ଶାସକୀୟ ଶୋଷଣର ଇତିହାସ ଚିନ୍ତନ

- ଭାଗୀରଥି ମହାସୁଆର

ଅନେକ ପଣ୍ଡିତମନ୍ୟ ବୁଦ୍ଧିଜୀବୀ ଏବେ ବି କହନ୍ତି ଯେ ପୂର୍ବେ ରାଜାମାନେ ଲୋକମଙ୍ଗଳ କାର୍ଯ୍ୟ ନକରି ଗୁଡ଼ିଏ ମନ୍ଦିର ଗଢ଼ିଛନ୍ତି ନିଜ ପ୍ରୌଢ଼ି ପାଇଁ ଏବଂ ଏଥିରେ ନିଯୁକ୍ତ କାରିଗର/ଶ୍ରମିକଙ୍କୁ ଶୋଷଣ କରି। ଏହା ଭାରତ ସମ୍ପର୍କରେ ଇତିହାସ ନାମରେ ଗୁଡ଼ାଏ ଗପ ଲେଖିଥିବା ବ୍ରିଟିଶ୍‌ ଗବେଷକଙ୍କ ମତ ଏବଂ ତତ୍କାଳୀନ ଧର୍ମାନ୍ତରକାରୀ ପ୍ରଚାରକଙ୍କ ଦ୍ବାରା ସମର୍ଥିତ। ସେମାନେ ଏ ବିଚାରକୁ ପୁଷ୍ଟ କରିବାପାଇଁ ଅନେକ ବହି ଛାପି ପକାଇଛନ୍ତି। ଭାରତୀୟ ଗବେଷକମାନେ ସେ ସବୁକୁ ମୁଖସ୍ଥ କରିଛନ୍ତି। କାରଣ, ଏମାନେ ବୌଦ୍ଧିକ ସ୍ତରରେ ସ୍ବାଧୀନ ହୋଇନାହାନ୍ତି ଏବଂ ନିଜ ଗବେଷଣାରେ ପୂର୍ବ ଗବେଷକଙ୍କୁ ଉଲ୍ଲେଖ କରନ୍ତି ମାତ୍ର।

କୃତରେ ଲିଙ୍ଗରାଜ, ଜଗନ୍ନାଥ ଓ କୋଣାର୍କ ମନ୍ଦିର ନିର୍ମାଣବେଳେ ବିନିଯୁକ୍ତ ବଢ଼େଇ, କମାର ଓ ଭୋଇ (ଶ୍ରମିକ)ମାନଙ୍କୁ ରାଜାମାନେ ଏତେ ଜମି, ବାଡ଼ିବୃତ୍ତି ଦେଇଥିଲେ ଯେ, ସେମାନଙ୍କ ଉପସ୍ଥିତି ଓ ଅନୁପସ୍ଥିତିରେ ତାଙ୍କ ପରିବାର ସମୂହ ଅତ୍ୟନ୍ତ ସ୍ବଚ୍ଛଳ ହୋଇ ଚଳୁଥିଲେ ଏବଂ ତାଙ୍କ ଆଜିର ପିଢ଼ିକୁ ଦେଖିଲେ ଏ ସ୍ବଚ୍ଛଳତା ହାରାହାରି ୭୦%ହ୍ରାସ ପାଇଛି। କାରଣ ହେଲା, ପାରିବାରିକ ବିଭାଜନ, ମନ୍ଦିର ଯୁଗ ପରେ ସଂପୂର୍ଣ୍ଣ ଭାବେ କୃଷି ଉପରେ ନିର୍ଭରଶୀଳତା, ସେମାନଙ୍କ ହସ୍ତଶିଳ୍ପ ପାଇଁ ବଜାର ଅଭାବ ତଥା ଶିଳ୍ପ ବିପ୍ଳବର ପ୍ରଭାବ ପଡ଼ି ନଥିବା। ପୁରୁଷପୁରୁଷ ଧରି ବଢ଼େଇମାନେ ଶିଳ, ଚକି, ପିଢ଼ା, କବାଟ, ଢ଼ିଙ୍କି, ଲଙ୍ଗଳ, ଶଗଡ଼, ଘର ତିଆରିରେ ସାଲବିନ୍ଧ କରିବା ଓ ଅଣକ ଫୋଡ଼ିବା କାମରେ ଜୀବିକା କରୁଥିଲେ। କମାରମାନେ ଦାଆ, କଟୁରି, ପନିକି, ଶାବଳ, ଲଙ୍ଗଳ, ଫାଉଡ଼ା, ଘୋଡ଼ା ଓ ବଳଦଙ୍କ ନାଲ, ଶଗଡ଼ ଝାମୁ ଓ ଫିରିକ କଣ୍ଟା ତିଆରି କରି ବଞ୍ଚିଲେ। ଭୋଇମାନେ ପ୍ରାୟତଃ କୃଷକ, କୃଷିଶ୍ରମିକ ଓ କାଁ ଭାଁ ହେଉଥିବା ମାଟିକାନ୍ଥର ଘର ତିଆରିରେ ମୂଲିଆ ହେଉଥିଲେ। କ୍ରମଶଃ ରାଜପ୍ରଦତ୍ତ ଜମିଭୂମି ଭାଗବଣ୍ଟା ଓ ବିକ୍ରିଖର୍ଦିରେ ହ୍ରାସ ପାଇ ଯାଇଥିଲା। ଏ କଥା କୌଣସି ଭାରତୀୟ ଗବେଷକ କହିବାର ଆମେ ଶୁଣିନାହୁଁ।

ମନ୍ଦିର ତିଆରି ପରେ ସ୍ଥାନଟି ବିଭିନ୍ନ ପ୍ରକାରର ମନ୍ଦିରମୁଖୀ ଅଧିବାସୀ, ସେମାନଙ୍କର ସହଯୋଗୀ ଜୀବିକାର୍ଥୀ ଓ ସମାଜର ପରସ୍ପର ନିର୍ଭରଶୀଳ ଗୋଷ୍ଠୀଙ୍କ ଦ୍ବାରା ପରିପୁଷ୍ଟ ଏକ ବସତି ହୋଇଯାଉଥିଲା। ଅଧିକାଂଶ ସ୍ଥାବର ସମ୍ପତ୍ତି ରାଜପ୍ରଦତ୍ତ ଥିଲା। ସ୍ଥାନଟି ତୀର୍ଥକ୍ଷେତ୍ର ଘୋଷିତ ହେଲେ, ବାହ୍ୟ ଜନ ସମାଗମ ବୃଦ୍ଧି ପାଇ ନଗରୀ ତଥା ବ୍ୟାବସାୟିକ କ୍ଷେତ୍ର ହୋଇଯାଉଥିଲା। ଏହା ଲୋକଙ୍କୁ ଦାନା ଦେଉଥିଲା; କିନ୍ତୁ ଏହାକୁ ଶୋଷଣ କହିଥିବା ବରିଷ୍ଠ ଗବେଷକମାନେ ମୁସଲିମ୍‌ ଓ ବ୍ରିଟିଶ୍‌ ଶାସକ ତଥା ତାଙ୍କ ଅଧସ୍ତନ ଛୋଟ ରାଜାମାନଙ୍କୁ ଦେଖି ସେଇ ମାପରେ ସୋମବଂଶ ଓ ଗଙ୍ଗବଂଶ ସମ୍ରାଟଙ୍କୁ ଚିତ୍ରିତ କରିଛନ୍ତି। ଏହା ଅନ୍ୟାୟ ଏବଂ ସତ୍ୟ ଗବେଷଣାର ଅନୁପସ୍ଥିତି। ଆମେ ଦୃଢ଼ ଭାବରେ କହିପାରିବୁ ଯେ ଆଜିର ଗଣତନ୍ତ୍ରରେ ଯେଉଁ ପ୍ରତି ପାହାଚରେ ଶୋଷଣ ଚାଲିଛି, ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ରାଜୁଡ଼ା ଅମଳରେ ସେତେ ଗମ୍ଭୀର ଶୋଷଣ କେବେ ହୋଇ ନ ଥିବ।

ତେବେ ଅନେକ ୟୁରୋପୀୟ ଗବେଷକ ଭାରତ ଇତିହାସର ଅନେକ ବନ୍ଦ ପୃଷ୍ଠା ଖୋଲିଛନ୍ତି। ସେଥିରେ ଜର୍ମାନଙ୍କ ଯୋଗଦାନ ଉଲ୍ଲେଖଯୋଗ୍ୟ। ଏ ସବୁଥିରେ ତତ୍କାଳୀନ ଭ୍ରମଧାରଣା ବା ଲୋକଶ୍ରୁତିଭିତ୍ତିକ ଯେଉଁ ଭୁଲ୍‌ ଥିବ, ତାହା ପରବର୍ତ୍ତୀ ଆବିଷ୍କୃତ ଆଧାରଗୁଡ଼ିକ ଭିତ୍ତିରେ ଭାରତୀୟମାନେ ସଂଶୋଧନ କରିବା କଥା। ଏପରି ନ ହୋଇଥିବାର କାରଣ ଥଣ୍ଡାପେଟ ପଣ୍ଡିତମାନଙ୍କର ଅଳସୁଆମି।

ଏବେ ଖବରକାଗଜରୁ ଜର୍ମାନ ଗବେଷକ ମାଇକେଲ ଜାନ୍‌ସେନ୍‌ଙ୍କ ଏକ କୌତୂହଳଜନକ ମନ୍ତବ୍ୟ ଆମ ଦୃଷ୍ଟିକୁ ଆସିଛି। ମିଶରରେ ୨୦,୦୦୦ ଶ୍ରମିକ ୨୦ ବର୍ଷ ଲାଗି ଫାରୋଙ୍କ ପିରାମିଡ୍‌ ନିର୍ମାଣ କରିଥିଲେ। ଏହା ଥିଲା ବ୍ୟକ୍ତିଗତ କବର ଏବଂ ଏକ ରାକ୍ଷସାକୃତି ପଥରଗଦା। ଏହାଦ୍ବାରା ଦେଶର ବା ଦେଶବାସୀଙ୍କର କୌଣସି ଉପକାର ହୋଇ ନ ଥିଲା। ଏ ବିଶାଳ ସ୍ଥାପତ୍ୟ ଆମ ମନ୍ଦିରମାନଙ୍କ ଭଳି ଲୋକାଭିମୁଖୀ ନଥିଲା। ଅଥଚ ତତ୍କାଳୀନ ଭାରତରେ ସମସାମୟିକ ମହେଞ୍ଜୋଦାରୋ ପ୍ରାୟ ସେତିକି ସମୟରେ ଓ ସେତିକି ଶ୍ରମିକଙ୍କ ଚେଷ୍ଟାରେ ସ୍ଥାପିତ ହୋଇଥିଲା। ଏହା ଲୋକଙ୍କ ପାଇଁ ହୋଇଥିଲା ଓ ସେ ଲୋକମାନେ ହିଁ ଏ ସହରର ଉପଭୋକ୍ତା ଥିଲେ। କେହି ଗବେଷଣା କରି ନାହାନ୍ତି ଫାରୋଙ୍କ ପିରାମିଡ଼ ନିର୍ମାଣ ପାଇଁ ବିନିଯୁକ୍ତ ଶ୍ରମିକମାନେ କେତେ ବାଡ଼ିବୃତ୍ତି ପାଇଥିଲେ?

ଜାନ୍‌ସେନ୍‌ଙ୍କ ଉଲ୍ଲେଖରୁ ନିଃସୃତ ହୁଏ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଶାସକୀୟ ମନୋବୃତ୍ତିର ବିଭାଜନ ରେଖା। ଭାରତର କୌଣସି ପ୍ରସିଦ୍ଧ ଦିଗ୍‌ବିଜୟୀ ରାଜା ନିଜ ପ୍ରଜାମାନଙ୍କ ପ୍ରତି ଶୋଷକ ବା ଅତ୍ୟାଚାରୀ ନଥିଲେ। ସେମାନେ ଦେଶକୁ ବାହାରୁ ଧନ ଆଣୁଥିଲେ। କ୍ରମଶଃ ପଶ୍ଚିମ ଗତି କଲେ ଶୋଷଣର ଉଦାହରଣ ଗଭୀରରୁ ଗଭୀରତର। ଶାସକୀୟ ଶୋଷଣ ଏ ଦେଶକୁ ମାଡ଼ି ଆସିଛି ପଶ୍ଚିମରୁ ଆଗତ ଆକ୍ରମଣକାରୀ ଓ ଦଖଲକାରୀ ବର୍ବରମାନଙ୍କ ଦ୍ବାରା। ସେମାନେ ଏଠାରେ ଶାସକ ହେବା ପରେ ସ୍ଥାନୀୟ ରାଜକୀୟ ଶକ୍ତି ଅଶକ୍ତ ଓ ଜନସାଧାରଣଙ୍କ ଅର୍ଥନୀତି ଦୁର୍ବଳ ହୋଇ ଯାଇଥିଲା।

ଅନେକ ଭାବନ୍ତି ଯେ ଏହି ଦୁର୍ବଳତା ପୂର୍ବରୁ ଥିବାରୁ ସେମାନେ ଶାସକ ହୋଇଗଲେ। ଏହା ମିଛ କଥା। କାରଣ, କୌଣସି ଆକ୍ରମଣକାରୀ ବା ଅନୁପ୍ରବେଶୀ ଏକତ୍ର ସମଗ୍ର ଭାରତ ଦଖଲ କରି ନଥିଲେ। ସେମାନେ ଏଠୁସେଠୁ ଛୋଟ‌େଛାଟ ଇଲାକା ଦଖଲ କରୁଥିଲେ ଏବଂ ଏହାଦ୍ବାରା ପରିପାର୍ଶ୍ବରେ କ୍ଷୁଦ୍ର ଓ ଦରିଦ୍ରତର ରାଜ୍ୟ ସୃଷ୍ଟି ହେଉଥିଲେ। ଏମାନେ ସେହି କ୍ଷୁଦ୍ର ଶାସକଙ୍କୁ ପ୍ରୋତ୍ସାହିତ ତଥା ପରସ୍ପର ବିରୋଧୀ କରୁଥିଲେ ପରିଶେଷରେ ଗିଳି ନେବାପାଇଁ। ସେମାନେ ସଂପୂର୍ଣ୍ଣ ସଫଳ ହୋଇନଥିଲେ ବୋଲି ପ୍ରମାଣିତ। ସ୍ବାଧୀନତା ବେଳକୁ ଗଡ଼ଜାତ ଓ ଦେଶୀୟ ରାଜ୍ୟମାନଙ୍କର ସଂଖ୍ୟା ଅନେକ ଥିଲା। ଏଠାରେ ଯେଉଁ ଶୋଷଣ ଥିଲା, ବ୍ରିଟିଶ ଓ ଇସ୍‌ଲାମିକ ଶାସକଙ୍କ ଅୟସ ପୂରଣ ପାଇଁ। ଏଥିପାଇଁ ସେମାନେ ପରିସ୍ଥିତି ଦୃଷ୍ଟିରୁ ବାଧ୍ୟ ଥିଲେ। ସେଥିପାଇଁ ଉତ୍ତ୍ୟକ୍ତ ପ୍ରଜାଙ୍କ ଦ୍ବାରା ଛୋଟବଡ଼ ବିପ୍ଳବ ହୋଇଥିଲା।

ଏହି ବିଖଣ୍ଡିତ ରାଜ୍ୟର ଶାସକମାନେ ଅର୍ଥନୀତି ଦୃଷ୍ଟିରୁ ଦୃଢ଼ ନ ଥିଲେ ଓ ସାମରିକ ଦୃଷ୍ଟିରୁ ଔପଚାରିକ ଥିଲେ। ଜନତାଙ୍କର ଆୟ ଓ ଅର୍ଥନୀତି ଦୃଢ଼ ନଥିଲା। ଅଥଚ କେତେକ ଶାସକ ଇସ୍‌ଲାମୀୟ ଓ ବ୍ରିଟିଶ୍‌ ପ୍ରଶାସକଙ୍କର ଅୟସ ଅନୁକରଣ କରିବାରେ ଅଭ୍ୟସ୍ତ ହେଲେ। ଏ ଲୋଭ ପୂରଣ କରିବାକୁ ସେମାନେ ନିର୍ଦୟ ଭାବେ ପ୍ରଜାଙ୍କୁ ଶୋଷଣ କରିଥିଲେ; କିନ୍ତୁ ଏହା ଭାରତୀୟ ଶାସନ ପରମ୍ପରା ନଥିଲା। ଏହା ଦେଶର ଜନତାଙ୍କୁ ନୈତିକତା ବିଚ୍ୟୁତ କରିଥିଲା।

ଗବେଷକ ଜାନ୍‌ସେନ୍‌ ପୁନଶ୍ଚ କହିଛନ୍ତି ଯେ ମହେଞ୍ଜୋଦାରୋ ସଭ୍ୟତାର ବିଲୋପ ଅଜ୍ଞାତ କାରଣରୁ। ସେ ଏହାକୁ ଦ୍ରାବିଡ଼ ସଭ୍ୟତା କହି ଆର୍ଯ୍ୟ ଆକ୍ରମଣରେ ଧ୍ବଂସ ହୋଇଥିବା ତତ୍ତ୍ବକୁ ସମର୍ଥନ କରି ନାହାନ୍ତି। ଆମେ ପୂର୍ବରୁ ଅନେକ ପ୍ରବନ୍ଧରେ ତର୍କ ସହ ଉଲ୍ଲେଖ କରିଛୁ ଯେ, ଏ କଥାଟି ବ୍ରିଟିଶ୍‌ମାନଙ୍କର ଗଳ୍ପ। ଅଯଥା ନାମିତ ଦ୍ରାବିଡ଼ ଗୋଷ୍ଠୀ ଅଲଗା ନୁହନ୍ତି ବରଂ ଭାରତୀୟ ଆର୍ଯ୍ୟଙ୍କ ପୂର୍ବପିଢ଼ି ଓ ତାମ୍ରଯୁଗର ପ୍ରତିନିଧି। ତାଙ୍କର ନଗର ନିର୍ମାଣ ଶୈଳୀ ମିଶରୀୟ ସଭ୍ୟତାର ସମସାମୟିକ ଉନ୍ନତ ଭାରତୀୟ ସଭ୍ୟତାର ସୂଚନା ଦିଏ।

ଆର୍ଯ୍ୟମାନେ ମଧ୍ୟପ୍ରାଚ୍ୟରୁ ଆସିଥିବା ତତ୍ତ୍ବଟି ମିଥ୍ୟା ହୋଇଥିବାରୁ ତାହା ଅଗ୍ରାହ୍ୟ ହୋଇଚାଲିଛି। ଏବେ ସେହି ମିଥ୍ୟାଜଗତର କିଛି ଗବେଷକ ସେଥିରେ ‘ଡି.ଏନ.ଏ ପରୀକ୍ଷା’ର ଆଳ ପୂରାଇଲେଣି। ଆଶ୍ଚର୍ଯ୍ୟର କଥା କୌଣସି ଭାରତୀୟ ଗବେଷକ ବା ବିଶ୍ବବିଦ୍ୟାଳୟ ମଧ୍ୟପ୍ରାଚ୍ୟର ସଘନ ଗସ୍ତ କରି ୟୁରୋପୀୟ ମତର ସତ୍ୟାସତ୍ୟ ପରୀକ୍ଷା କରି ନାହାନ୍ତି। ତେବେ ଏ ତତ୍ତ୍ବକୁ ମିଥ୍ୟା ପ୍ରମାଣ କରିବାକୁ ଜାନ୍‌ସେନ୍‌ଙ୍କର ଗୋଟିଏ କଥା ଯଥେଷ୍ଟ।

ତାଙ୍କ ମତରେ ମହେଞ୍ଜୋଦାରୋବାସୀ ସିନ୍ଧୁନଦୀ କୂଳରେ ଥାଇ ନଦୀ ମାଧ୍ୟମରେ ସମୁଦ୍ରଯାତ୍ରା କରୁଥିଲେ। ତା’ ସତ୍ତ୍ବେ ନିଜ ସହରରେ ୬୦୦ କୂଅ ଖୋଳାଇଥିଲେ। ଏହା ଜଳପ୍ରିୟ ଓ ଜଳକୁ ପୂଜା କରୁଥିବା ଆର୍ଯ୍ୟଙ୍କ ସ୍ବତନ୍ତ୍ରତା। ମିଥ୍ୟାଶ୍ରୟୀମାନେ କହିପାରିବେ କି ଅସଂଖ୍ୟ କୂପ ଥିବା କେତୋଟି ସହର ଅଛି ମଧ୍ୟପ୍ରାଚ୍ୟରେ? ମହେଞ୍ଜୋଦାରୋର ବିଭିନ୍ନ ପୁରାତତ୍ତ୍ବର ସାକ୍ଷ୍ୟରୁ ଜଣାଯାଏ ଯେ, ଏହା ପ୍ରାଚୀନତମ ସିନ୍ଧୁ ସଭ୍ୟତା (ଶୈବ ସଭ୍ୟତା)। ଏହା ତାଙ୍କ ମୋହର ଓ ମୁଦ୍ରାରେ ପରିସ୍ଫୁଟ।

କାଶୀରେ ଶୈବମାନଙ୍କ ଉପରେ ବୌଦ୍ଧଙ୍କ ଅମାନୁଷିକ ଅତ୍ୟାଚାର ଯୋଗେ ଶୈବ ସଭ୍ୟତା ଯେତେବେଳେ ବୌଦ୍ଧ ସଭ୍ୟତାରୁ ଦେଶକୁ ମୁକୁଳାଇବା ପାଇଁ ଏକାମ୍ର କ୍ଷେତ୍ରରେ ଆଶ୍ରୟ ନେଲା, ସେତେବେଳେ ସ୍ଥାପିତ ହୋଇଥିଲା କୃତ୍ତିବାସ କଟକ। ଏହା ନିକଟରେ ସ୍ବଚ୍ଛନୀରା ନଦୀ ଓ ମଧ୍ୟରେ ଅନେକ ବନଝରଣା ଥିବା ସତ୍ତ୍ବେ ଏକାମ୍ର କ୍ଷେତ୍ରରେ କେତେ କୂପ ଖନନ ହୋଇଥିଲା, ଗବେଷକମାନେ ଜାଣନ୍ତି? ଶିଖରଚଣ୍ଡୀରୁ କୁହା ଏବଂ ଧଉଳିରୁ ଖଣ୍ଡଗିରି ପର୍ଯ୍ୟନ୍ତ ଇଲାକାରେ ୨୦୦୦ରୁ କମ୍‌ କୂଅ ନଥିଲା। ଏ ବୁଦ୍ଧି ମଧ୍ୟପ୍ରାଚ୍ୟର ନୁହେଁ, ମହେଞ୍ଜୋଦାରୋର ଆଦି ଆର୍ଯ୍ୟ(ଶୈବ)ଙ୍କ ଠାରୁ ଗଡ଼ି ଆସିଥିବା ନିର୍ମାଣଶୈଳୀ।

ଏ ଗବେଷକ ମଧ୍ୟ କହିଛନ୍ତି ଯେ, ଆଶୁତୋଷ ଗୋୱାରିକର୍‌ଙ୍କ ‘ମହେଞ୍ଜୋଦାରୋ’ ଚଳଚ୍ଚିତ୍ର କେବଳ ଏକ ‘ବଲିଉଡ଼ କମେଡି’। ଅର୍ଥାତ୍‌ ଏଥିରେ ଇତିହାସର ମହେଞ୍ଜୋଦାରୋ ନାହିଁ। ଏ ପ୍ରସଙ୍ଗରେ ମନେ ପଡ଼ିଯାଉଛି ଆମ ଓଡ଼ିଶାରେ ଅତି ଲୋକପ୍ରିୟ ହୋଇଥିବା ଟିଭି ଧାରାବାହିକ ‘ଶ୍ରୀଜଗନ୍ନାଥ’। ଏଥିରେ ଇତିହାସ ବା ପୁରାଣର ଜଗନ୍ନାଥଙ୍କ ଅପେକ୍ଷା ଅଧିକତର କାଳ୍ପନିକ ଗଳ୍ପର ଜଗନ୍ନାଥ ଅଛନ୍ତି। ଆମେ ସବୁଠୁ କମ୍‌ ଇତିହାସ ପ୍ରିୟ, ତା’ଠୁ ଟିକେ ଅଧିକ ଭକ୍ତିପ୍ରିୟ ଓ ସର୍ବାଧିକ ମନୋରଞ୍ଜନ ପ୍ରିୟ। ଏଣୁ ଏଥିରୁ ପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ଜ୍ଞାନ ଅର୍ଜନ ପାଇଁ ଯିଏ ଇଚ୍ଛା କରିବେ, ସେ ଭୁଆଁ ବୁଲିଯିବେ। ଏଇ ସବୁ ଘଟୁଛି ଆମ ଗବେଷକମାନଙ୍କର ସ୍ବାଧୀନ ଚିନ୍ତନ ଅଭାବରୁ। ଏହି ଅଭାବ ହୋଇଯାଇଛି ଆମ ଇତିହାସର ଆଧାର।

ଜାନ୍‌ସେନ୍‌ଙ୍କ ମତରେ ମହେଞ୍ଜୋଦାରୋ ହେଉଛି ଏକ ନିୟୁତ ବର୍ଗ ମିଟର ପରିମିତ କ୍ଷେତ୍ର, ଯେଉଁଠି କଞ୍ଚା (ଖରାଶୁଖା) ଓ ପୋଡ଼ା ଇଟାର ଅସଂଖ୍ୟ କାନ୍ଥ ଓ ୬୦୦ ଶୁଖିଲା କୂଅ ଅଛି। ଏଥିରେ ଘୋଡ଼ାଚଢ଼ା ଗପ ନାହିଁ, ଏହାକୁ କେହି ଆକ୍ରମଣ କରିଥିବାର ସାମାନ୍ୟ ମାତ୍ର ପ୍ରମାଣ ନାହିଁ; ବରଂ ପ୍ରାପ୍ତ ପୁରାତତ୍ତ୍ବରେ ଅଛି ଶିବ ଓ ବୃଷଭଙ୍କ ଚିହ୍ନ। ଏଣୁ ଏଠାକାର ଲୋକ ଆଦି ଆର୍ଯ୍ୟ, ଯିଏ ହୁଏତ ପ୍ରାକୃତିକ ବିପର୍ଯ୍ୟୟରୁ ପୂର୍ବ ଓ ଦକ୍ଷିଣକୁ ସ୍ଥାନାନ୍ତର ଗମନ କରିଛନ୍ତି। ମଧ୍ୟପ୍ରାଚ୍ୟରୁ ଆର୍ଯ୍ୟ ଆସିବା ତତ୍ତ୍ବଟି ବରାଦୀ ବ୍ରିଟିଶ୍‌ ଶାସନ ଓ ଖ୍ରୀଷ୍ଟଧର୍ମ ପ୍ରଚାର ହିତରେ। ଲୋକଙ୍କୁ ବୁଝାଯାଇଥିଲା, ‘ତୁମେ ଆମ ଲୋକ, ଆମ ଗାଁରୁ ଆସିଛ ଓ ଆମ ଭାଇ’। ଅଥଚ ମହେଞ୍ଜୋଦାରୋ ସହର ଜୀବିତ ଥିବାବେଳେ ଯିଶୁଖ୍ରୀଷ୍ଟ ଜନ୍ମ ହୋଇ ନଥିଲେ ଏବଂ ଇଂରେଜୀ ଭାଷା ଅପରିପକ୍ବ ଥିଲା କିମ୍ବା ନଥିଲା। ଏ ସହର ଖ୍ରୀ.ପୂ. ୧୯୦୦ ପର୍ଯ୍ୟନ୍ତ ଜୀବିତ ଥିଲା

ମହେଞ୍ଜୋଦାରୋରେ ତଥାକଥିତ ମଧ୍ୟପ୍ରାଚ୍ୟବାସୀ ଆର୍ଯ୍ୟଙ୍କ ଆକ୍ରମଣ କାହାଣୀର ପୃଷ୍ଠଭୂମି ଆମେ ଅନ୍ୟ ଏକ ପ୍ରବନ୍ଧ ‘ଇତିହାସରେ ବ୍ରିଟିଶ୍‌ ମିଥ୍‌’ରେ ଉଲ୍ଲେଖ କରିଛୁ। ସେଥିରେ ଲେଖିଛୁ ସେହି ବ୍ରିଟିଶ୍‌ ଗବେଷକଙ୍କ କଥା, ଯାହାଙ୍କ ମତରେ ସେଠାରେ ଆକ୍ରମଣ, ଯୁଦ୍ଧ ବା ହତ୍ୟା ଆଦୌ ହୋଇନାହିଁ। ଖନନବେଳେ କଙ୍କାଳ ବା ହାଡ଼ର ଫସିଲ ମିଳିନାହିଁ।

ତାଙ୍କର ଗୋଟିଏ କଥା ଆମକୁ ପସନ୍ଦ ଲାଗିଛି। ସେ ମହେଞ୍ଜୋଦାରୋକୁ କହିଛନ୍ତି- ‘ଯେତିକି ଦେଖାଇଛି, ତା’ଠୁ ଅଧିକ ଲୁଚାଇଛି ଏ ସହର’। ଏ ମନ୍ତବ୍ୟ ସମଗ୍ର ଭାରତ ଇତିହାସ ଓ ଓଡ଼ିଶା ଇତିହାସ କ୍ଷେତ୍ରରେ ଦେଇହେବ। ପ୍ରାଚୀନ ଓଡ଼ିଶା ଇତିହାସ ଆଜି ବି ଅଧୁରା ଏବଂ ପ୍ରାମାଣିକ ନୁହେଁ। କତିପୟ ଐତିହାସିକ, ପ୍ରତ୍ନତତ୍ତ୍ବବିତ୍‌ ଓ ପୋଥି ଗବେଷକଙ୍କ ପରିଶ୍ରାନ୍ତ ଉଦ୍ୟମରୁ ଯାହା କିଛି ସଂକଳିତ ହୋଇପାରିଛି। ସେଥିରେ ମଧ୍ୟ ଅନେକ ନିଷ୍କର୍ଷ ତର୍କ ଓ ଅନୁମାନଭିତ୍ତିକ ବୋଲି ସେମାନେ ସ୍ବୀକାର କରିଛନ୍ତି।

ଆମ ସହର ଭୁବନେଶ୍ବର ଆମ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅଧିକରୁ ଅଧିକ ଚମତ୍କୃତ କରୁଛି ଆମକୁ। ଏବେ ଖୋଦନରୁ ଅପ୍ରତ୍ୟାଶିତ ଆବିଷ୍କାର ହେଉଛି। ଆହୁରି ଖୋଳିଲେ ଆହୁରି ମିଳିବ। ଏଠି ସହର ପରିବର୍ଦ୍ଧନବେଳେ ଖୋଦନରୁ ପାଚେରି ମିଳିଲା, ପୋତି ଦିଆଗଲା। ସୁଡ଼ଙ୍ଗ ମିଳିଲା, ଗବେଷଣା ହେଲା ନାହିଁ। ଶିଶୁପାଳଗଡ଼ର ସାମଗ୍ରିକ ଖୋଦନ ହେଲାନାହିଁ। ବ୍ୟକ୍ତିବିଶେଷଙ୍କୁ ଖଣ୍ଡଖଣ୍ଡ କରି ଲିଜ୍‌ ଦିଆଗଲା, ଯେ ନିଅଁ ଖୋଳୁଖୋଳୁ କୋଟିପତି ହେଲେ; କିନ୍ତୁ ମହେଞ୍ଜୋଦାରୋ ଅମଳର ସମକଚ୍ଛ ଗୋଟାଏ ସଭ୍ୟତା ଲୁଚିଗଲା। ଇତିହାସ ଗରିବ ହୋଇଗଲା।

Comments are closed.