେନା। ତାଙ୍କର ସେହି ବଜ୍ରନିଘୋଷ ଆହ୍ୱାନ- “ଜୟ ହିନ୍ଦ୍‍” ସମସ୍ତଙ୍କ ମନରେ ସ୍ୱାଧୀନତାର ଭାବନା ଜାଗ୍ରତ କରିପାରିଥିଲା।

ନେତାଜୀ ଓଡ଼ିଶାର କଟକ ସହରରେ ଜନ୍ମ ହୋଇଥିଲେ। ବ୍ରିଟେନରୁ ଆଇସିଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜର ସାମର୍ଥ୍ୟକୁ ଶତ୍ରୁପକ୍ଷଙ୍କ ନିକଟରେ ପ୍ରମାଣସିଦ୍ଧ କରିପାରିଥିଲେ; କିନ୍ତୁ ଆରାମଦାୟକ ଜୀବନ ବଞ୍ଚିବା ତାଙ୍କର ପ୍ରକୃତିରେ ନଥିଲା ଯାହାକି ଆଇସିଏସ ପଦବୀରେ ରହି ସେ ସାରା ଜୀବନ ଉପଭୋଗ କରିପାରିଥାନ୍ତେ। ଦେଶର ସ୍ୱାଧୀନତା ସଂଗ୍ରାମରେ ଏକ ନୂତନ ଅଧ୍ୟାୟ ରଚନା କରିବା ଥିଲା ବିଧିନିର୍ଦ୍ଦିଷ୍ଟ। କାରଣ ସେ ଥିଲେ ଯୋଦ୍ଧା ଯିଏ ଭାରତର ସ୍ୱାଧୀନତା ପାଇଁ ଏକ ନୂତନ ସଂଗ୍ରାମର ସୂତ୍ରପାତ ଘଟାଇଥିଲେ। ସେ ସ୍ୱାଧୀନତା ସଂଗ୍ରାମକୁ କେବଳ କାୟମନୋବାକ୍ୟରେ ଗ୍ରହଣ କରିନଥିଲେ, ଅପରନ୍ତୁ ସେ ପାଲଟିଥିଲେ ଏହାର ପ୍ରେରଣାର ଏକ ଅଫୁରନ୍ତ ଉତ୍ସ। ସେ ଦେଶବାସୀଙ୍କୁ ଆହ୍ୱାନ ଜଣାଇଥିଲେ, “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି।” ତାଙ୍କର ଏହି ଆହ୍ୱାନ ଥିଲା ଦେଶବାସୀଙ୍କୁ ଜାଗ୍ରତ କରିବା ପାଇଁ। ତାଙ୍କର ଏହି ବ୍ୟକ୍ତିତ୍ୱ ଓ ବିଚାରଧାରା ଏତେ ପ୍ରଭାବଶାଳୀ ଥିଲା ଯେ ଯିଏ ତାଙ୍କୁ ଶୁଣୁଥିଲା ତାଙ୍କ ପ୍ରତି ଆକୃଷ୍ଟ ହେଉଥିଲା। ତାଙ୍କର ଲୋକପ୍ରିୟତା ଥିଲା ନଭଶ୍ଚୁମ୍ବୀ, ସେ ଥିଲେ ସାଧାରଣ ଜନତାଙ୍କ ପ୍ରିୟ “ନେତାଜୀ”।

ପରାଧୀନତାର ଶୃଙ୍ଖଳରେ ବନ୍ଦିନୀ ସାଜିଥିବା ଭାରତମାତାଙ୍କୁ ନେତାଜୀ ଏତେ ମାତ୍ରାରେ ଶ୍ରଦ୍ଧା କରୁଥିଲେ ଯେ ସେ ଶାନ୍ତିରେ ଗୋଟିଏ ମୁହୂର୍ତ୍ତ ସୁଦ୍ଧା ନିଃଶ୍ୱାସ ମାରିପାରୁନଥିଲେ। ତାଙ୍କର ଏହି ଦେଶପ୍ରୀତି ହିଁ ତାଙ୍କୁ ଏଭଳି ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲା। ଦେଶ ବାହାରେ ସୁଦ୍ଧା ଅସଂଖ୍ୟ ଜନତାଙ୍କ ମନରେ ତାଙ୍କ ନେତୃତ୍ୱ ଓ ବ୍ୟକ୍ତିତ୍ୱ ପ୍ରତି ବିପୁଳ ଶ୍ରଦ୍ଧା ସୃଷ୍ଟି ହୋଇଥିଲା। ଅନେକ ଗୁରୁତ୍ୱପୂର୍ଣ୍ଣ ଦେଶର ରାଷ୍ଟ୍ରମୁଖ୍ୟ ନେତାଜୀଙ୍କ ଆହ୍ୱାନକୁ ସମର୍ଥନ ଜଣାଇଥିଲେ ଏବଂ ସେ ଦେଶ ବାହାରେ ସ୍ୱାଧୀନତାର ଯେଉଁ ବହ୍ନି ପ୍ରଜ୍ବଳନ କରିଥିଲେ ସେଥିପାଇଁ ସହଯୋଗର ହାତ ବଢ଼ାଇଥିଲେ। ଏହି ସାହାଯ୍ୟ ଓ ସହଯୋଗକୁ ପାଥେୟ କରି ନେତାଜୀ ଗଢ଼ିଥିଲେ ଏକ ନୂତନ ବାହିନୀ ଏବଂ “ଆଜାଦ ହିନ୍ଦ୍‍ ଫଉଜ” ଭାବେ ଏହାକୁ ଦେଶର ଶତ୍ରୁ ବିରୋଧରେ ଦଣ୍ଡାୟମାନ କରିଥିଲେ। ଏହି ବାହିନୀକୁ ସେ ନିର୍ଦେଶ ଦେଇଥିଲେ- “ଦିଲ୍ଲୀ ଚଲୋ”। ନୂତନ ଉତ୍ସାହ ଓ ଉଦ୍ଦୀପନାର ସହିତ ଭାରତମାତାକୁ ସ୍ୱାଧୀନ କରିବା ନିମନ୍ତେ ଏହିଭଳି ଭାବେ ସେ ଆରମ୍ଭ କରିଥିଲେ ନିଜର ଅଭିଯାନ। ୬୦ ହଜାର ସେନା ବିଶିଷ୍ଟ ଆଜାଦ ହିନ୍ଦ୍‍ ଫଉଜର ପ୍ରାୟ ୨୬ ହଜାର ସୈନିକ ଏହି ସଂଗ୍ରାମରେ ପ୍ରାଣବଳି ଦେଇଥିଲେ। ସୁଭାଷ ଚନ୍ଦ୍ର ବୋଷଙ୍କ ତ୍ରିରଙ୍ଗାକୁ ଦେହରେ ବେଢ଼ାଇ ହୋଇ ଭାରତର ଏହି ଦୃପ୍ତ ସିଂହମାନେ ସୁଦୃଢ଼ ବ୍ରିଟିଶ୍‍ ସେନାଙ୍କ ସହ ସକଳ ସାମର୍ଥ୍ୟର ସହ ଲଢ଼ିଥିଲେ। ଦେଶର ହୃତ ଗୌରବକୁ ହାସଲ କରିବା ଥିଲା ଏହି ସଂଗ୍ରାମର ଉଦ୍ଦେଶ୍ୟ। ନେତାଜୀ ଓ ତାଙ୍କ ସେନାଙ୍କ ଏହି ରଣହୁଂକାର ବ୍ରିଟିଶ୍‍ ସରକାରଙ୍କ ହୃଦୟରେ କମ୍ପନ ସୃଷ୍ଟି କରିଥିଲା ଓ ଏହା ହିଁ ଇଂରେଜ ସରକାରଙ୍କୁ ଭାରତ ଛାଡ଼ିବା ପାଇଁ ବାଧ୍ୟ କରିଥିଲା।

“ସଫଳତା ସଦାବେଳେ ବିଫଳତାର ମୂଳଦୁଆ ଉପରେ ହିଁ ଦଣ୍ଡାୟମାନ ହୋଇଥାଏ”, ଏହା ଥିଲା ସୁଭାଷ ଚନ୍ଦ୍ର ବୋଷଙ୍କ ଚିନ୍ତନ, ଦର୍ଶନ ଓ ଆଦର୍ଶ ଏବଂ ଏହି ଚିନ୍ତାଧାରା ଅସଂଖ୍ୟ ଦେଶବାସୀଙ୍କୁ ଉଦ୍‍ବୁଦ୍ଧ କରିଥିଲା। ନେତାଜୀ ଜୀବନରେ ଅନେକ ବିଫଳତାର ସମ୍ମୁଖୀନ ହୋଇଥିଲେ; କିନ୍ତୁ ସେ ସେହିସବୁ ବିଫଳତାକୁ ତାଙ୍କର ସଂଗ୍ରାମ ଓ ବିଜୟ ଲକ୍ଷ୍ୟ ନିମନ୍ତେ ସାଧନ ରୂପେ ଉପଯୋଗ କରିପାରିଥିଲେ। ତାହା ମ୍ୟୁନିସିପାଲ ରାଜନୀତି ହୋଇଥାଉ କିମ୍ବା ଜଣେ ସାଧାରଣ କଂଗ୍ରେସ କର୍ମୀଠାରୁ ନେଇ ଜାତୀୟ କଂଗ୍ରେସର ସଭାପତି ପଦ ହାସଲ ହୋଇଥାଉ, ସେ ପ୍ରତ୍ୟେକଟି ପରୀକ୍ଷାରେ ନିଜର ସାମର୍ଥ୍ୟ ଓ ଦୃଢ଼ ମନୋବଳ ମାଧ୍ୟମରେ କୃତକାର୍ୟ୍ୟ ହୋଇଥିଲେ।

ସୁଭାଷ ଚନ୍ଦ୍ର ବୋଷ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱକୁ ଗ୍ରହଣ କରିଥିଲେ; କିନ୍ତୁ ବିଡ଼ମ୍ବନାର ବିଷୟ, ଗାନ୍ଧିଜୀ ହିଁ ନେତାଜୀଙ୍କ କଂଗ୍ରେସ ତ୍ୟାଗର କାରଣ ପାଲଟିଥିଲେ; କିନ୍ତୁ ଉଭୟ ନେତାଙ୍କର ପରସ୍ପର ପ୍ରତି ସମ୍ମାନବୋଧ ସଦାସର୍ବଦା ଅତୁଟ ରହିଥିଲା। ନେତାଜୀ କୌଣସି ପରିସ୍ଥିତିରେ ଗାନ୍ଧିଜୀଙ୍କ ସଂପର୍କରେ କିଛି ହେଲେ ପ୍ରତିକୂଳ ମନ୍ତବ୍ୟ ପୋଷଣ କରିନଥିଲେ। ନେତାଜୀ ଜାତୀୟ କଂଗ୍ରେସର ସଭାପତି ପଦକୁ ଦୁଇଦୁଇଥର ନିର୍ବାଚିତ ହୋଇଥିଲେ; କିନ୍ତୁ ପରିସ୍ଥିତି ଚକ୍ରରେ ପ୍ରଥମେ ତାଙ୍କୁ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ଏବଂ ପରେ କଂଗ୍ରେସ ସଂଗଠନରୁ ବାହାରି ଯାଇଥିଲେ। ଏହା ପରେ, ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏକ ନୂତନ ଅଧ୍ୟାୟ ଛାଡ଼ି ଯାଇଥିଲେ, ଯେଉଁଥିରେ ସଦାବେଳେ ପୃଷ୍ଠା ପରେ ପୃଷ୍ଠା ଯୋଡ଼ି ହୋଇଚାଲିଛି।

୧୯୩୯ ମସିହା ଓ ଏହା ପରେ, ଯେତେବେଳେ ଦେଶର ସ୍ୱାଧୀନତାକୁ ନେଇ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟିର ନେତୃବୃନ୍ଦ ସେମାନଙ୍କର ସ୍ଥିତି ନିର୍ଦ୍ଧାରଣ କରିବାରେ ବିଫଳ ହୋଇଥିଲେ, ସୁଭାଷଚନ୍ଦ୍ର ବୋଷ ସେତେବେଳେ ସ୍ୱାଧୀନତାର ସ୍ୱପ୍ନ ନେଇ ହିଟଲର, ମୁସୋଲିନି, ତାଜୋ ଏବଂ ଷ୍ଟାଲିନଙ୍କ ଭଳି ବିଶ୍ୱ ନେତୃବୃନ୍ଦଙ୍କ ସହ ବନ୍ଧୁତା ସ୍ଥାପନ କରିପାରିଥିଲେ। ସେତେବେଳେ ସେ କେବଳ “ଆଜାଦ ହିନ୍ଦ୍‍ ଫଉଜ” ଗଠନ କରିନଥିଲେ, ଅପରନ୍ତୁ ୧୯୪୩ ମସିହା ଅକ୍ଟୋବର ୨୪ରେ ସେ ଆଜାଦ ସରକାର ମଧ୍ୟ ଗଠନ କରିଥିଲେ। ଏହାକୁ ବିଶ୍ୱର ନଅଟି ରାଷ୍ଟ୍ର, ଜର୍ମାନୀ, ଇଟାଲି, ଜାପାନ, ଆୟାର୍ଲାଣ୍ଡ, ଚୀନ, କୋରିଆ ଏବଂ ଫିଲିପାଇନ୍ସ ମଧ୍ୟ ସ୍ୱୀକୃତି ପ୍ରଦାନ କରିଥିଲେ।
ଭାରତର ସ୍ୱାଧୀନତା ପ୍ରାପ୍ତି ବେଳେ, କ୍ଲେମେଣ୍ଟ ଅଟଲୀ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ ଥିଲେ। ୧୯୫୬ ମସିହାରେ ସେ କଲିକତାକୁ ଆସିଥିଲେ। ସେହି ସମୟରେ ରାଜ୍ୟପାଳ ଜଷ୍ଟିସ୍‍ ପି ବି ଚକ୍ରବର୍ତ୍ତୀଙ୍କ ଆତିଥ୍ୟ ଗ୍ରହଣ କରିବା ସମୟରେ ଜଷ୍ଟିସ୍‍ ଚକ୍ରବର୍ତ୍ତୀ ତାଙ୍କଠାରୁ ବ୍ରିଟିଶ୍‍ ସରକାର ଭାରତକୁ ଏତେ ଶୀଘ୍ର ସ୍ୱାଧୀନତା ପ୍ରଦାନର କାରଣ ଜାଣିବାକୁ ଚାହିଁଥିଲେ। ଉତ୍ତରରେ ଅଟଲୀ କହିଥିଲେ ଯେ ବ୍ରିଟିଶ୍‍ ସରକାରଙ୍କ ପ୍ରତି ଭାରତୀୟ ସେନା ଓ ନୌସେନାଙ୍କ ଆନୁଗତ୍ୟ ହ୍ରାସ ପାଇଥିଲା ଏବଂ ଏହାର କାରଣ ଥିଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଗଠିତ ଆଜାଦ ହିନ୍ଦ ଫୌଜଙ୍କ ସାମରିକ କାର୍ୟ୍ୟକଳାପ। ଏହା ହିଁ ବ୍ରିଟିଶ୍‍ ସରକାର ଭାରତ ଛାଡ଼ିବାର ଏକ ପ୍ରମୁଖ କାରଣ ଥିଲା। ଜଣେ ବ୍ରିଟିଶ୍‍ ପ୍ରଧାନମନ୍ତ୍ରୀଙ୍କ ଏଭଳି ସ୍ୱୀକାରୋକ୍ତି ପ୍ରମାଣିତ କରେ ଯେ ଭାରତର ସ୍ୱାଧୀନତାକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅବଦାନ କେତେ! ଆର ସି ମଜୁମଦାରଙ୍କ ଦ୍ୱାରା ଲିଖିତ ପୁସ୍ତକ “ଏ ହିଷ୍ଟ୍ରି ଅଫ୍‍ ବେଙ୍ଗଲ” ପାଇଁ ଜଣେ ପ୍ରକାଶକଙ୍କ ନିକଟକୁ ଜଷ୍ଟିସ୍‍ ଚକ୍ରବର୍ତ୍ତୀ ଲେଖିଥିବା ଏକ ପତ୍ରରେ ଏହି ବିଷୟ ଉଲ୍ଲେଖ ରହିଛି।

ମଧ୍ୟପ୍ରଦେଶର ଜବଲପୁରର ନେତାଜୀଙ୍କ ଜୀବନ ଉପରେ ଏକ ଗଭୀର ପ୍ରଭାବ ରହିଛି। ନର୍ମଦା ତଟ ତାଙ୍କ ଜୀବନରେ ଆମୂଳଚୂଳ ପରିବର୍ତ୍ତନ ଆଣିଥିଲା। ୧୯୩୯ ମସିହା ମାର୍ଚ୍ଚ ୪-୧୧ ତାରିଖ ପର୍ୟ୍ୟନ୍ତ ଜବଲପୁରଠାରେ ତ୍ରିପୁରୀ କଂଗ୍ରେସ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ନିଜର ଭଗ୍ନ ସ୍ୱାସ୍ଥ୍ୟ ସତ୍ତ୍ବେ ନେତାଜୀ ସେହି ଅଧିବେଶନରେ ଯୋଗଦେବା ନିମନ୍ତେ ଏକ ଷ୍ଟ୍ରେଚରରେ ବୁହାହୋଇ ପହଞ୍ଚିଥିଲେ। ଏହା ପରେ ସେ ୧୯୩୯ ମସିହା ଜୁଲାଇ ୪ରେ ପୁଣି ଥରେ ଜବଲପୁର ଆସିଥିଲେ ଫରୱାର୍ଡ଼ ବ୍ଲକ୍‍ ଗଠନ କରିବା ସକାଶେ ଯେଉଁଠାରେ ନେତାଜୀଙ୍କୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ତେଣୁ ମଧ୍ୟପ୍ରଦେଶର ଲୋକମାନଙ୍କର ନେତାଜୀଙ୍କ ସହିତ ଏକ ଗଭୀର ଭାବଗତ ସଂପର୍କ ରହିଛି। ରାଜ୍ୟର ପ୍ରତ୍ୟେକ ସହରରେ ତାଙ୍କ ନାମରେ ଗୋଟିଏ ଲେଖାଏଁ ୱାର୍ଡ଼ ରହିଛି। ସହଯୋଗ କ୍ରୀଡ଼ା ମଣ୍ଡଳ ପକ୍ଷରୁ ଜାତୀୟ କବାଡି ପ୍ରତିଯୋଗିତା ଓ ଅନ୍ୟାନ୍ୟ କ୍ରୀଡ଼ା ବିଗତ ୩୭ ବର୍ଷ ଧରି ନେତାଜୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ହୋଇ ଆସୁଛି ଯାହା ରାଜ୍ୟବାସୀଙ୍କ ମନରେ ତାଙ୍କ ପ୍ରତି ଥିବା ଶ୍ରଦ୍ଧାର ପ୍ରତୀକ ବୋଲି ପ୍ରମାଣିତ କରେ। ଏହା ଛଡ଼ା ସ୍ୱାଧୀନତା ସଂଗ୍ରାମ କାଳରେ ନେତାଜୀ ଜବଲପୁର ଓ ଶିୱନୀରେ ମଧ୍ୟ କିଛି କାଳ ପାଇଁ କାରାଦଣ୍ଡ ଭୋଗିଥିଲେ।

ସୁଭାଷ ଚନ୍ଦ୍ର ବୋଷଙ୍କର ଇଂରାଜୀ, ହିନ୍ଦୀ, ବଙ୍ଗଳା, ତାମିଲ, ତେଲୁଗୁ, ଗୁଜରାଟୀ ଓ ପୁସ୍ତୋ ଭାଷାରେ ବେଶ୍‍ ଦଖଲ ଥିଲା। ଆଜାଦ ହିନ୍ଦ୍‍ ଫୌଜରେ ସାମିଲ ସେନାଙ୍କ ସହିତ ସେ ଏହିସବୁ ଭାଷାରେ ଭାବ ବିନିମୟ କରୁଥିଲେ ଓ ଦେଶବାସୀଙ୍କୁ ବାର୍ତ୍ତାମାନ ଦେଉଥିଲେ। ନିଜର ସହଯୋଗୀଙ୍କ ପାଇଁ ନେତାଜୀଙ୍କ ବାର୍ତ୍ତା ଥିଲା: “ସଫଳତା ସୁଦୂର ହୋଇପାରେ, କିନ୍ତୁ ତାହାର ପ୍ରାପ୍ତି ଜରୁରୀ।” ସୁଭାଷ ଚନ୍ଦ୍ର ବୋଷ କହିଥିଲେ, “ଯଦି ଜଣେ ମଣିଷର ମନରେ ପ୍ରଗାଢ଼ ଅନୁରକ୍ତି ନଥାଏ ତେବେ ସେ କେବେ ଜୀବନରେ ମହାନ ହୋଇପାରିବ ନାହିଁ। କିନ୍ତୁ ସେଥିପାଇଁ ତା’ନିକଟରେ ଅନ୍ୟ କିଛି ଉପାଦାନ ମଧ୍ୟ ଥିବା ଆବଶ୍ୟକ।” ଭାରତରେ ନେତାଜୀଙ୍କୁ ୧୧ ଥର କାରାବରଣ କରିବାକୁ ପଡ଼ିଥିଲା; କିନ୍ତୁ ସେ ତାଙ୍କର ଏହି ଜେଲ ଅବରୋଧରୁ ମୁକୁଳିବା ସକାଶେ ତାଙ୍କର ବୁଦ୍ଧିମତ୍ତାର ପ୍ରଦର୍ଶନ କରିଥିଲେ। ଦେଶ ମାତୃକାକୁ ମୁକ୍ତ କରିବାର ପ୍ରଗାଢ଼ ଇଚ୍ଛାଶକ୍ତିକୁ ସାକାର କରିବା ନିମନ୍ତେ ସେ ବିଶ୍ୱର ମହାନ ନେତୃବର୍ଗଙ୍କୁ ସାକ୍ଷାତ କରିବା ସହ ସେମାନଙ୍କ ସହ ସଂପର୍କ ସ୍ଥାପନ କରିଥିଲେ। ଭାରତୀୟ ନେତୃତ୍ୱକୁ ବିଶ୍ୱ ପରିଚୟ ପ୍ରଦାନ କରିବାର ଶ୍ରେୟ ସୁଭାଷ ଚନ୍ଦ୍ର ବୋଷଙ୍କ ହିଁ ପ୍ରାପ୍ୟ। ଇତି ପୂର୍ବରୁ, ସ୍ୱାମୀ ବିବେକାନନ୍ଦ ସମଗ୍ର ବିଶ୍ୱକୁ ଭାରତୀୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହାନତା ଓ ପରିଚୟରେ ଉଦ୍‌ବୁଦ୍ଧ କରିଥିଲେ। ସେଇଥିପାଇଁ ସ୍ୱାମୀଜୀଙ୍କ ପ୍ରଭାବ ନେତାଜୀଙ୍କ ଉପରେ ପଡ଼ିଥିବା ଦେଖିବାକୁ ମିଳିଥାଏ। ସୁଭାଷ ଚନ୍ଦ୍ର ବୋଷ ଜୀବନରେ କଦାପି ଗୀତା ଅଧ୍ୟୟନକୁ ପରିତ୍ୟାଗ କରିନଥିଲେ।

ସୁଭାଷ ଚନ୍ଦ୍ର ବୋଷଙ୍କ ସଂଗ୍ରାମ କେବଳ ଭାରତର ସ୍ୱାଧୀନତା ଆନ୍ଦୋଳନକୁ ପ୍ରେରଣା ଯୋଗାଇ ନଥିଲା ଅପରନ୍ତୁ ତୃତୀୟ ବିଶ୍ୱର ଅନେକ ରାଷ୍ଟ୍ରଙ୍କୁ ଏଭଳି ଚିନ୍ତାଧାରାରେ ଉଦ୍‍ବୁଦ୍ଧ କରିଥିଲା। ଏହାର ପରିଣାମ ସ୍ୱରୂପ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତ ହେବାର ପରବର୍ତ୍ତୀ ୧୫ ବର୍ଷ ମଧ୍ୟରେ ତିନି ଡଜନ ଏସୀୟ ରାଷ୍ଟ୍ରରେ ସ୍ୱାଧୀନତାର ଜାତୀୟ ସଙ୍ଗୀତର ସ୍ୱର ଶୁଣିବାକୁ ମିିଳିଥିଲା। ସୁଭାଷ ଚନ୍ଦ୍ର ବୋଷ ଯେଉଁ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଏବଂ ମୁକ୍ତି ଯୁଦ୍ଧର ନେତୃତ୍ୱ ନେଇଥିଲେ ତାହାର ବ୍ୟାପକ ପ୍ରଭାବ ସେହିସବୁ ରାଷ୍ଟ୍ରଙ୍କ ଉପରେ ପଡ଼ିଥିଲା। ନେତାଜୀଙ୍କ ପ୍ରତିମୂର୍ତ୍ତି ତାଙ୍କୁ ବିଶ୍ୱବ୍ୟାପୀ “ସ୍ୱାଧୀନତା ସଂଗ୍ରାମର ବୀର ପୁରୁଷ” ଭାବେ ସୁପ୍ରତିଷ୍ଠିତ କରିଛି।

Comments are closed.