ଶିକ୍ଷା-ସଂସ୍କୃତି ଧ୍ବଂସ ଅନ୍ତରାଳେ

ଜାନକୀଶ ବଡ଼ପଣ୍ଡା

ନିକଟରେ ଜାତୀୟ ପରୀକ୍ଷଣ ସଂସ୍ଥାନ ଦ୍ୱାରା ପରିଚାଳିତ ସର୍ବଭାରତୀୟ ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ (ଜେଇଇ-ମୁଖ୍ୟ)ପ୍ରକାଶ ପାଇଛି। ଏମାନଙ୍କ ମଧ୍ୟରୁ ୭୫ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ପିଲା ଜି-ଆଡ଼ଭାନ୍ସ ପରୀକ୍ଷା ଦେଇ ଭଲ କଲେ, ଆଇଆଇଟି ଓ ଏନଆଇଟି ଭଳି ପ୍ରତିଷ୍ଠିତ ସର୍ବଭାରତୀୟ ବୈଷୟିକ ଅନୁଷ୍ଠାନରେ ନାଁ ଲେଖାଇପାରିବେ। ଏହି ଶିକ୍ଷାନୁଷ୍ଠାନମାନଙ୍କରେ ମଧ୍ୟ କିଛି ତୁଳନାତ୍ମକ ଭାବେ କମ ଯୋଗ୍ୟତା ସମ୍ପନ୍ନ ପିଲା ପଶି ଯାଆନ୍ତି । ସେମାନଙ୍କ ମଧ୍ୟରୁ କିଛି ସଂରକ୍ଷଣ ସୁବିଧା କାରଣରୁ ଓ କିଛି କୋଚିଂସେଣ୍ଟର ଯାଦୁ କାରଣରୁ ପଶି ଥାଆନ୍ତି। ଅନେକ ମେଧାବୀ ପିଲା ନିଜ ଗ୍ରାମ୍ୟ ସ୍କୁଲ, କଲେଜରେ ମାତୃଭାଷାରେ ପାଠ ପଢି ନୂଆ ସହରୀ ପରିବେଶ ଓ ଇଂରାଜୀ ମାଧ୍ୟମରେ ବୈଷୟିକ ଶିକ୍ଷା ଗ୍ରହଣ କଲାବେଳେ ଅସୁବିଧା ଭୋଗନ୍ତି। ସ୍ନାତକ ପାଠ୍ୟକ୍ରମ ସାରିବା ପୂର୍ବରୁ କେବଳ ଆଇଆଇଟିମାନଙ୍କରୁ ପ୍ରତିବର୍ଷ ୨୪୦୦ ରୁ ଅଧିକ ପିଲା ପାଠଛାଡ଼ି ଦେଉଥିବାର ଖବର ମିଳୁଛି। ପାଠ୍ୟପୁସ୍ତକରୁ ବିଜ୍ଞାନର ମୌଳିକ କଥା ନ ବୁଝି, କୋଚିଂସେଣ୍ଟର ପକ୍ଷରୁ ବାରମ୍ବାର ପ୍ରଶ୍ନୋତ୍ତର ଅଭ୍ୟାସ କାରଣରୁ ବୈଷୟିକ ଅନୁଷ୍ଠାନମାନଙ୍କରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଅନେକ ପିଲା ପରବର୍ତ୍ତୀ କାଳରେ ପାଠର ବୋଝ ସମ୍ଭାଳି ନ ପାରିବା, ପାରିବାରିକ ଆର୍ଥିକ ଅସୁବିଧା, ପରୀକ୍ଷାରେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇ ନ ପାରିବା ଇତ୍ୟାଦି କାରଣରୁ ଆଇଆଇଟି ଭଳି ଅନୁଷ୍ଠାନ ଛାଡି ଦେଉଛନ୍ତି। ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସମାନ ସ୍ଥିତି।

ଯେଉଁସବୁ କୋଚିଂ ସେଣ୍ଟରର ପିଲାଏ ଅଧିକ ସଂଖ୍ୟାରେ ଆଇଆଇଟି, ଏନଆଇଟି, ମେଡିକାଲ ସିଟ ପାଉଛନ୍ତି, ସେହିସବୁ କୋଚିଂ ସେଣ୍ଟରର ନାଁ ଡାକ। କୋଚିଂସେଣ୍ଟର ଯାଇ ନପାରି ପାଠ୍ୟପୁସ୍ତକ ପଢି ପ୍ରସ୍ତୁତ ହେଉଥିବା ମେଧାବୀ ପିଲାମାନେ, କୋଚିଂ ନେଉଥିବା ପିଲାଙ୍କ ଅପେକ୍ଷା ପ୍ରବେଶିକା ପରୀକ୍ଷାରେ କମ ମାର୍କ ରଖୁଛନ୍ତି। ଏଣୁ ସମସ୍ତେ ବାଧ୍ୟ ହୋଇ କୋଚିଂସେଣ୍ଟର ଯାଉଛନ୍ତି। ଅଟୋଚାଳକ ହୁଅନ୍ତୁ ବା ଚାଷୀ, ନିଜର ପୁଅଝିଅଙ୍କୁ ଧାରକରଜ କରି କୋଚିଂସେଣ୍ଟରରେ ଭର୍ତ୍ତି କରି ନ ପାରିଲେ, ନିଜର ଜୀବନକୁ ବ୍ୟର୍ଥ ମନେ କରୁଛନ୍ତି। କୋଚିଂସେଣ୍ଟର ତାଲିମପ୍ରାପ୍ତ ପିଲାଏ ପ୍ରଚଳିତ ପ୍ରବେଶିକା ପରୀକ୍ଷା-ବ୍ୟବସ୍ଥାରେ ଭଲ କରୁଥିଲେ ହେଁ ମୂଳ ଖଇଚା କାରଣରୁ ନୂଆ ପ୍ରକାର ପ୍ରଶ୍ନ ଆସିଲେ ହଡବଡେଇ ଯାଉଥିବାର ଦେଖାଦେଉଛି। ବଡ଼ ସମସ୍ୟା ହେଲା ଯେ ୯୯% ପିଲା ଖର୍ଚ୍ଚବହୁଳ କୋଚିଂସେଣ୍ଟରରେ ନାମ ଲେଖାଇଥିଲେ ବି ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେଉନାହାନ୍ତି। ତଥାପି ପ୍ରତିବର୍ଷ ପ୍ରାୟ ୧୮ଲକ୍ଷ ପିଲା କୋଚିଂ ନେବା ପାଇଁ ନାମ ଲେଖାଉଛନ୍ତି, ସେଥିରୁ ୧୨ ଲକ୍ଷ ପରୀକ୍ଷା ଦେଉଛନ୍ତି। ମାତ୍ର ୧୫ ହଜାର ପିଲା ପ୍ରବେଶିକା ପରୀକ୍ଷାରେ (ଜେଇଇ) କୃତକାର୍ଯ୍ୟ ହୋଇ, ଘରୋଇ ଇଞ୍ଜିନିଅରିଂ କଲେଜରେ ନାଁ ଲେଖାଉଛନ୍ତି। ଏଥିରୁ ୮୦ ପ୍ରତିଶତ ପିଲା ପାଠ, ଗୁଣାତ୍ମକ ଶିକ୍ଷାଗ୍ରହଣ ଓ କର୍ମକ୍ଷେତ୍ରରେ ଅଯୋଗ୍ୟ। ତଥାପି, ଭୟ ଓ ଭ୍ରମ ମଧ୍ୟରେ ଘାଣ୍ଟି ହେଉଥିବା ପିତାମାତା ବହୁଳ ବିଜ୍ଞାପିତ କୋଚିଂ ସେଣ୍ଟରମାନଙ୍କ ସହଜ-ଶିକାର ହେଉଥିବାର ଦେଖାଯାଉଛି। କୋଚିଂସେଣ୍ଟର ଶହଶହ କୃତକାର୍ଯ୍ୟ ପିଲାଙ୍କର ଫୋଟୋ ସମ୍ବଳିତ ବଡବଡ଼ ହୋର୍ଡ଼ିଂ, ପୂରା ପୃଷ୍ଠା ଖବରକାଗଜ ବିଜ୍ଞାପନ ଦେଉଛନ୍ତି। ସେମାନଙ୍କ ଜାଲରେ ପଡୁଛନ୍ତି ମହଦାକାଂକ୍ଷୀ ପରିବାର। ଆଜିକାଲି, ବିନା କୋଚିଂରେ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇବା ଅସମ୍ଭବ ବୋଲି ମନେ କରୁଛନ୍ତି ସମସ୍ତ ଆଶାୟୀ।

ପିଲାଙ୍କୁ ଏବେ ଦଶମ ଶ୍ରେଣୀ ପଢିଲା ବେଳୁ କୋଚିଂସେଣ୍ଟର ସହ ସମ୍ପର୍କରେ ରଖାଯାଉଛି। ସେଠାରେ ଏମିତି ପ୍ରଣାଳୀରେ ପଢାଯାଉଛି, ଯେମିତି କି ଯୁକ୍ତଦୁଇ ପରୀକ୍ଷା ପରେ ମିଳିତ ପ୍ରବେଶିକା ପରୀକ୍ଷାରେ ସିଟ ମିଳିବା ନିଶ୍ଚିତ! ଫଳରେ ଦଶମ ପଢ଼ୁଥିବା ଚଉଦବର୍ଷୀୟ କିଶୋରକିଶୋରୀଙ୍କ ହାତପାଆନ୍ତାରୁ ହଜିଯାଉଛି ଖେଳକୁଦ, ନାଚଗୀତ କରିବାର ମନ। କିଛି ନୂଆ ସୃଷ୍ଟି କରିବାର ପୁଲକ । ରୋମାଞ୍ଚ ବଳି ପଡୁଛି ସେମାନଙ୍କ ରଙ୍ଗିନ ଭବିଷ୍ୟତ ଆଶା ଓ ନିଶାରେ। ଯେଉଁ ପିଲାଟି ହୁଏତ ଚିତ୍ରକର କିମ୍ବା ରସାୟନ ବିଜ୍ଞାନୀ ଭାବେ ପ୍ରସିଦ୍ଧି ଅର୍ଜନ କରିଥାଆନ୍ତା, ସେ କୈଶୋରରେ ଇଞ୍ଜିନିୟର କି ଡାକ୍ତରଟିଏ ହେବାପାଇଁ କୃଚ୍ଛ୍ର ସାଧନା କରୁଥିବାର ବିକଳ ଦୃଶ୍ୟ ଦେଖିବାକୁ ମିଳୁଛି। ଆଇଆଇଟିରେ ଅନେକଙ୍କୁ ମନମୁତାବକ ବିଷୟ ପଢିବାକୁ ସୁଯୋଗ ମିଳୁନି। ମୋଟା ଦରମାର ଚାକିରି ସେମାନଙ୍କୁ ଆତ୍ମସନ୍ତୋଷ ଦେଇପାରୁନାହିଁ। ଏବେ, ଚିନ୍ତାକରନ୍ତୁ ତ ! ଆମେ ଆମ ପିଲାଙ୍କ ପାଇଁ ଖୁସି ଦେଲେ, ନା ଦୁଃଖ? ଅଭିଭାବକମାନେ ମନେ ରଖିବା ଦରକାର ଯେ କୋଚିଂକ୍ଲାସ କେବେ ବି ସମାଧାନ ନ ଥିଲା କିମ୍ବା ହେବାର ବି ନାହିଁ। ପିଲାଙ୍କୁ ଇଞ୍ଜିନିୟର ଓ ଡାକ୍ତର କରିବାର ପାଗଳାମି ନ କରି ସେମାନଙ୍କ ରୁଚି ଓ ଆଗାମୀ ଭବିଷ୍ୟତର ପରିକଳ୍ପନା ଅନୁସାରେ ଶିକ୍ଷାଦେବାର ବ୍ୟବସ୍ଥା କରନ୍ତୁ। ନହେଲେ, ଇଞ୍ଜିନିୟରିଂ ଓ ଡାକ୍ତରୀପାଠ ପରେ ସହକାରୀ ସେକ୍ସନ ଅଧିକାରୀ ଚାକିରି କରିବାପାଇଁ ସେମାନେ ସଂଘର୍ଷ କରିବେ।

ପ୍ରବେଶିକା ପରୀକ୍ଷାର କୁହେଳି ମଧ୍ୟରେ କୋଚିଂ ସେଣ୍ଟରଗୁଡ଼ିକ ହଜାର ହଜାର କୋଟି ଟଙ୍କାର ବେପାର କରୁଛନ୍ତି। କୌତୂହଳର କଥା ଯେ କିଛି ବହୁଳ ବିଜ୍ଞାପିତ ତଥା କରିତ୍‌କର୍ମା କୋଚିଂ ସେଣ୍ଟର ପ୍ରବେଶିକା ପରୀକ୍ଷା କରି ଆଗ୍ରହୀ ପିଲାଙ୍କୁ ଗ୍ରହଣ କରୁଛନ୍ତି! ଏଠାରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଉଥିବା ବାରବର୍ଷର ପିଲା ନାମ ମଧ୍ୟ ଲେଖାଉଛନ୍ତି। ଏହାକୁ ପାଗଳାମି କହିବାନି ତ ଆଉ କ’ଣ! ପିତାମାତା, ବିଶେଷ କରି ମଧ୍ୟମ ବର୍ଗର ପିତାମାତାଙ୍କୁ ଆମେ ସ୍କୁଲ ଶିକ୍ଷାର ମୂଳ ସଂସ୍କୃତିର ଧ୍ବଂସସାଧନ ପାଇଁ ଦାୟୀ କରି ପାରିବା।

କିଶୋର ଛାତ୍ରଙ୍କ ଉପରେ ମାନସିକ ଚାପ ବଢୁଛି। ଏଥିପାଇଁ କୋଚିଂ ସେଣ୍ଟର ଅପେକ୍ଷା ଅଧିକ ଦାୟୀ ପରିବାର ସଦସ୍ୟଙ୍କ ମହଦାକାଂକ୍ଷା ଓ ଆମେ, ଏଠାରେ ମିଳୁଥିବା ପରୀକ୍ଷା-କୈନ୍ଦ୍ରିକ ତାଲିମକୁ ଶିକ୍ଷା କହିପାରିବା କି? ପ୍ରବେଶିକା ପରୀକ୍ଷା ଯେଉଁଭଳି ପ୍ରକ୍ରିୟାରେ ହେବ, ସେହି ଅନୁସାରେ ପିଲାଙ୍କୁ ପ୍ରସ୍ତୁତ କରି ପରୀକ୍ଷାରେ ଭଲ ଫଳ ପାଇବାକୁ ସେମାନେ ତାଲିମ ଦିଅନ୍ତି। ପିଲାଙ୍କ ମୌଳିକ କଳ୍ପନା ଶକ୍ତି କିମ୍ବା ଅପାର ସୃଜନଶୀଳତାର ବିକାଶ ହେଲେ ବା ନହେଲେ ସେମାନଙ୍କ ଯାଏଆସେ କେତେ ? ପିଲାଏ ଯନ୍ତ୍ର ମାନବ ବା ରୋବଟ ଭଳି କେବଳ ପୂର୍ବ-ନିର୍ଦିଷ୍ଟ ପ୍ରଶ୍ନର ଠିକ ଉତ୍ତର ଜାଣିଗଲେ ଯଥେଷ୍ଟ।

ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ) କରାଯାଇ ସର୍ବଭାରତୀୟ ସ୍ତରର ମେଡିକାଲ କଲେଜରେ ପଢ଼ିବାର ସୁଯୋଗ ଦିଆଯାଏ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କୋଚିଂ ନ ନେଲେ, ଜଣେ ମେଧାବୀ ଛାତ୍ର ଯେ ନିଟରେ ସଫଳତା ପାଇ ସରକାରୀ ମେଡିକାଲ କଲେଜରେ ସିଟ ପାଇଯିବ, ତାହା କହିହେବନି। ବରଂ ସେହି ଅର୍ଥ ଖର୍ଚ୍ଚ କଲେ, ପିଲାଏ ଘରୋଇ ମେଡିକାଲ କଲେଜରୁ ଡାକ୍ତରୀ ପାସ କରିଯିବେ କିମ୍ବା କମ୍‌ ଖର୍ଚ୍ଚରେ ୟୁକ୍ରେନ ଭଳି ଦେଶରେ ପଢିପାରିବେ! ଆମ ଦେଶରେ ଥିବା ସ୍ବଳ୍ପସଂଖ୍ୟକ ଡାକ୍ତରୀ ଶିକ୍ଷାନୁଷ୍ଠାନ, ପ୍ରବେଶିକା ପରୀକ୍ଷାରେ ଥିବା ଦୋଷ ତ୍ରୁଟି, ବ୍ୟୟବହୁଳ ଶିକ୍ଷା ଇତ୍ୟାଦି କାରଣରୁ ଉଚ୍ଚଶିକ୍ଷା ପାଇଁ ହଜାର ହଜାର ପିଲା ବିଦେଶକୁ ଯାଉଛନ୍ତି, ଏହା ସମସ୍ତେ ଜାଣୁଥିଲେ ବି ତ୍ରୁଟି ସୁଧାରିବାର ପ୍ରଚେଷ୍ଟା କରାଯାଉନି।

ପ୍ରତିବର୍ଷ ୧୬ ଲକ୍ଷ ପିଲା ‘ନିଟ’ ପରୀକ୍ଷା ଦିଅନ୍ତି। ସେଥିରୁ ଆଠଲକ୍ଷ ପିଲା ପାସ୍‌ କରନ୍ତି। ସମୁଦାୟ ୭୨୦ ମାର୍କରୁ ୬୦୦ରୁ ଅଧିକ ମାର୍କ ରଖିଲେ ସରକାରୀ ମେଡିକାଲ କଲେଜରେ ସିଟ ମିଳିଯାଏ। ୪୫୦ରୁ ଅଧିକ ମାର୍କ ରଖିଥିଲେ ଓ ଚାନ୍ଦା ବା ଡୋନେସନ ଦେଲେ ଘରୋଇ କଲେଜରେ ସିଟ୍‌ ମିଳେ। ‘ନିଟ’ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ପିଲାଙ୍କ ପଢିବା ପାଇଁ ସରକାରୀ କଲେଜରେ ସିଟ୍‌ ନାହିଁ। ଗତ କିଛିବର୍ଷ ମଧ୍ୟରେ ସିଟ୍‌ ସଂଖ୍ୟା ୬୦ ହଜାରରୁ ବଢି ୮୦ ହଜାରରେ ପହଞ୍ଚିଛି। ଚଳିତବର୍ଷ ଆଉ କୋଡିଏ ହଜାର ସିଟ ବଢିବାକୁ ଯାଉଛି ସତ; ମାତ୍ର ସରକାରୀ କଲେଜରେ ସିଟ୍‌ ସଂଖ୍ୟା ମାତ୍ର ୪୨ ହଜାର ଓ ସରକାରୀ କଲେଜରେ ଟିଉସନ ଫି ମାତ୍ର ୫ ଲକ୍ଷ ହୋଇଥିଲାବେଳେ, ଘରୋଇ କଲେଜରେ ୭୦ ଲକ୍ଷ ! ସେଇଥିପାଇଁ ୟୁକ୍ରେନ, ଉଜ୍‌ବେକିସ୍ତାନ, କାଜାଖସ୍ତାନ,ଚୀନ ଓ ରୁଷିଆ ଆଦି ଦେଶକୁ ଡାକ୍ତରୀ ଡ଼ିଗ୍ରୀ ପାଇବା ଲୋଭରେ ଆମ ପିଲାଏ ପଳାଉଛନ୍ତି। ଏମାନେ ମଧ୍ୟ କୋଚିଂସେଣ୍ଟର ଯାଆନ୍ତି। ଓଜେଇଇ, ନିଟ ପରୀକ୍ଷା ଦିଅନ୍ତି। ପିତାମାତାଙ୍କ ଜିଦ ଯେ, ଯାହା ବି ହେଉ, ପିଲାଙ୍କୁ ଇଞ୍ଜିନିୟର ଓ ଡାକ୍ତର କରିବେ। ଏଥିରେ ପିଲାଙ୍କ ଇଚ୍ଛା କିମ୍ବା ଅନିଚ୍ଛା ଗୌଣ। ଏହି ଧନୀ, ସ୍ୱଚ୍ଛଳବର୍ଗର ପିଲାଙ୍କ କୋଚିଂ-ପ୍ରୀତି କାରଣରୁ, ଏବେ ଗରିବଠାରୁ ମଧ୍ୟବିତ୍ତ ଯାଏ ସମସ୍ତେ ‘କୋଚିଂସେଣ୍ଟର’ ଭୂତାଣୁ ସଂକ୍ରମିତ !

ଏଥିପାଇଁ ଆମର ପ୍ରତିଷ୍ଠିତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆସନ ସଂଖ୍ୟାକୁ ଦୁଇରୁ ତିନିଗୁଣ ବଢାଇବାକୁ ପଡିବ। ନୂଆ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ସହ କୌଣସି କାରଣରୁ ବନ୍ଦ ହୋଇଯାଇଥିବା ଘରୋଇ କଲେଜକୁ ସରକାର ନିଜେ କିମ୍ବା ମୂଳ ପ୍ରତିଷ୍ଠାତାଙ୍କ ସହ ମିଶି ଭିତ୍ତିଭୂମିକୁ ବ୍ୟବହାର କରି ପୁଣି ଥରେ ଚଳେଇବାକୁ ପଡିବ। ଏଥିସହ ଗୁଣାତ୍ମକ ଶିକ୍ଷାପ୍ରଦାନକୁ ପ୍ରାଧାନ୍ୟ ଦେବାକୁ ହେବ। ଯେଉଁ ବିଷୟରେ ଶିକ୍ଷା ଦିଆଗଲେ ଦେଶବିଦେଶରେ ଆମର ଯୁବବର୍ଗ ଭବିଷ୍ୟତରେ ଅଧିକ ନିଯୁକ୍ତି ପାଇବେ, ସେହିସବୁ ବିଷୟରେ ସିଟ ସଂଖ୍ୟା ବଢାଇବାକୁ ପଡିବ। ଛାତ୍ରଙ୍କୁ ନିକଟସ୍ଥ ଶିଳ୍ପସଂସ୍ଥା ଓ ଡାକ୍ତରଖାନା ପରିଦର୍ଶନ କରି ପ୍ରୟୋଗାତ୍ମକ ଅଭ୍ୟାସ କରିବାର ସୁଯୋଗ ମିଳିଲେ ଛାତ୍ରମାନେ ଆତ୍ମବିଶ୍ୱାସ ପାଇବେ, ପାଠ ପ୍ରତି ଆଗ୍ରହୀ ହେବେ ଏବଂ ନୂଆ କିଛି କରିବାର ପରିକଳ୍ପନା ମଧ୍ୟ କରିପାରିବେ। ସରକାରଙ୍କଠାରୁ ଜମି ନେଇ ପ୍ରତିଷ୍ଠା ହୋଇଥିବା ବଡ଼ବଡ଼ ମଲ୍ଟି-ସ୍ପେସିଆଲିଟି ହସ୍ପିଟାଲରେ ମେଡିକାଲ କଲେଜ ଓ ବୃହତ୍‌ ଶିଳ୍ପୋଦ୍ୟୋଗଗୁଡ଼ିକରେ ଇଞ୍ଜିନିୟରିଂ କଲେଜ ପିଲାମାନେ ଅଭ୍ୟାସ କରିବା ବ୍ୟବସ୍ଥା କଲେ କମ ଖର୍ଚ୍ଚରେ ଗୁଣାତ୍ମକ ଶିକ୍ଷା ଦିଆଯାଇପାରିବ, ଯାହା ଆଜିର ଆବଶ୍ୟକତା। ସବୁଠୁ ବଡ଼ କଥା ହେବ ଯେ, ଆମୂଳଚୂଳ ପାଠ୍ୟପୁସ୍ତକ ପଢ଼ୁଥିବା ମେଧାବୀମାନେ କିପରି କୋଚିଂ ସେଣ୍ଟର ନଯାଇ ‘ଜେଇଇ’ ଓ ‘ନିଟ୍‌’ ସମେତ ଅନ୍ୟାନ୍ୟ ପରୀକ୍ଷାରେ ଭଲ କରିବେ, ସେଥିପାଇଁ ପରୀକ୍ଷା ନିୟମ ଓ ପ୍ରଣାଳୀରେ ପରିବର୍ତ୍ତନ ଆଣିବାକୁ ହେବ । ଦଶମ, ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଫଳାଫଳ ଓ ପ୍ରବେଶିକା ପରୀକ୍ଷା ଫଳକୁ ନାମ ଲେଖେଇବାର ମାପକାଠି କରିବାକୁ ହେବ। ପିଲାମାନଙ୍କ ବୌଦ୍ଧିକ ବିକାଶରେ କେହି ବି ଅନ୍ତରାୟ ହେବା ଅନୁଚିତ।

Comments are closed.