ଛୋଟଛୋଟ କାମ

- ରାଧାମୋହନ

ପ୍ରଥମ କାମଟି ଏଇଭଳି ଥିଲା। କଟକଠୁ ବଡ଼ମ୍ବା ସାତ କି.ମି. ଥିବ ଗୋପାଳପୁର ଛକ। ମହାନଦୀ ଆଡ଼କୁ ସେଇଠୁ ଗଲେ ପ୍ରାୟ ଅଢ଼େଇ କି.ମି. ଦୂରରେ ଗୋବର୍ଦ୍ଧନପୁର ଗାଁ, ମହାନଦୀ କୂଳରେ। ଅତି ଛୋଟ ବା ଅତି ବଡ଼ ଗାଁ ନୁହେଁ, ପ୍ରାୟ ସମସ୍ତେ ଚାଷ ଉପରେ ନିର୍ଭର କରନ୍ତି। ୨୦୦୩-୦୪ ମସିହାରେ ଗୋଟାଏ ବଡ଼ ଧରଣର ବନ୍ୟା ହେଲା ମହାନଦୀରେ। ଠିକ୍‌ ଗାଁ ପାଖରେ ନଦୀଟି ବନ୍ଧ ଭାଙ୍ଗିଲା ଓ ଚାହୁଁଚାହୁଁ ଗାଁ ଭିତରେ ପାଣି ପଶିବାକୁ ଲାଗିଲା। ପ୍ରାଣ ବିକଳରେ ଲୋକମାନେ ଗାଁ ଛାଡ଼ି ପାଖରେ ଥିବା ଗୋଟିଏ ଛୋଟ ପାହାଡ଼ ଉପରେ ଆଶ୍ରୟ ନେଲେ।

ସେ ଅଞ୍ଚଳରେ ‘କାର୍‌’ ନାମରେ ଏକ ସଂସ୍ଥା କାର୍ଯ୍ୟ କରୁଥାଏ କିଛି ବର୍ଷ ଧରି। ତା’ର ମୁଖ୍ୟ ଦାଶରଥି ସେନାପତି ବାତ୍ୟାର ପାଞ୍ଚ’ ଛ’ ଦିନ ପରେ ପହଞ୍ଚିଲେ ଲୋକମାନଙ୍କ ପାଇଁ କିଛି ପଲିଥିନ୍‌ ଓ ରନ୍ଧାଖାଦ୍ୟ ଯୋଗାଡ଼ କରିବାକୁ ପଇସାର ବ୍ୟବସ୍ଥା କରିବାକୁ। ଏବେ ମଧ୍ୟ କ’ଣ ପଲିଥିନ ଓ ରନ୍ଧାଖାଦ୍ୟ ଆବଶ୍ୟକ କି ନା ଲୋକମାନଙ୍କର ଆଉ କିଛି ଦରକାର, କିନ୍ତୁ ଆମର ଧାରଣା ଯେ ସେମାନେ ପଲିଥିନ ଓ ରନ୍ଧାଖାଦ୍ୟ ଆବଶ୍ୟକ କରୁଛନ୍ତି, ପଚାରିଲି। ସେ ବନ୍ୟା ପରେପରେ ଯାଇଛନ୍ତି ଓ ସେତେବେଳେ ଯାହା ଆବଶ୍ୟକ ଥିଲା ସେଇ କଥା କହୁଛନ୍ତି ବୋଲି କହିଲେ; କିନ୍ତୁ ଟଙ୍କାପଇସା ଯୋଗାଡ଼ କରିବାରେ ଏବେ ଚାରି ପାଞ୍ଚ ଦିନ ଚାଲିଗଲାଣି। ଶେଷରେ ମୋ ପାଖକୁ ଆସିଛନ୍ତି ବୋଲି କହିଲେ। ଗୋଟେ କାମ କରିବା, ଆଗ ଗାଁକୁ ଯିବା, ଲୋକଙ୍କ ସହ ଆଲୋଚନା କରିବା, ବର୍ତ୍ତମାନ ଯାହା ଦରକାର ବୁଝି ଟଙ୍କାପଇସା ଯୋଗାଡ଼ କରିବା। ଗାଁକୁ ଯାଇ ଦେଖିଲୁ ସରକାରଙ୍କ ତରଫରୁ ପଲିଥିନ ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି, ଲୋକମାନେ ପାହାଡ଼ରୁ ଆସି ଘର ସଜାଡ଼ି ରହିବା ଆରମ୍ଭ କରିଛନ୍ତି ଓ ରୋଷେଇବାସ କରୁଛନ୍ତି। ଏକାଠି ବସି ଆଲୋଚନା କରିବା ପରେ ଲୋକମାନେ କହିଲେ ପ୍ରାୟ ଚାଳିଶରୁ ପଚାଶ ଏକର ଜମି ବାଲୁଚର ହୋଇଯାଇଛି, ସେଇଠୁ ବାଲି ବାହାର କରିବା ଜରୁରୀ ଦରକାର, ତେବେ ସେମାନେ ଆସନ୍ତା ରବିଋତୁରେ ବାଦାମ ଓ ପରିବା ଇତ୍ୟାଦି ଚାଷ କରିପାରିବେ।

ଆଉ ଗୋଟେ କଥା, ବାଦାମ ବିହନ ସବୁ ବଢ଼ିପାଣିରେ ନଷ୍ଟ ହୋଇଯାଇଛି, ତେଣୁ କିଛି ବିହନ ଯୋଗାଡ଼ କରିବାକୁ ହେବ। ଠିକ୍‌ ଅଛି, ଯଦି ବାଲି ଆମେ ଟ୍ରାକ୍ଟର ଇତ୍ୟାଦି ଯନ୍ତ୍ରପାତି ବ୍ୟବହାର କରି ବାହାର କରିବା କେତେ ପଇସା ଲାଗିବ ଓ ବିହନ ପାଇଁ କେତେ ଖର୍ଚ୍ଚ ହେବ। ଅନେକ ଘାଣ୍ଟଚକଟ ପରେ ଠିକ୍‌ ହେଲା ଆମେ ସମସ୍ତେ ଲାଗିବୁ। ଦେଢ଼ଲକ୍ଷ ଖର୍ଚ୍ଚହେଲେ ସବୁ ଖର୍ଚ୍ଚ ମେଣ୍ଟିଯିବ। ଆମେ କେତେ ଆଦାୟ କରିପାରିବା ପଚାରିବାରେ, ଗୋଟେ ବର୍ଷରେ ଅଧିକ ଆଦାୟ ହେବ। ଧରାଯାଉ, ଆମେ ଦେଢ଼ଲକ୍ଷ ଯୋଗାଡ଼ କରିବା, ଆଉ ଯଦି ଏତେ ଅଧିକ ଆଦାୟ ହେବ, ଦି’ବର୍ଷରେ ଶୁଝି ଦେଇପାରିବା? ଆଶ୍ଚର୍ଯ୍ୟ ହେଲି- ଏକ ସ୍ବରରେ ହଁ କଲେ।

ହାଇଦରାବାଦର ଜଣେ ବନ୍ଧୁଙ୍କ ସହ କଥା ହେବାରେ ସେ ସାଙ୍ଗେସାଙ୍ଗେ ଟଙ୍କା ପଠାଇଦେଲେ ଓ ଖୁବ୍‌ ଉତ୍ସାହର ସହ ଲୋକମାନେ କାମରେ ଲାଗିଗଲେ। ପ୍ରଚୁର ବାଦାମ ଓ ପରିବା ଇତ୍ୟାଦି ପାଇଲେ। ଦି’ବର୍ଷ ପୂର୍ବରୁ ସେ ଟଙ୍କା ଶୁଝି ଦେଲେ। ମୁଁ ଯେତିକି ଖୁସି ହେଲି ତା’ଠୁ ବେଶୀ ଆଶ୍ଚର୍ଯ୍ୟ ହେଲି ମଧ୍ୟ; ସଂସ୍ଥାର ମୁଖ୍ୟ ଦାଶରଥି ମଧ୍ୟ ଆଶ୍ଚର୍ଯ୍ୟ ହେଲେ। ଇଏତ ବଉଳା ଗାଈ ତା’ କଥା ରଖିବା କଥା ଭଳି ହେଲା। ବଡ଼ମ୍ବା ଗଡ଼ଜାତର ଲୋକ ହେଲେ ମଧ୍ୟ କଟକ ଜିଲାର ଓ କଟକ ଧାସ ଲାଗିବା କଥା। ବନ୍ୟା ପାଇଁ ସାହାଯ୍ୟ ଓ ସେ ପୁଣି ପଇସା ଫେରାଇବାକୁ ହେବ? ଇଏ କି କଥା? ଆମେ ତ ଅନେକ ଦିନଠୁ ଲୋକଙ୍କୁ ଭିକାରି କରିଦେଇ ସାରିଲୁଣି। ସେଭଳି ଭାବନା ସ୍ବାଭାବିକ ହୋଇଗଲାଣି। ବନ୍ୟାର ଦୁର୍ଗତି ଅପେକ୍ଷା ଇଏ ମାନସିକ ଓ ନୈତିକ ଦୁର୍ଗତି, କିଏ ଅଧିକ କ୍ଷତିକାରକ?

ବର୍ଷକ ପରେ ସେ ଗାଁକୁ ଯାଇ ଦେଖିଲି ଲୋକଙ୍କର ଉତ୍ସାହ ଓ ଆଉ କିଛି କରିବାର ଇଚ୍ଛା। ପାଖ ଛୋଟ ପାହାଡ଼ ଓ ଦି’ପାଖ ଜମିର ବଳକା ପାଣି ଯାଇ ଗୋଟାଏ ନାଳ ହୋଇଛି ଓ ମହାନଦୀରେ ମିଶିଛି। ସେ ନାଳ ପାଖକୁ ଲୋକମାନେ ଡାକିନେଲେ ଓ ଗୋଟାଏ ବନ୍ଧ ତିଆରି କଲେ ସେଇ ପାଣିରେ ଶୀତଦିନିଆ ପନିପରିବା ଚାଷ ହୋଇପାରିବ ଓ ଦି’ପଇସା ପାଇବେ ବୋଲି କହିଲେ। ଆମେ ଆଗ ଭଳି ଏଥର ମଧ୍ୟ କରିବା, ଯଦି ଏତେ ପଇସା ପାଇବା, ତେବେ ସେ ପଇସା ମଧ୍ୟ ଫେରେଇ ଦେବା। ଏଥିରେ ଖୁସିରେ ରାଜି ହୋଇଗଲେ। ଅଶୀ ହଜାର ଟଙ୍କାର ବନ୍ଦୋବସ୍ତ କରାଗଲା। ବନ୍ଧ ହୋଇଗଲା ତାକୁ ମଧ୍ୟ ବର୍ଷରେ ଶୁଝିଲେ। ପରିବା ଚାଷ ବାଦ୍‌ ମାଛ ଚାଷରୁ ମଧ୍ୟ ସେଇ ବନ୍ଧରୁ ବେଶ୍‌ ଭଲ ପଇସା ପାଇପାରୁଛନ୍ତି। ଏବେ ଶୁଣିଲି, ସରକାର ବନ୍ଧର ସଫଳତା ଦେଖି ସେଗୁଡ଼ିକୁ ଢେର୍‌ ଉନ୍ନତ କରୁଛନ୍ତି। ସାହାଯ୍ୟ ଓ ବିକାଶର ଏ ବିଚାର ବା ନମୁନାଟିର ସାହାଯ୍ୟକାରୀ ସଂସ୍ଥା ଓ ସରକାର ଅନୁକରଣ ବା ସ୍ଥଳବିଶେଷରେ ପରିବର୍ତ୍ତନ କରି ରାଜ୍ୟର ବିଭିନ୍ନ ଅଞ୍ଚଳରେ କରିବାପାଇଁ ବିଚାର କରିପାରନ୍ତି।

ଦ୍ବିତୀୟ କାମଟି ଏହିପରି ଥିଲା: ବାଲେଶ୍ବର ଜିଲାର ସୋର ସହରର ସ୍ବର୍ଗତ ଶିକ୍ଷାପ୍ରେମୀ ଉପେନ୍ଦ୍ରବାବୁଙ୍କ ସମ୍ମାନାର୍ଥେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ସେଥିରେ ଫକୀର ମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. କୁମରବର ଦାସଙ୍କ ସହ ଯୋଗ ଦେଇଥିଲି। ସଭା ପରଦିନ ସକାଳେ ଜାତୀୟ ରାଜପଥଠାରୁ ମାତ୍ର ଅଢ଼େଇ କି.ମି ଦୂରରେ ଥିବା ସୋର ନିକଟସ୍ଥ କେଦାରପୁର ଯିବା ପାଇଁ ସଭାର ଅନ୍ୟତମ ଉଦ୍ୟୋକ୍ତା ତରୁଣ ଉତ୍ସାହୀ ପୂର୍ବାଶାଙ୍କ ଅନୁରୋଧରେ ଗଲୁ। ଜନ୍ମଜାଗାକୁ ଦେଖି ଖୁସି ହେଲି; କିନ୍ତୁ ତାଙ୍କର ସ୍ମୃତିରକ୍ଷା ପାଇଁ ଯେଉଁ ମୂର୍ତ୍ତିଟି କରାଯାଇ ଯେଭଳି ଭାବେ ରଖାଯାଇଛି ଦେଖି ଆମର ମାନସିକ ଦାରିଦ୍ର୍ୟ କଥା ଭାବି ଅତ୍ୟନ୍ତ ଦୁଃଖିତ ହେଲି। ଆମେ ଏଭଳି କ୍ଷେତ୍ରରେ କାହିଁ ଏତେ ମାନସିକ ଦାରିଦ୍ର୍ୟ ଦେଖାଉ ପ୍ରକୃତରେ ବୁଝିହୁଏନି।

ମନର ସମସ୍ତ ବିଷାଦ, ଆମର ଅପାରଗତାକୁ ନେଇ ଯାହା କିଛି ଗ୍ଳାନିବୋଧ ଥିଲା ସେ ଚାଲିଗଲା ସେଇ କେଦାରପୁର ଗାଁର ରମେଶ ଲେଙ୍କା ନାମକ ଜଣେ ତରୁଣଙ୍କ ସହ ସାକ୍ଷାତ ଓ ତାଙ୍କର କାର୍ଯ୍ୟାବଳୀ ଶୁଣି। ରମେଶଙ୍କର ବାପା ବୃକ୍‌କ ରୋଗରେ ଆକ୍ରାନ୍ତ ଥିଲେ ଓ ତାଙ୍କର ଚିକିତ୍ସା ବାବଦରେ ସବୁ ଖର୍ଚ୍ଚ ସେ ବହନ କରୁଥିଲେ। ବାପାଙ୍କ ଦେହାନ୍ତ ପରେ ସେ ବାବଦ ଖର୍ଚ୍ଚ ବନ୍ଦ ହୋଇଗଲା। ଆଉ ସେ ପଇସାକୁ ସେ ଗଛ ଲଗେଇବାରେ ଖର୍ଚ୍ଚ କଲେ। ପ୍ରଥମେ ରାସ୍ତାକଡ଼ରେ ଆମ୍ବ, ପଣସ, ଜାମୁ ଓ ସପେଟା ଭଳି ଫଳ ଗଛ ଲଗେଇ ତା’ର ରକ୍ଷଣାବେକ୍ଷଣ କାର୍ଯ୍ୟ ମଧ୍ୟ ତୁଲେଇଲେ।

ଏଭଳି କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟରେ ଯାହା ହୁଏ ତା’ ହେଲା। କୁଆଡ଼ୁ ପଇସା ଯୋଗାଡ଼ କରିଛି, କେତେ ପଇସା ପାଇଛି, କେତେ ମାରି ଖାଇବ ଇତ୍ୟାଦି। ରମେଶଙ୍କର ନିଷ୍ଠା ଓ ନିଃସ୍ବାର୍ଥପରତା ଯୋଗୁଁ ସେ ପର୍ଯ୍ୟାୟ ସହଜରେ ପାରି ହୋଇଗଲେ। ଏବେ ଗାଁମାନଙ୍କରେ ଖାଲି ପଡ଼ିଆ, ସ୍କୁଲ ହତା, ରାସ୍ତାକଡ଼ ଇତ୍ୟାଦିରେ ଗଛଲଗା କାମ ଚାଲୁ ରଖିଛନ୍ତି। ଅବଶ୍ୟ ଅଶୀଏ ଗଛରୁ ଆରମ୍ଭ କରି ଏବେ ହଜାରହଜାର ଫଳ ଗଛ ଲଗାଗଲାଣି। ଆଖପାଖ ଗାଁ, ଯୁବ ଅନୁଷ୍ଠାନ ଓ ତିରିଶରୁ ଚାଳିଶଜଣ ସକ୍ରିୟ ସହଯୋଗୀ ବାହାରିଲେଣି। ବିଭିନ୍ନ ସମୟରେ ଜଙ୍ଗଲ ବିଭାଗ, ଜିଲାପାଳ ଓ ବରିଷ୍ଠ ନାଗରିକ ସେଥିରେ ସହଯୋଗ କଲେଣି। ରମେଶଙ୍କର ବୟସ ଏ​‌େ​‌ବ ମାତ୍ର ସଇଁତିରିଶ ଓ ଦୁଇଟି ଝିଅର ବାପା। ମୋର ଆଶା ରମେଶଙ୍କ କାର୍ଯ୍ୟ ଅଧିକରୁ ଅଧିକ ଯୁବକ/ଯୁବତୀଙ୍କୁ ପ୍ରେରଣା ଦେବ।

ତୃତୀୟ କାହାଣୀଟି ଏଭଳି। ଫଣି ବାତ୍ୟାର ଧ୍ବଂସଲୀଳା କଥା ସେମାନଙ୍କ କାନରେ ପଡ଼ିଲା। କ’ଣ କରିପାରିବେ ସେମାନଙ୍କ ପାଇଁ ବିଚାର ଚାଲିଲା ଗାଁରେ। ୨୨ ଘରର ଆଦିବାସୀ ଗାଁ। ପଇସା ବା କେତେ ଦେଇପାରିବେ। କାଜୁଗଛ ସବୁ ନଷ୍ଟ ହୋଇ ଯିବା ଖବର ଥିବା ଯୋଗୁଁ ନିଜର କାଜୁ ଗଛର ମଞ୍ଜି, ଜଙ୍ଗଲରୁ ଆମ୍ବ ପଣସ ଇତ୍ୟାଦି ମଞ୍ଜି ସଂଗ୍ରହ କଲେ। ଚାରା କରି ପଠେଇବା ପାଇଁ ନିଷ୍ପତ୍ତି ନେଲେ ଓ କାମ ଆରମ୍ଭ କରିଦେଲେ। ମହିଳାମାନେ ସେ ଦାୟିତ୍ବନେଲେ। ମେ’ ମାସ ଖରା, କେତେ ତଳେ ବୋହି ଯାଇଛି ପାହାଡ଼, ଝରଣା। ସେଇଠୁ ପାଣି ବୋହି ଦଶହଜାରରୁ ଊର୍ଦ୍ଧ୍ବ ଚାରା ପ୍ରସ୍ତୁତି କାମରେ ଲାଗିଗଲେ।
ଗଞ୍ଜାମ ଜିଲାର ବୁଗୁଡ଼ା ବ୍ଲକର ଶେଷ ମୁଣ୍ଡରେ ଥିବା ଗାଁର ମହିଳାମାନଙ୍କର ଏ ଉଦ୍ୟମ ଶୁଣି ସେହି ଜିଲାର ଜଗନ୍ନାଥ ପ୍ରସାଦ ବ୍ଲକର ଚଢ଼େୟାପଲ୍ଲୀର ମହିଳାମାନେ ଚାରା କାମରେ ଲାଗିପଡ଼ିଲେ ଓ ନୟାଗଡ଼ ଜିଲାର ଓଡ଼ଗାଁ ବ୍ଲକର ନୋତର ପଲ୍ଲୀର ଆଦିବାସୀମାନେ ଏ ଉତ୍ସାହରେ ସଂକ୍ରମିତ ହୋଇ କାଜୁ ଓ ବିଭିନ୍ନ ଫଳ ଗଛର ଚାରା ପ୍ରସ୍ତୁତି ଆରମ୍ଭ କରିଦେଲେ।

ଜୁଲାଇ ଶେଷ ବେଳକୁ ଭୁବନେଶ୍ବରର କିଛି ସଂସ୍ଥା କେବଳ ପରିବହନ ଖର୍ଚ୍ଚ ବହନ କରି ଲୋକଙ୍କଠାରୁ ମାଗଣାରେ ଚାରା ଆଣି ବାଣ୍ଟିଲେ। କେଉଁମାନେ ଆମ ପାଇଁ ଚାରା କରି ମାଗଣାରେ ଦେଉଛନ୍ତି ଭାବି ଚିଲିକା କୂଳର କିଛିଲୋକ ତିନିଚାରି ମାସ ପରେ ପ୍ରାୟ ୨୦/୨୨ଜଣ ଆସି ବରଡ଼ା ସାହିରେ ପ୍ରଥମେ ପହଞ୍ଚିଲେ। ସେମାନେ ଗରିବ; କିନ୍ତୁ ତାଙ୍କର ଭବ୍ୟ ସମ୍ବର୍ଦ୍ଧନା ଓ ସମସ୍ତଙ୍କ ପାଇଁ ଖାଇବା କରି ବାଟରେ ଫେରିଲାବେଳେ ଖାଇବାପାଇଁ କାକରା ପିଠା ଦେଲେ। ସେଥିରେ ଅଭିଭୂତ ହୋଇଗଲେ ବାତ୍ୟାଞ୍ଚଳ ଲୋକମାନେ। ବିଶ୍ବାସ କରିପାରିଲେନି ଏମାନେ କେତେ ସରଳ, ଗରିବ, ସାହାଯ୍ୟକାରୀ ଓ ଅତିଥିପରାୟଣ। ଅନ୍ୟ ଗାଁଗୁଡ଼ିକର ଲୋକମାନେ ସେହିଭଳି ସମ୍ବର୍ଦ୍ଧିତ କଲେ। ଆଶ୍ଚର୍ଯ୍ୟ, ଆନନ୍ଦ ଓ କୃତଜ୍ଞତାରେ ଆତ୍ମହରା ହୋଇ ଫେରିଲେ।
କିଛି ମାସ ପରେ ସେମାନେ ଏଠାର ଲୋକଙ୍କୁ ଆମନ୍ତ୍ରଣ ଜଣେଇଲେ ଚିଲିକା ଓ ବାତ୍ୟା ବିଧ୍ବସ୍ତ ଅଞ୍ଚଳ ଦେଖିବାପାଇଁ। ଏମାନେ ଗଲେ। ଚିଲିକା ଡଙ୍ଗା ଓ ବାତ୍ୟାର ବିଭୀଷିକା ଏମାନଙ୍କୁ ଚକିତ କଲା। ସେମାନଙ୍କ ଭୂରିଭୋଜନ ବ୍ୟବସ୍ଥା କରି ଚିଲିକା ଡଙ୍ଗାରେ ବୁଲେଇଲେ, ପୁରୀ ସମୁଦ୍ରକୂଳ, ଜଗନ୍ନାଥ ମନ୍ଦିର ଓ ପୁରୀ ବୁଲି ଫେରିଲେ। ଜୀବନରେ ସେମାନଙ୍କ ପାଇଁ ଇଏ ଥିଲା ଅଭୁଲା ସ୍ମୃତି। ଏସବୁ କେବେ ଦେଖିବା ସେମାନଙ୍କର ଚିନ୍ତାର ବାହାରେ ଥିଲା।

ଏଇ ତ ମାତ୍ର ତିନିଟି ଉଦାହରଣ ସତ୍‌ବିଚାର ଓ ସତ୍‌କର୍ମର। ଏବେ ଖାଲି ଆମର ଏଠି ନୁହେଁ, ପୃଥିବୀର ଏ ଘୋର ସଂକଟ କାଳରେ ବିଭିନ୍ନ ସ୍ଥାନରେ ବିଭିନ୍ନ ବର୍ଗର, ବିଭିନ୍ନ ବୟସର ଅନେକ ଲୋକ ଓ ସଂସ୍ଥା ଅତ୍ୟନ୍ତ ମହନୀୟ କାର୍ଯ୍ୟ କରୁଛନ୍ତି। ସହଯୋଗ, ସଦ୍‌ଭାବନା ସୃଷ୍ଟି କରିବା, ନିଜର ପ୍ରାଣକୁ ବାଜି ଲଗେଇ ମଣିଷ, ଇତର ପ୍ରାଣୀ ଓ ଅମ୍ଳଜାନ ପାଇଁ ଗଛ ଲଗେଇବା ଭଳି କାର୍ଯ୍ୟ କରୁଛନ୍ତି। ଚଉଦିଗ ହାହାକାର ଓ ଅନ୍ଧକାର ଭିତରେ ଏ ଉଳ ଜ୍ୟୋତିଷ୍କମାନେ ବାଟ ଦେଖାଉଛନ୍ତି; ଆଶା ଦେଉଛନ୍ତି। ଯେଉଁ ସମାଜ ଓ ସଭ୍ୟତାରେ ସହାନୁଭୂତି, ପାରସ୍ପରିକ ସହଯୋଗ, ସୌହାର୍ଦ୍ଦ୍ୟ, ତ୍ୟାଗ ଏବଂ ଅନୁକମ୍ପା ଯେତେ ଅଧିକ ସେ ସମାଜ ସେତେ ସୁସ୍ଥ ଓ ଦୀର୍ଘସ୍ଥାୟୀ ହେବ।

Comments are closed.