ବିପତ୍ତି ଓ ମନୋବଳ

- ଦେବୀଲାଲ ମିଶ୍ର

ଏ ଆଲେଖ୍ୟ ଏକ ସତ କାହାଣୀରୁ ଆରମ୍ଭ ହେଉ। ଅନେକ ଦିନ ତଳେ ହ​‌େ​‌ଙ୍ଗରୀ ଦେଶରେ କାରୋଲୀ ଟକାଜ୍‌ ନାମକ ଜଣେ ବନ୍ଧୁକ ଚାଳକ ବେଶ୍‌ ଲୋକପ୍ରିୟ ଥିଲେ। ହଙ୍ଗେରୀର ପ୍ରାୟ ସମସ୍ତ ବନ୍ଧୁକଚାଳନା ପ୍ରତିଯୋଗିତାକୁ ସେ ଜିତିନେଇଥିଲେ। ସମସ୍ତଙ୍କର ବିଶ୍ବାସ ଥିଲା ଯେ କାରୋଲୀ ନିଶ୍ଚିତଭାବେ ଆଗାମୀ ଅଲିମ୍ପିକ୍ସରେ ଦେଶପାଇଁ ସ୍ବର୍ଣ୍ଣପଦକ ଜିତିବେ। କାରୋଲୀ ମଧ୍ୟ ପ୍ରଚଣ୍ଡ ଅଭ୍ୟାସ ଜାରି ରଖିଥିଲେ। ଦେଶବାସୀ ତାଙ୍କ ଉପରେ ରଖିଥିବା ଆସ୍ଥାକୁ ସେ କୌଣସି ପରିସ୍ଥିତିରେ ବି ହରେଇବାକୁ ଚାହୁଁନଥିଲେ। କାରୋଲୀ ହଙ୍ଗେରୀର ସେନାବାହିନୀରେ କାର୍ଯ୍ୟ କରୁଥିଲେ। ଜଣେ ସୈନିକ ହୋଇଥିବାରୁ ତାଙ୍କୁ ସେନା ତରଫରୁ ବିଭିନ୍ନ ସମୟରେ ପ୍ରଶିକ୍ଷଣ ନେବାକୁ ପଡ଼ୁଥିଲା। ଏମିତି ଏକ ପ୍ରଶିକ୍ଷଣ ଶିବିରରେ ଏକ ହାତବୋମା ଫୁଟାଇବାର କୌଶଳ ଶିଖିଲାବେଳେ ବୋମାଟି ତାଙ୍କ ଡାହାଣ ହାତରେ ଫୁଟିଯାଇଥିଲା। ତୁରନ୍ତ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା; କିନ୍ତୁ କାରୋଲୀଙ୍କୁ ସେ ହାତଟି ହରାଇବାକୁ ପଡ଼ିଥିଲା। ଡାକ୍ତରଖାନାରୁ ଫେରିବା ପରେ କାରୋଲୀ ବିଷାଦଗ୍ରସ୍ତ ହୋଇପଡ଼ିଲେ। ତାଙ୍କୁ ଚାରିଆଡ଼େ ଅନ୍ଧକାର ଦେଖାଗଲା। ସେ ଦିନରାତି କାନ୍ଦିବାକୁ ଲାଗିଲେ। ଯେଉଁ ହାତ ଉପରେ ସାରା ଦେଶବାସୀ ଅଲିମ୍ପିକ ପଦକର ଭରସା ରଖିଥିଲେ, ସେ ହାତ ଆଉ ତାଙ୍କ ପାଖରେ ନଥିଲା। ଏମିତି ସମୟରେ କା‌ରୋଲୀଙ୍କ ମନରେ ଏକ ବିଚାର ଆସିଲା। ଯାହା ତାଙ୍କ ପାଖରେ ନାହିଁ ତାହାକୁ ନେଇ ସେ କାନ୍ଦିବା ବଦଳରେ ଯାହା ତାଙ୍କ ପାଖରେ ଅଛି ସେଥିରୁ ନୂଆ ସମ୍ଭାବନାର ସନ୍ଧାନ କରିବାପାଇଁ ସେ ମନ ବଳାଇଲେ।

ନିଜ ବାମହାତରେ ଯେଉଁ ହାତରେ ସେ ଗୋଟିଏ ଅକ୍ଷର ଲେଖିବାକୁ ବି ଅସମର୍ଥ ଥିଲେ, ସେ ଅଭ୍ୟାସ ଆରମ୍ଭ କଲେ। ଲକ୍ଷ୍ୟଥିଲା ୧୯୪୦ ମସିହାରେ ହେବାକୁ ଥିବା ଅଲିମ୍ପିକ। ଦୁର୍ଭାଗ୍ୟବଶତଃ ୧୯୩୯ରେ ଦ୍ବିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହେବା ସହିତ ୧୯୪୦ ଓ ୧୯୪୪ର ଅଲିମ୍ପିକ ବାତିଲ ହୋଇଯାଇଥିଲା; କିନ୍ତୁ ଏହା କାରୋଲୀଙ୍କ ମନୋବଳକୁ ଲେଶମାତ୍ର ପ୍ରଭାବିତ କରିପାରିନଥିଲା। ଅଦମ୍ୟ ଇଚ୍ଛାଶକ୍ତି ଓ ଧୈର୍ଯ୍ୟର ସହ ସେ ଅଭ୍ୟାସ ଜାରି ରଖିଲେ ଏବଂ ୧୯୪୮ ମସିହା ଅଲିମ୍ପିକରେ ସେ ସ୍ବର୍ଣ୍ଣପଦକ ଜିତିପାରିଲେ। ତାଙ୍କର ମନୋବଳ ଏତେ ପ୍ରଚଣ୍ଡ ଥିଲା ଯେ ସେ ପରବର୍ତ୍ତୀ ୧୯୫୨ ଅଲିମ୍ପିକରେ ମଧ୍ୟ ଆଉ ଏକ ସ୍ବର୍ଣ୍ଣପଦକ ଜିଣି ଇତିହାସ ରଚିଲେ। ମଣିଷର ମନୋବଳ ଆଗରେ ବିପତ୍ତି ମଧ୍ୟ ହାର୍‌ ମାନେ। ସେଥିପାଇଁ ତ ସ୍ବାମୀ ବିବେକାନନ୍ଦ କହିଥ​‌ିଲେ ଯେ ଆତ୍ମବଳ ହିଁ ସଫଳତାର ପ୍ରକୃତ ଉତ୍ସ। ଯିଏ ନିଜ ମନକୁ ଜୟ କରିପାରିଲା ତା’ପାଇଁ କିଛି ବି ଅସାଧ୍ୟ ନୁହେଁ।
ବର୍ତ୍ତମାନ କରୋନା ମହାମାରୀ ସମୟରେ ଚାରିପଟୁ ନକାରାତ୍ମକ ଖବରର ସୁଅ ଛୁଟୁଛି। ପ୍ରତିଦିନ କେହି ନା କେହି ଚିହ୍ନା-ଅଚିହ୍ନା ମୁହଁ ବିଦାୟ ନେବାରେ ଲାଗିଛନ୍ତି। ତେବେ ଏଭଳି ପରିସ୍ଥିତିରେ ଆମକୁ ସତର୍କ ଓ ସଚେତନ ରହିବା ସହିତ ନିଜ ମନୋବଳକୁ ମଧ୍ୟ ଦୃଢ଼ କରିବାକୁ ହେବ। ସେଥିପାଇଁ ଆମକୁ ନିଜ ଭିତରେ ଏକ ସକାରାତ୍ମକ ଭାବନା ସୃଷ୍ଟି କରିବାକୁ ପଡ଼ିବ। ସକାରାତ୍ମକ ଚିନ୍ତା, ଆଶା ଓ ବିଶ୍ବାସ ମାଧ୍ୟମରେ ଏହା ସମ୍ଭବ। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀ ଏକଦା କହିଥିଲେ ଯେ ମଣିଷ ଉପରେ ତା’ର ମନର ଗଭୀର ଆଧିପତ୍ୟ ରହିଛି। ଛୋଟ ମନନେଇ କେହି କେବେ ବଡ଼ ହୋଇପାରେନା କିମ୍ବା ଭଙ୍ଗା ମନ ନେଇ କେହି କେବେ ଛିଡ଼ା ହୋଇପାରେନା। ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତି ମଣିଷର ପ୍ରକୃତ ସାମର୍ଥ୍ୟର ସନ୍ଧାନ ନିମନ୍ତେ ଏକ ସୁଯୋଗ ସୃଷ୍ଟିକରେ।

ଗୋଟିଏ ସ୍ବପ୍ନ ଭାଙ୍ଗିଲେ ଆଉ ଏକ ସ୍ବପ୍ନ ଦେଖିବାର ସାହସ ଆମ ଭିତରେ ରହିବା ଆବଶ୍ୟକ। ଆମର ମନେ ରଖିବା ଦରକାର ଯେ ବିଶ୍ବାସ ହିଁ ଶକ୍ତି। ଶେଷ ନିଃଶ୍ବାସ ଥିବାଯାଏ ମଣିଷ ତାହାର ବିଶ୍ବାସ ହରାଇବା ଅନୁଚିତ। ବିଭିନ୍ନ ମନସ୍ତାତ୍ତ୍ବିକ ଅଧ୍ୟୟନରୁ ଜଣାଯାଏ ଯେ ଆମ ମନରେ ଭୟ ଓ ଆଶଙ୍କାର ବାତାବରଣ ଲାଗିରହିଲେ ତାହା ବଡ଼ ସମସ୍ୟା ସୃଷ୍ଟି କରେ। ଏହା ଆମର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ହ୍ରାସ କରିଥାଏ। ଏମିତି ସ୍ଥିତି ରହିଲେ ବଞ୍ଚିବାର ଇଚ୍ଛା କମିଯାଏ ଓ ବିଭିନ୍ନ ନକାରାତ୍ମକ ଚିନ୍ତା ଆମକୁ କବଳିତ କରେ। ଏକ ସୁସ୍ଥ ଓ ସୁନ୍ଦର ଜୀବନ ପାଇଁ ଆମକୁ ସବୁ ପ୍ରକାରର ଭୟରୁ ନିଜକୁ ମୁକ୍ତ ରଖିବାକୁ ପଡ଼ିବ। କାରଣ ଭୟ ଯେଉଁଠି, ବିଲୟ ସେଇଠି। ଆମର ମନୋସ୍ଥିତି ଆମର ପରିସ୍ଥିତିକୁ ପ୍ରଭାବିତ କରେ। ପରିସ୍ଥିତି ଉପରେ ଆମର ନିୟନ୍ତ୍ରଣ ନ ଥାଇପାରେ; କିନ୍ତୁ ଆମେ ଚେଷ୍ଟା କଲେ ମନୋବଳ ଦ୍ବାରା ଆମର ମନୋସ୍ଥିତିକୁ ନିୟନ୍ତ୍ରଣାଧୀନ କରିପାରିବା। ନିଜର ମନୋବଳକୁ ଦୃଢ଼ କରିବାକୁ ହେଲେ ତିନିଗୋଟି ଜିନିଷ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ। ସେଗୁଡ଼ିକ ହେଲା: ନିଜ ଉପରେ ବିଶ୍ବାସ, ସକାରାତ୍ମକ ଆଭିମୁଖ୍ୟ ଓ ନିଜକୁ ଭଲ ପାଇବାର ମାନସିକତା। ଆମ ମନର ଦୁଇଗୋଟି ଦିଗ ରହିଛି- ସକାରାତ୍ମକ ଓ ନକାରାତ୍ମକ। ଆମେ ସବୁବେଳେ ସକାରାତ୍ମକ ଦିଗ ଉପରେ ଗୁରୁତ୍ବ ଦେବାଉଚିତ। ମନ ସକାରାତ୍ମକ ହେଲେ ସବୁ ପରିସ୍ଥିତିରେ ଏକ ସକାରାତ୍ମକ କାରଣ ବାହାରିପାରେ, ଯାହା ପରିଶେଷରେ ଏକ ନୂତନ ସମ୍ଭାବନାକୁ ଜନ୍ମ ଦିଏ। ସକାରାତ୍ମକ ଆସ୍ଥା ଓ ଉଦ୍ୟମ ଆମ ଭିତରେ ଏକ ସକାରାତ୍ମକ ଶକ୍ତିର ସଂଚାର କରେ। ଏହା ମଧ୍ୟ ଆମର ସକାରାତ୍ମକ ସତ୍ତାକୁ କ୍ରିୟାଶୀଳ କରେ।

ଏଭଳି ମହାମାରୀ ସମୟରେ ଆମେ ନୂତନ ସମ୍ଭାବନାର ସନ୍ଧାନ କରିବା ଦରକାର। ପ୍ରତିଦିନ ସକାରାତ୍ମକ ସୂଚନା, ଘଟଣା, ଭାବନା ଓ ଚେତନାକୁ ଆବିଷ୍କାର କରିବା ଆବଶ୍ୟକ। ପ୍ରଖ୍ୟାତ ଯୋଗୀ ଶ୍ରୀଅରବିନ୍ଦ କହିଥିଲେ ଯେ ପ୍ରକୃତ ବ୍ୟାଧି ମଣିଷର ମନରେ ଥାଏ। ଯଦି ମନ ବ୍ୟାଧିମୁକ୍ତ, ତେବେ ଶରୀର ମଧ୍ୟ ବ୍ୟାଧିମୁକ୍ତ ପାଲଟେ। ମନର ଶକ୍ତି ଅସୀମ; ମନୋବଳର ସାମର୍ଥ୍ୟ ଅପରିକଳ୍ପନୀୟ। ଆମ ଭିତରେ ଯଦି ଉପଯୁକ୍ତ ମନୋବଳର ଉଦୟ ହୋଇପାରିଲା, ତେବେ ପ୍ର​‌େ​‌ତ୍ୟକ ବିପତ୍ତିରେ ମଧ୍ୟ ଆମେ ଏକ ସକାରାତ୍ମକ ଅନୁଭୂତି ସହ ଆଗକୁ ବଢ଼ିପାରିବା। ଭୟ, ଆଶଙ୍କା, ଅଜ୍ଞତା ଓ ସକଳ ଦୁର୍ବଳତାର ଊର୍ଦ୍ଧ୍ବକୁ ଉଠି ଉଦ୍ୟମ, ଆସ୍ଥା ଓ ଧୈର୍ଯ୍ୟ ସହ ପ୍ରତ୍ୟେକ ପରିସ୍ଥିତିର ସମ୍ମୁଖୀନ ହୋଇପାରିଲେ ଆମର ଲକ୍ଷ୍ୟ ଆହୁରି ଉଳ ହୋଇଉଠିବ ଏବଂ ଆମର ବ୍ୟକ୍ତିତ୍ବ ଆହୁରି ସୁନ୍ଦର ଓ ବିକଶିତ ହୋଇପାରିବ। ଗୀତାରେ ଯେମିତି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସମସ୍ତ ପ୍ରକାରର ଦୁର୍ବଳତାକୁ ତ୍ୟାଗ କରି ପରମ ତପସ୍ବୀ ଭଳି ଜାଗିଉଠିବାକୁ ଆହ୍ବାନ କରିଥିଲେ, ଆମକୁ ମଧ୍ୟ ଆମର ହୃଦୟ-ଦୁର୍ବଳତାରୁ ମୁକ୍ତ ହୋଇ ମନୋବଳକୁ ଆମ ଲକ୍ଷ୍ୟର ମାଧ୍ୟମ କରିବା ଆବଶ୍ୟକ।

Comments are closed.